Unknown

 

 

 

 

 

 

 

 

 

 

 

କୈଶୋରରୁ ଯୌବନ

ଶ୍ରୀମତୀ ଗୀତା ଦାସ

 

ପିତାମାତା ଓ ଶିଶୁ

 

ବାପମାଆଙ୍କର ଘନିଷ୍ଠ ସମ୍ପର୍କରେ ଶିଶୁ ଜନ୍ମରୁ ବଢ଼େ । ଏହି ସଂସର୍ଗର ପ୍ରଭାବ ତାର ଅଧିକାଂଶ ବ୍ୟବହାରକୁ ପ୍ରଭାବିତ କରେ । ସେମାନେ ତା ପ୍ରତି ଯେପରି ବ୍ୟବହାର କରନ୍ତି ସେ ସେହି ଅନୁସାରେ ସେମାନଙ୍କ ସହିତ ‘ପ୍ରତି-ବ୍ୟବହାର’ କରିଥାଏ । ବାପା ମାଆ ସ୍ନେହାନ୍ଧ ହୋଇ ପିଲାକୁ ଯଦି ସବୁବେଳେ କୋଳଟି ଭିତରେ ପୂରେଇ ରଖନ୍ତି, ଭୋକହେଲା ପୂର୍ବରୁ ଖୁଆଇ ଦିଅନ୍ତି, ନିଦ ନ ମାଡ଼ିଲା ପୂର୍ବରୁ ଶୁଆଇ ଦିଅନ୍ତି, ଭଲକରି ଖାଇ ପାରିବନି ବୋଲି ଖୁଆଇ ଦିଅନ୍ତି, ସଫା ସୁତୁରା ହେଇ କେମିତି ଗାଧୋଇବ ସେ କଥା ନ ଶିଖେଇ, ସଫା ସୁତୁରା କରି ପିଲାକୁ ଗାଧୋଇ ଦିଅନ୍ତି, ସେ ପିଲା ବଡ଼ ହେଲା ପରେ ନିର୍ଭରଶୀଳ ହେବ । କୌଣସି ବିଷୟରେ ତାର ଉଦ୍ୟମ ରହିବ ନାହିଁ । ସେ ସବୁବେଳେ ନିଚେଷ୍ଟ ହେଇ ରହିବ । ଅନ୍ୟ ପକ୍ଷରେ ଯେଉଁ ବାପା ମାଆ ନିଜ ପିଲାଙ୍କୁ ବିଭିନ୍ନ ବିଷୟ ଶିଖାଇ ଆତ୍ମନିର୍ଭରଶୀଳ କରି ବଢ଼ାନ୍ତି, ସେମାନେ ନିଜକୁ ‘ପାରଙ୍ଗମ’ ବୋଲି ଜାଣି ସବୁ କଥାକୁ ଆଗଭର ହୋଇଥାନ୍ତି, ସେମାନଙ୍କର ନିଜ ଠାରେ ଅଖଣ୍ଡ ଆତ୍ମବିଶ୍ଵାସ ଜନ୍ମେ । ସେମାନେ ସାଧାରଣତଃ ଉତ୍ସାହୀ, ସଚେଷ୍ଟ ଓ ଉଦ୍ୟୋଗୀ ହୁଅନ୍ତି ।

 

ପିଲାଙ୍କର ସ୍ଵଭାବ ଚରିତ୍ର ମଧ୍ୟ ବାପା ମାଆଙ୍କର ବ୍ୟବହାର ଅନୁସାରେ ନିୟନ୍ତ୍ରିତ ହୋଇ ଗଢ଼ିଉଠେ, ବାପା ମାଆ ବିଚାରବନ୍ତ ହୋଇ ପିଲାକୁ ସ୍ନେହ ଓ ଶାସନର ସମନ୍ୱୟରେ ବଢ଼େଇଲେ ପିଲା ଶିଷ୍ଟାଚାର ଓ ସଦାଚାର ଶିଖି ଯଥାର୍ଥ ଭାବରେ ବଢ଼ିଉଠିବ । ଅନେକ ସମୟରେ ବାପା ମାଆ ନିଜର ସ୍ନେହାଦ୍ଧତାକୁ ବାତ୍ସଲ୍ୟ-ମମତା ଭାବି ପିଲାକୁ ଅତିରିକ୍ତ ପ୍ରଶ୍ରୟ ଦେଇ ତାର ସର୍ବନାଶ କରନ୍ତି । ସେମାନେ ପିଲାକୁ କର୍ତ୍ତବ୍ୟ-ଅକର୍ତ୍ତବ୍ୟ ବିଷୟରେ ସଚେତନ ନ କରାଇ ତାର ସବୁ ପ୍ରକାର ଅନ୍ୟାୟ ଇଚ୍ଛାକୁ ବିନା ଦ୍ୱିଧାରେ ପୂରଣ କରି ବଢ଼ାନ୍ତି । ତା ହେଲେ ସେପରି ପିଲା ସ୍ଵାର୍ଥପର, ଆତ୍ମକୈନ୍ଦ୍ରିକ ଓ ଅବିବେକୀ ହୋଇ ବଢ଼ିବ । ଆଉ କେତେକ ବାପା ମାଆ ପିଲାକୁ ଶାସନ କରିବା ନାଁରେ ତାକୁ ଏପରି କଠୋର ଭାବରେ ମାଡ଼ଗାଳି ଅପମାନ ଓ ଲଞ୍ଛନା ଦେଇ ବଢ଼ାନ୍ତି ଯେ ସେ ପିଲା ଶିଷ୍ଟାଚାର ଓ ସଦାଚାର ଶିଖିବା ପରିବର୍ତ୍ତେ ଅମଣିଷ ହୋଇ ବଢ଼ିବାକୁ ଶିଖେ । ତାର ମନରେ କାହାପ୍ରତି କରୁଣା ବା ମମତା ଜନ୍ମେନାହିଁ । ବାପା ମାଆଙ୍କର ନିର୍ମମତାରୁ ସେ ନିର୍ମମ ଓ ହିଂସ୍ରକ ହେବାକୁ ଶିଖେ । ସବୁବେଳେ ଅସମ୍ମାନିତ ଓ ଅପମାନିତ ହୋଇ ବଢ଼ିଥିବାରୁ ନିଜକୁ ଓ ଅନ୍ୟ ସମସ୍ତଙ୍କୁ ହୀନ ଆଖିରେ ଦେଖେ । ସେ କ୍ଷମତାଶୀଳ ଲୋକଙ୍କୁ ସନ୍ଦେହ କରେ ଓ ନିଜଠାରୁ ଦୁର୍ବଳ ଲୋକ ଦେଖିଲେ ସେମାନଙ୍କ ଉପରେ ଅତ୍ୟାଚାର କରି ଆନନ୍ଦ ପାଏ । ନିଜ ସ୍ଵଭାବର ଦୈନ୍ୟତା ଘୋଡ଼ାଇବା ଲାଗି ସେ ସବୁବେଳେ ନିଜର ବଡ଼ିମା ପ୍ରଚାର କରେ । ତା ଠାରେ ଆତ୍ମମର୍ଯ୍ୟଦା ଅପେକ୍ଷା ଆତ୍ମ ଗାରିମା ଅଧିକ ପରିମାଣରେ ଦେଖାଯାଏ । ସେଥିଲାଗି ସ୍ନେହାନ୍ଧ ହୋଇ ପିଲାକୁ ବଢ଼ାଇବା ଯେପରି ଅବାଞ୍ଚ୍ଥନୀୟ ସେପରି ଅବିଚାରୀ ଶାସନ ମଧ୍ୟ ପିଲାପାଇଁ କ୍ଷତିକାରକ ।

 

ଅଧିକାଂଶ ବାପା ମାଆ ଯେ ଜାଣିଶୁଣି ଏପରି କରନ୍ତି ତାହାନୁହେଁ । ନିଜର ଅଜ୍ଞତା ଓ ଅନଭିଜ୍ଞତା ଯୋଗୁ ହିଁ ସେମାନେ ପିଲାକୁ ଭୁଲଭାବରେ ବଢ଼ାଇଥାନ୍ତି । ଗୋଟିଏ ଗପ କହୁଛି, ପିଲାଟିଏ ବଜାରକୁ ଗଲା ଅଙ୍ଗୁର ଫଳ କିଣି, ଘରେ ତାକୁ ବାରମ୍ବାର କହିଥାନ୍ତି ଯେ ସାବଧାନରେ ଆଣିବୁ, ଯେମିତି ହାତରୁ ଖସି ତଳେ ପଡ଼ି ନ ଯାଏ । ସେ ଫଳତକ କିଣି ଅତି ସାବଧାନରେ ହାତରେ ମୁଠେଇ ଘରକୁ ଆଣିଲା । ଘରେ ଆଣି ଠୁଙ୍ଗା ଖୋଲି ଦେଖିଲା ବେଳକୁ ସବୁତକ ଅଙ୍ଗୁର ଚିପି ହୋଇ ନଷ୍ଟ ହୋଇ ଯାଇଛି । ଅତି ଜୋରରେ ମୂଠେଇ କରି ଧରିଲାରୁ ଫଳତକ ସିନା ହାତରୁ ଖସିପଡ଼ିଲା ନାହିଁ; ମାତ୍ର ନଷ୍ଟ ହୋଇଗଲା । ସେହିପରି ଅଧିକାଂଶ ବାପା ମାଆ ପିଲା ବିଷୟରେ ଅତି ସାବଧାନ ହୋଇ ପିଲାର ଭଲ କରିବାକୁ ଯାଇ କ୍ଷତି କରନ୍ତି । ନିଜ ମନର ଗଭୀର ଉତ୍କଣ୍ଠା ସ୍ୱାଭାବିକ ବିଚାର ବୃଦ୍ଧକୁ ଆଚ୍ଛନ୍ନ କରି ରଖିଲାରୁ ବାପା ମାଆଙ୍କର ସ୍ନେହ ବା ଶାସନର ଆଧିକ୍ୟ ଦେଖାଦିଏ । ଏପରି ଆବେଗ ବା ଉତ୍କଣ୍ଠାର ବଶ ହୋଇଥିବାରୁ ଶିକ୍ଷିତ ବାପା ମାଆ ମଧ୍ୟ ପିଲାଙ୍କୁ ଭୁଲ ଭାବରେ ବଢ଼ାଇଥାନ୍ତି । ଏହିସବୁ କାରଣ ଯୋଗୁଁ ସନ୍ତାନପାଳନ ପଦ୍ଧତିର ବହୁତ ଆଲୋଚନା ଲୋଡ଼ା । କାହିଁକି ପିଲା ବିପଥଗାମୀ ହୁଅନ୍ତି ସେ ବିଷୟ ଜାଣିବା ଦରକାର । କଣ କଲେ ପିଲା ସୁସ୍ଥ ଓ ସାର୍ଥକ ମଣିଷ ହୋଇ ବଢ଼ିବ, ସେକଥା ବୁଝିବା ଦରକାର । ମଣିଷ ଅଭ୍ୟାସର ବଶବର୍ତ୍ତୀ ହୋଇଥିବାରୁ ବହୁତ ସମୟରେ ତାର କାର୍ଯ୍ୟରେ ଜ୍ଞାନ ଅପେକ୍ଷା ଦୈନନ୍ଦିନ ଅଭ୍ୟାସର ପ୍ରତିଫଳନ ଅଧିକ ମାତ୍ରାରେ ଦେଖାଯାଏ । ସନ୍ତାନପାଳନ ମଧ୍ୟ ସେହିପରି, ଯିଏ ପିଲାଦିନୁ ବହୁତ ମାଡ଼ଖାଇ ବଞ୍ଚିଛି ତାର ନିଜର ପିଲା ହେଲେ ତାକୁ ମାଡ଼ ମାରିବ ନାହିଁ ବୋଲି ସମସ୍ତେ ଭାବନ୍ତି । କାରଣ ଦୈହିକ ଶାସ୍ତିର କଷ୍ଟ ସେ ନିଜେ ଅନୁଭବ କରିଛି । ମନରେ ଦୁଃଖ ପାଇଛି । ଅପମାନ ବୋଧ କରିଛି, ନିଜ ପିଲାକୁ ତେଣୁ ସେଭଳି କଷ୍ଟ ଦେଇ ବଢ଼ାଇବ ନାହିଁ, ଅଥଚ ବହୁ ମନୋବୈଜ୍ଞାନିକ ଗବେଷଣାରୁ ବାରମ୍ୱାର ଦେଖାଯାଉଛି ଯେ, ଯିଏ ଆଦର ପାଇ ବଢ଼ିଛି ସେ ନିଜ ପିଲାକୁ ବିନା ଶାସ୍ତିରେ ବଢ଼ାଏ ଓ ଯିଏ ବହୁତ ମାଡ଼ଗାଳି ଖାଇ ବଢ଼ିଛି ସେ ନିଜ ପିଲାକୁ ଉଠୁଣୁ ବସୁଣୁ ଗାଳିମାଡ଼ ଦିଏ । ସବୁ କଥାରେ ବାରେ । ପିଲାର ଭଲ କାମ ଦେଖିଲେ ପ୍ରଶଂସା କରେ ନାହିଁ; ମାତ୍ର ସାମାନ୍ୟ ଭୁଲ ହେଲେ କଠିନ ଶାସ୍ତି ଦିଏ । ଆମେ ନିଜର ଅଭ୍ୟାସ ଓ ଭୁଲଭ୍ରାନ୍ତି ବିଷୟରେ ସଚେତନ ହୋଇ ନ ଥିବାରୁ ସନ୍ତାନ ପାଳନ ବିଷୟରେ ବିଭିନ୍ନ ନୂଆ ନୂଆ ତଥ୍ୟ ଜାଣିଲେ ମଧ୍ୟ ସେହି ଅନୂସାରେ ଦୈନନ୍ଦିନ ଜୀବନରେ ପିଲାକୁ ବଢ଼େଇ ନ ଥାଉ । ତା’ଛଡ଼ା ବହିପଢ଼ା ଜ୍ଞାନ ବିଷୟରେ ଶିକ୍ଷିତ ଅଶିକ୍ଷିତ ସମସ୍ତଙ୍କ ମନରେ ଗୋଟାଏ ତାତ୍ସଲ୍ୟ ଭାବ ରହିଛି । ପୋଥି ବାଇଗଣ ଓ ବାରି ବାଇଗଣ ଭିତରେ ଯେପରି ପାର୍ଥକ୍ୟ ରହିଛି ସେପରି ବହିପାଠ ଅନୁସାରେ ପିଲା ବଢ଼େଇବା ଓ ପ୍ରକୃତ ଜୀବନିରେ ପିଲା ବଢ଼େଇବା ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି । ବହିପାଠ ବାସ୍ତବ କ୍ଷେତ୍ରରେ କୌଣସି କାମକୁ ଆସେ ନାହିଁ ଏଇ ଧାରଣା ଅନେକ ଲୋକଙ୍କ ମନରେ ବଦ୍ଧମୂଳ ହୋଇଥିବାରୁ ସେମାନେ ନିଜେ ଶିକ୍ଷିତ ହେଲେ ମଧ୍ୟ ଚିରାଚରିତ ପ୍ରଥାର ଅନ୍ଧ ଅନୁସରଣ କରି ନିଜ ପିଲାଙ୍କୁ ବଢ଼ାନ୍ତି, ଏପରି ପ୍ରଚଳିତ ପ୍ରଥାର ଭଲ ତ୍ରୁଟି କଣ ସେ ବିଷୟରେ ପାଣ୍ତିତ୍ୟପୂର୍ଣ୍ଣ ଆଲୋଚନା କରନ୍ତି ସତ; କିନ୍ତୁ କାର୍ଯ୍ୟରେ ଏସବୁ ଭୁଲଭ୍ରାନ୍ତିର ସଂଶୋଧନ କରି ପିଲାକୁ ବଢ଼ାନ୍ତି ନାହିଁ । ଲୋକଙ୍କ ମନରେ ଚିରାଚରିତ ପ୍ରଥାର ପ୍ରଭାବ ଏପରି ସର୍ବବ୍ୟାପୀ ଯେ ସେମାନେ ନୂତନ ତଥ୍ୟ ଅନୁସାରେ କାମ କରିବାକୁ ସବୁବେଳେ ପଛଘୁଞ୍ଚା ଦିଅନ୍ତି । ଏଥିଲାଗି ପିତାମାତା ଓ ଶିଶୁର ସମ୍ପର୍କ ବିଷୟରେ ଆମର ପ୍ରଚଳିତ ଧାରଣା କଣ ସେ କଥା ଏଠି ଆଲୋଚନା କରି ପରେ ଏହି ପ୍ରକାର ଧାରଣାର ତ୍ରୁଟି ବିଷୟରେ ଵିଚାର କରିବା ।

 

ଆମର ଧାରଣା ହେଲା ଯେ ବାତ୍ସଲ୍ୟ ମମତା ମଣିଷର ସହଜାତ ପ୍ରବୃତ୍ତି, ଏଭଳି ମମତା କରିବାକୁ ତାଙ୍କୁ କେହି ଶିଖାନ୍ତି ନାହିଁ । ନାରୀ ଓ ପୁରୁଷ ମାତ୍ରେ ହିଁ ବାତ୍ସଲ୍ୟ ଭାବ ନେଇ ଜନ୍ମ ହୋଇଥାନ୍ତି । ମାଆ କହିଲେ ଆମ ମନରେ ଯେଉଁ ଛବି ଭାସିଉଠେ, ସେ ହେଲା ସନ୍ତାନସର୍ବସ୍ୱା ମାଆର ସ୍ୱରୂପ–ଯେଉଁ ମାଆ ସ୍ନେହ, ଧୈର୍ଯ୍ୟ, ତ୍ୟାଗ, କ୍ଷମା ଓ ସହିଷ୍ଣୁତାର ପ୍ରତିମୂର୍ତ୍ତି-। ଆମେ ବିଶ୍ଵାସ କରୁ ଯେ ସନ୍ତାନ ଜନ୍ମ ହେଲେ ମାଆ ମନରେ ବାତ୍ସଲ୍ୟ ଭାବର ଉଦୟ ହୁଏ । ଏପରି ବାତ୍ସଲ୍ୟ ମମତା ଜନ୍ମିଲେ ଆତ୍ମକୈନ୍ଦ୍ରିକ ସ୍ୱାର୍ଥପର ଓ ଋକ୍ଷ ସ୍ଵଭାବର ନାରୀ ମଧ୍ୟ ଆପେ ଆପେ ବିନା ଚେଷ୍ଟାରେ ମାତୃତ୍ୱମୟୀ ନାରୀରେ ରୂପାନ୍ତରିତ ହୁଏ । ତା ଠାରେ ବଳେ ବଳେ ନିଃସ୍ୱାର୍ଥପର ଭାବ, ତ୍ୟାଗ, ଧୈର୍ଯ୍ୟ, ନ୍ୟାୟ, ବିଚାର ଆଦି ଭଲ ଗୁଣର ଉଦ୍ରେକ ହୋଇଥାଏ । ଫଳରେ ମାଆ, ଅଜ୍ଞ, ଅନଭିଜ୍ଞ ଓ ମନ୍ଦ ସ୍ଵଭାବର ଲୋକ ହୋଇ ମଧ୍ୟ ଅଭ୍ରାନ୍ତ ଭାବରେ ପିଲାକୁ ଠିକ୍ ଭାବରେ ଯତ୍ନ କରି ଠିକ୍ ବାଟରେ ବଢ଼ାଇଥାଏ ।

 

ବାସ୍ତବ ଜଗତରେ କିନ୍ତୁ ମାଆ ହେଲାପରେ ନାରୀର ସ୍ଵଭାବରେ ଏପରି ଆମୂଳଚୂଳ ପରିବର୍ତ୍ତନ ଘଟିବା କ୍ୱଚିତ୍ ଦେଖାଯାଏ । ମାଆ ନିଜ ପିଲାକୁ ଭଲପାଏ ସତ, ମାତ୍ର ପିଲା ବିରକ୍ତ କଲେ ନିଜର ଧୈର୍ଯ୍ୟର ଅଭାବ ଯୋଗୁଁ ଶାସନ କରିବା ନାଆଁରେ ପିଲାକୁ ବାଡ଼େଇ ନିଜର ରାଗ ଶୁଝାଏ, ନ୍ୟାୟ ଵିଚାର ପିଲାଙ୍କୁ ଶିଖାଇବ କଣ ଓଲଟି ପିଲାଙ୍କ ପ୍ରତି ପାତରଅନ୍ତର ବ୍ୟବହାର କରେ । ଯେଉଁ ପିଲାଟି ମାଆପଟ ନିଏ ମାଆ ତାକୁ ଗେହ୍ଳା କରେ । ବହୁ ଲୋକଙ୍କ ଘରେ ସନ୍ତାନ ଅବହେଳିତ ଭାବରେ ବଢ଼େ । ସାଧାରଣତଃ ଅବହେଳା କହିଲେ ଆମେ ଖାଇବା ପିଇବାରେ ଅବହେଳା ହେଉଛି ବୋଲି ଧରିନେଉ । ମାତ୍ର ଖାଇବା ପିଇବାର ଅବହେଳା । ପିଲାଙ୍କ ମନକଥା ବୁଝିବାକୁ ଚେଷ୍ଟା କରିବା, ପିଲା ମନରେ ବିଭିନ୍ନ ବିଷୟରେ ଆଗ୍ରହ ଓ କୌତୂହଳ ସୃଷ୍ଟି କରିବା, ତାର ବୁଦ୍ଧି ଓ ଚିନ୍ତାର ବିକାଶ ଦିଗରେ ଯତ୍ନଶୀଳ ହେବା, କିମ୍ବା ପିଲା ସହିତ ମନର ନିବିଡ଼ ସମ୍ପର୍କ ସ୍ଥାପନ କରିବା ଲାଗି ବାପା ମାଆଙ୍କର ଅବସର ନାହିଁ । ବର୍ତ୍ତମାନ ସମୟର ଶିକ୍ଷିତ ପରିବାରରେ ପିଲାର ଶାରୀରିକ ଯତ୍ନର ଅଭାବ ଘଟୁନାହିଁ । ସେ ପୁଷ୍ଟିକର ଖାଦ୍ୟ ଖାଇ ସ୍ୱାସ୍ଥ୍ୟକର ପରିବେଶରେ ବଞ୍ଚୁଛି, ମାତ୍ର ମନଆଡ଼ୁ ସେମାନେ ଉପେକ୍ଷିତ ଓ ଅବହେଳିତ । ଏଥିରୁ ଜଣାଯାଉଛି ଯେ ବାତ୍ସଲ୍ୟ ମମତାର ଉଦ୍ରେକ ହେଲେ ବାପା ମାଆଙ୍କଠାରେ ବଳେ ବଳେ ସନ୍ତାନ ପାଳନ ଜ୍ଞାନର ବିକାଶ ଘଟିବ ଏକଥା ଭାବିବା ଠିକ୍ ନୁହେଁ ।

 

ସନ୍ତାନ ପାଳନର ଜ୍ଞାନ ଓ ବାତ୍ସଲ୍ୟ ମମତା ଏହି ଦିଓଟି ସ୍ୱତନ୍ତ୍ର ବିଷୟ । ବାତ୍ସଲ୍ୟ ମମତା ହେଲା ମନର ଆବେଗ, ତେଣୁ ଏହା ସ୍ଵତଃସ୍ପୂର୍ତ୍ତ ଭାବରେ ଦେଖାଦିଏ ଓ ମନରେ ସନ୍ତାନ ଲାଳନର ଇଚ୍ଛାକୁ ଜାଗ୍ରତ କରେ । କିନ୍ତୁ କିପରି ସନ୍ତାନକୁ ପାଳନ କରିବ ସେକଥା ମଣିଷକୁ ଶିଖିବାକୁ ପଡ଼େ । ଶିକ୍ଷା ଓ ଅଭିଜ୍ଞତା ଦ୍ୱାରା ହିଁ ଏହି ଜ୍ଞାନ ପୁଷ୍ଟ ହୋଇଥାଏ । ବାତ୍ସଲ୍ୟ ମମତା ଓ ସନ୍ତାନପାଳନର ଜ୍ଞାନକୁ ଅଭିନ୍ନ ବୋଲି ଭାବିବା ହେତୁ ଏପରି ଜ୍ଞାନକୁ ସମସ୍ତେ ଭୁଲରେ ସହଜାତ ଜ୍ଞାନ ବୋଲି ଭାବିଥାଆନ୍ତି । ଏହି ଜ୍ଞାନ ଶିକ୍ଷାଲବ୍ଧ ବୋଲି ମନରେ ଧାରଣା ନ ହେବା ପର୍ଯ୍ୟନ୍ତ ଆମ ଦେଶର ପ୍ରଚଳିତ ରୀତିରେ ଥିବା ତ୍ରୁଟିଗୁଡ଼ିକର ପରିବର୍ତ୍ତନ ହେବନାହିଁ । ସନ୍ତାନ ପାଳନର ଉତ୍କର୍ଷତା ଯେ ଶିକ୍ଷା ଉପରେ ନିର୍ଭର କରେ ଏକଥା ବିଶ୍ୱାସ ନକରିବା ପର୍ଯ୍ୟନ୍ତ ବାପା ମାଆ ସନ୍ତାନ ପାଳନ ବିଷୟରେ ନୂଆ ନୂଆ ତଥ୍ୟ ଜାଣିବାକୁ ଆଗ୍ରହୀ ହେବେନାହିଁ ।

 

ବାତ୍ସଲ୍ୟ ମମତା ସହଜାତ ବୋଲି ବିଶ୍ୱାସ କରୁଥିବା ଯୋଗୁଁ ଯେତେବେଳେ କୌଣସି ବାପା ବା ମାଆ ଠାରେ ଏପରି ମମତାର ଅଭାବ ଦେଖୁ ଆମେ ସେମାନଙ୍କୁ ଅସ୍ୱାଭାବିକ ବୋଲି ଭାବୁ । ନିଜଠାରେ ମଧ୍ୟ ଏପରି ବାତ୍ସଲ୍ୟ ଅନୁଭୂତି ଦେଖା ନ ଦେଲେ ନିଜକୁ ଅସ୍ୱାଭାବିକ ଭାବି ବ୍ୟସ୍ତ ଓ ବିବ୍ରତ ହୋଇପଡ଼ୁ । ଏଥିଲାଗି ସାଧାରଣ ବାପାମାଆଙ୍କଠାରେ ପ୍ରକୃତ ଜୀବନରେ ବାତ୍ସଲ୍ୟ ମମତାର ରୂପରେଖ କ’ଣ ସେକଥା ଆଲୋଚନା କରିବା ।

 

ବାତ୍ସଲ୍ୟ ମମତା ସିନା ସ୍ୱତଃସ୍ଫୂର୍ତ୍ତ, କିନ୍ତୁ ବାପା ବା ମା’ ହେବାପାଇଁ ଆବଶ୍ୟକୀୟ (ପିଲାର ଜଞ୍ଜାଳ ସହିବାର ଧୈର୍ଯ୍ୟ, ପିଲାର ମନକଥା ବୁଝିବାର ଆଗ୍ରହ ଇତ୍ୟାଦି) ସ୍ୱତଃସ୍ଫୂର୍ତ୍ତ ନୁହେଁ । ମଣିଷ ଏସବୁ ଗୁଣ ଅଭ୍ୟାସ କରି ଆୟତ୍ତ କରେ । ଅନେକ ମାଆ ପିଲା ଜନ୍ମ ହେଲାପରେ ପିଲା ପ୍ରତି ଅନୁରାଗ ଓ ବିରାଗ ଏଇ ଉଭୟ ପ୍ରକାର ବିପରୀତ ଅନୁଭୂତି ଭିତର ଦେଇ ଯାଆନ୍ତି । ପିଲା ପ୍ରତି ଅନୁରାଗ ତ ହେବାର କଥା ମାତ୍ର ପିଲା ପ୍ରତି ମନରେ ରାଗ ହୁଏ । ଏ ବିଷୟରେ କେହି ତାକୁ ସଚେତ କରାଇ ନ ଥାନ୍ତି । ଅନବରତ ଚବିଶ ଘଣ୍ଟା ଆଉ ଜଣଙ୍କର ଦାୟିତ୍ୱ ନେବାକୁ ପଡ଼ିବାରୁ ନୂଆ ମାଆ ସାଧାରଣତଃ ବିବ୍ରତ, ବିରକ୍ତ ଓ ବ୍ୟସ୍ତ ହୋଇଯାଏ । ଅଥଚ, ଏପରି ଅନୁଭୂତି ମାଆ ମନରେ ହବା ଉଚିତ୍ ନୁହେଁ । କାହିଁକି ମନରେ ପିଲା ପ୍ରତି ଏପରି ବିରକ୍ତି ଭାବ ଜନ୍ମୁଛି । ଏକଥା ଭାବି ସେମାନେ ଅତ୍ୟନ୍ତ ବିଚଳିତ ହୋଇପଡ଼ନ୍ତି । ଏପରି ଅନୁଭୂତି ହେବାଟା ଯେ ସ୍ଵାଭାବିକ ଓ ସାର୍ବଜନୀନ ଭାବରେ ସବୁ ମାଆଙ୍କ ଠାରେ ଦେଖାଯାଏ–ସେକଥା କେହି ସ୍ଵୀକାର କରିବାକୁ ଚାହାନ୍ତି ନାହିଁ । ଫଳରେ ନିଜକୁ ଗଳ୍ପ, ଉପନ୍ୟାସ ଓ ପୁରାଣ କାହାଣୀରେ ବର୍ଣ୍ଣିତ ଆଦର୍ଶ ମାଆର ରୂପ ସହିତ ତୁଳନା କରି ନିଜ ଠାରେ ମାତୃତ୍ୱପଣର ଅଭାବ ଦେଖି ମନେ ମନେ ନିଜକୁ ଦୋଷୀ ଭାବି ସନ୍ତପ୍ତ ହୁଅନ୍ତି । ପିଲା ଜନ୍ମ ହେଲାପରେ ନିଜର ଜୀବନଯାତ୍ରାରେ ବଡ଼ ପରିବର୍ତ୍ତନ ଆସେ । ନିଜର ଖାଇବା, ଶୋଇବା ସମୟର ଠିକ୍ ଠିକଣା ରହେନାହିଁ । ନିର୍ଦ୍ଧାରିତ ସମୟରେ ଅବସର ନେବାର ଅବକାଶ ମିଳେନାହିଁ । ପିଲା ସହିତ ଏପରି ବାନ୍ଧି ହୋଇ ରହିଲାରୁ ମାଆ କ୍ଳାନ୍ତି ଓ ଅବସାଦ ଅନୁଭବ କରେ । ସେଥିରେ ପିଲା ଯଦି ଅବାଞ୍ଚ୍ଥିତ ହୋଇଥାଏ (ପୁଅ ଖୋଜୁଥିଲେ ଝିଅ ହେଲା, କିମ୍ବା ବିକଳାଙ୍ଗ ବା ବୁଦ୍ଧହୀନ ହୋଇ ଜନ୍ମ ହେଲା) ତା’ହେଲେ ମାଆା ମନର ସନ୍ତାପ ଆହୁରି ବଢ଼ିଯାଏ । ଏପରି ଅବସ୍ଥାରେ ନବଜାତ ଶିଶୁର ଦାୟିତ୍ୱ ତୁଲାଇବାର ଭାର ସହି ନ ପାରି ବହୁତ ତରୁଣୀ ମାଆ ଭାଙ୍ଗି ପଡ଼ନ୍ତି ଓ ସେମାନଙ୍କ ଠାରେ ସାମୟିକ ଭାବରେ ମାନସିକ ପୀଡ଼ା ଦେଖାଯାଏ । ଏପରି କ୍ଷେତ୍ରରେ ମାଆ ମନରେ ଆତ୍ମହତ୍ୟା କରିବାର ଇଚ୍ଛା, କ୍ଳାନ୍ତି, ଅବସାଦ, ଅନିଦ୍ରା, ମାନସିକ ବିଷାଦ ଓ ଦୁଶ୍ଚିନ୍ତା ଅଧିକ ପରିମାଣରେ ଦେଖାଯାଏ ।

 

ମାଆର ମାନସିକ କ୍ଳେଶ କେତେକ କ୍ଷେତ୍ରରେ ଶାରିରୀକ କାରଣ ଯୋଗୁଁ ମଧ୍ୟ ଦେଖାଦିଏ । ପିଲା ଜନ୍ମ ହେଲା ପରେ ଦେହ ଭିତର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକର କ୍ଷରଣରେ ବିଭିନ୍ନ ପରିବର୍ତ୍ତନ ଘଟେ । ଏହା ଫଳରେ ଦେହର ରାସାୟନିକ କ୍ରିୟା ପ୍ରକ୍ରିୟାରେ ବ୍ୟାଘାତ ଘଟିଥାଏ । ଏପରି ଘଟିଲେ ମାଆର ଶିଶୁ ପ୍ରତି ଅସ୍ୱାଭାବିକ ବିଭାଗ ଦେଖାଦିଏ । ମାଆ ପିଲାର ଯତ୍ନ ତ ନିଏ ନାହିଁ, ନିଜର ଯତ୍ନ ମଧ୍ୟ ନିଏ ନାହିଁ । ଅକାରଣରେ ଗଭୀର ଦୁଃଖବୋଧ କରେ । ସାମାନ୍ୟ କଥାରେ କ୍ଷୋଭ ଓ ବିରକ୍ତି ପ୍ରକାଶ କରେ । ଏସବୁ ଲକ୍ଷଣ ଦେଖିଲେ ଚିକିତ୍ସକଙ୍କୁ ଏ ବିଷୟ ଜଣାଇ ମାଆର ଯଥାଯଥ ଚିକିତ୍ସା କରିବା ଦରକାର । ନଚେତ୍ ମନର ଏପରି ଅପ୍ରକୃତିସ୍ଥ ଅବସ୍ଥା ଯୋଗୁଁ ମାଆ ହୁଏତ ପିଲାର ଅନିଷ୍ଟ କରିବସିବ କିମ୍ୱା ଆତ୍ମହତ୍ୟା କରି ନିଜର ଅନିଷ୍ଟ କରିବ ।

 

ସାଧାରଣ ଭାବରେ ମାଆ ଯଦି ପିଲା ଜନ୍ମ ହେଲା ପରେ ଯେଉଁସବୁ ଅସୁବିଧା ଘଟେ ସେ ବିଷୟରେ ଆଗକୁ ସଚେତନ ହୋଇଥାଏ, ତେବେ ପିଲା ହେଲାପରେ ବେଶୀ ବ୍ୟତିବ୍ୟସ୍ତ ହୁଏନାହିଁ । ସେହିପରି ସେ ଯଦି ସବୁବେଳେ ନିଜକୁ ଆଦର୍ଶ ମାଆ ସହିତ ତୁଳନା ନ କରି ଅନ୍ୟ ସାଧାରଣ ମାଆମାନଙ୍କ ସହିତ ତୁଳନା କରେ, ତା’ ହେଲେ ସେ ଦେଖିବ ଯେ ପିଲାପ୍ରତି ମନରେ ବିରକ୍ତି ଓ ରାଗ ହେବାଟା ଅସ୍ଵାଭାବିକ ନୁହେଁ । ସେ ଆହୁରି ଜାଣିବ ଯେ ପରିସ୍ଥିତି ଯୋଗୁଁ ହିଁ ତା ମନରେ ଏପରି ଅନୁଭୂତିର ଉଦୟ ହେଉଛି । ନିଜଠାରେ ମାତୃଭାବର ଅଭାବ ଥିବାରୁ ଏଭଳି ଭାବନା ମନକୁ ଆସୁଚି ବୋଲି ଭାବିବା ଠିକ୍ ନୁହେଁ । ତା’ଛଡ଼ା ଏପରି ଚିନ୍ତା କରିବା ଦ୍ୱାରା ନିଜର ବା ପିଲାର କୌଣସି ଉପକାର ହୁଏନାହିଁ । ତେଣୁ ଏହିଭଳି ଚିନ୍ତାରେ ଧନ୍ଦି ନ ହୋଇ ପିଲା ପ୍ରତି ନିଜର କର୍ତ୍ତବ୍ୟ କରିଗଲେ ପିଲାର ମଙ୍ଗଳ ହେବ ।

 

ବାପା ଠାରେ ନବଜାତ ଶିଶୁ ପ୍ରତି ଆଗ୍ରହର ଅଭାବ ଦେଖିଲେ ମାଆ ଭାବେ ବାପା ପିଲାକୁ ଭଲ ପାଉ ନାହିଁ । ଏ ବିଷୟ ନେଇ ବହୁ ମାଆ ଗଭୀର ଦୁଃଖ ବୋଧକରନ୍ତି । ସେମାନେ ଦେଖନ୍ତି ଯେ ବାପା ପିଲାକୁ ମାଆପରି କୋଳରେ ଧରିବାକୁ ମନ କରୁନାହିଁ, ପିଲା କାନ୍ଦିଲେ ବିରକ୍ତି ହୋଇ ସେଠାରୁ ଚାଲିଯାଉଛି ଓ ମାଆପରି ପିଲାକୁ ଅନେଇ ପ୍ରକାଶ୍ୟରେ ଖୁସି ହେଉନାହିଁ । ଜାଣିବା କଥା ଯେ ନବଜାତ ଶିଶୁ ପ୍ରତି ବାପା ଓ ମାଆର ବ୍ୟବହାରରେ ଏଇ ପ୍ରକାର ପ୍ରଭେଦ ସବୁଠାରେ ଦେଖାଯାଏ । ଏହାର ବିଭିନ୍ନ କାରଣ ରହିଛି ।

 

ଆମ ସଂସ୍କୃତିରେ ସନ୍ତାନ ପାଳନ କ୍ଷେତ୍ରରେ ବାପା ଓ ମାଆର ଭୂମିକା ପୃଥକ । ନିଜ ପିଲାକୁ କୋଳରେ ଧରିବା, କାଖ କରିବା ବା ସର୍ବ ସମକ୍ଷରେ ବହୁତ ଆଦର କରିବାର ରୀତି ଆମ ସମାଜରେ ନାହିଁ । ବାପା ଓ ସନ୍ତାନର ସମ୍ପର୍କ ହେଲା ଗାମ୍ଭୀର୍ଯ୍ୟର ସମ୍ପର୍କ । ବାପା ସନ୍ତାନକୁ ଦେଖି ମନରେ ଆନନ୍ଦିତ ହେଲେ ମଧ୍ୟ ମାଆ ପରି ସୁଖର ଭାବରେ ଆନନ୍ଦ ପ୍ରକାଶ କରିବାକୁ ସେ କୁଣ୍ଠାବୋଧ କରେ । ତା’ଛଡ଼ା ବାପାର ପିଲା ପ୍ରତି ଗଭୀର ବାତ୍ସଲ୍ୟବୋଧ ହେବାକୁ ସମୟ ଲାଗେ-। ଏହାର କାରଣ ହେଲା–

 

୧–ମାଆ ପିଲା ଜନ୍ମ ହେବା ପୂର୍ବରୁ ନିଜ ଦେହ ଭିତରେ ସନ୍ତାନର ଅବସ୍ଥିତି ହେତୁ ଗର୍ଭସ୍ଥ ସନ୍ତାନର କ୍ରମବିକାଶକୁ ଦିନଦିନ ଧରି ଅଙ୍ଗେ ଅଙ୍ଗେ ଅନୁଭବ କରିଥାଏ । ଶିଶୁର ହୃଦ୍ ସ୍ପନ୍ଦନ ଶୁଣି ତା’ର ଦେହଭାର ଅନୁଭବ କରି ସେ ଶିଶୁ ସହିତ ନିବିଡ଼ ବନ୍ଧନରେ ବାନ୍ଧି ହୋଇଯାଏ-। ଦେହ ଭିତରେ ଶିଶୁର ସଞ୍ଚାଳନ ଅନୁଭବ କରି ସେ ଗର୍ଭସ୍ଥ ସନ୍ତାନ ସମ୍ୱନ୍ଧରେ କଳ୍ପନା ଜାଲ ବୁଣେ । ଶିଶୁ ଜନ୍ମ ହେବା ପୂର୍ବରୁ ବାପାର ଏଭଳି ଅନୁଭବ ହେବାର ସୁଯୋଗ ନ ଥିବାରୁ ବାପା ନବଜାତ ଶିଶୁ ପ୍ରତି ପ୍ରଗାଢ଼ ମମତା ଅନୁଭବ କରିପାରେ ନାହିଁ ।

 

୨–ମାଆର ଦେହ ଭିତରେ ଥିବା ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ଷରଣ ଯୋଗୁଁ ମାତୃସ୍ତନରେ କ୍ଷୀରର ସଂଚାର ହୁଏ । ଅନେକ କ୍ଷେତ୍ରରେ ନିଜଭାବୀ ଶିଶୁର ମୁହଁ କଳ୍ପନା କରି ବା ଅନ୍ୟ ଶିଶୁକୁ ତା’ର ମାଆ କୋଳରେ ଦୁଧ ପିଇବାଇ ଦେଖି ମାତୃସ୍ତନରୁ ଆପେ ଆପେ କ୍ଷୀର ବୋହିଯାଏ । ବାତ୍ସଲ୍ୟ ଆବେଗଭରା ଏପରି ଦୈହିକ ଓ ମାନସିକ ଅନୁଭୂତି ବାପା ଅନୁଭବ କରି ନଥିବା ହେତୁ ସଦ୍ୟଜାତ ଶିଶୁ ଵିଷୟରେ ସେ ମାଆପରି ଆବେଗ ପ୍ରବଣ ହୋଇପାରେ ନାହିଁ ।

 

ଜନ୍ମପରେ ପିଲା ସହିତ ବାପାର ପରିଚୟ ଯେତେ ଦୀର୍ଘ ହୁଏ, ସେ ସେହି ପରିମାଣରେ ପିଲା ପ୍ରତି ମମତା ଅନୁଭବ କରିଥାଏ । ପିଲାର ସାନ୍ନିଧ୍ୟ ଓ ସାହଚର୍ଯ୍ୟ କାଳକ୍ରମେ ଏହି ମମତାକୁ ଗାଢ଼ତର କରିତୋଳେ । ମାତୃସ୍ନେହର ତୀବ୍ରତା ହୁଏତ ପିତା ଅନୁଭବ କରେନାହିଁ । ମାତ୍ର ଏଥିଯୋଗୁଁ ପିତୃସ୍ନେହରେ ଗଭୀରତା ନାହିଁ ବୋଲି ଭାବିବାଟା ଭୁଲ୍ ହେବ ।

 

ଶିଶୁର ଜନ୍ମ ଅତ୍ୟନ୍ତ ଆନନ୍ଦର ବିଷୟ ହେଲେ ମଧ୍ୟ ଶିଶୁର ଜନ୍ମ ଫଳରେ ପିତା ଓ ମାତା ଗଭୀର ମାନସିକ ଚାପ ଅନୁଭବ କରିଥାନ୍ତି । ଏହାର ପ୍ରଧାନ କାରଣ ହେଲା ସ୍ଵାମୀ ଓ ସ୍ତ୍ରୀର ପରସ୍ପର ସହିତ ସମ୍ପର୍କ ଭିନ୍ନ ରୂପ ଧାରଣ କରେ । ସନ୍ତାନ ନ ହେବା ପର୍ଯ୍ୟନ୍ତ ସ୍ତ୍ରୀ କେବଳ ସ୍ଵାମୀର ପତ୍ନୀ ହୋଇ ରହିଥାଏ । ସନ୍ତାନ ହେଲାପରେ ପ୍ରିୟା ଓ ମାତାର ଦ୍ୱୈତ ଭୂମିକା ଅବଲମ୍ବନ କରି ଦିଓଟି ଭିନ୍ନ ଭିନ୍ନ ଲୋକ ପରି ତା’କୁ ଚଳିବାକୁ ପଡ଼େ । ଯେଉଁ ସ୍ତ୍ରୀ ଏଇ ଦିଓଟିଯାକ ଦାୟିତ୍ୱ ସମାନ ଭାବରେ ତୁଲାଇଥାଏ, ସେ ବିଶେଷ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ । ମାତ୍ର ଅଧିକାଂଶ କ୍ଷେତ୍ରରେ ସ୍ତ୍ରୀ ପିଲା ହେଲା ପରେ ଧୀରେ ଧୀରେ ନିଜର ଅଜ୍ଞାତରେ ପ୍ରିୟାର ଭୂମିକାରୁ ଅପସରି ଯାଏ ଓ ସନ୍ତାନକୁ କେନ୍ଦ୍ରକରି ନିଜର ଦିନ ବିତାଏ । କେତେକ ସ୍ଵାମୀ ସ୍ତ୍ରୀର ଏପରି ଦୂରଛଡ଼ା ଭାବକୁ ସହାନୁଭୂତିଶୀଳ ମନଦେଇ ବୁଝିବାକୁ ଚେଷ୍ଟା କରନ୍ତି; ମାତ୍ର ସାଧାରଣତଃ ଅଧିକାଂଶ ସ୍ୱାମୀ ଏପରି ଅବସ୍ଥାରେ ବିବ୍ରତ ହୋଇ ପଡ଼ନ୍ତି । କିଏ ବିରକ୍ତ ହୁଏ, କିଏବା ସନ୍ତାନ ପ୍ରତି ଈର୍ଷାନ୍ୱିତ ହୁଏ, କିଏ ସ୍ତ୍ରୀ ଉପରେ ଅଭିମାନ କରେ, ଏଇ ସମୟରେ ତେଣୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଥେଷ୍ଟ ବୁଝାମଣା ରହିବା ଦରକାର । ନଚେତ୍ ସ୍ୱାମୀ ନିଜକୁ ଅନାଦୂତ ଭାବି ସ୍ତ୍ରୀ ପ୍ରତି ବିମୁଖ ହୋଇ ଉଠିବ ଓ ସ୍ତ୍ରୀ ଏପରି ଅବସ୍ଥାରେ ତା’ର କ’ଣ କରିବା ଉଚିତ୍ ସେକଥା ଜାଣି ନପାରି ବ୍ୟତିବ୍ୟସ୍ତ ହୋଇ ପଡ଼ିବ । ଏହି ସମୟରେ ତୁଚ୍ଛ କାରଣରୁ ଦାମ୍ପତ୍ୟ ଅଶାନ୍ତିର ଆରମ୍ଭ ହୋଇଥାଏ ଓ ସନ୍ତାନ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଥିବା ଯୋଗସୂତ୍ରକୁ ଦୃଢ଼ ନକରି ଛିନ୍ନ କରିଦିଏ । ଏଇ ସମୟକୁ ସଙ୍କଟ ଅବସ୍ଥା ବୋଲି ଜାଣି ସ୍ଵାମୀ ସ୍ତ୍ରୀ ଯଦି ନିଜ ଭିତରର ସମ୍ବନ୍ଧକୁ ସୁଦୃଢ଼ କରିବାକୁ ଚେଷ୍ଟା ନ କରନ୍ତି ତେବେ ସେମାନଙ୍କର ମଧ୍ୟରେ କ୍ରମଶଃ ବ୍ୟବଧାନ ବଢ଼ି ଚାଲିବ l ଏ କ୍ଷେତ୍ରରେ ସ୍ଵାମୀର ଚିନ୍ତା କରି ଦେଖିବା କଥା ଯେ ସ୍ତ୍ରୀ ତାକୁ ପ୍ରକୃତରେ ଅନାଦର କରୁଛି ନା ନୂତନ ପରିସ୍ଥିତି ଯୋଗୁଁ ତା’ର ବ୍ୟବହାରରେ ଏପରି ପରିବର୍ତ୍ତନ ଘଟୁଛି । ଯଦି ସେ ଭାବେ ସ୍ତ୍ରୀ ପାଖରେ ପିଲା କାମ ଓ ଘରକାମ ହେଲା ମୂଖ୍ୟ ଓ ସ୍ୱାମୀ ହେଲା ଗୌଣ, ତା’ହେଲେ ସେ ସ୍ତ୍ରୀ ସହିତ ଏ ବିଷୟ ଆଲୋଚନା କରି କ’ଣ କଲେ ସମସ୍ତଙ୍କ ପ୍ରତି ସୁବିଚାର ହେବ ସେପରି ଏକ ସମାଧାନ ଖୋଜିବ । ସ୍ତ୍ରୀ ମଧ୍ୟ ଦାମ୍ପତ୍ତ୍ୟ ସମ୍ପର୍କ ଯେପରି ଅବହେଳିତ ନ ହୁଏ ସେଥିପ୍ରତି ମନୋଯୋଗୀ ହେଲେ ଓ ସ୍ଵାମୀ ସହିତ ଅକପଟରେ ନିଜର ସୁବିଧା ଅସୁବିଧା ବିଷୟ ଗୁଡ଼କ ଆଲୋଚନା କଲେ ନିଜ ନିଜ ଭିତରେ ମନାନ୍ତର ହେବାର ସମ୍ଭାବନା କମିଯିବ । ଏଥିଲାଗି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ବୁଝାମଣା ହେଲାପରେ ସନ୍ତାନ ହେଲେ ବିଶେଷ ସମସ୍ୟା ହେବ ନାହିଁ ।

 

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ବୁଝାମଣା ଥିବା ସତ୍ତ୍ୱେ ସେମାନେ ଅନେକ ସମୟରେ ଶିଶୁ ସଂକ୍ରାନ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଅସମର୍ଥ ହେଲାରୁ ପରସ୍ପର ପ୍ରତି ବିରକ୍ତି ହୁଅନ୍ତି । ଏଥିଲାଗି ପିଲା ହେବା ପୂର୍ବରୁ ପିଲା ହେଲେ ଜୀବନରେ ଯେଉଁସବୁ ସମସ୍ୟାର ଉଦ୍ଭବ ହୁଏ ସେ ବିଷୟରେ ଚିନ୍ତା କରି ସେମାନେ ଯଦି ତା’ର ସମାଧାନ ଲୋଡ଼ନ୍ତି, ତା’ହେଲେ ସେମାନଙ୍କର ଦାମ୍ପତ୍ୟ ସମସ୍ୟା ବହୁ ପରିମାଣରେ କମିଯାଏ । ଯଥା, ସ୍ତ୍ରୀ ଯଦି ଚାକିରୀ କରୁଥାଏ, ତେବେ ସେ ତ ସବୁଦିନ ରାତି ଅନିଦ୍ରା ହୋଇ ପିଲା କାମ କରିପାରିବ ନାହିଁ । ତେଣୁ, ବାପା ଯଦି ରାତିରେ ଉଠି ପିଲାକୁ ଧରେ ତା’ହେଲେ ମାଆକୁ ଟିକେ ବିଶ୍ରାମ ମିଳିବ ଓ ତା’ ଉପରେ କମ୍ ଚାପ ପଡ଼ିବ ।

 

ଯେଉଁ ସ୍ତ୍ରୀଲୋକ ଚାକିରୀ କରୁନାହିଁ ତାକୁ ମଧ୍ୟ ଘରଧନ୍ଦା କରିବାକୁ ପଡ଼େ । ତେଣୁ ଅନ୍ତତଃ ଦିନବେଳେ ସେ ଯେମିତି ଶୋଇବାକୁ ଅବସର ପାଏ ସେ ବ୍ୟବସ୍ଥା କରିବା ଉଚିତ୍ । ନଚେତ୍ ମାଆ ସବୁବେଳେ କ୍ଳାନ୍ତି ଅନୁଭବ କରିବ, ରାତି ଅନିଦ୍ରା ଯୋଗୁଁ ମନ ମିଞ୍ଜାସ ବିଗିଡ଼ିବ ଓ ସାମାନ୍ୟ ସାମାନ୍ୟ କଥାରେ ସେ ପିଲା ଉପରେ ବିରକ୍ତି ହେବ ଓ ଅନ୍ୟ ସମସ୍ତଙ୍କ ଉପରେ ମଧ୍ୟ ବିରକ୍ତି ହେବ । ଯାହାର ପିଲା କ୍ରମାଗତ ଅସୁସ୍ଥ ବା କାନ୍ଦୁରା ସ୍ଵଭାବର ହୋଇଥାଏ ସେ ଅନବରତ ମାନସିକ ଚାପ ଅନୁଭବ କରୁଥିବାରୁ କେତେକ ପ୍ରକାର ଏଲାର୍‌ଜୀ ଓ ଅନ୍ୟାନ୍ୟ ରୋଗ ଯଥା :–ଶ୍ୱାସରୋଗ, ମୁଣ୍ଡବିନ୍ଧା, ପେଟ ଗୋଳମାଳ, ପେଟମରା ଇତ୍ୟାଦି ମାନସିକ ଚାପ ଜନିନ ରୋଗ ଭୋଗେ । ଏପରି କ୍ଷେତ୍ରରେ ଯେତେ ଔଷଧ ଖାଇଲେ କଣ ହେବ ମାନସିକ ଚାପ ନ କମିବା ପର୍ଯ୍ୟନ୍ତ ରୋଗୀ ଭଲ ହେବ ନାହିଁ ।

 

ମାଆର ମନରେ ମାନସିକ ଚାପ ବଢ଼ିବାର ଆଉ ଏକ ପ୍ରଧାନ କାରଣ ହେଲା ପିଲାର ଦେହ ଖରାପ ହେଲେ ବା ତା’ର ସ୍ଵଭାବ ଚରିତ୍ରରେ ତ୍ରୁଟି ଦେଖାଗଲେ ସେଥିପାଇଁ ମାଆକୁ ସବୁବେଳେ ଦାୟୀ କରିବା । ପିଲାର ଯଦି ପେଟ ଖରାପ ହେଲା, ତା’ହେଲେ ମାଆ ଲୋଭ କରି ଇଆଡ଼ୁ ସିଆଡ଼ୁ ଖାଇବାରୁ ପିଲାର ପେଟ ଖରାପ ହେଲା ବୋଲି ସମସ୍ତେ କୁହନ୍ତି । ପିଲାର ଦେହ ଖରାପ ଯୋଗୁଁ ଏକେ ମାଆ ଚିନ୍ତିତ ଥାଏ, ସେଥ‌ିରେ ଏପରି ବଦ୍‌ନାମ ଶୁଣି ଆହୁରି ସମସ୍ତେ ସନ୍ତପ୍ତ ହୁଏ । ପିଲା ଯଦି ପଡ଼ିଯାଇ ଖଣ୍ଡିଆ ହେଲା ତା’ ହେଲେ ମାଆ ପିଲାକୁ ଜଗୁନି ବୋଲି ପିଲା ଏମିତି ପଡ଼ୁଛି ବୋଲି ମାଆକୁ ଗଞ୍ଜଣା ଶୁଣିବାକୁ ପଡ଼େ । ମାଆ ଯେତେ ସାବଧାନରେ ପିଲାକୁ ରଖିଲେ ସୁଦ୍ଧା ମଝିରେ ମଝିରେ ଦୁର୍ଘଟଣା ଘଟିପାରେ, ଏକଥା କେହି ଭାବନ୍ତି ନାହିଁ । ସେହିପରି ଘରେ ସାଧାରଣତଃ ଜେଜେମା ଓ ଜେଜେ ପିଲାକୁ ଅତିରିକ୍ତ ଗେହ୍ଳା କରି ସବୁ ବିଷୟରେ ପ୍ରଶ୍ରୟ ଦେଲାରୁ ଅନେକ ପିଲା ଅମାନିଆ ହୋଇ ଉଦବାର୍ଯ୍ୟ ହୁଅନ୍ତି । ମାତ୍ର ଦୋଷ ହୁଏ ମାଆର; ମାଆ ପିଲାକୁ ଠିକ୍ ଭାବରେ ବଢ଼େଇ ପାରୁନାହିଁ ବୋଲି ପିଲା ଏପରି ଉଦବାର୍ଯ୍ୟ ହେଉଛି, ପିଲାର ସୁବିଧା ଅସୁବିଧା ପାଇଁ ଏହିପରି ଅକାରଣରେ ମାଆକୁ ଦାୟୀ କଲେ ମାଆ କେବଳ ସର୍ବଦା ସନ୍ତପ୍ତ ହୋଇ ରୁହେ ଓ ଏପରି ଭୟ ଯୋଗୁଁ ଗଭୀର ଉତ୍କଣ୍ଠା ଅନୁଭବ କରେ । ମାତ୍ର ପିଲାର କୌଣସି କ୍ଷତି ବୃଦ୍ଧି ହୁଏନାହିଁ । ବାପା ଯଦି ଏସବୁ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତି ତା’ହେଲେ ମାଆ ଅକାରଣ ମାନସିକ ସନ୍ତାପରୁ ରକ୍ଷା ପାଇବ ଓ ଠିକ୍ କାରଣ ନିର୍ଣ୍ଣୟ କରି ତା’ର ପ୍ରତିକାର କଲେ ପିଲାର ମଧ୍ୟ ଉପକାର ହେବ ।

 

ଆମ ସଂସ୍କୃତିରେ ସାଧାରଣତଃ ଦେଖାଯାଏ ମାଆ ପିଲାକୁ ଗେଲବସର କରେ ଓ ବାପା ପିଲାକୁ ଶାସନ କରେ । ଏପରି ସମ୍ବନ୍ଧ ହେବା ଯୋଗୁଁ ପିଲା, ବାପା ଓ ମାଆ ପ୍ରତି ଭିନ୍ନ ଭିନ୍ନ ମନୋଭାବ ପୋଷଣ କରେ । ବାପା ଯେଉଁ ବିଷୟ ନେଇ ପିଲାକୁ ଆକଟ କରି ଦି’ପଦ କହିଲେ ମାଆ ସେତେବେଳେ ପିଲା ପଟ ହୋଇ ପିଲାକୁ ପ୍ରଶ୍ରୟ ଦେଲେ ପିଲା ମଝିରେ ଥାଇ କର୍ତ୍ତବ୍ୟ-ଅକର୍ତ୍ତବ୍ୟ କ’ଣ ସେକଥା ଠିକ୍-ଭାବେ ଶିଖି ପାରେନାହିଁ । ମାଆ ଗେଲବସର କରି ନ୍ୟାୟଅନ୍ୟାୟ ସବୁଥିରେ ତା’କୁ ପ୍ରଶ୍ରୟ ଦେଉଥ‌ିବାରୁ ସେ ଶିଖେ ଯେ ମାଆକୁ ହାତ କଲେ ନିଜର ଇଚ୍ଛା ପୂରଣ ହେବ । ନିଜ ଇଚ୍ଛାକୁ ସଂଯତ କରିବାକୁ ସେ ଶିଖେ ନାହିଁ, କେବଳ ବାପାକୁ ଲୁଚେଇ ବିଭିନ୍ନ କାମ କରିବାକୁ ସେ ଶିଖେ । ମାଆ ଯେତେବେଳେ ପିଲାକୁ ଆକଟ କରେ ସତେବେଳେ ବାପା କିମ୍ବା ଘରର ଅନ୍ୟ ଲୋକ ପିଲା ପଟ ହୋଇ ପିଲାକୁ ମୁହଁ ଦେଲେ ଏକା ପ୍ରକାର ପରିଣତି ଘଟେ । କାରଣ ଜଣେ ଲୋକ ତା’ର ବ୍ୟବହାରକୁ ସମର୍ଥନ କରୁଛନ୍ତି । ତେଣୁ ପିଲା ଭାବେ ଯେ ଯିଏ ତାକୁ ଭଲପାଏ ସେ ତା’ର ସବୁ ଇଚ୍ଛା ପୂରଣ କରେ ଓ ତା’କୁ ସବୁ କଥାରେ ସମର୍ଥନ କରେ । ମାତ୍ର ଯେ ତା’କୁ ଭଲପାଏ ନାହିଁ ସେ ତାର ଇଚ୍ଛାରେ ବାଧାଦିଏ ଓ ତା’ର କାର୍ଯ୍ୟର ସମାଲୋଚନା କରି ନିନ୍ଦା କରେ । ଏ କ୍ଷେତ୍ରରେ ‘ନ୍ୟାୟ-ଅନ୍ୟାୟ’ ଜ୍ଞାନ ତା’ର ମନରେ ଜନ୍ମିବା ସମ୍ଭବ ନୁହେଁ ।

 

ଏହାଛଡ଼ା ବାପା ସବୁବେଳେ ଶାସନ କଲାରୁ ବାପା ଓ ପିଲାର କ୍ରମଶଃ ସେହି ମଧୁର ଭାବ କମିଯାଇ ପିଲା ମନରେ ବାପା ପ୍ରତି ଭୟ ଓ ସଂକୋଚର ଭାବ ବଢ଼େ । ଅନେକ ସମୟରେ ମାଆ ମଧ୍ୟ ବାପାର ଭୟ ଦେଖାଇ ପିଲାକୁ ଶାସନ କରୁଥିବାରୁ ପିଲା ବାପାକୁ ଭୟର ବସ୍ତୁ ବୋଲି ଭାବିବାକୁ ଶିଖେ । ଅଧିକାଂଶ ଘରେ ମାଆ ପିଲାଙ୍କୁ ଧମକେଇ କୁହେ-‘ରହ ବାପା ଆଜି କାମରୁ ଫେରନ୍ତୁ, ସବୁକଥା ଶୁଣିଲେ ସେ ତୋତେ କେମିତି ବାଡ଼େଇବେ ଦେଖିବୁ ।’ ବାପା ମଧ୍ୟ କାମରୁ ଫେରି ଯେତକ ସମୟ ପିଲାକୁ ଦେଖେ ସେତକ ସମୟ ପିଲାର ବିଭନ୍ନ ଦୋଷର ବିଚାର କରି ସମୟ କଟାଏ । ଆମ ଓଡ଼ିଆ ଘରେ ଏହା ନିତନୈମିତ୍ତିକ ଘଟଣା ହେଲାରୁ ପିଲା ଏକ ଦିଗରେ ମାଆର ଶାସନକୁ ଖାତିର୍ କରେ ନାହିଁ ଅନ୍ୟ ଦିଗରେ ବାପାକୁ ଡରି ଆଡ଼େଇ ହେଇ ରୁହେ । ବାପା ସାମ୍ନାରେ ଭରସି କରି କଥା ପଦେ କହିପାରେ ନାହିଁ । ବାପା ଠାରୁ ସ୍ନେହ ନ ପାଇ କେବଳ ଶାସନ ପାଇଲାରୁ ତା’ର ବାପା ଉପରେ ଆକ୍ରୋଶ ଭାବ ଜନ୍ମେ । ଅଧିକାଂଶ ଓଡ଼ିଆ ପୁରୁଷଙ୍କ ସହିତ କଥାବାର୍ତ୍ତା କଲେ ଦେଖିବେ ଯେ ସେମାନେ ମାଆ ପ୍ରତି ଯେତେ ମମତା ଅନୁଭବ କରନ୍ତି, ମାଆ ସହିତ ଯେତେ ନିଃସଙ୍କୋଚରେ କଥା କହିପାରନ୍ତି, ମାଆ ପ୍ରତି ଯେତେ ଆନ୍ତରିକତା ସେମାନଙ୍କର ଥାଏ, ସେତେ ପରିମାଣରେ ବାପାଙ୍କ ପ୍ରତି ନ ଥାଏ । ବାପାଙ୍କୁ ସେମାନେ ଶ୍ରଦ୍ଧା, ଭକ୍ତି ଓ ଭୟ କରନ୍ତି, ବାପାଙ୍କୁ ନେଇ ଗୌରବ ବୋଧ କରନ୍ତି; ମାତ୍ର ବାପା ସହିତ ମନର ଅମାପ ବ୍ୟବଧାନ ରହିଥାଏ । ଏଥିଲାଗି ବାପା ମାଆ ଏକମତ ହେଇ ପିଲାକୁ ଶାସନ କରିବା କଥା । ପିଲାର ସାମ୍ନାରେ ଏ ବିଷୟ ନେଇ ଯୁକ୍ତିତର୍କ ନ କରି ପିଲାର ଅଗୋଚରରେ ନିଜର ମତାମତ ଆଲୋଚନା କଲେ ପିଲା ବାପା-ମାଆଙ୍କ ମତଭେଦ ଯୋଗୁଁ ବିଭ୍ରାନ୍ତ ହେବ ନାହିଁ । ସନ୍ତାନ ସମ୍ପର୍କୀୟ ଏହିସବୁ ସମସ୍ୟା ସଙ୍କୁଳ ଦିଗ ବିଷୟରେ ସ୍ୱାମୀ-ସ୍ତ୍ରୀ ସଚେତନ ହେଲେ ସେମାନେ ଏହାର ପ୍ରତିକାର କରିପାରିବେ । ଏସବୁ ସମସ୍ୟା ପ୍ରତି ଦୃଷ୍ଟିପାତ ନ କରି କେବଳ ସନ୍ତାନ ଲାଳନର ସୁଖମୟ ଦିଗ ଉପରେ ଦୃଷ୍ଟି ନିବଦ୍ଧ ରଖିଲେ ଏସବୁ ଦିଗରେ ଲୋକଶିକ୍ଷାର କୌଣସି ବ୍ୟବସ୍ଥା କରିବାର ପ୍ରୟୋଜନ ରହିଛି ବୋଲି କେହି ଅନୁଭବ କରିବେ ନାହିଁ । ଯେଉଁ ବାପା-ମାଆ ନିଜ ନିଜ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସେମାନେ ସାଧାରଣତଃ ପିଲାଙ୍କୁ ଅବହେଳା କରନ୍ତି । ସେଥିଲାଗି ସନ୍ତାନ ପାଳନର ଭଲ ଓ ମନ୍ଦ ଏହି ଉଭୟ ଦିଗ ସହିତ ବାପା ମାଆଙ୍କର ପରିଚୟ ଥିଲେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

 

ପ୍ରଥମେ, ସନ୍ତାନ ବିଷୟରେ ନିଜର ପ୍ରକୃତ ଅନୁଭୂତି କଅଣ ସେ ବିଷୟରେ ଅକପଟରେ ଚିନ୍ତା କରିବା ଦରକାର । ପିତୃ ଓ ମାତୃ ସୁଲଭ ଗୁଣଗୁଡ଼ିକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ଦରକାର । ତେବେ ଯାଇ ଅନଭିଜ୍ଞ ଦମ୍ପତ୍ତିଙ୍କ ପକ୍ଷେ କାର୍ଯ୍ୟକ୍ଷମ-ବିଚକ୍ଷଣ ପିତାମାତା ହେବା ସମ୍ଭବ ହେବ । ନିଜ ବିଷୟରେ ଆତ୍ମଜ୍ଞାନ ବଢ଼ିଲେ ପିତାମାତାଙ୍କର ଦକ୍ଷତା ଯେପରି ବଢ଼େ ସେହିପରି ପିଲାର ସ୍ଵଭାବ ଚରିତ୍ର ବିଷୟରେ ଜ୍ଞାନ ବଢ଼ିଲେ ସେମାନଙ୍କର ବିଚକ୍ଷଣତା ଆହୁରି ବଢ଼େ । ସେଥିଲାଗି ଶିଶୁ ମନୋବିଜ୍ଞାନ ଜାଣିବା ବାପା ମାଆଙ୍କ ପାଇଁ ଏତେ ପ୍ରୟୋଜନୀୟ । ଏହି କାରଣ ଲାଗି ମଧ୍ୟ ସନ୍ତାନ ପାଳନ ଶିକ୍ଷାର ପ୍ରସାର ପ୍ରୟୋଜନ । ସନ୍ତାନ ପାଳନ ଶିକ୍ଷା ଫଳରେ ବୟସ ବଢ଼ିବା ଅନୁସାରେ ପିଲାର ବୁଦ୍ଧି, ଆବେଗ ଓ ସ୍ୱଭାବ ଚରିତ୍ରରେ ଯେଉଁସବୁ ପରିବର୍ତ୍ତନ ଘଟେ ସେ କଥା ଶିଖିହେବ । ଏହାଛଡ଼ା, ପାରିବାରିକ ସମ୍ପର୍କ, ସନ୍ତାନ ସହିତ ପିତାମାତାଙ୍କର ପାରସ୍ପରିକ ସମ୍ପର୍କ ଶିଶୁର ଶିକ୍ଷା କ୍ଷମତା, ମାନସିକ ସମସ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟଗୁଡ଼ିକ ମଧ୍ୟ ଶିଖିବା ସମ୍ଭବ ହେବ । ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବା ହେଲା ଶିକ୍ଷାର ଅଙ୍ଗ । କାରଣ ବହି ପଢ଼ି ସନ୍ତାନ ପାଳନ ବିଷୟରେ ପୂର୍ଣ୍ଣାଙ୍ଗ ଶିକ୍ଷାଲାଭ କରିବା ସମ୍ଭବ ନୁହେଁ । ପ୍ରଥମେ ଲେଖକ ନିଜର ବକ୍ତବ୍ୟ ଠିକ୍ ଭାବରେ ପାଠକ ସାମ୍ନାରେ ପ୍ରକାଶ କରିପାରନ୍ତି ନାହିଁ । ଦ୍ୱିତୀୟରେ ଅନେକ କ୍ଷେତ୍ରରେ ପାଠକର ସୀମିତ ଜ୍ଞାନ ଓ ଅଭିଜ୍ଞତା ହେତୁ ସେ ଯାହା ପଢ଼ନ୍ତି ତା’ର ପ୍ରକୃତ ଅର୍ଥ ବୁଝିପାରନ୍ତି ନାହିଁ । ଏହି ଅସୁବିଧା ସବୁ ଆଲୋଚନା ସାହାଯ୍ୟରେ ଦୂର ହୋଇଥାଏ । ଏଥିପାଇଁ ଯେ କୌଣସି ବିଷୟ ପଢ଼ିଲା ପରେ ଓ ଅନ୍ୟ ସହିତ ଆଲୋଚନା କଲା ପରେ ଯାଇ ପଠିତ ବିଷୟର ଅର୍ଥ ହୃଦୟଙ୍ଗମ ହୁଏ । ସନ୍ତାନ ପାଳନ ରକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ଶିଶୁର ମନ ଓ ଶରୀରକୁ ସୁସ୍ଥ ରଖିବା ଏବଂ ଶିଶୁକୁ ସୁ-ନାଗରିକ କରି ଗଢ଼ିବା । ସେଥିଲାଗି କାହାକୁ ବିଶେଷଜ୍ଞମାନେ ସୁସ୍ଥ ଓ ସୁନାଗରିକ ବୋଲି ବିବେଚନା କରନ୍ତି ସେକଥା ଏଠାରେ ଆଲୋଚନା କରାଯାଉଛି ।

 

ସୁ-ନାଗରିକର ଲକ୍ଷଣ :

 

ଯେଉଁ ଲୋକ ପରିସ୍ଥିତି ଦ୍ୱାରା ଚାଳିତ ସେ କେବେ ସୁନାଗରିକ ହେଇପାରିବ ନାହିଁ । କାରଣ ପ୍ରତିକୂଳ ପରିସ୍ଥିତିରେ ପଡ଼ିଲେ ସେ ବିପଥଗାମୀ ହୋଇ ସମାଜ-ବିରୋଧୀ କାମ କରିବ । ଯିଏ ନିଜର ବିଚାର ବିବେଚନା ଅନୁସାରେ କାମ କରେ ସେ ନିଜର ବ୍ୟକ୍ତିତ୍ଵ ବଳରେ ସଙ୍କଟ କାଳରେ ମଧ୍ୟ ପଥ ପ୍ରଦର୍ଶକ ହୋଇ ନିଜ ଦେଶ ଓ ଜାତିର କଲ୍ୟାଣ କରେ । ଯେଉଁ ବ୍ୟକ୍ତି ବିବେକୀ ଓ ବିବେଚକ ହେଲେ ମଧ୍ୟ କେବଳ ନିଜର ‘ପରମାର୍ଥ’ ଚିନ୍ତା କରନ୍ତି ସେପରି ଲୋକ ସାଧୁ ହେଲେ ମଧ୍ୟ ଦେଶ ଓ ଜାତି ପ୍ରତି ଉଦାସୀନ ହୋଇଥିବାରୁ ତାଙ୍କୁ ସୁ-ନାଗରିକ ବୋଲି ବିବେଚନା କରାଯାଏ ନାହିଁ । ଯିଏ ଅନ୍ୟ ସହିତ ସୁସମ୍ପର୍କ ସ୍ଥାପନା କରି ବହୁ ଜନଙ୍କର ମଙ୍ଗଳ କରେ, ସେପରି ଲୋକକୁ ସୁ-ନାଗରିକ କୁହାଯାଏ । ଏପରି ଲୋକ ମାତା-ପିତାଙ୍କ ପ୍ରତି ନିଜର କର୍ତ୍ତବ୍ୟ କରେ । ସେମାନଙ୍କୁ ଭକ୍ତି ଶ୍ରଦ୍ଧା କରେ । ସ୍ତ୍ରୀ ଓ ସନ୍ତାନଙ୍କର କଲ୍ୟାଣ କରେ ଓ ପ୍ରତିଦାନ ଆଶା ନ ରଖି ନିଜ ଜ୍ଞାତି ବର୍ଗଙ୍କର ଉପକାର କରେ । କ୍ଷମା, ପ୍ରିୟବାଦିତା, ସନ୍ତୋଷ, କୃତଜ୍ଞତା, ଗୌରବ ଅଥଚ ନମ୍ରତା ଇତ୍ୟାଦି ଗୁଣ ଗୁଡ଼ିକୁ ସେ ଅଭ୍ୟାସ କରି ଆୟତ୍ତ କରେ । ସେ ଅନ୍ୟ ଲୋକଙ୍କୁ ଅବଜ୍ଞା କରେ ନାହିଁ । ଅନ୍ୟଲୋକ ମନରେ ଜାଣିଶୁଣି ଦୁଃଖ ଦିଏନାହିଁ କିମ୍ବା କାହାକୁ ଭର୍ତ୍ସନା କରେ ନାହିଁ । ମଣିଷ ମାତ୍ରେହିଁ ମନରେ କ୍ରୋଧ, ଦ୍ୱେଷ, ଲୋଭ ଓ ଈର୍ଷା ଅନୁଭବ କରେ । ନିଜ ମନର ଏଇ ଅନ୍ଧକାର ଭାବନା ଗୁଡ଼ିକୁ ଅକପଟରେ ସ୍ୱୀକାର କରି ଏଇ ଅନୁଭୂତିଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ସୁ-ନାଗରିକ ଶିଖେ । ଏହା ଫଳରେ ଅନ୍ୟ ଲୋକର ସଂସ୍ପର୍ଶରେ ଆସିଲେ ସେ ସେମାନଙ୍କୁ ପ୍ରତିଯୋଗୀ ଭାବରେ ନ ଦେଖି ମିତ୍ର ଭାବରେ ଦେଖିବାକୁ ଅଭ୍ୟାସ କରେ । ଏହା ଫଳରେ ତା’ ମନରେ ସମସ୍ତଙ୍କ ପ୍ରତି ମୈତ୍ରୀ ଭାବ ବଢ଼େ । ସେ କୌଣସି କଥା କହିବା ପୂର୍ବରୁ ଏକଥା ଶୁଣି ଅନ୍ୟ ଲୋକ ମନରେ ଆଘାତ ପାଇବ କି ନାହିଁ ସେକଥା ବିଚାର କରି କଥା କୁହେ । ଅନ୍ୟ ଧର୍ମର ବା ଅନ୍ୟ ଶ୍ରେଣୀର ଲୋକଙ୍କ ପ୍ରତି ସହିଷ୍ଣୁ ହେବାକୁ ଚେଷ୍ଟା କରେ । ସେ ଅନ୍ୟ ଲୋକକୁ ଅଯଥାରେ ଖୋସାମତ କରେ ନାହିଁ, ମାତ୍ର ଅନ୍ୟର ପ୍ରଶଂସନୀୟ କାର୍ଯ୍ୟ ସମାଲୋଚନା ନ କରି ପରୋକ୍ଷ ଭାବରେ ସେ ଦୋଷ ବିଷୟରେ ଦୋଷୀକୁ ସଚେତନ କରାଏ । ସେ ସବୁବେଳେ ନିଜସ୍ଵ ଦୃଷ୍ଟିକୋଣରୁ ସବୁ ବିଷୟ ବିଚାର ନ କରି ଅନ୍ୟ ଲୋକଟିର ଦୃଷ୍ଟିକୋଣରୁ ବିଷୟଟି କେମିତି ଦେଖାଯାଉଛି ସେକଥା ବୁଝିବାକୁ ଚେଷ୍ଟାକରେ । ଏକ ଦେଶଦର୍ଶୀ ନ ହୋଇ ସମଦର୍ଶୀ ହେବାକୁ ସେ ସବୁବେଳେ ଚେଷ୍ଟାକରେ ।

 

ଏହିପରି ସହାନୁଭୂତିପୂର୍ଣ୍ଣ ସମଦର୍ଶୀ ଓ ସମବ୍ୟର୍ଥୀ ମନୋଭାବର ଉଦୟ ହେଲେ ମଣିଷ ସହଜରେ ସମସ୍ତଙ୍କ ସହିତ ଭଲ ସମ୍ପକ ରଖି ଚଳିପାରେ । ସମାଜର ମଙ୍ଗଳ ପାଇଁ ବିଭିନ୍ନ ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ସାମାଜିକ ସୁସମ୍ପର୍କ ରହିବା ନିହାତି ପ୍ରୟୋଜନ । ତେଣୁ ସୁନାଗରିକ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରି ଗୋଷ୍ଠୀର ଏକତା ରକ୍ଷା କରିବାକୁ ଉଦ୍ୟମ କରେ । ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପାଇଁ ଗୋଷ୍ଠୀର ଏକତା ନଷ୍ଟ କରିଦିଏ ନାହିଁ ।

 

ମାନସିକ ସ୍ୱାସ୍ଥ୍ୟରକ୍ଷା :

 

ଶାରୀରିକ ସ୍ୱାସ୍ଥ୍ୟର କିପରି ଉନ୍ନତି ବିଧାନ କରିହେବ ସେ କଥା ଅଳ୍ପ ବହୁତ ସମସ୍ତେ ଜାଣନ୍ତି । କଣ କଲେ ଶିଶୁର ମାନସିକ ସ୍ଵାସ୍ଥ୍ୟର ଉନ୍ନତି ହେବ ସେ ବିଷୟରେ କୁହାଯାଉ । ଅତି ଅଳ୍ପ ସଂଖ୍ୟକ ମାନସିକ ରୋଗ ଶାରୀରିକ କାରଣରୁ ହୁଏ । ସାଧାରଣତଃ ମନରେ ରାଗ, ଭୟ, ବିଷାଦ, ମନସ୍ତାପ ଓ ଉତ୍କଣ୍ଠା ପରି ଆବେଗର ପ୍ରାବଲ୍ୟ ହେତୁ ଦେହର ରାସାୟନିକ କ୍ରିୟା ପ୍ରକ୍ରିୟାରେ ବ୍ୟାଘାତ ଘଟିବାରୁ ମାନସିକ ରୋଗ ଦେଖାଦିଏ । ଏଥିପାଇଁ ମାନସିକ ପ୍ରଶାନ୍ତି ରକ୍ଷା କରିବା ଲାଗି ସମସ୍ତେ ଉପଦେଶ ଦେଇଥାନ୍ତି । ମନ ପ୍ରଶାନ୍ତ ରଖିବା ନିଜ ଇଚ୍ଛା ଉପରେ ନିର୍ଭର କରେ ନାହିଁ । ଯିଏ ମନସ୍ତାପରେ ପୀଡ଼ିତ ହେଉଥାଏ, ସେ ଯେତେ ଚାହିଁଲେ ମଧ୍ୟ ସେ ନିଜର ମନସ୍ତାପ ଭୁଲିପାରେ ନାହିଁ । ଯିଏ ରାଗିଯାଏ ସେ ହୁଏତ ସମସ୍ତଙ୍କ ସାମନାରେ ନିଜର ରାଗ ପ୍ରକାଶ କରେ ନାହିଁ, ମାତ୍ର ମନ ଭିତରେ ରାଗ କୁହୁଳୁ ଥାଏ । ଏସବୁ ବିଷୟ ନେଇ କେହି ରାଗିବନି ବୋଲି ଯେତେ ପ୍ରତିଜ୍ଞା କଲେ ମଧ୍ୟ ଅନ୍ୟ କେହି ତାକୁ ସାମାନ୍ୟ ଉତ୍ତ୍ୟକ୍ତ କଲେ ସେ ସହଜରେ ରାଗିଯାଏ । ରାଗ, ଭୟ, ଲାଳସା ଇତ୍ୟାଦି ଆବେଗଗୁଡ଼ିକ ମଣିଷର ଜ୍ଞାନ ବା ଇଚ୍ଛା ଦ୍ୱାରା ନିୟନ୍ତ୍ରିତ ହୁଏନାହିଁ । ପିଲା ଦିନରୁ ଏହାକୁ ନିୟନ୍ତ୍ରଣ କରିବାର ଅଭ୍ୟାସ କଲେ କାଳକ୍ରମେ ନିଜର ଆତ୍ମସଂଯମ ବଢ଼େ ଓ ମନ ଆବେଗ ଉପରେ ନିଜର କର୍ତ୍ତୃତ୍ୱ ସ୍ଥାପନ କରିପାରେ । ମନକୁ ପ୍ରସନ୍ନ ଓ ସମଚିତ୍ତ ରଖିବାର ଏହି ମାନସିକ ଅଭ୍ୟାସକୁ ଆମ ଧର୍ମରେ ଆତ୍ମ ନିୟନ୍ତ୍ରଣ ମୂଳକ ସାଧନା ବୋଲି କୁହାଯାଏ । ପୂର୍ବକାଳରେ ବିଦ୍ୟାର୍ଥୀମାନେ ଶିକ୍ଷାରମ୍ଭ କରିବା ପୂର୍ବରୁ ମନକୁ ଶାନ୍ତ, ସଂଯତ ଓ ସମାହିତ କରିବାର ଅଭ୍ୟାସ କରୁଥିଲେ । ଏହି ଅଭ୍ୟାସ ଫଳରେ ସେମାନଙ୍କର ମନ ସହଜରେ ବିଚଳିତ ବା ଉଦବେଳିତ ହେଉ ନ ଥିଲା । ସେମାନେ ନିଜ ନିଜର ଅଧୀତ ବିଷୟ ଶାନ୍ତ ମନରେ ପର୍ଯ୍ୟାଲୋଚନା କରିବାରୁ ବିଷୟଟି ଭଲ ଭାବରେ ବୁଝି ପାରୁଥିଲେ । ନିଜର ସହପାଠୀ ପ୍ରତି ଅକାରଣ ଈର୍ଷାବୋଧ କରୁ ନ ଥିଲେ ବା ଶିକ୍ଷକଙ୍କ ପ୍ରତି ବିଦ୍ୱେଷ ବୋଧକରି, ପାଠ ନ ଶିଖି ନିଜର କ୍ଷତି କରୁ ନ ଥିଲେ । ସାଧାରଣ ମଣିଷ ମଧ୍ୟ ଏହିପରି ଆତ୍ମ ନିୟନ୍ତ୍ରଣର ଅଭ୍ୟାସ କଲେ ନିଜର କାମନାକୁ ସଂଯତ କରି ଆବେଗକୁ ବଶୀଭୂତ କରି ଜୀବନରେ ସଫଳ ହୋଇପାରିବ । ମଣିଷ ଯେ ପର୍ଯ୍ୟନ୍ତ ଆହାର, ନିଦ୍ରା, ଭୟ, ହିଂସା ଓ ଲାଳସା ପରି ପ୍ରବୃତ୍ତିଗୁଡ଼ିକ ଦ୍ୱାରା ଚାଳିତ ହୋଇ କାମ କରିବ ସେ ପର୍ଯ୍ୟନ୍ତ ସେ କେଭେ ସ୍ଵତନ୍ତ୍ର ଓ ସ୍ଵାଧୀନ ହୋଇପାରିବ ନାହିଁ । ମଣିଷ ଚିନ୍ତା ଓ ଜ୍ଞାନ ଦ୍ୱାରା ନିଜର ପ୍ରବୃତ୍ତି ଓ ଆବେଗକୁ ପରିଚାଳିତ କରିବାକୁ ସକ୍ଷମ ହେଲେ ଯାଇ ପ୍ରକୃତରେ ସ୍ଵାଧୀନ ହୋଇପାରେ । ସେଥିଲାଗି ଅଭ୍ୟାସ କରି ମନକୁ ଶାନ୍ତ, ସୁସଂଯତ ଓ ସମଚିତ୍ତ ଅବସ୍ଥାରେ ରଖିପାରିଲେ ମାନସିକ ସ୍ଵାସ୍ଥ୍ୟର ଉନ୍ନତି ଘଟିବ ।

 

ବ୍ୟକ୍ତିଗତ ଜୀବନରେ ମାନସିକ ପ୍ରଶାନ୍ତି ଯେପରି ପ୍ରୟୋଜନୀୟ ସାଂସାରିକ ଜୀବନରେ ସେପରି କେତୋଟି ଅଭ୍ୟାସ ମାନସିକ ସ୍ୱାସ୍ଥ୍ୟର ଅନୂକୂଳ ହୋଇଥାଏ ।

 

୧ । ମଣିଷ ପାଇଁ ଅତୀତ ଓ ଭବିଷ୍ୟତ ତୁଳନାରେ ବର୍ତ୍ତମାନ କାଳହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯେଉଁ ଲୋକ ଅତୀତର ସୁଖ ସ୍ମୃତି ଭାବି ବର୍ତ୍ତମାନ ଅବସ୍ଥା ଦେଖି ମନସ୍ତାପ କରୁଥାଏ ତା’ର କୌଣସି ଲାଭ ହୁଏ ନାହିଁ । ଅତୀତର ସୁଖ ଫେରି ଆସେ ନାହିଁ; ବର୍ତ୍ତମାନର ସାମାନ୍ୟ ଆନନ୍ଦ ଟିକକ ମଧ୍ୟ, ଏପରି ମନସ୍ତାପ ଯୋଗୁଁ ନଷ୍ଟ ହୋଇଯାଏ । ତା’ର ଖାଇବା, ପିନ୍ଧିବାରେ ସୁଖ ନ ଥାଏ ବା ପ୍ରିୟ ଲୋକଙ୍କୁ ଦେଖି ମଧ୍ୟ ସେ ଖୁସି ହୋଇପାରେ ନାହିଁ । ଆଉ କେତେକ ଲୋକ ଭବିଷ୍ୟତ ଜୀବନରେ ଭୋଗ ହେଲେ ଅଥବା ଦୂରାବସ୍ଥା ଦେଖାଦେଲେ ବା ମୃତ୍ୟୁ ହେଲେ କ’ଣ ହେବ ସେ କଥା ଚିନ୍ତା କରି ମୂହ୍ୟମାଣ ହୁଅନ୍ତି । ଏପରି ଅନାଗତ ବିଷୟରେ ଅକାରଣ ଚିନ୍ତାକଲେ ବିଶେଷ ଲାଭ ହୁଏ ନାହିଁ ।

 

ଯେଉଁ ବିଷୟ ମଣିଷ ଆୟତ୍ତର ବାହାରେ ସେ ବିଷୟ ନେଇ ଅଯଥାରେ ଉଦବିଗ୍ନ ହେଲେ ମନ ଭାରକ୍ରାନ୍ତ ହୋଇ ରୁହେ ସିନା ଅନ୍ୟ କୌଣସି ଲାଭହୁଏ ନାହିଁ । ଯାହାର ମାନସିକ ସ୍ଵାସ୍ଥ୍ୟ ଭଲ ସେ ଅତୀତ କଥା ଭାବି ବ୍ୟସ୍ତ ହୁଏ ନାହିଁ, କି ମଣିଷ ଜୀବନର ଭୟାବହ ଭବିଷ୍ୟତ ଭାବି ଦୁଃଶ୍ଚିନ୍ତାରେ ଭାଙ୍ଗିପଡ଼େ ନାହିଁ । ସେ ବରଂ ଅତୀତର ଭୁଲ୍ ଭ୍ରାନ୍ତିକୁ ନୂତନ ଅଭିଜ୍ଞତା ଅର୍ଜନ କରି ଭବିଷ୍ୟତରେ କ’ଣ କଲେ ସେପରି ଭୁଲ ଆଉ ହେବ ନାହିଁ, ସେ ବିଷୟ ଚିନ୍ତାକରେ । ଅବାସ୍ତବ ସମସ୍ୟା ନେଇ ଭାଳି ନ ହୋଇ ସେ ବାସ୍ତବ ଅବସ୍ଥା ଦେଖି ସେହି ଅନୁସାରେ ପ୍ରତିକାରର ବ୍ୟବସ୍ଥା କରେ ।

 

୨ । ଯାହାର ମାନସିକ ଅସୁସ୍ଥତା ହେବାର ସମ୍ଭାବନା ଅଛି ସେପରି ଲୋକଠାରେ ଅନ୍ୟପ୍ରତି ଅଯଥା ସନ୍ଦେହ, ଅକାରଣ ଵିଦ୍ୱେଶ ଓ ଅବିଶ୍ଵାସର ମନୋଭାବ ଦେଖାଯାଏ । ପ୍ରତିଟି ଘଟଣା ପଛରେ କୌଣସି ଶତ୍ରୁର ଚକ୍ରାନ୍ତ ରହିଛି ବୋଲି ବିଶ୍ୱାସ କରେ । ଅନ୍ୟ ଲୋକ ଚୁପ୍ ଚୁପ୍ ହୋଇ କଥାବାର୍ତ୍ତା କରିବାର ଦେଖିଲେ ତା’ର ବିରୁଦ୍ଧରେ କଥାବାର୍ତ୍ତା ହେଉଛନ୍ତି ବୋଲି ସେ ଭାବେ-। ଜୀବନରେ କୌଣସି ବାଧାଵିଘ୍ନ ଘଟିଲେ ଅନ୍ୟର ଷଡ଼ଯନ୍ତ୍ର ଯୋଗୁଁ ଏପରି ହେଲା ବୋଲି ବିଶ୍ଵାସ କରେ । ସୁସ୍ଥ ବ୍ୟକ୍ତି ବିନା ପ୍ରମାଣରେ ଅନ୍ୟ ଲୋକକୁ ସନ୍ଦେହ ବା ବିଶ୍ୱାସ କରେ ନାହିଁ-। ଅକାରଣରେ ଅନ୍ୟ ପ୍ରତି ହିଂସା ବା ବିଦ୍ୱେଷ ପୋଷଣ କରେ ନାହିଁ ।

 

୩ । ଅତ୍ୟଧିକ ଉଦବେଗ ପ୍ରବଣତା ହେଲା ମାନସିକ ଅସୁସ୍ଥତାର ଆଉ ଏକ ପୂର୍ବାଭାସ । କେତେକ ଲୋକଙ୍କ ଠାରେ ଉଦ୍ୱେଗ ପ୍ରବଣତା ଜନ୍ମକାଳରୁ ଦେଖାଯାଏ । ମାତ୍ର ଅଧିକାଂଶ ଲୋକ ନିଜର ପରିବେଷ୍ଟନୀରୁ ଏଇ ପ୍ରକାର ମନୋଭାବ ଆୟତ୍ତ କରି ଥାଆନ୍ତି । ଯେଉଁ ପିଲାକୁ ଅତି ସାବଧାନତା ସହକାରେ ପକ୍ଷପୁଟରେ ଘୋଡ଼ାଇ ବଡ଼ କରାଯାଏ ସେ ସାମାନ୍ୟ ବାଧାବିଘ୍ନର ସମ୍ମୁଖୀନ ହେଲେ ଶଙ୍କି ଯାଏ । ତା’ପରେ ଦୁର୍ଘଟଣା ବା ବିଭିନ୍ନ ପ୍ରକାର ବିପଦର ଭୟ ଦେଖାଇ ତାକୁ ସବୁକଥାରୁ ନିବର୍ତ୍ତେଇଲେ ତା’ଠାରେ କ୍ରମଶଃ ଭୀତତ୍ରସ୍ତ ମନୋଭାବ ବଢ଼େ । ଏପରି ପିଲା କାଳକ୍ରମେ ଉଦ୍‍ବିଗ୍ନ-ମନା ହୁଅନ୍ତି । ଯେଉଁ ପିଲାକୁ ପିଲାଦିନରୁ ସମସ୍ତେ ପ୍ରତିକଥାରେ ଦାବି ଦିଅନ୍ତି ସେପରି ପିଲା ମଧ ଉତ୍କଣ୍ଠାପ୍ରବଣ ହୁଅନ୍ତି । ସେ ଆସ୍ତେ ଆସ୍ତେ ନିରୀହ ଓ ନିଷ୍କ୍ରିୟ ହୋଇ ବଢ଼ିବାକୁ ଶିଖେ ଓ ବାଧା, ଵିଘ୍ନ ବା ପରିବର୍ତ୍ତନର ସମ୍ମୁଖୀନ ହେଲେ ସହଜରେ ଭାଙ୍ଗି ପଡ଼େ । ମାନସିକ ଚାପ ବା ଶାରୀରିକ କଷ୍ଟ ସହିବାର କ୍ଷମତା ତା’ଠାରେ କମ୍ ଥାଏ ।

 

ନିରୁଦବିଗ୍ନ ଲୋକ ଠାରେ ମାନସିକ ଅସୁସ୍ଥତା କ୍ୱଚିତ୍ ଦେଖାଦିଏ । ସେମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା କରି ଦେଖାଯାଇଛି ଯେ ସେମାନଙ୍କ ଠାରେ ଆଶଙ୍କା ଓ ଭୟର ଭାବ କମ୍ ।

 

୪ । ସୁସ୍ଥ ଲୋକ ଜୀବନର ଜଞ୍ଜାଳ, ଅଶାନ୍ତି ଓ ସମସ୍ୟା କମାଇବାକୁ ଚେଷ୍ଟା କରେ । ଅସୁସ୍ଥ ଲୋକ ନିଜ ଜୀବନର ବିଭିନ୍ନ ସମସ୍ୟା କଥା ଚିନ୍ତାକରି ସବୁବେଳେ ଉଦବିଗ୍ନ ହୁଅନ୍ତି । ମାତ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତି ନାହିଁ । ଅନ୍ୟଲୋକ ସେମାନଙ୍କର ସମସ୍ୟା ସମାଧାନର ଉପାୟ ବତାଇଲେ ସେସବୁ ଉପାୟ ସେମାନଙ୍କ ମନକୁ ଯାଏ ନାହିଁ । ଅଶାନ୍ତି ଜଞ୍ଜାଳରେ ଘାଣ୍ଟି ହୋଇ ସେମାନେ ନିଜର ଦୁଃଖ କହି ଅନ୍ୟର ସହାନୁଭୂତି ପାଇବାକୁ ଚେଷ୍ଟା କରନ୍ତି ।

 

୫ । ସୁସ୍ଥ ଲୋକ ପ୍ରାୟ ଖୁସିବାସିଆ ଓ ଆଶାବାଦୀ ହୋଇଥାଏ । ସେ ଜୀବନର ଦାଉ ଓ ଧକ୍କା ସହି ମଧ୍ୟ ପ୍ରଫୁଲ୍ଲ-ଚିତ୍ତ ହୋଇଥାଏ । ଅଥଚ ତା’ଠାରେ ଅବାସ୍ତବ ଆଶା ଦେଖାଯାଏ ନାହିଁ-। ସୁସ୍ଥ ଲୋକର ଆଶା ଆକାଂକ୍ଷା ସବୁବେଳେ ବାସ୍ତବ ଅନୁଗାମୀ ହୋଇଥାଏ । ଅନ୍ୟ ପକ୍ଷରେ ଅସୁସ୍ଥ ଲୋକ ସାଧାରଣତଃ ମ୍ରିୟମାଣ ହୋଇ ରୁହେ । ତୁଚ୍ଛ କଥାରେ ମର୍ମାହତ ହୁଏ ଓ ଅଧିକାଂଶ ବିଷୟରେ ମନରେ ନିରାଶାର ଭାବ ପୋଷଣ କରେ । ଅସମ୍ଭବ ଆଶା ଓ ଆକାଶ କୁସୁମ ପାଇବାର କଳ୍ପନା ପ୍ରାୟ ତା’ଠାରେ ଦେଖାଯାଏ । ସବୁ ଜିନିଷର ଖରାପ ଦିଗଟା ତା ଆଖିରେ ପ୍ରଥମେ ପଡ଼େ । ବ୍ୟର୍ଥତାର ସମ୍ଭାବନା ଭାବି ସେ ସର୍ବଦା ଉତ୍କଣ୍ଠିତ ହୁଏ । ଅଥଚ ସେ ବିଶ୍ଵାସ କରେ ଯେ ମାୟା ବଳରେ ତା’ର ସବୁ ସମସ୍ୟା ଚାଲିଯାଇ ତା’ର ଅସମ୍ଭବ ଆଶାଗୁଡ଼ିକ ପୂରଣ ହେବ । ନିଜ ବିଶ୍ୱାସର ଏଇ ପରସ୍ପର ବିରୋଧୀ ଦିଗଟା ସେ କେବେହେଲେ ଭାବି ଦେଖେ ନାହିଁ ।

 

୬ । ସୁସ୍ଥ ଲୋକ ଦିନ ରାତି ଆକାଶ କୁସୁମ କଳ୍ପନାରେ ମଜ୍ଜି ରହେ ନାହିଁ । ତା’ର ଭବିଷ୍ୟତ ପରିକଳ୍ପନା ବାସ୍ତବତା ଉପରେ ଭିତ୍ତିକରି ଗଢ଼ି ଉଠେ । ବାସ୍ତବ ସମସ୍ୟାଠାରୁ ପଳାୟନ କରିବା ଲାଗି ସେ କଳ୍ପନାକୁ ଆଶ୍ରୟ କରେ ନାହିଁ । ବରଂ କଳ୍ପନା ସାହାଯ୍ୟରେ ସେ ଏସବୁ ସମସ୍ୟାର ସମାଧାନ କଥା ଚିନ୍ତା କରେ । ତେଣୁ ତା’ର ଅଧିକାଂଶ କଳ୍ପନା ଗଠନ ମୂଳକ ହୋଇଥାଏ । ଅଳୀକ କଳ୍ପନାକୁ ମଧ୍ୟ ସେ ସାହିତ୍ୟ, ସଙ୍ଗୀତ, ବା ଗୁରୁକଳା ପରି ଏକ ସୃଜନଶୀଳ ପ୍ରଚେଷ୍ଟାରେ ରୂପାୟିତ କରିବାକୁ ଚେଷ୍ଟା କରେ । ଯେଉଁ ଅସୁସ୍ଥ ଲୋକ ନିଜର ମାନସିକ ପୀଡ଼ାରୁ ଅବ୍ୟାହତି ପାଇଥାଏ; ମାତ୍ର ମୁଷ୍ଟିମେୟ ଅସୁସ୍ଥ ଲୋକଙ୍କ ଠାରେ ଏପରି କ୍ଷମତା ଦେଖାଯାଏ । ଅଧିକାଂଶ ଅସୁସ୍ଥ ଲୋକ ଅସାର ଅର୍ଥହୀନ କଳ୍ପନାରେ ମଜ୍ଜି ରୁହନ୍ତି ।

 

୭ । ମାନସିକ ଅସୁସ୍ଥତାର ଆଉ ଏକ ଲକ୍ଷଣ ହେଲା ଅସ୍ଥିରତା (restlessness) ପିଲାମାନେ ପ୍ରାୟ ଚଞ୍ଚଳ ପ୍ରକୃତିର ହୋଇ ଥାଆନ୍ତି । ମାତ୍ର ବାଳ ସୁଲଭ ଚଞ୍ଚଳତା ଠାରୁ ଏପରି ଅସ୍ଥିରତା ବହୁ ଦିଗରୁ ଭିନ୍ନ ହୋଇଥାଏ । ଏପରି ପିଲା କୌଣସି ବିଷୟ ପ୍ରତି ଧ୍ୟାନ ଦେଉ ନ ଥିବାରୁ ଅନ୍ୟଲୋକ କ’ଣ କହୁଛି ବୁଝିପାରନ୍ତି ନାହିଁ । ଦଣ୍ଡେ ହେଲେ ଚୂପ୍ ହୋଇ ରହିପାରନ୍ତି ନାହିଁ-। ସେମାନଙ୍କର ନିଦ ବହୁତ କମ୍ ହୁଏ । ମନଦେଇ କୌଣସି କାମ କରିପାରନ୍ତି ନାହିଁ ଓ ଏକା ସମୟରେ ଆଠଟା କାମରେ ହାତ ଦିଅନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏପରି ବିକ୍ଷିପ୍ତଚିତ୍ତତା ଓ ଅସ୍ଥିରତା ନ କମି ବରଂ ବଢ଼ି ବଢ଼ି ଚାଲେ । ଅସ୍ଥିର ଚିତ୍ତ ହେଲାରୁ କୌଣସି ସିଦ୍ଧାନ୍ତ ଗ୍ରହଣ କରିପାରନ୍ତି ନାହିଁ । କ’ଣ କଲେ କ’ଣ ହେବ ସେ କଥା ଭାବି ପାରନ୍ତି ନାହିଁ । ସୁସ୍ଥ ପିଲାଠାରେ ଏଭଳି ଅସ୍ଥିରତା, ଅସାବଧାନତା ଓ ବିକ୍ଷିପ୍ତ ଚିତ୍ତତା ଓ ଅସ୍ଥିରତା ନ କମି ବରଂ ବଢ଼ି ବଢ଼ି ଚାଲେ । ଅସ୍ଥିର ଚିତ୍ତ ହେଲାରୁ କୌଣସି ସିଦ୍ଧାନ୍ତ ଗ୍ରହଣ କରିପାରନ୍ତି ନାହିଁ । କ’ଣ କଲେ କ’ଣ ହେବ ସେ କଥା ଭାବି ପାରନ୍ତି ନାହିଁ । ସୁସ୍ଥ ପିଲାଠାରେ ଏଭଳି ଅସ୍ଥିରତା, ଅସାବଧାନତା ଓ ବକ୍ଷିପ୍ତ ଚିତ୍ତତା ଅତି କମ୍ ପରିମାଣରେ ଦେଖାଯାଏ ।

 

୮ । ସୁସ୍ଥ ଲୋକଠାରେ ଅବ୍ୟବସ୍ଥିତ ଚିତ୍ତତା ବା କିଂକର୍ତ୍ତବ୍ୟବିମୂଢ଼ତା ବିଶେଷ ପରିମାଣରେ ଦେଖାଯାଏ ନାହିଁ । ସୁସ୍ଥ ଲୋକ ବେଶୀ ସମୟ ଦୋ ଦୋ ପାଞ୍ଚ ଅବସ୍ଥାରେ ରହିପାରେ ନାହିଁ । ସେ ଅଳ୍ପ ସମୟ ଭିତରେ ଗୋଟାଏ କିଛି ସିଦ୍ଧାନ୍ତ ଗ୍ରହଣ କରି ନିଜକୁ ଅନିଶ୍ଚତାର ସଂଶୟରୁ ରଷା କରେ । ପରେ ନିଜର ସିଦ୍ଧାନ୍ତ ଭୁଲ୍ ବୋଲି ପ୍ରତିପନ୍ନ ହେଲେ ସେ ଅଯଥା ମନସ୍ତାପ କରେ ନାହିଁ । ସେ ଜାଣେ ଯେ ସବୁ ସିଦ୍ଧାନ୍ତ ସବୁବେଳେ ଠିକ୍ ହୋଇ ନ ଥାଏ, ତେଣୁ ଗୋଟାଏ ଯୋଡ଼ାଏ ବିଷୟରେ ଭୁଲ୍ କରିବା ତା ପକ୍ଷରେ ସ୍ୱାଭାବିକ୍ ।

 

୯ । ମାନସିକ ସୁସ୍ଥତାର ଆଉ ଏକ ଲକ୍ଷଣ ହେଲା ନିଜକୁ ପରିଚିତ, ଅପରିଚିତ, ଭଲ-ମନ୍ଦ ଯେ କୌଣସି ଅବସ୍ଥାରେ ଚଳେଇ ନେବା । ଅପରିଚିତ ସ୍ଥାନରେ ବା ପ୍ରତିକୂଳ ଅବସ୍ଥାରେ ପଡ଼ିଲେ ସୁସ୍ଥ ଲୋକେ ବିଚଳିତ ହୁଅନ୍ତି ସତ; ମାତ୍ର ବିଚଳିତ-ଭାବ ବେଶୀ ସମୟ ପର୍ଯ୍ୟନ୍ତ ରୁହେ ନାହିଁ । ଗଭୀର ଦୁଃଖ ପାଇ ବା ବିରାଟ କ୍ଷତି ସହି ମଧ୍ୟ ସେମାନେ ଅଳ୍ପ ସମୟ ଭିତରେ ସ୍ଵାଭାବିକ୍ ଜୀବନଯାତ୍ରାକୁ ଫେରି ଆସିପାରନ୍ତି । ଯାହାର ଶାରୀରିକ ସ୍ୱାସ୍ଥ୍ୟ ଭଲ ଥାଏ, ତା’ର ଦେହର ଘାଆ ଯେମିତି ଶୀଘ୍ର ଶୁଖିଯାଏ, ସେହିପରି ଯାହାର ମାନସିକ ସ୍ଵାସ୍ଥ୍ୟ ଭଲ ତା’ର ମନର ଘାଆ ମଧ୍ୟ ଶୀଘ୍ର ଭଲ ହୋଇଯାଏ ।

 

୧୦ । ସୁସ୍ଥ ଲୋକଠାରେ ବ୍ୟର୍ଥତା, ବିଫଳତା ଓ ବାଧାବିଘ୍ନ ସହ୍ୟ କରିବାର କ୍ଷମତା ବେଶୀ ପରିମାଣରେ ଦେଖାଯାଏ । ସୁସ୍ଥ ଲୋକ ଏଭଳି ଅବସ୍ଥାର ସମ୍ମୁଖୀନ ହେଲେ ଅସୁସ୍ଥ ଲୋକଙ୍କ ଭଳି ନିରାଶ ଓ ହତୋତ୍ସାହ ହୋଇଥାଏ; ମାତ୍ର ପରାଭବ ସ୍ଵୀକାର କରି ରହିଯାଏ ନାହିଁ । ସେ ସବୁବେଳେ ବାଧା ବିପତ୍ତି ଅତିକ୍ରମ କରି ପୁଣି ସଫଳକାମ ହେବାକୁ ଚେଷ୍ଟା କରିଚାଲେ ।

 

୧୧ । ସୁସ୍ଥ ଲୋକ ସବୁବେଳେ ବାସ୍ତବ ଚିନ୍ତା କରି କାମ କରେ । ସେଥିଲାଗି ହଠକାରିତା ପୂର୍ଣ୍ଣ ବ୍ୟବହାର ତା’ଠାରେ କମ୍ ଦେଖାଯାଏ । ସେ ଅନୁପଯୋଗୀ ଆଦର୍ଶ ମାନି କାମ କରେ ନାହିଁ । ଉଦାହରଣ ସ୍ୱରୂପ ଜଣେ ସଚ୍ଚୋଟ ରାଜ କର୍ମଚାରୀଙ୍କ କାହାଣୀ କହୁଛି । ଭଦ୍ରଲୋକ କଠୋର ଆଦର୍ଶବାଦୀ ହୋଇଥିବାରୁ କାହାଠାରୁ ପଇସାଟିଏ ମଧ୍ୟ ଗ୍ରହଣ କରନ୍ତି ନାହିଁ । ସେ କାହା ଠାରେ କୌଣସି ଅନୁଗ୍ରହ ଓ ସୁବିଧା ଗ୍ରହଣ କରନ୍ତି ନାହିଁ । ଥରେ ତାଙ୍କୁ ଦୂର ମଫସଲକୁ ଅଫିସ୍ ପରିଦର୍ଶନ କରିବା ଲାଗି ଯିବାକୁ ପଡ଼ିଲା । ସେଠି ଖାଇବା ଜିନିଷ କିଣିବା ଲାଗି ଚେଷ୍ଟା କରି କିଛି ପାଇଲେ ନାହିଁ । ସାଙ୍ଗରେ ଚାଉଳ ଥିଲା, ଭାତ ରାନ୍ଧିଲେ ଓ ଅଫିସ୍ ହତା ପଣସ ଗଛରୁ କଞ୍ଚା ପଣସଟିଏ ତୋଳି ତରକାରୀ କଲେ । ପଣସ ତ ଖାଇଲେ ବର୍ତ୍ତମାନ୍ ଦାମ୍ ଦେବେ କାହାକୁ ? ସ୍ଥିର କଲେ ଗଛକୁ ଦାମ୍ ଦେବେ । ତେଣୁ ସେ ସେଠୁ ଆସିଲାବେଳେ ପଣସର ମୂଲ୍ୟ ବାବଦ କିଛି ଅର୍ଥ ଗଛ ମୂଳେ ଗାତ କରି ପୋତି ଦେଇ ଆସିଲେ । ମୂଲ୍ୟ ନ ଦେବା ଯାକେ ତାଙ୍କ ମନରେ ଅସ୍ୱସ୍ତି ହେଉଥିଲା । ବର୍ତ୍ତମାନ ମନ ଶାନ୍ତ ହେଲା । କହିବା ବାହୁଲ୍ୟ ଯେ ଏପରି ଅବାସ୍ତବ ଆଦର୍ଶବାଦୀତା ହେଲା ଅସୁସ୍ଥ ମନର ପରିଚାୟକ । ପିଲାଠାରେ ଏହିପରି ଯେ କୌଣସି ଅସୁସ୍ଥତା ସୂଚକ ବ୍ୟବହାର ଦେଖିଲେ ତା’ର କାରଣ କ’ଣ ସେକଥା ନିର୍ଣ୍ଣୟ କରିବା ଦରକାର । ଶାରୀରିକ କାରଣ ଯୋଗୁଁ ପିଲାଙ୍କର ଆଚରଣଗତ ସମସ୍ୟା (behavioural problems) ହେବାର ଘଟଣା ବିରଳ । ସେଥିଲାଗି ଔଷଧପତ୍ର ଖୁଆଇଲେ ପିଲାଠାରୁ ଏସବୁ ସମସ୍ୟା ଚାଲିଯାଏ ନାହିଁ । ଯେଉଁ ପାରିପାର୍ଶ୍ଵିକ କାରଣ (environmental causes) ଯୋଗୁଁ ଏପରି ସମସ୍ୟା ଦେଖାଯାଉଛି ସେସବୁ କାରଣର ପ୍ରତିକାର ନ ହେବା ଯାକେ ଏସବୁ ସମସ୍ୟା ରହିଥିବ ।

 

ପିଲା ଯଦି ଶୈଶବରୁ ସଂସାରରେ ଚଳିଲାପରି ବିଭିନ୍ନ ଉପାୟ ଶିଖି ନ ଥାଏ, ତେବେ ନିଜର ଅଜ୍ଞତା ଯୋଗୁଁ ଭ୍ରାନ୍ତିପୂର୍ଣ୍ଣ ଅସୁସ୍ଥ ଉପାୟ ଅବଲମ୍ବନ କରିଥାଏ । ଜଣେ କିଶୋରୀ ଝିଅଟିର କାହାଣୀ କହୁଛି । ସେ ନ ଖାଇ ଏତେ ଝଡ଼ିଯାଇଛି ଯେ ତାକୁ ଡାକ୍ତରଖାନାରେ ରଖି ଚିକିତ୍ସା କରିବାକୁ ପଡ଼ିଲା । ସେ ଭଲ ହେଇ ଘରକୁ ଆସିଲା ସତ; ମାତ୍ର ଖାଇବା ପାଇଁ ତା’ର ବି ସ୍ପୃହା ଦୂର ହୋଇ ନାହିଁ । ଏହିପରି କେତେଗୁଡ଼ିଏ ରୋଗୀଙ୍କର ପାରିବାରିକ ଇତିହାସ ଆଲୋଚନା କରି ଦେଖାଗଲା ଯେ ଅନ୍ୟ ପିଲାଙ୍କ ତୁଳନାରେ ବେଶୀ ପିଲାଳିଆ । ବଡ଼ ହେବା ବିଷୟରେ ସେମାନଙ୍କ ମନରେ ପ୍ରବଳ ଆତଙ୍କ ରହିଛି ।

 

ବାପ ମାଆଙ୍କର ଗେଲବସର ହୋଇଥିବାରୁ ବଡ଼ ହେଲେ ଗେଲବସର କମିଯିବ, ନିଜ ଉପରକୁ ବିଭିନ୍ନ ଦାୟିତ୍ଵ ପଡ଼ିବ ଏସବୁ ଭାବି ନ ଖାଇ ପୃଷ୍ଟି ଅଭାବରୁ ଶୀର୍ଣ୍ଣ ହୋଇ ସାନ ପିଲାଟିଏ ଭଳି ଦେଖାଯିବାକୁ ସେମାନେ ଚାହାନ୍ତି । ତା’ଛଡ଼ା ବେଶୀ ଗେଲବସର ହୋଇଥିବାରୁ ପିଲାଦିନରୁ ସେମାନେ ନ ଖାଇଲେ ମାଆ ବହୁତ ବ୍ୟତିବ୍ୟସ୍ତ ହୁଅନ୍ତି । ଏହି ଭାବରେ ନ ଖାଇ ସମସ୍ତଙ୍କର ଅଧିକ ଦୃଷ୍ଟି ଆକର୍ଷଣ କରୁଥିବାରୁ ସେମାନେ ଖାଇବା ଅପେକ୍ଷା ନ ଖାଇ ରହିବାକୁ ବେଶୀ ଚାହାନ୍ତି-। ସେମାନେ ଭୋକରୁ କଷ୍ଟ ପାଆନ୍ତି ସତ; ମାତ୍ର ନିଜର ଅବଚେତନ ମନର ପ୍ରଚ୍ଛନ୍ନ ଭୟ ଓ ନ ଖାଇବାର ଅଭ୍ୟାସ, ଭୋକର କଷ୍ଟ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିବାରୁ ସେମାନେ ଭୋକ ସହିଯାଆନ୍ତି । ଏପରି କ୍ଷେତ୍ରରେ ମନୋଭାବର ପରିବର୍ତ୍ତନ ନ ଘଟିଲେ କେବଳ ଔଷଧ ଖୁଆଇ କ୍ଷୁଧା ବଦଳାଇବା ସମ୍ଭବ ହେବନାହିଁ ।

 

ଆମ ସଂସ୍କୃତରେ ବାପା ମାଆ ସାଧାରଣତଃ ପିଲାକୁ ପକ୍ଷପୁଟରେ ଘୋଡ଼ାଇ ସଂସାରର ସବୁ ପ୍ରକାର ବାଧା ବିପତ୍ତିକୁ ରକ୍ଷା କରିବାକୁ ଚାହାନ୍ତି । ଏହାଦ୍ୱାରା ବାପା ମାଆଙ୍କର ବାତ୍ସଲ୍ୟ କାମନା ତୃପ୍ତ ହୁଏ । ମାତ୍ର ପିଲା ବାଧା, ବିଘ୍ନ ବା ବିପତ୍ତିର ସମ୍ମୁଖୀନ ହେଲେ କିପରି ଭାବରେ ଚଳିବ ସେ କଥା ଶିଖିପାରେ ନାହିଁ । ଫଳରେ ସହାୟହୀନ ଅବସ୍ଥାରେ ସେ ଚଳିପାରେ ନାହିଁ । ନିଜକୁ ଅସମର୍ଥ ଓ ଅକ୍ଷମ ବୋଲି ଭାବେ । ଏଇ ପ୍ରସଙ୍ଗରେ ରବୀନ୍ଦ୍ରନାଥଙ୍କର ଗୋଟିଏ (ଏଠାରେ ଅନୁଦିତ) ପ୍ରାର୍ଥନା ଉଲ୍ଲେଖଯୋଗ୍ୟ । ଏଇ ପ୍ରାର୍ଥନା ଆମ ଦେଶର ସବୁ ଶିଶୁ ନିଜ ବାପା ମାଆଙ୍କୁ ଉଦ୍ଦେଶ୍ୟକରି କହିଲେ ବାପା ମାଆ ହୁଏତ ନିଜର ବ୍ୟବହାର ବିଷୟରେ ସଚେତନ ହେବେ । ପ୍ରାର୍ଥନାଟି ହେଲା–

 

ବିପଦେ ମୋତେ ରକ୍ଷାକର ଏ ନୁହେ ମୋର ପ୍ରାର୍ଥନା

ବିପଦେ ଯେପରି ନକରେ ମୂଇଁ ଭୟ

ଦୁଃଖ ତାପ ବ୍ୟଥିତ ଚିତ୍ତେ ନ ଦେଲେ ନାଇଁ ସାନ୍ତ୍ୱନା

ଦୁଃଖ ଯେସନ କରି ମୁଁ ପାରେ ଜୟ ।

 

ଯେଉଁ ପିଲା ନିଜର ଅନ୍ତର୍ନିହିତ ଶକ୍ତି ବିଷୟରେ ସଚେତନ ନୁହେଁ, ଯିଏ ସବୁବେଳେ ଅନ୍ୟ ଉପରେ ନିର୍ଭର କରି ବଢ଼ିଥାଏ ସେ ଜୀବନକୁ ଏକ ଅଣାୟତ୍ତ ସମସ୍ୟା ବୋଲି ଜ୍ଞାନ କରେ । ତା’ର ମନୋଭାବରେ ନିଷ୍କ୍ରିୟତା ଓ ଉଦ୍ୟୋଗ- ହୀନତାର ଭାବ କ୍ରମଶଃ ଗାଢ଼ତର ହୁଏ । ପ୍ରଖର ସ୍ରୋତରେ ଭାସିଯାଉଥିବା ବ୍ୟକ୍ତି ପରି ସେ ନିରୁପାୟ ଭାବରେ ସଂସାର ସ୍ରୋତରେ ଭାସିଯାଏ । ଥଳକୂଳ ପାଏନାହିଁ । ପ୍ରତିକୂଳ ସ୍ରୋତ ସହିତ ଲଢ଼ିଲାପରି ତା’ର ମନବଳ ନ ଥାଏ । ସେ ସାମାନ୍ୟ ବାଧାର ସମ୍ମୁଖୀନ ହେଲେ କଇଁଛ ପରି ସର୍ବାଙ୍ଗ ସଂକୁଚିତ କରି ନିଶ୍ଚଳ ନିଶ୍ଚଳ ହେଇ ରହିଯାଏ । ଏପରି ଲୋକ ନିଜେ ଚିନ୍ତା ବା ବିଚାର କରି କାମ କରିପାରୁ ନଥିବାରୁ ସବୁବେଳେ ଅନ୍ୟର ମତାମତ ଲୋଡ଼ନ୍ତି, ଅପରର ଶରଣାପନ୍ନ ହୁଅନ୍ତି । ବାଟ ନ ପାଇ ହଜିଯିବେ, ଡଙ୍ଗା ବୁଡ଼ିଗଲେ ଭାସିଯିବେ, ଖାଇଲେ ହଜମ ହେବନାହିଁ, ଶୋଇଲେ ଦୁଃସ୍ୱପ୍ନ ଦେଖିବେ ଏପରି କ୍ରମାଗତ ଭାବରେ ପ୍ରତିଟି ସାଧାରଣ ବିଷୟ ନେଇ ଏଭଳି ଲୋକ ଆଶଙ୍କିତ ହେଉଥିବାରୁ କାଳକ୍ରମେ ଉତ୍କଣ୍ଠାଗ୍ରସ୍ତ ହୋଇ ମାନସିକ ଅସୁସ୍ଥତାରେ ପୀଡ଼ିତ ହୁଅନ୍ତି । ଅଥଚ ଯିଏ ମୂଳରୁ ସଙ୍କଟ ଅବସ୍ଥାରେ ପଡ଼ିଲେ କ’ଣ କରିବାକୁ ହେବ ଶିଖିଥାଏ, ବାଧା ଅତିକ୍ରମ କରିବାକୁ ଶିଖିଥାଏ, ବିପଦର ପ୍ରତିକାର ଜାଣିଥାଏ ସେ ନିଜକୁ ଶକ୍ତିମାନ ଭାବି, ଜୀବନର ଗତିକୁ ନିଜର ଆୟତ୍ତାଧୀନ ଜାଣି ବଡ଼ ହୁଏ ।

 

ସେ ପାଣିରେ ଲୋକଟିଏ ବୁଡ଼ିଯାଉଥିବାର ଦେଖିଲେ ଅନ୍ୟମାନଙ୍କ ପରି କୂଳରେ ଠିଆହୋଇ ହାୟ ହାୟ ନ କରି ପାଣିକି ଡେଇଁ ପଡ଼ି ଲୋକଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରେ । ଜୀବନର ଘାତ ପ୍ରତିଘାତର ଆବର୍ତ୍ତରେ ପଡ଼ି ସେ ଭୟଭୀତ ହୁଏନାହିଁ । ବରଂ ସଂଗ୍ରାମର ସୁଯୋଗ ପାଇ ନିଜର ନୈପୁଣ୍ୟ ପ୍ରମାଣ କରିଥାଏ । ସେ ସଙ୍କଟକୁ ନବଲବ୍‌ଧ ସୁଯୋଗ ଭାବି କ୍ରାନ୍ତି କାଳର ଉପଯୁକ୍ତ ସଦବ୍ୟବହାର କରେ । ଦିକ୍‌ଭ୍ରାନ୍ତ ନ ହୋଇ ନିଜର ଅଭୀପ୍‌ସିତ ପଥରେ ଆଗେଇ ଚାଲେ ।

 

ପିଲାଙ୍କର ଜୀବନ ବିଷୟରେ ଧାରଣା ସେମାନେ ନିଜର ସାମାଜିକ ପରିବେଷ୍ଟନୀ ଓ ପରିବାରଠାରୁ ପାଇଥାଆନ୍ତି । ସେମାନଙ୍କର ମନୋଭାବ ମଧ୍ୟ ନିଜର ସମାଜ ଓ ପରିବାରର ଚାଲିଚଳନ ଅନୁସାରେ ପ୍ରଭାବିତ ହୋଇଥାଏ । ଯଦି ସେମାନେ ଅସୁସ୍ଥ ବାତାବରଣ ଭିତରେ ଶଙ୍କାକୁଳ, ତ୍ରସ୍ତ ପିତାମାତାଙ୍କ ଦ୍ୱାରା ପ୍ରତିପାଳିତ ହୋଇ ବଢ଼ନ୍ତି ସେମାନଙ୍କଠାରେ ମାନସିକ ଅସୁସ୍ଥତାର ଅଙ୍କୁରୋଦୟ ହେବ । ଅନ୍ୟ ପକ୍ଷରେ ଯେଉଁମାନେ ନୀତିହୀନ, ଉତ୍ସୃଙ୍ଖଳ ଓ ଅରାଜକ ବାତାବରଣ ଭିତରେ ବଢ଼ନ୍ତି ଯେଉଁଠି ପରିବାରରେ ପରସ୍ପର ପ୍ରତି ହିଂସା, ଦ୍ୱେଷ ଓ ଆକ୍ରୋଶ ପୂରି ରହିଛି, ବାପା ମାଆ ପିଲାପ୍ରତି କଠୋର ଓ ଅକ୍ଷମଣୀୟ ପୋଷଣ କରନ୍ତି, ସେଠାରେ ପିଲାଠୁଁ, ଅପରାଧ ପ୍ରବଣତା ଦେଖାଦେବ । ପିଲାଠାରେ ଅତ୍ୟଧିକ ଭୟ ଆଶଙ୍କା ଓ ଉଦବେଗ ଦେଖାଦେଲେ ଏହାକୁ ମାନସିକ ଅସୁସ୍ଥତାର ପୂର୍ବଲକ୍ଷଣ ଜାଣି ପିଲାର ଯତ୍ନ ନେବା ଦରକାର । ଅନ୍ୟପକ୍ଷରେ, ପିଲାଠାରେ ହିଂସା, ଆକ୍ରୋଶ, ଅକାରଣ ବିଦ୍ୱେଷ ଓ ପର-ପୀଡ଼ନର ମନୋଭାବ ଦେଖିଲେ ପିଲା ଅପରାଧୀ ଜୀବନ ଆଡ଼େ ଆଗେଇ ଯାଉଛି ବୋଲି ଜାଣିବ । ଉଭୟ ଅବସ୍ଥା ହିଁ ମାନସିକ ଅସୁସ୍ଥତାର ସୂଚକ । ବାପା ମାଆ ଯତ୍ନବାନ୍ ହେବା ଫଳରେ ଆମ ଦେଶରେ ଶିଶୁ ମୃତ୍ୟୁର ସଂଖ୍ୟା କମିଛି । ସାଧାରଣ ଶିଶୁ ସୁସ୍ଵାସ୍ଥ୍ୟର ଅଧିକାରୀ ହୋଇଛନ୍ତି । ସେହିପରି ଶିଶୁ ମନର ଯତ୍ନ କଲେ ଭବିଷ୍ୟତର ମଣିଷ ସୁସ୍ଥ ଓ ସାର୍ଥକ ହୋଇ ବଡ଼ ହେବ ।

Image

 

Unknown

ବାଲ୍ୟ ଜୀବନ

 

ପିଲା ଶୈଶବ ଅତିକ୍ରମ କରି ବାଲ୍ୟରେ ପଦାର୍ପଣ କଲେ ତା’ର ଜୀବନ ଧାରାରେ ବିରାଟ ପରିବର୍ତ୍ତନ ଘଟେ । ପକ୍ଷୀ ଶାବକ ଯେପରି ନୀଡ଼ର ସଂକୀର୍ଣ୍ଣ ପରିଧିଛାଡ଼ି ବାହାରକୁ ଉଡ଼ିଯାଇ ବ୍ୟାପକ ଜଗତ ସହିତ ନିଜର ସମ୍ବନ୍ଧ ସ୍ଥାପନ କରେ, ମଣିଷଶିଶୁ ମଧ୍ୟ ସେହିପରି ବାଲ୍ୟ ବୟସରେ ମା’ର ସ୍ନେହାଞ୍ଚଳ ଛାଡ଼ି ଘର ବାହାରେ ଚଳାଚଳ କରିବାକୁ ଆରମ୍ଭ କରେ । ଖେଳ ପଡ଼ିଆରେ ବା ଶିକ୍ଷାଳୟରେ ଅନ୍ୟ ଗୋଷ୍ଠୀ ବା ଅନ୍ୟ ସମ୍ପ୍ରଦାୟର ଅନାତ୍ମୀୟ ଲୋକଙ୍କର ସଂସର୍ଗ ତାକୁ ନୂତନ ଭାବରେ ପ୍ରଭାବିତ କରେ । ଶୈଶବରେ ଘର ଲୋକଙ୍କର ଶିକ୍ଷା ଓ ଚିନ୍ତାଧାରା ଅନୁସାରେ ତା’ର ସ୍ଵଭାବ, ଚରିତ୍ର, ନ୍ୟାୟଜ୍ଞାନ, ମୁଲ୍ୟବୋଧ ଓ ଆଦର୍ଶର ମୂଳଭିତ୍ତି ପଡ଼ିଥିଲା । ବର୍ତ୍ତମାନ ସାଙ୍ଗସାଥି ଓ ଶିକ୍ଷକଙ୍କର ଆଚାର, ବ୍ୟବହାର, ଚିନ୍ତାଧାରା ଓ ଶିକ୍ଷା ତାକୁ ପ୍ରଭାବିତ କରେ । ଶିକ୍ଷକଙ୍କୁ ପିତାଙ୍କ ସ୍ଥାନରେ ରଖି ଓ ସାଙ୍ଗସାଥିଙ୍କୁ ଭାଇ ଭଉଣୀ ବୋଲି ଭାବି ଏଇ ନୂଆ ଲୋକଙ୍କ ସହିତ ସେ ଆତ୍ମୀୟତାର ବନ୍ଧନ ସୃଷ୍ଟି କରିବାକୁ ଚେଷ୍ଟା କରେ । ମାତ୍ର ଘର ଓ ବାହାରର ପ୍ରଭେଦ ତା’ର ଦୃଷ୍ଟି ଅତିକ୍ରମ କରେ ନାହିଁ ।

 

ଶିକ୍ଷକ ଅଧିକାଂଶ ସମୟରେ ତା’ପ୍ରତି ନିରାସକ୍ତ । ଶିକ୍ଷକଙ୍କ ଆଖିରେ ସେ ଜଣେ ସାଧାରଣ ତୁଚ୍ଛ ପିଲାଟିଏ । ଅନ୍ୟ ପିଲାଙ୍କ ମେଳରେ ସେ କେଉଁ ଜଣକ ସେ କଥା ମଧ୍ୟ ଶିକ୍ଷକ ଖିଆଲ କରି ପାରନ୍ତି ନାହିଁ । ସେ ଭାବନ୍ତି, ସେ ଯଦି ନିଜର କଠୋର ଶାସନକୁ ତିଳେମାତ୍ର କୋହଳ କରନ୍ତି ତା’ହେଲେ ପିଲା ତାଙ୍କୁ ମାନିବ ନାହିଁ । ଦୋଷ କରିବା ପୂର୍ବରୁ ସେ ତାକୁ ଦୋଷୀ ବୋଲି ଭାବିଥାନ୍ତି । ପିଲାକୁ ପ୍ରମାଣ କରିବାକୁ ପଡ଼େ ଯେ, ସେ ଭଲ, ବୁଦ୍ଧିମାନ୍ ଓ ଦାୟିତ୍ୱବାନ୍ । ଘରେ ଅଧିକାଂଶ ପିଲା ପାଞ୍ଚବର୍ଷ ପର୍ଯ୍ୟନ୍ତ ସ୍ନେହ ଆଦର ପାଇ ବଢ଼ିଥିବାରୁ ସେମାନଙ୍କୁ ଶିକ୍ଷାଳୟର ଏଇ ନୈର୍ବ୍ୟକ୍ତିକ ରୁକ୍ଷ, କଠୋର ବାତାବରଣ ପ୍ରଥମେ ପ୍ରଥମେ ଭାରି ଅଡ଼ୁଆ ଲାଗେ-। (ସବୁ ପିଲା ଅବଶ୍ୟ ସ୍କୁଲ ଯାଆନ୍ତି ନାହିଁ, ମାତ୍ର ଏଇ ବୟସରେ ସେମାନେ ଅନ୍ୟଲୋକ ପାଖରେ କାମକରି ନିଜର କୁଳ ବ୍ୟବସାୟ ଶିଖିବାକୁ ଆରମ୍ଭ କରନ୍ତି । ସେଠି ମଧ୍ୟ ସେମାନେ ଶିକ୍ଷକଙ୍କଠାରୁ ରୁକ୍ଷ ଓ କଠୋର ବ୍ୟବହାର ପାଇଥାନ୍ତି) । ଏହି ବୟସରେ ଶିକ୍ଷକଙ୍କ ପ୍ରତି ତା’ର ଯେଉଁ ମନୋଭାବ ଗଢ଼ିଉଠେ, ସେହି ଅନୁସାରେ ସେ ପରବର୍ତ୍ତୀ ଜୀବନରେ ଅନ୍ୟାନ୍ୟ କର୍ତ୍ତୃସ୍ଥାନୀୟ ବ୍ୟକ୍ତିକୁ ବିଚାର କରିଥାଏ ।

 

ସାଙ୍ଗସାଥି ମଧ୍ୟ ତାକୁ ନିବଚାରରେ ଗ୍ରହଣ କରନ୍ତି ନାହିଁ । ତା’ର ପ୍ରତିଟି ଦୋଷ ଗୁଣ ବିଚାର କରି ସେମାନେ ତା ସହିତ ସାଙ୍ଗ ହୁଅନ୍ତି । ଭଲ ପାଠ ପଢ଼ୁଥିଲେ, ଭଲ ଖେଳିପାରୁଥିଲେ, ଦେଖିବାକୁ ଭଲ ହୋଇଥିଲେ, ମେଳାପୀ ହୋଇଥିଲେ ଅନ୍ୟ ପିଲା ତା ସାଙ୍ଗ ହେବାକୁ ଚାହାନ୍ତି । ଯିଏ ଲାଜକୁଳା, ଚୁପ୍‌ଚାପ୍, ମଇଳା ମଇଳି ପିନ୍ଧିଥାଏ, ତା’କୁ ସହଜରେ ସାଙ୍ଗ ମିଳନ୍ତି ନାହିଁ । ଭାଇ ଭଉଣୀଙ୍କ ସାଙ୍ଗରେ ଚଳିଲା ପରି ସାଙ୍ଗସାଥିଙ୍କ ସହିତ ଚଳିବା ଏତେ ସହଜ ନୁହେଁ । ମାତ୍ର ବାହାର ଲୋକଙ୍କ ଭିତରେ ନିଜକୁ ପ୍ରତିଷ୍ଠା କରି ନିଜର ସକ୍ଷମପଣ ଅନୁଭବ କରିବାକୁ ସମସ୍ତେ ଚାହାନ୍ତି । ତେଣୁ ସାଙ୍ଗସାଥିଙ୍କର ପ୍ରଶଂସା ଘର ଲୋକଙ୍କ ପ୍ରଶଂସାଠାରୁ ପିଲାପାଇଁ ଅଧିକ ମୂଲ୍ୟବାନ୍ ହୋଇଉଠେ । ନୂଆକରି ଅନ୍ୟ ପିଲାଙ୍କ ସହିତ ମିଶିବାକୁ ସବୁ ପିଲାଙ୍କୁ ଅଡ଼ୁଆ ଲାଗେ । ମାତ୍ର କିଛିଦିନ ସେମାନଙ୍କ ସହିତ ମିଶିଲା ପରେ ପିଲା ସାଙ୍ଗ ପିଲାଙ୍କ ସାହଚର୍ଯ୍ୟ ବେଶୀ ଖୋଜେ । ସାଙ୍ଗ ପିଲାଙ୍କ ସଂସର୍ଗରେ ଆସି ସେ ନିଜକୁ ଓ ନିଜ ଘରର ଶିକ୍ଷାଦୀକ୍ଷାକୁ ପ୍ରଥମକରି ସମାଲୋଚନାତ୍ମକ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରେ । ଘର ଲୋକଙ୍କର ଶିକ୍ଷା ଓ ଚିନ୍ତାଧାରା ସହିତ ବାହାର ଲୋକଙ୍କର ଚିନ୍ତାଧାରା ଓ ଆଦର୍ଶର ସାମାଞ୍ଜସ୍ୟ ନଥିବାରୁ ଏହି ପରସ୍ପର ବିରୋଧୀ ଚିନ୍ତାଧାରାର ସମାଧାନ ଖୋଜି ସେ ନିଜସ୍ୱ ମତାମତ ଓ ଆଦର୍ଶ ଗଠନ କରେ । ସେଥିଲାଗି ବାଲ୍ୟଜୀବନରେ ସାଙ୍ଗସାଥିଙ୍କର ସଂସର୍ଗର ପ୍ରଭାବ ଓ ଶିକ୍ଷକଙ୍କର ପ୍ରଭାବ କିପରି ପିଲାର ମନକୁ ଗଠନ କରେ ସେ କଥା ଆଲୋଚନା କରିବା ।

 

ସଂସର୍ଗର ପ୍ରଭାବ :

 

ପିଲା ନିଜ ଘରର ଚାଲିଚଳଣ, ନିୟମ କାନୁନ୍ ଓ ଆଚାରବିଚାର ସହିତ ସାଙ୍ଗ ପିଲାଙ୍କର ଚଳଣୀର କେତେ ସାଦୃଶ୍ୟ ଓ କ’ଣ ପ୍ରଭେଦ ରହିଛି ସେ କଥା ସର୍ବଦା ତୁଳନା କରି ଦେଖେ । ଯଦି ନିଜ ଘରର ଆଚାର ବିଚାର ସହିତ, ଅନ୍ୟ ପିଲାଙ୍କର ଘରର ଆଚାର ବିଚାର ସମାନ ଥାଏ, ତା’ହେଲେ ସେପରି ଭାବରେ ଚଳିବାଟା ଠିକ୍ ବୋଲି ସେ ଭାବେ । ମାତ୍ର ପ୍ରଭେଦ ଦେଖିଲେ ସେ ନିଜ ଘରର ଚଳଣୀ ଠିକ୍ କି ଭୁଲ୍ ସେ ବିଷୟରେ ଭାବିବାକୁ ଆରମ୍ଭ କରେ । ଯଥା–

 

“ମୋତେ ସିନେମା ଦେଖିବାକୁ ମନା । କିନ୍ତୁ ପ୍ରକାଶ ଘରେ ସେ କେମିତି ସବୁ ସପ୍ତାହରେ ଦୁଇଥର ସିନେମା ଯାଉଛି । ତା ବାପାବୋଉ ତ ତାକୁ ମନା କରୁନାହାନ୍ତି ।”

 

“ମୁଁ କାହିଁକି ଲମ୍ୱା ବାଳ ରଖିବି ନାହିଁ ? ମୋର ସବୁ ସାଙ୍ଗ ପିଲା ତ ଲମ୍ୱାବାଳ ରଖିଛନ୍ତି-!”

 

“ବୀର ଘରେ କେହି ହାତରେ ଭାତ ଖାଆନ୍ତି ନାହିଁ, କଣ୍ଟା ଚାମୁଚରେ ଖାଆନ୍ତି । ବୀରର ମାଆ କହିଲେ ହାତରେ ଖାଇଲେ ନଖର ମଳି ଖାଦ୍ୟ ସାଙ୍ଗରେ ପେଟକୁ ଯାଇ ପେଟ ଖରାପ କରିବ । ଆମେ କାହିଁକି ହାତରେ ଖାଉ ?”

 

“ମୁଁ ଚଟି ପିନ୍ଧି ରନ୍ଧାଘରେ ପଶି ପାଣି ଆଣିବାରୁ ମାଆ ମୋତେ ଚିଡ଼ିଲା । ଅଥଚ ବୁଲୁର ମାଆ ଚଟି ପିନ୍ଧି ରାନ୍ଧୁଛନ୍ତି ।”

 

“ମାଆ ବଡ଼ବାପାଙ୍କୁ ଲୁଚିଛି । କିନ୍ତୁ ବୀର ଘରେ ତା’ର ବାପା ମାଆ, ବଡ଼ବାପା ଓ ବଡ଼ମାଆ ସମସ୍ତେ ଏକାଠି ଏକା ଟେବୁଲରେ ବସି ଗପସପ କରି ଖାଆନ୍ତି । “ସେମିତି ଆମଘରେ ଆମେ କାହିଁ ଏକାଠି ବସି ଖାଉନୁ ?”

 

“ଅବ୍‍ଦୁଲା କହୁଥିଲା ମସଜିଦରେ ଠାକୁରଙ୍କ ମୂର୍ତ୍ତି ନାହିଁ । ଠାକୁର ନଥିଲେ କାହାକୁ ପୂଜା କରିବ ?”

 

ଅବ୍‍ଦୁଲା କହୁଥିଲା ସେମାନେ ଅଦୃଶ୍ୟ ଦେବତାଙ୍କୁ ପୂଜାକରନ୍ତି । ଠାକୁରଙ୍କର ପ୍ରକୃତ ରୂପ କୁଆଡ଼େ ମଣିଷ ଦେଖି ପାରେନା, ସେଥିପାଇଁ ସେମାନେ ଅଦୃଶ୍ୟ ରୂପକୁ ପୂଜା କରନ୍ତି । ଆମେ ତା’ହେଲେ କାହିଁକି ଅଦୃଶ୍ୟ ରୂପକୁ ପୂଜା କରୁନା ?”

 

ଏହିଭଳି ବହୁ ବିଭିନ୍ନ ପ୍ରଶ୍ନ ପିଲା ଭାବନ୍ତି ଓ ପଚାରନ୍ତି । ଏଇ ପ୍ରତିଟି ପ୍ରଶ୍ନର ଉତ୍ତର ସେମାନଙ୍କ ପାଇଁ ଅତ୍ୟନ୍ତ ଦରକାରୀ । ଆମେ ଯଦି ଏସବୁ ପ୍ରଶ୍ନର ଉତ୍ତର ଉପର ଠାଉରିଆ ଭାବରେ ଦେଉ ତା’ହେଲେ ପିଲା ନବୁଝି ସନ୍ଦେହରେ ପଡ଼ିବେ । ଅଥଚ ସବୁ ପ୍ରଶ୍ନର ସଦୁତ୍ତର ଆମକୁ ଜଣାନାହିଁ ।

 

ଅନ୍ୟ ଧର୍ମ ବା ଅନ୍ୟ ଭାଷାଭାଷୀ ଲୋକମାନଙ୍କୁ ଆମେ ନିଜ ଲୋକ ବୋଲି ସାଧାରଣତଃ ଭାବୁନାହିଁ । ତେଣୁ ସେମାନଙ୍କ ଚଳଣୀ ସହିତ ଆମ ଚଳଣୀର ପ୍ରଭେଦ ପିଲାଙ୍କୁ ବୁଝାଇବା ସହଜ । ମାତ୍ର ଏକା ଭାଷା, ଏକା ଧର୍ମ ଓ ଏକା ଜାତିର ଲୋକଙ୍କ ଚଳଣୀରେ ବହୁ ପ୍ରଭେଦ ରହିଛି । କେଉଁ ଚଳଣୀଟା ଠିକ୍ ସେ କଥା ପିଲାକୁ ବୁଝାଇବା ଏତେ ସହଜ ନୁହେଁ । ପିଲା ମନରେ ସଂଶୟ ହେଉଥିବାରୁ ସେ ଅବିରତ ଏ ସବୁ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରେ । ଘରଲୋକ ପିଲା ଉପରେ ବିରକ୍ତ ହୁଅନ୍ତି । ପିଲାକୁ ଗାଳିଦେଇ ଦବେଇ, ପରୋକ୍ଷ ଭାବରେ ଏସବୁ ପ୍ରଶ୍ନ ପଚାରିବାକୁ ମନା କରନ୍ତି । ଯଥା :–

“ତୁ କ’ଣ ଆଜିକାଲି ପ୍ରତିକଥାରେ ଯୁକ୍ତି କରୁଛୁ ? ଏମିତି ମୁହଁଖୋର୍ ହେବା ଭଲ ନୁହେଁ ।”

“ଆମେ ଯେମିତି କହିବୁ ତୁ ପାଟି ନ ଫିଟେଇ ସେମିତି ଚଳିବୁ । ଗୁରୁଜନମାନଙ୍କ ସାଙ୍ଗରେ ସମାସ୍କନ୍ଧ ପରି କଥା କହୁଛୁ । ଏଗୁଡ଼ାକ ଭାରୀ ଖରାପ କଥା ।”

କିମ୍ବା–“ହଇରେ ! ବୀର ମା କଥା ଉଠେଇ ନିଜ ମାଆକୁ ଉଲୁଗୁଣା ଦଉଛୁ ? ଏବେ କି କାଳ ହେଲା ଆମେ ପିଲାଙ୍କୁ କ’ଣ ବଢ଼େଇକୁ, ପିଲା ଆମକୁ କଥା କଥାକେ ବାଟ ବତଉଛନ୍ତି ।”

ଏଭଳି ଉତ୍ତର ପାଇଲେ ପିଲା ମନରୁ ଦ୍ୱନ୍ଦ୍ୱ ଚାଲିଯିବ ନାହିଁ । କେବଳ ଘରେ ଏ ସବୁ ପଚାରିବା ଠିକ୍ ନୁହେଁ ବୋଲି ସେ ଶିଖିବ । କାହାକୁ ବା ସେ ଏସବୁ ବିଷୟ ପଚାରି ସଦୁତ୍ତର ପାଇବ ? ତେଣୁ ନିଜର ସାମାନ୍ୟ ବୁଦ୍ଧିରେ ସେ ଯେଉଁ ବାଟ ଠିକ୍ ବୋଲି ଭାବିବ ସେହି ବାଟରେ ଯିବ ।

ଗାଆଁର ସ୍ଥିର ଜୀବନଯାତ୍ରା ଛାଡ଼ି ଲୋକେ ଯେତେ ସ୍ଥାନାନ୍ତର ହେଉଥିବେ, ସେତେ ବେଶୀ ସେମାନେ ଭିନ୍ନ ଭିନ୍ନ ଗେଷ୍ଠୀର ଲୋକଙ୍କ ସଂସ୍ପର୍ଶରେ ଆସିବେ । ବଡ଼ ମଣିଷମାନଙ୍କର ମାନସିକ ବିକାଶ ପରିପକ୍ୱ ହୋଇଥିବାରୁ ସେମାନେ ଅନ୍ୟ ଲୋକମାନଙ୍କର ମତାମତ ଚାଲିଚଳଣୀ ଧର୍ମବିଶ୍ଵାସ ବା ମୂଲ୍ୟବୋଧ ଦ୍ୱାରା ସେତେ ପ୍ରଭାବିତ ହୁଅନ୍ତି ନାହିଁ । ମାତ୍ର ପିଲାମାନଙ୍କର କଥା ଅଲଗା । ଶୈଶବ ଅତିକ୍ରମ କରି ବାଲ୍ୟାବସ୍ଥାରେ ପହଞ୍ଚିବା ବେଳକୁ ସେମାନଙ୍କର ସାଂସାରିକ ଜ୍ଞାନ ଓ ଚେତନାର ଉନ୍ମେଷ ହୁଏ । ଏହି ବିକାଶମୁଖୀ ବୟସରେ ପ୍ରତିଟି ଘଟଣା, ଅଭିଜ୍ଞତା, ଧାରଣା ଓ ମତବାଦ ସେମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରେ । ଏହି ସମୟରେ ଯଦି ଘର ଲୋକ ଧମକ ଚମକ ଦେଇ ତା ସହିତ କଥାବାର୍ତ୍ତା ବା ଆଲୋଚନାର ବାଟ ବନ୍ଦ କରି ଦିଅନ୍ତି, ତା’ହେଲେ ପିଲା କ୍ରମଶଃ ଘର ଅପେକ୍ଷା ବାହାରର ପ୍ରଭାବ ଅନୁସାରେ ହିଁ ବଢ଼ିବ । ସେଥିଲାଗି ପିଲାର ପ୍ରଶ୍ନରେ ବିରକ୍ତ ନ ହୋଇ ବରଂ ଏପରି ପ୍ରଶ୍ନର ଉତ୍ତର ଛଳରେ ପିଲାକୁ ଆମ ସମାଜର ସଂସ୍କୃତି, ଆଦର୍ଶ ଓ ମୂଲ୍ୟବୋଧ ବିଷୟରେ ବୁଝେଇ କହିଲେ, ତା’ର ଏ ସବୁ ବିଷୟରେ ଶ୍ରଦ୍ଧା ଓ ଆଗ୍ରହ ଜନ୍ମିବ । ବାପା ମାଆଙ୍କଠାରୁ ପିଲା ମଣିଷ ପରି ମଣିଷଟିଏ ହେବାର ଶିକ୍ଷା ପାଇଥାଏ ବୋଲି ସେମାନଙ୍କୁ ‘ଶ୍ରେଷ୍ଠଗୁରୁ’ ବୋଲି କୁହାଯାଏ ।

ପିଲା ଅନ୍ୟ ପିଲାଙ୍କ ସାଙ୍ଗରେ ମିଶିବାକୁ ଆରମ୍ଭ କଲେ ମଣିଷ ମଣିଷ ଭିତରେ ଥିବା ସାମାଜିକ ପାର୍ଥକ୍ୟ ବିଷୟରେ ସଚେତନ ହୋଇ ଉଠୁଥ‌ିବାରୁ ସମାଜରେ ତାର ନିଜର ସ୍ଥିତି ଅନୁସାରେ ଯେଉଁ ସାମାଜିକ ପରିଚୟ ରହିଛି, ସେ ବିଷୟରେ ସେ ଧୀରେ ଧୀରେ ଅବହିତ ହୁଏ । ଆମର ସମାଜ ସାମନ୍ତତାନ୍ତ୍ରିକ ହୋଇଥିବାରୁ ଏହା ଉଚ୍ଚନୀଚ ଶ୍ରେଣୀରେ ବିଭକ୍ତ । ଜାତି ଅନୁସାରେ ଗୋଟାଏ ବିଭାଗ । ଏମିତି ବିଭକ୍ତ ସମାଜରେ ଯିଏ ଉପର ସ୍ତରରେ ଥାଏ, ସେ ଉଗ୍ର, ଉଦ୍ଧତ, କ୍ଷମତାପ୍ରିୟ, ଅହଂକାରୀ ଓ ପ୍ରଭୁତ୍ୱପରାୟଣ ହୋଇ ବଢ଼େ ଓ ଯିଏ ତଳ ସ୍ତରରେ ଥାଏ ସେ ଉପରସ୍ତରର ଲୋକଙ୍କ ପରି ହୋଇ ନ ପାରିବାର ବିଫଳତା ଯୋଗୁ ତା ମନରେ କ୍ଷୋଭ ଓ ଆକ୍ରୋଶ ବଢ଼େ । ତାପରେ ବଡ଼ ହେଲେ ନିରୁପାୟ ହୋଇ ସମାଜର ଏଇ ଅବିଚାରକୁ ମାନିନେଇ ନିଜର ଦୀନହୀନ ଜୀବନ ପାଇଁ ଆତ୍ମଧିକ୍‌କାରରେ ସଢ଼େ । ମାତ୍ର ପିଲାଦିନେ ପିଲା ନିଜକୁ ସମସ୍ତଙ୍କ ସହିତ ସମାନ ବୋଲି ଭାବୁଥିବାରୁ ଏପରି ଶ୍ରେଣୀ ବିଭାଗ ସେମାନଙ୍କ ମନକୁ ପୀଡ଼ିତ କରେ । ପ୍ରଥମ କରି ସେମାନେ ଅନ୍ୟାୟ ନିୟମ ଓ ନ୍ୟାୟସଙ୍ଗତ ନିୟମ ଭିତରେ ପାର୍ଥକ୍ୟ ଦେଖନ୍ତି ଓ ସମାଜର ନ୍ୟାୟ ନୀତି ଉପରେ ବିଶ୍ଵାସ ହରାନ୍ତି । ଉପର ସ୍ତରର ପିଲାଙ୍କର ମଧ୍ୟ କ୍ଷତି ହୁଏ । ସମସ୍ତେ ଅନ୍ୟ ଲୋକଙ୍କ ଜ୍ଞାନ, ଗୁଣ ବା ଚରିତ୍ରର ଉତ୍କର୍ଷତା ଅନୁସାରେ ବିଚାର ନ କରି ଧନ, ପଦମର୍ଯ୍ୟାଦା ଅନୁସାରେ ବିଚାର କରି ଶିଖନ୍ତି । ଫଳରେ ସେମାନେ ପ୍ରକୃତ ଭଲ ଲୋକଙ୍କ ସଙ୍ଗ ଓ ସାହାଚର୍ଯ୍ୟରୁ ବଞ୍ଚିତ ହୋଇ ଗୋଟାଏ ସଂକୀର୍ଣ୍ଣ ସମାଜ ମଧ୍ୟରେ ନିଜକୁ ସୀମାବଦ୍ଧ କରି ରଖନ୍ତି । ଆମ ଦେଶରେ ଏପରି ଶ୍ରେଣୀ ବିଭାଗ ଏତେ ଗଭୀର ଯେ ଉଚ୍ଚଜାତିର ଲୋକଙ୍କର ନିମ୍ନଜାତିର ଲୋକଙ୍କ ସହିତ ସାମାଜିକ ଆଦାନପ୍ରଦାନ ଖୁବ୍ କମ୍ । ହିନ୍ଦୁ ଓ ମୁସଲମାନ୍ ଆଜିକି ପାଖାପାଖି ହଜାରେ ବର୍ଷ ରହିଲେଣି, ମାତ୍ର ସେମାନେ ପରସ୍ପର ବିଷୟରେ ପ୍ରାୟ କିଛି ଜାଣି ନାହାନ୍ତି । ଭାରତୀୟ ହିନ୍ଦୁ ବ୍ରିଟିଶ୍ ବା ଆମେରିକାନ୍‌ଙ୍କ ବିଷୟରେ ଯାହା ଜାଣେ, ଭାରତୀୟ ମୁସଲମାନଙ୍କ ବିଷୟରେ ତା’ଠାରୁ କମ୍ ଜାଣେ । ଯିଏ ଯାହା ପିଞ୍ଜରାରେ ଆବଦ୍ଧ ହୋଇ ନିଜର ସଂକୀର୍ଣ୍ଣ ଗୋଷ୍ଠୀ ଭିତରେ ସାଙ୍ଗ ହୋଇ ଆମେ ଚଳୁ ।

ପିଲା ଯେ କେବଳ ଖେଳାଖେଳି କରି ସମୟ କଟାଇବା ଲାଗି ସାଙ୍ଗ ଖୋଜନ୍ତି ତାହା ନୁହେଁ ବିଭିନ୍ନ ବିଷୟରେ ସାଙ୍ଗର ପରାମର୍ଶ ଓ ମତାମତ ଲୋଡ଼ି ସେମାନେ ଚଳନ୍ତି । ବିଶେଷ କରି ଅଧିକାଂଶ ପରିବାରରେ ବାପା ମାଆଙ୍କ ପ୍ରତି ପିଲାର ସଂକୋଚ ଭାବ ଆସିବାରୁ ସେ ବାପା ମା’ଙ୍କର କରଛଡ଼ା ହୋଇ ଚଳେ । ସେଥିରେ ପୁଣି ଯେଉଁଠି ପିଲା ସହିତ ବଡ଼ ମଣିଷ ଗପସପ ନ କରି ଦୂରତ୍ୱ ବଜାୟ ରଖି ଚଳନ୍ତି, ସେଠି ପିଲା ସାଙ୍ଗ ସହିତ ମିଶିବା ଛଡ଼ା ଆଉ କ’ଣ ବା କରିବ ? ସାଙ୍ଗପିଲା ସହିତ ବନ୍ଧନ ଯେତେ ନିବିଡ଼ ହୁଏ ସେ ସେତେ ସାଙ୍ଗପିଲାଙ୍କଠାରୁ ପ୍ରଶଂସା ଓ ସମର୍ଥନ ଖୋଜେ । ସେ ସବୁ ବିଷୟରେ ସାଙ୍ଗପିଲା ପରି ହବାକୁ ଚାହେଁ । ମାଆ ଯେଉଁ ଲୁଗାପଟା କିଣି ଦିଅନ୍ତି, ସାଙ୍ଗମାନେ ସେଭଳି ଲୁଗାପଟା ପିନ୍ଧୁ ନଥିଲେ, ପିଲା ସେ ଲୁଗା ପିନ୍ଧିବାକୁ ରାଜି ହୁଏନାହିଁ-। କାଳେ ପିଲାଏ ବାରିଦେବେ । ଯଦି ସେମାନଙ୍କର ଫୁଟବଲ କି କ୍ରିକେଟ୍ ଖେଳରେ ଆଗ୍ରହ, ତେବେ ୟାର ମଧ୍ୟ ହଠାତ୍ ଠିକ୍ ସେହି ଖେଳ ଖେଳିବାକୁ, ସେହି ଖେଳ ବିଷୟରେ ଜାଣିବାକୁ ଆଗ୍ରହ ହେବ । ସଙ୍ଗୀତ ବା ଅଭିନୟରେ ଯଦି ସେମାନଙ୍କର ଆଗ୍ରହ ତା’ ହେଲେ ଇଏ ମଧ୍ୟ ସେହି ଦଳରେ ମିଶିଯାଇ ଗୀତ ଶିଖିବାକୁ ମନ ବଳେଇବ । ପିଲା ଯେ ସବୁବେଳେ ଅନ୍ଧପରି ସାଙ୍ଗପିଲାଙ୍କୁ ଅନୁସରଣ କରେ ତାହା ନୁହେଁ, ଯେଉଁ ବିଷୟ ଘରଲୋକ ନିହାତି ନାପସନ୍ଦ କରିବେ ସେପରି କାମ ସେ ସାଙ୍ଗପିଲାଙ୍କ ପ୍ରରୋଚନାରେ ପଡ଼ି କରେନାହିଁ, ମାତ୍ର ଯେଉଁ ବିଷୟରେ ସେ ମନେ ମନେ ଦୋ ଦୋ ପାଞ୍ଚ ହେଉଥାଏ, ସେ ବିଷୟରେ ସାଙ୍ଗପିଲାଙ୍କ ମେଳରେ ଥିଲାବେଳେ ସେମାନଙ୍କ ଅନୁସାରେ ଚଳେ ଓ ଘର ଲୋକଙ୍କ ପାଖରେ ଥିଲାବେଳେ ଘରଲୋକଙ୍କ କଥାମାନି ଚାଲେ । ସାନ ପିଲାଙ୍କ ମନରେ ଦୃଢ଼ ଧାରଣା ଜନ୍ମି ନଥିବାରୁ ସେମାନେ ପରିସ୍ଥିତି ଦ୍ୱାରା ବେଶୀ ପ୍ରଭାବିତ ହୁଅନ୍ତି । ସେଥିଲାଗି କଥାରେ କୁହନ୍ତି, ସଂସର୍ଗରୁ ପିଲା ଦୋଷ ଗୁଣ ଶିଖେ । ସଂସର୍ଗର ପ୍ରଭାବ ଯେ ଘରର ପ୍ରଭାବଠାରୁ ଗଭୀର ହେବ–ଏକଥା ସତ ନୁହେଁ । କେତେକ ଲୋକ ନିଜ ପରିବାର ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି, ଓ କେତେକ ଲୋକ ସଂସର୍ଗ ଦ୍ୱାରା ଅଧିକ ପ୍ରଭାଵିତ ହୁଅନ୍ତି । ସାଧାରଣତଃ ଯେଉଁ ପିଲା ବିବେଚନା କରି କାମ କରନ୍ତି ସେମାନେ କାହାଦ୍ୱାରା ବିଶେଷ ପ୍ରଭାବିତ ହୁଅନ୍ତି ନାହିଁ । ଯେଉଁମାନଙ୍କର ଅନ୍ୟର ନିର୍ଦ୍ଦେଶ ଅନୁସାରେ ଚଳିବା ଅଭ୍ୟାସ, ସେହିମାନେ ହିଁ ପାଖ ଲୋକ ଦ୍ୱାରା ବେଶୀ ପ୍ରଭାବିତ ହୁଅନ୍ତି ।

ସାଙ୍ଗ ପିଲାଙ୍କଠାରୁ ପିଲା ଯେ ଖାଲି ଦୋଷ ଗୁଣ ଶିଖେ ତାହା ନୁହେଁ, ସାଙ୍ଗପିଲା ତାକୁ ଯେଉଁ ଆଖିରେ ଦେଖନ୍ତି, ସେ ନିଜକୁ ସେହିପରି ଭାବରେ ଦେଖିବାକୁ ଶିଖେ । ସେମାନେ ଯଦି ତାକୁ ବାହାଦୂର ବୋଲି ଭାବନ୍ତି ବଳୁଆ ବୋଲି ଭାବନ୍ତି କିମ୍ବା ବୁଦ୍ଧିଆ ବୋଲି ଭାବନ୍ତି, ସେ ନିଜକୁ ସେହିପରି ଭାବେ । ସାଙ୍ଗପିଲାମାନେ ତା ସାଙ୍ଗରେ ନମିଶିଲେ ସେ ଏକୁଟିଆ ବାଆଁରା, ଲାଜକୁଳା ଓ ଚୁପ୍‌ଚାପ ହୋଇ ରହେ । ଅନ୍ୟଲୋକଙ୍କ ସହିତ ସହଜରେ ମିଶି ପାରେନା । ବାହାର ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ତାକୁ ଅଡ଼ୁଆ ଲାଗେ । ନୂଆ ଲୋକଙ୍କ ସହିତ ଦେଖା ସାକ୍ଷାତ୍ କରିବାକୁ ପଡ଼ିଲେ ଥଙ୍ଗ୍ ଥଙ୍ଗ୍ ହୁଏ । ଯାହାକୁ ଅଧିକାଂଶ ସାଙ୍ଗପିଲା ନାପସନ୍ଦ କରି ତାକୁ ବାସନ୍ଦ କଲାପରି ଚଳନ୍ତି, ସେ ପିଲା ମନରେ ଲୋକଙ୍କ ପ୍ରତି ରାଗ, ଆକ୍ରୋଶ ଓ ହିଂସାଭାବ ଜନ୍ମେ । ସେ କଥାରେ ଓ ବ୍ୟବହାରରେ ଏମାନଙ୍କୁ ଭ୍ରୂକ୍ଷେପ ନ କଲାପରି ଚଳେ । ମାତ୍ର ମନ ଭିତରେ ନିଜକୁ ଅଲୋଡ଼ା ବୋଲି ଭାବେ । ସାଙ୍ଗ ପିଲାଙ୍କର ବ୍ୟଙ୍ଗ ବିଦ୍ରୂପ କେଭେ ହେଁ ମନରୁ ପାଶୋରି ପାରେନା-। ନିଜକୁ ସବୁବେଳେ ନିକୃଷ୍ଟ ବୋଲି ଭାବେ । ସାଙ୍ଗମାନଙ୍କ ମନରେ ନିଜର ଯେଉଁ ପ୍ରତିଛବି ଆମେ ଦେଖୁ, ନିଜର ପ୍ରକୃତ ରୂପ ସେଇଆ ବୋଲି ଆମେ ଭାବିଥାଉ । ସାଙ୍ଗ ପିଲାଙ୍କର ସଂସ୍ପର୍ଶରେ ଆସି ପିଲାର ଆତ୍ମପ୍ରତ୍ୟୟ ଓ ଆତ୍ମମର୍ଯ୍ୟାଦା ଦୃଢ଼ ହୁଏ । ଅପର ପକ୍ଷରେ ପିଲା ଯଦି ସେମାନଙ୍କ ପାଖରୁ ସମର୍ଥନ ଓ ସମାଦର ନ ପାଏ, ତେବେ ତା’ର ନବ ଉନ୍ମେଷିତ ଆତ୍ମବୋଧ ବ୍ୟାହତ ହୁଏ ।

ଶିକ୍ଷକ ଓ ଶିକ୍ଷାଥୀ :

ଶିକ୍ଷାର ପ୍ରସାର ବଢ଼ିଲା ଦିନରୁ ବାଲ୍ୟ ଜୀବନର ଧାରା ବଦଳି ଯାଇଛି । ଏବେକାର ପିଲା ନିଜର ଜାଗ୍ରତ ଅବସ୍ଥାର ଅଧିକାଂଶ ସମୟ ଶିକ୍ଷାଳୟରେ ବା ଶିକ୍ଷା ସହିତ ସଂଶ୍ଳିଷ୍ଟ କାମରେ କଟାଏ । ପାଞ୍ଚବର୍ଷରୁ ପାଠ ନ ସରିବା ପର୍ଯ୍ୟନ୍ତ ଏଇଆ ହେଲା ତା’ର ଦୈନନ୍ଦିନ ଜୀବନ । ଫଳରେ ନିଜ ଘର ଲୋକଙ୍କ ପାଖରେ ସେ ଯେତେ ସମୟ ରହେ, ତା ଅପେକ୍ଷା ଅଧିକ ସମୟ ଶିକ୍ଷକଙ୍କ ଗହଣରେ ଥାଏ । ଶିକ୍ଷକ ତା ପାଇଁ ଏକାଧାରରେ ନିୟମ ଶୃଙ୍ଖଳାର ରକ୍ଷକ, ବିଚାରକ, ଦଣ୍ଡଦାତା ଓ ଆଦର୍ଶ ଏବଂ ଉତ୍ସାହର ଉତ୍ସ । ସେ ହେଲେ ତା’ର ହର୍ତ୍ତା, କର୍ତ୍ତା ଓ ବିଧାତା । ଶିକ୍ଷକ ଚାହିଁଲେ ପିଲାର ଅଜ୍ଞତା ଓ ଭୁଲ୍‍ଭ୍ରାନ୍ତି ବିଷୟରେ ବିଦ୍ରୂପ ବା ପରିହାସ କରି ସମସ୍ତଙ୍କ ସାମ୍ନାରେ ତାକୁ ଅପଦାର୍ଥ ବୋଲି ପ୍ରତିପନ୍ନ କରିପାରନ୍ତି କିମ୍ବା ସୀମିତ ଜ୍ଞାନ ଓ ଶିଖିବାର ଆଗ୍ରହର ପ୍ରଶଂସା କରି ତା ମନରେ ଆହୁରି ଶିଖିବାର ଉତ୍ସାହ ସୃଷ୍ଟି କରିପାରନ୍ତି । ପ୍ରାଥମିକ ବିଦ୍ୟାଳୟକୁ ପିଲା ଶିଖିବାର ଆଗ୍ରହ ନେଇ ପାଠ ପଢ଼ିବାକୁ ଯାଏନାହିଁ । ଭବିଷ୍ୟତ କର୍ମ ଜୀବନର ଉନ୍ନତି ବିଷୟ ପିଲା ଠିକ୍ ଭାବେ ବୁଝି ନଥିବାରୁ ଉନ୍ନତିର ଆଶା ତାକୁ ପାଠପଢ଼ା ପ୍ରତି ଆକୃଷ୍ଟ କରାଏ ନାହିଁ । ସ୍କୁଲକୁ ଯିବାକଥା ବୋଲି ସେ ଯାଏ, କଷ୍ଟ ବିଷୟକୁ ଆୟତ୍ତ କଲେ ବଡ଼ମାନେ ତା’କୁ ପାରିବାର ଭାବିବେ ବୋଲି ସେଇ ପ୍ରଶଂସା ଟିକକ ଆଶାରେ ପରିଶ୍ରମ କରି ଲେଖାପଢ଼ା ଶିଖେ । ତେଣୁ ଶିକ୍ଷକଙ୍କର ଉତ୍ସାହ ପିଲା ମନରେ ଉଦ୍ଦୀପନା ସଞ୍ଚାର କରେ ଓ ତାଙ୍କର ଉଦାସୀନ ଭାବ ପିଲାକୁ ହତୋତ୍ସାହିତ କରେ । ଯେଉଁ ଶିକ୍ଷକ ଗାଳିମନ୍ଦ ଦିଅନ୍ତୁ ପଛେ ସବୁବେଳେ ପିଲା ପଛରେ ଲାଗିଥାନ୍ତି, ପିଲା ଉପରକୁ ତାଙ୍କପ୍ରତି ବିରକ୍ତି ପ୍ରକାଶ କଲେ ମଧ୍ୟ ମନଭିତରେ ଶିକ୍ଷକଙ୍କ ଯତ୍ନର ମର୍ଯ୍ୟାଦା ବୁଝେ । ମାତ୍ର ଯେଉଁ ଶିକ୍ଷକ କେବଳ ନିୟମ ଶୃଙ୍ଖଳା ରକ୍ଷା କରିବାରେ ତତ୍ପର, ମାତ୍ର ପିଲା ଶିଖିଲେ ନ ଶିଖିଲେ ତାଙ୍କର କିଛି ଯାଏ ଆସେ ନାହିଁ, ସେପରି ଶିକ୍ଷକଙ୍କଠାରୁ ପିଲା ପ୍ରାୟ କିଛି ଶିଖେ ନାହିଁ । ବରଂ ଉପର ଠାଉରିଆ ଭାବରେ ଭଲ ପିଲାର ଅଭିନୟ କରି ପାଠରେ ଫାଙ୍କି ଦେବାକୁ ଶିଖେ । ପିଲା ଶିଖିନିଏ ଯେ- ଯେଉଁ ପର୍ଯ୍ୟନ୍ତ ସେ ଗଣ୍ତଗୋଳରୁ ଦୂରେଇ ରହିବ ସେ ପର୍ଯ୍ୟନ୍ତ ଶିକ୍ଷକଙ୍କର ଦୃଷ୍ଟି ତା ଉପରେ ପଡ଼ିବ ନାହିଁ । କାହିଁକି ଘରୁ ପଢ଼ାପଢ଼ିକରି ଆଣିନାହିଁ, ସେ ବିଷୟରେ ମିଛସତ ଯୋଡ଼ି ଗୋଟାଏ ଭଲ କୈଫିୟତ ତିଆରି କରି କହିଲେ ଗଲା, ସେଥିରେ ହିଁ ଶିକ୍ଷକ ଖୁସି ହୋଇଯିବେ । ଯଥା :–ଶିକ୍ଷକ ପଚାରିଲେ, “କାହିଁକି ଅଙ୍କତକ କରି ଆଣିଲୁ ନାହିଁ ।” ପିଲା ଜାଣିଛି ସତ କାରଣ କହିଲେ ମାଡ଼ ଖାଇବ । ଦେହ ଖରାପ ହୋଇ ଝାଡ଼ା ହେଉଥିବାରୁ ଅଙ୍କ କରିପାରିଲି ନାହିଁ ବୋଲି କହିଲା । ମିଛ ଶୁଣି ଶିକ୍ଷକ ଚୁପ୍ ହୋଇ ରହିଗଲେ । ଖେଳଛୁଟୀରେ ନ ଖେଳି ଅଙ୍କତକ ବସି କରୁ ବୋଲି ବାଧ୍ୟ କଲେନି । ସେପରି କଲେ ସେ ଅଙ୍କ ଶିଖିବ ବୋଲି ସେ ଭାବିଲେ ନାହିଁ, କାରଣ ତାଙ୍କ ମତରେ ଏପରି ଅଙ୍କ କରିବାକୁ କହିବାଟା ହେଲା ଶାସ୍ତି । ଦେହ ଖରାପ ଯୋଗୁଁ ସେ ଅଙ୍କ କରି ନଥିବାରୁ ତାକୁ ଶାସ୍ତି ଦେବା ଉଚିତ୍ ନୁହେଁ । ନିୟମ ଶୃଙ୍ଖଳବାଦୀ ଶିକ୍ଷକଙ୍କୁ କେମିତି ମିଛକହି ଠକିହେବ ସେ ବିଷୟ ଶିକ୍ଷକଙ୍କର ଆଚରଣରୁ ହିଁ ପିଲା ଶିଖନ୍ତି । ମହାଭାରତରେ କର୍ଣ୍ଣ ସୁତପୁତ୍ର ବୋଲି ସବୁ ଶିକ୍ଷକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାରୁ ନିଜକୁ ବ୍ରାହ୍ମଣ କହି ପର୍ଶୁରାମଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ପରେ ପର୍ଶୁରାମ ଏହି ମିଥ୍ୟା ପରିଚୟ ଆବିଷ୍କାର କରିବାରୁ କର୍ଣ୍ଣଙ୍କୁ ଅଭିଶାପ ଦେଇ କହିଥିଲେ “ମୃତ୍ୟୁ କାଳରେ ତୁ ଅସ୍ତ୍ରଜ୍ଞାନ ପାସୋରି ଯିବୁ ।” ଏହି କାହାଣୀ ସହିତ ଆଉଜଣେ ପ୍ରାଚୀନ ଗୁରୁଙ୍କର ତୁଳନା କରିହେବ । ସେ ହେଲେ ଋଷି ଗୌତମ । ଛାନ୍ଦୋଗ୍ୟ ଉପନିଷଦରେ ଏଇ କାହାଣୀଟି ଅଛି । ଋଷି ଗୌତମ ବ୍ରହ୍ମଜ୍ଞ ଓ ଜଣେ ସ୍ୱନାମଧନ୍ୟ ଆଚାର୍ଯ୍ୟ ଶିକ୍ଷକ । ବହୁ ବ୍ରାହ୍ମଣ ବାଳକ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରି ଗୁରୁକୁଳରେ ରହି ତାଙ୍କଠାରୁ ବ୍ରହ୍ମବିଦ୍ୟା ଶିଖନ୍ତି । ଦିନେ ସତ୍ୟକାମ ବୋଲି ଜଣେ ବାଳକ ଶିଷ୍ୟତ୍ୱ ଗ୍ରହଣ କରିବା ଆଶାରେ ତାଙ୍କ ପାଖକୁ ଆସିଲେ । ମାତ୍ର, ଗୌତମକୁ ସେ ତାଙ୍କର ବଂଶ ପରିଚୟ କହିପାରିଲେ ନାହିଁ । ଗୌତମ କହିଲେ, “ବତ୍ସ, କେବଳ ବ୍ରାହ୍ମଣର ବ୍ରହ୍ମଵିଦ୍ୟାରେ ଅଧିକାର ଅଛି । ତେଣୁ ତୁମର ପରିଚୟ ନ ଜାଣିଲେ ମୁଁ ତୁମକୁ ଶିଷ୍ୟ ରୂପେ ଗ୍ରହଣ କରିପାରିବି ନାହିଁ । ତୁମେ ଘରୁ ତୁମର ପରିଚୟ ବୁଝି ଆସନ୍ତା କାଲି ମୋ ପାଖକୁ ଆସ ।” ପରଦିନ ସକାଳୁ ଗୌତମ ପିଲାମାନଙ୍କୁ ବ୍ରହ୍ମ ବିଷୟରେ ବୁଝାଉଥାନ୍ତି । ଏତିକିବେଳେ ସତ୍ୟକାମ ଆସି ପହଞ୍ଚିଗଲେ । ଗୌତମକୁ ପ୍ରଣାମ କରି କହିଲେ, “ମୁଁ ମାଆଙ୍କୁ ମୋର ପରିଚୟ ପଚାରିଲି, ସେ କହିଲେ ଯେ ସେ ସ୍ଵାମୀହୀନା । ବହୁ ଲୋକଙ୍କର ସେବା କରି ମୋତେ ପାଇଛନ୍ତି । ତେଣୁ ମୋର ପିତା କିଏ ସେ କଥା ସେ ଜାଣନ୍ତି ନାହିଁ ।” ଅନ୍ୟ ପିଲାମାନେ ଏକଥା ଶୁଣି କ୍ଷଣକ ପାଇଁ ତଟସ୍ଥ ହୋଇଗଲେ । ପରମୁହୂର୍ତ୍ତରେ ଲଜ୍ଜାରେ, କ୍ରୋଧରେ ବିଚଳିତ ହୋଇ ଗୋଟାଏ ଜାରଜ, ଅନାର୍ଯ୍ୟ ପିଲାର ଏପରି ଅହଂକାର ଦେଖି ତା’କୁ ବିଦ୍ରୂପ କଲେ । କିନ୍ତୁ ଗୌତମ ଋଷି ନିଜ ଆସନରୁ ଉଠି ଦୁଇ ବାହୁ ବଢ଼େଇ ସତ୍ୟକାମଙ୍କୁ କୋଳକୁ ଟାଣିନେଇ ଆଲିଙ୍ଗନ କଲେ । ଗୌତମ କହିଲେ, “ତୁମେ ଅବ୍ରାହ୍ମଣ ନୁହଁ । ତୁମେ ହେଲ ଦ୍ୱିଜୋତ୍ତମ । କାରଣ ଦ୍ୱିଜର ଏକମାତ୍ର ପରିଚୟ ହେଲା ଯେ ସେ ସତ୍ୟାଶ୍ରୟୀ । ବ୍ରାହ୍ମଣର ଅନ୍ୟ ପରିଚୟ ଗୌଣ । ଗୌତମଙ୍କର ଶିଷ୍ୟ ହୋଇ ସତ୍ୟକାମ ପରବର୍ତ୍ତୀ ଜୀବନରେ ଜଣେ ଶ୍ରେଷ୍ଠ ଦାର୍ଶନିକ ହୋଇଥିଲେ ଓ ଛାନ୍ଦୋଗ୍ୟ ଉପନିଷଦର ଗୋଟାଏ ବଡ଼ ଅଂଶ ସେ ଶିଖିଥିଲେ । ଗୌତମ ଯଦି ତାଙ୍କର ସତ୍ୟ ଭାଷଣର ମର୍ଯ୍ୟାଦା ରଖି ନ ଥାନ୍ତେ, ତା ହେଲେ ସତ୍ୟକାମ ହୁଏତ ମିଥ୍ୟାବାଦୀ ପ୍ରବଞ୍ଚକରେ ପରିଣତ ହୋଇଥାଆନ୍ତେ ।

ଶିକ୍ଷକ ଦୀର୍ଘ ସମୟ ପିଲା ସହିତ ରହୁଥିବାରୁ ତାଙ୍କର ବିଚାର ଓ ବ୍ୟବହାର ପିଲା ମନରେ ଗଭୀର ପ୍ରଭାବ ପକାଏ । ପ୍ରତ୍ୟେକ ଶିକ୍ଷକ ଯଦି ନିଜ ପିଲାଦିନର କଥା ମନେ ପକାନ୍ତି, ତା’ହେଲେ ଏହି କଥାର ମର୍ମ ବୁଝି ପାରିବେ । ନିଜର ପୁରୁଣା ଶିକ୍ଷକମାନଙ୍କ ଭିତରୁ କାହାକଥା ତାଙ୍କର ସବୁଠାରୁ ବେଶୀ ମନେ ପଡ଼େ ? କେଉଁ ପ୍ରକାର ଶିକ୍ଷକଙ୍କୁ ସେ ପ୍ରକୃତରେ ଶ୍ରଦ୍ଧା ଓ ସମ୍ମାନ କରି ଚଳୁଥିଲେ ? କାହାପାଖରୁ ସେ ବେଶୀ ଶିଖିଛନ୍ତି ? ପାଠ ତ ସମସ୍ତେ ପଢ଼େଇଥିଲେ; ମାତ୍ର ପାଠ ପ୍ରତି ଆଗ୍ରହ କିଏ ଶିଖେଇଥିଲା ? କାହିଁକି କେତେକ ଶିକ୍ଷକଙ୍କୁ ଭୟକଲେ ମଧ୍ୟ ଆମେ ଭଲପାଉ ଓ ଆଉ କେତେକ ଶିକ୍ଷକଙ୍କୁ କେବଳ ଭୟ କରୁନା, ଅତ୍ୟନ୍ତ ଘୃଣା ମଧ୍ୟ କରିଥାଉ ? ଦୋଷ ଦେଖି ଯେଉଁ ଶିକ୍ଷକ ଛାଟରେ ବାଡ଼େଇ ଥିଲେ, ଆଜି ସେହି ଶିକ୍ଷକଙ୍କର ରୁଗ୍‌ଣ ଅବସ୍ଥା ଦେଖି କାହିଁକି ଆଖିରେ ଲୁହ ଆସୁଛି । ଅଥଚ ମୋ ବାପ ହାକିମ ଥିଲେ ବୋଲି ଯେଉଁ ଶିକ୍ଷକ ମିଠା ମିଠା କଥା କହୁଥିଲେ କାହିଁକି ତାଙ୍କ ପ୍ରତି ମନରେ ଦରଦ ଆସୁନାହିଁ ? ପ୍ରତି ଶିକ୍ଷକଙ୍କର ମନରେ ଭାବି ଦେଖିବା କଥା ସେ ନିଜେ କେଉଁ ପ୍ରକାର ଶିକ୍ଷକ? ଅଭିଭାବକମାନେ ମଧ୍ୟ ଭାବି ଦେଖିବା ଉଚିତ୍ ଯେ କେଉଁ ପ୍ରକାର ଶିକ୍ଷକଙ୍କ ପାଖରେ ପାଠ ପଢ଼ିଲେ ତାଙ୍କ ପିଲା ମଣିଷ ହେବ ।

ଆମ ନିଜ ଅଭିଜ୍ଞତାରୁ ଆମେ ଜାଣୁ ଯେ, ଶିକ୍ଷକ ପିଲାଙ୍କୁ କେବଳ ବିଭିନ୍ନ ବିଷୟରେ ଦକ୍ଷ କରି ଗଢ଼ୁନାହାନ୍ତି, ପିଲାର ଚରିତ୍ର, ବ୍ୟକ୍ତିତ୍ୱ ଓ ବ୍ୟବହାରକୁ ମଧ୍ୟ ପ୍ରଭାବିତ କରୁଛନ୍ତି । ବିଶେଷ କରି ବର୍ତ୍ତମାନ ସମୟର କର୍ମବହୁଳ ଜୀବନରେ ବାପା ମା’ଙ୍କର ଯେତେବେଳେ ପୁଅଝିଅଙ୍କ ପାଖରେ ରହିବାକୁ ଅବସର ହେଉନାହିଁ, ସେତେବେଳେ ପିଲାର ମାନସିକ ବିକାଶ ପାଇଁ ଶିକ୍ଷକଙ୍କର ସାନ୍ନିଧ୍ୟ ଅଧିକରୁ ଅଧିକତର ପ୍ରୟୋଜନୀୟ ହୋଇଉଠୁଛି । ଶିକ୍ଷକ ଅନେକ ସମୟରେ ପିଲାର ଜୀବନରେ ଅନୁପସ୍ଥିତ ବାପା ମାଆଙ୍କର ସ୍ଥାନ ଗ୍ରହଣ କରୁଛନ୍ତି । ବିଶେଷକରି ଯେଉଁମାନେ ହଷ୍ଟେଲ ବା ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି, ସେମାନେ ପ୍ରାୟ ଅନ୍ୟ ବଡ଼ ମଣିଷଙ୍କ ସଂସ୍ପର୍ଶରେ ଆସୁନାହାନ୍ତି । ଫଳରେ ପିଲାର ଜୀବନରେ ସବୁ ଅଂଶ ଶିକ୍ଷକଙ୍କ ଦ୍ୱାରା ପ୍ରଭାବିତ ହେଉଛି । ପରିବାର ଓ ସମାଜ ଶିକ୍ଷକଙ୍କ ହାତରେ ପିଲାଙ୍କୁ ସମର୍ପି ଦେଇ ପିଲାଙ୍କ ଦାୟିତ୍ୱରୁ ନିସ୍କୃତି ପାଇ ନିଶ୍ଚିନ୍ତରେ ଅଛନ୍ତି । ଏପରି ଅବସ୍ଥାରେ ଶିକ୍ଷକ ଯଦି ସହନଶୀଳ, ନ୍ୟାୟ ବିଚାରକ, ଉତ୍ସାହୀ ଓ ପିଲା ପ୍ରତି ଯତ୍ନ ପରାୟଣ ହୁଅନ୍ତି ତା’ହେଲେ ପିଲା ଶିକ୍ଷିତ ଓ ମାର୍ଜିତ ହୋଇ ବଢ଼େ । ଅନ୍ୟ ପକ୍ଷରେ, ଶିକ୍ଷକଙ୍କର ଯଦି ପିଲାକୁ ଶିଖାଇବା ବିଷୟରେ କୌଣସି ଆଗ୍ରହ ନ ଥାଏ, ସେ ଯଦି ଶାସନ ଶୃଙ୍ଖଳାର ଦ୍ୱାହି ଦେଇ ପିଲା ଉପରେ ହାକିମୀ କରନ୍ତି, ପିଲାର ଅସହାୟ ସରଳ ସ୍ଵଭାବର ସୁଯୋଗ ନେଇ ତା’ ପ୍ରତି ଖରାପ ବ୍ୟବହାର କରନ୍ତି, ତା ହେଲେ ପିଲା ନିଜ ଶିକ୍ଷକଙ୍କ ପରି ଅମଣିଷ ହୋଇ ବଡ଼ ହେବ । ମନେ ରଖିବା କଥା ଯେ, ଆମ ଦେଶରେ ଅଧିକାଂଶ ଲୋକ ପିଲାଦିନରୁ ଅତ୍ୟାଚାରିତ ହୋଇ ବଢ଼ିଥିବାରୁ, ବଡ଼ ହେଲା ପରେ ସେମାନଙ୍କ ଠାରେ ଅନ୍ୟ ପ୍ରତି ଅତ୍ୟାଚାରୀ ମନୋଭାବ ଦେଖାଦିଏ । ସେମାନେ ଅନ୍ୟଲୋକର ଶ୍ରଦ୍ଧାର ପାତ୍ର ହେବାକୁ ଚେଷ୍ଟା ନ କରି ଭୟର ପାତ୍ର ହେବାକୁ ଚେଷ୍ଟା କରନ୍ତି । ଯେଉଁ ଶିକ୍ଷକ ଆମରି ସମାଜରେ ପିଲାଦିନୁ ଅତ୍ୟାଚାରିତ ହୋଇ ବଢ଼ିଥାନ୍ତି, ସେ ନିଜ ଛାତ୍ର ପ୍ରତି ମନରେ ଅକରୁଣ ଭାବ ପୋଷଣ କରନ୍ତି ।

ପ୍ରାଥମିକ ଶିକ୍ଷାର ପ୍ରଭାବ :

ଆମ ଦେଶରେ ପାଞ୍ଚବର୍ଷ ବୟସରେ ପିଲା ସାଧାରଣତଃ ବିଦ୍ୟାରମ୍ଭ କରନ୍ତି । ଅତି ଅଳ୍ପ ପିଲା ଏଥିପୂର୍ବରୁ ନର୍ସରୀ ସ୍କୁଲ ବା ଶିଶୁ ବିଦ୍ୟାଳୟକୁ ଯିବାର ସୁଯୋଗ ପାଆନ୍ତି । ତେଣୁ ଅନ୍ୟାନ୍ୟ ଦେଶରେ ଶୈଶବ ଅବସ୍ଥାରେ ଶିଶୁର ମାନସିକ ବିକାଶ ପାଇଁ ଯେଉଁ ଶିକ୍ଷା ଦିଆଯାଏ, ସେ ଶିକ୍ଷା ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟରେ ହିଁ ଆରମ୍ଭ ହୋଇଥାଏ । ଏହି ଶୈଶବ ଶିକ୍ଷା (early childhood education) କ'ଣ ?

ଶୈଶବ ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ପିଲା କେମିତି ବିଭିନ୍ନ ବିଷୟ ସହଜରେ ଶିଖିପାରିବ ସେଥିପାଇଁ ତା’ର ମନକୁ ପ୍ରସ୍ତୁତ କରିବା । ଏଥିଲାଗି ପିଲାର ଭାଷାଜ୍ଞାନ, ମନଯୋଗ, ଧାରଣା ଶକ୍ତି, ସ୍ମୃତିଶକ୍ତି ଇତ୍ୟାଦିର ସ୍ୱାଭାବିକ ବୃଦ୍ଧି ହେଉଛି କି ନାହିଁ ପରୀକ୍ଷା କରିବା ପରେ, ଶିକ୍ଷକ ଖେଳ ଓ କଥାବାର୍ତ୍ତା ସାହାଯ୍ୟରେ ପିଲାର ଏହି ଶକ୍ତିଗୁଡ଼ିକୁ ବଢ଼ାଇବାର ଚେଷ୍ଟା କରନ୍ତି । କେବଳ ସେତିକି ନୁହେଁ ପିଲାର ସ୍ଵାଭାବିକ କୌତୂହଳ ଓ ଜାଣିବାର ଇଚ୍ଛା କିପରି ପାଠ ପଢ଼ି ତୃପ୍ତିଲାଭ କରିବ, ସେ ବିଷୟ ପ୍ରତି ଯତ୍ନବାନ୍ ହୁଅନ୍ତି । ଯଦି ଏହି ବୟସରେ ପିଲାର ସ୍ୱତଃସ୍ଫୁର୍ତ୍ତ ଜାଣିବାର ଇଚ୍ଛା କୌତୂହଳ ବାଧାପ୍ରାପ୍ତ ହୁଏ ତା’ହେଲେ ପିଲାର ଶିଖିବାରେ ଆଗ୍ରହ ନଷ୍ଟ ହୋଇଯାଏ । ଆମ ଦେଶରେ ଅନେକ ପିଲା ପାଠରେ ମନ ନ ଦେବାର କାରଣ ହେଲା ସେମାନେ ପାଠରୁ କିଛି ରସ ପାଆନ୍ତି ନାହିଁ । ଅବୁଝା ବିଷୟଟା ବୁଝିପାରିଲେ ଯେଉଁ ଆନନ୍ଦ ହୁଏ ସେ ଆନନ୍ଦର ଅନୁଭୂତି ସେମାନଙ୍କର ଆଦୌ ହୋଇନାହିଁ । ଅଥଚ ଆମେ ନିଜ ଅଭିଜ୍ଞତାରୁ ଜାଣୁ ଯେ ପିଲା ଅନବରତ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରନ୍ତି । ଅବୁଝା ବିଷୟ ସବୁ ବୁଝିବା ପାଇଁ ସେମାନଙ୍କ ମନରେ ପ୍ରବଳ ଆଗ୍ରହ ଥାଏ । ନିଆଁରେ କାଠ ପକାଇ ନିଆଁକୁ ଜଳେଇ ଶିଖେଇ ଆମେ ପିଲା ମନରେ ଶିଖିବାର ଆଗ୍ରହକୁ ଜଳେଇ ରଖିପାରୁ, ତା’ହେଲେ ପାଠ ପଢ଼ା ସରିଲା ପରେ ମଧ୍ୟ ସେ ଜୀବନଯାକ ବିଭିନ୍ନ ବିଷୟ ଜାଣିବାକୁ, ଶିଖିବାକୁ ଓ ପଢ଼ିବାକୁ ଚାହିଁବ । ବର୍ତ୍ତମାନ ଆମଦେଶରେ ଆମେ ପିଲାକୁ ଶିଖିବାରେ ଆଗ୍ରହୀ କରିବାକୁ ଚେଷ୍ଟା ନ କରି ଭୟ ଦେଖାଇ ପାଠ ଶିଖାଉଛୁ । ପିଲା ଡରିଯାଇ ପାଠ ନ ପଢ଼ି, ଚୁପ୍ ହୋଇ ବସି ପାଠ ପଢ଼ିବାର ଅଭିନୟ କରୁଛନ୍ତି । ଏଇ ବଦଭ୍ୟାସ ଯେମିତି ପିଲାଙ୍କଠାରେ ଦେଖା ନ ଯାଏ, ସେ ବିଷୟରେ ମୂଳରୁ ବିଦ୍ୟାରମ୍ଭ ଦିନରୁ ହିଁ ଚେଷ୍ଟା କରିବା କଥା । ବଡ଼ ହେଲାପରେ ଏଇ ଅଭ୍ୟାସ ଭାଙ୍ଗିବା କଷ୍ଟ ହେବ ।

କ’ଣ କଲେ ପିଲାର ଶିଖିବାରେ ଆଗ୍ରହ ବଢ଼େ ?

ଶୈଶବରେ ପିଲା ନିଃସଂକୋଚ ଭାବରେ କଥାବାର୍ତ୍ତା କରନ୍ତି । ମାତ୍ର ବଡ଼ମାନେ ଅନେକ ସମୟରେ ତାଙ୍କ କଥାଶୁଣି ଅପ୍ରସ୍ତୁତ ହୁଅନ୍ତି । ପିଲାକୁ କାହା ଆଗରେ କ’ଣ କହିବ ଓ କ’ଣ କହିବନି ଏସବୁ ବିଷୟ ଘରେ ଶିଖାଇବାକୁ ଆରମ୍ଭ କରାଯାଏ । ପିଲା ଭୁଲ କଲେ କେତେବେଳେ ଅନ୍ୟମାନଙ୍କଠାରୁ ଉପହାସ ଓ ଵିଦ୍ରୂପ ଶୁଣେ, କେତେବେଳେ ବା ଗାଳି ଖାଏ । ଧୀରେ ଧୀରେ ତା ମନରେ ଭୟ ଓ ସଂକୋଚ ବଢ଼େ । ସବୁଠାରୁ ବଡ଼ ଭୟ ହେଲା–“କାଳେ ଭୁଲ ହେବ !” “କାଳେ ତା କଥା ଶୁଣି ସମସ୍ତେ ହସିବେ !” “ସମସ୍ତେ ତା କଥା ଶୁଣି କାଳେ ତାକୁ ବୋକାବୋଲି ଭାବିବେ”, ଏଇ ଭୟ ଆମ ପ୍ରତ୍ୟେକଙ୍କ ମନରେ ଏତେ ପ୍ରବଳ ଯେ ବଡ଼ହେଲା ପରେ ସଭା ସମିତିରେ ଉଠି ପ୍ରଶ୍ନକଲାବେଳେ, ଛାତି ଦକ୍ ଦକ୍ ହୁଏ, ହାତ ପାପୁଲିରୁ ଝାଳବହେ । କାହାରି କାହାରି ପାଦ ଥରେ ଓ କଣ୍ଠସ୍ୱର ମଧ୍ୟ ଥରିଯାଏ । ଯଦି ପାଞ୍ଚଜଣଙ୍କ ସାମ୍ନାରେ ଠିଆହୋଇ ବତ୍କୃତା ଦେବାକୁ ପଡ଼େ ତା’ହେଲେ ଆହୁରି ଅସ୍ଵସ୍ତି ଲାଗେ । ଆମ ସ୍କୁଲ କଲେଜ ଓ ବିଶ୍ଵବିଦ୍ୟାଳୟରେ ପ୍ରଶ୍ନ ପଚାରିଲେ ଖୁବ୍ କମ୍ ପିଲା ଆଗଭର ହୋଇ ଉତ୍ତର ଦେବାକୁ ଚାହାନ୍ତି । ବାଧ୍ୟକଲେ ଉଠି କୌଣସି ପ୍ରକାରେ ଗେଁ ଗେଁ ହୋଇ ଉତ୍ତରଟି କହନ୍ତି । ଅନ୍ୟଲୋକର ଉପହାସ ଓ ବିଦ୍ରୂପ ପ୍ରତି ଏଇ ଯେଉଁ ଅସମ୍ଭବ ସେ ଭୟ ପିଲାଦିନରୁ ଆମ ମନକୁ ଘାରିଥାଏ । ଏଣୁ ଅଧିକାଂଶ ପିଲା କାଳେ ଭୁଲ ହେବ ବୋଲି ଉତ୍ତର ଜାଣିଥିଲେ ମଧ୍ୟ ସାହସ କରି କହନ୍ତି ନାହିଁ । ବିଷୟଟି ବୁଝି ନ ଥିଲେ ଡରିକରି ଶିକ୍ଷକଙ୍କୁ ପ୍ରଶ୍ନ ପଚାରନ୍ତି ନାହିଁ । ଶିକ୍ଷକଙ୍କ ସହିତ କୌଣସି ବିଷୟରେ ଏକମତ ନ ହେଲେ ନିଜର ମତାମତ ଯୁକ୍ତିଦ୍ୱାରା ପ୍ରମାଣ କରିବାକୁ ଚେଷ୍ଟା ନକରି ଚୁପ୍ ହୋଇ ରହି ଯାଆନ୍ତି-। ଯେଉଁ ଗତାନୁଗତିକ ଉପାୟରେ କାମ କରିବାକୁ ଶିଖିଥାଆନ୍ତି, ସେହି ଉପାୟ ଛଡ଼ା ଆଉ ଅନ୍ୟ ଉପାୟରେ କାମ ଶିଖାଇଲେ ପ୍ରାୟ କେହି ଶିଖିବାକୁ ଚାହାନ୍ତି ନାହିଁ । କାରଣ ମନରେ ଭୟଅଛି, “କାଳେ ଭୁଲ ହୋଇଯିବ ।” “ନୂଆ କଥା ଶିଖି ଏତେ ଅଡ଼ୁଆରେ ପଶି ଲାଭ କ’ଣ ? ଯେମିତି ହେଉଛି ହେଉଥାଉ”–ଏହି ମନୋଭାବ ପିଲା ମନରେ ଯେତେ ବଢ଼ିବ, ସେ ସେତେ ନୂଆକଥା ଶିଖିବାକୁ ନିସ୍ପୃହ ହୋଇ ଉଠିବ । ଏଥିଲାଗି ମୂଳରୁ ପିଲା ମନରେ ଏହି ଭୟ କମେଇବା ଦରକାର-। ଏହି ଭୟ କମିଗଲେ ପିଲାର ଶିଖିବା ଦିଗରେ ଉଦ୍ୟୋଗ ଦେଖାଦେବ ।

ପିଲାକୁ କହିବା କଥା–

(୧) ମଣିଷ ବାରମ୍ବାର ଖସିପଡ଼ି କରଡ଼ା ଖାଇ ଚାଲିବାକୁ ଶିଖେ । ସବୁ ଶିକ୍ଷା ସେହିପରି । ଭୁଲ ନ କରି କେହି ଶିଖନ୍ତି ନାହିଁ । ତେଣୁ କ୍ଲାସରେ ଭୁଲ୍ କଲେ କେହି ହସିବା କଥା ନୁହେଁ ।

 

(୨) ଭୁଲ୍ କଲେ ଭୁଲ୍ ଟା ଠିକ୍ ବୋଲି ପ୍ରମାଣ କରିବାକୁ ଚେଷ୍ଟାକରି ଲାଭ ନାହିଁ । କାହିଁକି ଭୁଲ୍ ହେଲା-ସେଥିପାଇଁ କୈଫିୟତ୍ ଦେଇ ମଧ୍ୟ ଲାଭ ନାହିଁ । ଭୁଲ୍‍ଟା ସଂଶୋଧନ କରିବାହିଁ ଯଥେଷ୍ଟ ।

 

(୩) ପିଲା କ’ଣ ଭୁଲ୍ କଲା ସେ କଥାକୁ ବଡ଼ କରି ନ ଦେଖି ବରଂ କ’ଣ ଠିକ୍ କଲା ସେ କଥା ଶିକ୍ଷକ ଓ ବାପା ମା’ ଦେଖିଲେ ଲାଭ ହେବ ।

 

(୪) ଶିକ୍ଷକ ପିଲାର ଭୁଲ୍ ତ୍ରୁଟି ଦେଖିଲେ, ବିଦ୍ରୂପ ନ କରି, ଭୁଲ୍ ସଂଶୋଧନ କରିଦେବେ । ଯଥା–ପିଲାକୁ ମିଶାଣ କରିବାକୁ ଦିଆଯାଇଛି । ସେ ୨+୨ = ୪ ନଲେଖି ୫ ଲେଖିଛି ।

 

ଭଲ ଶିକ୍ଷକ–ମିଶାଣରେ ଭୁଲ୍ ଅଛି । ଆଉଥରେ ମିଶାଇ ଦେଖ ବୋଲି କହିବେ । ସାଧାରଣ ଶିକ୍ଷକ କହିବେ–ତୋତେ ଦୁଇରେ ଦୁଇ ମିଶାଇ ଆସୁନି, ତୋ ପରି ବଡ଼ ଓଲୁ ମୁଁ ଦେଖିନାହିଁ ।

 

ନୂଆକରି ସ୍କୁଲକୁ ଗଲାବେଳେ ସବୁ ଜିନିଷ ପିଲାକୁ ଅଡ଼ୁଆ ଲାଗେ । ଅପରିଚିତ ଶିକ୍ଷକ, ସ୍କୁଲର ନିୟମ କାନୁନ୍, ପ୍ରତିଦିନର ରୁଟିନ୍ । ତେଣୁ ତା ମନରେ କିଛିଟା ଭୟ ସବୁବେଳେ ଥାଏ । ଶିକ୍ଷକ ଯଦି ପିଲାପ୍ରତି ଯତ୍ନଶୀଳ ହୁଅନ୍ତି ତା’ ହେଲେ ପିଲାର ଶିକ୍ଷକଙ୍କ ପ୍ରତି ସ୍ଵାଭାବିକ ଶ୍ରଦ୍ଧା ଜନ୍ମେ । ସେ ଯଦି ଶିକ୍ଷକଙ୍କୁ ଭରସି କରି ନିଜର ଅସୁବିଧା କହିପାରେ ତା ହେଲେ ତାଙ୍କଠାରୁ ସହଜରେ ପାଠ ଶିଖିପାରେ । ଶିକ୍ଷକ ଯଦି ତା କାମର ପ୍ରଶଂସା କରନ୍ତି, ତା’ହେଲେ ପିଲା ଆହୁରି ଭଲ କରିବାକୁ ଚେଷ୍ଟାକରେ । ଉଦାହରଣ ସ୍ୱରୂପ, ଭଲ ଶିକ୍ଷକ କହନ୍ତି–ବାଃ, ତୋ ହସ୍ତାକ୍ଷର କେତେ ବାଗେଇ ଗଲାଣି । ଆଉ ଟିକେ ଚେଷ୍ଟା କଲେ ତୋ ଲେଖା ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲେଖା ପରି ଦେଖାଯିବ ।”

 

ସାଧାରଣ ଶିକ୍ଷକ–“ସବୁଦିନ ହସ୍ତାକ୍ଷର ଲେଖି ଏହି ଫଳ ! ମାଙ୍କଡ଼କୁ ଶିଖାଇଲେ ସେ ତ ଏତେ ଦିନକେ ଆ’ଠାରୁ ଭଲ ଲେଖନ୍ତାଣି ।”

 

ପିଲାକୁ ଗୁଣନ ଆସୁନାହିଁ । ସେ ବାରମ୍ବାର ଚେଷ୍ଟା କଲେ ମଧ୍ୟ ତା’ର ଭୁଲ ହେଉଛି ।

 

ଭଲ ଶିକ୍ଷକ–“ମୋ ସାମ୍ନାରେ ଅଙ୍କଟା କର, ତା ହେଲେ ମୁଁ ଜାଣିବି ତୋର କେଉଁଠାରେ ଭୁଲ୍ ରହୁଛି ।”

 

ସାଧାରଣ ଶିକ୍ଷକ–“ଏତେ ସହଜ ଗୁଣନ କାହିଁକି ହେବନି, ଚେଷ୍ଟାକର । ସମସ୍ତେ କରି ପାରୁଛନ୍ତି ତୁ କାହିଁକି ପାରିବୁ ନାହିଁ ।”

 

ପିଲା ଭାବିଲା ଯଦି ଏଡ଼େ ସହଜ ବିଷୟ ତା ହେଲେ ମୁଁ କାହିଁକି କରିପାରୁନି । ମୋର ବୋଧହୁଏ ଅଙ୍କ ହୁଏ ନାହିଁ ।

 

ଆମ ଦେଶରେ ଝିଅମାନେ ବେଶୀ ମନଦେଇ ପାଠ ପଢ଼ିଲେ ଘରେ ଓ ବାହାରେ ସମସ୍ତେ ଏପରି ଆଗ୍ରହକୁ ନାପସନ୍ଦ କରନ୍ତି ।

 

“ଘରକାମ ଛାଡ଼ି ସବୁବେଳେ ପାଠ ପଢ଼ିଲେ କ’ଣ ମିଳିବ ? ତୁ କ’ଣ ଜଜ୍ ବାରିଷ୍ଟର ହୋଇଯିବୁ ?” କିମ୍ୱା–“ଯେତେ ପଢ଼ିଲେ ଲାଭ କ’ଣ, ତୋ କାମ ତ ଚୁଲୀ ମୁଣ୍ଡରେ ।” ପିଲା ଦିନରୁ ଏହିଭଳି ଉପଦେଶ ଶୁଣି ଶୁଣି ଝିଅମାନେ ପାଠ ପଢ଼ିବା ବା ନୂଆ ବିଷୟ ଯେ ଶିଖିବା ଯେ ଜୀବନର ଏକ ପ୍ରୟୋଜନୀୟ ଅଙ୍ଗ ଏକଥା ଭୁଲି ଯାଆନ୍ତି । ବାହାଘର ନ ହେବା ପର୍ଯ୍ୟନ୍ତ ସ୍କୁଲ କଲେଜ ଯାଇ ସାଙ୍ଗ ସୁଖ ମେଳରେ ସମୟ କଟାନ୍ତି; ମାତ୍ର ପରୀକ୍ଷାରେ ଭଲ କରିବାରେ ସେମାନଙ୍କର ଆଗ୍ରହ ନ ଥାଏ । ପାଶ୍ କଲାପରେ ମଧ୍ୟ ଖବର କାଗଜ, ପତ୍ରିକା ବା ବହିପତ୍ର ଏସବୁ ଅବସର ବିନୋଦନ ପାଇଁ ପଢ଼ନ୍ତି; ମାତ୍ର ତଥ୍ୟପୂର୍ଣ୍ଣ, ଚିନ୍ତାଶୀଳ ଲେଖା ଭୁଲ୍ ରେ ମଧ୍ୟ ପଢ଼ନ୍ତି ନାହିଁ । ପିଲାଦିନରୁ ସେମାନଙ୍କର ଆଗ୍ରହ ସୀମିତ କରି ରଖିବା ଫଳରେ ବଡ଼ ହେଲାପରେ ଏହିଭଳି ନିସ୍ପୃହତା ଅନେକ ସ୍ତ୍ରୀ ଲୋକଙ୍କଠାରେ ଦେଖାଯାଉଛି ।

 

ପିଲାକୁ ଉପଦେଶ ଦେଇ ତା’ ମନରେ ଶିଖିବାର ଆଗ୍ରହ ସୃଷ୍ଟି କରିହେବ ନାହିଁ । ଜାଣିବାରେ ଯେଉଁ ଆନନ୍ଦ, ସେ ଆନନ୍ଦ ଅନୁଭବ କଲେ ପିଲାର ଆଗ୍ରହ ବଢ଼ିବ । ସେହିପରି ତା’ର ଉଦ୍ୟୋଗ ଓ କର୍ମ ପ୍ରଚେଷ୍ଟା ପାଇଁ ଅନ୍ୟଠାରୁ ପ୍ରଶଂସା ପାଇଲେ ସେ ଶିଖିବାକୁ ଚେଷ୍ଟା କରିବ । ଅବୁଝା ବିଷୟ ବୁଝି, ଅଣାୟତ୍ତ ବିଷୟକୁ ଆୟତ୍ତ କରି ପିଲା ନିଜର ଯୋଗ୍ୟତା ଅନୁଭବ କରେ । ସେଥିଲାଗି ତା’ର ପାରଙ୍ଗମପଣକୁ ଅନ୍ୟମାନେ ଆଦର କଲେ ପିଲା ଶିଖିବାରେ ଆଗ୍ରହୀ ହେବ ।

 

ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ବାଲ୍ୟକାଳରେ ପିଲାର ସ୍ୱଭାବ ଓ ବ୍ୟକ୍ତିତ୍ୱ ଶିକ୍ଷାଳୟର ବାତାବରଣ ଭିତରେ ହିଁ ପ୍ରଧାନତଃ ଗଢ଼ିଉଠେ । ଘରେ ବାପା ମାଆ ଓ ଭାଇ ଭଉଣୀଙ୍କର ପ୍ରଭାବ ତାକୁ ଯେତିକି ପ୍ରଭାବିତ କରେ ତା ଅପେକ୍ଷା ଶିକ୍ଷକଙ୍କ ବ୍ୟବହାର ଏବଂ ସାଙ୍ଗ ପିଲାଙ୍କର ମତାମତ, ଆଦର୍ଶ ଓ ମୂଲ୍ୟବୋଧ ତା ମନରେ ଅଧିକ ରେଖାପାତ କରେ । ପ୍ରଥମ ସ୍କୁଲ ଜୀବନର ଅଭିଜ୍ଞତା ଗୁଡ଼ିକର ପ୍ରଭାବ ପରବର୍ତ୍ତୀ ଜୀବନରେ ସୁଦୂର ପ୍ରସାରୀ ହୋଇଥାଏ । ସେଥିଲାଗି ସ୍କୁଲ ଜୀବନର ଦୁଇଟ ପ୍ରଧାନ ଅଭିଜ୍ଞତା ବିଷୟରେ ଶିକ୍ଷକ ଓ ଅଭିଭାବକମାନଙ୍କର ସଚେତନ ହବା କଥା । ଗୋଟିଏ ହେଲା

 

ପ୍ରଥମଟି–ପରସ୍ପର ସହିତ ପ୍ରତିଯୋଗିତା ବା ସହଯୋଗିତାର ସମ୍ପର୍କ ସ୍ଥାପନ କରିବା–

 

ଦ୍ୱିତୀୟଟି–ନିୟମ ଶୃଙ୍ଖଳା ମାନି ଆତ୍ମ ନିୟନ୍ତ୍ରଣ କରିବାକୁ ଶିଖିବା ।

 

ପ୍ରତିଯୋଗିତା ବା ସହଯୋଗିତା–

 

‘ମଣିଷ ପରସ୍ପରକୁ ସାହାଯ୍ୟ କରି ଚଳିବ’–ଏହି ବିଶ୍ଵାସ ଉପରେ ନିର୍ଭର କରି ଆମ ସମାଜ ଗଢ଼ି ଉଠିଛି । ଜନ୍ମ, ମୃତ୍ୟୁ, ବିବାହ-ଜୀବନର ଏହି ତିନୋଟିଯାକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଆମେ ଆତ୍ମୀୟସ୍ୱଜନ ଓ ସାଇପଡ଼ିଶାଙ୍କର ବିନା ସାହାଯ୍ୟରେ ଚଳିପାରୁନାହିଁ । ପାଶ୍ଚାତ୍ୟର ଶିଳ୍ପ ସମୃଦ୍ଧ ଦେଶଗୁଡ଼ିକରେ ଏ ସବୁ ଅବସ୍ଥାରେ ଟଙ୍କା ଦେଇ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ଜରିଆରେ କାମ ତୁଲେଇ ହେଉଛି । ସେଠି ଶବସତ୍କାର ସମୟରେ ଆତ୍ମୀୟ ବନ୍ଧୁଙ୍କର କେବଳ ଉପସ୍ଥିତି ଦରକାର, ସତ୍କାର କାମ କମ୍ପାନୀ କରେ । ଅନ୍ୟଲୋକ ପଇସା ନେଇ କାମ କରୁଥିବାରୁ ବନ୍ଧୁ ବାନ୍ଧବଙ୍କ ଉପରେ ନିର୍ଭର କରିବାକୁ ପଡ଼େନି । ପିଲା ଜନ୍ମବେଳେ ଘରକାମ ତୁଲେଇବା ଲାଗି ବା ଅନ୍ୟ ପିଲାଙ୍କୁ ଜଗିବା ଲାଗି ପଇସା ଦେଇ ଲୋକ ରଖାଯାଏ । ଦୁର୍ଘଟଣାରେ ବାପା ମାଆଙ୍କର ମୃତ୍ୟୁ ହେଲେ ପିଲାକୁ ଅନ୍ୟଲୋକଙ୍କ ଘରେ ରଖି ପାଳିବାର ବ୍ୟବସ୍ଥା ସରକାର କରିଛନ୍ତି । ବୁଢ଼ାବୁଢ଼ୀଙ୍କୁ ପୁଅଝିଅ ନ ପଚାରିଲେ ସରକାର ସେମାନଙ୍କ ପାଇଁ ଆଶ୍ରୟଶାଳା ତିଆରି କରିଛନ୍ତି; ମାତ୍ର ଆମ ଦେଶରେ ଏ ସବୁ ଅବସ୍ଥାରେ ନିଜର ଆତ୍ମୀୟସ୍ୱଜନ ଛଡ଼ା ଅନ୍ୟ କେଉଁଠାରୁ ସାହାଯ୍ୟ ପାଇବାର ବ୍ୟବସ୍ଥା ନାହିଁ କିମ୍ବା ଅଦୂର ଭବିଷ୍ୟତରେ ମଧ୍ୟ ଏପରି ବ୍ୟବସ୍ଥା ହେବ ନାହିଁ । ଏହା ହେଲା ବାସ୍ତବ ସତ୍ୟ । ଏହି ବାସ୍ତକ ଜୀବନର ଉପଯୁକ୍ତ କରି ଆମେ ପିଲାମାନଙ୍କୁ ବଢ଼ଉଛୁ କି ?

 

ଯଦିଓ ଆମେ ଜାଣୁଛୁ ଯେ ପରସ୍ପର ସହିତ ସଦ୍‌ଭାବ, ପ୍ରୀତି ଓ ସହଯୋଗିତା ନଥିଲେ ଆମେ ଚଳିପାରିବୁ ନାହିଁ, ତଥାପି ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ଆମେ ପିଲାଙ୍କ ଭିତରେ ସହଯୋଗିତା ଅପେକ୍ଷା ପ୍ରତିଯୋଗିତାର ମନୋଭାବ ବଢ଼ାଉ । ପିଲା ଜନ୍ମହେଲା ଦିନରୁ ବାପା ମାଆ ନିଜ ପିଲାକୁ ଭାଇ ଭଇଣୀ ବା ଅନ୍ୟ ଆତ୍ମୀୟ ସ୍ୱଜନଙ୍କ ପିଲା ସହିତ ପ୍ରତ୍ୟେକ ବିଷୟରେ ତୁଳନା କରି ଚାଲିଥାଆନ୍ତି । ପିଲା ଜ୍ଞାନ ହେଲା ଦିନରୁ ଶୁଣେ-“ସେ କେମିତି” ଶୀଘ୍ର ଶୀଘ୍ର ଦୁଧ ପିଇ ଦଉଛି, ତୁ ଶୀଘ୍ର ଶୀଘ୍ର ପିଇଦେଲେ ଆଗ ହୋଇଯିବୁ । ଆଗ ହେଲା ସୁନାପାଗ ।” ପିଲା ଦୌଡ଼ିଲା ବେଳକୁ–କିଏ ଦୌଡ଼ିବାରେ ଆଗହେବ ଦେଖିବା । ପିଲା ଜାମାପଟା ପିନ୍ଧି ବୁଲି ବାହାରିବ, ସେଥିରେ ମଧ୍ୟ ମାଆମାନେ କହିବେ–“କିଏ ଆଗ କାମ ସାରି ବାହାରି ପଡ଼ୁଛି ଦେଖିବା-।” ସବୁ କାମ ପଛରେ ମୂଳ ପ୍ରେରଣା ହେଲା କେମିତି ଅନ୍ୟମାନଙ୍କୁ ଟପିଯିବା । ସ୍କୁଲ ଆରମ୍ଭ ହେଲେ ପିଲାକୁ ଆହୁରି ଚାପ ଦିଆଯାଏ । ଏଯାକେ ଖାଇବା, ଦୌଡ଼ିବା, ଖେଳିବା ଓ ଭଲପିଲା ହେବା ଇତ୍ୟାଦି ସାମାନ୍ୟ ବିଷୟରେ ଦୁଇ ଚାରିଜଣ ପିଲାଙ୍କୁ ଟପିବାବୁ ପଡ଼ୁଥିଲା । ବର୍ତ୍ତମାନ ପାଠ ପଢ଼ାରେ, ଖେଳାଖେଳିରେ, ହାତକାମରେ, ଗୀତ ନାଚ ଇତ୍ୟାଦି ସବୁ ବିଷୟରେ କ୍ଲାସଯାକରେ ଯେତେ ପିଲା ଅଛନ୍ତି ସମସ୍ତଙ୍କୁ ଟପିବାକୁ ପଡ଼ିବ । ପିଲାର ବାପାମାଆ ଚାହାନ୍ତି କ୍ଲାସରେ ତାଙ୍କ ପିଲା ପ୍ରଥମ ହେଉ । କ୍ଳାସରେ ଯେ କେବଳ ଗୋଟାଏ ପିଲା ପ୍ରଥମ ହୋଇ ପାରିବ, ସେକଥା ସେମାନେ ଜାଣନ୍ତି । ତଥାପି ତାଙ୍କ ପିଲା ପ୍ରଥମ ହୋଇ ନ ପାରିଲେ ଦୁଃଖିତ ହୁଅନ୍ତି । ପିଲାକୁ ବାରମ୍ବାର ବୁଝାନ୍ତି, ସେ ଯଦି ଅନ୍ୟମାନଙ୍କୁ ପାଠ ପଢ଼ାରେ ଟପି ପାରିବ ନାହିଁ, ତା’ହେଲେ ଭଲ ଚାକିରୀ ମିଳିବ ନାହିଁ । ଭଲ ଚାକିରୀ ନ ମିଳିଲେ ଜୀବନରେ ଉନ୍ନତି କରି ପାରିବ ନାହିଁ, ଭଲ ଜାଗାରେ ବାହାହୋଇ ପାରିବ ନାହିଁ, କେହି ତାକୁ ମାନସମ୍ମାନ ଦେଖାଇବେ ନାହିଁ । ସେ ଜୀବନ ଯାକ ସମସ୍ତଙ୍କର ତଳିଆ ହୋଇ ରହିବ । ସେ ଯଦି ଏଭଳି ଅନ୍ଧକାରମୟ ଭବିଷ୍ୟତ କବଳରୁ ରକ୍ଷା ପାଇବାକୁ ଚାହେଁ, ତା ହେଲେ ବର୍ତ୍ତମାନଠାରୁ ଅନ୍ୟମାନଙ୍କୁ ପାଠପଢ଼ାରେ ଓ ପ୍ରଭାବ ପ୍ରତିପତ୍ତିରେ ଟପିଯିବା ପାଇଁ ଲାଗିପଡ଼ୁ । ପ୍ରତିଯୋଗିତାର ଏହି ଆକର୍ଷଣୀୟ ଦିଗଟା ଆମେ ସବୁବେଳେ ଦେଖୁ । ଏହାର ଯେ ଗୋଟାଏ କୁତ୍ସିତ ଦିଗ ଅଛି ସେ କଥା ଆମେ ଭୁଲିଯାଉ ।

 

ଭାଇ ଭାଇ ଭିତରେ ପ୍ରତିଯୋଗିତା କାଳକ୍ରମେ ପ୍ରତିଦ୍ୱନ୍ଦିତାରେ ପରିଣତ ହୁଏ । ଫଳରେ ଭାଇ ଭଗାରୀ ହୁଏ । ସେ ବିଦ୍ୟାରେ, ଧନରେ ବା ପାରିବାରିକ ସୁଖ ସୌଭାଗ୍ୟରେ ଯଦି ନିଜର ଅନ୍ୟ ଭାଇ ଭଉଣୀଙ୍କୁ ଟପିଯାଏ ତା’ହେଲେ ମୁହଁରେ ଆନନ୍ଦ ଦେଖାଉଥିଲେ ମଧ୍ୟ ମନରେ ଈର୍ଷା ବଢ଼ୁଥାଏ । ଲୋକେ ଭାବନ୍ତି, ପିଲାଦିନରୁ ସାଙ୍ଗ ହୋଇ ଯେଉଁମାନେ ଏକା ସ୍କୁଲରେ ପାଠ ପଢ଼ିଛନ୍ତି ବଡ଼ ହେଲା ପରେ ସେମାନେ ପରସ୍ପରକୁ ସାହାଯ୍ୟ କରିବେ । ବାସ୍ତବରେ ପିଲାଦିନର ଈର୍ଷା, ବଡ଼ ହେଲାପରେ ପରସ୍ପର ପ୍ରତି ହିଂସାରେ ପରିଣତ ହୁଏ । କେହି କାହାର ଶ୍ରୀ ସହି ପାରନ୍ତି ନାହିଁ । ଅନ୍ୟଲୋକ ମୁହଁରୁ ନିଜର ପ୍ରତିଯୋଗୀର ପ୍ରଶଂସା ଶୁଣିଲେ ଦେହ ଜଳିପୋଡ଼ି ଯାଏ । ନିଜ ଝିଅ ବାହାହେଲା ପୂର୍ବରୁ ଝିଆରୀ ଯଦି ଭଲଘରେ ବାହା ହୋଇଯାଏ, ତା’ହେଲେ ଦୁଃଖରେ ଛାତି ଫାଟିଯାଏ । ଝିଅ ବାହାଘର ପ୍ରସ୍ତାବ ସବୁ ମାଆମାନେ ନିଜର ଅତି ନିକଟ ଆତ୍ମୀୟଠାରୁ ମଧ୍ୟ ଲୁଚାନ୍ତି; କାଳେ ସେମାନଙ୍କ ଭିତରୁ କିଏ ଭଙ୍ଗେଇଦେବ । ପରସ୍ପର ପ୍ରତି ଏଇ ଯେ ସନ୍ଦେହ, ଅବିଶ୍ଵାସ ଓ ଈର୍ଷା ଆମର ପାରିବାରିକ ଜୀବନକୁ ନଷ୍ଟ କରି ଦେଉଛି । ବାହାର ଲୋକଙ୍କୁ ମଧ୍ୟ ଆମେ ସବୁବେଳେ ପ୍ରତିଯୋଗୀର ମନୋଭାବ ନେଇ ଦେଖୁଛୁ । ସାହି ପଡ଼ିଶାରେ ଯଦି କାହାର ଭଲ ଆସବାବ ପତ୍ର ଅଛି, ଆମର ମଧ୍ୟ ସେପରି ଜିନିଷ ଦରକାର । ସେସବୁ ଜିନିଷ ପଛେ ଆମର ବ୍ୟବହାରରେ ନ ଲାଗୁ, କିନ୍ତୁ ଆମେ ଅନ୍ୟଠାରୁ ତ ଊଣା ହେବୁନାହିଁ ! ସବୁବେଳେ ମଣିଷକୁ ‘ଶ୍ରେଷ୍ଠ କିମ୍ବା ନିକୃଷ୍ଟ’ ଏହି ଅନୁସାରେ ବିଚାର କରି କରି ଆମେ ଏମିତି ଗୋଟାଏ ଅବସ୍ଥାରେ ପହଞ୍ଚିଲୁଣି ଯେ, ଆଉ ନିଜର ସମକକ୍ଷ ଲୋକ ସହିତ ଚଳି ପାରୁନାହୁଁ । ଶ୍ରେଷ୍ଠ ଲୋକଙ୍କୁ ସହି ପାରୁନୁ; ନିକୃଷ୍ଟ ଲୋକଙ୍କୁ ବିଦ୍ରୂପ କରି ମନର ଅଭିମାନ ମେଣ୍ଟାଉଛ । କାହା ସହିତ ଆନ୍ତରିକତା ରହୁନାହିଁ । ସଦ୍‌ଭାବ, ପ୍ରୀତି ଓ ସହଯୋଗିତା କ୍ରମଶଃ ଲୌକିକତାରେ ପରିଣତ ହେଉଛି । ପ୍ରତିଯୋଗୀତାର ଏହି ଗରଳ ପିଇ ଆମେ କେତେ ଦିନ ସଂସାରରେ ବଞ୍ଚି ରହିବୁ ? କାରଣ ଆଜି ଯଦି ନିଜର ମୃତ୍ୟ ହୁଏ ତା’ହେଲେ ନିଜ ପିଲାଙ୍କୁ ଭାଇ ବା ଭଉଣୀ ନ ପାଳିଲେ ସେମାନେ ଅନାଥ ହୋଇ ବଢ଼ିବେ । ଦେହ ଦୁଃଖରେ ପଡ଼ିଲେ ଏକୁଟିଆ ସ୍ତ୍ରୀ, ଘରଦ୍ୱାର, ପିଲା, ରୋଗୀ, ସବୁକଥା ସମ୍ଭାଳି ପାରିବ ନାହିଁ । ସେଥିପାଇଁ ଏପରି ବିପଦରେ ସହଯୋଗୀ ବନ୍ଧୁ ଲୋଡ଼ା ।

 

ଆମ ଦେଶରେ ସବୁବେଳେ ଦୋକାନ ବଜାରରେ ସବୁ ଜିନିଷ ମିଳେ ନାହିଁ । ଶିଶୁଖାଦ୍ୟ ବା ତେଲ ଚିନି ଟିକିଏ ପାଇବା ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ା । ମନର ଅଶାନ୍ତି କେମିତି ଦୂର ହେବ ସେଥିଲାଗି ବନ୍ଧୁର ପରାମର୍ଶ ଦରକାର । ଘରର ସମସ୍ୟା ସମାଧାନ ଲାଗି ବୟସ୍କ ଆତ୍ମୀୟଙ୍କର ଦ୍ୱାରସ୍ଥ ହେବାକୁ ପଡ଼େ । କେମିତି ଏମାନଙ୍କ ସହିତ ସଦଭାବ, ପୀତି ଓ ସହଯୋଗିତାର ସମ୍ବନ୍ଧ ସ୍ଥାପନ କରିବ ସେ କଥା ପିଲାକୁ କେହି ଶିଖାଉ ନାହାନ୍ତି ।

 

ବର୍ତ୍ତମାନର ପିଲାମାନେ ଯଦି ଆମମାନଙ୍କ ପରି ବଢ଼ି ଉଠନ୍ତି, ତା’ ହେଲେ ସେମାନେ ମଧ୍ୟ ଆମପରି ପରଶ୍ରୀକାତର, ଈର୍ଷାପରାୟଣ ଓ ଆତ୍ମାଭିମାନୀ ହୋଇ ବଡ଼ ହେବେ । ସେଥିଲାଗି ଘରେ ଓ ସ୍କୁଲରେ ପିଲାଙ୍କୁ ପରସ୍ପର ସହିତ ପ୍ରତିଯୋଗିତା କରିବାକୁ ନ ଶିଖେଇ ସହଯୋଗିତା କରିବାକୁ ଶିଖାଇଲେ ପିଲାର ଉପକାର ହେବ ।

 

କେମିତି ପ୍ରତିଦ୍ୱନ୍ଦିତା କମିବ–

 

କ୍ଳାସରେ ପିଲାକୁ ପ୍ରଥମ, ଦ୍ୱିତୀୟ, ତୃତୀୟ, ଇତ୍ୟାଦି ଉଚ୍ଚରୁ ନୀଚ ପର୍ଯ୍ୟନ୍ତ ସ୍ଥାନ ନ ଦେଇ କେତେଜଣ ପ୍ରଥମ ଶ୍ରେଣୀ, କେତେଜଣ ଦ୍ୱିତୀୟ ଶ୍ରେଣୀ ଓ କେତେଜଣ ତୃତୀୟ ଶ୍ରେଣୀର ନମ୍ବର ରଖିଛନ୍ତି ସେ ବିଷୟ ନିରୂପଣ କଲେ କ୍ଷତି କ’ଣ ? ଏହା ଫଳରେ ପ୍ରତିଯୋଗୀ ମନୋଭାବ କମିଯିବ ନାହିଁ ମାତ୍ର ବ୍ୟକ୍ତିଗତ ଈର୍ଷା ଓ ପ୍ରତିଦ୍ୱନ୍ଦିତା କମିବ । ପିଲାମାନେ ଯେତେବେଳେ ଶିଖିବା କୌଶଳ ଆୟତ୍ତ କରୁଛନ୍ତି, ସେତେବେଳେ ଦକ୍ଷତାର ଶ୍ରେଣୀ ନିରୂପଣ ନ କରି ଜଣେ କଣ ଶିଖିଛି ଓ ଶିଖିପାରି ନାହିଁ ସେ ବିଷୟ ଉଲ୍ଲେଖ କଲେ ବେଶୀ ଲାଭ ହେବ । ହସ୍ତାକ୍ଷରରେ ପିଲା ୧୦୦ ନମ୍ବରରୁ ୩୦ ନମ୍ବର ପାଇଛି ଜାଣିଲେ, କ’ଣ କରିବା କଥା ସେ କଥା ପିଲା କି ଘରଲୋକ ଜାଣିପାରିବେ ନାହିଁ । ପିଲା ମନ ଦଉନି ବୋଲି କମ୍ ନମ୍ବର ପାଇଲା ନା-ତା’ର କମ୍ ବୟସ ହେତୁ ଆଙ୍ଗୁଠିଗୁଡ଼ିକ ସୁସମ୍ବଦ୍ଧ ଭାବରେ କାମ କରୁ ନ ଥିବାରୁ ଲେଖିପାରୁନାହିଁ, ନା-ଅନ୍ୟ ଅକ୍ଷର ଭଲ ଲେଖୁଛି କେବଳ ଯୁକ୍ତାକ୍ଷର ଠିକ୍ ରୂପେ ଲେଖି ନ ପାରିବାରୁ ତା’ର ନମ୍ବର କମିଗଲା ? ପରୀକ୍ଷା ନମ୍ବରରୁ ପିଲା କାହିଁକି ପାଠରେ ପାରୁନାହିଁ ସେ ବିଷୟ ଧାରଣା କରିବା ଆଦୌ ସହଜ ନୁହେଁ । ଏଥିଲାଗି ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପରୀକ୍ଷା ନମ୍ବର ଅନୁସାରେ ପିଲାର ଯୋଗ୍ୟତାର ବିଚାର କଲେ କାହାରି ବିଶେଷ ଲାଭ ହୁଏ ନାହିଁ ।

 

ଘରେ ବା ସ୍କୁଲରେ ପିଲାକୁ ଅନ୍ୟ ପିଲାଙ୍କ ପରି ଭଲ ହେବାକୁ ଉପଦେଶ ଦେଲେ ବିପରୀତ ଫଳ ହୁଏ । କାରଣ ସେଥିରେ ନିଜର ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଯାଏ । ଅନ୍ୟ ଲୋକଠାରୁ ନିଜକୁ ଅପଦାର୍ଥ ବୋଲି ମାନିନେବାକୁ ନିଜ ଅନ୍ତରକୁ ବାଧେ । ଏଥିଲାଗି ତୁଳନାତ୍ମକ ବିଚାରର ସମ୍ମୁଖୀନ ହେଲେ, ଅଧିକାଂଶ ଲୋକ ଶ୍ରେଷ୍ଠ ବୋଲି କୁହାଯାଉଥିବା ଲୋକର ଦୋଷ ଦୁର୍ବଳତା ଦେଖାଇ, ସେପରି ଲୋକକୁ ଅପଦାର୍ଥ ପ୍ରମାଣ କରି ନିଜର ମନ ରକ୍ଷା କରିବାକୁ ଚେଷ୍ଟା କରନ୍ତି । ଯଥା–

 

ମାଆ–ପଡ଼ିଶା ଘର ବୀର ସବୁ ପରୀକ୍ଷାରେ ଅଙ୍କରେ ଶହେରୁ ଶହେ ନମ୍ବର ରଖୁଛି; ତୁ ତା’ ପରି ମନଦେଇ ପଢ଼ୁନୁ କାହିଁକି ?

 

ପୁଅ–ହଁ, ସେମିତି ଗଣ୍ଡମୁର୍ଖ, ବହି–ପୋକ ହେବାକୁ ମୁଁ ଚାହେନା । ଆମେ ସମସ୍ତେ ସେଦିନ ଭାରତ ଓ ଅଷ୍ଟ୍ରେଲିଆର କ୍ରିକେଟ ଖେଳର ଧାରା ବିବରଣୀ ରେଡ଼ିଓରୁ ଶୁଣୁଥିଲୁ । ସେ କ୍ରିକେଟ ଖେଳ କଥା ପଦେ ହେଲେ ବୁଝିପାରିଲା ନାହିଁ ।

 

ଶିକ୍ଷକ ଓ ଛାତ୍ର ସମ୍ପର୍କରେ ମଧ୍ୟ ଏପରି ଘଟଣାର ପୁନରାବୃତ୍ତି ଦେଖ ।

 

ଶିକ୍ଷକ–ତୁ ସୁରର ଭାଇ । ଗଲାବର୍ଷ ସୁର ଆମ ସ୍କୁଲରୁ ବୃତ୍ତି ପାଇ ସ୍କୁଲର ନାଆଁ ରଖିଲା । ତୁ ତା ପରି ଆମ ସ୍କୁଲର ନାଆଁ ରଖିବା ପାଇଁ ଚେଷ୍ଟା କର ।

 

ଛାତ୍ର–ଆପଣ ସାର୍, ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଯେତେବେଳେ ଭଲ କ୍ରିକେଟ ଖେଳି ସର୍ବଭାରତୀୟ ଦଳ ପାଇଁ ମନୋନୀତ ହେବି, ସେତେବେଳେ ସ୍କୁଲର ଖ୍ୟାତି ଚାରିଆଡ଼େ ବ୍ୟାପିଯିବ ।

 

ବଡ଼ମାନେ ଭାବନ୍ତି ଯେ ଅନ୍ୟଜଣେ ସମବୟସ୍କ ପିଲାକୁ ଆଦର୍ଶ କରି ସାମ୍ନାରେ ଥୋଇଲେ ପିଲା ସେହି ଆଦର୍ଶକୁ ଅନୁସରଣ କରି ତା’ରି ପରି ହେବାରୁ ଚାହିଁବ । ମାତ୍ର ସେମାନେ ଏପରି କରିବା ଦ୍ୱାରା ପରୋକ୍ଷ ଭାବରେ ପିଲାକୁ ହେୟ ବୋଲି ପ୍ରତିପନ୍ନ କରୁଥିବାରୁ ଆଦର୍ଶ ସ୍ଥାନୀୟ ପିଲା ପ୍ରତି ଏ ପିଲାର ମନରେ ଅକାରଣ ବିଦ୍ୱେଷ ଜନ୍ମେ । ଆମ ସଂସ୍କୃତିରେ ପିଲା ଜ୍ଞାନ ହେଲା ଦିନରୁ ଅନ୍ୟ ସହିତ ତୁଳନା ହୋଇ ବଢ଼ୁଥିବାରୁ, ବଡ଼ହେଲା ପରେ ଚିହ୍ନା ଲୋକ ହେଉ ବା ଅଜଣା, ଅଚିହ୍ନା ଲୋକ ହେଉ, କାହାର ଖ୍ୟାତି ଓ ସାଫଲ୍ୟ ଦେଖିଲେ ଈର୍ଷାରେ ଜର୍ଜରିତ ହୁଏ । ଅନ୍ୟର ସୁଖ, ସୌଭାଗ୍ୟ, ସାଫଲ୍ୟ ଏସବୁ ଦେଖିଲେ ନିଜ ସାଫଲ୍ୟର ଗୌରବ କମିଗଲା ଭାବି ବ୍ୟଥିତ ହୁଏ । ଏଥିପାଇଁ ଆମ ଦେଶରେ ଧନ, ମାନ,ଗୌରବ ଓ ସାର୍ଥକତା ଲାଭ କରିଥିବା ଲୋକଠାରେ ମଧ୍ୟ ଏପରି ପରଶ୍ରୀକାତରତା ଦେଖାଯାଏ । ଅନ୍ୟପ୍ରତି ଅକାରଣ ବିଦ୍ୱେଷର ବୀଜ ପିଲାମନରେ ବଡ଼ମାନେହିଁ ବୁଣିଥାନ୍ତି । ପାଠ, ଖେଳ ସବୁ ବିଷୟରେ ପିଲା ସହିତ ସାଙ୍ଗ ପିଲାର ସମ୍ପର୍କ ପ୍ରତିଦ୍ୱନ୍ଦିତାମୂଳକ ହୋଇଥିବାରୁ ମନରେ ପରସ୍ପର ପ୍ରତି ବିଦ୍ୱେଷ ଓ ହିଂସାଭାବଟି ସ୍ଥାୟୀ ହୁଏ । ବନ୍ଧୁତା, ସ୍ନେହ ଓ ପ୍ରୀତ ଇତ୍ୟାଦି ସଦ୍‍ଭାବ ଲୋକ ଦେଖାଣିଆ ବ୍ୟବହାର ହୋଇ ରହିଯାଏ-। ମନଭିତରୁ ଅନ୍ୟପ୍ରତି ଏସବୁ ଭାବ ବାହାରେ ନାହିଁ; ଫଳରେ ତୁଚ୍ଛା କଥାରେ ଲୋକଙ୍କର ପରସ୍ପର ସହିତ ମନାନ୍ତର ଘଟେ ଓ ଅସଦ୍‍ଭାବ ବଢ଼େ । ଏହାର ପ୍ରତିକାର କରିବାକୁ ହେଲେ ବଡ଼ମାନଙ୍କୁ ନିଜର ଚିନ୍ତାଧାରାକୁ ବଦଳେଇ ନୂଆ ଉପାୟରେ ପିଲାଙ୍କୁ ବଢ଼େଇବାକୁ ପଡ଼ିବ । ପ୍ରତିଦ୍ୱନ୍ଦିତା ଅପେକ୍ଷା ସହଯୋଗିତା ମଣିଷ ସମାଜକୁ ବେଶୀ ସୁହାଇବ ବୋଲି ମନରେ ବିଶ୍ଵାସ ଜନ୍ମିଲେ ଆମେ ଏ ଦିଗରେ ଆଗେଇ ପାରିବୁ । ନଚେତ୍ ଆମେ ସେହି ପୁରୁଣା ବାଟରେ ଚାଲି ଜୀବନସାରା ଧନ୍ଦିହେବୁ । ଆମ ସମାଜଠାରୁ ସମ୍ପୂର୍ଣ୍ଣ ଅଲଗା ଆଉ ଏକ ସମାଜର ପ୍ରତିଯୋଗିତା ହୀନ ଜୀବନଧାରା ଵିଷୟ ଏଠାରେ ଆଲୋଚନା କରୁଛି ।

 

କାନାଡ଼ାର ଏସ୍କିମୋମାନଙ୍କ ସମାଜରେ ପରସ୍ପର ସହିତ ପ୍ରତିଦ୍ୱନ୍ଦିତାମୂଳକ ସମ୍ପର୍କ ନାହିଁ । ସେମାନଙ୍କର ସମାଜିକ ଚିନ୍ତାଧାରାରେ ବା ପାରିବାରିକ ଜୀବନରେ ତେଣୁ କେହି କାହାକୁ ତୁଳନାମୂଳକ ଭାବରେ ବିଚାର କରନ୍ତି ନାହିଁ । କିଏ ସବୁଠାରୁ ସୁନ୍ଦରୀ, କିଏ ସୁବୁଠାରୁ ଭଲ ଖେଳାଳୀ, କିଏ ବଡ଼ ଶିକାରୀ, ବା କିଏ ସବୁଠାରୁ ଧନୀ-ସେ ବିଷୟରେ ଅନ୍ୟମାନେ ସଚେତନ ନୁହନ୍ତି । ଏଭଳି ପ୍ରଶ୍ନ ସେମାନଙ୍କୁ ପଚରାଗଲେ ସେମାନେ ହଠାତ୍ ଉତ୍ତର ଦେଇ ପାରନ୍ତି ନାହିଁ । ବହୁତ ଖୋଳିତାଡ଼ି ପଚାରିଲେ କହିବେ–ସେମାନେ ତ ଶିକାର ଶିଖୁଛନ୍ତି,ବଡ଼ମାନେ ଶିକାର କରି ଜାଣିଛନ୍ତି । କିଏ ଭଲ ଆମେ କେମିତି ଜାଣିବୁ ? ସେମାନଙ୍କର ଖେଳ ମଧ୍ୟ ଏହି ମନୋଭାବକୁ ପ୍ରତିଫଳିତ କରେ । ସେମାନଙ୍କ ମତରେ ଜୀବଜନ୍ତୁଙ୍କ ଆକ୍ରମଣରୁ ଆତ୍ମରକ୍ଷା କରିବା ଲାଗି ଭଲଭାବରେ ଦୌଡ଼ି ଶିଖିବାଟା ସମସ୍ତଙ୍କ ପାଇଁ ଦରକାର । ସେହିପରି ଭଲ ପହଁରି ଶିଖିବାଟା ମଧ୍ୟ ଅତ୍ୟନ୍ତ ପ୍ରୟୋଜନୀୟ । ତେଣୁ ସମସ୍ତେ ଏ ବିଷୟରେ ପାରଙ୍ଗମ ହେବା ଦରକାର । ତେଣୁ ଯିଏ ଫେଲ୍ ହେବା ସ୍ତରରେ ଅଛି, ସେ ପ୍ରଥମ ହେବା ସ୍ତରକୁ ନ ଆସିବା ପର୍ଯ୍ୟନ୍ତ ପହଁରା ଅଭ୍ୟାସ କରୁଥିବ । ତାଙ୍କ ମତରେ ଦୌଡ଼ିବାରେ ବା ପହଁରିବାରେ ନୈପୁଣ୍ୟ ଅର୍ଜ୍ଜନ କରିବାଟା ହିଁ ହେଲା ମୁଖ୍ୟ କଥା । ସେମାନେ ଖେଳରେ ଜିତିବା ବା ହାରିବା ଅନୁସାରେ ବା ପାଠରେ ପାସ୍-ଫେଲ ଅନୁସାରେ ବ୍ୟକ୍ତିର ନୈପୁଣ୍ୟର ବିଚାର ନକରି, ସେ ନୈପୁଣ୍ୟର କେଉଁ ସ୍ତରରେ ଅଛି ସ୍ଥିର କରି ସେହି ଅନୁସାରେ ତାର ଯୋଗ୍ୟତାର ବିଚାର କରିଥାନ୍ତି । ଅନ୍ୟଠାରୁ ଭଲ ହେବାକୁ ଚେଷ୍ଟା ନକରି କାମଟା ଭଲଭାବରେ ଶିଖିବାକୁ ଚେଷ୍ଟା କରନ୍ତି । ସେମାନଙ୍କର ନୈପୁଣ୍ୟ ଉଚ୍ଚକୋଟିର ବୋଲି ବିବେଚିତ ହେଲେ ଯାଇ ସେମାନେ ତୃପ୍ତି ବୋଧ କରନ୍ତି । ଭାଇଠାରୁ ଭଲ କରୁଛି ବା ସାଙ୍ଗ ପିଲାଠାରୁ ଭଲ କରୁଛି ଭାବି ମନରେ ବୃଥା ଆତ୍ମପ୍ରସାଦ ଅନୁଭବ କରି ଖୁସି ହୁଅନ୍ତି ନାହିଁ ।

 

ଏକ୍ସିମୋ ସମାଜ ତୁଳନାରେ ଆମ ସମାଜର ଜୀବନ ଯାତ୍ରା ଜଟିଳ । ତେଣୁ ଜୀବନର ସବୁ କ୍ଷେତ୍ରରୁ ପ୍ରତିଯୋଗିତାର ଭାବ ଦୂର କରିବା ଆମ ଦେଶରେ ସମ୍ଭବ ହେବ ନାହିଁ । ମାତ୍ର ଭାବିଚିନ୍ତି ଚେଷ୍ଟାକରି ସାମାଜିକ ଏବଂ ପାରିବାରିକ ଜୀବନରେ ଅଯଥା ପ୍ରତିଯୋଗିତାର ଭାବ କମାଇଲେ ମନରୁ ଈର୍ଷା, ପରଶ୍ରୀକାତରତା ଓ ହିଂସାର ଭାବ କମିଯିବ । ନଚେତ୍ ଆମେ ପିଲାଙ୍କୁ ଏ ବିଷୟରେ ଯେତେ ମୌଖିକ ଉପଦେଶ ଦେଲେ ମଧ୍ୟ ସେ ସବୁ ଶୁଣି ପିଲାର ସ୍ଵଭାବରେ ପରିବର୍ତ୍ତନ ହେବନାହିଁ ।

 

ନିୟମ ଓ ଶୃଙ୍ଖଳାର ଉଦ୍ଦେଶ୍ୟ–

 

ନିୟମ ଓ ଶୃଙ୍ଖଳା ପାଳନ କରିବାର ଉଦ୍ଦେଶ୍ୟ ହେଲା ଆତ୍ମନିୟନ୍ତ୍ରଣ କରିବାକୁ ଶିଖିବା-। ପିଲାଙ୍କର ମାନସିକ କ୍ଷମତାର ବିକାଶ ଅପୂର୍ଣ୍ଣ ରହିଥିବାରୁ ସେମାନେ ଶୈଶବରେ ଆତ୍ମନିୟନ୍ତ୍ରଣ କରିବାକୁ ଶିଖିପାରନ୍ତି ନାହିଁ । କାରଣ ମଣିଷ ଯେତେବେଳେ ନିଜର ଚିନ୍ତାଶକ୍ତି ଦ୍ୱାରା ନିଜ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର କ୍ଷମତାଲାଭ କରେ, ସେତେବେଳେ ତା’ ପକ୍ଷରେ ଆତ୍ମନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ । ପାଞ୍ଚ ଛ ବର୍ଷ ବୟସ ବେଳକୁ ପିଲାଠାରେ ଏପରି କ୍ଷମତା ଆତ୍ମପ୍ରକାଶ କରେ । ତେଣୁ ପିଲା ସ୍କୁଲ ଗଲାବେଳକୁ ବିଭିନ୍ନ ସାମାଜିକ ନିୟମ ଜାଣିଥାଏ । ମାତ୍ର ସେହି ଅନୁସାରେ କାମ କରିପାରେ ନାହିଁ । ଆମ ଦେଶର ଶିକ୍ଷାଳୟମାନଙ୍କରେ ସାଧାରଣତଃ ନିୟମ ଶୃଙ୍ଖଳା ପାଳନ କରିବା ଉପରେ ଯେତେ ଗୁରୁତ୍ୱ ଦିଆଯାଏ, ପିଲାକୁ ଆତ୍ମ ନିୟନ୍ତ୍ରଣ ଶିଖାଇବା ବିଷୟରେ ସେତେ ଗୁରୁତ୍ୱ ଦିଆଯାଏ ନାହିଁ । ଫଳରେ ବଡ଼ମାନଙ୍କ ଉପସ୍ଥିତିରେ ପିଲା ନିୟମ ମାନି ଚଳନ୍ତି ମାତ୍ର ସେମାନଙ୍କର ଅନୁପସ୍ଥିତିରେ ସବୁପ୍ରକାର ଚଗଲାମୀ କରୁଥାନ୍ତି । ଅନେକ ସମୟରେ ଜଣେ କେହି ଧମକେଇ ମନା ନ କରିବା ପର୍ଯ୍ୟନ୍ତ ପିଲା ଦୁଷ୍ଟାମୀ ବନ୍ଦକରି ପାରନ୍ତି ନାହିଁ ।

 

ଜୀବନର ସବୁ ଅବସ୍ଥାରେ ଧମକେଇ ବା ଗାଳିଦେଇ ଠିକ୍ ବାଟ ବତେଇବାକୁ ବଡ଼ମାନେ ପାଖରେ ନଥିବେ । ତେଣୁ ପିଲା ନିଜକୁ ନିଜେ ଅପକର୍ମରୁ ବିରତ କରି ନ ପାରିଲେ ଅସୁବିଧାରେ ପଡ଼ିବ । ପରୀକ୍ଷାକରି ଦେଖାଯାଇଛି ଯେ ଅଧିକାଂଶ ବାଳ ଅପରାଧୀଙ୍କଠାରେ ଆତ୍ମନିୟନ୍ତ୍ରଣ କ୍ଷମତାର ଅଭାବ ଥାଏ । ସେମାନେ ଲୋଭ ସମ୍ଭାଳି ନପାରି ଦୋକାନରୁ ବା ଅନ୍ୟଲୋକ ଘରୁ ଜିନିଷ ଚୋରାଇ ନିଅନ୍ତି । ରାଗ ସମ୍ଭାଳି ନପାରି ରାଗରେ ବାଡ଼ଉ ବାଡ଼ଉ ଲୋକ ମାରି ଦେଇଛନ୍ତି । ସାଧାରଣ ଲୋକଙ୍କ ପରି ସେମାନେ ନିଜର ଇଚ୍ଛାକୁ ନିୟନ୍ତ୍ରିତ କରିପାରନ୍ତି ନାହିଁ । ତେଣୁ ବାଲ୍ୟ କାଳରେ ମଣିଷ ଯଦି ସବୁବେଳେ ଅନ୍ୟଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇ ରହେ, ତା’ହେଲେ ବଡ଼ହେଲା ପରେ (ସେ ଯେତେବେଳେ ସ୍ଵାଧୀନ ଭାବରେ ଚଳିବାକୁ ଆରମ୍ଭ କରେ) ତା’ର ଯଥେଚ୍ଛାଚାରୀ ଓ ଉଚ୍ଛୃଙ୍ଖଳ ହେବାର ସମ୍ଭାବନା ବଢ଼ିଯାଏ । ଏଥିଲାଗି ପିଲାକୁ ମୂଳରୁ ଆତ୍ମ-ନିୟନ୍ତ୍ରଣ ଶିଖାଇବା ଦରକାର ।

 

କିପରି ଆତ୍ମ-ନିୟନ୍ତ୍ରଣ କରିବାକୁ ଶିଖାଇବ–

 

ସାଧାରଣତଃ ପିଲା ଅନିୟମ କଲେ କଠୋର ଶାସ୍ତି ପାଏ । କାରଣ ଆମେ ଭାବୁ ଶାସ୍ତି ଦେଲେ ପିଲାର ଭୟ ହେବ ଓ ପିଲାର ଭୟ ହେଲେ ସେ ଏପରି କାମ ଆଉ କରିବ ନାହିଁ । ମାତ୍ର ବିଭନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରର ଶାସ୍ତି ଦିଅନ୍ତି । ତେଣୁ ସବୁ ଶାସ୍ତିର ଫଳ ଭିନ୍ନ ଭିନ୍ନ ଭାବରେ ପିଲାକୁ ପ୍ରଭାବିତ କରେ । ଯଥା-ଶିକ୍ଷକ କ୍ଳାସକୁ ପଶି ଆସିଲା ବେଳକୁ ଗୋଟାଏ ପିଲା ଚକଖଡ଼ି ଫୋପାଡ଼ୁଥିଲା । ଚକ୍ ଖଣ୍ଡକ ଶିକ୍ଷକଙ୍କ ନାକଦଣ୍ଡାରେ ବାଜିଲା । ଶିକ୍ଷକ କ’ଣ ଶାସ୍ତି ଦେବେ ସେ କଥା ଅନୁମାନ କରାଯାଉ ।

 

୧ ମ ଶିକ୍ଷକ–ଓଃ, ମୋ ନାକଟା ଫଟେଇ ଦେଲୁ । ଆଉ ଟିକେ ଉପରକୁ ବାଜିଥିଲେ ଆଖିଟା କଣା ହୋଇ ଯାଇଥାଆନ୍ତା । କାହିଁକି ମୁଁ ତୁମମାନଙ୍କୁ କ୍ଳାସରେ ପେନସିଲ୍, ଚକ୍, କାଗଜଗୁଳା–ଏ ସବୁ ଫିଙ୍ଗିବାକୁ ମନା କରେ । ଏଥର ବୁଝିଲ ତ ! ଆଉ କଦାପି ଏମିତି ଫିଙ୍ଗିବ ନାହିଁ । କାନ ମୋଡ଼ି ହୁଅ ।

 

୨ ୟ ଶିକ୍ଷକ–କିଏ ଚକ୍ ଫିଙ୍ଗିଲା, ମୋ ପାଖକୁ ଧରି ଆଣିଲ ! ଅନ୍ୟପିଲାମାନେ ଦୋଷୀକୁ ଧରି ଆଣିବାରୁ ସେ ପିଲାର ନାକରେ ଦୁଇଟା ମୁଥ ପକାଇ କହିଲେ, ମୋତେ କେମିତି କାଟିଲା ଏଥର ବୁଝିଲୁ ତ ! ଚାଲ ହେଡ୍ ମାଷ୍ଟରଙ୍କ ପାଖକୁ । ଅଫିସରେ ଅନ୍ୟସବୁ ଶିକ୍ଷକ ମିଶି ତାକୁ ଗାଳିଦେଲେ ଓ ହେଡ୍ ମାଷ୍ଟର ରୁଲର୍‌ ବାଡ଼ିରେ ପିଠିରେ ଦୁଇଟା ପାହାର ପକାଇ ଦେଲେ ।

 

ପ୍ରଥମ ଶିକ୍ଷକ ନିଜର କଷ୍ଟ ପାଇଁ ପ୍ରତିଶୋଧ ନ ଚାହିଁ, ପିଲାଙ୍କୁ ସାଧାରଣ ଖେଳରୁ କେମିତି ଅନର୍ଥ ହୋଇପାରେ ସେ ବିଷୟ ବୁଝାଇ ଲଘୁଦଣ୍ଡ ଦେଲେ । ଘଟଣାଟା ଯେ ପିଲାର ଇଚ୍ଛାକୃତ ନୁହଁ ସେ କଥା ବୁଝି, ଦୋଷପାଇଁ ତାକୁ ପୂରା ଦାୟୀ କଲେ ନାହିଁ । ଏପରି ଶାସ୍ତି ପାଇଲେ ପିଲା ଅନୁତୃପ୍ତ ହୋଇ ଭବିଷ୍ୟତରେ ଆତ୍ମ-ନିୟନ୍ତ୍ରଣ କରିବାକୁ ଶିଖିବ ।

 

ଦ୍ୱିତୀୟ ଶିକ୍ଷକ ଘଟଣାଟା ଆକସ୍ମିକ ବୋଲି ଜାଣିଲେ ସୁଦ୍ଧା ପିଲା ପ୍ରତି ପ୍ରତିହିଂସାପରାୟଣ ହୋଇ ତାକୁ ଲଘୁ ଦୋଷରେ ଗୁରୁଦଣ୍ଡ ଦେଲେ । ପିଲା ମନରେ ଭୟ, କ୍ଷୋଭ ଓ ଆକ୍ରୋଶ ବଢ଼ିଲା । ସେ କେମିତି ଶିକ୍ଷକଙ୍କୁ ବାଗରେ ପାଇଲେ ଜବତ୍ କରିବ ସେ କଥା ଚିନ୍ତା କଲା । ତେଣୁ ସେ ଶାସ୍ତି ପାଇ ପ୍ରାୟ କିଛି ଶିଖିଲା ନାହିଁ ।

 

ଅନ୍ୟାୟ କାମ କରିବା ଫଳରେ ଯଦି ପିଲା ମନରେ ଅନୁତାପର ଉଦୟ ହୁଏ, ତା’ ହେଲେ ସେ ଆତ୍ମନିୟନ୍ତ୍ରଣ କରିବାକୁ ସମର୍ଥ ହେବ । ଯଦି ଅନ୍ୟାୟ କାମ କରି ସେ ଗ୍ଳାନି ବୋଧ ନ କରେ, ତା ହେଲେ ଶାସ୍ତି ଦେବା ବିଫଳ ହେଲା ବୋଲି ଜାଣିବ । କାରଣ ଭବିଷ୍ୟତରେ ଶାସ୍ତିର ସମ୍ଭାବନା ନ ଥିଲେ ସେ ଅନ୍ୟାୟ କାମରୁ ନିଜକୁ ନିବର୍ତ୍ତେଇ ପାରିବ ନାହିଁ । ପ୍ରତିଟି ଲୋକ ପାଇଁ ଗୋଟିଏ ଲେଖାଏଁ ଜଗୁଆଳୀ ରଖିବା କ’ଣ ସମ୍ଭବ ? ପୁଣି ଜଗୁଆଳୀକୁ ଜଗିବ କିଏ ? ଏଥିଲାଗି ସବୁବେଳେ ଶାସ୍ତି ଦେଇ ନିୟମ ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟାକଲେ ଆମେ ଅଧିକାଂଶ ସମୟରେ ବିଫଳ ହେବୁ । ମନୋବୈଜ୍ଞାନିକ ଗବେଷଣାରୁ ଦେଖାଯାଉଛି ଯେ ଘରେ ଓ ସ୍କୁଲରେ ପିଲାଙ୍କୁ ଅଳ୍ପଥର ଦଣ୍ଡ ଦେଲେ (ଶତକଡ଼ା ପଚିଶ ଭାଗ ସମୟରେ) ଓ ଲଘୁଦଣ୍ଡ ଦେଲେ ପିଲା ସହଜରେ ନିୟମ ଓ ଅନିୟମ ଜାଣନ୍ତି ଏବଂ ନିଜକୁ ନିଜେ ଶାସନ କରିବାକୁ ଶିଖନ୍ତି । ପୁଣି ଯେ ଦଣ୍ଡ ଦେଉଛି ସେ ଯଦି ଦଣ୍ଡିତ ବ୍ୟକ୍ତି ପ୍ରତି ମମତାଶୀଳ ହୁଏ ତା’ ହେଲେ ଯାଇ ଦଣ୍ଡର ଭଲ ଫଳ ମିଳୁଛି । ଯିଏ ଅନ୍ୟକୁ କଷ୍ଟ ଦେବାଲାଗି ଦଣ୍ଡ ଦିଏ, ସେପରି ଦଣ୍ଡଦାତା ପ୍ରତି ପିଲା ମନରେ ଆକ୍ରୋଶ ଜନ୍ମେ । ପିଲା ଶାସ୍ତିକୁ ସବଳର ଅତ୍ୟାଚାର ବୋଲି ଭାବେ, ନିଜ କୃତ କର୍ମଫଳ ବୋଲି ବିବେଚନା କରେ ନାହିଁ । ଏପରି ଅବସ୍ଥାରେ ଶାସ୍ତିର ଉଦ୍ଦେଶ୍ୟ ବ୍ୟର୍ଥ ହୁଏ । ପିଲା ମନରେ ଆକ୍ରୋଶ ଓ ପ୍ରତିହିଂସା ଉଦ୍ରେକ କରିବା ଶାସ୍ତିର ଉଦ୍ଦେଶ୍ୟ ନୁହେ । ଶାସ୍ତିର ଉଦ୍ଦେଶ୍ୟ ହେଲା ଶିକ୍ଷା ଦେବା । ପିଲାଙ୍କୁ ନିୟମଶୃଙ୍ଖଳା ଶିଖାଇବା ନାଆଁରେ ସେମାନଙ୍କ ଉପରେ ଅଯଥା ହାକିମ ଦେଖାଇଲେ ବା ପିଲାଙ୍କୁ ଉପହାସ କଲେ କିମ୍ବା ଅପମାନ ଦେଲେ ଶାସ୍ତି କଦାପି ଫଳପ୍ରଦ ହେବନାହିଁ ।

 

ଶାସ୍ତି ଅପେକ୍ଷା ପ୍ରଶଂସା ଦ୍ୱାରା ପିଲାଙ୍କୁ ସଜାଡ଼ିବା ସହଜ । କାରଣ ପ୍ରଶଂସା ଓ ନିଜ ଗୁଣଗାନ ଶୁଣିଲେ ସମସ୍ତଙ୍କର ମନରେ ଆନନ୍ଦ ହୁଏ । ମଣିଷର ଶାସ୍ତି ପ୍ରତି ଯେତେ ଭୟ, ପ୍ରଶଂସା ପ୍ରତି ତା’ଠାରୁ ବେଶୀ ଲୋଭ ଥାଏ । ସବୁବେଳେ ଯେ ମୁହଁରେ ପିଲାର ପ୍ରଶଂସା କରିବା ଦରକାର ତା’ ନୁହେଁ । ଶିକ୍ଷକଙ୍କ ମୂହଁରେ ସପ୍ରଶଂସ ଭାବ, ସଦୟ ହସ ମୁଣ୍ଡ ହଲେଇ ନୀରବ ସମର୍ଥନ–ଏସରୁ ପିଲା ପ୍ରଶଂସା ବୋଲି ଜ୍ଞାନ କରେ । ତା କାମକୁ ଥରେ ଆଖି କୋଣରେ ଶିକ୍ଷକ ଯଦି ଅନେଇ ଦେଖନ୍ତି, ସେ ସେତିକିରେ ଖୁସି ହୋଇଯାଏ । ଶିକ୍ଷକ ଚାହିଁଲେ ସାମାନ୍ୟ ମନୋଯୋଗ ଓ ସମର୍ଥନ ଦ୍ୱାରା ସହଜରେ ପିଲାକୁ ନିଜର ଅନୁଗତ କରିପାରିବେ । ପିଲା ମନରେ ଅନୁଗତ ଭାବ ଜନ୍ମିଲେ ସେ ଶିକ୍ଷକଙ୍କ କଥା ମନଦେଇ ଶୁଣେ । ତାଙ୍କ ନିର୍ଦ୍ଦେଶ ଯଥାସାଧ୍ୟ ମାନି ଚାଲେ, ପ୍ରାୟ ତାଙ୍କ କଥା ତଳେ ପକାଏ ନାହିଁ । ଏହି ଅନୁଗତ ଭାବ କ୍ରମଶଃ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ ପରିଣତ ହୁଏ । ଭୟ ଓ ସମ୍ଭ୍ରମ ଅପେକ୍ଷା ଅନୁରକ୍ତିର ବନ୍ଧନ ନିବିଡ଼ ହୋଇଥବାରୁ ଶିକ୍ଷକ ଓ ଛାତ୍ରର ସମ୍ପର୍କରୁ ‘ଅପରିଚୟର ଦୂରତ୍ୱ’ କମିଯାଏ । ଶିକ୍ଷକ ଓ ଛାତ୍ରର ସମ୍ବନ୍ଧ ‘ଶାସକ ଓ ଶାସିତ’ର ସମ୍ପର୍କ ନ ହୋଇ କ୍ରମଶଃ ବନ୍ଧୁ ଓ ଗୁରୁର ସମ୍ପର୍କରେ ପରିଣତ ହୁଏ । ମନର ଏହି ବନ୍ଧନ ଗଢ଼ି ନ ଉଠିବା ପର୍ଯ୍ୟନ୍ତ ଛାତ୍ର ଶିକ୍ଷକଙ୍କର ଶିକ୍ଷା ଗ୍ରହଣ କରିପାରେ ନାହିଁ । ସେ ସବୁ ଶୁଣେ; ମାତ୍ର ଶିକ୍ଷକଙ୍କ କଥା ମାନି ଚଳିବା ଲାଗି ତା’ର ସ୍ପୃହା ହୁଏ ନାହିଁ । ଅଥଚ ‘ମନର ବନ୍ଧନ’ ଗଢ଼ିଉଠିଲେ ସେ ଶିକ୍ଷକଙ୍କ କଥା ଭାବି ଅନ୍ୟାୟ କାମରୁ ବିରତ ହୁଏ । “ସାର୍ ମୋତେ କ’ଣ ଭାବିବେ, ତାଙ୍କ ଆଖିରେ ମୁଁ କେଡ଼େ ଛୋଟ ହୋଇଯିବି !” –ଏସବୁ ଚିନ୍ତା କରି ଶିକ୍ଷକଙ୍କର ଇଚ୍ଛା ବା ଆଦେଶ ବିରୁଦ୍ଧ କାମ ସେ କରେନା । ସୋଭିଏତ୍ ଶିକ୍ଷାବିତ୍ ମାକାରେଙ୍କୋ (Makarenko), ତାଙ୍କର ‘ରୋଡ୍ ଟୁ ଲାଇଫ’ ବହିରେ କିପରି ବାଳ-ଅପରାଧୀମାନଙ୍କୁ ଶାସନ, ସ୍ନେହ ଓ ବନ୍ଧୁତ୍ୱ ଦ୍ୱାରା ଅପରାଧ ଶୂନ୍ୟ ଜୀବନଯାପନ କରିବାକୁ ଶିଖାଇଥିଲେ–ସେ କଥା ବିସ୍ତାରିତ ଭାବରେ ଲେଖିଛନ୍ତି-। ଯେଉଠିଁ ଶିକ୍ଷକଙ୍କ ପ୍ରତି ପିଲାର ଅନୁରକ୍ତି ନାହିଁ, ସେଠି ତାଙ୍କର ତିରସ୍କାର ବା ପୁରସ୍କାର ଫଳପ୍ରଦ ହୁଏ ନାହିଁ ।

 

ଆମେରିକାନ ମନୋବିଜ୍ଞାନୀବ୍ରୁନର (Bruner) ମଧ୍ୟ ପ୍ରଶଂସା ଓ ପୁରସ୍କାରର ସୁଫଳ ବିଷୟ ବାରମ୍ବାର ଲେଖିଛନ୍ତି । ସେ ଯେଉଁ Behaviour modification technique ଉଦ୍ଭାବନ କରିଛନ୍ତି ତାର ମୂଳକଥା ହେଲା–ପିଲାର ଭଲ ବ୍ୟବହାରକୁ ପୁରସ୍କୃତ କଲେ ପିଲା ସେପରି ବ୍ୟବହାର କରିବାକୁ ଅଧିକ ଆଗ୍ରହୀ ହୁଅନ୍ତି । ତେଣୁ ପିଲା ଠିକ୍ ଭାବରେ କାମକଲେ ତାକୁ ସଦୟ ବ୍ୟବହାର, ଗୁଣଗାନ ବା ପ୍ରଶଂସା ଦ୍ୱାରା ପୁରସ୍କୃତ କଲେ ସେ ବେଶୀ ବେଶୀ ସେଭଳି କାମ କରିବ । ସାମାନ୍ୟ ତୃଟି ବିଚ୍ୟୁତି ଦେଖିଲେ ବ୍ୟସ୍ତ ହେବା ଉଚିତ୍ ନୁହେଁ । ବରଂ ସେପରି ଅବସ୍ଥାରେ ପିଲା ନିଜକୁ ନିଜେ ସଜାଡ଼ି ପାରୁଛି କି ନାହିଁ ସେ କଥା ଧୈର୍ଯ୍ୟଧରି ଦେଖିବାର ବିଷୟ । ସାଧାରଣତଃ ଯେଉଁମାନେ ଗୁଣଗ୍ରାହୀ, ସେମାନେ ଲୋକର ଦୋଷ ଅପେକ୍ଷା ଗୁଣ ଉପରେ ଗୁରୁତ୍ୱ ଦେଉଥିବାରୁ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇ ଥାଆନ୍ତି । ସେହିପରି ଶିକ୍ଷକ ଯଦି ସଦାସର୍ବଦା ପିଲାର ଦୋଷ ନ ବାଛି ତା’ର ଗୁଣର ଆଦର କରନ୍ତି ତା’ହେଲେ ପିଲାର ଉପକାର ହେବ । ପିଲାର ଅନ୍ୟାୟ ବ୍ୟବହାର ଦେଖିଲେ ଯେ ଶିକ୍ଷକ ନୀରବରେ ସମର୍ଥନ କରିଯିବେ ତାହାନୁହେଁ; ଦୋଷ ଅନୁସାରେ ଦଣ୍ତ ଦେବେ । କିନ୍ତୁ ସାମାନ୍ୟ ଦୋଷକୁ ବଡ଼କରି ଦେଖିବା ଠିକ୍ ନୁହେଁ । ଏହା ଫଳରେ ତା ପ୍ରତି ଅବିଚାର ହେଉଛି ବୋଲି ପିଲା ଭାବିବ । ଆମ ଦେଶରେ ପ୍ରଶଂସା କରିବାର ଅର୍ଥ ଖୋସାମତ କରିବା ବୋଲି ବହୁତ ଲୋକ ଭାବନ୍ତି । ତେଣୁ ପିଲାକୁ ଦୁଷ୍ଟାମିରୁ ନିବର୍ତ୍ତାଇବା ଲାଗି ତାକୁ ବାରପ୍ରକାର ମିଛକଥା କହି ଖୋସାମତ କରନ୍ତି । ଯଥା–“ତୁ ମୋର ସୁନାପୁଅ; ତୁ ମୋର ଗେହ୍ଳା-ଧନ; ତୋ ପରି ବୁଦ୍ଧିଆ କେହି ନାହାନ୍ତି; ତୋ ପରି ଭଲ କେହି ହୋଇ ପାରିବେନି; ସୁନାଟା ଏଠି ବସି ପାଠ ପଢ଼ ।” ଏମିତି ଅଯଥା ପ୍ରଶଂସା ଶୁଣିଲେ ପିଲା ମୁହଁବଢ଼ା ହୁଅନ୍ତି । ଭାବନ୍ତି ଅନ୍ୟମାନେ ତାଙ୍କ ଅକ୍ତିଆରରେ ଅଛନ୍ତି-। ‘ନା ପଢ଼ିବିନି କହିଲେ ଆହୁରି ଖୋସାମତ ମିଳିବ । ମନୋବୈଜ୍ଞାନିକ ମତରେ ପ୍ରଶଂସା କରିବାର ଅର୍ଥ ହେଲା–ପିଲାକୁ ପ୍ରଶଂସା ନ କରି ତା’ର କାମର ଭଲମନ୍ଦ ଗୁଣକୁ ପ୍ରଶଂସା କରି ସମର୍ଥନ ଜଣାଇବା । ଯଥା-ପିଲା ଛବିଟିଏ ଆଙ୍କି ଆଣି ଶିକ୍ଷକଙ୍କୁ ଦେଖାଇଲା । ଛବି ଦେଖି ଶିକ୍ଷକ କହିଲେ–ବାଃ, ଭଲ ଛବି ହୋଇଛି । ରଙ୍ଗ କାମ ସୁନ୍ଦର ହୋଇଛି । ନୀଳ ଆକାଶରେ ଲାଲ, ଗୋଲାପୀ ରଙ୍ଗର ମେଘ ଭଲ ମାନୁଛି ।

ଦ୍ୱିତୀୟ ଶିକ୍ଷକ–

ତୋ ପରି ବୁଦ୍ଧିମାନ ପିଲା ପକ୍ଷରେ ଭଲ ଛବି ଆଙ୍କିବାଟା କେଉଁ ବିଚିତ୍ର କଥା ! ତୋତେ ସବୁ ବିଦ୍ୟା ଆସେ । ପ୍ରଥମ ଶିକ୍ଷକଙ୍କ ପ୍ରଶଂସା ଶୁଣି ପିଲା ଜାଣିଲା ଯେ ଛବିଟା ଠିକ୍ ଭାବରେ ଅଙ୍କିଛି । ଦ୍ୱିତୀୟ ଶିକ୍ଷକଙ୍କର ମନ୍ତବ୍ୟରୁ ଜାଣିଲା ଯେ, ସେ ତାକୁ ଖୋସାମତ କରୁଛନ୍ତି । ଛବିଟା ଠିକ୍ ଭାବେ ଅଙ୍କା ହୋଇଛି କି ନାହିଁ ସେ କଥା ଜାଣି ପାରିଲାନି । ଏଥିଲାଗି ପ୍ରଶଂସା ଯଥାର୍ଥ କାରଣ ଯୋଗୁଁ ନ ହେଲେ ପିଲା ସେଥିରୁ ଲାଭ ପାଆନ୍ତି ନାହିଁ । କେଉଁଟା କରିବା କଥା–ସେ ବିଷୟ ବଡ଼ମାନଙ୍କର ପ୍ରଶଂସା ଓ ସମର୍ଥନ ଦ୍ୱାରାହିଁ ଶିଖେ । ଶାସ୍ତି ପିଲାକୁ ନିବର୍ତ୍ତାଏ ଓ ପ୍ରଶଂସା ପିଲାକୁ କାମରେ ପ୍ରବର୍ତ୍ତାଏ । ସେଥିଲାଗି କେବଳ ଶାସ୍ତିଦେଇ ପିଲାଙ୍କୁ ଠିକ୍ ବାଟରେ ନେବା ଅସମ୍ଭବ । ମନୋବିଜ୍ଞାନୀମାନେ ଗବେଷଣା କରି ଦେଖିଛନ୍ତି ଯେ, ଅଧିକାଂଶ ସମର୍ଥନ ପାଇ ଓ କେବଳ ଅଳ୍ପ କେତେକ ବିଷୟରେ ଦଣ୍ଡ ପାଇ ବଢ଼ିଲେ ପିଲା ସହଜରେ ନିୟମ ଶୃଙ୍ଖଳାର ବଶବର୍ତ୍ତୀ ହୋଇଥାଆନ୍ତି ।

ଘର ଲୋକଙ୍କର ଦାୟିତ୍ୱ–

ଯେଉଁ ପିଲା ଘରେ ନିୟମ ଶୃଙ୍ଖଳା ଅନୁସାରେ ବଢ଼ିନ ଥାଏ ସେପରି ପିଲା ସ୍କୁଲରେ ଅଡ଼ୁଆରେ ପଡ଼ନ୍ତି । ପିଲା ସ୍କୁଲ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ନିୟମିତ ଜୀବନ ଯାତ୍ରାରେ ଅଭ୍ୟସ୍ତ କରି ବଢ଼ାଇଲେ ସେମାନେ ସହଜରେ ସ୍କୁଲ ରୁଟିନରେ ଚଳିପାରନ୍ତି । କିନ୍ତୁ ଯେଉଁ ପିଲା ମୂଳରୁ ଲଗାମଛଡ଼ା ହୋଇ ବଢ଼ିଛି, (ସେ ଯେତେବେଳେ ଖୁସି ଖାଏ, ଯେତେବେଳେ ଖୁସି ଶୁଏ, ଦାନ୍ତ ଘସି ଦିନ ବାରଟା ପର୍ଯ୍ୟନ୍ତ ବୁଲୁଥାଏ) ତାକୁ ହଠାତ୍ ଆଣି ସ୍କୁଲର ଧରାବନ୍ଧା ରୁଟିନରେ ପୂରାଇଦେଲେ ସେ ଅଣନିଶ୍ୱାସୀ ହୋଇଯିବ । ଶିକ୍ଷକ ପଢ଼ାଇଲାବେଳେ କ୍ଲାସରେ ଘଣ୍ଟାଟିଏ ଚୁପ୍ ହୋଇ କଥା ନକହି ବସିରହିବାଟା ତାକୁ ଦଣ୍ଡ ପାଇଲା ପରି ବାଧିବ । ଯେଉଁ ପିଲାମାନେ ଘରେ ଅତ୍ୟନ୍ତ ଗେହ୍ଲା ହୋଇ ବଢ଼ିଥାନ୍ତି ସେମାନେ ଅନ୍ୟମାନଙ୍କ କଥା ମାନି କାମ କରିବାରେ ଅଭ୍ୟସ୍ତ ନଥାନ୍ତି ।

 

ସ୍କୁଲରେ ଶିକ୍ଷକ ଯାହା କରିବାକୁ କହନ୍ତି ସେ ଇଚ୍ଛା ହେଲେ କରେ, ନଚେତ୍ ଚୁପ୍ ହୋଇ ବସେ କିମ୍ବା ପାଖ ପିଲାଙ୍କ ସହିତ କଥା କହେ । ଶିକ୍ଷକ ପ୍ରଶ୍ନ ପଚାରିଲେ ସେ ପ୍ରଶ୍ନର ଉତ୍ତର ଦିଏନାହିଁ । ଲେଖିବାକୁ କହିଲେ ଲେଖେ ନାହିଁ ଓ ପାଠ ବୁଝେଇଲେ ପାଠାପଢ଼ା ନୀରସ ଲାଗୁବାରୁ ମନଦେଇ ଶୁଣେ ନାହିଁ । ଯଦି, ଏପରି ପିଲାଙ୍କର ଅଭିଭାବକ ଧନୀ ଓ କ୍ଷମତାବାନ୍ ହୋଇ ଥାଆନ୍ତି, ତାହେଲେ ଶିକ୍ଷକ ମଧ୍ୟ ସେମାନଙ୍କୁ ଶାସନ କରିବାକୁ ସାହସ କରନ୍ତି ନାହିଁ । ପିଲା ନିଜ ଖିଆଲଖସି ଅନୁସାରେ ଚଳିବାରୁ ଭଲରେ ପାଠ ଶିଖିପାରେ ନାହିଁ । ପିଲା ନିଜେ ନିଜର ମନକୁ ନିୟନ୍ତ୍ରଣ କରି ନ ଶିଖିଲେ ଭଲ ପାଠ ପଢ଼ିପାରିବ ନାହିଁ । କାରଣ ତାକୁ ଶାସ୍ତିଦେଲେ ସେ ଶିକ୍ଷକଙ୍କ ଭୟରେ ଲେଖି ଶିଖିବ ବା ଘୋଷି ଶିଖିବ କିନ୍ତୁ ମନଦେଇ ଶୁଣିବାକୁ ଶିଖିବ ନାହିଁ । ଉଦ୍ୟୋଗୀ ହୋଇ ପାଠ ପଢ଼ିବାକୁ ବା ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରିବ ନାହିଁ । ଲେଖାପଢ଼ା ନ କରି ସବୁବେଳେ ଖେଳ ମଉଜରେ ସମୟ କଟାଇବା ଠିକ୍ ନୁହେଁ ବୋଲି ଜାଣିଲେ ମଧ୍ୟ ନିଜକୁ ସେଥିରୁ ନିବର୍ତ୍ତେଇ ଅପେକ୍ଷାକୃତ ସରସ କାମରେ ମନ ଲଗାଇ ପାରିବ ନାହିଁ । ଏହିସବୁ କାରଣ ଯୋଗୁଁ ଘରେ ପିଲାଙ୍କୁ ମୂଳରୁ ନିଜକୁ ନିଜେ ଶାସନ କରିବାକୁ ଶିଖାଇବା ଦରକାର ।

 

ପିଲା କିପରି ଆତ୍ମ ନିୟନ୍ତ୍ରଣ ଶିଖିବ–

 

ପିଲାଦିନରୁ ନିୟମ ଓ ଶୃଙ୍ଖଳା ଅନୁସାରେ ଦୈନନ୍ଦିନ ଜୀବନ ନିୟମିତ ଭାବରେ କଟାଇଲେ ଶୃଙ୍ଖଳିତ ଭାବରେ ଚଳିବାଟା ପିଲାର ଅଭ୍ୟାସରେ ପରିଣତ ହୁଏ । ସେ ସମୟ ଅନୁସାରେ କାମ କରିବାକୁ ଶିଖେ । ଅନ୍ୟମାନଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ଶିଖେ । ନିଜ ମନର ଖାମଖିଆଲି ପଣକୁ ନିୟନ୍ତ୍ରଣ କରିବାକୁ ଶିଖେ । ନିଜ ଇଚ୍ଛା ଅନୁସାରେ କାମ କରି ହଇରାଣରେ ପଡ଼ିଲେ ପିଲା ନିଜ ଇଚ୍ଛାକୁ ଦମନ କରି ଶିଖନ୍ତି । ଯଥା-ଘରେ କେହି ନାହାନ୍ତି ଦେଖି ପିଲା ପିଜୁଳି ଗଛରେ ଚଢ଼ି ପିଜୁଳି ତୋଳିଲା । କେହି ମନା କରୁ ନାହାନ୍ତି । ତେଣୁ ମନଇଚ୍ଛା ସେ ଉପରକୁ ଚଢ଼ୁଥାଏ । କେଉଁ ପର୍ଯ୍ୟନ୍ତ ଚଢ଼ିବ ସେକଥା ନ ‍ଭାବି ଅଗ ଡାଳରେ ଗୋଟାଏ ପାଚିଲା ପିଜୁଳି ଦେଖି ଆଉ ଟିକେ ଉପରକୁ ଚଢ଼ିଗଲା । ପିଜୁଳି ତୋଳିଲା ସତ; ମାତ୍ର ପିଜୁଳି ସହ ଗଛରୁ ଖସି ତଳେ ପଡ଼ିଲା । ଏପରି ଅଭିଜ୍ଞତା କେଇଥର ହେଲାପରେ ପିଲା ନିଜେ ଭାଵିଚିନ୍ତି କାମ କରି ଶିଖନ୍ତି । ଅନ୍ୟମାନେ ମନାକଲେ ମଧ୍ୟ ନିଜକୁ ନିଜେ ବିପଦଜନକ କାମ ବା ଗାଳି ଖାଇଲା ପରି କାମ କରିବାକୁ ମନା କରନ୍ତି । ଆତ୍ମ ନିୟନ୍ତ୍ରଣ ଶିଖିବା ଲାଗି ଦୁଇଟି ଅଭିଜ୍ଞତା ନିହାତି ଆବଶ୍ୟକ ।

 

୧–ପିଲା ନିଜ କାମର ଫଳ ନିଜେ ଭୋଗ କରିବ ।

 

ଏବଂ

 

୨–ଅନ୍ୟର ବିନା ସାହାଯ୍ୟରେ ବା ବିନା ଉପଦେଶରେ ପିଲା କାମ କରିବାର ସୁଯୋଗ ପାଇବ ।

 

ପିଲା ଗଛରୁ ଖସି, ପାଣିରେ ଉବେଇଟୁବେଇ ହୋଇ, ରନ୍ଧା ଘରେ ନିଜର ଅସାବଧାନତା ଯୋଗୁଁ ରଢ଼ନିଆଁ ମାଡ଼ି କଷ୍ଟ ପାଆନ୍ତି ସତ; ମାତ୍ର ଏଭଳି କଷ୍ଟ ପାଇ ସାବଧାନ ହେବାକୁ ଶିଖନ୍ତି, ଭାବିଚିନ୍ତି କାମ କରିବାକୁ ଶିଖନ୍ତି ଓ ସେମାନଙ୍କର ବିବେଚନା ଶକ୍ତି ବଢ଼େ । ଯେଉଁ ପିଲାକୁ ଘରଲୋକ ସବୁବେଳେ ଘଣ୍ଟ ଘୋଡ଼ାଇ ରଖନ୍ତି, ସେ ଦାୟିତ୍ଵହୀନ ଓ ପିଲାଳିଆ ହୋଇ ରହିଯାଏ ଏବଂ ତା’ର ବାସ୍ତବ ଜ୍ଞାନର ଅଭାବ ହୁଏ । ତା’ର ଭାବନା ଚିନ୍ତା ମଧ୍ୟ ଅବାସ୍ତବ ହୋଇ ଉଠେ । ଖିଆଲ ଖୁସି ଅନୁସାରେ କାମ କଲେ ସେ ଅସୁବିଧାରେ ପଡ଼ିପାରେ, ଏ କଥା ଭାବେ ନାହିଁ । ତା’ର ବିଶ୍ଵାସ ଯେ ଯଦି କିଛି ଅସୁବିଧା ହେବ ତା’ହେଲେ ଘରଲୋକ ସେପରି ଅସୁବିଧା ଦୂର କରି ସାଙ୍ଗେ ସାଙ୍ଗେ ସବୁ ସୁବିଧା କରିଦେବେ । ଯଥା–ପିଲା ଘରେ ବହି ଖାତା ଛାଡ଼ିଦେଇ ସ୍କୁଲ ଚାଲିଗଲା । ସେ ଜାଣେ ଯେ ମାଆ କାହା ହାତରେ ପଠାଇ ଦେବେ । ଶିକ୍ଷକ ସାତଦିନ ହେବ ଘରେ ପଢ଼ିବା ଲାଗି ପଢ଼ା ଦେଇଛନ୍ତି । ସେ ପଢ଼ା ନ କରି ଖେଳିଲା ବୁଲିଲା, ଅନ୍ୟ ସବୁକଥା କଲା; ଶେଷରେ ସ୍କୁଲ ଗଲାବେଳକୁ ମନେପଡ଼ିଲା ପଢ଼ା ହୋଇନାହିଁ । ସ୍କୁଲକୁ ଗଲେ ଶାସ୍ତି ପାଇବ । ତେଣୁ ସ୍କୁଲନଯାଇ ଘରେ ରହିଲା । ମାଆଙ୍କୁ କହିଲା ସ୍କୁଲକୁ ଲେଖିଦିଅ ପେଟ ଖରାପ ପାଇଁ ଆଜି ଯାଇପାରିଲି ନାହିଁ, ନ ହେଲେ ମୋତେ ଆସନ୍ତା କାଲି କ୍ଳାସରେ ଠିଆ ହେବାକୁ ପଡ଼ିବ । ମାଆ ଚିଠି ଲେଖିଦେଲେ । ଆକାଶରେ ମେଘ ଦେଖି ମଧ୍ୟ ପିଲା ଛତା ନ ନେଇ ଖେଳ ଦେଖିବାକୁ ବାହାରି ପଡ଼ିଲା । ପଛରେ ଚାକର ଛତା ନେଇ ଦୌଡ଼ିଲା । ଏହିପରି ପ୍ରତିଟି ବିଷୟରେ ପିଲାକୁ ପ୍ରତ୍ୟେକ ଅସୁବିଧାରୁ ଆଢ଼ୁଆଳ କରି ରଖିଲେ ପିଲା କ୍ରମଶଃ ଦାୟିତ୍ୱହୀନ ହୋଇ ବଢ଼ିବ । ସେ ଯଦି ନିଜର କୃତକର୍ମ ଯୋଗୁଁ ଅସୁବିଧାରେ ପଡ଼ନ୍ତା ତା’ହେଲେ ଧୀରେ ଧୀରେ ଦାୟିତ୍ୱବାନ୍ ହୁଅନ୍ତା । ଯେଉଁମାନେ ଭଲ ପାଠ ପଢ଼ନ୍ତି, ସେମାନେ କେବଳ ବୁଦ୍ଧିମାନ ନୁହନ୍ତି, ଅଧିକାଂଶ ସମୟରେ ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ଦାୟିତ୍ଵବାନ୍, ଉଦ୍ୟୋଗୀ ଓ ଆତ୍ମନିୟନ୍ତ୍ରକ ହୋଇଥାଆନ୍ତି ।

 

ଯେଉଁ ପିଲା ଅନ୍ୟର ବିନା ସାହାଯ୍ୟରେ ଓ ବିନା ପରାମର୍ଶରେ କେବେ କୌଣସି କାମ କରିନାହିଁ, ତାର ବିଚାର ଓ ବିବେଚନା ଶକ୍ତି ବଢ଼େ ନାହିଁ । ନିଜର ବିଚାର ଶକ୍ତି, ନ ହେଲେ ପିଲା ନିଜକୁ ନିଜେ ଶାସନ କରିପାରିବ ନାହିଁ । ଏଥିଲାଗି କେତେକ କ୍ଷେତ୍ରରେ ନିଜେ ବିବେଚନା କରି କାମ କରିବାର ସୁଯୋଗ ପିଲାଙ୍କୁ ଦେବା ଉଚିତ୍ । ସେ କେତେ ଖାଇବ, କ’ଣ ପିନ୍ଧିବ, କେତେବେଳେ କେଉଁ କାମ କରିବ ସେ ସବୁ ବିଷୟ ସ୍ଥିର କରିବାର ସୁଯୋଗ ପାଇଲେ ତା’ର ବିଚାର କରିବାର କ୍ଷମତା ବଢ଼ିବ । ସେ ନୂଆ ନୂଆ ଭୁଲ୍ କରିବ ଓ ଦାୟିତ୍ଵହୀନ ଭାବରେ ହୁଏତ କାମ କରିବ; ମାତ୍ର ନିଜେ ଭୁଲ୍ କଲେ ସେଥିପାଇଁ ନିଜକୁ ଦାୟୀ କରିବାକୁ ଶିଖିବ ଓ କ’ଣ କଲେ ଏପରି ଭୁଲ୍ ହେବନାହିଁ ସେ କଥା ଭାବି ଠିକ୍ କରିବ । ଏହିପରି ବିବେଚନା କରି କାମ କରିବା ଅଭ୍ୟାସଗତ ହୋଇପାରିଲେ ବଡ଼ଦିନେ ଶିକ୍ଷାକ୍ଷେତ୍ର ଓ କର୍ମକ୍ଷେତ୍ରରେ ସେ ଅନାୟାସରେ ଉନ୍ନତି କରିବ । ସେ ଶିକ୍ଷକଙ୍କର ନିର୍ଦ୍ଦେଶକୁ ଅପେକ୍ଷା ନ କରି ଆଗତୁରା ବିଭିନ୍ନ ବିଷୟ ପଢ଼ିଯିବ, ବିଭିନ୍ନ କଥା ଶିଖିବ । ପିଲାର ଚରିତ୍ରକୁ ଶିକ୍ଷାର ଉପଯୋଗୀ କରି ବଢ଼ାଇବାର ଦାୟିତ୍ଵ ହେଲା ଘର ଲୋକଙ୍କର । ଏଥିଲାଗି ଘରେ ବାପା ମାଆ ଓ ସ୍କୁଲର ଶିକ୍ଷକ ପରସ୍ପର ସହିତ ସହଯୋଗିତା କରି ପିଲାଠାରେ କିପରି ଶିକ୍ଷାର ଉପଯୋଗୀ ଗୁଣଗୁଡ଼ିକ ବଢ଼ିବ ସେ ବିଷୟରେ ଚେଷ୍ଟା କଲେ ପିଲାର ଉପକାର ହେବ । ମନେରଖିବା କଥା ଯେ–

 

ଯାହା ନୋହିଛି ବାଳ କାଳେ

ତାହା ନୋହିବ କାଳେ କାଳେ ।

Image

 

ନୀତି ଜ୍ଞାନର ବିକାଶ

 

ସଂସ୍କୃତ ମହାଭାରତରେ କର୍ଣ୍ଣପର୍ବରେ କୃଷ୍ଣ ଅର୍ଜୁନଙ୍କୁ ଅଳ୍ପଜ୍ଞ ତପସ୍ୱୀ କୌଶିକଙ୍କ କାହାଣୀ କହିଥିଲେ ।

 

“କୌଶିକଙ୍କ ବ୍ରତ ଥିଲା ସେ ସବୁବେଳେ ସତ କହିବେ । କେବେ ମିଛ ନ କହିଥିବାରୁ ସତ୍ୟବାଦୀ ବୋଲି ତାଙ୍କର ଖ୍ୟାତିଥିଲା । ଦିନେ କେତେଜଣ ଲୋକ ଡକେଇତଙ୍କ ହାତରୁ ଖସି ଆସି ତାଙ୍କ ଆଶ୍ରମ ପାଖରେ ଆଶ୍ରୟ ନେଲେ । ଡକେଇତମାନେ ଖୋଜି ଖୋଜି କୌଶିକଙ୍କ ଆଶ୍ରମରେ ଆସି ପହଞ୍ଚିଲେ । ସେମାନେ କୌଶିକଙ୍କୁ ପଚାରିଲେ–କେତେ ଜଣ ଲୋକ ଆପଣଙ୍କ ଆଶ୍ରମ ବାଟେ ଆସିଥିଲେ, ସେମାନେ କେଉଁ ରାସ୍ତାରେ ଗଲେ ଆମକୁ କହନ୍ତୁ । ସତ୍ୟବାଦୀ କୌଶିକ ତ କେବେ ମିଛ କହନ୍ତି ନାହିଁ । ତେଣୁ ସେ କହିଲେ ଏଇ ଜଙ୍ଗଲ ଭିତରେ ସେମାନେ ଲୁଚିଛନ୍ତି । ଡକେଇତମାନେ ଜଙ୍ଗଲ ଘେରାଉ କରି ସେମାନଙ୍କୁ ଖୋଜି ବାହାର କରି ନୃଶଂସ ଭାବରେ ହତ୍ୟା କରି ସେମାନଙ୍କର ଧନସମ୍ପଦ ଲୁଟି ନେଇ ଫେରିଗଲେ । ଉପାଖ୍ୟାନ ଶେଷ କରି କୃଷ୍ଣ କହିଲେ–କୌଶିକ ଧର୍ମର ସୂକ୍ଷ୍ମ ତତ୍ତ୍ୱ ବୁଝି ନ ଥିଲେ । ତେଣୁ ଆଶ୍ରିତର ପ୍ରାଣରକ୍ଷା ଅପେକ୍ଷା ନିଜର ସତ୍ୟବାଦୀତାକୁ ଶ୍ରେଷ୍ଠଧର୍ମ ବୋଲି ବିଚାର କଲେ । ଫଳରେ ସେ ପାପଗ୍ରସ୍ତ ହୋଇ ନରକରେ ପଡ଼ିଲେ ।” ଏ କାହାଣୀର ମୂଳ ଉପଦେଶ ହେଲା–ଯେଉଁଠି ସତ କହିଲେ ମିଛ କହିଲା ପରି ଅହିତ ହୁଏ, ସେଠି ସତ କହିବା ଅନୁଚିତ୍, ବରଂ ମିଛ କହିବା ହିଁ ଉଚିତ୍ ।

 

ଏହି କାହାଣୀଟି ଯଦି ବିଭିନ୍ନ ଲୋକଙ୍କୁ କହି କୌଶିକଙ୍କର କ’ଣ କରିବା ଉଚିତ ଥିଲା-ବୋଲି ପଚରାଯାଏ, ତାହାହେଲେ ସେମାନେ ବିଭିନ୍ନ ଉତ୍ତର ଦେବେ । କେତେକ କୌଶିକଙ୍କର ସତ୍ୟବାଦୀତାର ସମର୍ଥନ କରିବେ ଓ କେତେକ ତାଙ୍କର ମିଛ କହିବା ଉଚିତ୍ ବୋଲି କହିବେ । ଏଥିରୁ ଜଣାଯାଉଛି ଯେ “ଧର୍ମ ଅଧର୍ମ” ବା “କର୍ତ୍ତବ୍ୟ ଅକର୍ତ୍ତବ୍ୟ” କେତେଗୁଡ଼ିଏ ଧରବନ୍ଧା ନିୟମ ଅନୁସାରେ ସ୍ଥିର କରିବା କଷ୍ଟ । ଅଥଚ ପ୍ରତିଟି କାମ କଲାବେଳେ ଆମେ ସମସ୍ତେ “ଏପରି କାମ କରିବା ଠିକ୍ ହେବ ନା ନାହିଁ”-ଭାବି କାମ କରୁ । ‘ଠିକ୍-ଭୁଲ୍’, ’ଭଲ-ମନ୍ଦ’, ’କର୍ତ୍ତବ୍ୟ-ଅକର୍ତ୍ତବ୍ୟ’, ’ଧର୍ମ-ଅଧର୍ମ’-ଏଇ ସବୁ ଧାରଣା ପିଲା କେମିତି ଶିଖନ୍ତି ସେ କଥା ଜାଣିବା ଲାଗି ମନୋବିଜ୍ଞାନୀମାନଙ୍କର ଆଗ୍ରହର ସୀମା ନାହିଁ । ଏକା ସମାଜ ଓ ଗୋଷ୍ଠୀରେ ବଢ଼ି କେତେକ ଲୋକ ନ୍ୟାୟନିଷ୍ଠ ହୁଅନ୍ତି ଓ ଆଉ କେତେକ ଲୋକ ଦୁର୍ନୀତିଗ୍ରସ୍ତ ହୁଅନ୍ତି କାହିଁକି ? ପୁଣି କୌଶିକଙ୍କ ପରି କେତେଲୋକ ଧର୍ମ ଓ ଅଧର୍ମକୁ ଆକ୍ଷରିକ ଅର୍ଥରେ ବୁଝନ୍ତି ଓ ଭୀଷ୍ମ, ବିଦୁର ଏବଂ କୃଷ୍ଣଙ୍କ ପରି ଆଉ କେତେକ ଲୋକ ସୂକ୍ଷ୍ମ ଅର୍ଥରେ ବୁଝନ୍ତି । ଏପରି ପ୍ରଭେଦ କାହିଁକି ଦେଖାଯାଏ-? ବାଳକ ଓ ପ୍ରାପ୍ତବୟସ୍କ ଲୋକଙ୍କ ଭିତରେ ମଧ୍ୟ ଆମେ ନୀତିଜ୍ଞାନର ପ୍ରଭେଦ ଦେଖୁଁ-। ବାଳକଠାରେ ନୀତିଜ୍ଞାନର ଉନ୍ମେଷ ହୋଇ ନଥିବା ଯୋଗୁଁ ଏପରି ପ୍ରଭେଦ ଦେଖାଯାଏ ବା ବାଳକର ବିଚାର ବୁଦ୍ଧିର ଅଭାବ ଏହାର କାରଣ ? ଏ ସବୁ ପ୍ରଶ୍ନର ଉତ୍ତର ଜାଣିଲେ ଆମେ ପିଲାଙ୍କୁ ଅଳ୍ପଜ୍ଞ ଧାର୍ମିକ ଭାବରେ ବଢ଼ାଇବୁ ନାହିଁ, ବରଂ ପ୍ରକୃତ ନ୍ୟାୟନିଷ୍ଠ କରି ବଢ଼ାଇ ପାରିବୁ-

 

ନୀତି-ଜ୍ଞାନର ଉଦୟ–

 

ଜନ୍ମବେଳେ ପିଲା ନୀତିଜ୍ଞାନ ଶୂନ୍ୟ ହୋଇ ଜନ୍ମ ହୁଏ । ଜନ୍ମ ପରେ ସେ ଯେଉଁ ପରିବାର ଓ ସାମାଜିକ ବାତାବରଣ ଭିତରେ ବଢ଼େ, ସେହି ଗୋଷ୍ଠୀର ଆଚରିତ ନୀତି ଓ ନିୟମ ଶିଖେ । ପରେ ଯେତେବେଳେ ତା’ର ଚିନ୍ତା ଓ ବିଚାର ଶକ୍ତି ବଢ଼େ, ସେତେବେଳେ ସେ ସ୍ଥାନକାଳ ପାତ୍ର ବିବେଚନା କରି ସେହି ଅନୁସାରେ ଏପରି କାର୍ଯ୍ୟ ହିତକର ନା ଅହିତକର ସେ ବିଷୟ ସ୍ଥିର କରି କାମ କରିଥାଏ ।

 

ପିଆଜେ ସାନ ପିଲାଙ୍କ ଉପରେ ଗବେଷଣା କରି ଦେଖିଛନ୍ତି ଯେ ପିଲାଙ୍କର ନୀତିଜ୍ଞାନ ଦୁଇଟି ସ୍ୱତନ୍ତ୍ର ଅବସ୍ଥା ଦେଇ ଗତିକରି ବିକାଶ ଲାଭ କରେ । ପ୍ରଥମ ଅବସ୍ଥାକୁ ସେ Moral Realism ବା ‘ବାସ୍ତବ ନୀତିବାଦ’ ବୋଲି କହିଛନ୍ତି । ଏହି ଅବସ୍ଥାରେ ପିଲା ସବୁ ନିୟମକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରିଥାଏ । ଯେମିତି–ପିଲା ଶିଖିଛି ଯେ ଡାହାଣ ହାତରେ ଖାଇବା କଥା, ବାଆଁ ହାତରେ ଖାଇବା କଥା ନୁହେଁ । ସେ ଯଦି ଭୁଲ୍ ରେ ବାଆଁ ହାତରେ ଖାଇଦିଏ, ତା’ହେଲେ ଭୁଲ୍ ହୋଇଗଲା ବୋଲି ନିଜକୁ ନିଜେ କହେ । ଅନ୍ୟପିଲା ଏପରି କରିବାର ଦେଖିଲେ ତାକୁ ସଙ୍ଗେ ସଙ୍ଗେ ଶାସନ କରେ । “ଛି-ଛି, ବାଆଁ ହାତରେ ଖାଉଛି । ମଇଳା ହାତରେ ଖାଉଛି–ତୋତେ ସମସ୍ତେ ଅସଭ୍ୟ କହିବେ ।” ଏହି ଅବସ୍ଥାରେ ସେ ଭାବେ ସଭ୍ୟ ମଣିଷ ମାତ୍ରେ ହିଁ ଡାହାଣ ହାତରେ ଖାଆନ୍ତି । ଆମ ପିଲା ତେଣୁ ସାହେବମାନଙ୍କୁ କଣ୍ଟା ଚାମୂଚ ଦୁଇ ହାତରେ ଧରି ଖାଉଥିବାର ଦେଖିଲେ ଭୁଲ୍ ଉପାୟରେ ସେମାନେ ଖାଉଛନ୍ତି ବୋଲି ଭାବନ୍ତି ।

 

ପିଲାମାନେ ନିୟମ ମାତ୍ରେ ହିଁ ଅଲଙ୍ଘନୀୟ ଓ ଅପରିବର୍ତ୍ତନୀୟ ବୋଲି ଭାବନ୍ତି । ଖେଳର ନିୟମ ବିଷୟରେ ସେମାନଙ୍କର ଧାରଣା ପରୀକ୍ଷା କଲେ ଦେଖା ଯାଉଛି ଯେ ଦରକାର ପଡ଼ିଲେ ବଡ଼ପିଲାମାନେ ନିଜ ନିଜ ଭିତରେ ରାଜି ହୋଇ ଖେଳର ନିୟମ ବଦଳାଇ ଅନ୍ୟ ପ୍ରକାରରେ ଖେଳ ଖେଳନ୍ତି । ମାତ୍ର ସାନପିଲାମାନେ (ସାଧାରଣତଃ ଛଅ ସାତ ବର୍ଷର ପିଲା) ଖେଳର ନିୟମ ବଦଳାଇ ଖେଳିଲେ ଭୁଲ୍ ଖେଳୁଛି ବୋଲି କହିବେ ଓ ସେ ଉପାୟରେ ଖେଳିବାକୁ ମୋଟେ ରାଜି ହେବେ-ନାହିଁ । ଯଥା-ଗୋଟାଏ ପ୍ରକାର ତାସ ଖେଳରେ ଗୋଟାଏ ପଟ ତାସ ବଣ୍ଟା ହୋଇଯିବ ଓ ଯାହା ପାଖରେ ତାସ ବଣ୍ଟା ସରିବ ସେ ଖେଳ ଆରମ୍ଭ କରିବ । ଏହି ନିୟମରେ କିଛିଦିନ ଖେଳିଲା ପରେ କୁହାଗଲା ଯେ–"ଯିଏ ତାସ ପ୍ରଥମେ ପାଇବ ସେ ପ୍ରଥମେ ଖେଳ ଆରମ୍ଭ କରିବ ।” “ଭୁଲ ଭୁଲ, ତୁମକୁ କିଛି ନିୟମ ଜଣାନାହିଁ ବୋଲି ପିଲା ପାଟିକଲେ । ତା’ପରେ ପିଲାଙ୍କୁ ପଚରାଗଲା-ହଉ ଏହି ନୂଆ ନିୟମଟା ହୁଏତ ଠିକ୍ ନିୟମ ନୂହେଁ, ମାତ୍ର ଏହି ଉପାୟରେ କ’ଣ ତାସ ଖେଳିହେବ ନାହିଁ ? ପିଲାମାନେ କହିଲେ, ନା-ହେବନାହିଁ । ପିଲାର ଏହି ବୟସରେ ‘ପାପ ପୁଣ୍ୟ’ ବା ‘ଧର୍ମ ଅଧର୍ମ’ର ଧାରଣା ହୋଇ ନଥାଏ । ତେଣୁ କୌଣସି କାର୍ଯ୍ୟ କା ଆଚରଣ ଭୁଲ୍ ନା ଠିକ୍ ସେ କଥା ସେ ପାରିବାରିକ ଓ ସାମାଜିକ ବିଧି ନିଷେଧ ଅନୁସାରେ ସ୍ଥିର କରିଥାଏ । ଯେଉଁ ପରିବାରରେ ସମସ୍ତେ ନିରାମିଷ ଖାଆନ୍ତି, ସେ ପରିବାରରେ ବଢ଼ୁଥିବା ପିଲା-ମାଛ, ମାଂସ, ପିଆଜ, ରସୁଣ ଇତ୍ୟାଦି ଖାଇବା ଖରାପ ବୋଲି ଜାଣେ । ପ୍ରାଣୀ ହିଂସା କରିବେ ନାହିଁ ବୋଲି ଘରଲୋକ ନିରାମିଷ ଖାଉଛନ୍ତି, ସେ କଥା ସେ ଠିକ୍ ଭାବରେ ବୁଝି ନଥାଏ ।

 

ସବୁ ପ୍ରାଣୀ ପ୍ରତି ସାନପିଲାଙ୍କର ମାୟା ମମତା ନଥାଏ । ଯେଉଁ ପ୍ରାଣୀକୁ ନିଜେ ପୋଷିଥାନ୍ତି କେବଳ ତାକୁହିଁ ଭଲ ପାଆନ୍ତି । ସେଥିଲାଗି ପିଲା ଘରର ପୋଷା କୁକୁରଟିକୁ ଗେହ୍ଳା କରୁଥିବ, ତାକୁ ନିଜ ଖାଇବାରୁ ଭଲ ଜିନିଷ ବାଛି ଖୁଆଇବ । ଅଥଚ ବୁଲା କୁକୁର ଦେଖିଲେ ଟେକା ମାଡ଼ରେ ମାରି ମାରି ତାକୁ ଦରମରା କରିବାକୁ ଆଗେଇ ଯିବ । କୁକୁରକୁ ଏପରି କଷ୍ଟ ଦେବା ଉଚିତ୍ ନୁହେଁ, ସେ ଧାରଣା ତାହାର ହୋଇ ନଥାଏ ।

 

ସରସ୍ଵତୀ ପୂଜାରେ ବିଧି ହେଲା, ପିଲା ପୂଜାସାରି ପୁଷ୍ପାଞ୍ଜଳୀ ନ ଦେବା ପର୍ଯ୍ୟନ୍ତ ଉପବାସରେ ରହନ୍ତି । ଯଦି ଉପବାସ କରିଥିବା ପିଲାଙ୍କୁ ପରରାଯାଏ “ପୂଜା ଆଗରୁ ଖାଇଲେ କ’ଣ ହେବ ?” ସେ କହିବ “ଆଗରୁ ଖାଇଲେ ଦେବୀ ରାଗିବେ, ମୁଁ ପାଠ ଭୁଲିଯିବି”, ପୁଣି ପଚରାଗଲା–“ଯିଏ ଉପବାସ କରିନାହିଁ, ତା’ର କ’ଣ ଭଲ ପାଠ ହେବ ?” ପିଲା କହିଲା–“ନା ସେ ଭଳି ପିଲାର ପାଠ ହେବ ନାହିଁ ।” ତାଙ୍କ ଧାରଣା ଅନୁସାରେ ସେ ଭାବନ୍ତି–ଯିଏ ଉପବାସ କଲା, ବିଧିବିଧାନ ମାନିଲା; ଠାକୁରେ କେବଳ ତାକୁ ହିଁ ଭଲ ଫଳ ଦେବେ । ଯିଏ ଏପରି ନ କଲା ଠାକୁର ରାଗି ଅସନ୍ତୁଷ୍ଟ ହୋଇ ତାକୁ ଶାସ୍ତି ଦେବେ ।

 

ପିଆଜେ ଏହି ସ୍ତରରେ ଥିବା ପିଲାର ନୀତିଜ୍ଞାନ ପରୀକ୍ଷା କରି ଦେଖିଚନ୍ତି ଯେ–

 

୧–କେଉଁ ଅଭିପ୍ରାୟ ଅନୁସାରେ ଲୋକ କାମ କରୁଛି, ସେକଥା ପିଲା ବୁଝନ୍ତି ନାହିଁ । “କ’ଣ ଭାବି କାମଟା କଲା” ତାହା ବୁଝିବାକୁ ଚେଷ୍ଟା ନ କରି “କ’ଣ କଲା” ସେ କଥା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି । ଯଥା-ପିଲା ହାତରେ ମଶାଟା ବସିଛି, ଗୋଟାଏ ଜାବୁଡ଼ାରେ ମଶାକୁ ମାରିବାରୁ ମଶାଟା ମଲା, ମାତ୍ର ପିଲା ହାତରେ ମାଡ଼ ବସିଲା । “ମୋତେ କାହିଁକି ମାରିଲୁ” କହି ପିଲା କାନ୍ଦିଲା; "ଆରେ ତୋତେ ମାରିନାହିଁ, ମଶା ମାରୁ ମାରୁ ତୋ ହାତରେ ମାଡ଼ ବସିଲା”–କହି ଯେତେ ବୁଝାଇଲେ ମଧ୍ୟ ପିଲା ନ ବୁଝି କାନ୍ଦନ୍ତି ।

 

୨–ପିଲା ସବୁ ନିୟମ ଅପରିବର୍ତ୍ତନୀୟ ଓ ଅଙ୍ଘନୀୟ ବୋଲି ଭାବନ୍ତି । ତେଣୁ ନିୟମର ବ୍ୟତିକ୍ରମ ଦେଖିଲେ ବ୍ୟତିବ୍ୟସ୍ତ ହୋଇପଡ଼ି "କାହିଁକି ଏପରି ହେଲା ?” ସେ କଥା ବାରମ୍ବାର ପଚାରନ୍ତି ।

 

୩–ଯିଏ ଦୋଷୀ ତାକୁ ସାଙ୍ଗେ ସାଙ୍ଗେ ଶାସ୍ତି ଦେବା କଥା । ତେଣୁ ପ୍ରତିଟି ଅନ୍ୟାୟ କାର୍ଯ୍ୟ ପଛରେ କାହାର ଦୋଷ ରହିଛି-ସେ କଥା ସ୍ଥିର ନ ହେଲା ପର୍ଯ୍ୟନ୍ତ ସେମାନେ ବାରମ୍ବାର ସେ କଥା ପଚାରିବେ ଓ ଯିଏ ଦୋଷୀ ସେ ଶାସ୍ତି ନ ପାଇବା ପର୍ଯ୍ୟନ୍ତ ସେମାନଙ୍କର ମନ ଶାନ୍ତି ହେବ ନାହିଁ । ଦୋଷୀକୁ କ୍ଷମା ମିଳିଲେ ସେଟା ନ୍ୟାୟ-ବିଚାର ହେଲା ବୋଲି ଭାବନ୍ତି ନାହିଁ; ଦୋଷୀକୁ ଦଣ୍ଡ ଦେବାଟା ହିଁ ହେଲା ଏକମାତ୍ର ନ୍ୟାୟ ଵିଚାର ।

 

୪–ନିଜ କୃତ କର୍ମ ପାଇଁ ବ୍ୟକ୍ତିଗତ ଦାୟିତ୍ୱ ଅଛି ବୋଲି ସେମାନେ ଭାବିପାରନ୍ତି ନାହିଁ-। “ସମସ୍ତେ କରିବାରୁ ମୁଁ କଲି”–ଏ କଥା ବାରମ୍ବାର କହନ୍ତି । “ମୁଁ ଏକା ଦୋଷୀ” ଏହି ଧାରଣା ପିଲାର ନଥାଏ । ଯେଉଁ କାମ ସମସ୍ତେ କରୁଛନ୍ତି ସେପରି କାମକୁ ସେ ଠିକ୍ ବୋଲି ଭାବେ । କାରଣ ଏତେଗୁଡ଼ାଏ ଲୋକ କେମିତି ଭୁଲ୍ କାମ କରିବେ ? ଯଦି ବି ଭୁଲ୍ କାମ କରନ୍ତି, ତା’ହେଲେ ସମସ୍ତେ ସେଥିପାଇଁ ଦାୟୀ ହେବେ । ନିଜ କାମ ପାଇଁ କେବଳ ସେ ନିଜେ ଦାୟୀ–ଏ କଥା ସେ ପିଲା ବୁଝି ନ ଥାଏ । ଦସ୍ୟୁ ରତ୍ନାକର କାହାଣୀରୁ ମଣିଷ ବିବେକର ଏହି ପ୍ରାକ୍ ଉନ୍ମେଷ ଅବସ୍ଥାର ପରିଚୟ ଆମେ ପାଉ ।

 

ଦସ୍ୟୁ ରତ୍ନାକର ଯେତେବେଳେ ଦସ୍ୟୁବୃତ୍ତି କରି ଜୀବିକାର୍ଜନ କରୁଥିଲେ, ସେ ଭାବୁଥିଲେ ଯେ ତାଙ୍କର ପରିବାର ଓ ସହଚର ଦସ୍ୟୁମାନେ ତାଙ୍କର ଦୋଷରେ ଭାଗୀ ହେବେ । ସେମାନେ ସମସ୍ତେ ତାଙ୍କ ଦ୍ୱାରା ଲୁଣ୍ଠିତ ଧନସମ୍ପଦରୁ ଲାଭ ପାଉଛନ୍ତି । ତେଣୁ ଲାଭ ଯେପରି ସମସ୍ତେ ପାଉଛନ୍ତି, ପାପରେ ମଧ୍ୟ ସେହିମାନେ ସେପରି ଭାଗ ନେବେ । ନାରଦଙ୍କର ପ୍ରଶ୍ନ ଫଳରେ ସେ ପ୍ରଥମଥର ପାଇଁ ନିଜର କୃତକର୍ମ ବିଷୟରେ ଭାବିବାକୁ ଆରମ୍ଭ କଲେ । ‘ମୁଁ ଦୋଷୀ ନା ‘ସମସ୍ତେ ଦୋଷୀ’–ଏ କଥା ସ୍ଥିର କରିବା ଲାଗି ନିଜ ପରିବାରର ପ୍ରତିଟି ଲୋକକୁ ଓ ନିଜର ସହଚରମାନଙ୍କୁ “କିଏ ମୋର ପାପର ଭାଗୀ” ବୋଲି ପଚାରିଲେ । ସମସ୍ତେ ଉତ୍ତର ଦେଲେ-ତାଙ୍କର କୃତକର୍ମ ପାଇଁ ସେ କେବଳ ଦାୟୀ । ଅନ୍ୟାୟ କଲେ ପାପ ତାଙ୍କର ଓ ନ୍ୟାୟ କଲେ ପୁଣ୍ୟ ମଧ୍ୟ ତାଙ୍କର । ସମସ୍ତେ ତାଙ୍କପାଇଁ ଦାୟୀ ନୁହନ୍ତି । ଫଳରେ ଦସ୍ୟୁ ରତ୍ନାକରଙ୍କର ହୃଦୟରେ ଶୁପ୍ତ ଚେତନା ଜାଗରିତ ହେଲା ଓ ସେ ସାଧନା କରି ଋଷି ବାଲ୍ମୀକି ରୂପରେ ଵିଵେକବାନ୍ କବି ହୋଇ ନୂତନ ପରିଚୟ ଲାଭକଲେ ।

 

ବିବେକ ଜ୍ଞାନର ଉନ୍ମେଷ ହେବା ପୂର୍ବରୁ ପିଲାର ଯେ ‘କର୍ତ୍ତବ୍ୟ-ଅକର୍ତ୍ତବ୍ୟ’ ଜ୍ଞାନ ନଥାଏ ତାହା ନୁହେଁ; ମାତ୍ର ନ୍ୟାୟ-ଅନ୍ୟାୟ ବୋଧ ଦ୍ୱାରା ବିଚାର ନକରି ସେ ସାମାଜିକ ପୁରସ୍କାର ଓ ଶାସ୍ତି ଅନୁସାରେ କର୍ତ୍ତବ୍ୟ-ଅକର୍ତ୍ତବ୍ୟର ବିଚାର କରେ । ଅନ୍ୟ ଲୋକ ଶାସ୍ତି ଦେବେ ଏହି ଭୟରେ ଦୋଷାବହ କାର୍ଯ୍ୟ କରେନାହିଁ । ଧରା ପଡ଼ିବାର ଭୟ ନ ଥିଲେ ବା ଲୋକନିନ୍ଦା ଓ ଶାସ୍ତିତ୍ୱ ସମ୍ଭାବନା ନ ଥିଲେ ସେ ଅନ୍ୟାୟ କାମ କରିବାକୁ ପଛାଏ ନାହିଁ ।

 

କେଉଁ ପ୍ରକାର କାମ ଭଲ ଓ କେଉଁ ପ୍ରକାର କାମ ଖରାପ ବୋଲ ପଚାରିଲେ ଯେଉଁ କାମ କରିବା ମନା ସେପରି କାମ ଖରାପ ଓ ଯେପରି କାମ ସମସ୍ତେ କରନ୍ତି ସେପର କାମକୁ ଭଲ ବୋଲି କହେ । ଅର୍ଥାତ୍ ବିଭିନ୍ନ ଦିଗରୁ ଵିଚାର ନ କରି, ନ ଦେଖି ‘ଭଲ-ମନ୍ଦର’ ଫର୍ମୁଲା ଅନୁସାରେ ଭାବେ । ଯଥା–ଛେଳିକଟା ଦେଖିବାକୁ ତାକୁ ହୁଏତ ଖରାପ ଲାଗେ, ଅଥଚ ଛେଳି ମାଂସର ସ୍ଵାଦ କେମିତି ସେକଥା ଖୁସିରେ କହେ । ମାତ୍ର ଯିଏ ଗୋମାଂସ ଖାଏ ତାକୁ ସେ ଘୃଣା କରେ । ଗୋରୁ ମାରିବା କାହିଁକି ଛେଳି ମାରିବାଠାରୁ ଖରାପ ସେ ବିଷୟ ସେ ଭାବେ ନାହିଁ । ଆମ ଦେଶର ଅଧିକାଂଶ “ଆଚାର ଅନାଚାର”ର ବିଚାର ଆମେ ଏହିପରି ଅର୍ଥହୀନ ଅଭ୍ୟାସର ବଶବର୍ତ୍ତୀ ହୋଇ କରିଥାଉ । ମାତ୍ର ସନ୍ନ୍ୟାସୀ ବା ପ୍ରକୃତ ଜ୍ଞାନୀ ଲୋକ ଏପରି ଲୋକାଚାର ଓ ଅନ୍ଧ ସଂସ୍କାରକୁ ବର୍ଜନ କରିଥାନ୍ତି । ଗାନ୍ଧୀ, ଚୈତନ୍ୟ, ନାନକ, କବୀର ଓ ବୁଦ୍ଧଙ୍କ ପରି ମହାପୁରୁଷମାନେ ନିଜ ନିଜର ସମସାମୟିକ ପ୍ରଚଳିତ ଲୋକାଚାରରୁ ମୁକ୍ତହୋଇ କେଉଁଟା ଭଲ ଓ କେଉଁଟା ମନ୍ଦ ସେକଥା ଚିନ୍ତାକରି ଦେଖିବାକୁ ଆମକୁ ଶିଖାଇଥିଲେ । ଫଳରେ ଯାଗଯଜ୍ଞରେ ପଶୁବଳି ରହିତ ହେଲା । ସାମ୍ପ୍ରଦାୟିକ ଧାରଣା ଅନୁସାରେ ‘ଭଲ-ମନ୍ଦ’ ବିଚାର ନକରି ମାନବ ପ୍ରୀତିର ବଶବର୍ତ୍ତୀ ହୋଇ ଆମେ ‘ଭଲ-ମନ୍ଦ’ ବିଚାର କରି ଶିଖିଲୁ । ଉଚ୍ଚବର୍ଣ୍ଣର ବ୍ୟକ୍ତିକୁ ଶ୍ରଦ୍ଧା କରିବାକୁ ଶିଖିଲୁ । ଏହିପରି ବିଚାର ବିବେଚନା ପ୍ରସୂତ ନୀତିଜ୍ଞାନର ଉଦ୍ଭବ ପରିଣତ ବୟସରେ ଦେଖାଯାଏ । ସାନ ପିଲାଙ୍କୁ ନ୍ୟାୟ ନୀତି ଯେତେ ଶିଖାଇଲେ ମଧ୍ୟ ମନର ଅପରିଣତ ଅବସ୍ଥା ହେତୁ ସେମାନେ ଦେଶର ପ୍ରଚଳିତ ରୀତି ଅନୁସାରେ ନ୍ୟାୟ-ଅନ୍ୟାୟ ସ୍ଥିର କରିବେ, ନିଜେ ଭାବି ଚିନ୍ତି ସ୍ଥିର କରିପାରିବେ ନାହିଁ । ଶୁଆକୁ ନୀତିବାକ୍ୟ ଶିଖାଇଲା ପରି ସାନପିଲାଙ୍କୁ ନୀତିବାକ୍ୟ ଶିଖାଇବା ନିରର୍ଥକ । କେବଳ ବାପ, ମା ଓ ଗୁରୁଜନମାନଙ୍କର ଆଚରଣ ଦ୍ୱାରା ଓ ପିଲାର ବୟସ ବଢ଼ିଲେ ଏ ବିଷୟ ତାହା ସହିତ ଆଲୋଚନା କରିବା ଦ୍ୱାରା ଆମେ ତା ମନରେ ନୀତିବୋଧର ଉଦ୍ରେକ କରିପାରିବା ।

 

ବିଚାର-ଜାତ ନୀତିଜ୍ଞାନକୁ ପିଆଜେ Mutual Respect Ideology ବା ପାରସ୍ପରିକ ଶ୍ରଦ୍ଧାଦର୍ଶ ବୋଲି କହିଛନ୍ତି । ‘ପାରସ୍ପରିକ ଶ୍ରଦ୍ଧା’ କହିବାର କାରଣ ହେଉଛି, ସବୁ ଦେଶରେ ସମାଜବଦ୍ଧ ମଣିଷ ପରସ୍ପର ପ୍ରତି ଶ୍ରଦ୍ଧା ଅନୁଭବ କରୁଥିବାରୁ ନିଜ ଇଚ୍ଛାରେ ନିଜକୁ ସଂଯତ କରି ସମାଜର ଶାସନ ମାନି ଚଳନ୍ତି । ସେମାନେ ହୃଦୟଙ୍ଗମ କରନ୍ତି ଯେ ପରସ୍ପର ସହିତ ବିରୋଧ ନକରି ଏକାଠି ଚଳିବାକୁ ହେଲେ ମଣିଷ ବିଭିନ୍ନ ନୀତି ଓ ନିୟମ ମାନି ଚଳିବା ଦରକାର । ଲୋକ-ନୀତି, ସମାଜ-ନୀତି ଓ ଧର୍ମ-ନୀତିର ସୃଷ୍ଟି ହୋଇଛି ସାର୍ବଜନୀନ କଲ୍ୟାଣ ପାଇଁ । ଏହା ଦୈବୀକୃତ ନୁହେଁ । ତେଣୁ ନିୟମ ସମାଜ ପାଇଁ ଅକଲ୍ୟାଣକର, ଯେଉଁ ଆଇନ ବଳରେ ସବଳ ଦୁର୍ବଳକୁ ପଦାନତ କରି ରଖେ–ମଣିଷ ଯୁଗେ ପୁଗେ ସେପରି ନିୟମ ଭାଙ୍ଗିଛି ଓ ନୂଆ ନିୟମ ଗଢ଼ିଛି । ଯେଉଁ ନିୟମ ସମସ୍ତଙ୍କୁ ସୁହାଇଛି, ସେ ନିୟମ ଆବହମାନ କାଳରୁ ଜଳି ଆସୁଛି ।

 

ଦ୍ୱିତୀୟ ଅବସ୍ଥାରେ ତେଣୁ ନୀତିମୂଳକ ଧାରଣାରେ କେତେକ ବିଶିଷ୍ଟ ପରିବର୍ତ୍ତନ ଦେଖାଯାଏ । ଏଥିମଧ୍ୟରୁ ପ୍ରଧାନ ହେଲା–ଅଭିପ୍ରାୟ ଅନୁସାରେ କାର୍ଯ୍ୟର ବିଚାର କରିବା । ଉଦାହରଣ–ଦ୍ରୌପଦୀ, ଅହଲ୍ୟା, କୁନ୍ତୀ, ତାରା ଓ ମନ୍ଦୋଦରୀ–ଏହି ପାଞ୍ଚ କନ୍ୟାଙ୍କୁ ସକାଳେ ସ୍ମରଣ କଲେ ନିଜର ସବୁ ପାପ ନଷ୍ଟ ହୋଇଯିବ । ଏହି ଧାରଣା ଆମର ଏବେ ମଧ୍ୟ ଅଛି । ଅଥଚ ଏହି ପାଞ୍ଚକନ୍ୟା କାହିଁକି ପ୍ରାତଃ ସ୍ମରଣୀୟା ହେଲେ ସେ ବିଷୟ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ସାଧାରଣ ଦୃଷ୍ଟିରେ ଦେଖିଲେ ପାଞ୍ଚଜଣଯାକ ଅସତୀ, ମାତ୍ର ସେମାନଙ୍କର ଅସତୀତ୍ୱର ଅଭିପ୍ରାୟ ନ ଥିଲା । ଅହଲ୍ୟା ଉପାୟହୀନା ହୋଇ ଇନ୍ଦ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । କୁନ୍ତୀ ପାଣ୍ଡୁଙ୍କର ବଂଶ ରକ୍ଷା କରିବାପାଇଁ ସ୍ଵାମୀଙ୍କର ଅନୁମତି ନେଇ ପଞ୍ଚ ଦେବତାଙ୍କର ଔରସରୁ ପୁତ୍ରଲାଭ କରିଥିଲେ । ଦ୍ରୌପଦୀ ପୁଞ୍ଚପାଣ୍ଡବଙ୍କର ପ୍ରତିଜ୍ଞା ରକ୍ଷା କରିବା ଲାଗି ପାଞ୍ଚଜଣଙ୍କୁ ବାହା ହୋଇଥିଲେ । ତାରା ଓ ମନ୍ଦୋଦରୀ ଗୃହ ବିବାଦରୁ ନିଜର ରାଜ୍ୟ ରକ୍ଷା କରିବା ଲାଗି ରାମଙ୍କ ଅନୁରୋଧରେ ନିଜ ସ୍ୱାମୀର ଶତ୍ରୁଙ୍କୁ ବିବାହ କରିଥିଲେ । ବୃହତ୍ତର କଲ୍ୟାଣ ପ୍ରତି ଲକ୍ଷ୍ୟ ରଖି ଏପରି ବିବାହ କରି ସେମାନେ କ୍ଷମା ଓ ତ୍ୟାଗର ପରାକାଷ୍ଠା ଦେଖାଇ ଥିବାରୁ ଆର୍ଯ୍ୟମାନଙ୍କର ସ୍ମରଣୀୟା ହେଲେ । ତେଣୁ ଯାହା ଶ୍ରେୟ ସେହି ଅନୁସାରେ କାର୍ଯ୍ୟର ବିଚାର କରିବା ଉଚ୍ଚସ୍ତରର ଚିନ୍ତାର ପରିଚୟ ଦିଏ ।

 

ଏହି ଅବସ୍ଥାରେ ମଣିଷ ନିୟମକୁ ଅପରିବର୍ତ୍ତନୀୟ ବୋଲି ନ ଭାବି ଦେଶ, କାଳ, ପାତ୍ର ଅନୁସାରେ ନିୟମର ଉପଯୋଗିତା ସ୍ଥିରକରି ନିୟମ ଭାଙ୍ଗେ ବା ଗଢ଼ିଥାଏ । ଗୋଟିଏ ଦୃଷ୍ଟିକୋଣରୁ ବିଷୟଟିକୁ ବିଚାର ନକରି ବିଭିନ୍ନ ଦିଗରୁ ବିବେଚନା କରି ଦେଖାଯାଏ । ଯଥା–ମିଛ କହିବା ଖରାପ–ଏ କଥା ସବୁ ଦେଶରେ ଓ ସବୁ ଧର୍ମରେ କୁହାଯାଇଛି । ମାତ୍ର ଏ ନିୟମର ମଧ୍ୟ ବ୍ୟତିକ୍ରମ ଅଛି । ଶର୍ମିଷ୍ଠା ଯଯାତିଙ୍କ ନିକଟରେ ପୁତ୍ର ପ୍ରାର୍ଥନା କରିବାରୁ ଯଯାତି ଏପରି ସମ୍ୱନ୍ଧ ସ୍ଥାପନ କରିବାଟା ମିଥ୍ୟାଚାର ହେବ କହି ଶର୍ମିଷ୍ଠାଙ୍କୁ ପ୍ରତ୍ୟାଖ୍ୟାନ କଲେ । ସେତେବେଳେ ଶର୍ମିଷ୍ଠା କହିଲେ–

 

“ନ ନର୍ମଯୁକ୍ତଂ ବଚନଂ ହିନନ୍ତି

ନ ସ୍ତ୍ରୀଷ୍ମ ରାଜନ୍ ନ ବିବାହ କାଳେ ।

ପ୍ରାଣଂତାୟେ ସର୍ବଧନାପହାରେ

ପଞ୍ଚାନୃତାନ୍ୟା ହର ପାତକାନି ।”

 

ମହାରାଜ ! ପରିହାସ ଛଳରେ, ସ୍ତ୍ରୀ ଲୋକଙ୍କର ମନୋରଞ୍ଜନରେ, ବିବାହ କାଳେ, ପ୍ରାଣସଂଶୟ ସମୟ ଉପସ୍ଥିତ ହେଲେ ଓ ସବୁ ଧନ ନଷ୍ଟ ହେବାକୁ ଯାଉଥିଲେ–ଏହି ପାଞ୍ଚ ଅବସ୍ଥାରେ ପଡ଼ି ମିଛ କହିଲେ ପାପ ହେବନାହିଁ ।

 

(ଆଦିପର୍ବ, ମହାଭାରତ)

 

ଏହି ଅବସ୍ଥାରେ ମଣିଷ ନିଜ କୃତକର୍ମ ପାଇଁ ନିଜକୁ ଦାୟୀ କରେ । ଅନ୍ୟ ସମସ୍ତେ ମିଶି ଅନ୍ୟାୟ କାମ କଲେ ମଧ୍ୟ ସେ ସେପରି କାମ କରେ ନା । ନିଜ ଅନ୍ତରର ନ୍ୟାୟ-ଅନ୍ୟାୟ ଜ୍ଞାନ ଅନୁସାରେ ସେ କାମ କରେ । ଏହି ନ୍ୟାୟ-ନୀତିକୁ ଅନୁସରଣ କରି ସେ ଜୀବନରେ ଦୁଃଖକଷ୍ଟ ବରଣ କରିନିଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଯୁଦ୍ଧବନ୍ଦୀ ବହୁ ପ୍ରଲୋଭନ ସତ୍ତ୍ୱେ ନିଜ ପକ୍ଷର ଗୁପ୍ତ ସମ୍ବାଦ ଶତ୍ରୁକୁ ଦେଇନାହିଁ । ଭାରତର ସ୍ଵାଧୀନତା ଆନ୍ଦୋଳନ ବେଳେ ବହୁ ଯୁବକ ଯୁବତୀ ନିର୍ଯ୍ୟାତନା ଓ ଦୁଃଖକଷ୍ଟ ପାଇ ମଧ୍ୟ ବ୍ରିଟିଶ୍ ସରକାର ସହିତ ସହଯୋଗିତା କରି ନ ଥିଲେ । ଗୋଷ୍ଠୀର ସ୍ଵାର୍ଥ ପାଇଁ ନିଜର ସୁଖ ଓ ସ୍ଵାର୍ଥକୁ ବଳିଦେବାକୁ ଲୋକ ପଛେଇ ଯାଏ ନାହିଁ । କିନ୍ତୁ ଯାହାର ବିବେକ ଜଡ଼ ଅବସ୍ଥାରେ ଥାଏ, ସେପରି ଲୋକଠାରେ ଏ ଭଳି ଆତ୍ମୋତ୍ସର୍ଗ ଦେଖାଯାଏ ନାହିଁ । ଭଲ କାମ କଲେ କେବଳ ମୋତେ ଭଲ ଫଳ ମିଳିବ, ଏଭଳି ପକ୍ଷପାତ ବ୍ୟବହାର କହିଲେ ସେ ଆଶା କରେନାହିଁ ବରଂ ନ୍ୟାୟ ବ୍ୟବହାର କହିଲେ ସେ ବୁଝେ, ସମସ୍ତଙ୍କ ପ୍ରତି ସମାନ ନିରପେକ୍ଷ ବ୍ୟବହାର କରିବା । ପାପୀକୁ ଘୃଣା ନକରି ପାପକୁ ଘୃଣା କରିବାକୁ ଶିଖେ-। ପାପୀ ଏବଂ ଅପରାଧୀ ପ୍ରତି ନିର୍ଦ୍ଦୟ ହେବା ପରିବର୍ତ୍ତେ ସେମାନଙ୍କୁ ନ୍ୟାୟ ପଥକୁ ଆଣିବାକୁ ଚେଷ୍ଟାକରେ । ଆମ ଦେଶର ସମସାମୟିକ ଆଇନ କାନୁନ୍ ଏହି ନୀତିକୁ ଅନୁସରଣ କରି ଗଢ଼ି ଉଠିଛି ।

 

ପିଆଜେଙ୍କର ମତବାଦ ଅନୁସାରେ ଯାହାର ପ୍ରାରମ୍ଭିକ ସ୍ତରର ନୀତିଜ୍ଞାନ ନାହିଁ, ତା ପକ୍ଷରେ ପରବର୍ତ୍ତୀ ସ୍ତରର ନୀତିଜ୍ଞାନ ଧାରଣା କରିବା ସମ୍ଭବ ହେବନାହିଁ । ପିଲା ଯେପରି ବସିଲା ପରେ ଯାଇ ଠିଆହୁଏ, ସେହିପରି ତା’ର ନୀତିଜ୍ଞାନ ମଧ୍ୟ କ୍ରମାନ୍ୱୟରେ ବିକାଶ ଲାଭ କରେ । ପ୍ରଥମେ ସେ ଅନ୍ୟର ଶାସନ ମାନି ନିଜକୁ ସଞ୍ଜତ ଓ ଶୃଙ୍ଖଳିତ କରେ ଓ ପରେ ଜୀବନରେ ସେପରି ଶାସନର ପ୍ରୟୋଜନ ଥିବାର ଉପଲବଧି କରି ନିଜେ ନିଜକୁ ନ୍ୟାୟ-ନୀତି ଅନୁସାରେ ଶାନ୍ତ ଓ ସଂଯତ କରେ । ପିଆଜେଙ୍କର ଏହି ପର୍ଯ୍ୟବେକ୍ଷଣ କେବଳ ପାଶ୍ଚାତ୍ୟ ସମାଜରେ ପ୍ରଯୁଜ୍ୟ, ନା-ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ମଣିଷର ନୀତିଜ୍ଞାନରେ ଏହିପରି କ୍ରମବିକାଶ ଦେଖାଯାଏ ? ଏହି ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ଲାଗି ମନୋବିଜ୍ଞାନୀ କୋଲବାର୍ଗ ବ୍ରିଟେନ, କାନାଡ଼ା, ଆମେରିକା, ମେକ୍‍ସିକୋ, ଟାଇଓୟାନ (ଚୀନ ଦେଶର ଲୋକ ସେଠି ଥାନ୍ତି) ଓ ତୁରସ୍କ (ମୁସଲମାନ ଧର୍ମାବଲମ୍ବୀ) ଦେଶରେ ପିଲାଙ୍କର ନୀତି-ଜ୍ଞାନର ବିକାଶ ଧାରା ପର୍ଯ୍ୟବେକ୍ଷଣ କରିଥିଲେ । ଏହି କାମ ଆରମ୍ଭ ବେଳେ ପିଲାମାନଙ୍କର ବୟସ ଥିଲା ଦଶରୁ ଷୋହଳ ବର୍ଷ । ବାର ବର୍ଷ କାଳ କ୍ରମାଗତଭାବେ ଏମାନଙ୍କୁ ପରୀକ୍ଷା କରିଥିଲେ କୋଲ୍ ବାର୍ଗ । ଗବେଷଣା ଶେଷ ହେଲା ବେଳକୁ ସେମାନଙ୍କର ବୟସ ହୋଇଥିଲା ୨୦-୨୮ ବର୍ଷ ।

 

ଏହି ପିଲାମାନଙ୍କୁ କେତେଗୁଡ଼ିଏ ନୈତିକ ସମସ୍ୟା ସେ ପଚାରିଥିଲେ । ଯଥା-ଗୁଡ଼ିଏ ସାଧାରଣ ଲୋକଙ୍କର ଜୀବନ ରକ୍ଷାକରିବା ଅପେକ୍ଷା ଜଣେ ଅସାଧାରଣ ଯୋଗ୍ୟ ଲୋକର ଜୀବନ ରକ୍ଷା କରିବା ଶ୍ରେୟସ୍କର କି ?

 

ଦଶବର୍ଷ ବୟସର ଟମି ଉତ୍ତର ଦେଲା–ଗୁଡ଼ିଏ ସାଧାରଣ ଲୋକଙ୍କର ଜୀବନ ରକ୍ଷା ଉଚିତ୍ । କାରଣ ହେଲା–ଜଣେ ଲୋକର ହୁଏତ ଗୋଟିଏ ଘର ଓ ଗୁଡ଼ାଏ ଧନ ସମ୍ପତ୍ତି ଅଛି, ମାତ୍ର ସବୁ ସାଧାରଣ ଲୋକଙ୍କର ଟଙ୍କା ପଇସା, ସମ୍ପତ୍ତି, ଘରଦ୍ଵାର ମିଶାଇଲେ ଜଣେ ଲୋକର ସମ୍ପତ୍ତିଠାରୁ ଅନେକ ବେଶୀ ହେବ ।

 

ଟମିର ଉତ୍ତରରୁ ଜଣାଯାଉଛି ଯେ ସେ ଲୋକର ବିଭବ ଅନୁସାରେ ମଣିଷ ଜୀବନର ମୂଲ୍ୟ ସ୍ଥିର କରୁଛି ।

 

ତିନିବର୍ଷ ପରେ ଟମିକୁ ପଚରାଗଲା–ଜଣେ ସ୍ତ୍ରୀ ଲୋକ କ୍ୟାନସର୍ ରୋଗରେ ପଡ଼ି ଭାରୀ କଷ୍ଟ ପାଉଛି, ସେ ଆଉ ବେଶୀଦିନ ବଞ୍ଚିବ ନାହିଁ । ଡାକ୍ତର ତାକୁ ଔଷଧ ଦେଇ ଆଗରୁ ମାରିଦେଲେ ତା’କୁ ଏତେ କଷ୍ଟ ସହିବାକୁ ପଡ଼ନ୍ତା ନାହିଁ । ଡାକ୍ତରଙ୍କର ଏପରି ରୋଗୀକୁ ମାରିବା ଉଚିତ୍ କି ?

 

ଟମି କହିଲା–ହଁ ସେ ଆଗରୁ ଚାଲିଗଲେ ଭଲ ହୁଅନ୍ତା, ମାତ୍ର ତାଙ୍କୁ ଔଷଧ ଦେଇ ମାରିଦେବା ପ୍ରସ୍ତାବରେ ସେ ରାଜି ନୁହେଁ । ପୋଷା କୁକୁରଟିଏ ମରିଗଲେ ତୁମେ ଆଉ ଗୋଟାଏ କୁକୁର ପାଳି ପାରିବ, ମାତ୍ର ସ୍ତ୍ରୀ ମରିଗଲେ ଆଉଥରେ ବାହାହେଲେ ମଧ୍ୟ ଠିକ୍ ତା ଭଳି ସ୍ତ୍ରୀଟିଏ ମିଳିବ ନାହିଁ ।

 

ଟମିର ଉତ୍ତରରୁ ଜଣାଯାଉଛି–ସେ ଅନ୍ୟଜଣେ ଲୋକର ପ୍ରୟୋଜନ ଅନୁସାରେ ଜୀବନର ଉତ୍କର୍ଷତା ମାପୁଛି । ମରିଗଲେ ସ୍ତ୍ରୀଲୋକ ଆଉ କଷ୍ଟ ପାଇବ ନାହିଁ ସତ, ମାତ୍ର ଯିଏ ତାକୁ ଭଲପାଏ ସେ କଷ୍ଟ ପାଇବ । (ଏଠି ପ୍ରଶ୍ନ ପଚରାଯାଇପାରେ ଯାହାର ଜୀବନ ଅଲୋଡ଼ା, ଅଖୋଜା ସେ କ’ଣ ମରିଗଲେ ଭଲ ?)

 

ସେହି ଏକା ୧୩ ବର୍ଷ ବୟସର ଆଉ ଗୋଟିଏ ପିଲା ରିଚାର୍ଡ଼କୁ ଏହି ପ୍ରଶ୍ନ ପଚରା ହେବାରୁ ସେ ଉତ୍ତର ଦେଲା–

 

“ମୁଁ ଠିକ୍ କହି ପାରିବିନି । ମାତ୍ର ମୃତ୍ୟୁକାଳ ପହଞ୍ଚିବା ପୂର୍ବରୁ ଜଣେ ଲୋକର ଜୀବନ ନଷ୍ଟ କଲେ ମୁଁ ସେପରି କାମକୁ ନରହତ୍ୟା ବୋଲି କହିବି । ‘କିଏ ବଞ୍ଚିବ ଓ କିଏ ମରିବ’ ଏ କଥା ସ୍ଥିର କରିବାର ଅଧିକାର ମଣିଷର ନାହିଁ । କାରଣ ଆମେ ଜୀବନ ଦେଇ ମଲା ମଣିଷକୁ ବଞ୍ଚାଇ ପାରିବୁ ନାହିଁ, ତେଣୁ ଜୀଅନ୍ତା ମଣିଷର ଜୀବନ ନେବାର ଅଧିକାର ମଧ୍ୟ ଆମର ନାହିଁ ।”

 

ଟମି ଓ ରିଚାର୍ଡ଼ଙ୍କର ଉତ୍ତର ତୁଳନା କଲେ ସେମାନଙ୍କର ଚିନ୍ତାର ସ୍ତରରେ ପ୍ରଭେଦ ସହଜରେ ଜାଣିହେବ । ଟମିର ଚିନ୍ତାଧାରା ପିଲାଳିଆ ଓ ରିଚାର୍ଡ଼ର ଚିନ୍ତାଧାରା ବଡ଼ମଣିଷଙ୍କ ପରି । ଟମିର ବୁଦ୍ଧି ରିଚାର୍ଡ଼ ତୁଳନାରେ କମ୍ ନୁହେଁ । ଟମିର ବୟସ ୧୩ ହେଲେ କ’ଣ ହେଲା ବୁଦ୍ଧି ପରୀକ୍ଷାରେ ତା’ର ବୃଦ୍ଧି ୧୫ ବର୍ଷ ପିଲା ସହିତ ସମାନ । ତେଣୁ ଟମି ଯଥେଷ୍ଟ ବୁଦ୍ଧିମାନ୍ । ଯେଉଁମାନଙ୍କର ବୁଦ୍ଧି ସାଧାରଣ ଲୋକଙ୍କଠାରୁ କମ୍ ସେମାନଙ୍କଠାରେ ନୀତିଜ୍ଞାନର ବିକାଶ ଡେରିରେ ହୁଏ । ମାତ୍ର ଯେଉଁମାନଙ୍କର ବୃଦ୍ଧି ସାଧାରଣ ସ୍ତର ଅପେକ୍ଷା ବେଶୀ ସେମାନଙ୍କ କ୍ଷେତ୍ରରେ ବୁଦ୍ଧିର ପରିମାଣ ଅନୁସାରେ ନୈତିକ ଜ୍ଞାନର ବିକାଶ ହେବାର ଦେଖାଯାଏ ନାହିଁ ।

 

ବିଭିନ୍ନ ବୟସରେ ପିଲା କୋଲବାର୍ଗଙ୍କର ନୈତିକ ସମସ୍ୟାର ପ୍ରଶ୍ନ ଶୁଣି ଭିନ୍ନ ଭିନ୍ନ ପ୍ରକାର ଉତ୍ତର ଦେବାରୁ ସେ ଏହି ସବୁ ଉତ୍ତର ଗୁଡ଼ିକୁ ବିଶ୍ଳେଷଣ କରି ୩ଟି କ୍ରମ-ବର୍ଦ୍ଧମାନ ସ୍ତରରେ ନୈତିକ ବିଚାରକୁ ବିଭକ୍ତ କରିଥିଲେ । ସେ ଏହାକୁ Pre-conventional, Conventional Post-conventional ବୋଲି କହିଲେ । ଏହି ପ୍ରତିଟି ସ୍ତରକୁ ସେ ଦୁଇଟି ବିଭାଗରେ ବିଭକ୍ତ କରି ସର୍ବମୋଟ ଛଅଟି ସ୍ତରରେ ନୀତିଜ୍ଞାନର ବିକାଶ ହେଉଥିବାର ଦେଖିଲେ । ‘କାହିଁକି ନିୟମ ମାନି ଚଳିବ’ ?-ଏହି ପ୍ରଶ୍ନର ଉତ୍ତରରେ ପିଲା ଛଅ ଅବସ୍ଥାରେ ଛଅଟି କାରଣ କହିଥିଲେ ।

 

୧ । ନିୟମ ନ ମାନିଲେ ଶାସ୍ତି ମିଳିବ ।

 

୨ । ନିୟମ ମାନିଲେ ପୁରସ୍କାର ମିଳିବ, ତୁମେ ଯାହା କଥା ମାନିବ, ସେ ତୁମ କଥା ମାନିବ ।

 

୩ । ନିୟମ ନ ମାନିଲେ ସମସ୍ତେ ଅମାନିଆ, ଅବାଧ୍ୟ, କହି ଗାଳିଦେବେ, ଭଲ ପାଇବେ ନାହିଁ, ଛି ଛାକର କରିବେ ।

 

୪ । ନିୟମ ନ ମାନିଲେ ବେଆଇନ୍ କାମ କରିବା ଯୋଗୁଁ ଶାସ୍ତି ପାଇବ । ଜୀବନ ଯାକ ନାଆଁରେ କାଳି ଲାଗିବ । ତେଣୁ ଲୋକଲଜ୍ଜାରୁ ରକ୍ଷା ପାଇଁ ଦେଶ ଓ ସମାଜର ସବୁ ନିୟମ ମାନିବା ଉଚିତ୍ ।

 

୫ । ନିୟମ ମାନି ନଚଳିଲେ ନିଜ ପରିବାର, ଗୋଷ୍ଠୀ ଓ ଦେଶର ଅକଲ୍ୟାଣ ହେବ । ପ୍ରତ୍ୟେକେ ନିଜ ଖୁସି ଅନୁସାରେ ନିଜ ସ୍ଵାର୍ଥ ଜଗି ଚଳିଲେ ଅରାଜକତା ବ୍ୟାପୀଯିବ ।

 

୬ । ନୀତିନିୟମ ମାନି ନ ଚଳିଲେ ନିଜ ଆଖିରେ ନିଜେ ଛୋଟ ହୋଇଯିବ । ଅନ୍ୟ କେହି ନ ଜାଣିଲେ ମଧ୍ୟ ନିଜର ଅନୀତି ଯୋଗୁଁ ନିଜେ ଆତ୍ମଗ୍ଳାନିରେ ଘାରି ହେବ ।

 

ପିଆଜେଙ୍କ ପରି କୋଲ୍‍ବାର୍ଗ ମଧ୍ୟ ଭାବନ୍ତି, ପ୍ରାରମ୍ଭିକ ସ୍ତରର ନୀତି-ଜ୍ଞାନର ଉଦ୍ଭବ ନ ହୋଇଥିଲେ ପରବର୍ତ୍ତୀ ସ୍ତରର ନୈତିକ ବିକାଶ ହେବା ସମ୍ଭବ ନୁହେଁ । ନୀତି-ଜ୍ଞାନର ବିକାଶର ଧାରା ସବୁବେଳେ ଅଗ୍ରଗାମୀ ପାହାଡ଼ ଚଢ଼ିଲା ପରି, ଗୋଟାଏ ପାହାଚ ଚଢ଼ିଲା ପରେ ଆଉ ଗୋଟାଏ ପାହାଚ ଚଢ଼ି ମଣିଷ ଯେମିତି ଉପରକୁ ଉଠେ, ସେହିପରି ନିମ୍ନସ୍ତରର ନୀତି-ଜ୍ଞାନରୁ କ୍ରମାନ୍ୱୟରେ ପିଲା ଉଚ୍ଚସ୍ତରକୁ ଯାଉଥାଏ ।

 

ସବୁଲୋକ ଯେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବେ, ସେମିତି କିଛି କଥା ନାହିଁ । ଅନେକ ଲୋକ ଗତାନୁଗତିକ ସ୍ତର (୨ୟ ସ୍ତର) ଠାରେ ଅଟକି ଯାଆନ୍ତି; ମାତ୍ର ଗତାନୁଗତିକ ସ୍ତର ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସେମାନେ ପରବର୍ତ୍ତୀ ଦାର୍ଶନିକ ସ୍ତରରେ ପହଞ୍ଚିପାରିବେ ନାହିଁ ।

 

ଗୋଟିଏ ଲୋକଠାରେ ଦ୍ୱିତୀୟ ଓ ତୃତୀୟ ସ୍ତରର ଚିନ୍ତାଧାରା ମିଶି ରହିପାରେ, ବା ତୃତୀୟ ଓ ଚତୁର୍ଥ ସ୍ତରର ଚିନ୍ତାଧାରା ଅନୁସାରେ ଚଳି ସେ ବୁଢ଼ା ହୋଇଯାଇପାରେ । ତୁରସ୍କ, ମେକସିକୋ, ତାଇଓୟାନ, କାନାଡ଼ା ସବୁଠାରେ କୋଲ୍‍ବାର୍ଗ ଚିନ୍ତାଧାରାର ଏହିପରି ସ୍ତର ଵିନ୍ୟାସ ଦେଖିଛନ୍ତି । ତୁରସ୍କ ଓ ମେକସିକୋର ଗାଉଁଲି ସମାଜରେ ଦଶ ବର୍ଷରୁ ଷୋଳ ବର୍ଷର ପିଲାଙ୍କଠାରେ ଗତାନୁଗତିକ ନୈତିକ ଚିନ୍ତାଧାରାର ବିକାଶ ଧୀରେ ଧୀରେ ହେବାର ଦେଖାଯାଉଛି-। ଷୋହଳ ବର୍ଷ ବୟସରେ ମଧ୍ୟ ସେମାନଙ୍କ ଚିନ୍ତାରେ “ପ୍ରାକ୍ ଗତାନୁଗତିକ” ସ୍ତରର ପ୍ରଭାବ ସମାନ ଭାବରେ ରହିଛି । କାନାଡ଼ା ଓ ଆମେରିକାର ଜଟିଳ ନାଗରିକ ଜୀବନଯାତ୍ରାରେ ଅଭ୍ୟସ୍ତ ହୋଇ ବଢ଼ିଥିବା ପିଲାଙ୍କଠାରେ ଦଶରୁ ଷୋହଳ ବର୍ଷ ଭିତରେ ନୈତିକ ଚିନ୍ତାର ବିକାଶ ଦ୍ରୁତ ଗତିରେ ହେବାର ଦେଖାଯାଉଛି । ଏମାନଙ୍କଠାରେ ପୂର୍ବବର୍ତ୍ତୀ ଓ ମଧ୍ୟବର୍ତ୍ତୀ ଚିନ୍ତାଧାରା ସମାନ୍ତରାଳ ଭାବରେ ଦେଖାଯାଉ ନାହିଁ । ପୂର୍ବବର୍ତ୍ତୀ ଚିନ୍ତାଧାରା ପରବର୍ତ୍ତୀ ଚିନ୍ତାଧାରାରେ ନିମଜ୍ଜିତ ହୋଇ ଯାଇଥିବାରୁ ଗୋଟିଏ ଚିନ୍ତାଧାରାର ଅଧୀନ ହୋଇ ସେମାନେ ଚିନ୍ତା ଓ ଭାବନା କରୁଛନ୍ତି ।

 

ପ୍ରୋଟେଷ୍ଟାଣ୍ଟ, କ୍ୟାଥଲିକ୍, ଇହୁଦୀ, ମୁସଲମାନ, ବୌଦ୍ଧ ଓ ଈଶ୍ୱର ଅବିଶ୍ଵାସୀ ନାସ୍ତିକ, ଏହିପରି ବିଭିନ୍ନ ଧର୍ମାବଲମ୍ବୀ ଲୋକଙ୍କୁ ପରୀକ୍ଷା କରି କୋଲବାର୍ଗ ସେମାନଙ୍କର ନୈତିକ ଚିନ୍ତାଧାରାର ବିକାଶରେ କୌଣସି ପ୍ରଭେଦ ପାଇନାହାନ୍ତି । ବରଂ ସେମାନେ ସମସ୍ତେ ଏହି ଛଅଟି ସ୍ତର ଅନୁସାରେ ନିଜର ଧର୍ମ-ନୀତିକୁ ବୁଝିଥିବାର ଦେଖାଯାଇଛି ।

 

କୋଲବାର୍ଗଙ୍କ ଗବେଷଣାରୁ ଆମେ ପୂର୍ଣ୍ଣ ବିକଶିତ ନୈତିକଜ୍ଞାନର ଦୁଇଟି ବୈଶିଷ୍ଟ୍ୟ ଦେଖୁ ।

 

୧–ନିଜ ସମାଜର ରୀତି-ନୀତି କ୍ରମଶଃ ନିଜର ରୀତି-ନୀତିରେ ରୂପାନ୍ତରିତ ହୁଏ । ଅର୍ଥାତ୍ ପିଲା ଅନ୍ୟ ଦ୍ୱାରା ବାଧ୍ୟ ହୋଇ ଏ ସବୁ ରୀତି-ନୀତି ମାନି ଚଳେ ନାହିଁ । ନିଜ ଇଚ୍ଛାରେ ସେ ଏହି ରୀତିନୀତିକୁ ଗ୍ରହଣ କରେ । ଯେପରି ଏ ନିୟମ ସେ ନ ଭାଙ୍ଗେ, ନିୟମରୁ ବିଚ୍ୟୁତି ନ ଘଟେ, ସେଥିପ୍ରତି ସେ ଯତ୍ନବାନ୍ ହୁଏ । ବିବେକ ସହିତ ବ୍ୟକ୍ତିର ଅଙ୍ଗାଙ୍ଗୀ ସମ୍ୱନ୍ଧ ଗଢ଼ିଉଠେ ।

 

୨–ଶାସ୍ତିର ଭୟ, ପୁରସ୍କାରର ଲୋଭ ଓ ପ୍ରଶଂସାର ମୋହରେ ପଡ଼ି ସେ ଅନ୍ୟାୟ କାମକୁ ନ୍ୟାୟ ବୋଲି ବିଚାର କରେ ନାହିଁ । ବାହାରର ହାନି ଲାଭ ଅନୁସାରେ ‘ନ୍ୟାୟ-ଅନ୍ୟାୟ’ ଵିଚାର ନ କରି ଅନ୍ତରର ନୈତିକ ଆଦର୍ଶ ଅନୁସାରେ ନ୍ୟାୟ-ଅନ୍ୟାୟ ଵିଚାର କରିଥାଏ । ଉଦାହରଣ–ଗୁରୁ ଗୋବିନ୍ଦ ସିଂହ ଔରଙ୍ଗଜେବଙ୍କୁ କହିଥିଲେ “ମୋ ମୁଣ୍ଡ କାଟି ନେଇପାର, କିନ୍ତୁ ମୁଁ ମୋର ଧର୍ମ ଛାଡ଼ିବି ନାହିଁ ।”

 

ଏଥିରୁ ଅନୁମାନ କରାଯାଇପାରେ ଯାହାର ନୈତିକ ଜ୍ଞାନ ଅପରିଣତ ଅବସ୍ଥାରେ ଅଛି ତା ପକ୍ଷରେ ଦୁର୍ନୀତି କରିବାର ସମ୍ଭାବନା ଅଧିକ । ଯଥା ଶାସ୍ତି ଭୟ ନ ଥିଲେ ଲୋକେ ଅନ୍ୟାୟ କାମ କରିବାକୁ ପଛାଇବେ ନାହିଁ । କାନାଡ଼ା, ବ୍ରିଟେନ୍ ଇତ୍ୟାଦି ପାଶ୍ଚାତ୍ୟ ଦେଶରୁ ପ୍ରାଣଦଣ୍ଡର ନିୟମ ଉଠିଗଲା ପରେ ନରହତ୍ୟାର ସଂଖ୍ୟା କେବଳ ସାମାନ୍ୟ ଭାବରେ ବଢ଼ିଲା । ସାଧାରଣ ଲୋକେ ଶାସ୍ତି ଭୟ ଚାଲିଯିବାରୁ ମଣିଷ ମାରିବାକୁ ବାହାରି ପଡ଼ିଲେ ନାହିଁ । ମୃତ୍ୟୁଦଣ୍ଡ ଥିଲାବେଳେ ଯେତିକି ମାରଧର ହେଉଥିଲା ମୃତ୍ୟୁଦଣ୍ଡ ଉଠିଗଲା ପରେ ସାଧାରଣ ଜୀବନରେ ଖୁନ୍ ଓ ମାରଧର ସଂଖ୍ୟା ବଢ଼ିଲା ନାହିଁ ।

 

କୋଲବାର୍ଗ ତାଙ୍କ ଗବେଷଣାରୁ ଦେଖୁଛନ୍ତି ଯେ ଯିଏ ନ୍ୟାୟ ନୀତିର ଅର୍ଥ ହୃଦୟଙ୍ଗମ କରିଛି, ସେପରି ଲୋକ ଅନ୍ୟାୟ କାମରେ କ୍ୱଚିତ୍ ଲିପ୍ତ ହେଉଛି । ଯିଏ ବାପା, ମାଆ, ଶିକ୍ଷକ, ଜେଲ୍ ବା ପୁଲିସକୁ ଡରି ଅନ୍ୟାୟ କାମ କରେ ନାହିଁ, ସେ ଶାସନ ସାମାନ୍ୟ କୋହଳ ହେଲେ ଲୁଚେଇ ଚୋରେଇ ଅନୀତି ଓ ଦୁର୍ନୀତି କରୁଛି । ଏହି ଆଲୋଚନାରୁ ଭାବିବା ଉଚିତ୍ ନୁହେଁ ଯେ ଲୋକ ଦୁଇ ପ୍ରକାର ହୋଇ ବଢ଼ନ୍ତି; ଦଳେ ହେଲେ ନୀତିବାନ୍ ଓ ଆର ଦଳଟି ଦୁର୍ନୀତିଗ୍ରସ୍ତ । ଚୋର ନିଜର ସାହାଯ୍ୟକାରୀର ନାଆଁ ବହୁ ନିର୍ଯ୍ୟାତନା ସତ୍ତ୍ୱେ ପୋଲିସକୁ କହେ ନାହିଁ । ଖୁନୀ ଆସାମୀ ନିଜ ପରିବାରରେ ‘ମା ଭଉଣୀ’ ସମ୍ପର୍କ ମାନି ଚଳେ । ଏ ଦିଗରେ ସେ ଯଥେଷ୍ଟ ନୀତିବାନ୍ । ଅନ୍ୟ ପକ୍ଷରେ ଦେଖାଯାଉଛି ଏହାର ବିପରୀତ । ବାପା ମାଆଙ୍କର ଆଦର୍ଶ ପୁଅ, ଗାଆଁରେ ବହୁ ଲୋକହିତକର କାର୍ଯ୍ୟର ପ୍ରତିଷ୍ଠାତା, କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ରାଜପୁରୁଷ ହୋଇ ମଧ୍ୟ ଲାଞ୍ଚ ନେଉଛନ୍ତି, ପ୍ରିୟା-ପ୍ରୀତି ତୋଷଣ ପୋଷଣ କରୁଛନ୍ତି । ଏମାନେ ସମସ୍ତେ କେତେକ ଅବସ୍ଥାରେ ନୀତିବାନ୍ ଓ କେତେକ ଅବସ୍ଥାରେ ଦୁର୍ନୀତି କରୁଛନ୍ତି । ପରୀକ୍ଷା କଲେ ଦେଖାଯିବ, ଏମାନେ ସମସ୍ତ କୋଲବାର୍ଗଙ୍କର ମଧ୍ୟମ ସ୍ତରରେ ଅଛନ୍ତି । ଚାକିରୀରେ ନିଯୁକ୍ତି ପୂର୍ବରୁ କେଉଁ ପ୍ରକାର ଲୋକର ଦୁର୍ନୀତିଗ୍ରସ୍ତ ହେବାର ସମ୍ଭାବନା ବେଶୀ ସେ କଥା ହୁଏତ କହିହେବ । ମାତ୍ର କେଉଁ ନିର୍ଦ୍ଦିଷ୍ଟ ଅବସ୍ଥାରେ ଲୋକ ଦୁର୍ନୀତି କରିବେ ସେ କଥା କୌଣସି ମନୋବିଜ୍ଞାନୀ କହିପାରିବେ ନାହିଁ-। ଯଥା–ହଜାରେ ଟଙ୍କା ଲାଞ୍ଚ ଯାଚିଲେ ଜଣେ ଅନ୍ୟାୟ କାମ କରିବାକୁ ମନା କରିବ, ମାତ୍ର କୋଡ଼ିଏ ହଜାର ଟଙ୍କା ଲାଞ୍ଚ ଯାଚିଲେ ସେ ହୁଏତ ରାଜି ହେବ । ଯିଏ ହିମାଳୟର ଗୁହାରେ ଲୋକ ସମ୍ପର୍କ ଠାରୁ ବହୁ ଦୂରରେ ରହି ଏକୁଟିଆ ତପସ୍ୟା କରୁଛି ସେ ନିଜକୁ ଜିତେନ୍ଦ୍ରିୟ ବୋଲି ମନେ କରୁଛି । ସେ ଜିତେନ୍ଦ୍ରିୟ ହୋଇଥିବାରୁ ତାଙ୍କୁ ଅନୁରୋଧ କରାଗଲା ଯେ ସେ ବମ୍ବେରେ କିଛିଦିନ ପାଇଁ ରହି ସୁନ୍ଦରୀ ଝିଅମାନଙ୍କୁ ସିନେମାରେ ଅଭିନୟ ପାଇଁ ବାଛନ୍ତୁ । ଏହି ପରିସ୍ଥିତିରେ କିଛିଦିନ ରହିଲା ପରେ ସେ ହୁଏତ ପ୍ରଲୋଭନରେ ପଡ଼ି ନିଜର ପ୍ରିୟ ଝିଅଟିକୁ ବାଛିବେ ।

 

ମଣଷ ଯେଉଁ ପର୍ଯ୍ୟନ୍ତ ଲୋଭ ଓ ଭୟଦ୍ୱାରା ପରିଚାଳିତ ହେଉଥିବ, ସେ ପରିସ୍ଥିତିର ଦାସ ହୋଇ ରହିବ । ଅବସ୍ଥା ଅନୁସାରେ ସେ ନୀତିବାନ୍ ବା ଦୁର୍ନୀତିଗ୍ରସ୍ତ ହେବ । ଅନ୍ୟ କ୍ଷମତାଶାଳୀ ଲୋକମାନେ ମଧ୍ୟ ତାକୁ ଲୋଭ ବା ଭୟ ଦେଖାଇ ନିଜର ସୁବିଧା ଅନୁସାରେ ତାକୁ ପରିଚାଳିତ କରିବେ । ଯେତେବେଳେ ତା ମନରେ ସ୍ଵାଧୀନ ହେବାର ଇଚ୍ଛା ଜନ୍ମିବ, ସେ ସେତେବେଳେ ଅନ୍ୟର ପ୍ରଲୋଭନରେ ନ ଭୁଲି ବା ଅନ୍ୟର ଭୟ ପ୍ରଦର୍ଶନରେ ଭୀତ ନ ହୋଇ ନିଜର ବିଚାର-ବିବେଚନା ଅନୁସାରେ ଚଳିବ । ସମାଜରେ ଏପରି ଲୋକକୁ ସ୍ୱାଧୀନଚେତା କୁହନ୍ତି ଓ ଧର୍ମ ଜୀବନରେ ଏପରି ଲୋକକୁ ମୁକ୍ତ-ପୁରୁଷ କୁହାଯାଏ । ଆମ ବାଲ୍ୟ ଜୀବନରେ ଅଧିକାଂଶ କ୍ଷେତ୍ରରେ ଯେପରି ଏହିଭଳି ସ୍ଵାଧୀନଚେତା ଓ ନୀତିବାନ୍ ହୋଇ ଚଳନ୍ତି, ସେଥିପାଇଁ ଆମର ଚେଷ୍ଟା କରିବା କଥା । ହୁଏତ ଆମର ଚେଷ୍ଟା ବ୍ୟର୍ଥ ହୋଇପାରେ । କାରଣ ଆମର ସମାଜ ଘୋର ସଙ୍କଟକାଳ ଦେଇ ଗତି କରୁଛି । ମାତ୍ର ବ୍ୟର୍ଥତାର ସମ୍ଭାବନା ଦେଖି ନିଶ୍ଚେଷ୍ଟ ହୋଇ ରହିଯିବା ଉଚିତ୍ ନୁହେଁ, କାରଣ ନିଶ୍ଚେଷ୍ଟ ହୋଇ ରହିଗଲେ ଅବସ୍ଥା ଆହୁରି ଖରାପ ହେବ । ନୀତିମାନି ଯେ ଚଳିବାର ପ୍ରୟୋଜନ ରହିଛି ସେ କଥା କେହି ଭାବିବେ ନାହିଁ, ଫଳରେ ସାମାଜିକ ଜୀବନରେ ଅରାଜକତା ଓ ବ୍ୟକ୍ତିଗତ ଜୀବନରେ ଉଚ୍ଛୃଙ୍ଖଳତା ବଢ଼ି ମଣିଷ ଅମଣିଷ ହୋଇଯିବ ।

 

କ’ଣ କଲେ ପିଲା ମନରେ ନୀତି-ଜ୍ଞାନର ବିକାଶ ହେବ ?

 

ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍‍ଙ୍କୁ (ଭାରତରେ ବୁଦ୍ଧଙ୍କର ସମସାମୟିକ) ତାଙ୍କ ବନ୍ଧୁ ‘ମେନୋ’ ପଚାରିଥିଲେ–Is virtue something that can be taught, or does it come by practice, or is it natural in born attitude?

 

ନୀତିଜ୍ଞାନ କ’ଣ କାହାକୁ ଶିଖେଇ ହେବ, ନା ଏହା କେବଳ ସାଧନାଦ୍ୱାରା ଆୟତ୍ତ ହୁଏ, ନା ଏହା ମଣିଷର ସହଜାତ ସଂସ୍କାର ? ବହୁ ଆଲୋଚନା ପରେ ସକ୍ରେଟିସ୍ କହିଲେ–ନୀତିଜ୍ଞାନ ଶିକ୍ଷା ବା ସାଧନାଲବ୍‌ଧ ନୁହେଁ, ମଣିଷ ଏହି ସଂସ୍କାର ନେଇ ଜନ୍ମ ହୋଇଥାଏ, ତେଣୁ କିଏ ପାପୀ ହୁଏ ଓ କିଏ ପୁଣ୍ୟବାନ୍ ହୁଏ । ବୁଦ୍ଧଙ୍କର ଚିନ୍ତାଥିଲା ଭିନ୍ନ । ସେ କହିଲେ ମଣିଷ ମନରେ ମଣିଷ ପରି ହୋଇ ଉଠିବା ଲାଗି ଦୁର୍ବାର ଆକାଂକ୍ଷା ରହିଛି । ତେଣୁ ସେ ନିଜ ଇଚ୍ଛାରେ ନିଜକୁ ସଂଯତ କରେ, ନିୟନ୍ତ୍ରଣ କରେ, ପଶୁପରି ସେ କାମନାନ୍ଦ୍ୱାରା ନିୟନ୍ତ୍ରିତ ନୁହେଁ । ନିଜ ଇଚ୍ଛାରେ ସେ ନୀତି-ନିୟମ ଗଢ଼ି ତାକୁ ମାନି ଚାଲେ (ଶୀଳ ଗ୍ରହଣ) । ନିଜର ଚରିତ୍ର (ବ୍ୟୁତ୍ପତ୍ତିଗତ ଅର୍ଥ–ଯାହାକୁ ନେଇ ଆମେ ଚାଲୁ) ସୁଦୃଢ଼ କରି ଗଢ଼େ । ସେ ପ୍ରତିଦିନ ଏହି ସ୍ଵେଚ୍ଛାକୃତ ନିୟମ ଅନୁସାରେ ଆଚରଣ କରି (ଶୀଳ ସାଧନା କରି), ନୀତିବାନ୍ ହୋଇ ଉଠେ । କାରଣ କ୍ରୋଧ, ଦ୍ୱେଷ, ଲୋଭ, ଈର୍ଷା–ଏଗୁଡ଼ିକ ଖରାପ ବୋଲି ଜାଣିଲେ ତ ଯଥେଷ୍ଟ ହେବନାହିଁ; ମନକୁ କ୍ରୋଧ, ଲୋଭ ଓ ଭୟରୁ ମୁକ୍ତ କରିବାକୁ ପଡ଼ିବ । ସେଥିଲାଗି “ଶୀଳ-ସାଧନା”ର ପ୍ରୟୋଜନ । ବୃଦ୍ଧ ‘ମଙ୍ଗଳ ସୁତ୍ତ’ରେ ‘ଶୀଳ ଗ୍ରହଣ’ ଓ ‘ଶୀଳ-ସାଧନା’ ଦ୍ୱାରା ମଣିଷ କିପରି ଚରିତ୍ରବାନ ହୋଇପାରିବ ସେ ବିଷୟରେ ଶିକ୍ଷା ଦେଇଛନ୍ତି ।

 

ବୁଦ୍ଧଙ୍କର ଶିକ୍ଷାର ଦୁଇଟି ବିଷୟ ମନେ ରଖିବା ଉଚିତ୍ । ପ୍ରଥମ ହେଲା–୧ । ଜାଣିଶୁଣି ପରିଣାମ ଚିନ୍ତାକରି ନିଜ ଇଚ୍ଛାରେ ନୀତି-ନିୟମ ଗ୍ରହଣ କରିବା । ଅର୍ଥାତ୍ ବାପା, ମାଆ ବା ବୁଦ୍ଧଦେବ ମିଛ କହିବାକୁ ମନା କରିଛନ୍ତି ବୋଲି ମିଛ କହିବା ଠିକ୍ ନୁହେଁ–ଏପରି ପିଲା ଭାବିବ ନାହିଁ । ଅନ୍ୟମାନେ ମିଛ କହିଲେ କାହାକୁ ବିଶ୍ଵାସ କରିବି ଓ କାହାକୁ ଅବିଶ୍ଵାସ କରିବି ମୁଁ ଏକଥା ନଜାଣି ବାରମ୍ବାର ହଇରାଣରେ ପଡ଼ୁଛି । ତେଣୁ ମିଛ କହିବାଟା ଠିକ୍ ନୁହେଁ-ଏହି ଧାରଣା ପିଲାର ମନରେ ବଦ୍ଧମୂଳ ହେଲେ ସେ ମିଛ କହିବାକୁ ଚାହିଁବ ନାହିଁ ।

 

୨ । ବାପା, ମାଆ ଓ ଶିକ୍ଷକଙ୍କର କାମ ହେଲା ପିଲାକୁ ବାଟ ବତାଇବା । ବାଧ୍ୟକରି ପିଲାକୁ ସେ ବାଟରେ ଚଳାଇବାର ଚେଷ୍ଟା କଲେ ଦୀର୍ଘସ୍ଥାୟୀ ଫଳ ମିଳିବ ନାହିଁ । ଯେଉଁ ମୁହୂର୍ତ୍ତରେ ଶାସନ କୋହଳ ହେବ, ସେ ଅବାଧ୍ୟ ହୋଇ ଅବାଟରେ ଯିବ କିମ୍ବା କେଉଁଟା ଭୁଲ୍ ଓ କେଉଁଟା ଠିକ୍ ସେ କଥା ସ୍ଥିର କରି ନପାରି ଅବାଟରେ ଯିବ । ମନର ଏହି ଅସ୍ଥିର ଦୋଳାୟମାନ ଭାବ ଯୋଗୁଁ ହିଁ ଅଧିକାଂଶ ଲୋକ ଅବାଟରେ ଯାଆନ୍ତି । ନୀତି-ଅନୀତି ଜାଣି ନଥିବାରୁ ଯେ ଏପରି ହୁଏ ତାହା ନୁହେଁ । ଜାଣିବା ଅନୁସାରେ ନିଜର ଆଚରଣକୁ ସଂଯତ ନକରି ପାରିବାରୁ ହିଁ ଲୋକେ ଭୁଲ କାମ କରନ୍ତି । ଆମେରିକା ଯାକ ଓ ଭାରତରେ ମଧ୍ୟ ସିଗାରେଟ ପ୍ୟାକେଟ୍ ଉପରେ ଲେଖା ହୋଇଛି-“ଚିକିତ୍ସକଙ୍କ ମତରେ ସିଗାରେଟ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।” ଏ ଲେଖା ପଢ଼ି, ଚିକିତ୍ସକଙ୍କ ମତକୁ ଅବିଶ୍ୱାସ କରି ଯେ ଲୋକ ସିଗାରେଟ ପିଉଛନ୍ତି ତାହା ନୁହେଁ । ଜାଣୁଛନ୍ତି ଦେହ ଖରାପ ହେବ, ମାତ୍ର ନିଜକୁ ବିରତ କରିପାରୁ ନାହାନ୍ତି । ମଣିଷ ମନର ଏହି ଦୋଳାୟମାନ ଅବସ୍ଥାକଥା ଅର୍ଜୁନ ଗୀତାରେ କହିଛନ୍ତି–

 

ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତି

ଜାନାମି ଅଧର୍ମଂ ନ ଚ ମେ ନିବୃତ୍ତି ।

 

ତେଣୁ ନ୍ୟାୟ ନୀତି ପିଲାଙ୍କୁ ଘୋଷି ମନେ ରଖିବାକୁ କହିଲେ ବା ସାନ ପିଲାଟିକୁ ପାଖରେ ଦେଖିଲାମାତ୍ରେ ବାପା, ମାଆ, ମାମୁ ମାଇଁ ସମସ୍ତେ ମିଶି ଉପଦେଶ ଦେଲେ ପିଲା ନୀତିବାନ୍ ହେବନାହିଁ । ଯେତେବେଳେ ଏହି ଜ୍ଞାନ ତା’ର ଆଚରଣଗତ ହେବ, ନିଜର ସଂସ୍କାରର ଅଙ୍ଗ ହେବ, ମନର ଅଭ୍ୟାସରେ ପରିଣତ ହେବ, ନିଜର ସଂସ୍କାରର ଅଙ୍ଗ ହେବ, ମନର ଅଭ୍ୟାସରେ ପରିଣତ ହେବ, ସେତେବେଳେ ଯାଇ ସେ ଅନୀତି କରିବ ନାହିଁ । ଏଇଥିଲାଗି ଯୁବକ ପୁତ୍ରକୁ ଦେଖି ମା ମନରେ ଲାଳସାର ଉଦୟ ହୁଏ ନାହିଁ । (ଫଳରେ ତାକୁ ଲାଳସା ସମ୍ବରଣ କରିବାକୁ ପଡ଼େନାହିଁ) । ପୁଅକୁ ଦେଖିଲେ ନିଜର ସମସ୍ତ ଆୟୁଦେଇ ପୁଅକୁ ରକ୍ଷା କରିବାର କାମନାହିଁ ସବୁବେଳେ ମା ମନରେ ଉଦିତ ହୋଇଥାଏ । ପୁଅ ଶିଶୁ ହେଉ ବା ବାଳକ ହେଉ ବା ଯୁବକ ହେଉ ମା ଆଖିରେ ସେ ପୁଅ, ପୁରୁଷ ନୁହେଁ । ଏହି ସଂସ୍କାର ଯୋଗୁଁ ପାରିବାରିକ ସମ୍ପର୍କରେ ଅନୀତି ଦେଖାଯାଏ ନାହିଁ ଜଘନ୍ୟ ଅପରାଧୀ ମଧ୍ୟ ଏହି ନିୟମ ଭାଙ୍ଗେନାହିଁ । ଅଥଚ, ପଶୁ ଜଗତରେ ଏହାର ବିପରୀତ ବ୍ୟବହାର ଆମେ ଦେଖିଥାଉ ।

 

ଆମେ ନୀତିବାନ୍ ନା ଦୁର୍ନୀତିଗ୍ରସ୍ତ ?

 

ଆମ ସମାଜରେ ଦୁର୍ନୀତି ଓ ଅନାଚାର ବ୍ୟାପୀଯିବାର ଦେଖି ଆମେ ଯେତେବେଳେ ମର୍ମାହତ ହୋଇ ନିରାଶ-ବୋଧ କରୁ, ସେତେବେଳେ ମନରେ ଭାବି ଦେଖିବା କଥା ଯେ, ଏବେ ମଧ୍ୟ କେତେ ନୀତି, ନିୟମ, ବାରଣ, ନିଷେଧ ଆମ ନିଜ ଇଚ୍ଛାରେ ମାନି ଚଳୁଛୁ । ସେ ସବୁର ତାଲିକା ପ୍ରସ୍ତୁତ କଲେ ଦେଖାଯିବ ଅଧିକାଂଶ ସ୍ଥଳରେ ଲୋକ ନିୟମ ମାନି ଚଳୁଛନ୍ତି । କେବଳ ଜୀବନରେ କେତେକ କ୍ଷେତ୍ରରେ ସେମାନେ ନିୟମ ଭାଙ୍ଗୁଛନ୍ତି । ଦେଶରେ ଦୁର୍ନୀତି ବ୍ୟାପିଗଲା ବୋଲି ହତାଶ ନ ହୋଇ ବରଂ ଏ ପର୍ଯ୍ୟନ୍ତ ଆମ ଦେଶର ଲୋକ କିପରି ଅନ୍ୟାୟ ଓ ଅପରାଧରୁ ବିରତ ହୋଇ ରହିଛନ୍ତି, ସେ କଥା ଗବେଷଣା କରି ଜାଣିଲେ ଆମେ ଆମ ପିଲାଙ୍କୁ ସହଜରେ ନୀତିବାନ୍ କରି ବଢ଼ାଇପାରିବା ।

 

ନୀତି ନିୟମ ସଂସ୍କାରରେ ପରିଣତ ହେଲେ ଦୃଢ଼ ହୁଏ–

 

ଯେଉଁ ନିୟମଗୁଡ଼ିକ ଆମ ଜୀବନରେ ଅସ୍ଥିମଜ୍ଜାଗତ ସଂସ୍କାରରେ ପରିଣତ ହୋଇଛି, ସେ ନିୟମଗୁଡ଼ିକୁ ପରବର୍ତ୍ତୀ ଜୀବନରେ ଆମେ ଚାହିଁଲେ ମଧ୍ୟ ଭାଙ୍ଗି ପାରୁନା । ଯିଏ ସତୀ ସ୍ତ୍ରୀ ସେ ସ୍ଵାମୀର ଲାମ୍ଫଟ୍ୟପଣ ଦେଖିଲେ ମଧ୍ୟ ନିଜେ ସେପରି ହେବାକୁ ମନ ବଳାଏ ନାହିଁ । ଏଠାରେ ସ୍ୱାମୀ ପ୍ରତି ପ୍ରୀତି ପାଇଁ ସେ ଏଥିରୁ ନିବୃତ୍ତ ହେଉନାହିଁ । ଲଜ୍ଜା ଭୟ ଯୋଗୁଁ ମଧ୍ୟ ଏଥିରୁ ନିବୃତ୍ତ ହେଉନାହିଁ, କାରଣ ମନେ କଲେ ଧରା ନ ପଡ଼ି ଲୁଚେଇ ଚୋରେଇ ଏ ଭଳି କାମ କରିହେବ (କେତେ ସ୍ତ୍ରୀ ଲୋକ ତ ପୁଣି କରନ୍ତି) । ନିଜକୁ ବାଧିବ ବୋଲି, ନିଜ ଆଖିରେ ନିଜେ ଦ୍ରୋହୀ ହେବ ବୋଲି ସେ ଏଭଳି କାମ କରେ ନାହିଁ । ବହୁ ଭାରତୀୟ, ପାଶ୍ଚାତ୍ୟ ଦେଶରେ ଦୀର୍ଘକାଳ ରହି ମଧ୍ୟ ନିରାମିଷାଶୀ ହୋଇ ରହିଛନ୍ତି । ନିଜ ସମାଜରେ ନଥିବାରୁ ସାମାଜିକ ନିନ୍ଦାର ଭୟ ନାହିଁ, ବରଂ ଆମିଷାଶୀ ହେଲେ ସେ ଯେଉଁ ସମାଜରେ ଚଳୁଛନ୍ତି ସେ ସମାଜରେ ପ୍ରଶଂସିତ ହେବେ । ଅଥଚ ଘର ବାହାରକୁ ବୁଲିଗଲେ ଦିନ ପରେ ଦିନ ଖାଇବାରେ ହଇରାଣ ହେଲେ ମଧ୍ୟ, ଖାଇବାର ନିୟମ ଭାଙ୍ଗୁ ନାହାନ୍ତି । ଭାରତ ପରି ଗରମ ଦେଶରେ ଖରାଦିନେ ଇଂରେଜ ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଧ୍ୟାରେ ଡିନର୍ ଜ୍ୟାକେଟ୍ ପିନ୍ଧି ବେଶପଟା ହୋଇ ଏକୁଟିଆ ଡିନର୍ ଖାଇ ବସନ୍ତି । ପାଖ, ଆଖ ଅଞ୍ଚଳରେ ଆଉ କେହି ଇଂରେଜ ଲୋକ ନାହିଁ ଯିଏ କି ତାଙ୍କୁ ବାରିଦେବ । ମାତ୍ର ଏପରି ବେଶ ପିନ୍ଧି ଖାଇବା ସେମାନଙ୍କ ସାମାଜିକ ଶିଷ୍ଟାଚାରର ଅଙ୍ଗ ହୋଇଥିବାରୁ ଆବାଲ୍ୟର ଅଭ୍ୟାସ ସେ ଭାଙ୍ଗି ପାରନ୍ତି ନାହିଁ । ଏହିପରି ବିଭିନ୍ନ ଉଦାହରଣ ସବୁ ଦେଶର ସବୁ ସମାଜରେ ବହୁଳ ଭାବରେ ଦେଖିବାକୁ ମିଳେ । ତେଣୁ ଆମେ ଯେତେବେଳେ ନ୍ୟାୟ କ’ଣ ଓ ଅନ୍ୟାୟ କ’ଣ ସେ କଥା ଜାଣିଲେ ଯଥେଷ୍ଟ ହେଲା ବୋଲି ନ ଭାବି ନ୍ୟାୟ ଅନୁସାରେ କାମ କରିବାରେ ଅଭ୍ୟସ୍ତ ହେବୁ, ସେତେବେଳେ ଆମ ମନରେ ନୀତି-ଜ୍ଞାନ ପ୍ରତିଷ୍ଠିତ ହୋଇ ସୁଦୃଢ଼ ହେବ । ନଚେତ୍ ଓକିଲଙ୍କ ପରି ଆଇନ୍ ଜାଣିବୁ ମାତ୍ର ମହକିଲମାନଙ୍କୁ ଆଇନ୍ ମାନିବା ଅପେକ୍ଷା ଆଇନ୍ କେମିତି ବିନା ଦଣ୍ଡରେ ଭାଙ୍ଗିହେବ, ସେ ବିଷୟରେ ସର୍ବଦା ପରାମର୍ଶ ଦେଉଥିବୁ । ନିତି-ନିୟମ ଜାଣିବା ଓ ନୀତି-ନିୟମ ମାନିବା ଭିତରେ ଅନେକ ଦୂରତ୍ୱ ରହିଛି । ଏହି ଦୂରତ୍ୱ ଅତିକ୍ରମ କରି ଜ୍ଞାନ ଅନୁସାରେ ଆଚରଣ କରିପାରିଲେ ଆମର ନୈତିକ ଜୀବନର ଆରମ୍ଭ ହେବ । ଏହି ଦୃଷ୍ଟିରୁ ଦେଖିଲେ ପକ୍ଷୀପରି ଆମେ ସମସ୍ତେ ଦୁଇଥର ଜନ୍ମଗ୍ରହଣ କରୁ–ପ୍ରଥମ ଥର ପିଣ୍ଡ ରୂପରେ ଓ ଦ୍ୱିତୀୟ ଥର ନୀତି-ଜ୍ଞାନର ଅଧିକାରୀ ହୋଇ ନୈତିକ ମଣିଷ ରୂପରେ ।

 

ନ୍ୟାୟ-ନୀତି କିପରି ଭାବରେ ନିଜର ଆଚରଣଗତି ହୁଏ ?

 

ମଣିଷ ସମାଜିକ ଜୀବ । ଯେଉଁ ଦେଶ, ଯେଉଁ ସମାଜ, ଯେଉଁ କୁଳରେ ଆମର ଜନ୍ମ; ଆମେ ସେହି ଗୋଷ୍ଠୀର ନୀତି-ନିୟମକୁ ନିଜର ନୀତି ବୋଲି ଗ୍ରହଣ କରିଥାଉ । ଯିଏ ଚମ୍ବଲ ଉପତ୍ୟକାର ଡକାୟତ ଗୋଷ୍ଠୀରେ ଜନ୍ମପାଇ ବଢ଼ିଛି, ସେ ଡକାୟତ ହେବାକୁ ଚାହେଁ । ଡକାୟତ ଗୋଷ୍ଠୀର ନୃଶଂସତାକୁ ସେ ବୀରତ୍ୱ ବୋଲି ମଣେ । ଯେ ସାମରିକ ପରିବାରର ଆବହାଓ୍ୱାରେ ବଢ଼ିଛି, ସେ ଯୁଦ୍ଧରେ ନରହତ୍ୟାକୁ ପୁଣ୍ୟକାର୍ଯ୍ୟ ବୋଲି ଭାବେ । ଅଥଚ ଯୁଦ୍ଧ ଭୂମିର ବାହାରେ ସେ ହୁଏତ ମାଛିଟାଏ ମଧ୍ୟ ମାରିବାକୁ କୁଣ୍ଠିତ ହୋଇପାରେ । ସେହିପରି ରଣମୃତ୍ୟୁ ହେଲା କ୍ଷତ୍ରୀୟମାନଙ୍କର କାମ୍ୟମୃତ୍ୟୁ । ରୋଗ ଶଯ୍ୟାରେ ପଡ଼ି ବୁଢ଼ା ହୋଇ ଘର କୋଣରେ ମରିବା କଥା ଭାବିଲେ ସେମାନେ ବିବ୍ରତ ହୋଇ ପଡ଼ନ୍ତି । ଯିଏ ବୈଷ୍ଣବ ସେ ତୁଳସୀ ଚଉରା ମୂଳରେ ଶୋଇ ହରିନାମ ଜପୁଜପୁ ପ୍ରାଣତ୍ୟାଗ କରିବାକୁ ଚାହେଁ । ଦୈତ୍ୟ କୁଳରେ ଯିଏ ବଢ଼ିଛି, ସେ ଧର୍ମ-ନୀତି ଅପେକ୍ଷା କ୍ଷମତା ନୀତିରେ ବିଶ୍ଵାସ କରେ । ତା ମତରେ ତିମିକୁ ଖାଇବାର ଅଧିକାର ତିମଙ୍ଗଳର (ତିମିଠାରୁ ବଡ଼ମାଛ) ଅଛି । କାରଣ ସେ ତିମି ଅପେକ୍ଷା ଅଧିକ କ୍ଷମତାବାନ୍ । ତେଣୁ ସେମାନେ ଧର୍ମ ଅପେକ୍ଷା ଶକ୍ତିକୁ ଶ୍ରେଷ୍ଠ ମଣୁଥିଲେ । ଦୈତ୍ୟ କୁଳର ପ୍ରହ୍ଲାଦ ପରି ଧାର୍ମିକ ବ୍ୟକ୍ତିର ଅଭ୍ୟୁଦୟ ବିରଳ । ଦେଶର ଯେଉଁ ପ୍ରଚଳିତ ନୀତିକୁ ଅଧିକାଂଶ ଲୋକ ଅନୁସରଣ କରନ୍ତି, ବ୍ୟକ୍ତିଗତ ଭାବରେ ଅଧିକାଂଶ ଲୋକ ସେହି ନୀତିକୁ ମାନି ଚଳିବେ । ସେଥିଲାଗି ସମାଜ ଦୁର୍ନୀତିଗ୍ରସ୍ତ ହେଲେ ଅଧିକାଂଶ ଲୋକ ଦୁର୍ନୀତିପରାୟଣ ହେବେ । ମଣିଷ ଜୀବନରେ ସମାଜର ଏହି ପ୍ରଭାବକୁ କେହି ଅସ୍ୱୀକାର କରିପାରିବ ନାହିଁ । ମାତ୍ର ମଣିଷ ଜଟିଳ ପ୍ରାଣୀ । ସେ ମନ, ବୃଦ୍ଧି ଓ ଚେତନାର ଅଧିକାରୀ ହୋଇଥିବା ହେତୁ ସବୁବେଳେ ନିଜର ପରିସ୍ଥିତିକୁ ନିଜର ବଶୀଭୂତ କରିବାକୁ ଚାହେଁ । ଆଦିମ ମାନବ ଯେତେବେଳେ ସଭ୍ୟତା ଓ ସଂସ୍କୃତିହୀନ ହୋଇ ଅତି ଦୁର୍ବଳ ଅବସ୍ଥାରେ ଥିଲା, ସେତେବେଳେ ମଧ୍ୟ ସେ ନିଜ ପରିସ୍ଥିତି ଅନୁସାରେ ନ ଚଳି ଖାଦ୍ୟ ଓ ବାସସ୍ଥାନର ସଂସ୍ଥାନ କରି, ସମାଜ ପ୍ରତିଷ୍ଠା କରି, ବନ୍ୟ ପରିସ୍ଥିତିକୁ ପରିବର୍ତ୍ତିତ କରି ନିଜର କର୍ତ୍ତୃତ୍ୱ ସ୍ଥାପନ କରିଥିଲା । ଇଚ୍ଛା ଓ ଵିଚାର ଶକ୍ତି ବଳରେ ମଣିଷ ନିଜ ପରିସ୍ଥିତିର ପ୍ରତିକୂଳରେ ଯାଇପାରେ, ସେ ନିଜର ଅବସ୍ଥାକୁ ପ୍ରଭାବିତ କରିପାରେ, ନିଜ ଅବସ୍ଥାକୁ ବଦଳାଇ ପାରେ । ମନୋବିଜ୍ଞାନୀମାନେ ବ୍ୟକ୍ତିର ଏହି ବିଶେଷ କ୍ଷମତାରେ ବିଶ୍ୱାସ କରନ୍ତି । ସମାଜିକ ସଙ୍କଟ ପଡ଼ିଲାବେଳେ ସମାଜକୁ ନିୟନ୍ତ୍ରଣ କରିବା ବା ସଂଶୋଧନ କରିବା ପ୍ରାୟ ଅସମ୍ଭବ । ସେଥିଲାଗି ଏହିପରି ଅବସ୍ଥାରେ ବ୍ୟକ୍ତିର ନୈତିକ ଚରିତ୍ର ସୁଦୃଢ଼ କରି ହିଁ ଆମେ ସଙ୍କଟ ଅତିକ୍ରମ କରିପାରିବା । ମନେ ରଖିବାର କଥା ଯେ, ଯୁଗେ ଯୁଗେ ମଣିଷ ନିଜର ବ୍ୟକ୍ତିଗତ ଚେଷ୍ଟା ଫଳରେ ନିଜର ଓ ସମାଜର ପରିବର୍ତ୍ତନ କରିପାରିଛି । ବୁଦ୍ଧଙ୍କର ଜୀବନ ଏହି ଚେଷ୍ଟାର ଉଜ୍ଜଳ ଉଦାହରଣ ।

 

ଶିକ୍ଷା ଓ ଅଭ୍ୟାସ ବଳରେ ନୀତି ନିଜ ଆଚରଣର ଅଙ୍ଗ ହୁଏ–

 

ଅନେକ ମନେ କରନ୍ତି, ପିଲାକୁ ଦୁର୍ନୀତ ବିଷୟରେ ଅଜ୍ଞ କରି ରଖିଲେ ଓ ଅନ୍ୟ ଲୋକଙ୍କ ଠାରୁ ଦୂରେଇ ରଖିଲେ ସେମାନେ ଅନାଚାର ଓ ଦୁର୍ନୀତି କଣ ଜାଣିବେ ନାହିଁ । ଏପରି ଅଜ୍ଞ ହୋଇ ବଢ଼ିଥିବାରୁ ସେମାନେ ନିଷ୍ପାପ ଓ ସରଳ ହେବେ ଏବଂ ନୀତିବାନ ହେବେ । ରାମାୟଣରେ ଅଛି, ବିଭାଣ୍ତକ ମୁନି ଏହି ଧାରଣାର ବଶବର୍ତ୍ତୀ ହୋଇ ନିଜ ପୁଅ ଋଷ୍ୟଶୃଙ୍ଗକୁ ଲୋକାଳୟଠାରୁ ଦୂରରେ ନିର୍ଜ୍ଜନ ଆଶ୍ରମରେ ବଢ଼ାଇଥିଲେ । ରାଜା ଲୋମପାଦଙ୍କ ଦେଶରେ ଅନାବୃଷ୍ଟି ହେବାରୁ ଦୈବବାଣୀ ହେଲା, ଋଷ୍ୟଶୃଙ୍ଗ କୋଶଳରେ ପାଦଦେଲେ ଅନାବୃଷ୍ଟି ଦୂରହେବ-। ବିଭାଣ୍ଡକ ଋଷିତ ଋଷିଶୃଙ୍ଗକୁ ଛାଡ଼ିବେ ନାହିଁ । ତେଣୁ ମନ୍ତ୍ରୀ ଋଷ୍ୟଶୃଙ୍ଗକୁ ଭୁଲେଇ ଆଣିବା ଲାଗି ନଗରୀର କେତେକ ସୁନ୍ଦରୀ ରୂପଜୀବୀଙ୍କୁ ପଠାଇଲେ । ସେମାନେ ନିଜର ଲୀଳାରଙ୍ଗ ଦ୍ୱାରା ଋଷ୍ୟଶୃଙ୍ଗକୁ ବିଭ୍ରାନ୍ତ କରି ଆଶ୍ରମରୁ ଭୁଲେଇ ପ୍ରମୋଦ ତରଣୀକୁ ନେଇଆସିଲେ ଓ ତାଙ୍କର ଅଜ୍ଞାତରେ ଲୋମପାଦଙ୍କ ରାଜ୍ୟରେ ଆଣି ପହଞ୍ଚାଇଲେ । ଦୈବବାଣୀକୁ ସଫଳ କରି ବର୍ଷା ହେଲା । କୃତଜ୍ଞ ରାଜା ଲୋମପାଦ ନିଜ ଝିଅ ଶାନ୍ତାଙ୍କୁ ଋଷ୍ୟଶୃଙ୍ଗଙ୍କ ସହିତ ବିଭାଦେଲେ । ଏହି କାହାଣୀରୁ ଆମେ ଦେଖୁ, ଋଷ୍ୟଶୃଙ୍ଗ ଯୌନ ପ୍ରଲୋଭନ ବିଷୟରେ ଅଜ୍ଞ ଥାଇ ପ୍ରଲୋଭନ ଏଡ଼ାଇବାକୁ ସମର୍ଥ ହେଲେ ନାହିଁ ।

 

ତେଣୁ ପିଲାଙ୍କୁ ଦୁର୍ନୀତି ଓ ଅନାଚାର ବିଷୟରେ ଅଜ୍ଞ କରି ରଖିବା ଅପେକ୍ଷା, କ’ଣ କଲେ ପ୍ରଲୋଭନ ଆୟତ୍ତାଧୀନ (ଦମନ ନୁହେଁ) କରିହେବ ସେ ବିଷୟ ଶିଖାଇବା କଥା । ସେଥିଲାଗି ବାସନାକୁ ରୁଦ୍ଧ କରି ରଖିବା ଅପେକ୍ଷା ଅନାସକ୍ତି ଓ ଅଳ୍ପରେ ସନ୍ତୁଷ୍ଟ ହେବାର ଅଭ୍ୟାସ ରହିଲେ ପ୍ରଲୋଭନକୁ ନିୟନ୍ତ୍ରଣ କରିବା ସହଜ ହେବ ।

 

ଅନ୍ୟାୟ ସହିବାକୁ ଶିଖାଇବ ନାହିଁ–

 

ପରିବାରରେ ବହୁ ସମୟରେ ଆମେ ପିଲାଙ୍କୁ ଅନ୍ୟାୟ ସହିବାକୁ ଶିଖାଉ । ସହିଷ୍ଣୁତା ଭଲ ଗୁଣ ହୋଇଥିବାରୁ ନ୍ୟାୟ-ଅନ୍ୟାୟ ବିଚାର ନ କରି ସବୁକଥା ସହିଯିବାଟା ଭଲ ବୋଲି ଆମେ ପିଲାକୁ ଶିଖାଉ । ସାନ ଭଉଣୀ ନିଜ ଭାଗ ଖାଇଦେଇ ବଡ଼ ଭଉଣୀ ଭାଗରୁ ଖାଇବ ବୋଲି ଅଝଟ କଲା । ତେଣୁ ବଡ଼ ଭଉଣୀକୁ ଉପଦେଶ ଦିଆଗଲା-“ପିଲାଟା କାନ୍ଦୁଛି, ତା’କୁ ତୋ ଭାଗରୁ ଦେଲେ କ’ଣ ପୃଥିବୀ ଓଲଟି ଯିବ ? ଏତେ ସ୍ୱାର୍ଥପର ହେବା ଭଲ ନୁହେଁ ।” ପ୍ରଥମତଃ, ବଡ଼ ଭଉଣୀର ବ୍ୟବହାର ସ୍ୱାର୍ଥପର ବ୍ୟବହାର ନୁହେଁ । ତେଣୁ ତା’କୁ ଏପରି କହିବା ଅନ୍ୟାୟ ଓ ଦ୍ୱିତୀୟରେ ସାନ ଭଉଣୀର ଅନ୍ୟାୟ ସହିବା ଲାଗି ତାକୁ ବାଧ୍ୟ କରିବା ଉଚିତ୍ ନୁହେଁ । ମାତ୍ର ଆମମାନଙ୍କର ପରିବାରରେ ଯିଏ ଅବୁଝା, ଅଝଟ, ଯାହାର ଟଙ୍କା, ପଇସା, ପ୍ରଭାବ ପ୍ରତିପତ୍ତି ବେଶୀ ତା’ର ସବୁବେଳେ ଜିତାପଟ । ଯିଏ ଭଲ ହେଲା, ଯିଏ ସହିଲା, ଯିଏ ଶାନ୍ତ ଓ ସଦ୍ ବିବେଚକ, ତାକୁ ଆମେ ସବୁବେଳେ ଆହୁରି ତ୍ୟାଗ କରିବାକୁ, ଆହୁରି ସହ୍ୟ କରିବାକୁ ପ୍ରବର୍ତ୍ତେଇ ଥାଉ । ଏପରି ଶିକ୍ଷା ଦେବା ଫଳରେ ପିଲାର ନୀତିଜ୍ଞାନ ବଢ଼ିବ ନାହିଁ, ବରଂ ନୀତିବାନ୍ ଲୋକ, ଦୁର୍ବଳ ଓ କ୍ଷମତାବାନ୍ ଲୋକ ସବଳ ବୋଲି ବିବେଚିତ ହେବ । ବଡ଼ ହେଲେ ସେମାନେ କ୍ଷମତାଲେଭୀ ହେବେ ଓ ନିଜର ପ୍ରଭାବ ପ୍ରତିପତ୍ତି ବଳରେ ସବୁ ଆଇନ ଭାଙ୍ଗିହେବ ବୋଲି ଜାଣିବେ । ଆମ ଦେଶରେ ଶାସକ ଶ୍ରେଣୀର ଲୋକେ ଯେତେ ଉଚ୍ଚ ପଦକୁ ଉଠନ୍ତି, ସେତେ ଅନ୍ୟମାନଙ୍କଠାରୁ ବେଆଇନ୍ ସୁଯୋଗ ସୁବିଧା ଖୋଜନ୍ତି । କାରଣ ବିନା ବାଧାରେ ଆଇନ୍ ଭାଙ୍ଗିପାରିବାଟା ପ୍ରଭାବ ପ୍ରତିପତ୍ତିର ପରିମାପକ ବୋଲି ସେମାନେ ଭାବନ୍ତି । ଅନ୍ୟକୁ ଅବଜ୍ଞା କରିବା, ଅନ୍ୟଲୋକର ଜିନିଷରୁ ମାଡ଼ିବସି ଭାଗନେବା-ଏ ସବୁକୁ ସେମାନେ କ୍ଷମତାଶାଳୀ ଲୋକର ଅଧିକାର ବୋଲି ଭାବନ୍ତି । ଏହି ଧାରଣା ପ୍ରଥମେ ନିଜ ପରିବାରରୁ ଓ ପରେ ଆମ ସାମନ୍ତତାନ୍ତ୍ରିକ ସମାଜରୁ ସେମାନେ ଶିଖନ୍ତି ।

 

ପରିବାରରେ ଦୋମୁହା ନୀତି ଚାଲିଲେ ବିଭ୍ରାଟ ଘଟେ–

 

ଆମର ନ୍ୟାୟ-ନୀତି ଦୋମୁହାଁ । ଆମ ସମାଜରେ ପୁରୁଷଙ୍କ ପାଇଁ ଗୋଟାଏ ନିୟମ, ସ୍ତ୍ରୀ ଲୋକଙ୍କ ପାଇଁ ଆଉ ଗୋଟାଏ ନିୟମ । ଗରିବ ଲୋକଙ୍କ ତୁଳନାରେ ଖୁବ୍ କମ୍ ଧନୀ ଲୋକ ଜେଲ୍ ଯାଆନ୍ତି । ସବୁଠାରୁ ବଡ଼ ଅସଙ୍ଗତ ହେଲା, ଆମେ ଭାବୁ ନିୟମ ଆଇନ୍ କାନୁନ୍ ଅନ୍ୟଲୋକ ମାନି ଚଳିବେ ବୋଲି ତିଆରି ହୋଇଛି, ଏଗୁଡ଼ାକ ଆମପାଇଁ ଲାଗୁନୁହେଁ । ଯିଏ କିରାଣୀ, ସେ ଡାକ୍ତର, ଇଞ୍ଜିନିୟର ବା ଅଫିସରମାନେ ଲାଞ୍ଚ ଖାଇବାଟା ଅନ୍ୟାୟ ବୋଲି ଭାବେ । ମାତ୍ର ନିଜେ ବା ନିଜର ଆତ୍ମାୟସ୍ୱଜନ ଲାଞ୍ଚ ନେଲେ ସେପରି କରିବାଟା ଦୁର୍ନୀତି ବୋଲି ଭାବେନାହିଁ । ସେହିପରି ଅଫସରମାନେ, ଚପରାସୀ, କିରାଣୀ, ଡାକ୍ତର ଇତ୍ୟାଦିଙ୍କର ଦୁର୍ନୀତି କଥା କୁହନ୍ତି । ନିଜେ ଦୁନୀତି କରୁଛନ୍ତି ବୋଲି ଭାବନ୍ତି ନାହିଁ । ଏଗୁଡ଼ାକ ବଡ଼ ଚାକିରୀର ସୁବିଧା ବୋଲି ଭାବନ୍ତି । ପ୍ରତିଟି ଗୋଷ୍ଠୀର ଲୋକ ଅନ୍ୟଦଳ ବା ସମ୍ପ୍ରଦାୟର ଦୁର୍ନୀତି ବିଷୟରେ ଯେତେ ମୁଖର, ନିଜ ବିଷୟରେ ସେତିକି ନୀରବ । ପିଲା ଉପରେ ଏହା ଫଳରେ ଖରାପ ପ୍ରଭାବ ପଡ଼େ । କେଉଁଟା ନ୍ୟାୟ ଓ କେଉଁଟା ଅନ୍ୟାୟ ସେକଥା ସ୍ପଷ୍ଟ ଭାବରେ ଜାଣିପାରେ ନାହିଁ । ସେ ଶିଖେ–

 

୧ । ଯେଉଁଥିରୁ ମୋତେ ସୁବିଧା ମିଳୁଛି ସେପରି କାମ କରିବା ଉଚିତ୍ ।

 

୨ । ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ, ତେଣୁ ସ୍ତ୍ରୀ ଲୋକ ପକ୍ଷରେ ଅସତୀ ହେବା ସିନା ଖରାପ, ମାତ୍ର ପୁରୁଷ ପିଲାର କୌମାର୍ଯ୍ୟ ନଥିବାଟା ସେମିତି କିଛି ଖରାପ କଥା ନୁହେଁ । ଚାକର ପୂଝାରୀଙ୍କର ବଜାର ସଉଦାରୁ ପଇସା ଚୋରୀ କରିବାଟା ନିହାତି ଖରାପ କଥା । ମାତ୍ର ସରକାରୀ ଗାଡ଼ିରେ ଚଢ଼ି ଠାକୁରାଣୀ ଦେଖି ଯିବାରେ କ୍ଷତି କ’ଣ ? ଗାଡ଼ିଟା ତ ମୋର, ଅଫିସର ପଦପାଇଁ ମୋତେ ମିଳିଛି । ତେଣୁ ଗାଡ଼ିଟା ମୋର କହିଲେ ଚଳେ ।

 

୩ । ସେ କେତେକ କ୍ଷେତ୍ରରେ ନୀତିବାନ୍ ହୁଏ ଓ କେତେକ ଅବସ୍ଥାରେ ଦୁର୍ନୀତି କରେ-

 

ଜଗତଟା ଖରାପ–“ସମସ୍ତେ ଦୁର୍ନୀତି କରୁଛନ୍ତି”–କହି ଆମେ ଆମର ମନର ବିରକ୍ତି, ପ୍ରକାଶ କରିଥାଉ, ମାତ୍ର ପିଲା ସବୁବେଳେ ଏହିଭଳି କଥାବାର୍ତ୍ତା ଶୁଣି, ଖବରକାଗଜରେ ଏହିପରି ବହୁ ଅପ୍ରମାଣିତ ଖବର ପଢ଼ି ଭାବେ, ଯଦି ଦୁନିଆଟା ଏହିପରି, ତେବେ ଅନ୍ୟାୟ ବିରୁଦ୍ଧରେ ନ ଲଢ଼ି ବରଂ ଏପରି କଲେ ଲାଭ । ଆମେ ଦୁର୍ନୀତି ବିଷୟରେ ମୁଖରୋଚକ ଗୁଜବ କହି ନିଜର ନିରୁତ୍ତାପ ଜୀବନରେ ଉତ୍ତେଜନା ସୃଷ୍ଟିକରି ଆନନ୍ଦ ପାଉ, ମାତ୍ର ଏପରି କରିବା ଫଳରେ ପିଲାକୁ ନିଜ ସମାଜର ଭୁଲ ଚିତ୍ର ଦେଉ । ଯାହା ସତ, ପିଲାଙ୍କୁ ସେକଥା କହିବା ଦରକାର । ଆମ ସମାଜରେ ବହୁ ଦୁର୍ନୀତି ଅଛି ଏକଥା ସତ ମାତ୍ର ନ୍ୟାୟ-ନୀତି ମଧ୍ୟ ରହିଛି । କାହାର ଅନୁପାତ ବେଶୀ ସେକଥା ତୁଳନା କରି ପିଲାକୁ କହିଲେ ଲାଭ । ନଚେତ୍ ସେମାନେ ଦୁର୍ନୀତିର କାଳ୍ପନିକ କାହାଣୀ ଶୁଣି ଶୁଣି ଦୁର୍ନୀତିଗ୍ରସ୍ତ ହେବାକୁ କାଳକ୍ରମେ ମନ ବଳାଇବେ । ଫଳରେ ହିତ ନ ହୋଇ ଅହିତ ହେବ । ଶାସନ, ନିୟମ, ନ୍ୟାୟ-ନୀତି, ଆଇନ୍ କାନୁନ୍ ଏ ସବୁଥିରେ ସେମାନଙ୍କର ଅବିଶ୍ୱାସ ଜନ୍ମିବ । ସବୁ ଲୋକଙ୍କୁ ସେମାନେ ଦୁର୍ନୀତିଗ୍ରସ୍ତ ବୋଲି ସନ୍ଦେହ କରିବେ । କେହି ସେମାନଙ୍କର ଆସ୍ଥାଭାଜନ ହୋଇ ପାରିବେ ନାହିଁ ।

 

ଅସମ୍ଭବ ଭଲର ଆଦର୍ଶ–

 

ଯେଉଁ ପରିବାରର ଲୋକେ “ଜୋର୍ ଯା’ର ମୂଳକ୍ ତା’ର” ନୀତିରେ ଚଳନ୍ତି ସେପରି ପରିବାରରେ ବଢ଼ୁଥିବା ପିଲାର ନ୍ୟାୟବୋଧ ବିକୃତ ହୋଇଯାଏ ବୋଲି ଆମେ ଜାଣୁ । ମାତ୍ର କଠୋର ନୀତିବାଦୀ ପରିବାରରେ ବଢ଼ିଥିବା ପିଲାଙ୍କର ନ୍ୟାୟବୋଧ ଯେ ବକ୍ରଗତିରେ ବଢ଼େ ସେ ବିଷୟରେ ଆମେ ସଚେତନ ନୋହୁଁ । ଏପରି ହେବାର କାରଣ ପରିବାରରେ ପିଲା ଖାଲି ଭଲ ହେଲେ ହେବନାହିଁ । ତା’କୁ ଅସମ୍ଭବ ଭାବରେ ଭଲ ହେବାକୁ ପଡ଼ିବ । ସେମାନେ ଅସମ୍ଭବକୁ ସମ୍ଭବ କରିପାରୁ ନଥିବାରୁ ସାଧୁ ହେବାକୁ ଚେଷ୍ଟା ନକରି ସାଧୁପରି ଅଭିନୟ କରିବାକୁ ଚେଷ୍ଟା କରନ୍ତି । ସେପରି ପରିବାରରେ ଧୂଳିଖେଳରେ ମଧ୍ୟ ପିଲା ମାଡ଼ ମରାମରି ହେଲେ ଶାସ୍ତି ପାଆନ୍ତି । ଭାଇ ବା ଭଉଣୀ ପ୍ରତି ଈର୍ଷା ପ୍ରକାଶ କଲେ ଶାସ୍ତି ପାଆନ୍ତି । ଗପୁ ଗପୁ କାହାକୁ ନିନ୍ଦା କରିଦେଲେ “ପରଚର୍ଚ୍ଚା କରନି” କହି ଗାଳି ଖାଆନ୍ତି । ସଦାଚାର ଅପେକ୍ଷା ଶିଷ୍ଟାଚାରକୁ ବେଶୀ ପ୍ରାଧାନ୍ୟ ଦିଆଯାଏ । ଯଥା-ମନରେ ଭକ୍ତି ଥାଉ ନଥାଉ ଗୁରୁଜନମାନଙ୍କୁ ଦେଖିଲାମାତ୍ରେ ଭୂଇଁରେ ଲୋଟି ମୁଣ୍ତିଆ ମାରି ପାଦଧୂଳି ଆଣି ମୁଣ୍ଡରେ ମାରିବ । ଗୁରୁଜନ ବା ଶିକ୍ଷକଙ୍କ ସାମ୍ନାରେ ସିଗାରେଟ ଖାଇବ ନାହିଁ । ସେମାନଙ୍କ ପଛରେ ମନେ ମନେ ତାଙ୍କୁ ଗାଳି ଗୁଲଜ କରିପାର । ଏମିତି ଜୀବନର ପ୍ରତିଟି କଥା, ପ୍ରତିଟି କାର୍ଯ୍ୟ ନିୟମ ମାନି ଠିକ୍ ଭାବରେ କରି ନ ପାରିଲେ ‘କିଛି ହେଲାନି’ କହି ଘରଲୋକ ନାପସନ୍ଦ କରନ୍ତି । ‘ଶୁକ୍ଳ ବସ୍ତ୍ରରେ ମସୀବିନ୍ଦୁ’ ଯେପରି ବସ୍ତ୍ରର ଶୁଭ୍ରତା ନଷ୍ଟକରେ, ସେପରି ସାମାନ୍ୟ ବିଚ୍ୟୁତ ହେଲେ ନୈତିକତା ଭ୍ରଷ୍ଟ ହୋଇଗଲା ବୋଲି ସେମାନେ ବିଚାର କରନ୍ତି-। ଯିଏ ବାରବର୍ଷ ତପସ୍ୟା କରିଛି ସେ ଥରେ ଶୁଖୁଆପୋଡ଼ା ଖାଇଦେବାରୁ ତା’ର ସବୁ ପୁଣ୍ୟ ଚାଲିଗଲା । ଏହି ମନୋଭାବ ଫଳରେ ସାଧାରଣ ଲୋକେ ନୈତିକ ଆଚରଣ ପାଳନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ଭାବୁଛନ୍ତି । ସେମାନେ ଭାବୁଛନ୍ତି ଯେ କେବଳ ସାଧୁସନ୍ଥ ପରି ଲୋକମାନେ ନୈତିକ ଆଦର୍ଶ ଗ୍ରହଣ କରିବେ । ତୁମ ଆମ ପରି ଲୋକ ଶୁକ୍ଳ ବସ୍ତ୍ର ନ ପିନ୍ଧି ରଙ୍ଗୀନ୍ ବସ୍ତ୍ର ପିନ୍ଧିଲେ ଗଲା । ତା’ହେଲେ ସେଥ‌ିରେ ମସୀବିନ୍ଦୁ ଥିଲେ ମଧ୍ୟ ଦେଖାଯିବ ନାହିଁ । ଲୋକେ ଆଜିକାଲି ସେଥିପାଇଁ ତପସ୍ୟାରେ ମନ ନ ଦେଇ ଅନ୍ୟଆଡ଼େ ମନ ଦେଉଛନ୍ତି । ପୁଣ୍ୟ ଫଳ ଯଦି ଏତେ ଭଙ୍ଗୁର, ନୈତିକ ଆଦର୍ଶ ମାନି ଚଳିବା ଯଦି ଏତେ କଷ୍ଟ, ତା ହେଲେ ସେପରି ଅସାଧ୍ୟ ଜିନିଷରେ ମନ ଦେଇ କି ଲାଭ ? ଅସମ୍ଭବ ଆଦର୍ଶ ଅନୁସରଣ କରିବାକୁ କହିଲେ ପ୍ରାୟ ଏଭଳି ପରିଣତି ଘଟେ । ଲୋକେ ଆଦର୍ଶ ଅନୁସାରେ ନ ଚଳି ପ୍ରବୃତ୍ତି ଅନୁସାରେ ଚଳି ଅବାଟରେ ଯାଆନ୍ତି । କଠୋର ନୀତିବାଦୀମାନେ ନିଜର ଅସହିଷ୍ଣୁ ଓ କ୍ଷମାହୀନ ମନୋଭାବ ଦ୍ୱାରା ପିଲାଙ୍କୁ ଏମିତି ସନ୍ତ୍ରସ୍ତ କରି ରଖନ୍ତି ଯେ ସେମାନେ ନ୍ୟାୟ ନୀତି କଥା ନ ଭାବି ସବୁବେଳେ ସ୍ଖଳନ, ପତନ, ଵିଚ୍ୟୁତ ଓ ଅନାଚାର କଥା ହିଁ ଭାବୁ ଥାଆନ୍ତି । ନ୍ୟାୟବାନ୍ ହେବାକୁ ଚେଷ୍ଟା ନ କରି ନିଜର ଦୋଷ ଦୁର୍ବଳତା କେମିତି ଘୋଡ଼ାଇବେ, ସେକଥା ଚିନ୍ତାକରି ତାଙ୍କର ସବୁ ସମୟ କଟେ । ସେଥିଲାଗି ପିଲାଙ୍କୁ ମୂଳରୁ ପାପ, ସ୍ଖଳନ, ତୃଟି, ଦୋଷ ଓ ଅପରାଧ ବିଷୟରେ ସଚେତନ ନକରି ନ୍ୟାୟବୋଧ ବିଷୟରେ ସଚେତନ କଲେ ଉପକାର ହେବ । ପିଲା ବାରମ୍ବାର ଖସିପଡ଼ିଲା ପରେ ଯାଇ ଚାଲିଶିଖେ । ସେହିପରି ମୂଳରୁ ବହୁପ୍ରକାର ଭୁଲ କରି ସେ ଠିକ୍ ବାଟର ସନ୍ଧାନ ପାଏ । ନୀତିବୋଧର ଗଠନ କାଳରେ ପିଲାଙ୍କୁ ତେଣୁ ସାବଧାନରେ ବଢ଼ାଇବା କଥା ।

 

ନ୍ୟାୟବୋଧ ଓ ଆଚାର ବିଚାର–

 

ଆମ ଦେଶରେ ବିଧି-ବିଧାନ ଓ ଆଚାର-ବିଚାର ମାନି ଚଳିବାକୁ ସମସ୍ତେ ନୀତିପରାୟଣତା ବୋଲି ଭାବନ୍ତି । ମାତ୍ର ଅଧିକାଂଶ ସମୟରେ ଏପରି ଆଚାର-ବିଚାର ସହିତ ନ୍ୟାୟବୋଧର କୌଣସି ସମ୍ପର୍କ ନଥାଏ । ଏସବୁ ଆଚାର ବିଚାର ମାନି ଚଳିବାର ଉଦ୍ଦେଶ୍ୟ ହେଲା, ଆମେ ପ୍ରବୃତ୍ତି ଅନୁସାରେ ନ ଚଳି ନ୍ୟାୟ ନୀତିର ନିୟମ ଅନୁସାରେ ଚଳିବା; କାରଣ ଆଚାର ବିଚାର ମାନି ଚଳିବା ଦ୍ୱାରା (୧) ଆମେ ଆମର ପ୍ରବୃତ୍ତିକୁ ନିୟନ୍ତ୍ରଣ କରୁ । (୨) ନିଜର ବ୍ୟବହାରକୁ ସଂଯତ କରୁ (୩) ନିଜ ଇଚ୍ଛା ସହିତ ସଂସାରର ଅନ୍ୟମାନଙ୍କର ଇଚ୍ଛାର ବିରୋଧ ଯେପରି ନ ଘଟେ ସେଥିପାଇଁ ଚେଷ୍ଟା କରୁ । (୪) ନିଜ ଇଚ୍ଛାକୁ ପରିମିତ କରି ବହୁ ବାସନାର ସଙ୍କଟରୁ ନିଜକୁ ରକ୍ଷା କରୁ । ଗୋଟିଏ କଥାରେ ଆଚାର-ବିଚାର ମାନି ଚଳିଲେ ମଣିଷ ସଂଯମୀ ହେବ । ଯିଏ ସଂଯମୀ ସେ ଅକ୍ଳେଶରେ ନିୟମ ମାନି ଚଳିବ, କାରଣ ନିୟମର ଶାସନ ସହିତ ନିଜ ଇଚ୍ଛାର ବିରୋଧ ଘଟିବ ନାହିଁ । ମାତ୍ର ଆଦର୍ଶ ନ ଥାଇ କେବଳ ଅଭ୍ୟାସ ଯୋଗୁଁ ନିୟମ ପାଳନ କରିବାଟା ଗୋଟାଏ ନିରର୍ଥକ ବ୍ୟାପାର ।

 

ସେପରି ନିରର୍ଥକ ନିୟମ ମାନି ଚଳିଲେ ମଣିଷର ବିଚାର ନଷ୍ଟ ହୋଇଯାଏ ଓ କେବଳ ଆଚାର ରହିଯାଏ । ଆଚାରର ଯାନ୍ତ୍ରିକ ଅଭ୍ୟାସ ମଣିଷକୁ କ୍ରମଶଃ ବିବେଚନା ହୀନ ଜଡ଼ତା ପଛରେ ନେଇଯାଏ । “କାହିଁକି କରୁଛି” ନ ଭାବି ସେ “ଏଇଟା କରିବା କଥା” ଭାବି କାମ କରି ଚାଲେ । ତେଲ ଘଣାରେ ଯୋଚା ହୋଇଥିବା ବଳଦ ପରି ସେ ଅବିଶ୍ରାନ୍ତ ଭାବରେ ଚାଲେ, ମାତ୍ର ଏପରି ଚାଲିବା ଫଳରେ ସେ କୌଣସି ଗନ୍ତବ୍ୟ ସ୍ଥଳରେ ଯାଇ ପହଞ୍ଚେ ନାହିଁ । ଆଚାର ବିଚାର ପାଳନର ଲକ୍ଷ୍ୟ ହେଲା ମଣିଷ ମନରେ ନୈତିକ ଚେତନା ଜାଗ୍ରତ କରିବା । ମଣିଷକୁ ଅଭ୍ୟାସର ଦାସରେ ପରିଣତ କରିବା ଏହାର ଉଦ୍ଦେଶ୍ୟ ନୁହେଁ । ସେଥିଲାଗି ଯେ କୌଣସି ବିଧି-ବିଧାନ ବା ଲୋକାଚାର ମାନି ଚଳିବା ପୂର୍ବରୁ ନିଜ ମନରେ ଭାବି ଦେଖିବା କଥା–କାହିଁକି ଆମେ ଏ କାମ କରୁଛୁ ? ଏ କାମର ପରିଣତି କ’ଣ ? ଏ କାମ କାହିଁକି ଭଲ ? ଏଥିରୁ କ’ଣ ଉପକାର ମିଳୁଛି ? ଯଦି ଏସବୁ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ନ ମିଳେ ତା ହେଲେ ସେପରି ନିରର୍ଥକ ଲୋକାଚାର ମାନି ଚଳିବାର କୌଣସି ପ୍ରୟୋଜନ ନାହିଁ ।

 

ଜାଗତିକ ଜୀବନ ପାଇଁ ନ୍ୟାୟବୋଧର ପ୍ରୟୋଜନ ରହିଛି–

 

ନ୍ୟାୟବୋଧ ଓ ଆଦର୍ଶବାଦ ଜାଗତିକ ଜୀବନରେ ମଧ୍ୟ ମଣିଷର ପ୍ରଧାନ ଅବଲମ୍ବନ । ସେଥିଲାଗି ଚୋର ମଧ୍ୟ ନିଜର ଚୋର ସାଙ୍ଗ ବିରୁଦ୍ଧରେ ଯାଏ ନାହିଁ । ସାଙ୍ଗ ପ୍ରତି ବିଶ୍ଵାସଘାତକ ହୁଏ ନାହିଁ । କାରଣ ତାହାହେଲେ ଚୋରଦଳ ଭାଙ୍ଗିଯିବ । ଯେ କୌଣସି ଦଳ ବା ଗୋଷ୍ଠୀ ବିନା ନିୟମରେ ଚଳିପାରିବେ ନାହିଁ କିମ୍ବା ବିନା ଆଦର୍ଶରେ ଚଳି ପାରିବେ ନାହିଁ । ଏଥିଲାଗି ଚୋର, ଖଣ୍ଟ, ଡକାୟତ ଓ ବେଶ୍ୟା ପରି ବିପଥଗାମୀ ଲୋକ ମଧ୍ୟ ଯେଉଁସବୁ କାମକୁ ଅନ୍ୟାୟ ବା ଅପକର୍ମ ବୋଲି ଭାବନ୍ତି, ସେଥିରୁ ପ୍ରାୟ ବିରତ ହୁଅନ୍ତି । ବର୍ତ୍ତମାନ କାଳର ଦୁର୍ନୀତିଗ୍ରସ୍ତ ସମାଜରେ ମଧ୍ୟ ଅଧିକାଂଶ ଲୋକ ଯେତେ ନିୟମ ଭାଙ୍ଗୁଛନ୍ତି, ତା’ଠାରୁ ବେଶୀ ନିୟମ ମାନି ଚଳୁଛନ୍ତି । ଜୀବନର କେତେକ କ୍ଷେତ୍ରରେ ସେମାନେ ଦୁର୍ନୀତିଗ୍ରସ୍ତ ହେଲେ ସୁଦ୍ଧା ଅନ୍ୟାନ୍ୟ ସମୟରେ ସମାଜ, ରାଜ୍ୟ ଓ ଶାସ୍ତ୍ରର ନିୟମ ମାନି ଚଳୁଛନ୍ତି ।

 

ପିଲାଠାରେ ମଧ୍ୟ ମୂଳରୁ ନିୟମ ମାନି ଚଳିବାର ସ୍ଵାଭାବିକ ପ୍ରବଣତା ଦେଖାଯାଏ । ଖାଇବା, ଶୋଇବା, ଗାଧୋଇବା, ମା’ର ଉପସ୍ଥିତି ଓ ଅନୁପସ୍ଥିତି ଏସବୁ ଗୋଟାଏ ନିୟମ ଅନୁସାରେ ସୁଶୃଙ୍ଖଳ ଭାବରେ ଚାଲିଲେ ପିଲା ଶାନ୍ତିରେ ରହନ୍ତି । ଏସବୁ ନିୟମର ବ୍ୟତିକ୍ରମ ଘଟିଲେ ପିଲା ବ୍ୟସ୍ତ ହୋଇ ପଡ଼ନ୍ତି । ଅଳ୍ପ ବଡ଼ ହେଲା ପରେ ସେମାନେ ବଡ଼ ମଣିଷଙ୍କ ଠାରୁ ପକ୍ଷପାତ ବ୍ୟବହାର ଆଶା କରନ୍ତି ନାହିଁ । ପିଲାଙ୍କର ଅଧିକାଂଶ ନାଲିଶର ବିଷୟବସ୍ତୁ ହେଲା-ସେମାନେ ଘରେ ନ୍ୟାୟ ବିଚାର ପାଉନାହାନ୍ତି । ଖାଇବା ଜିନିଷ ଭାଗ କରି ଦେଲାବେଳେ ଅନ୍ୟ ଭାଗରେ ବେଶୀ ପଡ଼ିଲେ ଆପତ୍ତି କରନ୍ତି । ତୁ ସାନ ପିଲା ତୁ ଏତେ ଗୁଡ଼ିଏ ଖାଇପାରିବୁ ନାହିଁ ବୋଲି ଆମେ ଯେତେ ବୁଝାଇଲେ ସେ କଥା ଶୁଣନ୍ତି ନାହିଁ । ଆମେ ବିରକ୍ତ ହୋଇ ଏପରି ଦାବୀକୁ ପିଲାର ଈର୍ଷା ବା ହିଂସାର ଲକ୍ଷଣ ବୋଲି ଭାବୁ । ମାତ୍ର ଏଇଟା ଆମର ବୁଝିବାର ଦୋଷ । ନିୟମ ହେଉଛି ଭାଗ ବାଣ୍ଟ ସମାନ ଭାବରେ ହେବ । ଅସମାନ ହେବାରୁ ପିଲା ଆପତ୍ତି କରନ୍ତି । ଆମେ ପିଲାଙ୍କର ଆପତ୍ତିର ଭୁଲ୍ ଅର୍ଥ କରୁଥିବାରୁ ତା’କୁ ଭୁଲେଇ ଅନ୍ୟଆଡ଼େ ନେଇଯାଉ ବା ଲୁଚେଇ ତା ଭାଗରେ ବେଶୀ ଜିନିଷ ଦେଇ ତାକୁ ଶାନ୍ତ କରିବାକୁ ଚେଷ୍ଟା କରୁ ।

 

କୁଣିଆ ପିଲା ଦୋଷ କରି ଶାସ୍ତି ନ ପାଇଲେ ଘର ପିଲା ପାଟି କରି ଆପତ୍ତି କରେ । ଏପରି ଆପତ୍ତି ଶୁଣିଲେ ଆମେ ତାକୁ ଅଭଦ୍ର ବୋଲି କହୁ । ମାତ୍ର ଏଇଟା ପିଲାର ଅଭଦ୍ରତା ନୁହେଁ, ବରଂ ବଡ଼ମାନଙ୍କର ଭୁଲ । ଘରେ ଦୁଇଜଣ ପିଲା ମାଡ଼ ମରାମରି ଲାଗିଲେ ମାଆ ନିଜ ପିଲାକୁ ଡାକି ଗାଳିଦିଏ । ଅନ୍ୟ ପିଲାର ଦୋଷ ଥିଲେ ମଧ୍ୟ ତାକୁ ପଦେ ହେଲେ ପାଟି ଫିଟାଏ ନାହିଁ । ଆମ ସମାଜରେ ପର ପିଲାକୁ ଗାଳିଦେବା ସୌଜନ୍ୟର ଚିହ୍ନ ନୁହେଁ । ଏଭଳି ଅସଙ୍ଗତ ବ୍ୟବହାର ଦେଖିଲେ ପିଲା କ୍ରମଶଃ ନ୍ୟାୟ ନୀତି ଉପରେ ବିଶ୍ଵାସ ହରାନ୍ତି । ପିଲାର ସ୍ଵାଭାବିକ ନ୍ୟାୟ ପ୍ରବଣତା ଏହି ଭାବରେ ତିଳେ ତିଳେ ନଷ୍ଟ ହୋଇଯାଏ । ଆମ ଦେଶର ବଡ଼ ଅସୁବିଧା ହେଉଛି, ବଡ଼ ମଣିଷମାନେ ନିଜର ମାନସିକ ବିଭ୍ରାନ୍ତି ହେତୁ ପିଲାଙ୍କୁ ବିଭ୍ରାନ୍ତ କରନ୍ତି । ଅନ୍ୟର ଅନ୍ୟାୟ ବ୍ୟବହାର ସହିଯିବାଟା କ୍ଷମା, ଧୈର୍ଯ୍ୟ ଓ ଭଦ୍ରତାର ପରିଚୟ ବୋଲି ପିଲାଙ୍କୁ ଶିଖାନ୍ତି । ପିଲା ତେଣୁ କେଉଁଟା ଠିକ୍ ଓ କେଉଁଟା ଭୁଲ ସେ କଥା ବିଚାର ନ କରି ସମସ୍ତେ ଯାହା କରୁଛନ୍ତି, ସେ ମଧ୍ୟ ସେପରି ଭାବରେ କାମ କରିବାକୁ ଆରମ୍ଭ କରେ । କାରଣ ସେ ହୃଦୟଙ୍ଗମ କରେ ଯେ ‘ନ୍ୟାୟ-ଅନ୍ୟାୟ’ ବିଚାର କରି ସଂସାର ଚଳେ ନାହିଁ; ସଂସାର ତା’ର ନିଜ ନିୟମରେ ଚଳେ ।

 

ପିଲାଙ୍କୁ ନୀତି ଶିଖାଇବାର ପ୍ରଚଳିତ ଉୟାୟ ହେଲା–ସେମାନଙ୍କୁ ସେ ବିଷୟରେ ଉପଦେଶ ଦେବା ଓ ନୀତିବଚନ କଣ୍ଠସ୍ଥ କରାଇବା । ଅଥଚ ଆମେ ନିଜ ଅଭିଜ୍ଞତାରୁ ଦେଖୁ, ଯିଏ ଦୁର୍ନୀତିପରାୟଣ ହୋଇଛି ସେ ଜ୍ଞାନର ଅଭାବରୁ ଦୁର୍ନୀତିଗ୍ରସ୍ତ ହୋଇନାହିଁ । ‘ନ୍ୟାୟ-ଅନ୍ୟାୟ’ ଜ୍ଞାନ ତା’ଠାରେ କମ୍ ଅଛି ଭାବି ଯଦି ତାକୁ କେହି ନୀତିବଚନ କଣ୍ଠସ୍ଥ କରାଏ ସେ କ’ଣ ସତରେ ନ୍ୟାୟବାନ୍ ହେବ କି ? ଯେଉଁମାନେ ଦୁର୍ନୀତିପରାୟଣ ହୁଅନ୍ତି ସେମାନେ ଦୁର୍ନୀତି କରି ଲାଭ ପାଉଥିବାରୁ ସେ ପଥରେ ଯାଉଛନ୍ତି । ଏଥିରୁ ଜଣାଯାଉଛି ଯେ ଜ୍ଞାନ ଅପେକ୍ଷା କାର୍ଯ୍ୟର ଫଳାଫଳ ମଣିଷର ବ୍ୟବହାରକୁ ବେଶୀ ପ୍ରଭାବିତ କରେ । ପିଲାଦିନୁ ନିଜ ଘରେ ଓ ବୃହତ୍ତର ସମାଜରେ ମଣିଷ ନ୍ୟାୟ ପଥରେ ଚଳି ଯଦି ମର୍ଯ୍ୟାଦା, ସମ୍ମାନ, ମାନସିକ ତୃପ୍ତି ଓ ଶାନ୍ତି ପରି ଲାଭଜନକ ଫଳ ପାଏ, ତା’ ହେଲେ ସେପରି ଭାବରେ ଚଳିବା ତା’ର ଅଭ୍ୟାସରେ ପରିଣତ ହୋଇ ମାନସିକ ସଂସ୍କାରର ଅଙ୍ଗ ହେବ । ଅନ୍ୟାୟର ପ୍ରଲୋଭନ ଯେତିକି ଶକ୍ତିଶାଳୀ, ନ୍ୟାୟପରାୟଣତାର ସଂସ୍କାର ଓ ଅଭ୍ୟାସ ତଥା ତୃପ୍ତି ମଧ୍ୟ ସେତିକି ଶକ୍ତିଶାଳୀ । ସେଥିଲାଗି ଭାରତବର୍ଷ ଏତେ ଦରିଦ୍ର ହେଲେ ମଧ୍ୟ ଅଧିକାଂଶ ଲୋକ ନିଜ ମନର ଅନ୍ୟାୟ ପ୍ରଲୋଭନକୁ ବିବେକ ଦ୍ୱାରା ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଛନ୍ତି । ପାରିବାରିକ ଦୁର୍ନୀତି ଏବେ ମଧ୍ୟ ଆମ ଦେଶରେ ଅନେକ କମ୍ । ରାଜନୈତିକ ପ୍ରରୋଚନା ଯୋଗୁଁ ଖୁନ୍ ଜଖମର ସଂଖ୍ୟା ବଢ଼ିଛି ସତ ମାତ୍ର ନିଜର ବ୍ୟକ୍ତିଗତ ଲାଭ ପାଇଁ ବହୁତ ଅଳ୍ପ ଲୋକ ଅନ୍ୟ ଲୋକଙ୍କୁ ଖୁନ୍ କରନ୍ତି । କେତେଦିନ ଏପରି ଅବସ୍ଥା ରହିବ ସେ କଥା କହିବା କଷ୍ଟ । କାରଣ ସଂସ୍କାରର ବନ୍ଧନ ଯେତେ କମିଯିବ, ନ୍ୟାୟ ପଥରେ ଚାଲିବାର ଅଭ୍ୟାସ ଯେତେ ଦୁର୍ବଳ ହେବ, ଆମ ଦେଶରେ ମଧ୍ୟ ଅପରାଧ ଓ ଦୁର୍ନୀତି ମଧ୍ୟ ସେତେ ବଢ଼ି ବଢ଼ି ଚାଲିବ । ଏଥିଲାଗି ଆମେ ଯଦି ପରିବାର ଭିତରେ ନିରପେକ୍ଷ ହୋଇ ସମସ୍ତଙ୍କ ପ୍ରତି ସମଦର୍ଶୀ ଭାବରେ ବ୍ୟବହାର କରି ଚଳିବୁ ତା’ ହେଲେ ପିଲା ନ୍ୟାୟବାନ ହୋଇ ବଢ଼ିବେ ।

Image

 

Unknown

ଶିକ୍ଷା

 

ମନରେ ପରିମାର୍ଜିତ ଅବସ୍ଥାକୁ ଶିକ୍ଷିତ ଅବସ୍ଥା ବୋଲି କୁହାଯାଏ । ଖଣିରୁ ବାହାରୁଥିବା ହୀରା ଅନ୍ୟ ପଥର ପରି ଦ୍ୟୁତିହୀନ, ମଳିନ ଓ ଓ ଅସ୍ୱଚ୍ଛ ଦେଖାଯାଏ । ପୋଖତ କାରିଗର ହୀରା ପଥରକୁ ଶତ ମୁନରେ କାଟି ପାଲିଶ୍ କଲେ ହୀରା ସ୍ଵଚ୍ଛତା ଲାଭ କରି ଆଲୋକର ଦୀପ୍ତିରେ ଦ୍ୟୁତିମୟ ହୋଇ ଝଲସେ । ମନ ମଧ୍ୟ ସେହିପରି । ଭାବି ଦେଖନ୍ତୁ, ବାରବାଟୀ ଦୁର୍ଗ ପାଖରେ କେତେ ପଥର ପଡ଼ିଛି । ଯିଏ ବାରବାଟୀର–ଇତିହାସ ଜାଣିନାହିଁ ତା ପାଇଁ ଏ ପଥରର କୌଣସି ମୂଲ୍ୟ ନାହିଁ । ଯିଏ ଓଡ଼ିଶାର ଇତିହାସ ଜାଣିଛି, ଓଡ଼ିଆ କବିତା ପଢ଼ିଛି ସେ ଏହି ପଥର ଦେଖିଲାବେଳେ ନିଜର ଦୃଷ୍ଟି ସହିତ କବିର ଦୃଷ୍ଟି ମିଶେଇ ଭାବେ,

 

ସେ ଦିନ ଏ ଶିଳାପରେ ଅବଗାହି ଆସି

ସୁକୁମାରୀ ରାଜବାଳା ଆଙ୍କିଥିବ ତା’ର

ଲକ୍ଷାରକ୍ତ ପଦଛବି, କରି ମତ୍ତକାଶୀ

କଠିଣ ପାଷାଣ ଦେହେ ଆନନ୍ଦ ସଞ୍ଚାର ।

 

(ମାନସିଂହ–ମହାନଦୀରେ ଜ୍ୟୋତ୍ସ୍ନା ବିହାର)

 

ଏହି ଉପଲବଧି ଫଳରେ ଦର୍ଶକର ନିଜ ମନରେ ମଧ୍ୟ ଗଭୀର ଆନନ୍ଦର ସଞ୍ଚାର ହୁଏ । ଏହି ଆନନ୍ଦ ହେଲା ଜାଣିବାର ଆନନ୍ଦ ।

 

ସାଧାରଣ ମଣିଷ କବିତ୍ୱ ଧରି ଜନ୍ମ ହୋଇନାହିଁ; କିନ୍ତୁ ମଣିଷ ସମାଜରେ ଜନ୍ମ ହୋଇଥିବାରୁ ଶିକ୍ଷା ବଳରେ କବିଙ୍କର ଦୃଷ୍ଟିଦେଇ ସଂସାରକୁ ଦେଖି ଗଭୀର ଆନନ୍ଦ ଲାଭ କରିପାରୁଛି । ବ୍ୟାସଦେବଙ୍କ ପରି ଜ୍ଞାନୀ ସେ ନୁହେଁ, ମାତ୍ର ମହାଭାରତ ପଢ଼ି ସେ ବ୍ୟାସଙ୍କ ଚିନ୍ତା ଓ ଧାରଣା ଅନୁସାରେ ଜୀବନର ତାତ୍ପର୍ଯ୍ୟ କଥା ଭାବିପାରୁଛି । ନିଜେ ବୈଜ୍ଞାନିକ ନ ହେଲେ ମଧ୍ୟ ବୈଜ୍ଞାନିକ ପରି ତଥ୍ୟ ଓ ପ୍ରମାଣ ଅନୁସାରେ ବିଚାର କରିବାକୁ ଶିଖି କାର୍ଯ୍ୟ-କାରଣ ସମ୍ପର୍କ ନିର୍ଦ୍ଧାରଣ କରୁଛି । ତାଳ ଗଛରୁ କାଉ ଉଡ଼ିଗଲା ଓ ତାଳ ପଡ଼ିଗଲା ଦେଖି ସେ ଭାବୁନାହିଁ ଯେ କାଉ ଉଡ଼ିଯିବା ହେତୁ ତାଳ ପଡ଼ିଲା । ତାଳ କାହିଁକି ପଡ଼ିଲା ସେ ବିଷୟ ଅନୁସନ୍ଧାନ କରି ସେ ସ୍ଥିର କରୁଛି ଯେ ତାଳଟା ବହୁତ ପାଚି ଯାଇଥିବାରୁ ଗଛଟା ସାମାନ୍ୟ ଦୋହଲି ଯିବାରୁ ତାଳ ଖସି ପଡ଼ିଲା । କାଉ ଦୋହଲାଇ ଦେଇ ନ ଥିଲେ ପବନରେ ହଲି ଖସି ପଡ଼ିଥାଆନ୍ତା ।

 

ଶିକ୍ଷା ଫଳରେ ଗଧ ଘୋଡ଼ା ହୋଇଯିବ ନାହିଁ, କିମ୍ବା ସାଧାରଣ ମଣିଷ ପ୍ରତିଭାବାନ ହୋଇଯିବ ନାହିଁ । ମାତ୍ର ଯେଉଁ କ୍ଷମତା ନେଇ ପ୍ରାଣୀ ଜନ୍ମ ହୋଇଛି ସେଇ କ୍ଷମତାର ପୂର୍ଣ୍ଣ ବିକାଶ ହୋଇପାରିବ । ମଣିଷକୁ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ କୁହାଯାଏ । କାରଣ ଅନ୍ୟ ପ୍ରାଣୀ ଠାରୁ ସେ କେତେକ ବିଷୟରେ ସଂମ୍ପୂର୍ଣ୍ଣ ସ୍ୱତନ୍ତ୍ର । ଯଥା-ଭାଷାଜ୍ଞାନ, ଅତୀତର ସ୍ମୃତି, ସମୟଜ୍ଞାନ (ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଭାବି ପାରିବାର କ୍ଷମତା), ଧାରଣା ଓ ଚିନ୍ତା କରିବାର କ୍ଷମତା ଏବଂ ନିଜର ପୂର୍ବ ପୁରୁଷର ଓ ନିଜ ଜୀବନ କାଳର ଆହରିତ ଜ୍ଞାନ ଓ ଅଭିଜ୍ଞତା, ନୂତନ ବଂଶଧରଙ୍କୁ ଶିଖେଇ ଯାଇ ପାରିବାର କ୍ଷମତା । ମଣିଷ ନିଜର ଏହି ଗୁଣଗୁଡ଼ିକର ସର୍ବୋତ୍ତୋଭାବରେ ବିକାଶ କରିପାରିଲେ ଯାଇ ନିଜକୁ ସମ୍ପୂର୍ଣ୍ଣ ମଣିଷ ବୋଲି ଭାବେ । ଜନ୍ମବେଳେ ମଣିଷ ସହିତ ପଶୁର ପ୍ରଭେଦ ନ ଥାଏ । ମାତ୍ର ସେ ଯେତେବେଳେ ଭାଷା ଶିଖିଯାଏ, ପଶୁ ଠାରୁ ତା’ର ଜୀବନ ପୃଥକ୍ ହୋଇଯାଏ । ଭାଷା ସାହାଯ୍ୟରେ ସେ ଶିଖେ, ମନେରଖେ ଓ ଆଖି ସାମ୍ନାରେ ଜିନିଷଟା ନ ଥିଲେ ମଧ୍ୟ ସେ ଜିନିଷକୁ ଆଖିରେ ଦେଖିଲା ପରି ବର୍ଣ୍ଣନା କରିପାରେ । ଭାଷା ତାର ଚେତନାକୁ ପୁଷ୍ଟ କରେ ।

 

ଚେତନା କ’ଣ ? ଇନ୍ଦ୍ରିୟ ଜ୍ଞାନ, ସ୍ମୃତି, ବୁଦ୍ଧି, ଧାରଣା ଓ ଚିନ୍ତା ଏସବୁର ସମନ୍ୱୟରେ ମଣିଷର ଚେତନା ଗଢ଼ି ଉଠିଥାଏ । ଚେତନା ହେଲା ଦର୍ପଣ ପରି । ଦର୍ପଣ ଯଦି ନିର୍ମଳ ଓ ସ୍ଵଚ୍ଛ ନ ହୁଏ ସେପରି ଦର୍ପଣରେ ମୁହଁ ଦେଖିଲେ ଆମେ ନିଜ ମୁହଁର ଅସ୍ପଷ୍ଟ ଓ ବିକୃତ ପ୍ରତିବିମ୍ବ ଦେଖୁ । ସେହିପରି ମଣିଷର ଚେତନା ଯଦି ଅଜ୍ଞତାର କାଳି, ମଳିରେ ଆଚ୍ଛନ୍ନ ହୋଇ ରହେ, ତା’ହେଲେ ଚକ୍ଷୁଷ୍ମାନ ହେଲେ ମଧ୍ୟ ମୁଁ ଆଖିରେ ଯେଉଁ ରୂପ ଦେଖେ ତା’ର ମର୍ମ ବୁଝିପାରେନା । ଶିକ୍ଷା ମଣିଷର ଚେତନାକୁ ମାଜ୍ଜିତ କରି ସ୍ଵଚ୍ଛ, ନିର୍ମଳ ଓ ଶକ୍ତିଶାଳୀ କରୁଥିବାରୁ ମଣିଷର ପର୍ଯ୍ୟବେକ୍ଷଣ ତୀଷ୍ମ ହୁଏ । ସେ ନ୍ୟାୟ ଅନ୍ୟାୟ ଵିଚାରରେ ସଚେତନ ହୁଏ । ବିଭିନ୍ନ ବିଷୟରେ ଚିନ୍ତା ଓ କଳ୍ପନା କରିପାରିବାରୁ ତା’ର ମନର ପ୍ରସାରଣ ଘଟେ । ଶିକ୍ଷା ଫଳରେ ଜନମନ ଚେତନା ଲାଭକରେ ଓ ପ୍ରାଣବନ୍ତ ହୋଇଉଠେ । ଫଳରେ ମନର ପୁଷ୍ଟି, ବୃଦ୍ଧି, ବିକାଶ ଓ ପରିବର୍ତ୍ତନ ହୋଇ ମନ ସମ୍ପୂର୍ଣ୍ଣତା ଲାଭ କରେ । ସବୁବେଳେ ଶିକ୍ଷା ଫଳରେ ଧନ ସମ୍ମାନ ବା ଉଚ୍ଚପଦ ମିଳେ ନାହିଁ ସତ; ମାତ୍ର ଶିକ୍ଷା କେବେ ହେଁ ପୂରା ବ୍ୟର୍ଥ ହୁଏ ନାହିଁ । କାରଣ ଶିକ୍ଷା ଯୋଗୁଁ ହିଁ ମଣିଷ ନୂଆ ଜନ୍ମ ପାଇ ମଣିଷ ପରି ହୋଇଥାଏ ।

 

ଆମେ କିପରି ଶିଖୁ ?

 

ଶିଖିବା ମଣିଷର ସ୍ଵାଭାବିକ ପ୍ରବୃତ୍ତି । ମଣିଷକୁ କେହି ନ ଶିଖେଇଲେ ମଧ୍ୟ ସେ ଅନ୍ୟକୁ ପର୍ଯ୍ୟବେକ୍ଷଣ କରି, ଅନୁକରଣ କରି ବିଭିନ୍ନ କଥା ଶିଖେ । ଅଜଣା ପରିସ୍ଥିତିରେ ପଡ଼ିଲେ କ’ଣ କରିବ, କୁଆଡ଼େ ଯିବ ଜାଣିପାରେ ନାହିଁ । ମାତ୍ର ଧୈର୍ଯ୍ୟ ଧରି ମନକୁ ଶାନ୍ତ କରି ସେ ବିଭନ୍ନ ଉପାୟ ଭାବେ । ଯେଉଁ ଉପାୟ ବଳରେ ସମସ୍ୟାର ସମାଧାନ କରେ, ସେ ଉପାୟ ମନେରଖେ । ଭବିଷ୍ୟତରେ ସମାନ ପରିସ୍ଥିତିର ସମ୍ମୁଖୀନ ହେଲେ କାଳ ବିଳମ୍ବ ନ କରି ପୂର୍ବ ଉପାୟ ଅନୁସାରେ ସମସ୍ୟାର ସମାଧାନ କରେ । ଯେତେବେଳେ ସ୍ଵାଭାବିକ ଭାବରେ ଶିଖିବାକୁ ନ ଦେଇ ଅନ୍ୟ ଉପାୟରେ ଆମେ ଶିଖାଇବାକୁ ଆରମ୍ଭ କରୁ, ସେତେବେଳେ ବିଭ୍ରାଟ ଦେଖାଯାଏ । ଉଦାହରଣ ହେଲା ଭାଷା ଶିଖିବା, ଓଡ଼ିଶାର ସବୁ ପିଲା ପାଞ୍ଚ ବର୍ଷ ବୟସ ବେଳକୁ ଭଲଭାବେ ଓଡ଼ିଆ କହି ପାରୁଛନ୍ତି; ମାତ୍ର ଯେଉଁ ଵିଦେଶୀ ଲୋକ କାଁ ଭାଁ ଓଡ଼ିଆ ଶିଖିବା ଲାଗି ଓଡ଼ିଶାକୁ ଆସୁଛନ୍ତି ସେମାନେ ବର୍ଷେ ଦୁଇ ବର୍ଷରେ ମଧ୍ୟ ଯଥେଷ୍ଟ ଓଡ଼ିଆ ଜାଣୁ ନାହାନ୍ତି । ସେହିପରି ଓଡ଼ିଆ ଲୋକ ବହୁ ବର୍ଷ ଧରି ସ୍କୁଲ କଲେଜରେ ପଢ଼ି ଯେତିକି ଇଂରାଜୀ ଶିଖୁଛି, କୌଣସି ଇଂରାଜୀ ଭାଷାଭାଷୀ ଦେଶରେ (ଆମେରିକା, କାନାଡ଼ା ବା ଇଂଲଣ୍ଡ ପରି ଜାଗା) ସେ ପରିବାର ନେଇ ରହିଲେ ପରିବାରର ସମସ୍ତେ ଦୁଇ ତିନି ବର୍ଷରେ ସେତିକି ଭାଷା ଶିଖି ଯାଉଛନ୍ତି । ବିଶେଷ କରି ପିଲାମାନେ ଆଗ ଶିଖୁଛନ୍ତି । ପିଲାମାନଙ୍କର ଉଚ୍ଚାରଣ ବିଶୁଦ୍ଧ ହେଉଛି; ମାତ୍ର ବଡ଼ମାନଙ୍କର ଉଚ୍ଚାରଣରେ ତୃଟି ରହିଛି ।

 

କେବଳ ଯେ ଇଂରାଜୀ ଭାଷା ଶିଖିଲା ବିଷୟରେ ଏପରି ହୁଏ ତାହା ନୁହେଁ । ଯେଉଁ ପରିବାର ଓଡ଼ିଶା ବାହାରେ-ଦିଲ୍ଲୀରେ କିଛିଦିନ ରହିଛନ୍ତି ସେମାନେ ଅନର୍ଗଳ ହିନ୍ଦୀ କହୁଛନ୍ତି । ଯିଏ ମହୀଶୂରରେ ଅଛି ସେ କନ୍ନାଡ଼ ଅକ୍ଳେଶରେ କହିଯାଉଛି । ଏପରି ହେବାର କାରଣ ହେଲା–

 

୧–ପିଲା ବଡ଼ମାନଙ୍କ ପରି ଏତେ ଆତ୍ମ ସଚେତନ ନୁହେଁ । ସେ ଯେଉଁ ଉପାୟରେ ନିଜ ଭାଷା ଶିଖିଛି, ସେହି ଉପାୟରେ ଅଥାତ୍ ଶୁଣିକରି ଓ କହିକରି ନୂଆ ଭାଷାଟି ଶିଖୁଛି ।

 

୨–ବଡ଼ମାନେ ପୂର୍ବରୁ ଯଦି କାହାଠାରୁ ଭାଷାଟି ଶିଖିଛନ୍ତି, ତା’ହେଲେ ଭୁଲ ଭାବରେ ଶିଖିଥିବାରୁ ସେହି ଅଭ୍ୟାସ ଭାଙ୍ଗି ନୂଆ ଭାବରେ କହିବାକୁ ଅଡ଼ୁଆ ଲାଗୁଛି । ବଡ଼ କଥା ହେଲା ଶିଖିବା ବିଷୟରେ ମନୋଭାବ । ପିଲା ଭୁଲ୍ କଲେ ନିଜକୁ ଅପମାନିତ ବୋଧ କରେ ନାହିଁ ଅଥଚ ବଡ଼ମାନେ ସଂକୋଚ ବୋଧ କରନ୍ତି ।

 

୩–ପିଲା ଭୁଲ୍ ଭାଲ୍ କରି କଥା କହିଯାଏ ଓ ଅନ୍ୟର ଉଚ୍ଚାରଣ ଶୁଣି ସେହି ଅନୁସାରେ ନିଜର ଅଜ୍ଞାତରେ ନିଜକୁ ସଂଶୋଧନ କରି ଚାଲିଥାଏ । ବଡ଼ମାନେ କାଳେ ଭୁଲ୍ ହେବ ବୋଲି ନୂଆ ଭାଷାରେ କଥା କହିବାକୁ ଚାହାନ୍ତି ନାହିଁ । ଶିଖିବାରେ ଭୁଲ୍ ହେଲେ ସେମାନେ ଅପଦସ୍ତ ହେବେ, ତେଣୁ ଅପମାନକୁ ଡରି ନୂଆ କଥା ଶିଖିବାକୁ ପଛେଇ ଯାଆନ୍ତି ।

 

ମନୋବିଜ୍ଞାନୀମାନେ ବହୁ ଗବେଷଣା କରି ଦେଖିଛନ୍ତି ଯେ ଯିଏ ନିଜକୁ ଅକ୍ଷମ ଓ ଅଯୋଗ୍ୟ ବୋଲି ଭାବେ ଏବଂ “ମୁଁ ପାରିବିନି”, “ମୋତେ ଆସିବନି” ଭାବି ପଛେଇଯାଏ ତା’ର ବୁଦ୍ଧିବୃତ୍ତି ଯେତେ ଭଲ ହେଲେ ମଧ୍ୟ ସେ ସ୍କୁଲ ପଢ଼ାରେ ଭଲକରି ପାରୁନାହିଁ । ଅଥଚ ଆମର ଶିଖେଇବାର ଢଙ୍ଗ ଏମିତି ଯେ ଆମେ ପିଲାକୁ ମୂଳରୁ ହିଁ ତାର ଅପାରଗତା ବିଷୟରେ ସଚେତନ କରୁ । ଫଳରେ ସେ ଭାବେ, ନୂଆ କଥା ଶିଖିଲେ ସିନା ଭୁଲ୍ ହେଉଛି, ନ ଶିଖିଲେ ଭୁଲ ହେବାର ବାଟ ନାହିଁ । ମୂଳରୁ ଘୋଷେଇ, ପ୍ରଶ୍ନ ପଚାରି, ଭୁଲ୍ ସଂଶୋଧନ କରି ଓ ଘନ ଘନ ପରୀକ୍ଷା କରି ଯଦି ପିଲାକୁ ଆମେ କଥା କହିବାକୁ ଶିଖେଇଥାନ୍ତୁ ତା’ହେଲେ ସେ କଥାବାର୍ତ୍ତା କରିବା ବନ୍ଦ କରି ଦିଅନ୍ତା । ଭାଷାବିତ୍ ମାନେ କହନ୍ତି, ପିଲା ସ୍କୁଲ ଆରମ୍ଭ କଲା ବେଳକୁ ପାଞ୍ଚ ହଜାର ଶବ୍ଦ ଶିଖିଥାଏ-। ଏହି ଭାଷା ତାକୁ କେହି ଘୋଷେଇ ଶିଖେଇ ନଥାନ୍ତି (ଅର୍ଥାତ୍ ଭାତ, ଡାଲି, ତରକାରୀ, ଘର, ଦ୍ୱାର, ମାମୁଁ, ମାଇଁ–ଏମିତି କେତେ ଶବ୍ଦ ସେ ନ ଘୋଷି ଶିଖିଛି) । ନିତି ଅଧଘଣ୍ଟା ଲେଖାଏଁ କଥା କହିବା ଅଭ୍ୟାସ କର-ବୋଲି ରୁଟିନ୍ ମଧ୍ୟ ତା’ ପାଇଁ ତିଆରି ହୋଇ ନ ଥିଲା । ତା ହେଲେ ସେ ଶିଖିଲା କେମିତି ?

 

ମନୋବିଜ୍ଞାନୀମାନେ ପିଲାକୁ ପର୍ଯ୍ୟବେକ୍ଷଣ କରି ନିଜର ସ୍ୱାଭାବିକ୍ ବାତାବରଣରେ ରହି ସେ କେମିତି ବିଭିନ୍ନ ବିଷୟ ଶିଖେ ସେ କଥା ଜାଣୁଛନ୍ତି । ଯଦି ଘରେ ଓ ପ୍ରାଥମିକ ସ୍କୁଲରେ ସେହି ଉପାୟରେ ପିଲାକୁ ପଢ଼ାଯାଏ, ତା’ହେଲେ ପିଲା ଅଳ୍ପ ସମୟରେ ବହୁତ କଥା ଶିଖିପାରିବ ଓ ଭବିଷ୍ୟତରେ ନିଜେ କୌତୂହଳୀ ହୋଇ ନୂଆ କଥା ଶିଖିବ । ଏପରି ପିଲା ପରୀକ୍ଷା ପରେ ପୋଥିରେ ଡୋର ନ ବାନ୍ଧି ଜୀବନଯାକ ନୂଆ ନୂଆ କଥା ଶିଖିବାରେ ଓ ଜାଣିବା ଦିଗରେ ଆଗ୍ରହୀ ହେବେ ।

 

କାହିଁକି ପାଠ ପଢ଼ିବି ?

 

ଯିଏ କଲେଜରେ ବା ହାଇସ୍କୁଲରେ ପଢ଼ୁଛି, ପରୀକ୍ଷାରେ ଭଲ କଲେ ଭବିଷ୍ୟତ ଜୀବନରେ ଉନ୍ନତି ହେବ ଭାବି ରାତି ଅନିଦ୍ରା ହୋଇ ସେ କଷ୍ଟ ପାଠକୁ ମନପ୍ରାଣ ଦେଇ ପଢ଼ିପାରେ-। ମାତ୍ର ପାଞ୍ଚରୁ ଦଶବର୍ଷ ବୟସର ପିଲା ଏପରି ସୁଦୂର ଲକ୍ଷ୍ୟ ଉପରେ ଦୃଷ୍ଟି ରଖି ପାଠ ପଢ଼ାରେ ମନ ଦେଇପାରନ୍ତି ନାହିଁ । ସାନ ପିଲା ପାଖ ଲୋକଙ୍କୁ ଅନୁକରଣ କରି ବିଭିନ୍ନ କାମ କରିବାକୁ ଓ ଶିଖିବାକୁ ଆଗ୍ରହୀ ହୁଏ । ଘରେ ସଙ୍ଗୀତ ଚର୍ଚ୍ଚା ହେଉଥିଲେ ସେ ଗୀତ ଗାଇବାକୁ ବା ହାର୍‍ମୋନିୟମ୍ କିମ୍ବା ଡୁବିତାବଲା ବଜେଇବାକୁ ଆଗ୍ରହ ପ୍ରକାଶ କରେ । ଘରେ କାରିଗରୀ ବିଦ୍ୟାର ଚର୍ଚ୍ଚା ଥିଲେ ପିଲା ବଡ଼ମାନଙ୍କୁ ଦେଖି ଲୁଗା ବୁଣିବାରେ, କାଠ କାମ, ପଥର କାମ, କଂସା ପିତ୍ତଳର ମୂର୍ତ୍ତି ବା ବାସନ ତିଆରି ଇତ୍ୟାଦି ବିଦ୍ୟା ଶିଖିବାକୁ ଆଗ୍ରହୀ ହୁଏ । ଏ ବିଷୟରେ ତାକୁ ଉତ୍ସାହିତ କରିବା ପୂର୍ବରୁ ସେ ଏଥିରେ ମନ ବଳାଏ ।

 

ପିଲାର ଲକ୍ଷ୍ୟ ହେଲା ନିଜର ବାହାଦୂରୀ ଦେଖେଇ ଅନ୍ୟମାନଙ୍କୁ ଚମତ୍କୃତ କରିବା । ଯେଉଁ ଗୋଷ୍ଠୀ ବା ଯେଉଁ ସମାଜରେ ସେ ବଢ଼େ, ସେମାନେ ଯେଉଁ ବିଦ୍ୟାକୁ ଆଦର କରନ୍ତି ପିଲା ସେହି ପ୍ରକାର ବିଦ୍ୟା ହାସଲ କରିବାକୁ ଚାହେଁ । ବଡ଼ ହେଲାପରେ ବୃହତ୍ତର ସମାଜର ସଂସ୍ପର୍ଶରେ ଆସି ତା’ର ଏହି ଲକ୍ଷ୍ୟରେ ପରିବର୍ତ୍ତନ ହୋଇପାରେ । ମାତ୍ର ମୂଳରୁ ତା’ର ଲକ୍ଷ୍ୟ ହେଲା ଚାରିପାଖର ଲୋକଙ୍କର ପ୍ରଶଂସା ପାଇବା । ଏଥିଲାଗି ଆମେ ଦେଖୁ ଯେ ପିଲାଙ୍କୁ କେହି ବିଧିବଦ୍ଧ ଭାବରେ ନ ଶିଖେଇଲେ ମଧ୍ୟ ସେମାନେ ଅଳ୍ପ ବହୁତ କୁଳଗତ ବିଦ୍ୟା ଜାଣନ୍ତି । ବଢ଼େଇ କୁଳରେ ଧର୍ମପଦ ଓ ବାଣୁଆ କୂଳରେ ଏକଲବ୍ୟ ନିଜ ଚେଷ୍ଟାରେ ଶିକ୍ଷକ ବିନା କୁଳଗତ ବିଦ୍ୟା ଶିଖି ସେଥିରେ ଶୀର୍ଷସ୍ଥାନ ମଧ୍ୟ ଅଧିକାର କରି ପାରିଛନ୍ତି ।

 

ଲେଖାପଢ଼ା ଶିଖିବା ମଧ୍ୟ ସେହିପରି । ଆମେ ଯଦି ଚାହୁଁ ଆମ ପିଲା ପାଠୁଆ ହେବ, ତା’ହେଲେ ଘରେ ପାଠର ଚର୍ଚ୍ଚା ହେବା କଥା, ପାଠର ଆଦର ମଧ୍ୟ ଥିବା କଥା । ପିଲା ଯଦି ସବୁବେଳେ ଶୁଣିବ ପାଠ ପଢ଼ି କିଛି ଲାଭ ନାହିଁ, ଅଥତ ତାକୁ ଆଦେଶ ଦିଆଯିବ ଯେ ତୁ ରାତି ୪ଟାରୁ ଉଠି ସଂସ୍କୃ ତ ଘୋଷିବୁ, ତେବେ ସେ ପରୀକ୍ଷା ହୁଏତ ପାଶ୍ କରିବ, ମାତ୍ର ପାଠୁଆ ହେବ ନାହିଁ । ଆମ ଦେଶରେ ଅଧିକାଂଶ ଲୋକଙ୍କର ବହି କିଣିବାକୁ ପଇସା ନାହିଁ, ପାଖେ ଆଖେ ଲାଇବ୍ରେରୀ ନାହିଁ-ଏପରି ବହୁ ଅସୁବିଧା । ତଥାପି ଆମେ ବହିର ଅଭାବ ପୂରଣ କରିବା ଲାଗି ଇଚ୍ଛା କଲେ ନିଜ ପିଲାକୁ, ଇତିହାସ, ରାଜନୀତି, କାବ୍ୟ କଵିତା ଏସବୁ ବିଷୟ ମୁହଁରେ କହି ଶିଖାଇ ପାରିବା, ଗ୍ରହ ନକ୍ଷତ୍ର ଚିହ୍ନେଇ ପାରିବା, ଋତୁ ପରିବର୍ତ୍ତନ ହେତୁ ଚାଷର ହାନି ଲାଭ କହିପାରିବା, କାହିଁକି ଗଛ ପତ୍ର କାଟିଦେଲେ ବନ୍ୟା ବଢ଼ୁଛି ସେ କଥା ବୁଝାଇ ପାରିବା । ଟର୍ଚ୍ଚବତୀ କେଉଁଠାରୁ ଆଲୋକ ପାଉଛି ସେ କଥା ବୁଝାଇ ପାରିବା । ଟର୍ଚ୍ଚବତୀ କେଉଁଠାରୁ ଆଲୋକ ପାଉଛି ସେ କଥା ଦେଖେଇ ହେବ । ଧାନକୁଟା ମେସିନ୍, ପାଣିପମ୍ପ, ଇଲେକଟ୍ରିକ୍ ତନ୍ତ କେମିତି ଯନ୍ତ୍ର ସାହାଯ୍ୟରେ ଚାଲେ ସେ କଥା ଦେଖେଇ ଯନ୍ତ୍ରପାତି ବିଷୟରେ ଶିକ୍ଷା ଦେଇହେବ । ପୁରୁଣା ରେଡ଼ିଓ ବା ଘଣ୍ଟା ମରାମତି କରିବାକୁ ଶିଖାଇଲେ ପିଲା ଶିଖିବାରେ ଆଗ୍ରହୀ ହେବ ଓ ନୂଆ ବିଦ୍ୟା ଆୟତ୍ତ କରି ନିଜକୁ ସମର୍ଥ ବୋଲି ଭାବିବ । ପରବର୍ତ୍ତୀ ଜୀବନରେ ଏ କଥା ସ୍କୁଲରେ ପଢ଼ିଲାବେଳେ ସହଜରେ ବୁଝିପାରିବ ଓ ଅଧିକା କଥା ମଧ୍ୟ ଶିଖିପାରିବ । ବାପା ମାଆ ଆଗ୍ରହୀ ହୋଇ ପିଲା ସାଙ୍ଗରେ ମିଶି ତାକୁ ନୂଆ ବିଷୟ ଶିଖାଇଲେ ସେ ଆଗ୍ରହୀ ହୋଇ ଶିଖେ । ଗାଳିଦେଇ ପଢ଼ା ଟେବୁଲ ପାଖରେ ବସେଇ ବହି ଘୋଷି ଶିଖିବାକୁ କହିଲେ । ପିଲା ଘୋଷି ହୁଏତ ପରୀକ୍ଷାରେ ଭଲ କରିବେ ମାତ୍ର ବିଶେଷ କିଛି ଶିଖିବେ ନାହିଁ । ଯାହା ମଧ୍ୟ ଶିଖିବେ ତାକୁ ପ୍ରୟୋଗ କରିପାରିବେ ନାହିଁ । ସବୁଠାରୁ ବଡ଼ କଥା ହେଲା, ପିଲା ମନରେ “ଶିଖିବା” ପ୍ରତି ଆଗ୍ରହ ସଞ୍ଚାର କରିବା । ନିଜେ କୌତୂହଳୀ ହୋଇ ଆଗ୍ରହୀ ହୋଇ ଶିଖିଲେ ପିଲା ଅଳ୍ପ ବେଳରେ ବହୁତ କଥା ଶିଖନ୍ତି । ‘ବାଧ୍ୟ’ ହୋଇ ଶିଖିବାକୁ ପଡ଼ିଲେ କାମ ଚଳିଲା ପରି ଶିଖନ୍ତି ।

 

ମନଯୋଗ କେମିତି ବଢ଼ିବ–

 

ଆଗ୍ରହ ହେଲେ ଆପେ ଆପେ ମନଯୋଗ ବଢ଼େ । ଯେଉଁ ବିଷୟ ଶିଖିବାକୁ ସୁଖ ଲାଗେ ନାହିଁ ସେ ବିଷୟରେ ପିଲା ମନ ଦେଇପାରନ୍ତି ନାହିଁ । ଶିକ୍ଷକଙ୍କ ଆଡ଼କୁ ଅନେଇ ଅନ୍ୟ କଥା ଭାବନ୍ତି । ପିଲାଙ୍କୁ ଆଖି ଦେଖେଇ ଧମକାଇଲେ ପିଲା ଚମକି ପଡ଼ି ଡରିମରି ମନ ଦେବାକୁ ଚେଷ୍ଟା କରନ୍ତି । ମାତ୍ର ଅଳ୍ପବେଳ ପରେ ଯେଉଁ କଥାକୁ ସେଇ କଥା ହୁଏ ।

 

ପ୍ରଥମେ ମନେରଖିବା କଥା ଯେ ବଡ଼ ପିଲାଙ୍କ ତୁଳନାରେ ସାନ ପିଲାଙ୍କର ମନଯୋଗ କ୍ଷମତା କମ୍ । ବଡ଼ ମଣିଷ ମଧ୍ୟ ପୂର୍ଣ୍ଣ ମନଯୋଗ ଦେଇ ଦଶ ମିନିଟ୍‍ରୁ ବେଶୀ ଗୋଟାଏ କଥା ଶୁଣିପାରନ୍ତି ନାହିଁ । ସେଥିଲାଗି ପ୍ରାଚୀନ କାଳରୁ ଆଲୋଚନା ମାଧ୍ୟମରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି । ଆମର ଶାସ୍ତ୍ର, ପୁରାଣ, ଉପନିଷଦ ସବୁ ପ୍ରଶ୍ନୋତ୍ତର ଆକାରରେ ଲେଖାଯାଇଛି । ଗୁରୁଙ୍କୁ ପ୍ରଶ୍ନଟିଏ ପଚରାଗଲା–ସେ ଅଳ୍ପ ବେଳ ପାଇଁ ଉତ୍ତରଟି କହି ଚୁପ୍ ହେଲେ, ଛାତ୍ର ଉତ୍ତରଟି ଶୁଣି ଭାବି ପୁଣି ପଚାରିଲା (ଯମ ଓ ନଚିକେତା ସମ୍ବାଦ ଦେଖନ୍ତୁ) । ଅଥଚ ସ୍କୁଲରେ ଆମେ ବର୍ତ୍ତମାନ ପୂରା ୪୫ ମିନିଟ୍ ଯାକ ବକ୍ତୃତା ଦେଇ ପିଲାଙ୍କୁ ପଢ଼ାଉ, ସେଥିଲାଗି ପିଲା ମନ ଦିଅନ୍ତି ନାହିଁ ।

 

ଯେଉଁ ବିଷୟ ପଢ଼ାଯାଉଛି, ସେ ବିଷୟରେ ନିଜ ଜୀବନ ସହିତ ସମ୍ବନ୍ଧ ନ ଥିଲେ ପିଲା ବୁଝିପାରନ୍ତି ନାହିଁ । ତେଣୁ ମନ ଦିଅନ୍ତି ନାହିଁ । ଯଥା–କନ୍ଧମାଳ ପିଲାଙ୍କୁ କୁହାଗଲା–‘ପୃଥିବୀ ଗୋଲ’ ଏ କଥା ପ୍ରମାଣ କର । ଯିଏ ନିଜ ଗାଆଁରୁ ବାହାରି ଦଶ ମାଇଲ ଦୂର ଜାଗାକୁ ଯାଇନାହିଁ ସେ ପ୍ରଥମେ ପୃଥିବୀ କ’ଣ ସେ କଥା ଜାଣିପାରୁ ନାହିଁ । ଗ୍ଳୋବ ଦେଖାଇ ପଢ଼େଇଲେ (ବହୁତ ସ୍କୁଲରେ ଗ୍ଳୋବ ନାହିଁ) ସେ ଭାବୁଛି ଗ୍ଲୋବ୍‍ର ଆଉ ଗୋଟାଏ ନାଆଁ ହେଲା ପୃଥିବୀ । ଆଖିରେ ତ ଦେଖୁଛି ଗୋଲ, ମାଷ୍ଟ୍ର ତ କହୁଛନ୍ତି ପୃଥିବୀ ଗୋଲ, ପୁଣି ପ୍ରମାଣ କରିବା ଦରକାର କ’ଣ ? ସହର ସ୍କୁଲରେ ମଧ୍ୟ ‘ପୃଥିବୀ ଗୋଲ’ ବୋଲି ଯେତିକି ପ୍ରମାଣ ଅଛି ସବୁ ପ୍ରମାଣ ପିଲାଙ୍କୁ ଘୋଷିବାକୁ ପଡ଼େ । ନୀଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରୁ ପୃଥିବୀର ଯେଉଁ ଛବି ଉଠାଇଥିଲେ ସେଥିରେ ପୃଥିବୀ ଗୋଲ ଦେଖାଯାଉଛି ବୋଲି କେବଳ ଗୋଟିଏ ପ୍ରମାଣ ଦେଲେ ପରୀକ୍ଷାରେ ନମ୍ୱର କମିଯାଉଛି । ଏପରି ଭାବରେ ପଢ଼ିବାରୁ ପିଲାଙ୍କୁ ପାଠ କଷ୍ଟ ଲାଗୁଛି ଓ ବୁଝି ନ ପାରିବାରୁ ମନର ଆଗ୍ରହ ଭାଙ୍ଗି ଯାଉଛି-

 

ସାନ ପିଲାଙ୍କର ପ୍ରକୃତି ଚଞ୍ଚଳ । ମାତ୍ର ସ୍କୁଲରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ସାନ ପିଲାଙ୍କୁ ଘଣ୍ଟା ଘଣ୍ଟା ଧରି ଗୋଟାଏ ଜାଗାରେ ସ୍ଥିର ହୋଇ ବସି ରହିବାକୁ କୁହାଯାଏ । ଏପରି ସ୍ଥିର ହୋଇ ବସି ରହିବା ଅଭ୍ୟାସଗତ ନ ହେବା ପର୍ଯ୍ୟନ୍ତ ପିଲାଙ୍କୁ କଷ୍ଟ ଲାଗେ । ଫଳରେ ପିଲା ଅମନୋଯୋଗୀ ହୁଅନ୍ତି । ଏଥିପାଇଁ ଭାରତ ବାହାରେ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ସାନ ପିଲାଙ୍କ କ୍ଳାସ ଅଲଗା ନିୟମରେ ଚାଲେ । ସେମାନେ ତିନି ଚାରିଜଣ ଏକାଠି ହୋଇ ବହି ପଢ଼ନ୍ତି, ହାତ କାମ କରନ୍ତି, ଛବି ଆଙ୍କନ୍ତି (ସବୁ ପିଲାଙ୍କ ହାତକାମ ଓ ଛବି ସ୍କୁଲ କାନ୍ଥରେ ମରା ହୋଇ ସଜା ହୋଇଥାଏ–କେବଳ ଭଲ ଛବି ବାଛିକରି ମାରନ୍ତି ନାହିଁ) । ଟର୍ଚ୍ଚ ଖୋଲି, ବ୍ୟାଟେରୀ କାଢ଼ି ପୁଣି ବ୍ୟାଟେରୀ ପକାଇବାକୁ ଶିଖନ୍ତି । ବିଭିନ୍ନ ସାନ ସାନ ଯନ୍ତ୍ରପାତିର ବ୍ୟବହାର ଶିଖନ୍ତି । କ୍ଳାସରେ ଚଳପ୍ରଚଳ ହେଉଥାଆନ୍ତି । କଥାବାର୍ତ୍ତା କରନ୍ତି । ଘରେ ଭାଇ ଭଉଣୀ ସବୁ ଯେମିତି ଏକାଠି ହୋଇ ଚଳନ୍ତି, ପ୍ରାୟ ସେହିପରି ସ୍କୁଲରେ ଚଳୁଥିବାରୁ ପିଲା ଖୁସିରେ ସବୁକଥା ଶିଖନ୍ତି । ସେଠାରେ ସାଧାରଣ ସ୍ୱାଭାବିକ୍ ପିଲାଙ୍କ ଠାରେ ଅମନଯୋଗୀତା ଦେଖାଯାଏ ନାହିଁ । କେବଳ ସମସ୍ୟାଗ୍ରସ୍ତ ପିଲାଙ୍କଠାରେ ଅମନଯୋଗୀତା ଦେଖାଯାଏ ।

 

ସାନ ପିଲାଙ୍କ ଗୋଟାଏ ଆପତ୍ତି ପ୍ରାୟ ସମସ୍ତେ କରିଥାନ୍ତି-“ତା’ର ଜମା ପାଠରେ ମନ ନାହିଁ, ସବୁବେଳେ ଖେଳରେ ମନ ।” ବିଦେଶରେ ଏଥିଲାଗି ପିଲାଙ୍କୁ ଖେଳ ମାଧ୍ୟମରେ ହିଁ ପାଠ ପଢ଼ା ଯାଇଥାଏ । ପିଲାଙ୍କ କ୍ଳାସ ରୁମ୍‌ରେ ବିଭିନ୍ନ ପ୍ରକାରର ଖେଳ ଥାଏ । ଶିକ୍ଷକ ସେ ସବୁ ଖେଳ ବ୍ୟବହାର କରି ପିଲାଙ୍କୁ ପାଠ ଶିଖନ୍ତି । ଯଥା-ଲୁଡ଼ୋ ପରି ଯେଉଁ ଖେଳରେ ଦାନ ହିସାବ କରିବାକୁ ପଡ଼େ ସେପରି ଖେଳ ସାହାଯ୍ୟରେ ମିଶାଣ ଶିଖାନ୍ତି । ଢଗ ଢମାଳୀର ଅର୍ଥ ପଚାରି ପିଲାଙ୍କୁ ଗୋଟାଏ ଶବ୍ଦର ବିଭିନ୍ନ ଅର୍ଥ ଶିଖାନ୍ତି । ସାନ ପିଲାଙ୍କୁ ଲମ୍ବା ରଚନା ଲେଖିବାକୁ ନ କହି, ତିନିଚାରି ଲାଇନ୍‍ର ଛାନ୍ଦ ଲେଖିବାକୁ କହନ୍ତି । (ମାନବ ସଭ୍ୟତାର ଆରମ୍ଭରୁ ଅଧିକାଂଶ ଜିନିଷ ପଦ୍ୟାକାରରେ ଲେଖା ହେଉଥିଲା ଓ ପରେ ଗଦ୍ୟ ରଚନା ଆରମ୍ଭ ହେଲା ।) ଏହି ଉପାୟରେ ପଢ଼ିବା ବିଷୟଟିକୁ ଚିତ୍ତାକର୍ଷକ କରିବାରୁ ପିଲାର ମନଯୋଗ ଓ ଆଗ୍ରହ ବଢ଼େ ।

 

କ’ଣ କଲେ ସ୍ମୃତିଶକ୍ତି ବଢ଼େ–

 

ମଣିଷର ସ୍ମୃତିଶକ୍ତି ମନର ଆବେଗ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୁଏ । ବଡ଼ ମଣିଷ ମଧ୍ୟ ଡରିଗଲେ ବା ଚମକି ପଡ଼ିଲେ କ’ଣ କହୁଥିଲା ଭୁଲିଯାଏ । ମୋଟର୍ ଗାଡ଼ି ଓ ରିକସା ଧକ୍‍କା ହେଲା–ଆରୋହୀମାନଙ୍କୁ କ’ଣ ହେଲା ପଚାରିଲେ, ସେମାନେ ଯାହା କହିବେ ଓ ପାଖ ଦେଖଣାହାରୀ ଯାହା କହିବେ ସେଥିରେ ବହୁ ପ୍ରଭେଦ ଦେଖିବାକୁ ମିଳିବ । ଆରୋହୀମାନେ ଧକ୍‍କାର ଠିକ୍ ପୂର୍ବରୁ କ’ଣ ହେଲା ସେ କଥା ମନର ଉତ୍ତେଜନା ହେତୁ ସଠିକ୍ ଭାବରେ ମନେ ପକାଇ ପାରନ୍ତି ନାହିଁ ।

 

ସାନ ପିଲାଙ୍କୁ ତେଣୁ ଧମକାଇ ପ୍ରଶ୍ନର ଉତ୍ତର ପଚାରିଲେ ସେମାନେ ଡରି ଯାଆନ୍ତି, ଉତ୍ତର ଜାଣିଥିଲେ ମଧ୍ୟ ମନେ ପକାଇ ପାରନ୍ତି ନାହିଁ । ଏପରି ସ୍ଥଳରେ ପିଲାର ସ୍ମୃତିଶକ୍ତି ଖରାପ ବୋଲି ନ କହି ପ୍ରଶ୍ନକର୍ତ୍ତାର ଭୁଲ୍ ଯୋଗୁଁ ପିଲା ଭୁଲିଯାଉଛି ବୋଲି କୁହାଯିବ । ଯେଉଁ ବିଷୟ ପ୍ରତି ପିଲାର ଡର ହୋଇଯାଏ, ସେ ବିଷୟ ପଢ଼ି ବସିଲା ବେଳକୁ ତାକୁ ମନ୍ତ୍ରସ୍ତ ଲାଗେ । ସେଥିଲାଗି ସେ ଚେଷ୍ଟାକଲେ ମଧ୍ୟ ପଢ଼ି ମନେରଖି ପାରେନା । ବହୁ ବୁଦ୍ଧିମାନ ଲୋକଙ୍କର ଅଙ୍କ ବୁଝିବାକୁ କଷ୍ଟ ହୁଏ । କାରଣ ଖୋଜି ବାହାର କଲେ ଦେଖିବେ ଯେ ଅଳ୍ପ ବୟସରେ ଜଟିଳ ଅଙ୍କ କରିବାକୁ ପଡ଼ିବାରୁ ଅଙ୍କରେ ଭୁଲ କରି ଗାଳିମାଡ଼ ଖାଇ ମୂଳରୁ ଅଙ୍କକୁ ଏତେ ଡରିଯାଇଛନ୍ତି ଯେ ପରେ ଯେତେ ଶିଖେଇଲେ ମଧ୍ୟ ଶିଖିପାରୁ ନାହାନ୍ତି । ପିଲା ଅଙ୍କରେ ଭୁଲ କଲେ, ତାଙ୍କୁ ଯଦି ଆମେ ମାଡ଼ ଦେବା ବା ମୁର୍ଖ, ଗଧ, ବୋକା ଇତ୍ୟାଦି କହି ଗାଳିଦେବା, ତା’ହେଲେ କ’ଣ ସେ ଅଙ୍କରେ ଭଲ କରିବ କି ? ପିଲା ମନ ଦଉନାହିଁ ଭାବି ଆମେ ତାକୁ ଗାଳିଦେଉ । ମାତ୍ର ବାସ୍ତବ କ୍ଷେତ୍ରରେ ଗାଳିର ଭୟ ଓ ଅଙ୍କର ଦୁର୍ବୋଧ୍ୟତା-ଏହି ଉଭୟ ଅଭିଜ୍ଞତା ଏକାଠି ହୋଇ ପିଲା ମନରେ ତୀବ୍ର ଉତ୍କଣ୍ଠାର ସଞ୍ଚାର କରେ । ସେଥିଲାଗି ପରବର୍ତ୍ତୀ କାଳରେ ଅଙ୍କ ଦେଖିଲେ ସେମାନେ ଉତ୍କଣ୍ଠିତ ହୋଇ ଵିଚଳିତ ହୋଇ ପଡ଼ନ୍ତି ।

 

ମନ ଶାନ୍ତି ନ ଥିଲେ କୌଣସି ବିଷୟ ଶିଖି ମନେରଖିବା କଷ୍ଟ । ମନୋବିଜ୍ଞାନୀମାନେ ମୂଷା, ମାଙ୍କଡ଼ ଓ ସାନ ପିଲାଙ୍କ ଉପରେ ଗବେଷଣା କରି ଦେଖିଛନ୍ତି ଯେ ମନରେ ଭୟ ବା ଉତ୍କଣ୍ଠା ଥାଇ ମଧ୍ୟ ଶିକ୍ଷଣୀୟ ଵିଷୟଟି ଯଦି ସରଳ ହୋଇଥାଏ, ତା’ହେଲେ ସେ ବିଷୟ ଏମାନେ ଭଲରେ ଶିଖିଯାଉଛନ୍ତି । ବିଷୟଟି ଆଉ ଟିକିଏ କଠିନ ହେଲେ ମନର ଉତ୍କଣ୍ଠା ଯୋଗୁଁ କେତେକ ଶିଖନ୍ତି ଓ ଅନେକେ ଶିଖିପାରନ୍ତି ନାହିଁ । ମାତ୍ର ବିଷୟଟି ଜଟିଳ ହେଲେ ମନରେ ସ୍ୱାଭାବିକ୍ ଉତ୍କଣ୍ଠା ଜନ୍ମେ । ଯାହା ମନରେ ପୂର୍ବରୁ ଭୟ ଓ ଉତ୍କଣ୍ଠା ରହିଛି ସେ ଏଭଳି ଉତ୍କଣ୍ଠାଜନକ ଅବସ୍ଥାରେ ପଡ଼ିଲେ କିଛି ଶିଖିପାରେ ନାହିଁ । ସେଥିଲାଗି ଦେଖାଯାଉଛି ଯେ ଯେଉଁ ପିଲା ସହଜରେ ଶଙ୍କିଯାଏ ନାହିଁ ଓ ଯାହା ମନରେ ଚିନ୍ତାଦକ କମ୍, ସେପରି ପିଲା ସହଜରେ ଜଟିଳ ବିଷୟ ଶିଖିପାରନ୍ତି ।

 

ପିଲା ଯେଉଁ ବିଷୟ ଶିଖିଛନ୍ତି, ସେ ବିଷୟଟିର ଅର୍ଥ ଓ ତାତ୍ପର୍ଯ୍ୟ ଜାଣିଥିଲେ, ସେ ବିଷୟରେ ସେମାନଙ୍କର ସମ୍ପୂର୍ଣ୍ଣ ଧାରଣା ଜନ୍ମେ । ଯେଉଁ ବିଷୟଟି ସମ୍ପୂର୍ଣ୍ଣ ଭାବରେ ବୁଝିଥାଆନ୍ତି ସେ ବିଷୟ ପିଲା ଭଲଭାବେ ମନେରଖନ୍ତି । ଘୋଷିକରି ମନେରଖିଲେ ପିଲାର ବିଷୟଟି ବୋଧଗମ୍ୟ ହୁଏ ନାହିଁ । ତେଣୁ ସେଥିରୁ ପଦେ ଭୁଲିଗଲେ, ସବୁ କଥାତକ ମନରୁ ପୋଛି ହୋଇଯାଏ । ଆମେ ଘୋଷିକରି ପିଲାଦିନେ ବ୍ୟାକରଣ ଶିଖିଥିବାରୁ ବାକ୍ୟ ସନ୍ଧିର ନିୟମ ପଚାରିଲେ ହୁଏତ ବର୍ତ୍ତମାନ କହିପାରିବୁ ନାହିଁ; ମାତ୍ର ଭାଷା କହିଲାବେଳେ ଭୁଲ୍ ହୁଏ ନାହିଁ । ଯଥା-କାର୍ତ୍ତିକ+ଇନ୍ଦୁ=କାର୍ତ୍ତିକେନ୍ଦୁ (କଥ୍ୟ ଓଡ଼ିଆରେ କାଚକେନ୍ଦୁ-କାଚକେନ୍ଦୁ ପରି ପାଣି) ଅଥଚ କେମିତି ‘କାର୍ତ୍ତିକେନ୍ଦୁ’ ହେଲା ନିୟମଟା କହିପାରୁନା । ଭାଷା ବ୍ୟବହାର କରି ଶିଖୁ ଓ ବ୍ୟାକରଣ ଘୋଷିକରି ଶିଖୁ-ତେଣୁ ମନେ ରଖିବାରେ ଏହିପରି ପ୍ରଭେଦ ହୁଏ ।

 

ଭଲ ମନେରଖିବାର ଆଉ ଏକ ଉପାୟ ହେଲା ପିଲାଙ୍କୁ ମନେରଖିବାର ବିଭିନ୍ନ କୌଶଳ ଶିଖାଇବା । ମନେ କରନ୍ତୁ, ପିଲା ପ୍ରତିଦିନ କୋଡ଼ିଏଟି ନୂଆ ଇଂରାଜୀ ଶବ୍ଦ ଶିଖିବ । ଗୋଟିଏ ଉପାୟ ହେଲା ଯେ କୌଣସି ବିଷୟକ ଶବ୍ଦ ଘୋଷାଇବା । ଆଉ ଗୋଟିଏ ଉପାୟ ହେଲା ବିଭିନ୍ନ ବିଷୟରେ ଭାଗକରି ଶବ୍ଦ ଶିଖିବା । ଯଥା-୨୦ଟି ଫଳର ନାଆଁ, ୨୦ଟି ଅଙ୍ଗପ୍ରତ୍ୟଙ୍ଗର ନାଆଁ ଇଂରାଜୀରେ ଶିଖିବା । ତୃତୀୟ ଉପାୟ ହେଲା ଜଣେ ବିଲାତରେ ଫଳ ଦୋକାନକୁ ଯାଇ ବିଭନ୍ନ ଫଳର ନାଆଁ ପଚାରି କେମିତି ବଜାର କରୁଛି ତାର ବର୍ଣ୍ଣନା ପଢ଼ିବା । ପରୀକ୍ଷା କରି ଦେଖାଯାଇଛି ଯେ ଯେଉଁ ଶବ୍ଦଗୁଡ଼ିକର ପରସ୍ପର ସହିତ କୌଣସି ସମ୍ପର୍କ ନାହିଁ, ସେଗୁଡ଼ିକ ଘୋଷି ମନେରଖିବାକୁ ସବୁଠାରୁ ବେଶୀ ସମୟ ଲାଗେ ଓ ଶୀଘ୍ର ଭୁଲି ହେଇଯାଏ । ଶିଖିବାର ଗୋଟାଏ ସପ୍ତାହ ପରେ ପଚାରିଲେ ଦେଖିବେ ଯେ ପିଲାର ଅଧିକାଂଶ ଶବ୍ଦ ମନେନାହିଁ-। ଅଥଚ ଯେଉଁ ଶବ୍ଦଗୁଡ଼ିକର ପରସ୍ପର ସହିତ ସମ୍ପର୍କ ରହିଛି, ଯଥା–ଫଳ, ପଶୁପକ୍ଷୀ, ଆସବାବ ପତ୍ର, ଅଙ୍ଗପ୍ରତ୍ୟଙ୍ଗ–ଏପରି ଗୋଟିଏ ପ୍ରକାରର ଶବ୍ଦ ମନେରଖିବା ସହଜ । ସେଥିଲାଗି ସମାନାର୍ଥକ ଓ ବିପରୀତାର୍ଥକ ଶବ୍ଦ ମନେରଖିବା ସହଜ ।

 

ଏହି ଶବ୍ଦଗୁଡ଼ିକ ଯଦି ବାକ୍ୟରେ ବ୍ୟବହୃତ ହୋଇ ଗୋଟିଏ ଵିଶେଷ ଘଟଣା ବର୍ଣ୍ଣନା କରୁଥାଏ, ତା’ହେଲେ ଆହୁରି ସହଜରେ ମନେରହେ । ପୁଣି ବର୍ଣ୍ଣନାଟା ଯଦି ରସାଳ ହୋଇଥାଏ ତା’ହେଲେ ସେ ବିଷୟଟି ମନରେ ରେଖାପାତ କରିବାରୁ ବିନା ଆୟାସରେ ମନେରହେ । ଆମେ ଶୁଣିଥିବା ବକ୍ତୃତାର ବିଷୟବସ୍ତୁ ଭୁଲିଯାଉ; ମାତ୍ର ବ୍ୟଙ୍ଗ ବିଦ୍ରୂପ ବା ହାସ୍ୟରସ ସୃଷ୍ଟି କରିଥିବା କଥାଗୁଡ଼ିକ ମନେ ରଖିଥାଉ ।

 

ଅସଂଲଗ୍ନ ଶଦ୍ଦଗୁଡ଼ିକୁ ଯଦି କୌଣସି ଉପାୟରେ ସୁସଂଲଗ୍ନ କରିପାରୁ, ତା’ହେଲେ ମନେରଖିବା ସହଜ ହୁଏ । ଇନ୍ଦ୍ରଧନୁର ସାତଟି ରଙ୍ଗକୁ ମନେରଖିବା ପାଇଁ ’ବାଘନିଶ ହଲାନା’ ପରି ଢଗଟିଏ ଥିବାରୁ ରଙ୍ଗଗୁଡ଼ିକ (ବାଇଗଣୀ, ଘନନୀଳ, ନୀଳ, ଶାଗୁଆ, ହଳଦିଆ, ଲାଲ ଓ ନାରଙ୍ଗୀ) ସୁବିଧାରେ ମନେ ରହିଯାଏ । ଗଣି ଶିଖିଲା ବେଳେ ଆମେ ଶିଖୁ–

 

ଏକ ଚନ୍ଦ୍ର

 

ଦୁଇ ପକ୍ଷ (ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷ)

 

ତିନି ନେତ୍ର (ସୂର୍ଯ୍ୟ, ଚନ୍ଦ୍ର, ଓ ଅଗ୍ନି ହେଲେ ମହାଦେବଙ୍କର ତିନି ନେତ୍ର)

 

ଚତୁର୍ବେଦ (ଋକ୍, ସାମ, ଯଜୁ ଓ ଅଥର୍ବ ଏହି ଚାରିବେଦ)

 

ପଞ୍ଚବାଣ (ପଦ୍ମ, ଅଶୋକ, ଆମ୍ରମଞ୍ଜରୀ, ନବମଲ୍ଲିକା ଓ ନୀଳ କଇଁ-ହେଲା ମଦନଙ୍କର ପଞ୍ଚବାଣ)

 

ଛଅ ଋତୁ (ଗ୍ରୀଷ୍ମ, ବର୍ଷା, ଶରତ୍, ହେମନ୍ତ, ଶୀତ ଓ ବସନ୍ତ-ଏ ହେଲା ଛଅ ଋତୁ)

 

ସପ୍ତ ନଦୀ (ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ଵତୀ, ନର୍ମଦା, ସିନ୍ଧୁ, କାବେରୀ–ଏହି ସାତଟି ସିନ୍ଧୁ, ଯାମିନୀ ନଦୀ ହୋଇଥିବାରୁ ଏମାନଙ୍କୁ ସପ୍ତସିନ୍ଧୁ ବୋଲି କୁହାଯାଏ ।

 

ଅଷ୍ଟ ବସୁ (ଇନ୍ଦ୍ରଙ୍କର ସହଚର ଦେବତା, ଅଷ୍ଟମ ବସୁ ଗଙ୍ଗା ଗର୍ଭରେ ଭୀଷ୍ମ ରୂପରେ ଜନ୍ମ ହୋଇଥିଲେ)

 

ନବ ଗ୍ରହ (ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ)

 

ଦଶ ଦିଗ (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ନୈଋତ, ବାୟ, ଅଗ୍ନି, ଐଶାନ୍ୟ, ଅଧଃ ଓ ଊର୍ଦ୍ଧ୍ୱ)

 

ଏହି ଛାନ୍ଦ ସାହାଯ୍ୟରେ ଏକରୁ ଦଶ ପର୍ଯ୍ୟନ୍ତ ଗଣି ଶିଖିହେବ । ପୁଣି ଗ୍ରହମାନଙ୍କର ନାଆଁ, ଋତୁମାନଙ୍କର ନାଆଁ ସଂଖ୍ୟା ଅନୁସାରେ ବର୍ଣ୍ଣନା ହୋଇଥିବାରୁ ଏଗୁଡ଼ିକ ମନେରଖିବା ସହଜ ହେବ । ଯଥା-ସାତଟା ଗ୍ରହର ନାଆଁ ମନେପଡ଼ୁଛି, ଆଉ ଦୁଇଟା ନାଆଁ କ’ଣ ? ଏମିତି ଭାବି ଆମେ ମନେପକାଉ ।

 

ସ୍ମରଣ ଶକ୍ତିକୁ ବିଶ୍ଳେଷଣ କଲେ ଦେଖାଯାଏ ଯେ ମନେରଖିବାର ତିନୋଟି ପ୍ରଧାନ ପ୍ରକ୍ରିୟା– (୧) ଆବୃତ୍ତି (rehersal), (୨) ସୁସମ୍ବନ୍ଧ ଭାବରେ ମନେରଖିବା (organisation), (୩) ଅନ୍ୟ ଜଣାଶୁଣା ବିଷୟ ସହିତ ସଦ୍ୟ ଶିଖିଥିବା ସଂଶ୍ଳିଷ୍ଟ କରି ମନେରଖିବା (elaboration).

 

ଆବୃତ୍ତି-ସାଧାରଣତଃ ଯେଉଁ ବିଷୟଟି ଶିଖ ସେ ବିଷୟଟିକୁ ବାରମ୍ବାର ଆବୃତ୍ତି କଲେ ବା ଘୋଷିଲେ ମନେରହେ ।

 

ବିଧିବଦ୍ଧ ଭାବରେ ମନେ ରଖିବା–

 

ମୋଟର ଗାଡ଼ିର ଲାଇସେନସ ନମ୍ବର, ଟେଲିଫୋନ୍ ନମ୍ବର ବା ପୋଷ୍ଟାଲ କୋଡ଼ ନମ୍ୱର ମନେରଖିବାର ସହଜ ଉପାୟ ହେଲା ସମ୍ପୂର୍ଣ୍ଣ ସଂଖ୍ୟାଟିକୁ ମଝିରୁ ଭାଙ୍ଗି ପ୍ରଥମ ତିନୋଟି ନମ୍ବର ଓ ଶେଷ ତିନୋଟି ନମ୍ବର ହିସାବରେ ମନେରଖିବା ।

 

ଲମ୍ବା କବିତା ଅପେକ୍ଷା ଖଣ୍ଡ ଖଣ୍ଡ ପଦ ମନେ ରଖିବାକୁ ସୁବିଧା ହୁଏ । ତେଣୁ ପୂରା କବିତାଟିକୁ ନ ଘୋଷି ପ୍ରଥମେ ପଦଗୁଡ଼ିକ ଶିଖିଗଲେ ପୂରା କବିତାଟା ଅଳ୍ପ ସମୟରେ ମନେରହେ-।)

 

ନାଚର ଅସଂଲଗ୍ନ ବୋଲ୍ ଗୁଡ଼ିକ ଛନ୍ଦରେ ଗୁନ୍ଥା ହୋଇଥିବାରୁ ଅର୍ଥହୀନ ହେଲେ ମଧ୍ୟ ଅନାୟାସରେ ମନେରହେ ଓ ନର୍ତ୍ତକୀ ବୋଲ ଅନୁସାରେ ପଦବିନ୍ୟାସ ମନେରଖି ନିର୍ଭୁଲ ଭାବରେ ମୂଳରୁ ଶେଷ ପର୍ଯ୍ୟନ୍ତ ଅଭିନୟ ଓ ଅଙ୍ଗବିନ୍ୟାସ ସହ ନାଚଟି ମନେରଖେ । (ଛନ୍ଦ ଯୋଗୁଁ ଆଠ ଧାଡ଼ି ଗଦ୍ୟ ରଚନା ଅପେକ୍ଷା ଆଠ ଧାଡ଼ି କବିତା ସହଜରେ ମନେରହେ ।)

 

ସଂଶ୍ଳିଷ୍ଟ କରି ମନେ ରଖିବା–

 

ମଣିଷଙ୍କର ନାଆଁ ଥିବାରୁ ସଦ୍ୟ ପରିଚିତ ଲୋକଙ୍କୁ କିଛିଦିନ ପରେ ଦେଖିଲେ ନାଆଁ ମନେ ରଖିଥିବାରୁ ଜାଣିବା ସହଜ ହେଉଛି । ଅଥଚ ଗାଈ ଗୋରୁ ଛେଳି ଚିହ୍ନିବାକୁ କଷ୍ଟ ହୋଇଥାଏ । ଗାଈର ବୈଶିଷ୍ଟ୍ୟ ଅନୁସାରେ ନାଆଁ ଦେଇ ଅନେକ ଲୋକ ସହଜରେ ନିଜ ଗାଈ ଓ ବାଛୁରୀ ହଜିଗଲେ ଖୋଜି ବାହାର କରିଥାଆନ୍ତି । (ଯଥା–କାଳୀ, ଧଉଳୀ, ପାଟଳୀ ଇତ୍ୟାଦି) । ସେହିପରି ଶବ୍ଦ ବସ୍ତୁ ଓ ଅର୍ଥ ସହିତ ସଂଶ୍ଳିଷ୍ଟ ହୋଇଥିବାରୁ ଆମେ ସହଜରେ ମନେରଖୁ । ଶଦ୍ଦର ଅର୍ଥ ଜାଣି ନ ଥିଲେ ସେପରି ଶବ୍ଦ ମନେ ରଖିବାକୁ ବେଶୀ ସମୟ ଲାଗେ । ଏହିପରି ଭାବରେ ନୂଆ ଶିଖିଥିବା ବିଷୟକୁ ସଙ୍କେତ ସାହାଯ୍ୟରେ ମଧ୍ୟ ମନେରଖୁ (ବାଘ ନୀଶ ହଲାନା) ।

 

ଗବେଷଣା–କରି ଦେଖାଯାଇଛି ଯେ ଆମେ ଯାହା ଶିଖୁ ସେଥିରୁ ପ୍ରଥମ ଅଂଶଟି ଭଲରେ ମନେ ରହେ (Primary Effect), ଶେଷ ଅଂଶଟି ସଦା ଶିଖିଥିବା ହେତୁ ଭଲରେ ମନେ ରହେ (Recency Effect), ଶେଷ ମଝି ଅଂଶଟି ସବୁଠାରୁ ଶେଷରେ ମନେ ରହେ । ଏଥିଲାଗି ଯେଉଁମାନେ ସୁବକ୍ତା ସେମାନେ ପ୍ରଥମେ ନିଜ ବକ୍ତବ୍ୟର ମୂଳ ବିଷୟ କହନ୍ତି । ଶେଷରେ ପୂରା ବିଷୟଟାକୁ ସଂକ୍ଷେପରେ କହନ୍ତି ଓ ବକ୍ତୃତାର ମଝି ଅଂଶରେ ବିଭିନ୍ନ ଉଦାହରଣ ଦେଇ ମୂଳ କଥାଟାକୁ ବୁଝାଇ ଥାଆନ୍ତି । ଫଳରେ ଶ୍ରୋତାଙ୍କ ମନରେ ପୂରା ବିଷୟଟି ସହଜରେ ରହିଯାଏ । ପିଲାମାନେ ନୂଆ ଗଣି ଶିଖିଲାବେଳେ ମଧ୍ୟ ଦେଖାଯାଏ ଯେ ସେମାନେ ପ୍ରଥମେ ୧, ୨, ୧୦ ମନେ ରଖନ୍ତି ଓ ପରେ ମଝି ସଂଖ୍ୟା ମନେ ରଖନ୍ତି । ଶିକ୍ଷକମାନେ ହିନ୍ଦୀ ସଂସ୍କୃତ ବା ଇଂରାଜୀ ଭାଷାରୁ ନୂଆ ଶବ୍ଦ ପିଲାଙ୍କୁ ଶିଖାଇଲାବେଳେ ଏହି ବିଷୟଟି ପ୍ରତି ଧ୍ୟାନ ଦେଲେ ଭଲ ଫଳ ପାଇବେ ।

 

“ଶଦ୍ଦ ତାଲିକା କରି ଘୋଷାଇବା” ସହିତ “ଶଦ୍ଦ ବାକ୍ୟରେ ବ୍ୟବହାର କରି ଶିଖାଇବା” ଉପାୟର ତୁଳନା କରି ଦେଖାଯାଇଛି ଯେ ବାକ୍ୟରେ ବ୍ୟବହୃତ ଶବ୍ଦ ସହଜରେ ମନେ ରହେ । ଏପରି ହେବାର କାରଣ ହେଲା ଶବ୍ଦଟି ଗୋଟିଏ ନିର୍ଦ୍ଦିଷ୍ଟ ଭାବଧାରା ସହିତ ପ୍ରସଙ୍ଗ ସୂତ୍ରରେ ବାନ୍ଧି ହୋଇ ରହେ । ଯଥା–ଭକ୍ତି, ଚଉକୀ, ହ୍ରଦ, ପୂର୍ଣ୍ଣିମା, କଖାରୁ, ନାଳ, ଘୋଡ଼ା ଏଇ ସାତଟି ଶବ୍ଦ ମନେ ରଖିବାକୁ ଚେଷ୍ଟା କରନ୍ତୁ । ତା’ପରେ ସାତୋଟି ଶବ୍ଦରେ ତିଆରି ଏହି ବାକ୍ୟଟି ମନେ ରଖନ୍ତୁ–ଗୁରୁଜନଙ୍କ ପ୍ରତି ଯେଉଁ ଅନୁରାଗ ତାହାକୁ ଭକ୍ତି କୁହାଯାଏ । ଗୋଟିକିଆ ଶଦ୍ଦ ଅପେକ୍ଷା ବାକ୍ୟରେ ଗ୍ରଥିତ ହୋଇଥିବା ଶଦ୍ଦ ମନେ ରଖିବା ଯେପରି ସହଜ ସେହିପରି ସ୍ୱତନ୍ତ୍ର ବାକ୍ୟ ଅପେକ୍ଷା ଗୋଟାଏ ପ୍ରସଙ୍ଗରେ ସଂଶ୍ଳିଷ୍ଟ ଥିବା ବହୁ ବାକ୍ୟ ମନେ ରଖିବା ସହଜ । ଯଥା–“ବଜାର ଯାଉଛି, ମନେକରି ବାଇଗଣ ଆଣିବ । ଦରଜୀ ଆଜି ସରସ୍ୱତୀ ପୂଜାର ନୂଆ ଜାମା ଦେବ, ସେ କଥା ମନେ ରଖିବ । ଗାଆଁରୁ ଲୋକ ଖବର ଦେଇଛି ଗୁଡ଼ ଆଣି ଗଡ଼ଗଡ଼ିଆଠାରେ ରଖିଛି । ଗଲାବେଳେ ମୋଚିକି ଟିକେ ତାଗିଦା କରିଦେବ ଯେମିତି ଆଜି ସଂଧ୍ୟାରେ ଜୋତା ଫେରାଏ । ପୁଅର ପଢ଼ାଘର ଇଲେକଟ୍ରିକ୍ ବଲବ କାମ କରୁନି, ସେଥିରୁ ଗୋଟାଏ ଆଣିବ, ସବୁ କଥା ମନେ ରଖି କରିବ । ତୁମର ଯେଉଁ ଭୁଲା ମନ, ଅଧାବାଟରେ ସବୁ ଭୁଲିଯିବ ।” ଭଦ୍ରଲୋକ ଯଦି ଏତକ ନ ଲେଖି ବଜାର ଯାଆନ୍ତି ନିଶ୍ଚୟ ଏଥି ମଧ୍ୟରୁ ଯୋଡ଼ିଏ ତିନୋଟି ବିଷୟ ଭୁଲିଯାଇ ଘରଣୀଙ୍କ ଠାରୁ ଗାଳି ଖାଇବେ । ଅଥଚ ଏଇ ଭୁଲାମନ ଲୋକଟିକୁ ବାଟରେ ତାଙ୍କ ଶଳା ଭେଟି ଝିଅ ବାହାଘର କଥା ପଚାରିଲେ । ସେ କହିଲେ ଭା‍ଇ ତୁମେ ତ ନଥିଲ ମହାପ୍ରସାଦ ନିର୍ବନ୍ଧ ହୋଇଗଲା-। ବରର ବାପା ବରର ପିଲାଦିନ କଥା, ପାଠ ପଢ଼ିବା କଥା, ଚାକିରୀ ପାଇବା ଇତ୍ୟାଦି ବିଷୟରେ କ’ଣ କ’ଣ କହିଲେ ସେ ବିଷୟ ଆକ୍ଷରିକ ଭାବରେ ଭଦ୍ରଲୋକ ପୁନରାବୃତ୍ତି କରିଗଲେ । ଏଭଳି ଅନୁଭୂତି ଦେଇ ଆମେ ସମସ୍ତେ ଥରେ ଅଧେ ଯାଇଛୁ । ଏଭଳି ହେବାର କାରଣ ହେଲା ଅପ୍ରାସଙ୍ଗିକ ବାକ୍ୟ ଅପେକ୍ଷା ପ୍ରସଙ୍ଗବଦ୍ଧ ବାକ୍ୟ ସହଜରେ ମନେ ରହେ । ପ୍ରସଙ୍ଗବଦ୍ଧ ବାକ୍ୟଗୁଡ଼ିକ ଅଧିକ ଅର୍ଥପୂର୍ଣ୍ଣ । ପ୍ରସଙ୍ଗ ଅନୁସାରେ ମନର ଭାବଧାରା କ୍ରମାନ୍ୱୟରେ ଗ୍ରଥିତ ହୋଇ ରହୁଥିବାରୁ ଗୋଟାଏ ଭାବନାର ଖିଅ ଧରି ଆଉ ଗୋଟାଏ ଭାବନା ମନରେ ଉଦୟ ହୁଏ । ମିତ୍ରଲାଭ, ମିତ୍ର ଭେଦ, ଆରବ୍ୟ ରଜନୀ ଇତ୍ୟାଦିର କାହାଣୀ ସବୁ ଏହିପରି ଭାବ ସୂତ୍ରରେ ଗୁନ୍ଥା ହୋଇ ରହିଥିବାରୁ ମନେ ରଖିବାକୁ ସୁବିଧା ହୁଏ ।

 

ସ୍ମରଣ ଶକ୍ତି ବିଷୟରେ ଯେତେ ଗବେଷଣା ହେଉଛି ସେଥିରୁ ଜଣା ଯାଉଛି ଯେ ସାନ ପିଲାମାନେ ଧାରା ଅନୁସାରେ ମନେ ରଖିବାକୁ ଆପେ ଆପେ ଶିଖନ୍ତି ନାହିଁ । ସେମାନଙ୍କୁ ଶିଖାଇଲେ ଯାଇ ଶିଖନ୍ତି । ବିଭିନ୍ନ ଉପାୟରେ ଯେ ନିଜର ସ୍ମରଣ ଶକ୍ତି ବଢ଼ାଇ ହେବ ସେ ବିଷୟରେ ବହୁତ ପିଲା ସଚେତନ ନଥାନ୍ତି । ଅଥଚ ଯେଉଁମାନଙ୍କର ସ୍ମୃତିଶକ୍ତି ତୀକ୍ଷ୍‍ଣ ସେମାନେ ବିଭିନ୍ନ ଉପାୟ ବାହାର କରି ମନେ ରଖନ୍ତି । ଯଥା–

 

ଆସିଥିବ ଉଡ଼ି ଭ୍ରମେ ପଥ ହୁଡ଼ି

ସିନ୍ଧୁ ସଇକରେ ଶ୍ରୀକ୍ଷେତ୍ର ଧାମ ।

 

ଏହି ପଦଟି କେତେ ପିଲା ଥରେ ଶୁଣି ମନେ ରଖିଛନ୍ତି ଓ କେତେ ପିଲା ତିନି ଚାରିଥର ଶୁଣିଲା ପରେ ମନେ ରଖି ପାରୁଛନ୍ତି । ଯିଏ ଥରେ ଶୁଣି ମନେ ରଖୁଛି ତାକୁ ପଚାରିବାରୁ ସେ କହିଲା ଯେ, ଏହି ପଦଟି ଶୁଣିଲା ମାତ୍ରକେ ସେ କଳ୍ପନାରେ ଆଖି ଆଗରେ ସମୁଦ୍ରର ବିପୁଳ ନୀଳ ଜଳରାଶି ଦେଖିପାରିଲା, ସମୁଦ୍ର କୂଳର ଶ୍ଵେତ ଚମ୍ପା ରଙ୍ଗର ବେଳାଭୂମିରେ ପବନର ହିଲ୍ଲୋଳରେ ବାଲି ଉଡ଼ୁଥିବାର ଦେଖିଲା, ତା’ର ଦେହ ଥଣ୍ଡା ପବନରେ ଶୀତେଇ ଉଠିଲା ପରି ତାକୁ ଜଣାଗଲା-। ଯାହାର ସ୍ମୃତିଶକ୍ତି ସେତେ ଭଲ ନୁହେଁ ତା’କୁ ପଚାରି ଦେଖାଗଲା ଯେ ପଦଟି ଶୁଣି ତା’ ମନରେ କୌଣସି ଚିତ୍ର ରୂପ ଉଦୟ ହେଲା ନାହିଁ ।

 

ଯାହାର ସ୍ମୃତି ଶକ୍ତି ଦୁର୍ବଳ ସେପରି ପିଲାଙ୍କୁ ଚିତ୍ରରୂପ କଳ୍ପନା କରି ମନେ ରଖିବାକୁ ଶିଖାଇବାରୁ ଦେଖାଯାଉଛି ଯେ ସେମାନେ ଭଲ ମନେ ରଖି ପାରୁଛନ୍ତି । ଯାହାର ବାଟ ଘାଟ ମନେ ରହୁନାହିଁ ସେପରି ଲୋକ ନୂଆ ଜାଗାକୁ ବୁଲି ଆସିଲେ ପ୍ରାୟ ବାଟବଣା ହୁଅନ୍ତି । ମୌଖିକ ଭାବରେ ବାଟ ବତାଇଲେ ଶୁଣି ମନେ ରଖି ପାରନ୍ତି ନାହିଁ । ମାତ୍ର ଯଦି କାଗଜରେ ଗାର କାଟି ନିଜର ଅବସ୍ଥାନ ସ୍ଥଳରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ରାସ୍ତାଟି ଆଙ୍କି ଦିଆଯାଏ ତା’ହେଲେ ସେହି ଛବିଟିକୁ ତିନି ଚାରିଥର ଦେଖିଲା ପରେ ସେ ବାଟଟି ସହଜରେ ମନେ ରଖି ପାରନ୍ତି । ସାଧାରଣ ଲୋକେ ରାସ୍ତାର ଦୁଇପଟେ ଥିବା ଦୋକାନ ବଜାରକୁ ସନ୍ତକ ଚିହ୍ନି ହିସାବରେ ନେଇ ରାସ୍ତାଟା ମନେ ରଖିବାକୁ ଚେଷ୍ଟା କରନ୍ତି ।

 

ଏହିପରି ପିଲାଙ୍କୁ ବିଭିନ୍ନ ଫଳର ଛବି ଦେଖାଇ କୁହାଗଲା ପ୍ରତିଟି ଫଳକୁ ଦେଖି ତୁମେ ମନରେ ଗୋଟିଏ ଚିତ୍ର କଳ୍ପନା କର । ଛବିଟି ସେମାନେ କିଛିବେଳ ଦେଖିଲେ । ଦୁଇଦିନ ପରେ ସେହି ଛବିରେ ଯେଉଁ ଫଳଗୁଡ଼ିକର ଛବି ଦେଖିଥିଲେ ସେ ସବୁର ନାଆଁ ଲେଖ କହିବାରୁ ପିଲାମାନେ ନିର୍ଭୁଲ ଭାବରେ ସବୁ ଫଳର ନାଆଁ ମନେ ପକାଇ ଲେଖିଲେ । କେମିତି ମନେ ରଖିଲ ପଚାରିବାରୁ କହିଲେ ଯେ ଆଖିରୁ ଲେମ୍ବୁରସ ବୋହୁଛି, ସପୁରୀ ଢେଗା ଢେଗା ଆଖିରେ ଅନେଇଛି, ପଇଡ଼ର ଚୁଟୀ ବାହାରିଛି, ଏମିତି ସବୁ ଫଳକୁ ବିଭିନ୍ନ ଚିତ୍ରରୂପ ସହିତ ଯୋଡ଼ି ସେମାନେ ମନେ ରଖିଲେ । ଏଥିରୁ ବୁଝା ପଡ଼ୁଛି, ଶିଖିଥିବା ବିଷୟ ସହିତ କାଳ୍ପନିକ ଚିତ୍ର, ଧ୍ୱନି ବା ଅର୍ଥ ସଂଯୋଗ କରି ମନେ ରଖିବାକୁ ଚେଷ୍ଟା କଲେ ଭଲ ମନ ରହେ ।

 

ପିଲାମାନେ ସାନ ଥିଲାବେଳେ ମନେ ରଖିବା ବିଷୟରେ ନିଶ୍ଚେଷ୍ଟ ଥାଆନ୍ତି । ସେମାନଙ୍କ ଆଖି ଆଗରେ ସଂସାରର ବିଭିନ୍ନ ଘଟଣା ସିନେମାର ପର୍ଦ୍ଧାରେ ଭାସିଗଲା ପରି ଚାଲିଯାଏ । କିଛି ଵିଷୟ ମନରେ ରହେ ଓ କିଛି ବିଷୟ ମନରେ ରହେ ନାହିଁ । ସେମାନେ ଯେତେ ବଡ଼ ହୁଅନ୍ତି ସେତେ ମନେ ରଖିବାକୁ ସଚେଷ୍ଟ ହୁଅନ୍ତି । ଯେତେବେଳେ ସେମାନେ ସଚେଷ୍ଟ ହୋଇ ବିଭିନ୍ନ ପଦ୍ଧତି ଅନୁସାରେ ମନେ ରଖିବାକୁ ଶିଖନ୍ତି ସେତେବେଳେ ସେମାନଙ୍କ ସହିତ ବଡ଼ ମଣିଷଙ୍କର ବିଶେଷ ପ୍ରଭେଦ ରହେନାହିଁ । ମାତ୍ର ନିଜର ସ୍ମରଣ ଶକ୍ତି ଓ ସ୍ମରଣ କରିବା ପ୍ରକ୍ରିୟା ବିଷୟରେ ଅନେକେ ସଚେତନ ନୁହନ୍ତି । ଏହା ଲକ୍ଷ୍ୟ କରି ବହୁ ମନୋବିଜ୍ଞାନୀ ପିଲାମାନେ ନିଜ ସ୍ମରଣଶକ୍ତି ବିଷୟରେ କ’ଣ ଜାଣନ୍ତି ସେ କଥା ଜାଣିବାକୁ ଚେଷ୍ଟା କରୁଛନ୍ତି । ଯଥା–ପିଲାମାନେ କ’ଣ ଜାଣନ୍ତି ଯେ ଶବ୍ଦଗୁଡ଼ିକ ଏକା ପ୍ରକାର ଦେଖାଗଲେ ମନେ ରଖିବା ସହଜ ? ଯେମିତି–ଭକ୍ତି, ମୁକ୍ତି, ଶୁକ୍ତି, ଉକ୍ତି ଇତ୍ୟାଦି । ସେମାନେ କ’ଣ ଜାଣନ୍ତି ଯେ ସମ୍ପର୍କହୀନ ଶଦ୍ଦ ମଧ୍ୟରେ ସମ୍ପର୍କ ସ୍ଥାପନ କଲେ ମନେରଖିବା ସହଜ ହୁଏ ? ଯେମିତି “ନଖୀ, ଶୃଙ୍ଗୀ, ଦନ୍ତୀ, ଶସ୍ତ୍ରଧାରୀ, ସ୍ତ୍ରୀଲୋକ ଓ ରାଜକର୍ମଚାରୀଙ୍କୁ ବିଶ୍ଵାସ କରିବା ଉଚିତ୍ ନୁହେ” (ଚାଣକ୍ୟ ନୀତି) । ଗବେଷଣା କରି ଦେଖା ଯାଉଛି ଯେ ପ୍ରାୟ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ନିଶ୍ଚେଷ୍ଟ ଭାବରେ ମନେ ରଖନ୍ତି । ଯେଉଁମାନଙ୍କର ସ୍ମୃତି ଶକ୍ତି ଦୁର୍ବଳ ସେମାନେ ମନେ ରଖିବାର ପଦ୍ଧତି ଜାଣିଥିଲେ ମଧ୍ୟ କୌଣସି ବିଶେଷ ଉପାୟରେ ମନେ ରଖିବାକୁ ଚେଷ୍ଟା କରନ୍ତି ନାହିଁ । ତେଣୁ କ’ଣ କଲେ ସ୍ମରଣ ଶକ୍ତି ବଢ଼ିବ ସେ ବିଷୟରେ ଏମାନଙ୍କୁ ଶିକ୍ଷାଦେଲେ ଏମାନଙ୍କର ସ୍ମୃତିଶକ୍ତି ତୀକ୍ଷ୍ ଣ ହେବ ।

 

ନିଜର ସ୍ମରଣ କରିବାର ପ୍ରକ୍ରିୟା ବିଷୟକ ଜ୍ଞାନକ Meta memory ବା ମହାସ୍ମୃତି କୁହାଯାଏ । ଏ ବିଷୟରେ ବିଦେଶରେ ବହୁ ଗବେଷଣା ହେଉଥିଲେ ମଧ୍ୟ ଆମ ଦେଶରେ ଏ ବିଷୟରେ ବିଶେଷ କିଛି ଗବେଷଣା ହୋଇନାହିଁ । ଶିକ୍ଷିତ ଓ ଅଶିକ୍ଷିତ ଲୋକଙ୍କର ମନେ ରଖିବା ଉପାୟରେ କ’ଣ ପ୍ରଭେଦ ଅଛି ଆମେ ଜାଣୁନା । ପିଲାଙ୍କ ଭିତରେ ମଧ୍ୟ ଯିଏ ପିଲାଦିନୁ ବିଭିନ୍ନ ବିଷୟ ମନେ ରଖିବାରେ ତାଲିମ ପାଇଛି ଓ ଯିଏ ଅପାଠୁଆ ଘରୁ ଆସିଥିବା ଯେଗୁ ତାଲିମ ପାଇନାହିଁ ସେମାନଙ୍କୁ ସ୍କୁଲରେ ଏକା ଉପାୟରେ ଶିଖାଯାଉଛି । ଯଦି ଅପାଠୁଆ ଘରୁ ଆସିଥିବା ପିଲାଙ୍କର ପାଠ ମନେ ରଖିବାକୁ କଷ୍ଟ ହେଉଛି, ତାହେଲେ ପାଠ ପଢ଼ାଇବା ପୂର୍ବରୁ ସେମାନଙ୍କୁ ଭଲ ମନେ ରଖିବା ଲାଗି ତାଲିମ ଦେବା ଆବଶ୍ୟକ । ସେମାନଙ୍କର ପର୍ଯ୍ୟବେକ୍ଷଣ ଶକ୍ତି ବଢ଼ାଇବା ଆବଶ୍ୟକ । ନଚେତ୍ ସେମାନେ ପାଠ ପଢ଼ାରେ ପଛେଇ ଯିବେ । କେବଳ ସେମାନଙ୍କ ମଧ୍ୟରୁ କାଁ ଭାଁ ଜଣେ ଦୁଇଜଣ ଶିକ୍ଷାର ପୂର୍ଣ୍ଣ ସୁଯୋଗ ନେବାକୁ ସମର୍ଥ ହେବେ ।

 

ବିଦ୍ୟାରମ୍ଭ :

 

ପିଲା ନିଜର ଦୈନନ୍ଦିନ ଜୀବନରେ ବିଭନ୍ନ ବିଷୟ ଯେଉଁ ଉପାୟରେ ଶିଖେ, ବିଦ୍ୟାଳୟରେ ସେହି ଉପାୟରେ ତା’କୁ ପାଠ ଶିଖାଯାଏ ନାହିଁ । ବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଳ୍ପ ସମୟ ଭିତରେ ବହୁତ ଗୁଡ଼ାଏ ପାଠ ଗଦାଏ ପିଲାଙ୍କୁ ଏକାଠି କରି ପଢ଼ାଇବା । ପାଠ ବୁଝି ଶିଖିଲା ପରି ମାନସିକ କ୍ଷମତା ପିଲାର ଅଛି କି ନାହିଁ ସେ କଥା କେହି ବିଚାର କରନ୍ତି ନାହିଁ । ଫଳରେ ଅଳ୍ପ କେତେକ ପିଲା ଘରେ ପାଠପଢ଼ାରେ ଅନ୍ୟମାନଙ୍କର ସାହାଯ୍ୟ ପାଇ ଭଲ ପଢ଼ନ୍ତି । ଅଧିକାଂଶ ପିଲା ବୁଝି ନଥିବା ପାଠକୁ ଘୋଷି ପ‍ରୀକ୍ଷା ପାସ୍ କରନ୍ତି, କିମ୍ବା ପରୀକ୍ଷାରେ କପିକରି ପାସ୍ କରନ୍ତି ।

 

ଯେଉଁ ପିଲାଙ୍କର ମାନସିକ କ୍ଷମତା ରହିଛି ସେମାନେ ମଧ୍ୟ ସ୍କୁଲ୍ ଯିବା ଆରମ୍ଭରୁ ହଠାତ୍ ଗୁଡ଼ାଏ ଜିନିଷ ପଢ଼ି ଆୟତ୍ତ କରିବାକୁ ପଡ଼ିବାରୁ ବ୍ୟସ୍ତ ହୋଇଯାଆନ୍ତି । କାରଣ ସାତ ଆଠ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କର ସ୍ଵଭାବ ଚଞ୍ଚଳ ଥାଏ । ସେମାନେ ଗୋଟାଏ ବିଷୟ ବହୁତ ବେଳ ପର୍ଯ୍ୟନ୍ତ ମନଦେଇ ପଢ଼ିପାରନ୍ତି ନାହିଁ । ଦ୍ୱିତୀୟରେ ପିଲା ସ୍କୁଲ ପାଠ ଛଡ଼ା ଅନ୍ୟାନ୍ୟ ବିଷୟ ନ ଶିଖିଲେ ମାନସିକ ଜୀବନରେ ବହୁ ବିଡ଼ମ୍ବନାର ସମ୍ମୁଖୀନ ହେବେ; ମାତ୍ର ସ୍କୁଲରେ ପ୍ରତିଦିନ ପିଲାକୁ ଘରେ ଅଭ୍ୟାସ କରିବାପାଇଁ ଏତେ ପାଠ ଦିଆଯାଏ ଯେ, ଖେଳାଖେଳି ପାଇଁ ତାର ସମୟ ରହେନାହିଁ । ଅନ୍ୟ ବୟସ୍କ ଲୋକଙ୍କ ସହିତ ମିଶିବା ଲାଗି ପିଲାଙ୍କୁ ବହୁତ କମ୍ ସମୟ ମିଳେ । ଫଳରେ ସେମାନେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରି ନିଜର ଚିନ୍ତା ଓ ଭାବନାକୁ ମାର୍ଜିତ କରିବାର ସୁଯୋଗ ପାଆନ୍ତି ନାହିଁ । ସଙ୍ଗୀତ ବା ଅନ୍ୟାନ୍ୟ କଳାବିଦ୍ୟା ଆୟତ୍ତ କରିବାକୁ ସମୟ ନଥାଏ । ବାହାରର ଅନ୍ୟାନ୍ୟ ବହିପତ୍ର, ଖବର କାଗଜ ବା ପତ୍ରପତ୍ରିକା ପଢ଼ନ୍ତି ନାହିଁ । ସେମାନଙ୍କର ସମସ୍ତ ଜ୍ଞାନର ଏକମାତ୍ର ଉତ୍ପତ୍ତି ସ୍ଥଳ ହେଲା ସ୍କୁଲ ପାଠ୍ୟ ଓ ଶିକ୍ଷକଙ୍କର ବକ୍ତୃତା । ଏପରି ଅବସ୍ଥାରେ ପିଲାର ଶିକ୍ଷା ଏକବାଗିଆ ହୋଇଯାଏ । ଯଦି ନିଜ ପାଠ୍ୟପୁସ୍ତକରେ କୌଣସି ଭୁଲ ତଥ୍ୟ ଥାଏ, ସେମାନେ ସେହି ଭୁଲକୁ ଠିକ୍ ଭାବି ଶିଖନ୍ତି । ଆଉ ଗୋଟିଏ ବହିରେ ଏ ବିଷୟରେ କ’ଣ ଲେଖା ହୋଇଛି ତାହା ଜାଣିବାକୁ କୌତୂହଳୀ ହୁଅନ୍ତି ନାହିଁ । ମୋର ଜଣେ ଆତ୍ମୀୟା ଷଷ୍ଠ ଶ୍ରେଣୀରେ ଓଡ଼ିଆ କବିତାଟିଏ ପଢ଼ୁଥିଲା । କବିତାର ବିଭିନ୍ନ ଶଦ୍ଦର ଅର୍ଥ ମଧ୍ୟ ପିଲାଙ୍କୁ କୁହାଯାଇଥିଲା-ଯଥା ‘ସବ୍ୟସାଚୀ’ ହେଲେ ଇନ୍ଦ୍ର; ‘ସିକତା’ର ଅର୍ଥ ବାଲି । ଏହିଭଳି ବହୁ ତଥ୍ୟ ଶିକ୍ଷୟିତ୍ରୀ ତାକୁ ସ୍କୁଲରେ କହିଥିଲେ । ତାକୁ ଘରେ ଓଡ଼ିଆ ଅଭିଧାନ ଦେଖାଇ ଏହି ଶବ୍ଦଗୁଡ଼ିକର ପ୍ରକୃତ ଅର୍ଥ ଦେଖାଇଲା ପରେ ସେ କହିଲା-ଅଭିଧାନ ଅନୁସାରେ ଆମେ ପଢ଼ୁନା । ଯାହା ଶିକ୍ଷୟତ୍ରୀ କହିଛନ୍ତି ସେ କଥା ନ ଲେଖିଲେ ମୁଁ କମ୍ ନମ୍ବର ପାଇବି । ଅଲଗା ବହିରେ କ’ଣ ଲେଖା ହୋଇଛି, ସେଥିରୁ ମୋତେ କ’ଣ ମିଳିବ ?

 

ଏହି ପ୍ରକାର ମନୋଭାବକୁ “ଭଲ ଭାବରେ ପରୀକ୍ଷା ପାସ୍ କରିବାର ମନୋଭାବ” ବୋଲି କୁହାଯାଏ । ଚିନ୍ତାର ଉତ୍କର୍ଷତା, କଳ୍ପନାର ସୃଜନଶୀଳତା ବା କାରିଗରୀରେ ଦକ୍ଷତା ଏ ମଧ୍ୟରୁ କୌଣସି ଗୁଣ ଆୟତ୍ତ ନ କରି କେବଳ ପରୀକ୍ଷା ପାସ୍ କରିବା ସ୍କୁଲ ପାଠର ମୁଖ୍ୟ ଉଦ୍ଦେଶ୍ୟ ହୋଇଛି । ଫଳରେ ବିଭିନ୍ନ ଚାକିରିରେ ଶିକ୍ଷିତ ଲୋକଙ୍କର ସଂଖ୍ୟା ବଢ଼ିଲେ ମଧ୍ୟ କର୍ମଦକ୍ଷତା ବଢ଼ୁନାହିଁ । ଆମେ ଯଦି ଆମ ପିଲାଙ୍କୁ ଯୋଗ୍ୟ କରି ନ ବଢ଼େଇବା, ତେବେ ସେମାନେ ଡିଗ୍ରୀ କାଗଜ ଖଣ୍ତକ ଧରି ବୁଲିବେ ସିନା, କୌଣସି କାମକୁ ଯୋଗ୍ୟ ହେବେ ନାହିଁ ।

 

ଏ ପର୍ଯ୍ୟନ୍ତ ଆମ ଶିକ୍ଷାରେ ତଥ୍ୟଜ୍ଞାନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଚିନ୍ତା କରିବା କ୍ଷମତା ଉପରେ ଆମେ ପ୍ରାୟ ସେତେ ନିର୍ଭର କରୁନାହୁଁ । ତଥ୍ୟଜ୍ଞାନର ଉଦାହରଣ ହେଲା କେତେ ମସିହାରେ କଲିକତା ସହର ସ୍ଥାପନ ହୋଇଥିଲା ? କିଏ ପ୍ରଥମେ ଜାହାଜରେ ପୃଥିବୀ ପ୍ରଦକ୍ଷଣ କରିଥିଲେ ? ମାଇକେଲ୍ ଫାରାଡ଼େ କ’ଣ ଆବିଷ୍କାର କରିଥିଲେ ? ଉପେନ୍ଦ୍ରଭଞ୍ଜ ସର୍ବମୋଟ କେତେଖଣ୍ଡ ବହି ଲେଖିଥିଲେ ? ଏପରି ଶିଖିବା ଫଳରେ ଏ ପର୍ଯ୍ୟନ୍ତ କୌଣସି ଅସୁବିଧା ହେଉ ନଥିଲା, କାରଣ ପିଲା ଏଭଳି ବିଭିନ୍ନ ବିଷୟ କଣ୍ଠସ୍ଥ କରି ପରୀକ୍ଷା ପାସ୍ କରୁଥିଲେ ଓ ପରୀକ୍ଷା ପରେ ଯେଉଁ ପ୍ରକାର ଚାକିରୀ କରୁଥିଲେ ସେଥିରେ ମଧ୍ୟ ଭାବିବା ଓ ଚିନ୍ତା କରିବାର ବିଶେଷ ଦରକାର ପଡ଼ୁ ନଥିଲା, କିମ୍ବା ବିଶେଷ ନୂଆ କଥା ଶିଖିବାକୁ ପଡ଼ୁନଥିଲା । କିନ୍ତୁ ସମାଜ ବଦଳିଲାଣି, ଦେଶ ଆଗେଇ ଚାଲିଛି ।

 

ବର୍ତ୍ତମାନ ଆମ ସମାଜ ବିରାଟ ପରିବର୍ତ୍ତନ ମଧ୍ୟ ଦେଇ ଯାଉଛି ଓ ପୃଥିବୀର ଅନ୍ୟାନ୍ୟ ଦେଶ ପରି କ୍ରମଶଃ ଶିଳ୍ପସମୃଦ୍ଧ ହୋଇଉଠୁଛି । ଶିଳ୍ପ କ୍ଷେତ୍ରରେ ନିତି ନୂତନ ଆବିଷ୍କାର ହେବା ଫଳରେ ଶିଳ୍ପ ବିଷୟକ ତଥ୍ୟ ଜ୍ଞାନରେ ମଧ୍ୟ ଆମୁଳ ପରିବର୍ତ୍ତନ ଘଟୁଛି । ଉଦାହରଣ ସ୍ଵରୂପ ଆମ ପିଲାଦିନେ ରେଡ଼ିଓ ଯେମିତି ତିଆରି ହେଉଥିଲା, ବର୍ତ୍ତମାନର ଟ୍ରାନଜିଷ୍ଟିର ରେଡ଼ିଓ ତା’ଠାରୁ ଅଲଗା ଭାବରେ ତିଆରି ହେଉଛି । କଂପ୍ୟୁଟର, ଟେଲିଭିଜନ୍ ଇତ୍ୟାଦି ଏବକାର ଯନ୍ତ୍ରପାତି ଅଥଚ ପୁରୁଣା ମଡ଼େଲର କଂପ୍ୟୁଟର ଓ ନୂଆ ମଡ଼େଲ୍ କଂପ୍ୟୁଟର ତିଆରିରେ ବହୁ ପ୍ରଭେଦ ରହିଛି । ଚିକିତ୍ସା ବିଜ୍ଞାନ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଲାଗି ରହିଛି । ଫଳରେ ଯିଏ ପୁରୁଣା ତଥ୍ୟ ଭୁଲିଯାଇ ସହଜରେ ନୂଆ ତଥ୍ୟ ଶିଖିପାରୁଛି, ସେପରି ଲୋକ ଭବିଷ୍ୟତରେ ଉନ୍ନତି କରିବ । ନୂଆ ବିଷୟ ଶିଖିବାରେ ଯାହାର ଆଗ୍ରହ ସେ ଅଧିକ ଦକ୍ଷତା ଅର୍ଜନ କରିବ । ଯେଉଁ ଡାକ୍ତର ମେଡ଼ିକାଲ କଲେଜରେ ଛାତ୍ରାବସ୍ଥାରେ ପଢ଼ିଥିବା ପାଠ ଭୁଲିଯାଇ ନୂତନ ଗବେଷଣାଲବଧ ତଥ୍ୟ ଶୀଘ୍ର ଶିଖିପାରିବେ ସେ ସେତେ ଭଲ ଡାକ୍ତର ହେବେ । ଯେଉଁ ଡାକ୍ତର ଔଷଧ ସହିତ ଆସିଥିବା ଔଷଧ କମ୍ପାନୀର ନିର୍ଦ୍ଦେଶପତ୍ର ଅନୁସାରେ ଔଷଧ ନ ଦେଇ ରୋଗୀର ଦେହ ଓ ମନ ଉପରେ ଏହାର ସୁଦୂର ପ୍ରସାରୀ ଫଳ କ’ଣ ହେବ ଭାବି ଔଷଧ ଦେବେ, ସେ ଭଲ ଡାକ୍ତର ହେବେ । ନଚେତ୍ ସେ ଯଦି ଚିନ୍ତା ନ କରି, ନ ଭାବି, ରୋଗୀର ଅତୀତ ଇତିହାସ ନ ଜାଣି ତାକୁ ଗୁଡ଼ାଏ ଔଷଧ ଖୁଆନ୍ତି, ତା’ହେଲେ ଏପରି ଅବସ୍ଥା ହେବ ଯେ ଔଷଧ ଆଉ କାଟୁ କରିବ ନାହିଁ କିମ୍ବା ଗୋଟାଏ ରୋଗ ଭଲ ହେବ ଅଥଚ ଔଷଧ ଖାଇ ଆଉ ଗୋଟାଏ ବଡ଼ ରୋଗ ହେବ । ଯଥା-ମୁଣ୍ଡବିନ୍ଧା ବା ଅଣ୍ଟାବିନ୍ଧା ପାଇଁ ଗୁଡ଼ାଏ ଏସିପିରିନ୍ ପରି ଔଷଧ ଖାଇବାରୁ ବିନ୍ଧା ଭଲ ହୋଇଯାଉଛି ସତ; ମାତ୍ର ପେଟି ଭିତରେ ରକ୍ତସ୍ରାବ ହୋଇ ରୋଗୀ ବେଶୀ ଅସୁସ୍ଥ ହୋଇପଡ଼ୁଛି । ଏଇଥିଲାଗି ବିଭିନ୍ନ ତଥ୍ୟ କଣ୍ଠସ୍ଥ କରି ଦୀର୍ଘକାଳ ମନେରଖିବା ଅପେକ୍ଷା ନୂତନ ତଥ୍ୟ ଅଳ୍ପ ସମୟରେ ଶିଖି ପାରିବାର କ୍ଷମତା ଆୟତ୍ତ କଲେ ଭଲ ହେବ । ସେହିପରି ଯାନ୍ତ୍ରିକ ଭାବରେ ଗତାନୁଗତିକ ଧାରାରେ କାମ ନ କରି ଭାବିଚିନ୍ତି କାମ କଲେ ଦକ୍ଷତା ବଢ଼ିବ ।

 

କାହିଁକି ଆମ ଦେଶରେ ପିଲା ଘୋଷିକରି ଶିଖୁଛନ୍ତି ସେ ବିଷୟ ଜାଣିଲେ ଶିଖିବାର ଉପାୟ ବଦଳେଇ ହେବ । ନଚେତ୍ “ଘୋଷିକରି ଶିଖିବା ଭଲ ନୁହେଁ” କହି ଯେତେ ଉପଦେଶ ଦେଲେ ମଧ୍ୟ ଏ ଅବସ୍ଥାର ପରିବର୍ତ୍ତନ ହେବ ନାହିଁ ।

 

ମଫସଲ ସ୍କୁଲରେ ପିଲାଙ୍କର ବହି ନାହିଁ, ଲାଇବ୍ରେରୀ ନାହିଁ, ମାନଚିତ୍ର ବା ଗ୍ଲୋବ ନାହିଁ, ବିଜ୍ଞାନାଗାର ନାହିଁ । ତେଣୁ ଏସବୁ ବିଷୟ ମାଷ୍ଟ୍ରଙ୍କ ନୋଟ୍ ଖାତା ଘୋଷି ଶିଖିବା ଛଡ଼ା ଅନ୍ୟ ଉପାୟ ସେମାନେ ଜାଣି ନାହାନ୍ତି । ସ୍କୁଲର ସ୍ଥିତି ପିଲାଙ୍କ ପରୀକ୍ଷା ଫଳ ଉପରେ ନିର୍ଭର କରେ ବୋଲି ଶିକ୍ଷକ ମଧ୍ୟ ପିଲାଙ୍କୁ ଭଲ କରି ଘୋଷେଇ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ କରାନ୍ତି । ପିଲାମାନେ ଓଡ଼ିଆ ଓ ଇଂରାଜୀ ରଚନା ସବୁ ଘୋଷି ଦିଅନ୍ତି । କୌଣସି ଇଂରାଜୀ ଶବ୍ଦର ଅର୍ଥ ନ ଜାଣି ଆଠଟି ଇଂରାଜୀ କବିତା ଓ ସେଥିରୁ ଯେଉଁ ବ୍ୟାଖ୍ୟା କରିବାକୁ ଦିଆଯାଏ ସେସବୁ ଘୋଷି ଦିଅନ୍ତି–କୌଣସି, ଇଂରାଜୀ ଶବ୍ଦର ଅର୍ଥ ନ ଜାଣି ଏଭଳି କଲେ ଇଂରାଜୀରେ ଦକ୍ଷତା ଜମା ବଢ଼େ ନାହିଁ । ଏହି ପରିସ୍ଥିତିର ସଂଶୋଧନ ନ ହେବା ପର୍ଯ୍ୟନ୍ତ ଯେତେ ତାଲିମପ୍ରାପ୍ତ ଶିକ୍ଷକ ସେସବୁ ସ୍କୁଲକୁ ପଠାଗଲେ ମଧ୍ୟ ପିଲାଙ୍କର ଅବସ୍ଥା ବଦଳିବ ନାହିଁ ।

 

ସହରିଆ ସ୍କୁଲରେ ଲାଇବ୍ରେରୀ ଅଛି; ମାତ୍ର ପିଲା କାଁ ଭାଁ ବ୍ୟବହାର କରନ୍ତି । ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି ମାତ୍ର ପିଲାଙ୍କୁ ପଢ଼ାଇଲା ବେଳେ ପୁରୁଣା ଢଙ୍ଗରେ ପଢ଼ାନ୍ତି । ବିଜ୍ଞାନାଗାର ରହିଛି; ମାତ୍ର ପିଲା ଘୋଷିକରି ବେଙ୍ଗର ଅଙ୍ଗପ୍ରତ୍ୟଙ୍ଗ ଶିଖିଲା ପରେ ଅଙ୍ଗ ବ୍ୟବଚ୍ଛେଦ କରି ଶିଖନ୍ତି । ମେସିନର ଯତ୍ରପାତି, କଳକବଜା ସବୁ ଘୋଷିକରି ମନେରଖିଲା ପରେ ଆଖିରେ ମେସିନ୍‌ର ଭିତରପଟ ଦେଖନ୍ତି । ଏପରି ଭାବରେ ପଢ଼ାଇବା ଯେ ଅର୍ଥହୀନ ଏ କଥା କାହା ମନକୁ ଆସେନାହିଁ । ବରଂ ଆମେ ଗର୍ବକରି କହୁ ଆମ ପିଲାଙ୍କର ପ୍ରାକ୍‌ଟିକାଲ ଜ୍ଞାନ ଟିକେ କମ୍ ହୋଇପାରେ, କିନ୍ତୁ ଥିଓରିଟୀକାଲ୍ ଜ୍ଞାନ ବହୁତ । ଏଠାରେ ଥିଓରିଟୀକାଲ୍ ଜ୍ଞାନର ଅର୍ଥ କୌଣସି ବିଶେଷ ଚିନ୍ତାଧାରା ବିଷୟରେ ଜ୍ଞାନ ନୁହେଁ । ଏହାର ଅର୍ଥ ହେଲା ଯେ ମନୋବିଜ୍ଞାନର ଛାତ୍ର କଦାପି ମଣିଷର ମସ୍ତିଷ୍କ ନ ଦେଖି ମସ୍ତିଷ୍କର ଅନ୍ଧି ସନ୍ଧିରେ କ’ଣ ଅଛି ସେ କଥା ଅନର୍ଗଳ କହିଯିବ । ପ୍ରାକଟିକାଲ ଜ୍ଞାନ ଟିକେ କମ୍ ଏ କଥାର ଅର୍ଥ ହେଲା ଆଖିରେ ଦେଖିଲେ ମସ୍ତିଷ୍କର କେଉଁଟା ଉପର ଭାଗ ଓ କେଉଁଟା ତଳ ଭାଗ ସେ କଥା କହିପାରିବ ନାହିଁ । ଖୋଜିଲେ ଅନ୍ୟାନ୍ୟ କ୍ଷେତ୍ରରେ ଏପରି ବହୁ ଉଦାହରଣ ମିଳିବ ।

 

ଏପରି ହେବାର କାରଣ ହେଲା ଆମେ ଆଖିରେ ଦେଖି, ହାତରେ ଧରି, ବସ୍ତୁର ବାହାର ଭିତର ଚାରିଆଡ଼ ପରୀକ୍ଷା କରି ଜିନିଷଟି କ’ଣ ତାହା ଜାଣିବା ଅପେକ୍ଷା, କଥାରେ ବସ୍ତୁର ବର୍ଣ୍ଣନା ଶୁଣି ଶିଖୁଛୁ; ମାତ୍ର ଶବ୍ଦ ବା କଥା ହେଲା ବସ୍ତୁର ପ୍ରତୀକ । ଯେଉଁ ବିଷୟରେ ବାସ୍ତବ ଅଭିଜ୍ଞତା ନାହିଁ କଥା ମାଧ୍ୟମରେ ସେ ବିଷୟରେ ବାସ୍ତବ ଜ୍ଞାନ ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟ । ମନେ କରନ୍ତୁ–ଭୁବନେଶ୍ଵରରେ ହସ୍ତଶିଳ୍ପ ପ୍ରଦର୍ଶନୀ ହେବ । ଏହି ଉପଲକ୍ଷରେ ନୂଆପାଟଣାରୁ ପାଟବୁଣା ହାତତନ୍ତଟିଏ ଆସି ପ୍ରଦର୍ଶିତ ହେବ ବୋଲି ସ୍ଥିର ହେଲା । ତନ୍ତଟିକୁ ଖୋଲି ଟ୍ରକରେ ବୁହାଇ ଭୁବନେଶ୍ଵର ଆଣିଲେ । ମାତ୍ର ତନ୍ତ କାରିଗରର ଦେହ ଖରାପ ହେତୁ ସେ ଆସିଲେ ନାହିଁ । ତନ୍ତଟିକୁ କେମିତି ଯୋଡ଼ିବେ, ସେ ବିଷୟରେ କାରିଗର ଖଣ୍ତେ କାଗଜରେ ନିର୍ଦ୍ଦେଶ ଲେଖି ସାଙ୍ଗରେ ଦେଲେ । ଯିଏ କେବେ ତନ୍ତ ଦେଖିନାହିଁ ଏହି ନିର୍ଦ୍ଦେଶ ପଢ଼ି ତାକୁ ତନ୍ତର ବିଭିନ୍ନ ଅଂଶ ଯୋଡ଼ିବାକୁ କହିଲେ ସେ ତନ୍ତ ଯୋଡ଼ିପାରିବ ନାହିଁ । ଜଣେ ଅନଭିଜ୍ଞ ମାତ୍ର ବୁଦ୍ଧିମାନ ମେକାନିକାଲ ଇଜ୍ଞିନିୟରଙ୍କୁ ଡାକି ନିର୍ଦ୍ଦେଶ ପଢ଼ି ତନ୍ତ ସଜାଡ଼ିବାକୁ କହିଲେ ସେ ଯେତିକି ସମୟରେ ସେ କାମ କରିବେ, ଜଣେ ତନ୍ତ କାରିଗର (ଯିଏ ଏଭଳି ତନ୍ତ ସଜାଡ଼ିଛି) ତା’ଠାରୁ ଖୁବ୍ କମ୍ ସମୟରେ ସେ କାମ କରିପାରିବ । ଏପରି ହେବାର କାରଣ ହେଉଛି, ଆଖିରେ ଦେଖି ହାତରେ କରି କାମ ଶିଖିବା ସହଜ । ଦୈନନ୍ଦିନ ଜୀବନରେ ଆମେ ଦେଖୁ ଯେ, ପଲଉ କେମିତି ରାନ୍ଧିବ ସେ ବିଷୟ ମୁହଁରେ ଯେତେ ବୁଝାଇ କହିଲେ ମଧ୍ୟ, କଥା ଶୁଣି ବା ବହି ପଢ଼ି ଠିକ୍ ରାନ୍ଧିବାକୁ ସମୟ ଲାଗେ । ରାନ୍ଧିକରି ଦେଖାଇ ଦେଲେ ଅଧିକାଂଶ ଲୋକ ଥରକରେ ଶିଖିଯାଆନ୍ତି-। ମନେରଖିବା କଥା ଯେ କଥା ମାଧ୍ୟମରେ ଯେଉଁ ବିଷୟ ଜାଣୁ, ତାହା ପରୋକ୍ଷ ଭାବରେ ଜାଣୁ । ଶବ୍ଦ ବସ୍ତୁର ପ୍ରତୀକ ମାତ୍ର । ତେଣୁ ଅଙ୍ଗ ନିଭେଇ ଜାଣିବା ଓ କଥାରେ ବର୍ଣ୍ଣନା ଶୁଣି ଜାଣିବା ଏ ଦୁଇ ପ୍ରକାର ଜାଣିବା ଭିତରେ ଯଥେଷ୍ଟ ପ୍ରଭେଦ ରହିଥାଏ । ବିଶେଷ କରି ପିଲାମାନଙ୍କର ପ୍ରତୀକ (Symbol) ସାହାଯ୍ୟରେ ଜାଣିବା କ୍ଷମତା କମ୍ ଥାଏ । ବସ୍ତୁ ବା ବାସ୍ତବ ଅଭିଜ୍ଞତାକୁ ନାଆଁ ଦେଇ ସେ ଶବ୍ଦ ତିଆରି କରେ ଓ ଏହିଭଳି ନାଆଁରୁ (ଶବ୍ଦରୁ) ବସ୍ତୁଟା କ’ଣ ସେ କଥା ଅନୁମାନ କରେ । ଯଥା-ଦୁଧ ପିଇବାକୁ ମିଠା ଲାଗୁଛି, ଚିନି ମିଠା ଲାଗୁଛି, କଥା ମିଠା ଲାଗୁଛି ଶୁଣିବାକୁ, ରସଗୋଲା, ଜଲବୀ ଏସବୁ ମଧ୍ୟ ମିଠା ଲାଗୁଛି, କଥା ମିଠା ଲାଗୁଛି ଶୁଣିବାକୁ, ରସଗୋଲା, ଜଲବୀ ଏସବୁ ମଧ୍ୟ ମିଠା ଲାଗୁଛି–ତେଣୁ ମିଠା ଶବ୍ଦର ଅର୍ଥ କ’ଣ ? ମିଠା ଶଦ୍ଦର ପ୍ରକୃତ ବ୍ୟାପକ ଅର୍ଥ ବୁଝିବା ଲାଗି ତାକୁ ବିଭିନ୍ନ ମିଠାର ଅଭିଜ୍ଞତା ଭିତର ଦେଇ ବହୁବାର ଯିବାକୁ ପଡ଼ିବ । ତା’ପରେ ଯାଇ ସେ ମିଠା ଶବ୍ଦଟି ଶୁଣି କଳ୍ପନାରେ ମିଠାର ଆସ୍ୱାଦନ ଅନୁଭବ କରିପାରିବ । ଏହି କାରଣ ଲାଗି ଯେ କୌଣସି ନୂଆ ବିଷୟ ପଢ଼େଇଲାବେଳେ କଥାରେ ବୁଝାଇବାକୁ ଚେଷ୍ଟା ନ କରି ପ୍ରକୃତ ବସ୍ତୁ ଛବି ବା ଚିତ୍ର ସାହାଯ୍ୟରେ ବୁଝାଇବା ବେଶୀ ଦରକାର । ବିଶେଷ କରି ପିଲାଙ୍କୁ ବିଜ୍ଞାନ ଭୂଗୋଳ ବା ଯନ୍ତ୍ରପାତିର କାମ ଶିଖାଇଲା ବେଳେ ଭଙ୍ଗା ଯନ୍ତ୍ରପାତି ବା ମଡ଼େଲ୍ ସାହାଯ୍ୟରେ ଶିଖାଇବା କଥା । ପୁରୁଣା ହାତଘଡ଼ି, ରେଡ଼ିଓ ଅଚଳ ପାଣିପମ୍ପ ବା ଧାନକୁଟା ହଲାର୍ ମେସିନ୍‌ର ବିଭିନ୍ନ ଅଂଶ ଖୋଲି, ଭିତର ବାହାର ଦେଖିଲେ ପିଲାର ଭଲ ଧାରଣା ହେବ । ଯନ୍ତ୍ରଟିର ଡିଜାଇନ୍ ବଦଳାଇ କିପରି ଯନ୍ତ୍ରଟି ଅଳ୍ପ ଖର୍ଚ୍ଚରେ ଚଳେଇ ହେବ ବା କେମିତି ଡିଜାଇନ୍ କଲେ ଅଳ୍ପ ଓଜନ ହେବ, ଫଳରେ ଲୋକେ ସୁବିଧାରେ ଯନ୍ତ୍ରଟିକୁ ନିଆଅଣା କରିପାରିବେ, ଏହିସବୁ ପ୍ରଶ୍ନ ପଚାରିଲେ ସେ ବିଭିନ୍ନ ଜିନିଷ ଉଦ୍‌ଭାବନ କରିବାରେ ଆଗ୍ରହୀ ହେବେ । ଟମାସ୍ ଏଡ଼ିସନ୍ ଆମେରିକାର ଜଣେ ବିଖ୍ୟାତ ଉଦ୍ଭାବକ-ଏ ତଥ୍ୟ ଘୋଷିକରି ମନେରଖିବାକୁ ଚେଷ୍ଟା କରିବା ଅପେକ୍ଷା ଆମ ପିଲା ଯଦି ଟମାସ୍ ଏଡ଼ିସନ୍ ପରି ହୁଅନ୍ତି ତେବେ ଆମେ ନିଶ୍ଚୟ ବେଶୀ ଖୁସି ହେବୁ ।

 

ପିଲାଙ୍କର ଶିଖିବାରେ ଆଗ୍ରହ କମିଯିବାର ବହୁ କାରଣ ରହିଛି । ସେଥ‌ି ମଧ୍ୟରୁ କେତେକ କାରଣ ଆମେ ଚାହିଁଲେ ଦୂର କରି ପାରିବା ! ଯଥା–ଶିଖିବାକୁ କଷ୍ଟ ଲାଗିଲେ ମନରୁ ଆଗ୍ରହ ଚାଲିଯାଏ । କେବଳ ଯେ ପିଲାଙ୍କର ଆଗ୍ରହ ଚାଲିଯାଏ ତାହା ନୁହେଁ, ବଡ଼ ମଣିଷଙ୍କର ମଧ୍ୟ ଆଗ୍ରହ ଚାଲିଯାଏ । ଓକିଲଙ୍କ ପାଖକୁ ଜମି ପାଇଁ ମକଦ୍ଦମା କରିବା ଲାଗି ପରାମର୍ଶ କରିବାକୁ ଯାଇଛନ୍ତି । ଓକିଲ ବାବୁ ବସି ଆଇନ୍‌ର ବିଭିନ୍ନ ପେଞ୍ଚ ବତେଇଲେ । ଅଳ୍ପ କିଛି ବେଳ ଶୁଣିଲେ, କିନ୍ତୁ ଯେଉଁଠି ବୁଝିବାକୁ ଅସୁବିଧା ଲାଗିଲା, ସେଠାରେ ଆପଣ ଓକିଲକୁ କହିଲେ-ଆପଣ ଯାହା ଠିକ୍ ଭାବୁଛନ୍ତି କରନ୍ତୁ, ଜମିଟା ମୋର ରହିଲେ ଗଲା ! ଓକିଲବାବୁଙ୍କ ପାଖରୁ ବାହାରି ଆମି ନିଜକୁ ନିଜେ ପ୍ରବୋଧ ଦେଉ । ମୋତେ ଯଦି ଏତେ ଆଇନ ବୁଝିବାକୁ ପଡ଼ିବ ତା’ ହେଲେ ଓକିଲ କ’ଣ କରିବ ? ଗୁରୁଦେବଙ୍କ ପାଖକୁ ଧର୍ମକଥା ଶୁଣିଗଲେ ସେ ଯେ ପର୍ଯ୍ୟନ୍ତ ପୁରାଣରୁ କାହାଣୀ କହୁଛନ୍ତି ଆମେ ମନ ଦେଇ ଶୁଣୁ, ଦାର୍ଶନିକ ତତ୍ତ୍ୱ କହିବାକୁ ଆରମ୍ଭ କଲେ ବୁଝି ନ ପାରି ଚାଲି ଆସୁ, ପିଲା ସେହିପରି । ସେ ଯଦି ପାଠ ବୁଝିପାରିଲା, ସହଜରେ ଶିଖି ପାରିଲା, ତା’ର ଶିଖିବାକୁ ଆଗ୍ରହ ବଢ଼େ । ମୂଳରୁ ପାଠ ବଳେଇ ପଢ଼ିଲେ ତା’ର ମନ ଛାଡ଼ିଯାଏ ।

 

ଗବେଷଣାରୁ ଜଣାଯାଉଛି ଯେ ପ୍ରାଥମିକ ସ୍କୁଲରେ ମଧ୍ୟ ଯେଉଁ ପିଲାର ଭାଷା ଜ୍ଞାନ ଭଲ, ଗାଣିତିକ ଧାରଣା ଭଲ, ଶିକ୍ଷକ ନିର୍ଦ୍ଦେଶ ଅନୁସାରେ ଯିଏ ଧାରା ଅନୁସାରେ କାମ କରିପାରେ ସେପରି ପିଲା ଭଲ ଭଲ ପାଠ ପଢ଼ନ୍ତି । ଏପରି ପିଲାମାନେ ସାଧାରଣତଃ ମଧ୍ୟବିତ୍ତ ଶିକ୍ଷିତ ପରିବାରରୁ ଆସନ୍ତି । ଘରେ ପାଠ ବୁଝିବାରେ ସେମାନଙ୍କୁ ବାପା, ମାଆ ବା ଗୃହ ଶିକ୍ଷକଙ୍କ ଠାରୁ ଅଧିକା ସାହାଯ୍ୟ ମିଳେ । ବିଶେଷ କରି ଘରେ ବିଭିନ୍ନ ପତ୍ର ପତ୍ରିକା ଥିବାରୁ ଓ ବହି ଥିବାରୁ, ଅବସର ସମୟରେ ପିଲା ନିଜେ ବହି ପଢ଼ି ଅବସର କଟାଏ । ଘରୁ ଶୁଣି ବିଭିନ୍ନ କଥା ଶିଖେ । ଯିଏ ଆଦିବାସୀ ଘରୁ ଆସିଛି ପ୍ରଥମେ ସେ ଘରେ ଓଡ଼ିଆ ନ କହି ବଢ଼ିଛି । ତେଣୁ ଓଡ଼ିଆରେ ପଢ଼ିଲା ବେଳକୁ ଯଥେଷ୍ଟ ଭାଷା ଜ୍ଞାନର ଅଭାବ ହେତୁ ଅନ୍ୟ ପିଲାଙ୍କ ତୁଳନାରେ ସେ ବେଶୀ ଅସୁବିଧାରେ ପଡ଼ୁଛି । ହରିଜନ ଘରେ ମଧ୍ୟ ଶୁଦ୍ଧ ଓଡ଼ିଆ ଭାଷାରେ କଥାବାର୍ତ୍ତା କମ୍ ହୁଏ । ଅଥଚ ପାଠ ବହିର ଭାଷା ହେଲା ଶୁଦ୍ଧ ଓଡ଼ିଆ । ଏମିତି କି ଅଙ୍କରେ ମଧ୍ୟ ଭାଷା ଜ୍ଞାନର ଅଭାବ ହେତୁ ଏପରି ପିଲା ହଇରାଣ ହେଉଛନ୍ତି । ସଂଖ୍ୟାରେ ଲେଖିଦେଲେ ଅଙ୍କଟି କରି ପାରୁଛନ୍ତି ମାତ୍ର କଥାରେ ଲେଖା ହୋଇଥିଲେ ବୁଝି ପାରୁ ନାହାନ୍ତି । ଆମେରିକାରେ ଏପରି ବଞ୍ଚିତ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାରମ୍ଭ ପୂର୍ବରୁ ଶିଶୁ ଶ୍ରେଣୀରେ ରଖି ବିଦ୍ୟାରମ୍ଭ ପାଇଁ ପ୍ରସ୍ତୁତ କରାଯାଉଛି । ବିଶେଷ କରି ଠିକ୍ ଭାବରେ ଭାଷା ସାହାଯ୍ୟରେ ମନ କଥା ପ୍ରକାଶ କରିବାର କୌଶଳ ଓ ଶଦ୍ଦଜ୍ଞାନ ଶିଖାଯାଉଛି । ମନଦେଇ ଶୁଣିବା ଓ କଥାଶୁଣି ରୁଝିବା ଏସବୁ କ୍ଷମତାଗୁଡ଼ିକର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଆମ ଦେଶରେ ଅପାଠୁଆ ବାପା ମାଆଙ୍କୁ ଆମେ ବର୍ତ୍ତମାନ ପିଲାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ପୁଷ୍ଟିକର ଖାଦ୍ୟ ଦେବା, ପ୍ରାଥମିକ ଚିକିତ୍ସା କରିବା ଓ ରୋଗ ହେଲେ ପଥ୍ୟ ଓ ସେବା ଶୁଶ୍ରୂଷା କରିବା ବିଷୟ ହେଲଥ ଭିଜିଟରଙ୍କ ସହାୟତାରେ ଶିଖାଇଥାଉ । ସେହିପରି ସ୍କୁଲରୁ ଯଦି ଜଣେ ଶିଷା ଭିଜିଟର ଯାଇ ବାପା ମାଆମାନଙ୍କୁ ପିଲାର ବିଦ୍ୟାରମ୍ଭ ପୂର୍ବରୁ କ’ଣ ଶିଖିବା ଦରକାର ସେ ଵିଷୟ ବୁଝାନ୍ତେ ତା’ହେଲେ ଏହି ଶ୍ରେଣୀର ଅଧିକାଂଶ ପିଲା ସ୍କୁଲରେ ଭଲ କରିବେ ଓ ସେମାନେ ପାଠପଢ଼ାରେ ଅନ୍ୟମାନଙ୍କ ପରି ଆଗ୍ରହୀ ହେବେ ।

 

ସାଧରଣ ପିଲା ସ୍କୁଲରେ ପାଠ ବୁଝିପାରିଲେ ମଧ୍ୟ ଆଗ୍ରହୀ ନ ହେବାର ଆଉ ଏକ କାରଣ ହେଲା ପାଠକୁ ଅକାରଣରେ ନୀରସ କରି ପଢ଼ାଇବା । ଯଥା–ସଂସ୍କୃତ ଶିକ୍ଷା, ନୂଆ ଭାଷା ଶିଖିବାର ଉପାୟ–

 

୧–ପ୍ରଥମେ ଶୁଣିକରି ଭାଷା ବୁଝିବା; ତା ପରେ; ୨–କହିକରି ଭାଷା ଅଭ୍ୟାସ କରିବା; ୩–ପଢ଼ି ଶିଖିବା (ପଢ଼ିବା ବେଳେ ଶୁଣିଥିବା ଓ କହୁଥିବା ଶବ୍ଦକୁ ପିଲା ଲିଖିତ ଆକାରରେ ଦେଖୁ, ସମ୍ପୂର୍ଣ୍ଣ ଅପରିଚିତ ଶବ୍ଦ ଅପେକ୍ଷା ପରିଚିତ ଶବ୍ଦ ପଢ଼ିବାକୁ ସହଜ ଲାଗେ); ୪–ଶେଷରେ ଯାଇ ବ୍ୟାକରଣ ଶିଖୁ । ମାତ୍ର ଆମେ ସ୍କୁଲରେ ମୂଳରୁ ବ୍ୟାକରଣ ପଢ଼ି ‘ନରଃ ନରୌ ନରାଃ’ ଘୋଷିବାକୁ ଆରମ୍ଭ କରିବାରୁ ଅଧିକାଂଶ ପିଲା ସଂସ୍କୃତ ଶିଖିବାରେ ବୀତସ୍ପୃହ ହୋଇଯାଆନ୍ତି । ବାଧ୍ୟ ନ କଲେ ଶିଖନ୍ତି ନାହିଁ ।

 

ପ୍ରଥମେ ଭାଷା ନ ଜାଣି ବ୍ୟାକରଣ ପଢ଼ିଲା ପରି ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ ଆମେ ସବୁ ବିଷୟ ଅପ୍ରାସଙ୍ଗିକ ଭାବରେ ପଢ଼ୁ । ଗଣିତ କଥା କହୁଛି-କୋଣ ବିଷୟରେ ପିଲା ପଢ଼ୁଛନ୍ତି-ଗୋଟିଏ ସରଳ ରେଖା ଉପରେ ଆଉ ଏକ ସରଳ ରେଖା ଦଣ୍ଡାୟମାନ ହେଲେ ଯେଉଁ ସନ୍ନିହିତ କୋଣଦ୍ୱୟ ଉତ୍ପନ୍ନ ହେବ ତାହା ୧୮୦° ସହିତ ସମାନ । ପ୍ରତିଟି କୋଣ ୯୦° ଡିଗ୍ରୀ ବୋଲି ଜାଣିବ । ଏତେକଥା ନ କହି ଶିକ୍ଷକ ଯଦି ପିଲାକୁ କ୍ଳାସରୁମ୍‍ର ଦୁଆର ବନ୍ଧ ଦେଖେଇ କୁହନ୍ତେ ଯେ ଏରୁଣ୍ଡିବନ୍ଧ ଓ ଦୁଆରବନ୍ଧ ମିଶି ଯେଉଁ କୋଣ ସୃଷ୍ଟି ହୋଇଛି ସେହି କୋଣ ହେଲା ୯୦° ଡିଗ୍ରୀ । ତା’ପରେ କହନ୍ତେ କାନ୍ଥ ଯଦି ଚଟାଣ ସହିତ ୯୦° ଡିଗ୍ରୀ କୋଣସ୍ଥ ହୋଇ ନ ରହିବ ତା’ହେଲେ କାନ୍ଥ ଭାରାରେ ବିଷମତା ଉପୁଜିବ ଓ କାନ୍ଥଟା ସିଧା ହୋଇ ନ ରହି ଘରକୁ ଆଉଜି ଯାଇ ଭୁଷୁଡ଼ି ପଡ଼ିବ । ଛପର କଲା ପୂର୍ବରୁ କାଠ ବାଉଁଶ ଦେଇ ଘରର ଚାଳ ତିଆରି ହେଉଥିଲା ବେଳେ ଦେଖିବେ ଯେ ଚାଳଟି ସମଦ୍ୱିବାହୁ ତ୍ରିଭୁଜ ଆକାରରେ ତିଆରି କରାଯାଏ । ମୁର୍ଦ୍ଧନି ଯଦି ଶେଷ ବିନ୍ଦୁରେ ନ ରହେ କିମ୍ବା ଗୋଟାଏ କର ବେଶୀ ଢାଲୁ ଓ ଗୋଟିଏ କର କମ୍ ଢାଲୁ ହୁଏ ତାହେଲେ ପାଣି ଜମି ରହି ଚାଳ ଶୀଘ୍ର ଖରାପ ହୋଇଯାଏ । କାଠ କାମ, ଘର ତିଆରି, ଡଙ୍ଗା ତିଆର ଇତ୍ୟାଦି କାମରେ ଗଣିତ ଓ ଜ୍ୟାମିତିର ଧାରଣା ଓ ହିସାବ କାମରେ ଲାଗୁଥିବାରୁ ସେ ସବୁ ବିଦ୍ୟାର ସୃଷ୍ଟି ହୋଇଥିଲା । ତେଣୁ ପ୍ରୟୋଜନୀୟ ପ୍ରସଙ୍ଗ ଅନୁସାରେ ପଢ଼ାଇଲେ ପିଲା ପଢ଼ିବାକୁ ନିଶ୍ଚୟ ଆଗ୍ରହ ପ୍ରକାଶ କରିବ ।

 

ଇତିହାସକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାର ତାରିଖ ଘୋଷାଇ ଶିକ୍ଷା ଦିଆଯାଏ-। ନଚେତ୍ ବିଭିନ୍ନ ରାଜବଂଶର ତାଲିକା କିମ୍ବା କାହାପରେ କିଏ ରାଜା ବା ଗଭର୍ଣ୍ଣର ହେଲେ ତା’ର ହିସାବ । ମନେକରାଯାଉ ଶାହାଜାହାନଙ୍କର ଚାରିପୁଅଙ୍କ ନାଆଁ ଘୋଷି ମନେ ନ ରଖି ସେମାନେ କିଏ କ’ଣ କରିଥିଲେ ସେକଥା ପିଲାଙ୍କୁ କହିବା କଥା । ଯଥା–“ବଡ଼ ପୁଅ ଦାରା ଧର୍ମ ମତରେ ଉଦାର ଥିଲେ । ସେ ପଚାଶଟି ଉପନିଷଦ ପାରସିକ ଭାଷାରେ ଅନୁବାଦ କରାଇଥିଲେ । ପରେ ପାରସିକରୁ ଫରାସୀ ଓ ଇଟାଲୀୟ ଭାଷାରେ ଏହିସବୁ ଉପନିଷଦ ଅନୂଦିତ ହେବାରୁ ପାଶ୍ଚାତ୍ୟ ଜଗତରେ ଭାରତୀୟ ଦର୍ଶନର ଚିନ୍ତାଧାରା ପ୍ରଚାରିତ ହେଲା । (ଭାରତୀୟ ଦର୍ଶନର ଇତିହାସ–ସୁରେନ୍ଦ୍ର ନାଥ ଦାଶଗୁପ୍ତ) । ବ୍ୟକ୍ତିଗତ ଜୀବନରେ ମଧ୍ୟ ଶାହାଜାଦା ଦ୍ୱାରା ଖ୍ରୀଷ୍ଟିଆନ ରମଣୀ ବିବାହ କରି ପରଧର୍ମ ସହିଷ୍ଣୁତାର ପଚିଚୟ ଦେଇଥିଲେ । “ଔରଙ୍ଗଜେବଙ୍କର ଧର୍ମାନ୍ଧତା ସହିତ ଦାରାଙ୍କର ବିଶ୍ୱଧର୍ମ ପରାୟଣତା–ଏହି ଦୁଇ ପ୍ରକାର ମୋଗଲ ଚିନ୍ତାଧାରାକୁ ତୁଳନା କଲେ ଆମେ ମୋଗଲ ସଂସ୍କୃତିକୁ ସମଗ୍ର ଭାବରେ ବୁଝିପାରିବୁ । ନଚେତ୍ ଆମର ଧାରଣା ଏକଦେଶଦର୍ଶୀ ହେବ । ପୁଣି ସେମାନଙ୍କର ସ୍ନେହ, ପ୍ରୀତି, ରାଗ, ଦ୍ୱେଷ, ଭାବନା ଓ ଚିନ୍ତା ଵିଷୟରେ ଜାଣିଲେ ସେମାନଙ୍କୁ ଗୋଟାଏ ଗୋଟାଏ ଐତିହାସିକ ନାଆଁ ପରିବର୍ତ୍ତେ ରକ୍ତ ମାଂସର ଜୀବନ୍ତ ମଣିଷ ରୂପେ ଚିହ୍ନୁ ।

 

ନୀରସ ଓ ଶୁଷ୍କ ଭାବରେ ପଢ଼ାଇବାରୁ ଯେ ପିଲାଙ୍କର କେବଳ ମନ ଛାଡ଼ି ଯାଉଛି ତାହା ନୁହେଁ, ଇତିହାସ ଜାଣି ଲାଭ କ’ଣ ସେ କଥା ମଧ୍ୟ ସେମାନେ ବୁଝିପାରୁ ନାହାନ୍ତି । ମଣିଷ ବିଭିନ୍ନ ବିଷୟ ଜାଣିବାକୁ ଚାହେଁ, କାରଣ ଏପରି ଜାଣିଲା ଫଳରେ ସେ ନିଜର ବ୍ୟକ୍ତିଗତ ଜୀବନ ଓ ମାନସିକ ଜୀବନର ବିଭିନ୍ନ ସମସ୍ୟା ଭଲ ଭାବେ ବୁଝି ପାରିବ । ନିଜ ଭୁଲରୁ ନ ଶିଖି ଅନ୍ୟମାନଙ୍କ ଭୁଲରୁ କ’ଣ ନ କରିବା କଥା ସେ ବିଷୟରେ ଅଭିଜ୍ଞତା ଲାଭ କରିବ । ନଚେତ୍ ଜୟଚନ୍ଦ୍ର, ପୃଥ୍ୱୀରାଜଙ୍କୁ ହଇରାଣ କରି ଧ୍ୱଂସ କରିବା ପାଇଁ ଯେପରି ମୁସଲମାନମାନଙ୍କୁ ଆହ୍ୱାନ କରି ଭାରତର ରାଜଗାଦୀ ଦେଇଥିଲେ ଓ ମିରଜାଫର ସିରାଜୌଦ୍ଦଲାଙ୍କୁ ନିଶ୍ଚିହ୍ନ କରିବା ପାଇଁ ଇଂରେଜଙ୍କ ହାତରେ ରାଜଦଣ୍ଡ ତୋଳିଦେଲେ, ସେହିପରି ଭବିଷ୍ୟତରେ ନିଜର କ୍ଷୁଦ୍ରଲାଭ ପାଇଁ ଆମେ ନିଜ ଦେଶକୁ ବିଦେଶୀ ଶତ୍ରୁ ହାତରେ ବାରମ୍ବାର ଟେକିଦେବୁ ।

 

ଶିକ୍ଷାର ଉଦ୍ଦେଶ୍ୟ ହେଲା ମଣିଷକୁ ଅଜ୍ଞତାର ସଂକୀର୍ଣ୍ଣ ଦୃଷ୍ଟିପଥରୁ ଉଦ୍ଧାର କରି ତ୍ରିକାଳଦର୍ଶୀ କରି ତୋଳିବା । ସେ କେବଳ ସ୍ଥାନ–କାଳ-ପାତ୍ରର ବର୍ତ୍ତମାନ ଅବସ୍ଥା ଚିନ୍ତା କରି କାମ କରିବ ନାହିଁ । ଅତୀତ ଭବିଷ୍ୟତ ଓ ବର୍ତ୍ତମାନ-ଏହି ତ୍ରିକାଳକୁ ସମଗ୍ର ଭାବରେ ଚିନ୍ତା କରି ନିଜର ଲକ୍ଷ୍ୟ ପଥରେ ଚାଲିବ । ଏହିପରି ଚିନ୍ତା କରି ଯଦି ଆମେ ଛାତ୍ରମାନଙ୍କୁ ଗଢ଼ିବାକୁ ଚାହୁଁ, ତା ହେଲେ ସେମାନଙ୍କୁ ଭିନ୍ନ ଉପାୟରେ ପଢ଼େଇବାକୁ ପଡ଼ିବ । କମ୍ପୁଟର ଯନ୍ତ୍ର ପରି ସେମାନେ କେବଳ ବିଭିନ୍ନ ତଥ୍ୟକୁ ସ୍ମୃତିର ଭଣ୍ଡାରରେ ଜମା କରି ରଖିବାକୁ ନ ଶିଖି ବିଭିନ୍ନ ଉତ୍ତର ଜଣା ନ ଥିବା ପ୍ରଶ୍ନର ସମାଧାନ ଖୋଜି ସେହି ଉପାୟରେ ବିଭିନ୍ନ କଥା ଶିଖିବେ । Discovery Learning ବା ଆବିଷ୍କାର କରି ଶିଖିବା ପଦ୍ଧତି ସେଥିଲାଗି ପାଶ୍ଚାତ୍ୟ ଦେଶରେ ଏତେ ଜନପ୍ରିୟ ହୋଇଛି (ଅନେକେ ଏହି ଉପାୟକୁ ସମସ୍ୟା–ସମାଧାନ କରି ଶିଖିବା ଉପାୟ ରୂପରେ ବର୍ଣ୍ଣନା କରିଥାନ୍ତି । ଗତାନୁଗତିକ ଉପାୟ ସହିତ ଏହି ଉପାୟର କେତେକ ପ୍ରଭେଦ ରହିଛି ।

 

୧–କ’ଣ କରିବାକୁ ହେବ ସେ କଥା ପିଲାଙ୍କୁ କୁହାଯାଏ; ମାତ୍ର କେମିତି କରିବ ସେ ବିଷୟ ତାକୁ କେହି କହନ୍ତି ନାହିଁ । ପିଲା କେମିତି କରିବ ବୋଲି ପଚାରିଲେ, ଉତ୍ତର ଦିଆଯାଏ ଯେ ତୁ ଭାବିକରି କର । ଯଥା-ଭଙ୍ଗା ଓ ଅଭଙ୍ଗା ଗୁଡ଼ାଏ ଇଟା ଦେଇ ପିଲାକୁ କହିଲ-ତୁ ଦୁର୍ଗ ତିଆରି କର । ଦୁର୍ଗ ତିଆରି କରି ସାରିଲେ ଦଳେ ପିଲା ଶତ୍ରୁସୈନ୍ୟ ହୋଇ ଦୁର୍ଗ ଆକ୍ରମଣ କରିବେ, ଆଉ ଦଳେ ରକ୍ଷା କରିବେ । ସେ ଇଟା ଉପରେ ଇଟା ଥୋଇ କଲା ବେଳକୁ ଦେଖିବ ସାନ ଇଟା ଉପରେ ବଡ଼ ଇଟା ଥୋଇଲେ ସାନ ଇଟା ଭାରା ନେଇ ନ ପାରିବାରୁ ବଡ଼ ଇଟା ଖସି ପଡ଼ୁଛି । ପୁଣି ଠିକ୍ ମଝିରେ ନ ଥୋଇଲେ ଭାରସାମ୍ୟ ରହୁନାହିଁ । ଏମିତି ଦଶଥର ଗଢ଼ି, ଦଶଥର ଭାଙ୍ଗି ସେ ଯେତେବେଳେ ଗଢ଼ିବାର ବିଭିନ୍ନ ନିୟମ ଶିଖିଯିବ ସେତେବେଳେ ସେ ଦୁର୍ଗଟି ନିର୍ଭୁଲ୍ ଭାବରେ ତିଆରି କରି ପାରିବ ଓ ଅନ୍ୟ ଦୁର୍ଗ ଗଢ଼ିଲାବେଳକୁ କୌଣସି ଭୁଲ୍ ନ କରି ସାଙ୍ଗେ ସାଙ୍ଗେ ତିଆରି କରିଦେବ ।

 

ପିଲାର ଜାଣିବା କଥା ଯେ ଗୋଟାଏ ସମସ୍ୟାକୁ ବିଭିନ୍ନ ଉପାୟରେ ସମାଧାନ କରିହେବ । ତେଣୁ ସେ ଗୋଟିଏ ଉପାୟରେ ସବୁବେଳେ କାମଟା କରିବାକୁ ଚେଷ୍ଟା କରିବ ନାହିଁ । ଅନ୍ୟ ଉନ୍ନତତର ସୁବିଧାଜନକ ଉପାୟ ଭାବି ବାହାର କରିବ । ମନେ କରନ୍ତୁ–ଗାଆଁରେ କାର୍ତ୍ତିକମାସର ପଞ୍ଚୁକ ବ୍ରତ ସରିବାରୁ କେତେଜଣ ବୁଢ଼ା ବୁଢ଼ୀ ତୀର୍ଥ କରିଯିବେ ବୋଲି ସ୍ଥିର କଲେ-। ନାତିଟି ସ୍କୁଲରେ ପଢ଼ୁଛି । ତାକୁ ରେଲଓ୍ୱେ ଟାଇମ୍ ଟେବୁଲ ଦେଇ କହିଲେ–ପୁରୀରୁ ବାହାରି କାଶୀ ପ୍ରୟାଗ, ବୃନ୍ଦାବନ ଓ ମଥୁରା ଦେଖି ୧୫ ଦିନ ଭିତରେ କେମିତି ଫେରି ଆସି ହେବ, ସେକଥା ଠିକ୍ କରି ଯିବା ଓ ଆସିବା ବାଟ ବାଛିଦେଲୁ । ଗଲାବେଳେ ଯେଉଁ ବାଟରେ ଯାଇଛ ସେ ବାଟରେ ଫେରିହେବ କିମ୍ବା ଅନ୍ୟ ବାଟରେ ମଧ୍ୟ ଫେରିହେବ । ଗାଡ଼ି ଧରିବାର ସୁବିଧା, (ଅଧ ରାତିରେ ଗାଡ଼ିରେ ଚଢ଼ିଲେ ବୁଢ଼ାବୁଢ଼ାକୁ ବାଧିବ, ମଝିବାଟରୁ ଉଠିଲେ ରାତିରେ କେହି କବାଟ ନ ଖୋଲି ପାରନ୍ତି, ଇତ୍ୟାଦି), ଭଡ଼ା ସମାନ କି ଅଧିକା ଲାଗିବ, ସମୟ ବେଶୀ କି କମ୍ ଲାଗିବ–ଏ ସବୁ ବିବେଚନା କରି ତୀର୍ଥ ଯିବା ପାଇଁ ବାଟ ଠିକ୍ କରିବାକୁ ପଡ଼ିବ । (ଗଣିତରେ ଏଭଳି ଗୋଟାଏ ସମସ୍ୟାକୁ ଟ୍ରାଭେଲିଂ ସେଲସମ୍ୟାନ୍‍ର ସମସ୍ୟା କହନ୍ତି । ସେ ପୃଥିବୀର ଷାଠିଏଟି ବଡ଼ ବଡ଼ ସହରରେ ନିଜ କମ୍ପାନୀର ବ୍ୟବସାୟ କଥା ବୁଝି ଯେଉଁଠାରୁ ଯାତ୍ରା ଆରମ୍ଭ ସେଇଠିକି ଫେରି ଆସିବ, ମାତ୍ର ଗୋଟାଏ ସହରକୁ ଦୁଇଥର ଯିବ ନାହିଁ । କାରଣ ତା’ ହେଲେ ସେ ଅଳ୍ପ ସମୟରେ ଓ ଅଳ୍ପ ଭଡ଼ାରେ ଯାଇ ପାରିବ ନାହିଁ) ।

 

ପିଲାଙ୍କୁ ତା’ ହେଲେ ସମସ୍ୟାଟିଏ କହି ସମସ୍ୟାର ସମାଧାନ ବତେଇ ଦେଲେ କ୍ଷତି କ’ଣ ? କାରଣ ପିଲାଙ୍କ ଅପେକ୍ଷା ବଡ଼ ମଣିଷର ଯଥେଷ୍ଟ ବେଶୀ ଅଭିଜ୍ଞତା ଥିବାରୁ ସେ ପିଲାଠାରୁ ଭଲ ସମାଧାନ ଖୋଜି ବାହାର କରି ପାରିବ ଓ ପିଲା ଏପରି ଉପାୟ ମନେ ରଖିଲେ ସହଜରେ ବିଭିନ୍ନ କାମ କରି ପାରିବେ ।

 

ପ୍ରଥମତଃ, ପିଲା ଭାବି ଚିନ୍ତି ସମସ୍ୟାର ସମାଧାନ କଲେ ସେ ବିଷୟ ତା’ର ଭଲ ଭାବରେ ମନେ ରହେ । ଜଣେ ବତେଇଦେଲେ ସେ କେବଳ ଉତ୍ତରଟି ମନେ ରଖିବାକୁ ଚେଷ୍ଟା କରେ । କାହିଁକି ଏପରି ହେଲା ସେ ବିଷୟ ଭାବେ ନାହିଁ ବା କ’ଣ କଲେ ଆହୁରି ଭଲ ସମାଧାନ ହେବ ସେ ବିଷୟ ଭାବେ ନାହିଁ ।

 

ଦ୍ଵିତୀୟତଃ, ପ୍ରତିପିଲା ନିଜ ନିଜ ଉପାୟରେ ସମାଧାନ ଖୋଜନ୍ତି । ସେମାନଙ୍କର ବ୍ୟକ୍ତିତ୍ୱ, ଅଭିଜ୍ଞତା, ମୂଲ୍ୟବୋଧ ଓ ଆଦର୍ଶ ଅନୁସାରେ ସେମାନେ ବିଭିନ୍ନ ସମାଧାନରେ ପହଞ୍ଚନ୍ତି-। ଯଥା–ରେଳ ଷ୍ଟେସନରେ ଜଣେ ପ୍ଳାଟଫର୍ମରୁ ମନିବ୍ୟାଗଟାଏ ପାଇଲା । କ’ଣ କରିବ-? ଜଣେ ସେ ବ୍ୟାଗ ନେଇ ଷ୍ଟେସନ ମାଷ୍ଟ୍ରଙ୍କ ଜିମ୍ମା ଦେବ । ଆଉ ଜଣେ ବ୍ୟାଗରୁ ମାଲିକର ପରିଚୟ ଖୋଜି, ମାଲିକର ଘର ପାଖରେ ହୋଇଥିଲେ ଘରେ ନେଇ ଦେଇ ଆସିବ । ଆଉ ଜଣେ ନିଜ ଘରକୁ ନେଇ ଯାଇ ମାଲିକଙ୍କୁ ନିଜେ ଆସି ନେଇ ନେଇଯିବା ଲାଗି ଚିଠି ଲେଖିବ । ଏହିଭଳି ବିଭିନ୍ନ ସମାଧାନ କଥା ଭିନ୍ନ ଭିନ୍ନ ଲୋକ ଭାବି ଥାଆନ୍ତି । ଯାହାକୁ ଯେଉଁ ପ୍ରକାର ଉପାୟ ସହଜ ମନେହୁଏ ସେ ସେହି ଉପାୟ ଅବଲମ୍ବନ କରେ । ସେଥିଲାଗି କାଶରୋଗୀକୁ ଡାକ୍ତର ସିଗାରେଟ ବା ବିଡ଼ି ପିଇଲେ କାଶ ଯୋଗୁ ଅନ୍ୟାନ୍ୟ ଶାରୀରିକ ସମସ୍ୟା ହେବ ବୋଲି ବୁଝେଇଲେ ବା ଭୟ ଦେଖାଇଲେ ମଧ୍ୟ ଯାହାର ଧୂମପାନ କରିବା ଅଭ୍ୟାସ ସେ ଛାଡ଼ିପାରେ ନାହିଁ । ମାତ୍ର ରୋଗ ଯଦି ପ୍ରବଳ ହୁଏ ଓ ଜୀବନ ପ୍ରତି ମାୟାଥାଏ ତା’ ହେଲେ ସେ ନିଜେ ଗୋଟାଏ ଉପାୟ ଭାବି ଏହି ବଦଭ୍ୟାସ ଛାଡ଼ିଦିଏ ।

 

ଏ ସବୁ ଉପାୟରେ କ’ଣ ସତରେ ପାଠ ପଢ଼ାଇବା ସମ୍ଭବ ? ଏମିତି ଉପାୟରେ କେତେଦିନ ଲାଗିବ ପାଠ ଶିଖାଇବାକୁ ? ବାସ୍ତବରେ ସମ୍ଭବ ହୋଇ ନ ପାରିଲେ ଏପରି ଆଦର୍ଶ ଉପାୟ ଜାଣି ଲାଭ କ’ଣ ? ଏହିସବୁ ପ୍ରଶ୍ନର ଉତ୍ତର ହେଉଛି ଏପରି ଉପାୟରେ ବହୁ ଦେଶରେ ବର୍ତ୍ତମାନ ପାଠ ପଢ଼ା ଯାଉଛି ଓ ପିଲାମାନେ ପ୍ରାୟ ସମାନ ସମୟରେ କ୍ଳାସରେ ପାଠ ଶିଖୁଛନ୍ତି । ଉଦାହରଣସ୍ୱରୂପ ହଇଜାର ପ୍ରତିଷେଧକ ବ୍ୟବସ୍ଥା କ’ଣ ସେ କଥା ସ୍ଵାସ୍ଥ୍ୟରକ୍ଷା ବହିରୁ ପିଲା ଗୋଟିଏ ପିରିୟଡ଼ରେ ଶିଖିଲେ ଓ ଘରେ ଯାଇ ମୁଖସ୍ଥ କଲେ । ଅନ୍ୟ ଉପାୟ ହେଲା-ପିଲା କ୍ଲାସରେ ଜଳଦ୍ୱାରା ସଂକ୍ରମିତ ରୋଗ ହଇଜା ଓ ପବନ ଦ୍ୱାରା ସଂକ୍ରମିତ ଗ୍ରୋଗ ବସନ୍ତର ପ୍ରତିଷେଧକ ଉପାୟ କ’ଣ ହୋଇପାରେ ସେ କଥା ଆଲୋଚନା କଲେ । ଏହି ପ୍ରକାର ଆଲୋଚନା ବେଳେ ପ୍ରତ୍ୟେକେ ଗୋଟାଏ ଉପାୟ କହିଲେ ଓ ଅନ୍ୟମାନେ ଏହି ଉପାୟର ସୁବିଧା ଓ ଅସୁବିଧା କ’ଣ କହିଲେ । ଶେଷରେ ଯେଉଁ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଅଧିକାଂଶ ପିଲା ଏକମତ ହେଲେ ସେ ଉପାୟଗୁଡ଼ିକ ହୁଏତ ଆଗରୁ ବହିରେ ଲେଖାଯାଇଛି । ମାତ୍ର ନିଜେ ଆଲୋଚନା କରୁଥିବାରୁ ବିଷୟଟି ଭଲରେ ମନେ ରହିଲା ଓ ବହିରେ ଯାହା ଲେଖା ହୋଇନାହିଁ ସେପରି ଗୋଟାଏ ଯୋଡ଼ାଏ ନୂଆ ଉପାୟ ମଧ୍ୟ ସେମାନେ ବାହାର କଲେ । ବଡ଼ ଲାଭ ହେଲା ସେମାନେ ଘରକୁ ଗଲେ ହାତ ନ ଧୋଇ ମଇଳା ହାତରେ ଖାଇବେ ନାହିଁ । ଘରୁ ଲୁଚେଇ ପଇସା ଆଣି ଜଳଖିଆ ଦୋକାନରୁ ବାଜେଖାଇବା ଜିନିଷ କିଣି ଖାଇବେ ନାହିଁ । ଅନ୍ୟଲୋକ ସେମାନଙ୍କୁ ଏପରି କାମ କରିବାକୁ ମନା କଲେ ସେମାନେ ସେ କଥାରେ କାନ ଦିଅନ୍ତେ ନାହିଁ, ମାତ୍ର ନିଜେ ଭାବି ରୋଗର କାରଣ କ’ଣ ଜାଣିବାରୁ ନିଜେ ନିଜକୁ ଅସ୍ୱାସ୍ଥ୍ୟକର କାମରୁ ନିବର୍ତ୍ତାଇବେ । ଗତାନୁଗତିକ ଭାବରେ ପିଲା ନିଶ୍ଚେଷ୍ଟ ହୋଇ ଶିଖୁଥିବାରୁ ସେପରି ଶିଖିବା ଦ୍ଵାରା ନିଜର ବିଶ୍ଵାସ ଓ ଆଚରଣ ପ୍ରଭାବିତ ହୁଏ ନାହିଁ । ଏହି ଉପାୟରେ ପିଲା ସଚେଷ୍ଟ ହୋଇ ଶିଖୁଥିବାରୁ ତା’ର ଵିଶ୍ଵାସ ଓ ଆଚରଣରେ ପରିବର୍ତ୍ତନ ହୁଏ ଓ ନିଜସ୍ୱ ମତାମତ ଗଢ଼ିଉଠେ । ସବୁ ବିଷୟ ଯେ ଏହି ଉପାୟରେ ପଢ଼ାଇ ହେବ ତାହା ନୁହେଁ । ମାତ୍ର ଅଧିକାଂଶ ବିଷୟ ଏହି ଉପାୟରେ ହେବ । ବୁଦ୍ଧଦେବଙ୍କ ପରି ଉତ୍ତମ ଶିକ୍ଷକମାନେ ଏହି ଉପାୟରେ ଶିକ୍ଷା ଦେଇଛନ୍ତି । କିସସା ଗୌତମୀଙ୍କୁ ବୁଦ୍ଧ କହିଲେ ଯାହା ଘରୁ କେହି ମରି ନାହାନ୍ତି ସେପରି ଘରୁ ମୁଠାଏ ସୋରିଷ ଆଣିଲେ ମୁଁ ସେହି ସୋରିଷ ମନ୍ତୁରେଇ ତୋର ମଲା ପୁଅକୁ ଜୀଆଇ ଦେବି । କିସ୍‍ସା ଗୌତମୀ ଲକ୍ଷ ପୁର ବୁଲି ମୁଠାଏ ସୋରିଷ ସଂଗ୍ରହ କରି ପାରିଲେ ନାହିଁ । କିନ୍ତୁ ପ୍ରତିଟି ଘରେ ମୃତ୍ୟୁ କାହାଣୀ ଶୁଣି ମୃତ୍ୟୁ ବିଧାତାଙ୍କର ଅଲଘଂନୀୟ ନିୟମ ବୋଲି ନିଜ ହୃଦୟରେ ବୁଝି ପାରିଲେ । ମୃତ୍ୟୁ ପରେ ଗୃହସ୍ଥ କେମିତି ଶୋକ ଦୁଃଖ ସତ୍ତ୍ୱେ ନିଜ ଜୀବନକୁ ସଜାଡ଼ି ପୁଣି ସ୍ଵାଭାବିକ ଭାବରେ ବଞ୍ଚି ରହିବାର ଇଚ୍ଛା ଫେରି ପାଇଛି, ସେ ବିଷୟ ମଧ୍ୟ ଶିଖିଲେ । ଫଳରେ ତାଙ୍କର ଦୁଃଖ ନିବୃତ୍ତି ହେଲା, ଅଥଚ ମୂଳରୁ ବୁଦ୍ଧଙ୍କର ଶତ ସାନ୍ତ୍ୱନା ବାଣୀରେ ମଧ୍ୟ ସେ ଆଶ୍ଵାସନା ପାଇ ନ ଥିଲେ । ଏଥିରୁ ଜଣାଯାଉଛି କେବଳ ଶୁଣିଲେ ବା ମନେ ରଖିଲେ ଜ୍ଞାନ ସମ୍ପୂର୍ଣ୍ଣତା ଲାଭ କରେ ନାହିଁ, ହୃଦୟଙ୍ଗମ କଲେ ଯାଇ ଜ୍ଞାନ ସମ୍ପୂର୍ଣ୍ଣତା ଲାଭ କରେ ।

 

ପ୍ରାଚୀନ ଭାରତୀୟ ଧାରଣା ଅନୁସାରେ ଅଧୀତ ବିଷୟ ଚାରୋଟି ଅବସ୍ଥା ଭିତରେ ଦେଇ ଗତି କଲେ ନିଜର ଆୟତ୍ତାଧୀନ ହୁଏ । ଏହି ଚାରୋଟି ଅବସ୍ଥା ହେଲା “ଶ୍ରବଣାତ୍, ତଥାର୍ଥ ମନନାତ୍, ଧ୍ୟାନାତ୍ ଚ ସଙ୍କୀର୍ତ୍ତନାତ୍”–ଅର୍ଥାତ୍ ୧–ଶୁଣିବା ଦ୍ୱାରା, ଯାହା ଶୁଣିଲ ୨–ତାହାର ଅର୍ଥ ଓ ତାତ୍ପର୍ଯ୍ୟ ଭାବିବା ଦ୍ୱାରା, ତା’ ପରେ ସେ ବିଷୟରେ, ୩–ଚିନ୍ତା କରିବା ଦ୍ୱାରା ଓ ଶେଷରେ ୪–ବ୍ୟାଖ୍ୟା ଏବଂ ଆଲୋଚନା କରିବା ଦ୍ୱାରା (ସଂକୀର୍ତ୍ତନର ଅର୍ଥ ହେଲା ଆବୃତ୍ତି, ବ୍ୟାଖା ଓ ଆଲୋଚନା) ଆମେ ଶିଖୁ । ଏହି ଭାବରେ ଅଧୀତ ବିଷୟଟି ଶିଖିଥିଲେ କଦାପି କେହି ଭୁଲି ପାରିବେ ନାହିଁ ।

 

ଆମେ ବର୍ତ୍ତମାନ ବିଦ୍ୟାକୁ କେବଳ ଅର୍ଥକରୀ ବୋଲି ଭାବୁଥିବାରୁ କୌଣସି ପ୍ରକାରେ ତରତରରେ ପାଠ ପଢ଼ି ପକେଇ, ପାଠ ବିଷୟରେ ପୂର୍ଣ୍ଣ ଧାରଣା ନ କରି, ପାଠ ବିନିମୟରେ ଅର୍ଥ, ଉଚ୍ଚପଦ ଓ ପ୍ରତିଷ୍ଠା ପାଇବା ପାଇଁ ଚେଷ୍ଟିତ ହେଉ । ଏସବୁ ମିଳିଲେ ମଧ୍ୟ ନିଜର ଅସଂସ୍କୃତ ମନ ଯୋଗୁଁ ସବୁ ସୁଖର ଉପକରଣ ଠୁଳ କରି ମଧ୍ୟ ସୁଖ ପାଉନା । କାରଣ ସୁଖଲାଭ କରିବାର ଉପାୟଟା ଶିଖିବାକୁ ବେଳ ମିଳିଲା ନାହିଁ । ଯିଏ ପାଠ ବିନିମୟରେ ଅର୍ଥ ଓ ପ୍ରତିଷ୍ଠା ପାଇଲା ନାହିଁ ତା’ର ହତାଶା ଆହୁରି ଗଭୀର । ତେଣୁ ସେ ଭାବିଲା ଆଜିକାଲି ପାଠପଢ଼ାର କୌଣସି ମୂଲ୍ୟ ନାହିଁ-। ବିଶେଷ କରି ସ୍ତ୍ରୀ ଲୋକ ହୋଇଥିଲେ ପାଠ ପଢ଼ି ଘର କାମ କରିବାକୁ ପଡ଼ିଲେ ସେମାନେ ନିଜକୁ ବିଫଳ ମନେ କରନ୍ତି । “ଏତେ ପାଠପଢ଼ା ଚୁଲୀ ମୁଣ୍ଡକୁ” । ପାଠକୁ କେବଳ ଅର୍ଥକରୀ ନ ଭାବି ଆମେ ଯଦି ଜ୍ଞାନ ଓ ଅର୍ଥ ଏହା ଉଭୟ ଫଳ କାମନା କରି ଆୟତ୍ତ କରିବାକୁ ଚାହୁଁ, ତେବେ ନିଜକୁ ଏଡ଼େ ବ୍ୟର୍ଥ ବୋଲି ଭାବିବୁ ନାହିଁ । ନିଜର ମାର୍ଜିତ ଚେତନା ବଳରେ ସାଧାରଣ ସୁଖରୁ ଗଭୀର ସୁଖ ପାଇ ପାରିବୁ । ଶୋକ ଦୁଃଖରେ ଧୈର୍ଯ୍ୟ ହରାଇବୁ ନାହିଁ । ଜ୍ଞାନ ଓ ଦକ୍ଷତା ବଳରେ ନିଜର ଓ ନିଜ ଗୋଷ୍ଠୀର କଲ୍ୟାଣ ସାଧନ କରି ପାରିବୁ । ଗୋଟିଏ ଦୀପର ଆଲୋକରୁ ଆଉ ଗୋଟିଏ ଦୀପ ଜାଳିଲା ପରି ନିଜ ଜ୍ଞାନ ଦ୍ୱାରା ଆଉ ଗୋଟିଏ ମନ ପ୍ରଜ୍ଜ୍ୱଳିତ କରି ପାରିବୁ ।

Image

 

Unknown

ପିଲାଙ୍କ ଉପଯୋଗୀ ଯୌନଶିକ୍ଷା

 

ବର୍ତ୍ତମାନ ସମାଜରେ ଅଧିକାଂଶ ଲୋକ ମଣିଷର ଯୌନତାକୁ (Sexuality) ଜୀବନର ସ୍ଵାଭାବିକ ଧାରା ରୂପେ ସ୍ୱୀକାର କରିବାକୁ କୁଣ୍ଠାବୋଧ କରନ୍ତି । ଏଇ ମନୋଭାବ ହେତୁ ଆମେ ଯୌନତା ସହିତ ସଂଶ୍ଳିଷ୍ଟ କୌଣସି ବିଷୟ କେବେହେଁ ପ୍ରକାଶ୍ୟରେ ଉଲ୍ଲେଖ କରୁନା । ଲଜ୍ଜା, ସଙ୍କୋଚ ଓ ନିଷେଧର ସାତପରସ୍ତ ଆବରଣ ତଳେ ସମ୍ପୂର୍ଣ୍ଣ ନିଷୟନ ଏପରି ଭାବରେ ଲୁଚି ରହିଛି ଯେ, ଏ ବିଷୟରେ ଆମର ଜ୍ଞାନ କେତେ ଅଳ୍ପ ସେ କଥା ମଧ୍ୟ ଆମେ ଜାଣିନାହୁ । ଗାଆଁରେ ଗନୋରିଆ ପରି ଯୌନବ୍ୟାଧି ଭୋଗୁଥିବା କେତେ ଲୋକ ପେଟ ଗରମରୁ ଯନ୍ତ୍ରଣା ହେଉଛି ଭାବି ମିସିରୀ ପଣା ପିଇ ରୋଗରୁ ଭଲ ହେବାର ଚେଷ୍ଟା କରନ୍ତି । ଯୌନବ୍ୟାଧିର କାରଣ ଓ ଲକ୍ଷଣ ବିଷୟରେ ସାଧାରଣ ଅଜ୍ଞତାହିଁ ଏଇ ବ୍ୟାଧି ବ୍ୟାପିବାର ପ୍ରଧାନ କାରଣ । ଆମ ଦେଶରୁ ବସନ୍ତ, କଲେରା, ବାତଜ୍ଵର, ମେଲେରିଆ ଆଦି ରୋଗର ଦୂରୀକରଣ ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି । ମାତ୍ର ଯୌନବ୍ୟାଧିକୁ ଆମେ ମଣିଷର ପାପର ଫଳ ବୋଲି ଭାବୁ । ସେଥିଲାଗି ଏହାର ପ୍ରତିଷେଧ ଦିଗରେ ଚେଷ୍ଟା କରୁନା । କେତେ ସତୀ, ଚରିତ୍ରବତୀ ସ୍ତ୍ରୀ ଯେ ଏଇ ରୋଗ ଫଳରେ ବନ୍ଧ୍ୟାତ୍ୱ ଲାଭ କରନ୍ତି ସେ ବିଷୟ ଥରେ ହେଲେ ଭାବୁନା ।

 

ନିଜ ଦେହ ଓ ତା’ର କ୍ରିୟା ପ୍ରକ୍ରିୟା ବିଷୟରେ ଆମର ଅଜ୍ଞତା ଆହୁରି ବେଶୀ । କୈଶୋରରେ ଯୌବନ ପ୍ରାପ୍ତି ପରେ କାହିଁକି ଯେ ଦେହରେ ତୀବ୍ର ଯୌନ କାମନାର ସଞ୍ଚାର ହୁଏ ସେ କଥା ଜାଣି ନ ଥିବାରୁ ଏପରି ଅନୁଭୂତି ହେଲେ ମନରେ ଅଯଥା ଅପରାଧ ବୋଧ ଓ ଗ୍ଳାନି ଜାତ ହୁଏ । ଗୁରୁଜନମାନେ ଆଧୁନିକ ସିନେମା ଓ ଶସ୍ତା ଉପନ୍ୟାସକୁ ଏଥିପାଇଁ ଦାୟୀ କରନ୍ତି । ମାତ୍ର ପଚାରି ବୁଝିଲେ ଦେଖାଯାଏ ଯେ କୋରାପୁଟର ଜଙ୍ଗଲରେ, ଯେଉଁଠି ସିନେମା ନାହିଁ ଓ ଆଦିବାସୀ କିଶୋର ନାଟକ ବା ନଭେଲ୍ ପଢ଼େନି ସେଠି ମଧ୍ୟ ସେ ଏଭଳି କାମନା ଅନୁଭବ କରିଥାଏ । ଦେହ ଭିତରେ ଥିବା ଯୌନଗ୍ରନ୍ଥିର କ୍ଷରଣ ଅନୁସାରେ ହିଁ ଯୌନ କାମନାର ଉଦ୍ରେକ ହେଉଥାଏ । ସେଥିଲାଗି (କିଶୋର ଓ ଯୁବକ ତୁଳନାରେ) ବାଳକ ଓ ବୃଦ୍ଧର ଯୌନ କାମନା କ୍ଷୀଣ-। ଏ କାମନା କେତେକାଂଶରେ ଇଚ୍ଛାକୃତ ଓ କେତେକାଂଶରେ ଅନିଚ୍ଛାକୃତ । (involuntary) ଅନ୍ୟମାନଙ୍କ ସାମ୍ନାରେ ଅନେକ ଲୋକ ନିଜକୁ ‘ଯୌନକାମନା ହୀନ ଜିତେନ୍ଦ୍ରିୟ ବ୍ୟକ୍ତି’ ବୋଲି ଜାହିର କରିବାକୁ ଚାହାନ୍ତି । କେହି ଯଦି ଏକଥା ପ୍ରକୃତରେ ବିଶ୍ଵାସ କରି ଏପରି ଲୋକକୁ ‘କ୍ଲୀବ’ ବୋଲି ଭାବେ ତା’ ହେଲେ ସେ ନିଜକୁ ଅତ୍ୟନ୍ତ ଅପମାନିତ ବୋଧ କରିବେ । ନିଜ ସମ୍ବନ୍ଧରେ କାହିଁକି ଏପରି ପରସ୍ପର ବିରୋଧୀ ଧାରଣା ଆମ ମନରେ ରହିଛି ? ଏହାର କାରଣ ହେଲା ଯୌନ କାମନା ପ୍ରକୃତରେ ବାଞ୍ଛିତ ନା ଅବାଞ୍ଛିତ ସେ ବିଷୟ ନେଇ ଆମ ମନରେ ବହୁ ଦ୍ୱନ୍ଦ୍ୱ ରହିଛି ।

 

ପ୍ରଥମ ପାଟି ଫିଟିଲାବେଳେ ପିଲା ଯେତେବେଳେ ନାକ, କାନ, ଆଖି ଇତ୍ୟାଦି ବିଭିନ୍ନ ଅଂଗର ନାଆଁ ପଚାରେ ଆମେ ତାକୁ ପ୍ରତିଟି ଅଙ୍ଗର ନାଆଁ ଶିଖାଉ । ମାତ୍ର ସେ ଯେତେବେଳେ ନିଜ ଯୌନାଙ୍ଗର ନାଆଁ ପଚାରେ ଆମେ ଚୁପ୍ ହେଇଯାଉ । ପାଖରେ ଅନ୍ୟଲୋକ ଥିଲେ ‘ଅସଭ୍ୟ’ କହି ଆଖି ଦେଖାଉ । ପିଲା ତେଣୁ ମୂଳରୁ ନିଜ ଦେହର ସେ ଅଙ୍ଗକୁ ଅସଭ୍ୟ, ଅଭଦ୍ର ଖରପ ବୋଲି ଭାବିବାକୁ ଶିଖେ । ଏଇ ଭାବନା ନିଜ ଅଭିଜ୍ଞତା ଠାରୁ ମଧ୍ୟ ଦୃଢ଼ତର ହୁଏ । କାରଣ ଲିଙ୍ଗ ବା ଯୋନିଦ୍ୱାରା ସେ ପରିସ୍ରା କରେ । ଝାଡ଼ା ପରିସ୍ରା ଅପରିଷ୍କାର ହୋଇଥିବାରୁ ପିଲା ଏହାକୁ ନିଜର ଘୃଣ୍ୟ ଅଙ୍ଗ ବୋଲି ମୂଳରୁ ଭାବିବାକୁ ଶିଖେ । ଟିକେ ବଡ଼ ହେଲାପରେ ଏ ବିଷୟରେ ପିଲା ସାମାନ୍ୟତମ କୌତୁହଳ ପ୍ରକାଶ କଲେ ଆମେ ଏପରି ଯୌନ କୌତୂହଳକୁ ପ୍ରଶ୍ରୟ ଦଉନା । ପିଲା ଅନ୍ୟ ପିଲା ସହିତ ନିଜର ଉଚ୍ଚତା ତୁଳନା କରି ଦେଖିବାକୁ ଭଲପାଏ । ନିଜର ହାତ, ପାଦ କେତେ ବଡ଼ ହେଲାଣି ମାପି ଦେଖେ । ସେହିପରି ଅନ୍ୟ ନଗ୍ନ ଶିଶୁ ଦେଖିଲେ କୌତୂହଳୀ ହେଇ ତା’ର ଯୌନାଙ୍ଗକୁ ଦେଖେ । ନିଜ ସହିତ ଅନ୍ୟର ଯୌନାଙ୍ଗକୁ ତୁଳନା କରି ସାଦୃଶ୍ୟ ଓ ପାର୍ଥକ୍ୟ ଲକ୍ଷ୍ୟ କରେ । ପିଲା ଏପରି କରୁଥିବାର ଦେଖିଲେ ଆମେ ବଜାରୀ, ଅଭଦ୍ର, ଅସଭ୍ୟ ଇତ୍ୟାଦି କହି ସେଥିରୁ ନିବର୍ତ୍ତାଇଥାଉ । ମାତ୍ର ପିଲାର ଏପରି କୌତୂହଳ ଯୌନତା ପ୍ରଣୋଦିତ ନୁହେଁ–ଏ କୌତୂହଳ କେବଳ ଜାଣିବାର କୌତୂହଳ । ବୁଦ୍ଧିମାନ ପିଲା ପୁରୁଷର ସମତଳ ବକ୍ଷ ଓ ନାରୀର ଉନ୍ନତ ବକ୍ଷ ଲକ୍ଷ୍ୟକରି ଦେଖେ । ନଗ୍ନ ଶିଶୁର ଲିଙ୍ଗ ଓ ଯୋନି ଦେଖି ପୁରୁଷ ଓ ସ୍ତ୍ରୀର ପାର୍ଥକ୍ୟ ଜାଣେ । ମାତ୍ର କାହିଁକି ଏପରି ପାର୍ଥକ୍ୟ ହେଇଛି ସେ କଥା କେହି ତାକୁ ବୁଝେଇ ଦିଅନ୍ତି ନାହିଁ । ବରଂ ଏପରି କୌତୂହଳକୁ ସବୁବେଳେ ଦାଵିଦେବା ଫଳରେ ଏହି ବିଷୟରେ ଅଧିକାଂଶ ଶିଶୁଙ୍କର ଭୁଲ ଧାରଣା ଓ କୌତୂହଳ ଜନ୍ମେ ।

 

ସାନ ପୁଅଟିଏ ଲିଙ୍ଗହୀନ ସାନ ଝିଅଟିକୁ ଦେଖି ଭାବେ ଯେ ସାନ ଝିଅଟି ଅଙ୍ଗହାନୀ ହେତୁ ଏପରି ବିକଳାଙ୍ଗ ହୋଇଛି । ପରିବାରରେ ସ୍ତ୍ରୀମାନଙ୍କର ନ୍ୟୂନ ସ୍ଥାନର କାରଣ ଦୈହିକ ନ୍ୟୁନତା ହେତୁ ହେଇଛି ବୋଲି ସେ ଅନୁମାନ କରେ । ଫଳରେ ସେ ସ୍ତ୍ରୀଲୋକମାନଙ୍କୁ ପୁରୁଷ ଅପେକ୍ଷା ନିମ୍ନସ୍ତରର ପ୍ରାଣୀ ବୋଲି ଭାବେ । ନିଜର ପୁରୁଷତ୍ୱ ପାଇଁ ତା ମନରେ ଗର୍ବ ହୁଏ । ମାତ୍ର ତାର ବଡ଼ପଣ କେବଳ ଏହି ପୁରୁଷତ୍ୱ ଉପରେ ନିର୍ଭର କରୁଥିବାରୁ ପୁରୁଷତ୍ୱ ହାନୀ ହେଲେ ତା’ର ସବୁ ବଡ଼ିମା ଚାଲିଯିବ ଭାବି ସେ ଉଦବେଗ ଓ ଉତ୍କଣ୍ଠାରେ ଘାରି ହୁଏ । ଫ୍ରଏଡ୍‌ ଓ ଅନ୍ୟାନ୍ୟ ବହୁ ମନୋବୈଜ୍ଞାନିକ ଚିକିତ୍ସାକାଳରେ ନିଜ ରୋଗୀଠାରେ ଏପରି ପୁରୁଷତ୍ୱହାନୀର ଆଶଙ୍କା (Castrationanxiety) ବାରମ୍ବାର ଦେଖିଛନ୍ତି । ଏଇ ଆଶଙ୍କା ସମ୍ପୂର୍ଣ୍ଣ କାଳ୍ପନିକ ନୁହେଁ । କାରଣ ପିଲା ପେଣ୍ଟ ନ ପିନ୍ଧି ଲଙ୍ଗଳା ହେଇ ବୁଲିଲେ ବା ନିଜର ଯୌନାଙ୍ଗ ନେଇ ଖେଳିଲେ ଅନେକେ ଲିଙ୍ଗ କାଟିଦେବେ ବୋଲି ପିଲାଙ୍କୁ ଡରାନ୍ତି । କେତେ ପିଲା ଡରିଯାନ୍ତି ଓ ଆଉ କେତେକ ପିଲା ହସି ଅବିଶ୍ଵାସ କରି କଥାଟା ଉଡ଼େଇ ଦିଅନ୍ତି । ମାତ୍ର ଉଭୟଙ୍କର ଅଚେତନ ମନରେ ଏଇ ଭୟ ବସାବାନ୍ଧି ରୁହେ । ସେ ଯେତେବେଳେ ବଳଦ, ଛେଳି ଖାସୁ ହେବା କଥା ଶୁଣେ ବା ପୁରୁଷ ଲୋକଙ୍କର ଜନ୍ମନିରୋଧ ଅପରେଶନ୍ କଥା ଜାଣେ (ଅଥଚ, ଏପରି ଅପରେଶନରେ ସେ ଲିଙ୍ଗ କଟା ହୁଏ ନାହିଁ ବା ପୁରୁଷ ଲୋକକୁ ଖାସୁ କରାଯାଏ ନାହିଁ, ସେ କଥା ପିଲାକୁ କେହି କହି ନଥାନ୍ତି; ଫଳରେ ପିଲା ଏ ବିଷୟରେ ସତ୍ୟ ମିଥ୍ୟା ମିଶେଇ ଗୋଟାଏ କାଳ୍ପନିକ ଧାରଣା କରେ) ଏ ପ୍ରକାର ଭୟ ତା ମନରେ ଆହୁରି ଦୃଢ଼ତର ହୁଏ । ଏହି ଅଜ୍ଞତା ପ୍ରସୂତ ଧାରଣା ଯୋଗୁଁ ଗାଆଁ ସ୍ତ୍ରୀଲୋକମାନେ ପୁରୁଷର ଏପରି ଅପରେଶନକୁ ‘ଖାସୁ’ ହେଇଯିବା କୁହନ୍ତି । ଅନେକ ପୁରୁଷ ମଧ୍ୟ ନିଜ ମନର ପ୍ରଚ୍ଛନ୍ନ ଭୟ ହେତୁ ଅନେକ କ୍ଷେତ୍ରରେ ଏପରି ଅପରେସନ୍ ପରେ ସାମୟିକ ଭାବରେ ନିଜର ଯୌନ କ୍ଷମତା ହରାଇଥାନ୍ତି, ମନର ଏଇ ଅବଚେତନ ଭୟ ଯୋଗୁଁ ପୁରୁଷମାନେ ସ୍ତ୍ରୀଲୋକଙ୍କ ତୁଳନାରେ ଜନ୍ମନିରୋଧ ପାଇଁ ଅପରେଶନ୍ କରାଇବାରେ ଅନିଚ୍ଛୁକ ହୁଅନ୍ତି । ପୁରୁଷଙ୍କ ଅପରେଶନ୍ ଅଳ୍ପ ସମୟ ମଧ୍ୟରେ ସହଜ ଓ ସରଳ ଭାବରେ ହୋଇଥାଏ; ଦେହକୁ ସେତେ ବାଧେ ନାହିଁ; ଅଥଚ ସ୍ତ୍ରୀଲୋକଙ୍କ ଅପରେଶନରେ ବେଶୀ ଅସୁବିଧା ଥାଏ । ତଥାପି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସ୍ତ୍ରୀର ଜନ୍ମନିରୋଧ ଅପରେସନ୍ ପ୍ରତି ବେଶୀ ଆଗ୍ରହ ଥାଏ ।

 

ଆମ ଦେଶର ସ୍ତ୍ରୀଲୋକମାନେ ସମାଜରେ ନିଜର ଅବହେଳିତ ସ୍ଥାନ ପାଇଁ ନିଜର ନାରୀତ୍ୱକୁ ଦାୟୀ କରନ୍ତି । ପୁରୁଷ ସନ୍ତାନ ଧାରଣ କରେନାହିଁ; ମାତ୍ର ସ୍ତ୍ରୀଲୋକ ସନ୍ତାନ ଧାରଣ କରୁଥିବାରୁ ପୁରୁଷ ତୁଳନାରେ ସେମାନେ ବେଶୀ ପରନିର୍ଭରଶୀଳ ହେବାକୁ ବାଧ୍ୟ ହୁଅନ୍ତି । ସନ୍ତାନ ଧାରଣର ଶାରିରୀକ କଷ୍ଟ ସେମାନଙ୍କୁ ସହିବାକୁ ପଡ଼େ । ଏହାଛଡ଼ା ପୁରୁଷ ଓ ସ୍ତ୍ରୀର ଯୌବନାରମ୍ଭ ଭିନ୍ନ ଭିନ୍ନ ଭାବରେ ହୋଇଥାଏ । ସ୍ତ୍ରୀଲୋକର ମାସିକ ଋତୁସ୍ରାବ ଆରମ୍ଭ ହେଲେ ତାକୁ ଯେତେ ଅଡ଼ୁଆରେ ପଡ଼ିବାକୁ ପଡ଼େ ପୁରୁଷର ବୀର୍ଯ୍ୟ ସ୍ଖଳନ ଆରମ୍ଭ ହେଲେ ତାକୁ ସେ ପ୍ରକାର ଅସୁବିଧାରେ ପଡ଼ିବାକୁ ହୁଏନାହିଁ । ଶାରିରୀକ କଷ୍ଟ ସହିତ ନିଜକୁ ବାରମ୍ବାର ପରିଷ୍କାର ପରିଚ୍ଛନ୍ନ କରିବାକୁ ପଡ଼ୁଥିବାରୁ ବହୁ ସ୍ତ୍ରୀଲୋକ ଯୌବନାରମ୍ଭକୁ “ନୂଆ ଜଞ୍ଜାଳ” ବୋଲି ଭାବନ୍ତି । ପୁଣି ଆମ ଦେଶର ଗାଆଁ ଗହଳିରେ ଯୌବନ ଆରମ୍ଭ ହେଲେ ଝିଅମାନଙ୍କର ଚଲାବୁଲାରେ ନୂଆ ନୂଆ କଟକଣା ଆରମ୍ଭ ହୁଏ । ଫଳରେ ସେ ବାଲ୍ୟଜୀବନରେ ସାଧାରଣ ସ୍ଵାଧୀନତା ହରାଏ । ଏଥିଲାଗି ନିଜର ଭାଗ୍ୟକୁ ପୁରୁଷର ଭାଗ୍ୟ ସହିତ ତୁଳନା କରି ଅନେକ ସ୍ତ୍ରୀଲୋକ ‘ନାରୀତ୍ୱ’କୁ ଅବାଞ୍ଛିତ ବୋଲି ଭାବନ୍ତି । ବହୁ ଆଧୁନିକା ନାରୀ ନିଜର ସ୍ତ୍ରୀସୁଲଭ ସ୍ୱଭାବ ଛାଡ଼ି ମନେପ୍ରାଣେ ପୁରୁଷ ପରି ହେବାକୁ ଚେଷ୍ଟା କରନ୍ତି । ସେମାନେ ଭାବନ୍ତି ଯେ ମାସିକ ଋତୁସ୍ରାବ ନହେଲେ ବା ସନ୍ତାନ ଧାରଣ କରିବାକୁ ନ ପଡ଼ିଲେ ସେମାନେ ସ୍ୱଚ୍ଛନ୍ଦ ଭାବରେ ଚଲାବୁଲା କରି ପୁରୁଷଙ୍କ ପରି କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ । (ଡାକ୍ତରୀ ଅପରେଶନ୍ କରି ଜରାୟୁ କାଢ଼ିଦେଲେ ଏସବୁ ଜଞ୍ଜାଳ ରହିବନି ଭାବି, କେତେକ ସ୍ତ୍ରୀଲୋକ ଡାକ୍ତରଙ୍କୁ ଏପରି ଅନୁରୋଧ ମଧ୍ୟ କରିବାର ଘଟଣା ରହିଛି ।) ନିଜର “ନାରୀତ୍ୱ” ଅବାଞ୍ଛିତ ବୋଲି ‍ଭାବିବା ହେତୁ ନାରୀ ମନରେ ନିଜର ଯୌନତା ବିଷୟରେ ପରସ୍ପର ବିରୋଧୀ ଭାବ ଜନ୍ମ ତା ମନରେ ଗଭୀର ଦ୍ୱନ୍ଦ୍ୱ ଆରମ୍ଭ ହୁଏ । ସେ ନିଜକୁ ହୀନ ଭାବି ନିଜକୁ ଘୃଣା କରେ ଓ ଅନେକ ସମୟରେ ପୁରୁଷ ପ୍ରତି ଆକ୍ରୋଶ ଅନୁଭବ କରେ । ସେ ଭାବେ ପୁରୁଷ ନିଜର ସୁବିଧା ଲାଗି ତାକୁ ‘ଭୋଗ୍ୟବସ୍ତୁ’ କରି ରଖିଛି । ଯେଉଁ ସ୍ତ୍ରୀଲୋକର ଅଚେତନ ମନରେ ଏହି ପ୍ରକାର ଗଭୀର ଦ୍ୱନ୍ଦ୍ୱ ରହିଥାଏ ସେ ସ୍ଵାମୀ ସହିତ ଯୌନ ସମ୍ପର୍କ ଅନାଗ୍ରହୀ ହୁଏ । ଅନେକ ସମୟରେ ସନ୍ତାନ ହେଲାପରେ ସ୍ୱାମୀ ସହିତ ଯୌନ ସମ୍ପର୍କ ରଖେନାହିଁ । ପରିଣାମରେ ସ୍ତ୍ରୀ ପୁରୁଷ ଉଭୟେ ଅସୁବିଧାରେ ପଡ଼ନ୍ତି ।

 

ଯେଉଁମାନେ ସ୍କୁଲ ବା କଲେଜରେ ଯୌନଶିକ୍ଷାର ପକ୍ଷପାତୀ, ସେମାନେ ଯୌନଶିକ୍ଷା କହିଲେ ଯୌନବ୍ୟାଧି ଓ କିପରି ସନ୍ତାନ ସୃଷ୍ଟି ହୁଏ ଏଇ ଦିଓଟି ବିଷୟରେ ଶିକ୍ଷା ଦେବା କଥା ଭାବନ୍ତି । ମାତ୍ର ଯୌନଶିକ୍ଷାର ଅର୍ଥ ଆହୁରି ବ୍ୟାପକ । ମଣିଷ ସମାଜରେ ଅବାଧ ଭାବରେ ଯୌନ କାମନା ଚରିତାର୍ଥ କରିବାଟା ଦୋଷାବହ ବୋଲି ଵିବେଚନା କରାଯାଏ । ଏଇ କ୍ଷେତ୍ରରେ ପଶୁ ସମାଜଠାରୁ ମଣିଷ ସମାଜ ଅଲଗା । ବନଚାରୀ ଆଦିମ ସମାଜର ମଣିଷ ମଧ୍ୟ ପାରିବାରିକ ଓ ସାମାଜିକ ସମ୍ପର୍କ ମାନି ଚଳେ । ନିଜର ସମାଜ-ସମ୍ମତ ପରିସର ମଧ୍ୟରେ ହିଁ ସେମାନେ ନିଜର ଯୌନ-କାମନା ପରିତୃପ୍ତ କରିବାକୁ ଶିଖନ୍ତି । ତେଣୁ ସବୁ ସମାଜରେ ମଣିଷକୁ ନିଜର ଯୌନ-କାମନା ଚରିତାର୍ଥ କରିବା ଦିଗରେ କେତେକ ବାଧା-ବନ୍ଧ ସହିବାକୁ ପଡ଼େ । ଏସବୁ ବାଧା ନିଷେଧ କ’ଣ । ଏହାର ଯାଥାର୍ଥ୍ୟତା କ’ଣ ? ସେ କଥା ବିଶ୍ଳେଷଣ କରି ପିଲାଙ୍କୁ କହିଲେ ସେମାନେ ବିଚାରବନ୍ତ ଭାବରେ ନିଜର ଯୌନ କାମନା ପରିତୃପ୍ତ କରନ୍ତି । ଅନ୍ୟ ପକ୍ଷରେ ସାମାଜିକ ବାଧା–ନିଷେଧକୁ ସେମାନେ ଅର୍ଥହୀନ ଓ ଅସବାନ୍ତ ନିୟମ ବୋଲି ଭାବିଲେ ଏଭଳି ନିୟମ ମାନି ଚଳିବାକୁ ଚାହାନ୍ତି ନାହିଁ ।

 

ସମାଜର ମଧ୍ୟ ଏ କ୍ଷେତ୍ରରେ କେତେକ ଦାୟିତ୍ୱ ରହିଛି । ସମାଜ ଯଦି ବ୍ୟକ୍ତିର ଯୌନ-କାମନା ପୂରଣ କରିବା ଦିଗରେ ବହୁ କାଧା ବିଘ୍ନ ସୃଷ୍ଟି କରେ, ତେବେ ସେ ସମାଜରେ ଏକ ଦିଗରେ ଯୌନବିକୃତି ଓ ଅନ୍ୟ ଦିଗରେ ଉଚ୍ଛୃଙ୍ଖଳତା ଦେଖା ଦେବ । ଆମ ସମାଜ ବର୍ତ୍ତମାନ ସେହିଭଳି ଏକ ଅବସ୍ଥାରେ ଆସି ପହଞ୍ଚିଛି ।

 

୧ । ଆମେ ବିବାହର ପରିସର ମଧ୍ୟରେ ବ୍ୟକ୍ତିର ଯୌନ-କାମନା ଚରିତାର୍ଥ କରିବାର ନିୟମ ରଖିଛୁ । ମାତ୍ର ଦିନକୁ ଦିନ ବିବାହର ବୟସ ବଢ଼ି ବଢ଼ି ଚାଲିଛି । ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ପ୍ରୟୋଜନରୁ ଯୌବନର ଆରମ୍ଭରେ ବିବାହ ନ ହୋଇ, ଯୌବନର ଶେଷ ଭାଗରେ ବିବାହ ଘଟୁଛି । ଯୌବନ ପ୍ରାପ୍ତିର ଦୀର୍ଘକାଳ ପରେ ବିବାହ କରିବାକୁ ପଡ଼ିଲେ, କେତେଜଣ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ରହି ପାରିବେ, ସେ ବିଷୟ ସମାଜର ଭାବିବା କଥା । କାରଣ ସାମାଜିକ ରୀତିନୀତି ବଦଳିଲେ ମଧ୍ୟ ମଣିଷର ଦେହ ବଦଳିଯାଉ ନାହିଁ । ସେ ଆଗ ପରି ଯୌବନ ପ୍ରାପ୍ତି ପରେ ଦେହ ଓ ମନରେ ଯୌନକାମନା ଅନୁଭବ କରୁଛି ।

 

୨ । ବିବାହ ପରେ ମଧ୍ୟ ଅର୍ଥନୈତିକ କାରଣ ଯୋଗୁଁ ସ୍ଵାମୀ ଓ ସ୍ତ୍ରୀ ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ଚାକର, ପୂଝାରୀ, ମୂଲିଆ ଶ୍ରେଣୀର ଲୋକ ଦୀର୍ଘଦିନ ପାଇଁ ଏକୁଟିଆ ହେଇ କର୍ମସ୍ଥଳରେ ପଡ଼ି ରହନ୍ତି । ମଧ୍ୟବିତ୍ତ ପରିବାରରେ ସ୍ଵାମୀ ଚାକିରୀଆ ହେଲେ ସ୍ତ୍ରୀ ଗାଆଁରେ ରହି ଜମିବାଡ଼ି ବୁଝେ । ଧନୀ ପରିବାରରେ ମଧ୍ୟ ସବୁବେଳେ ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତି ନାହିଁ । ସ୍ତ୍ରୀ ଓ ସ୍ଵାମୀ ଭିନ୍ନ ଭିନ୍ନ ଜାଗାରେ ଚାକିରୀ କରୁଥିବାରୁ ଏକାଠି ରହିବାର ସୁଯୋଗ ହୁଏ ନାହିଁ । ଏସବୁ ସମସ୍ୟାର ସମାଧାନ କ’ଣ ସେ ବିଷୟ ମଧ୍ୟ ଯୌନ ଶିକ୍ଷାର ଅଙ୍ଗ ହେବା କଥା ।

 

ମନୋବିଜ୍ଞାନୀମାନେ ନିଜର ଚିକିତ୍ସା ଲବଧ ଅଭିଜ୍ଞତାରୁ କହନ୍ତି ଯେ ନରନାରୀର ସୁସ୍ଥ ମାନସିକ ଅବସ୍ଥା ବହୁଳାଂଶରେ ଦୈହିକ ପ୍ରବୃତ୍ତିର ତୃପ୍ତି-ସାଧନ ଉପରେ ନିର୍ଭର କରେ, ଯାହାକୁ ଭୋକ କଲେ ଖାଇବାକୁ ମିଳୁଛି, ସେ କ୍ୱଚିତ୍ ଖାଇବା କଥା ଭାବେ । ତା’ର ଦୈନନ୍ଦିନ ଅନ୍ୟାନ୍ୟ ଚିନ୍ତା ଓ ଭାବନା ତୁଳନାରେ ଖାଦ୍ୟ ଚିନ୍ତା ଅତି ସାମାନ୍ୟ ସ୍ଥାନ ଗ୍ରହଣ କରେ । ମାତ୍ର ଯେ ଅର୍ଦ୍ଧଭୁକ୍ତ ବା ଅଭୁକ୍ତ ଅବସ୍ଥାରେ ଥାଏ, (ଯଥା–ଦୁର୍ଭିକ୍ଷଗ୍ରସ୍ତ ଲୋକ, ଯୁଦ୍ଧବନ୍ଦୀ, ମେରୁଅଭିଯାତ୍ରୀ) ସେ ସର୍ବଦା ଖାଦ୍ୟ କଥା ଚିନ୍ତା କରେ । ଅନ୍ୟ କୌଣସି ଉଚ୍ଚ ଚିନ୍ତା ତା ମନକୁ ଆସେ ନାହିଁ । ଗବେଷଣାରୁ ଜଣାଯାଉଛି ଯେ କ୍ଷୁଧା ପରି ଯୌନ-କାମନା ମଧ୍ୟ ସହଜରେ ପରିତୃପ୍ତ ନ ହେଲେ ମଣିଷର ଚିନ୍ତା ଓ କାର୍ଯ୍ୟକୁ ଗଭୀର ଭାବରେ ପ୍ରଭାବିତ କରେ । ଏହାକୁ ଅବଦମନ କଲେ ମନ ଓ ଚରିତ୍ରରେ ବିକୃତି ଦେଖା ଦିଏ ଓ ଅବଦମନ ନ କଲେ ଲାଳସା ତାଡ଼ିତ ହୋଇ ସାଧୁଲୋକ ମଧ୍ୟ ଅସଦାଚରଣ କରିଥାଏ ।

 

ଅତ୍ୟଧିକ ଯୌନ-ଅବଦମନ ଫଳରେ ମଣିଷଠାରେ ଯେଉଁ ସବୁ ଯୌନ ବିକୃତି (Sado-Masochism, bestiality, necro-philia ଇତ୍ୟାଦି) ଦେଖାଯାଏ ତା’ର ବିଶଦ ଆଲୋଚନା ଫ୍ରଏଡ଼ ଓ ଅନ୍ୟାନ୍ୟ ମନୋବିଜ୍ଞାନୀମାନେ କରିଛନ୍ତି । ଏହାଛଡ଼ା ପୁରୁଷର ପୁରୁଷତ୍ୱ-ହୀନତା, ସ୍ତ୍ରୀଲୋକଙ୍କ ଯୌନ-ଅନାସକ୍ତି ବା ଯୌନ ତୃପ୍ତି ଲାଭର ଅସମର୍ଥତା (Frigidity) ଇତ୍ୟାଦି ଅକ୍ଷମତା ମଧ୍ୟ ଅତିରିକ୍ତ ଯୌନ-ଅବଦମନ ଫଳରେ ହୋଇଥାଏ । ସେହିପରି ଯିଏ ମୂଳରୁ ଅସଂଯମୀ ହେଇ ବଢ଼େ ଓ ନାରୀକୁ ମଣିଷ ବୋଲି ନ ଭାବି ଭୋଗ୍ୟବସ୍ତୁ ବୋଲି ଭାବେ, ସେ ବଳତ୍‍କାର ବା ଧର୍ଷଣ ପରି କାର୍ଯ୍ୟରେ ସହଜରେ ଲିପ୍ତ ହୁଏ । ଏଇ ଉଭୟ ପ୍ରକାର ବ୍ୟବହାର ବ୍ୟକ୍ତିର ଜୀବନରେ ଏବଂ ସମାଜରେ ବିଭିନ୍ନ ସମସ୍ୟା ସୃଷ୍ଟି କରେ । ସେଥିଲାଗି କ’ଣ କଲେ ଶିଶୁ ଭବିଷ୍ୟତରେ ଏପରି ଯୌନ-ବିକୃତି ବା ମାନସିକ ଅସୁସ୍ଥତା ଭୋଗିବ ନାହିଁ ସେ ବିଷୟ ନେଇ ବାପା ମାଆଙ୍କର ମନୋବିଜ୍ଞାନୀଙ୍କ ସହିତ ଆଲୋଚନା କରିବା ଦରକାର ।

 

ସାଧାରଣ ଭାବରେ କହିବାକୁ ଗଲେ ଅସଂଯମତା ପରି ଅତି ସଂଯମତା ମଧ୍ୟ ମଣିଷ ପାଇଁ କ୍ଷତିକାରକ । ଅନ୍ଧ ଭାବରେ ବ୍ରହ୍ମଚର୍ଯ୍ୟ ପାଳନ କରି, ନିଜର ଚରିତ୍ରର ମୌଳିକ ଯୌନତାକୁ ଅସ୍ୱୀକାର କରି ଆମେ ମଣିଷର ସହଜ ସ୍ଵାଭାବିକ ପ୍ରବୃତ୍ତିକୁ ପ୍ରବଳ “ରୀପୁ”ରେ ରୂପାନ୍ତରିତ କରୁ । ଏଇ ରୀପୁତୁଲ୍ୟ ଯୌନ କାମନାକୁ ଦମନ କରି ନିଶ୍ଚିହ୍ନ କରିଦେବାଟା ଭଲକଥା ବୋଲି ଆମର ରକ୍ଷଣଶୀଳ ସମାଜ ଭାବେ । ଏହା ଫଳରେ ବ୍ୟକ୍ତିର ଭଲ ହେଉଛି କି ମନ୍ଦ ହେଉଛି ସେ କଥା ବିଚାର କରେ ନାହିଁ । ନିଜର ସଚେତନ ମନରେ ଏଇ କାମନା ଅନୁଭବ ନ କଲେ ନିଜକୁ ଇନ୍ଦ୍ରିୟଜୟୀ ଭାବି ଆତ୍ମପ୍ରସାଦ ଅନୁଭବ କରୁ । ଏପରି ମାନସିକ ଅବଦମନ ଫଳରେ ମନର ଅଚେତନ ସ୍ତରରେ ନିର୍ବାସିତ କାମନା କିପରି ଆଲୋଡ଼ନ ସୃଷ୍ଟି କରି ମନ ଓ ଚରିତ୍ରରେ ବିକାର ସୃଷ୍ଟି କରେ ସେ ବିଷୟରେ ଭାବୁନା । ଆମେ ତ କ୍ଷୁଧା, ତୃଷ୍ଣା, ନିଦ୍ରା ଏସବୁ ତ୍ୟାଗ କର ବୋଲି ଉପଦେଶ ଦେଉନା, ମାତ୍ର ଯୌନ-କାମନା ତ୍ୟାଗ କରିବାକୁ ସବୁବେଳେ ଉପଦେଶ ଦେଉ । ଏ ବିଷୟଟିକୁ ସାଧାରଣ କଥାବାର୍ତ୍ତାରେ ମଧ୍ୟ ଉଲ୍ଲେଖ କରିବାଟା ଅଭଦ୍ରତା ବୋଲି ପିଲାଦିନରୁ ଆମେ ଶିଖିଥାଉ । ଏହା ଫଳରେ ମନରୁ ଯୌନ କାମନା ଚାଲିଯାଏ ନାହିଁ କେବଳ ଏପରି କାମନାବୋଧ କରିବା ଅନ୍ୟାୟ ବୋଲି ପିଲାଦିନୁ ମଣିଷ ଶିଖେ । ବର୍ତ୍ତମାନ ସମାଜର ଯୌନତା-ବିରୋଧୀ ମନୋଭାବ ହେତୁ ଅଧିକାଂଶ ଲୋକ ସର୍ବସମକ୍ଷରେ ଏହି ବିଷୟ ପ୍ରତି ଅନାସକ୍ତି ପ୍ରକାଶ କରନ୍ତି ମାତ୍ର ମନର ଅସୁସ୍ଥ କୌତୁହଳ ହେତୁ ଏକାନ୍ତରେ ନଗ୍ନ ଚିତ୍ର ଥିବା ପତ୍ର ପତ୍ରିକା ପଢ଼ିବାକୁ ସୁଖ ପାଆନ୍ତି । ସାହିତ୍ୟ ବହିରୁ ବାଛି ବାଛି ଆଦିରସାତ୍ମକ ବର୍ଣ୍ଣନା ପଢ଼ନ୍ତି ଓ ଯେଉଁଠି ନିଜର ଚିହ୍ନା ଜଣା ଲୋକ ନ ଥାନ୍ତି ସେ ସ୍ଥାନରେ ବ୍ୟଭିଚାରରେ ଲିପ୍ତ ହେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଅଥଚ ସେମାନେ ଯଦି ପିଲାଦିନରୁ ଏ ବିଷୟରେ ଭାବି ଚିନ୍ତି କିପରି ସାମାଜିକ ନିୟମ ଅନୁସାରେ ନିଜର କାମନା ପୂରଣ ହେବ ସେ ବିଷୟରେ ଶିଖିଥାଆନ୍ତେ, ତା’ହେଲେ ଏପରି ଭଣ୍ତାମୀ ଓ ପ୍ରତାରଣାର ମନୋଭାବ ସେମାନଙ୍କଠାରେ ଦେଖାଯାଆନ୍ତା ନାହିଁ ।

 

ସ୍ଵାଭାବିକ ସୁସ୍ଥ ଲୋକ ମଧ୍ୟ ଯୌନ କାମନାକୁ ଅଶ୍ଳୀଳ, ମାନସିକ ଦୁର୍ବଳତାର ଲକ୍ଷଣ ବୋଲି ଭାବୁଥିବାରୁ ପ୍ରବୃତ୍ତିବଶ ହୋଇ ସମ୍ଭୋଗ କରନ୍ତି ମାତ୍ର ନିଜର ସଂଯମ ରହିଲାନି ଭାବି ମନରେ ଗ୍ଳାନି ବୋଧ କରନ୍ତି । ମନର ଏଇ ଦ୍ୱନ୍ଦ୍ୱ ମଣିଷର କ୍ଷତି କରେ । ଯେ ବିଷୟଟିକୁ ଖରାପ ବୋଲି ଭାବୁଛ, ଅଥଚ ସେହି ବିଷୟରେ ପ୍ରବୃତ୍ତ ହେଉଛି-ଏପରି ଅବସ୍ଥାରେ ପଡ଼ି ମଣିଷ ନିଜ ମନକୁ ଭୁଲାଇବା ପାଇଁ ବିଭିନ୍ନ କୈଫିୟତ ସୃଷ୍ଟିକରେ । କିଏ ସନ୍ତାନ ଜନ୍ମକରିବା କର୍ତ୍ତବ୍ୟ ବୋଲି ଏପରି କାମ କରୁଛି ବୋଲି ଭାବେ । କିଏ ବା କୁହେ ସଂସାରଧର୍ମ ପାଳନ କର୍ତ୍ତବ୍ୟ ବୋଲି ନିଜର ଅନିଚ୍ଛାରେ ସେ ଏଥିରେ ଲିପ୍ତ ହେଉଛି । ଆଉ କେତେକ ନିଜର ଦାୟିତ୍ୱ ବା ଆଗ୍ରହ ମଧ୍ୟ ସ୍ଵୀକାର କରନ୍ତି ନାହିଁ । ଅନ୍ୟଲୋକ ପ୍ରଲୋଭିତ କରି ଏଥିରେ ପ୍ରବର୍ତ୍ତାଇଛି ବୋଲି ଭାବନ୍ତି । ପୁରାଣରେ ଉର୍ବଶୀ, ରମ୍ଭା, ଓ ମେନକାଙ୍କର କାମ ହେଲା ମୁନିଋଷିଙ୍କୁ ପ୍ରଲୁବଧ କରିବା । ପ୍ରକୃତି ଯଦି ମଣିଷକୁ କାମଶୂନ୍ୟ କରି ଗଢ଼ିବାକୁ ଚାହିଁଥାଆନ୍ତା ତାହେଲେ ମଣିଷକୁ ଇନ୍ଦ୍ରିୟ-ବିଭବ ଦେଇ ଗଢ଼ି ନଥାନ୍ତା କିମ୍ବା କାମନାର ବହ୍ନିଶିଖାମୟ ଆନନ୍ଦବୋଧ କରିବାର ଶକ୍ତି ଦେଇ ନଥାନ୍ତା । ଗଛଲତା ଯେମିତି ଫୁଲ ଓ ଫଳ ସୃଷ୍ଟି କରନ୍ତି ମଣିଷ ମଧ୍ୟ ସେହି ଉପାୟରେ ବଂଶବୃଦ୍ଧି କରୁଥାଆନ୍ତା । ମଣିଷର ଗଠନ କାହିଁକି ଅନ୍ୟ ପ୍ରକାର ହେଲା ସେ କଥା ଚିନ୍ତାକଲେ ଆମେ ଆମର ସହଜାତ ପ୍ରକୃତିର ବିରୋଧ ନ କରି ବରଂ ଏଇ ପ୍ରକୃତିକୁ ନିଜ ଜୀବନର ଅନୁଗାମୀ କରି ସାବଲୀଳ ଭାବରେ ଜୀବନ କଟାଇବୁ । ପିଲାର ମାନସିକ ସ୍ଵାସ୍ଥ୍ୟ ଦୃଷ୍ଟିରୁ ଏଇ ବିଷୟରେ ସେ ଯଦି ମୂଳରୁ ଶିକ୍ଷିତ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବଢ଼ିଉଠେ ତା’ହେଲେ ଭବିଷ୍ୟତରେ ତାର ଉତ୍ସୁଙ୍ଖଳ ବା ମାନସିକ ରୋଗଗ୍ରସ୍ତ ହେବାର ସମ୍ଭାବନା ବହୁତ କମିଯିବ । ତେଣୁ ଅନଭିଜ୍ଞ ସାଙ୍ଗ ବା ଅଶିକ୍ଷିତ ଚାକର ପାଖରୁ ଏ ବିଷୟ ନ ଶିଖି ନିଜ ଘରୁ ବାପାଙ୍କଠାରୁ ଏ ବିଷୟ ଶିଖିଲେ ପିଲାର ମଙ୍ଗଳ ହେବ । ବାପା ଓ ବୋଉ ପିଲାଙ୍କୁ ଏ ସମ୍ପକରେ କିଭଳି ଶିଖାଇବେ ସେ ବିଷୟ କ୍ରମେ ଆଲୋଚନା କରାଯାଉଛି ।

 

ବିଭିନ୍ନ ବିଷୟ ଜାଣିବାକୁ ପିଲାର ଯେପରି କୌତୂହଳ ଥାଏ, ସେହିପରି ଯୌନତା ଓ ଜନ୍ମ ବିଷୟରେ ସେ ଜାଣିବାକୁ ଆଗ୍ରହୀ ହୁଏ । ପିଲାଙ୍କୁ ଘରେ ଏ ବିଷୟ ନ କହି ବାଆଁରେଇ ଦେଲେ ସେ ବାହାରୁ ଭୁଲଭାଲ ଶିଖିବେ । ତେଣୁ ଘରେ ଏ ବିଷୟରେ ପିଲା ପ୍ରଶ୍ନ ପଚାରିଲେ ତାକୁ ସିଧାସଳଖ ଓ ସଂକ୍ଷିପ୍ତ ଉତ୍ତର ଦେଲେ ଭଲ । ଆଭାସ ଓ ଇଙ୍ଗିତରେ କହିଲେ ସେମାନେ ଭୁଲ ଅର୍ଥ କରିବେ । ଗୋଟିଏ ଦୃଷ୍ଟାନ୍ତ ଦିଆଯାଉଛି । ପାଞ୍ଚବର୍ଷ ବୟସର ପିଲାର ମାଆ ପୁଣି ଛୁଆ ଜନ୍ମକରିବ ଶୁଣି ପିଲାଟି ବାପାଙ୍କୁ ଏ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଲା । ତାର ବାପା ଜଣେ ଶିକ୍ଷିତ ଭେଟନାରୀ ଡାକ୍ତର । ସିଏ ପୁଅକୁ ଫୁଲରୁ କେମିତି ଫଳ ହୁଏ, ଚଢ଼େଇ କେମିତି ଅଣ୍ଡା ଦିଏ ଏସବୁ କହି ପ୍ରାଣୀର ଜନ୍ମବୃତ୍ତାନ୍ତ ବୁଝେଇବାକୁ ଚେଷ୍ଟାକଲେ । ପୁଅ କହିଲା ଏସବୁ ବୁଝିଗଲି । କିନ୍ତୁ ମା’ର କେମିତି ପିଲା ହବ ? ଶେଷରେ ବାପା ତାକୁ କୃଷି ଫାର୍ମକୁ ନେଇ ଷଣ୍ଢଆଡ଼ୁ କେମିତି ଗାଈର ବାଛୁରୀ ହେଉଛି ସେ କଥା ଦେଖେଇ ବୁଝେଇଦେଲେ । ଏହାପରେ ପିଲା ତାର ସାଙ୍ଗମାନଙ୍କୁ କହିଲା–“ଷଣ୍ଢଆଡ଼ୁ ମାଆର ପିଲା ହବ । ସେ ପିଲା ମୋ ମାଆର ପିଲା ବୋଲି ବାଛୁରୀ ନ ହୋଇ ମଣିଷ ହେବ ।”

 

ଏଠି ବୁଝିବା କଥା ଯେ ଜନ୍ମର ସାଧାରଣ ନିୟମ ଜାଣିବାକୁ ପିଲା ଆଗ୍ରହବୋଧ କରନ୍ତି ନାହିଁ । ସେ ମାଆର କେମିତି ପିଲା ହବ କେବଳ ସେହି ବିଷୟଟି ଶୁଣିବାକୁ ଚାହୁଁଛି । ଚାରି ପାଞ୍ଚବର୍ଷ ପିଲାଙ୍କ ସାଙ୍ଗରେ କଥାବାର୍ତ୍ତା କଲେ ଦେଖିବେ ଯେ ସେମାନେ ପିଲା କେମିତି ଗର୍ଭରେ ସଞ୍ଚାର ହେଲା ସେ ବିଷୟ ଅପେକ୍ଷା, ପିଲା ପେଟ ଭିତରେ ଥାଇ କେମିତି ଖାଉଛି, କେଉଁଠି ଝାଡ଼ା ପରିସ୍ରା କରୁଛି, ପିଲା କେତେ ବଡ଼, ଏତେ ସାନ ପେଟ ଭିତରେ କେମିତି ବଡ଼ ପିଲାଟିଏ ରହିପାରୁଛି ଏସବୁ ଜାଣିବାକୁ ଚାହାନ୍ତି । ଏଥିଲାଗି ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ତାକୁ ପଚାରି ବୁଝିବା କଥା ଯେ ସେମାନେ କଣ ଭାବୁଛନ୍ତି । ପିଲାର ଧାରଣା ଶୁଣିଲା ପରେ ପିଲାର ବୁଝିବା କ୍ଷମତା ଅନୁସାରେ ତା’କୁ ବୁଝାଇବା କଥା । ପଶୁପକ୍ଷୀ, ଗଛପତ୍ର, ଏସବୁ ଏକାଠି ମିଶେଇ ଉତ୍ତର ଦେଲେ ପିଲାର ବୁଝିବା ଗୋଳମାଳିଆ ହୋଇଯିବ ।

 

ଆମ ନିଜ ମନର ସଂକୋଚ ହେତୁ ଜନ୍ମବୃତ୍ତାନ୍ତଠାରୁ ଆରମ୍ଭ କରି ନିଜ ଦେହ ବିଷୟରେ ପିଲା ସହିତ ସହଜ ଭାବରେ କଥାବାର୍ତ୍ତା କରି ପାରୁନାହିଁ । ପିଲା ନିଜର ଜନ୍ମ ବିଷୟକୁ ଯେପରି ଅଶ୍ଳୀଳ ନ ଭାବେ ସେଥିପ୍ରତି ଆମର ଦୃଷ୍ଟିଦେବା ଉଚିତ । ସେହିପରି ଜନ୍ମ ପ୍ରକ୍ରିୟାରେ ଯେଉଁ ଅଙ୍ଗ ସଂଶ୍ଳିଷ୍ଟ ସେ ଅଙ୍ଗକୁ ମଧ୍ୟ ଅଶ୍ଳୀଳ ବା ଅସଭ୍ୟ ବୋଲି ଭାବିବା ଠିକ୍ ନୁହେଁ । ସେଥିଲାଗି କାନ, ନାକ, ହାତ, ଗୋଡ଼ ପରି ଲିଙ୍ଗ, ଯୋନି, ମଳଦ୍ଵାର, ପିଚା ଇତ୍ୟାଦି ନାଁ ଗୁଡ଼ିକୁ ପିଲାକୁ ମୂଳର ସଠିକ ଭାବରେ ଶିଖାଇବା କଥା ।

 

ପିଲା ଲଙ୍ଗଳା ହେଇ ଘରେ ବୁଲିଲେ କ୍ଷତି ନାହିଁ । ଯଦି ନିଜକୁ ଅଡ଼ୁଆ ଲାଗେ ତା’ହେଲେ ବିଲାତୀ କାଇଦାରେ ‘ଶେମ୍’ ‘ଶେମ୍’ ନ କହି ପିଲାକୁ ପେଣ୍ଟଟାଏ ପିନ୍ଧେଇ ଦବ । ପିଲା କାରଣ ପଚାରିଲେ ବୁଝେଇ କହିବ ଯେ ଧୂଳି ବାଲି ଲାଗିଲେ ଦେହ କୁଣ୍ଡେଇ ହେବ । ଅନେକ ସମୟରେ ଜନ୍ଦା, ପିମ୍ପୁଡ଼ି କାମୁଡ଼ି ଦିଅନ୍ତି, ସେତେବେଳେ ପେଣ୍ଟ ପିନ୍ଧିଲେ କ’ଣ ସୁବିଧା ସେକଥା ବୁଝେଇ କହିବ । ଆଉ ଟିକେ ବଡ଼ ହେଲେ (୪ । ୫ ବର୍ଷ) କାହିଁକି ବଡ଼ମାନେ ଆଢ଼ୁଆଳରେ ବିଭିନ୍ନ କାମ କରନ୍ତି ସେ କଥା ବୁଝେଇ କହିବ । ଯେଉଁ ବିଷୟ ସହିତ ଅନ୍ୟର କୌଣସି ସମ୍ପର୍କ ନାହିଁ, ସେ କାମ ଆମେ ଅନ୍ୟର ସାମ୍ନାରେ ନକରି ଏକୁଟିଆ ଆଢ଼ୁଆଳରେ କରୁ । କେତେକ କାମ ଅନ୍ତରଙ୍ଗ ଲୋକଙ୍କ ସହିତ କରୁ ବା ସେ ବିଷୟରେ ସେମାନଙ୍କ ସହିତ କଥାବାର୍ତ୍ତା କରୁ । ଅନ୍ୟ କେତେକ ବିଷୟ ପ୍ରକାଶରେ ସମସ୍ତଙ୍କ ସାମ୍ନାରେ କରୁ ।

 

ସାନ ପିଲାଙ୍କୁ ଏକୁଟିଆ ପାଇଲେ ଅନେକ ଲୋକ ସୁବିଧା ନେଇ ଖରାପ ବ୍ୟବହାର କରନ୍ତି । ତେଣୁ ପିଲାକୁ ତିନି, ଚାରିବର୍ଷ ହେଲେ ଡାକ୍ତର ଓ ବାପା ମାଆ ଛଡ଼ା ଆଉ କାହାକୁ ସେ ତା ଦେହରେ ଯେମିତି ହାତ ମାରିବାକୁ ନ ଦିଏ ସେ ବିଷୟଟି ଭଲରେ ଶିଖାଇବା କଥା । ଘରର ଚାକର ବାକର ଆତ୍ମୀୟ ସ୍ୱଜନ ଅନେକ ସମୟରେ ମଧ୍ୟ ପିଲାକୁ ନେଇ ନିଜର ବିକୃତ କାମନା ଚରିତାର୍ଥ କରନ୍ତି । ତେଣୁ ଏ ବିଷୟରେ ସତର୍କ ହବା ଉଚିତ୍ । ଆମ ଦେଶରେ ଆମେ ଝିଅମାନଙ୍କୁ ବେଶୀ ଜଗୁ । ମାତ୍ର ଅନେକ ମଧ୍ୟବିତ୍ତ ସ୍ତ୍ରୀଲୋକ ସମକାମୀଣ (Homo sexuality) ବିଷୟରେ ଅଜ୍ଞ ଥିବାରୁ ପୁଅ ପ୍ରତି ସେତେ ଜାଗ୍ରତ ହୁଅନ୍ତି ନାହିଁ । ତେଣୁ ସ୍ଵାମୀମାନଙ୍କର ଏ ବିଷୟଟି ସ୍ତ୍ରୀକୁ ବୁଝାଇବା ଉଚିତ୍ । ପିଲାମାନଙ୍କୁ କେମିତି ଏଭଳି ବିପଦରୁ (Sexual abuse) ରକ୍ଷା କରି ହେବ ସେ କଥା ମଧ୍ୟ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା । ଚାକିରିଆ ବାପା ମାଆ ପିଲାକୁ ବାଧ୍ୟ ହେଇ ଚାକର ପାଖରେ ଛାଡ଼ିଯାନ୍ତି ବୋଲି ଏଇ ବିପଦ କଥା ଭାବିବାକୁ ଚାହାନ୍ତି ନାହିଁ । ନିଜର ଆତ୍ମୀୟସ୍ୱଜନ କିମ୍ବା ଶିକ୍ଷିତ ଭଦ୍ରଲୋକଙ୍କର ଯୌନ ବିକୃତି ଯେ ଅଛି ଏ କଥା ବିଶ୍ଵାସ କରି ପାରନ୍ତି ନାହିଁ । ମାତ୍ର ଶାରୀରିକ ରୋଗ ପରି ମାନସିକ ବିକୃତି ସମାଜର ସବୁ ଶ୍ରେଣୀର ଲୋକଙ୍କ ଠାରେ ଦେଖାଯାଏ । ଧନୀ, ନିର୍ଧନ, ଶିକ୍ଷିତ, ଅଶିକ୍ଷିତ କିମ୍ବା ନାରୀ ଓ ପୁରୁଷ ନିର୍ବିଶେଷରେ ଯୌନ ବିକୃତି ଦେଖାଯାଏ ।

 

ଦୁଇ ତିନି ବର୍ଷର ପିଲା ପୁରୁଷ ଓ ନାରୀର ଶାରିରୀକ ଗଠନର ତଫାତ୍ ବାରି ପାରନ୍ତି । ସେଥିଲାଗି କେହି ଗାଧୋଉଥିଲେ, କିମ୍ୱା ଲୁଗାପଟା ବଦଳାଉଥିଲେ ସେମାନେ କୌତୂହଳୀ ହେଇ ସେଠାରେ ଠିଆ ହେଇ ଅନେଇ ଦେଖନ୍ତି । ଗାଧୁଆଘରେ କବାଟ ବନ୍ଦ କରି ପରିସ୍ରା କଲେ କବାଟ ଫାଙ୍କରେ ଅନେଇ ଦେଖନ୍ତି । ରାସ୍ତାରେ ଠିଆ ହେଇ ଲୋକ ପରିସ୍ରା କରୁଥିଲେ ସେକଥା ମଧ୍ୟ ଆଗ୍ରହରେ ଲକ୍ଷ୍ୟ କରନ୍ତି । ଏପରି ବ୍ୟବହାର ଦେଖିଲେ ପିଲାକୁ ‘ବଜାରୀ ଛତରା’ କହି ଗାଳି ନ ଦେଇ ବୁଝେଇ ଦବା କଥା ଯେ–“ଝାଡ଼ା, ପରିସ୍ରା ଯିବା, ଲୁଗା ବଦଳେଇବା ଇତ୍ୟାଦି ଅନ୍ୟଲୋକଙ୍କ ସାମ୍ନାରେ କରିବାକୁ ଲୋକେ ଭଲ ପାଆନ୍ତି ନାହିଁ ।” ସେତେବେଳେ ସେଠିକି କେହି ଯିବ ନାହିଁ ।

 

ପିଲା ଅବଶ୍ୟ ରାସ୍ତା କରରେ ଲୋକେ ଝାଡ଼ା ପରିସ୍ରା କରିବାର ଦେଖିବ । କେନାଲ ପାଣିରେ କି ରେଳ ଷ୍ଟେସନରେ ପ୍ରାୟ ଅନାବୃତ ହେଇ ମଣିଷ ଗାଧୋଇବାର ଓ ଶୌଚ ହେବାର ଦେଖି ପ୍ରଶ୍ନ ପଚାରିବ, ତା’ର ଉତ୍ତର ହେଲା-ଆମ ଘରେ ଏଭଳି ଚଳିବ ନାହିଁ । ଆମ ଘର ପିଲା, ଆମ ପରି ଚଳିବ । ବାହାରେ ଉଲଗ୍ନ ଅବସ୍ଥାରେ ଝାଡ଼ା ପରିସ୍ରା କରିବା ଓ ଗାଧୋଇବା ପରିଚ୍ଛନ୍ନତା ଦୃଷ୍ଟିରୁ ଅନୁଚିତ । ଚାରି ପାଞ୍ଚ ବର୍ଷର ପିଲା ସାଙ୍ଗ ହେଇ ‘ଡାକ୍ତର-ରୋଗୀ’ କିମ୍ବା ‘ବୋହୂ ବୋହୂକା’ ପରି ଘର କରଣା ଖେଳନ୍ତି । ଏପରି ଖେଳିଲାବେଳେ ଯିଏ ଡାକ୍ତର ହେଇଥାଏ ସେ ଖେଳ ବାହାନାରେ ରୋଗୀର ମଳଦ୍ୱାର ପରିସ୍ରାଦ୍ୱାର ପରୀକ୍ଷା କରି ଦେଖେ । ବୋହୂ ବୋହୂକା ଖେଳରେ ପିଲା ସ୍ଵାମୀ-ସ୍ତ୍ରୀ ବା ବର-କନ୍ୟା ହୋଇ ଖେଳନ୍ତି । ଏପରି କ୍ଷେତ୍ରରେ ସେମାନେ ସ୍ୱାମୀ-ସ୍ତ୍ରୀକୁ ଅନୁକରଣ କରି ଏକାଠି ଶୁଅନ୍ତି । ଏମାନଙ୍କ ଭିତରୁ କେହି ଯଦି କୌଣସି ସ୍ଵାମୀ-ସ୍ତ୍ରୀକୁ ଅସତର୍କ ଥବସ୍ଥାରେ ଦେଖିଥାଏ । ତା’ହେଲେ ନିଜ ଖେଳକୁ ଆହୁରି ବାସ୍ତବମୟ କରିବା ଲାଗି ନିଜ ଖେଳଘରର ସ୍ତ୍ରୀକୁ ଚୁମ୍ବନ ବା ଆଲିଙ୍ଗନ କରିଥାଏ । ଏପରି ଅବସ୍ଥାରେ ପିଲାଙ୍କୁ ଦେଖିଲେ କ’ଣ କରିବ ?

 

ଆମ ଦେଶରେ ସାଧାରଣତଃ ପିଲାଙ୍କୁ ବହୁତ ଧମକେଇ ଗାଳି ଦେଇ ତଡ଼ି ଦେବେ, କିମ୍ବା ବାଡ଼େଇବେ । ଏପରି ଶାସନ ଫଳରେ ପିଲା ଖେଳ ବନ୍ଦ କରନ୍ତି ନାହିଁ ବରଂ ଲୁଚେଇ ଚୋରେଇ ଯେମିତି ଧରା ନ ପଡ଼ିବେ ସେ ବ୍ୟବସ୍ଥା କରି ଖେଳିବେ । ବର୍ତ୍ତମାନ ବିଷୟଟି ନିଷିଦ୍ଧ ହେଇଥିବାରୁ ଏ ବିଷୟରେ ସେମାନଙ୍କର କୌତୂହଳ ଆହୁରି ବଢ଼େ । କାହିଁକି ଏପରି କରିବା କଥା ନୁହଁ ସେ ବିଷୟରେ ବୁଝେଇ ନ ପାରିଲେ ଅମାନିଆ ପିଲାମାନେ ନିଷେଧ ମାନିବେ ନାହିଁ । ଚୁପ୍ ଚାପ୍ ପିଲା ହେଇଥିଲେ ଗାଳି ଖାଇଲାରୁ ତା ମନରେ ଏତେ ଆତ୍ମଗ୍ଳାନି ଓ ଅପରାଧବୋଧ ଜନ୍ମିବ ଯେ ସେ ଘଟଣାଟା ଭୁଲିଗଲା ପରେ ମଧ୍ୟ ଯୌନ ସମ୍ପର୍କୀୟ ବିଷୟ ନେଇ ଉତ୍କଣ୍ଠା ବୋଧ କରିବ । ବହୁ ପ୍ରାପ୍ତ- ବୟସ୍କ ଯୌନ ସମସ୍ୟାଗ୍ରସ୍ତ ରୋଗୀଙ୍କଠାରେ ଦେଖାଯାଇଛି ଯେ ପିଲାଦିନରୁ ସେମାନେ ଯୌନତାକୁ ଖରାପ ଓ ଅଶ୍ଳୀଳ ବୋଲି ଭାବି ବଢ଼ିଥିବାରୁ ବିବାହ ପରେ ହଠାତ୍ ଯୌନ ସମ୍ପର୍କ ସ୍ଥାପନ କରି ପାରନ୍ତି ନାହିଁ । ଦେହର ତାଡ଼ନାରେ ପ୍ରବୃତ୍ତି ବଶ ହୋଇ କଲେ ମଧ୍ୟ ପରେ ମାନସିକ ବିତୃଷ୍ଣା ଓ ଉତ୍କଣ୍ଠା ଅନୁଭବ କରନ୍ତି । ସେଥିଲାଗି ପିଲାର ଜାଣିବା ଉଚିତ୍ ଯେ ଯୌନକ୍ରିୟା ଖରାପ ବିଷୟ ନୁହେଁ । ମାତ୍ର ସ୍ୱାମୀ-ସ୍ତ୍ରୀ ସମ୍ୱନ୍ଧ ବାହାରେ ଅନ୍ୟ ସହିତ ଏପରି ବ୍ୟବହାର କରିବା କଥା ନୁହେଁ ।

 

ସେଥିଲାଗି ପିଲାଙ୍କୁ ଏପରି ଖେଳିବାର ଦେଖିଲେ ସାଙ୍ଗେ ସାଙ୍ଗେ ଖେଳର କଦର୍ଥ ନ କରି, ପିଲାଙ୍କୁ ଅନ୍ୟ ଗୋଟାଏ କଥା କହି ସେଠାରୁ ଚାଲି ଆସିବ । ଘରେ ଶୋଇଲାବେଳେ କିମ୍ବା ଏକାଠି ବୁଲିଗଲାବେଳେ ନିଜର ଓ ପିଲାର ମନ ଶାନ୍ତ ଥିଲାବେଳେ ତାକୁ ଏପରି ଖେଳ ଖେଳିବାକୁ ମନା କରିବ । ହୁଏତ ସେ ମାଆର ବାରଣ ଶୁଣି ଏହିପରି ପଚାରିପାରେ–

 

ପିଲା–ଖେଳିଲେ କ’ଣ ହେଲା ?

 

ଉ-ପ୍ରଥମେ ତୁମେ ସଫା ସୁତୁରା ନୁହଁ । ସତ ଡାକ୍ତର ହାତ ସଫା କରି ରୋଗୀର ମଳଦ୍ଵାର ବା ପରିସ୍ରାଦ୍ଵାର ଦେଖନ୍ତି । କାରଣ ସେଠି ମଇଳା ହାତ ଲାଗିଲେ ରୋଗ ହବ । ଦ୍ୱିତୀୟରେ ସାହିରେ ଅନ୍ୟମାନେ ଏଭଳି ଖେଳ ପସନ୍ଦ କରନ୍ତି ନାହିଁ । ତୁ ତାଙ୍କ ପିଲାକୁ ଖରାପ ଖେଳ ଶିଖଉଛୁ ଭାବି ସେମାନେ ବିରକ୍ତ ହେଇ ପାରନ୍ତି ।

 

ପିଲା–କାହିଁକି ଖରାପ ଖେଳ ବୋଲି ଭାବନ୍ତି ?

 

ଉ–ଆମ ଦେଶରେ ବଡ଼ ହେଇ ବାହା ନ ହେଲା ଯାକେ ସତ ସ୍ଵାମୀ-ସ୍ତ୍ରୀ ପରି ଅନ୍ୟ ସହିତ ବ୍ୟବହାର କରିବା ମନା । ସେଥିଲାଗି ଖରାପ ଭାବନ୍ତି । ଦ୍ୱିତୀୟରେ ଏସବୁ ଅଙ୍ଗକୁ ଘୋଡ଼ାଇ ରଖାଯାଏ । ଅନ୍ୟମାନେ ଆମର ଏହି ଅଙ୍ଗ ଦେଖନ୍ତି ନାହିଁ କିମ୍ବା ତାଙ୍କୁ ଦେଖାଇବା କଥା ନୁହେଁ । ରୋଗ ହେଲେ ଡାକ୍ତର ବା ନିଜ ବାପା ମାଆ ଏସବୁ ଜାଗା ଦେଖନ୍ତି ।

 

ପିଲା–ମାଆ, ଲିଲି ମୋ ପରି ଠିଆହେଇ ଦୂରକୁ ପରିସ୍ରା କରିପାରେନି‍ । ସେ ଠିଆହେଇ ପରିସ୍ରା କଲେ ତାର ଗୋଡ଼ଯାକ ପରିସ୍ରା ବୋହିଯାଏ ।

 

ମାଆ–ଝିଅମାନଙ୍କ ଦେହ ଅଲଗା ଭାବରେ ତିଆରି ହୋଇଛି । (ଏଠାରେ ଯଦି ପିଲା କୌତୂହଳ ଦେଖାଇ ପଚାରେ କାହିଁକି ଅଲଗା ତିଆରି ହୋଇଛି, ତା’ହେଲେ ସେକଥା ତାକୁ ବୁଝାଇବ, ନଚେତ୍ କହିବା ଦରକାର ନାହିଁ ।) ଝିଅମାନେ ବଡ଼ ହେଲେ ମାଆ ହେବେ, ପିଲା ଜନ୍ମ କରିବେ । ସେଥିଲାଗି ସେମାନଙ୍କର ପୁଅଙ୍କ ଭଳି ଲିଙ୍ଗ ନାହିଁ, କାରଣ ଲିଙ୍ଗରେ ପିଲା ଜନ୍ମ ହେବାପାଇଁ ଦ୍ୱାର ନାହିଁ, କେବଳ ପରିସ୍ରା ଦ୍ୱାର ରହିଛି । ସ୍ତ୍ରୀ ଲୋକଙ୍କ ଯୋନିରେ ଦୁଇଟି ଦ୍ୱାର ରହିଛି । ଗୋଟିଏ ପରିସ୍ରାଲାଗି ଆରଟି ପିଲାଲାଗି । ୮ ।୧୦ ବର୍ଷ ବୟସ ହେଲେ ପିଲାକୁ ଶରୀର ବିଜ୍ଞାନ ବହିରୁ ଛବି ଦେଖାଇ ପୁରୁଷ ଦେହ ଭିତରେ କିପରି ବୃକକ୍, ମୂତ୍ରସ୍ଥଳୀ, ମୂତ୍ରନାଳୀ ଥାଏ ଦେଖାଇବେ ଓ ସ୍ତ୍ରୀ ଲୋକଙ୍କର ଦେହ ଭିତରେ ବୃକ୍‍କ, (କିଡ଼ନୀ) ମୂତ୍ରସ୍ଥଳୀ ଓ ମୂତ୍ରନାଳୀ ଦେହଭିତରୁ ବାହାରକୁ ଆସିଛି ସେକଥା ମଧ୍ୟ ଦେଖାଇବେ । ଏହାଛଡ଼ା ସ୍ତ୍ରୀଲୋକଙ୍କ ଦେହରେ ଡିମ୍ବକୋଷ (ovary) ଡିମ୍ବନଳୀ ଜରାୟୁ ଓ ଜନ୍ମପଥ (birth canal) ଦେଖାଇବେ । ଝିଅମାନଙ୍କର ଋତୁ ଆରମ୍ଭ ହେବାର ବୟସ ହେଲେ ଏ ବିଷୟଟି ସେମାନଙ୍କୁ ବୁଝାଇ କହିବା ଦରକାର । ଏଥିଲାଗି ଷଷ୍ଠ ବା ସପ୍ତମ ଶ୍ରେଣୀରେ ପଢ଼ୁଥିବା ଝିଅମାନଙ୍କୁ ସ୍କୁଲରେ ଶିକ୍ଷାଦେଲେ ଭଲ । ସ୍ଥାନୀୟ ହେଲଥ ଭିଜିଟର ବା ଲେଡି ଡାକ୍ତରଙ୍କୁ ସ୍କୁଲକୁ ଡାକି ଏ ବିଷୟଟି ଛାତ୍ରୀମାନଙ୍କୁ ଆଲୋଚନା ମାଧ୍ୟମରେ ଶିଖାଇଲେ କାହାକୁ ଅଡ଼ୁଆ ଲାଗିବ ନାହିଁ ।

 

୧–ଋତୁକାଳରେ ଦେହର ପରିବର୍ତ୍ତନ, ୨–ଋତୁର ଅନିମୟତା, ୩–ପରିଷ୍କାର ପରିଚ୍ଛନ୍ନତା, ୪–ମାତୃଗର୍ଭରେ ଶିଶୁର ସଞ୍ଚାର, ୫–ଶିଶୁର ଜନ୍ମ, ୬–ଯୌନବ୍ୟାଧି ଓ ଏହାର ପ୍ରତିଷେଧ ଇତ୍ୟାଦି ବିଷୟ-ଗୁଡ଼ିକ ଆଲୋଚନା କଲେ ପିଲାଙ୍କର ଉପକାର ହେବ । ଆମ ଦେଶରେ ଅଧିକାଂଶ ମାଆ ଶରୀର ବିଜ୍ଞାନ ପଢ଼ିନାହାନ୍ତି । ଦ୍ୱିତୀୟରେ ନିଜେ ଅଲଗା ପ୍ରକାରରେ ବଢ଼ିଥିବାରୁ ନିଜ ଝିଅ ସହିତ ଏସବୁ ବିଷୟ ଆଲୋଚନା କରିବାକୁ ସେମାନଙ୍କୁ ଅଡ଼ୁଆ ଲାଗିବ । ଏଥିଲାଗି ସ୍କୁଲ ମାଧ୍ୟମରେ ଶିକ୍ଷାଦେବାର ବିଶେଷ ପ୍ରୟୋଜନ ଆମ ଦେଶରେ ରହିଛି ।

 

ସ୍ତ୍ରୀ ଲୋକଙ୍କର ଋତୁ ବିଷୟରେ କେତୋଟି ସାଧାରଣ ପ୍ରଶ୍ନ ଓ ଉତ୍ତର

 

ପ୍ରଶ୍ନ–ଋତୁସ୍ରାବ କଅଣ ?

 

ଉତ୍ତର–ସ୍ତ୍ରୀ ଲୋକଙ୍କର ଯୌବନ ଆରମ୍ଭ ହେଲେ ଯୋନିଦ୍ୱାର ଦେଇ ରକ୍ତ କ୍ଷରଣ ହୁଏ-। ସାଧାରଣତଃ ଚାରିରୁ ସାତଦିନ ପର୍ଯ୍ୟନ୍ତ ଏପରି କ୍ଷରଣ ହେବାର ଦେଖାଯାଏ ।

 

ପ୍ରଶ୍ନ–ଏପର ରକ୍ତସ୍ରାବ କାହିଁକି ହୁଏ ?

 

ଉତ୍ତର–ଶୈଶବରେ ନିଷ୍କ୍ରିୟ ଥିବା ଯୋନିଗ୍ରନ୍ଥି କୈଶୋରରେ ସକ୍ରିୟ ହେବାରୁ ଏହାର କ୍ଷରଣ ଫଳରେ ଡିମ୍ବକୋଷରୁ (ovary) ଡିମ୍ବ ନିଷ୍କାସନ ହୁଏ । ଏଇ ଡିମ୍ବ ଡିମ୍ବନାଳ (fellopian tube) ଦେଇ ଖସିଆସି ଜରାୟୁରେ ରୁହେ । ଜରାୟୁରେ ମଧ୍ୟ ପରିବର୍ତ୍ତନ ହୁଏ । କାରଣ ଏଇ ଡିମ୍ୱ ମଧ୍ୟରେ ପୁରୁଷର ଶୁକ୍ରରେ ଥିବା ଶୁକ୍ରାଣୁ ପ୍ରବେଶ କଲେ ଡିମ୍ୱଟି ଜୀବନ୍ୟାସ ପାଇ (Fertilized egg cell) କାଳକ୍ରମେ ସନ୍ତାନରେ ପରିଣତ ହୁଏ । ଏଇ ଭବିଷ୍ୟତ ଶିଶୁର ଆଶ୍ରୟ ପାଇଁ ଜରାୟୁର ଭିତରପଟ କାନ୍ଥରେ ଗୋଟାଏ ମୋଟା ସ୍ପଞ୍ଜପରି ରକ୍ତତନ୍ତୁର ଆସ୍ତରଣ ସୃଷ୍ଟି ହୁଏ । ଯଦି ଡିମ୍ବଟିର ଜୀବନ୍ୟାସ ନ ହୁଏ ତା’ହେଲେ ଏଇ ଆସ୍ତରଣ ଅଦରକାରୀ ହେଇଯାଏ । ଡିମ୍ବଟିର ସ୍ଥିତିକାଳ ସରିଗଲେ ଏଇ ଆସ୍ତରଣ ଜରାୟୁ କାନ୍ଥରୁ ଖସିଯାଏ ଓ ଡିମ୍ବ ସହିତ ପ୍ରସବ ଦ୍ଵାର ଦେଇ ଦେହ ବାହାରକୁ ବାହାରିଯାଏ । ନାକରୁ ସିଙ୍ଘାଣୀ ବା ତଣ୍ଟିରୁ ଯେମିତି ଛେପ ଖଙ୍କାର ବାହାରେ, ଏ ସେହିପରି ଶରୀରର ଅଦରକାରୀ ପଦାର୍ଥ । ଏଥିରେ ଅଳ୍ପ ରକ୍ତ ମିଶିଥିବାରୁ ଏହା ରକ୍ତସ୍ରାବ ପରି ଜଣାଯାଏ; ମାତ୍ର ଧମନୀ ବା ଶିରାରେ ବୋହୁଥ୍‌ବା ରକ୍ତଠାରୁ ଏଇ ରକ୍ତ ଅଲଗା । ସେଥିଲାଗି ଚାରି ପାଞ୍ଚଦିନ ଧରି ଅବିରତ ଏଇ ସ୍ରାବ ଚାଲିଥିଲେ ମଧ୍ୟ ଦେହର କୌଣସି କ୍ଷତି ହୁଏନାହିଁ । ପ୍ରାୟ ପ୍ରତି ୨୮ ଦିନପରେ ମାସକୁ ଥରେ ଏହିପରି ଋତୁସ୍ରାବ ହୁଏ । ଗାଆଁରେ ସେଥିଲାଗି ଅନେକେ ଏହି ଅବସ୍ଥାକୁ ‘ମାସିକିଆ’ ବୋଲି କହିଥାଆନ୍ତି ।

 

ପ୍ରଶ୍ନ–କେତେଦିନ ଋତୁସ୍ରାବ ରୁହେ ?

 

ଉତ୍ତର–ସାଧାରଣତଃ ତିନିଦିନରୁ ସାତଦିନ ପର୍ଯ୍ୟନ୍ତ । ପ୍ରଥମ ଋତୁସ୍ରାବ ଆରମ୍ଭ ହେଲାପରେ କେତେକ ଝିଅଙ୍କର ନିୟମିତ ଭାବରେ ପ୍ରତ୍ୟେକ ମାସରେ ଏପରି ସ୍ରାବ ହୁଏ ଓ ଆଉ କେତେକଙ୍କର ଦୁଇ ତିନ ମାସରେ ଥରେ ଓ କାହାରି କାହାରି ଛଅ ସାତ ମାସପରେ ପୁଣି ସ୍ରାବ ଆରମ୍ଭ ହୁଏ । କାହାର ପୁଣି ତିନି ସପ୍ତାହରେ ବା ଦୁଇ ସପ୍ତାହରେ ଥରେ ହୁଏ । ଅଧିକାଂଶ କ୍ଷେତ୍ରରେ ପ୍ରଥମ ଋତୁସ୍ରାବ ଆରମ୍ଭ ହେବାର ବର୍ଷକ ଭିତରେ ଏପରି ଅନିୟମତା ଚାଲିଯାଇଥାଏ । ଯଦି ବର୍ଷକ ପରେ ଏପରି ଲାଗିରହେ ତା’ହେଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ ।

 

ଏଇ ଋତୁସ୍ରାବ ପ୍ରୌଢ଼ ବୟସ ପର୍ଯ୍ୟନ୍ତ ନିୟମିତ ଭାବରେ ହେଉଥାଏ । ସାଧାରଣତଃ ୪୫କୁ ୫୦ ବର୍ଷ ଭିତରେ ଏଇ ସ୍ରାବ ବନ୍ଦ ହୋଇଯାଏ । ମାତ୍ର ବ୍ୟକ୍ତି ବିଶେଷଙ୍କ ଠାରେ ୩୫।୩୬ ବର୍ଷ ବୟସରେ ଋତୁବନ୍ଦ ହେବାର ଦେଖାଯାଇଛି । ସେହିପରି ଆଉ କେତେକ ଲୋକଙ୍କର ୫୫।୫୬ ବର୍ଷରେ ଯାଇ ଋତୁବନ୍ଦ ହୁଏ ।

 

ପ୍ରଶ୍ନ–ଋତୁବେଳେ କଣ ମନ ଓ ଦେହ ଅସୁସ୍ଥ ହୋଇପଡ଼େ ? କେତେ କଷ୍ଟ ହୁଏ ?

 

ଉତ୍ତର–ଯେଉଁମାନଙ୍କର ସାଧାରଣ ସ୍ଵାସ୍ଥ୍ୟ ଭଲ ଓ ଯିଏ ନିୟମିତ ପରିଶ୍ରମ ଓ ଖେଳାଖେଳି କରନ୍ତି ସେପରି ଝିଅଙ୍କର ବିଶେଷ କଷ୍ଟ ହୁଏନାହିଁ । କାହାରି କାହାରି କୌଣସି କଷ୍ଟ ହୁଏନାହିଁ । ସାଧାରଣତଃ ଦେହ ହାତ ଘୋଳାବିନ୍ଧା, ଅଣ୍ଟାବଥା, ପେଟ ମୋଡ଼ିହବା ଇତ୍ୟାଦି ଉପସର୍ଗ ଦେଖାଯାଏ । ପିଲା ହେଲାପରେ ଅନେକଙ୍କର ଏହି ଉପସର୍ଗ ଚାଲିଯାଏ । ଋତୁ ଅବସ୍ଥାକୁ ଅସୁସ୍ଥତା ବୋଲି ଭାବିବା ଠିକ୍ ନୁହେଁ । କୋଷ୍ଠବଦ୍ଧତା ହେଲେ ମଧ୍ୟ କଷ୍ଟ ହୁଏ; ମାତ୍ର ଏହା ରୋଗ ନୁହେଁ ।

 

ଯେଉଁମାନେ ଅତି ନିର୍ଭରଶୀଳ ଓ ପିଲାଳିଆ ହେଇ ବଢ଼ିଥାଆନ୍ତି ସେମାନଙ୍କୁ ପ୍ରଥମ ଋତୁ ହେଲାବେଳେ ଭାରି ଅଡ଼ୁଆ ଲାଗେ । କାରଣ ନିଜର ପିଲାପଣ ଛାଡ଼ି ବର୍ତ୍ତମାନ ଘରେ ବଡ଼ ମଣିଷ ପରି ଦାୟିତ୍ୱଶୀଳ ହୋଇ ଚଳିବାକୁ ପଡ଼େ । ଆମ ଦେଶରେ ପ୍ରଥମ ଋତୁସ୍ରାବ ଆରମ୍ଭ ହେଲା ମାତ୍ରକେ ଝିଅମାନଙ୍କ ଉପରେ ବହୁତ ଅନାବଶ୍ୟକ କଟକଣା ଲଦି ଦିଆଯାଏ । ସେଥିଲାଗି ଅନେକ ଝିଅ ମନେ ମନେ ବିରକ୍ତ ହୁଅନ୍ତି । ସ୍ତ୍ରୀ ଲୋକଙ୍କର ସ୍ୱାଧୀନତାହୀନ ଜୀବନକଥା ଭାବି ବିଷଣ୍ଣ ହୁଅନ୍ତି । ଦେହ ଭିତରର ରାସାୟନିକ ପରିବର୍ତ୍ତନ ମନର ଏଇ ଅବସ୍ଥାକୁ ଆହୁରି ଅତିରଞ୍ଜିତ କରେ । ଫଳରେ ଏଇ ବୟସର ଝିଅମାନଙ୍କ ମନମିଞ୍ଜାସରେ କ୍ଷଣକୁକ୍ଷଣ ପରିବର୍ତ୍ତନ ଦେଖାଯାଏ-। ଟିକକ କଥାରେ ସେମାନେ କାନ୍ଦିପକାନ୍ତି । ସାମାନ୍ୟ କଥାରେ ହସି ଗଡ଼ିଯାଆନ୍ତି । ମୁହଁ ଫୁଲାନ୍ତି ବହୁତ ଲାଜ କରନ୍ତି । ବାପା ମାଆଙ୍କ ନିକଟରେ ଆଗପରି ମନଖୋଲା କଥାବାର୍ତ୍ତା କରନ୍ତି ନାହିଁ । ଏଗୁଡ଼ିକ ସ୍ଵାଭାବିକ ପ୍ରତିକ୍ରିୟା । ଘରଲୋକ ଏଥିରେ ବିଚଳିତ ନହୋଇ ଧୈର୍ଯ୍ୟଧରି ଏପରି ବ୍ୟବହାର ସହିଗଲେ ଠିକ୍ ସମୟରେ ସେ ନିଜର ନୂଆ ଅବସ୍ଥାକୁ ମାନିନେଇ ପୁଣି ସହଜ ହୋଇଯାଏ ।

 

ପ୍ରଶ୍ନ–ସାଧାରଣତଃ କେଉଁ ବୟସରେ ପ୍ରଥମ ଋତୁ ଆରମ୍ଭ ହୁଏ ?

 

ଉତ୍ତର–କେତେ ଝିଅଙ୍କର ନଅ ଦଶ ବର୍ଷ ବୟସରେ ଆରମ୍ଭ ହୁଏ ଓ ଆଉ କେତେକଙ୍କର ୧୫ ।୧୬ ବର୍ଷଯାକେ ଋତୁ ଆରମ୍ଭ ହେଇ ନଥାଏ । ଷୋହଳ ବର୍ଷପରେ ଯଦି ଋତୁ ଆରମ୍ଭ ନହୁଏ ତେବେ ଡାକ୍ତର ପରାମର୍ଶ ଲୋଡ଼ିବା ଉଚିତ ।

 

ପ୍ରଶ୍ନ–ସ୍କୁଲରେ ହେଲେ କଣ କରିବ ?

 

ଉତ୍ତର–ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ଲୋଡ଼ିବ । ସ୍କୁଲରେ ଯଦି ବାଥରୁମ୍ ନଥାଏ, ତେବେ ଅନୁମତି ନେଇ ଘରକୁ ଚାଲିଯିବ ।

 

ଏଠାରେ ଅପ୍ରାସଙ୍ଗିକ ହେଲେ ମଧ୍ୟ ଉଲ୍ଲେଖ କରିବାକୁ ବାଧ୍ୟ ହେଉଛି ଯେ ଯଦିଓ ଓଡ଼ିଶାରେ ୧୧ ।୧୨ ବର୍ଷର ଅଧିକାଂଶ ଝିଅ ସ୍କୁଲରେ ପଢ଼ୁଛନ୍ତି, ସ୍କୁଲ କର୍ତ୍ତୃପକ୍ଷ ଏଇ ସମସ୍ୟା ବିଷୟ ଭାବନ୍ତି ନାହିଁ । ଅଥଚ ସ୍କୁଲରେ ପ୍ରାଥମିକ ଚିକିତ୍ସା ପାଇଁ ଔଷଧ ବ୍ୟାଣ୍ତେଜ ଇତ୍ୟାଦି ଯାହାଙ୍କ ତତ୍ତ୍ଵାବଧାନରେ ଥାଏ, ତାଙ୍କରି ପାଖରେ ଅଧିକା ତୁଳା ଓ ଗଜ୍ କନା କିମ୍ବା ସ୍ୟାନିଟାରୀ ନ୍ୟାପକିନ୍ କିମ୍ୱା ପିଲାଙ୍କ ଠାରୁ ସଂଗ୍ରହ କରିଥିବା ପୁରୁଣା ଲୁଗା ରଖିଲେ, ଝିଅମାନେ ସେଥିରୁ ବ୍ୟାଣ୍ଡେଜ ତିଆରି କରି ଜରୁରୀ ଦରକାରବେଳେ ବ୍ୟବହାର କରି ପାରିବେ । ଝିଅଙ୍କର ଓ ପୁଅଙ୍କର ଅଲଗା ବାଥରୁମ୍ ରହିବା କଥା (ସବୁ ପାଶ୍ଚାତ୍ତ୍ୟ ଦେଶରେ ଝିଅ ପୁଅଙ୍କର ଅଲଗା ବାଥରୁମ୍ ବା ଶୌଚାଗାର ଅଛି) ଝିଅଙ୍କ ବାଥରୁମରେ ମୁହଁ ବନ୍ଦ କିରାସିନ ଟିଣ ରଖିଲେ ସେମାନେ ସେଥିରେ ମଇଳା ବ୍ୟାଣ୍ଡେଜ ପକାଇଲେ, ସେ ସବୁ ଘୋଢ଼େଇ ହେଇ ରହିବ । ଏ ବ୍ୟବସ୍ଥା ଯେ କେବଳ ଶାଳୀନତା ଦୃଷ୍ଟିରୁ କରିବା କଥା ତାହା ନୁହେଁ । ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ମଧ୍ୟ ଶୌଚାଗାର ପରିସ୍କାର ରହିବା କଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଟିଂରେ ଏସବୁ ବିଷୟ ଆଲୋଚନା କରିବା ଅଶାଳୀନ ବୋଲି ଆମେ ଏଥିପ୍ରତି ଆଖିବୁଜି ଦେଇ ଚୁପ୍ ହେଇ ଯାଉଛୁ; ମାତ୍ର ଝିଅମାନେ ଯଦି ବାହାରକୁ ଆସି ପାଠ ପଢ଼ିବେ, ଚାକିରି କରିବେ, ତା’ହେଲେ ଏସବୁ ସମସ୍ୟା ବିଷୟରେ ଚିନ୍ତା ନ କରିବାଟା ହିଁ ଅଶାଳୀନ ସମାଜର ପରିଚୟ ।

 

ପ୍ରଶ୍ନ–ସ୍ତ୍ରୀଲୋକ ସନ୍ତାନ ସମ୍ଭବା ହେଲେ ମଧ୍ୟ କ’ଣ ଋତୁସ୍ରାବ ହେବ ?

 

ଉତ୍ତର–ନା । ଗର୍ଭବତୀ ଥିବାବେଳେ ରକ୍ତସ୍ରାବ ହେଲେ ଗର୍ଭ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦିଏ । ତେଣୁ ଏପରି ଅବସ୍ଥାରେ ଡାକ୍ତର ପରାମର୍ଶ ଲୋଡ଼ିବେ । ସାଧାରଣତଃ ଋତୁସ୍ରାବ ବନ୍ଦ ହେଲେ ସନ୍ତାନ ହେବାର ସମ୍ଭାବନା ଅଛି ବୋଲି ସମସ୍ତେ ଭାବନ୍ତି । ମାତ୍ର ପୁରୁଷ ସହିତ ସହବାସ ନ ହୋଇ ଯଦି ଋତୁସ୍ରାବ ବନ୍ଦ ହୁଏ, ତେବେ ଅନ୍ୟ କାରଣରୁ ହେଇଛି ବୋଲି ଭାବିବା କଥା ।

 

ପ୍ରଶ୍ନ–ଋତୁ ହେଲାବେଳେ ଗାଧୋଇବା ଉଚିତ କି ନାହିଁ ?

 

ଉତ୍ତର–ନିହାତି ଉଚିତ । ନଚେତ୍ ଅନେକ ସମୟରେ ଦେହରୁ ଗନ୍ଧ ବାହାରେ । ପୋଖ‍ରୀ ବା ନଈରେ ଗାଧୋଇଲେ ପାଣି ଅପରିଷ୍କାର ହବ ବୋଲି ଏଭଳି ନିଷେଧ ରହିଛି । କିନ୍ତୁ ଗରା ବା ବାଲଟିରେ ପାଣି ଆଣି ବାରିପଟେ ବା ବାଥରୁମ୍ ରେ ଗାଧୋଇଲେ କ୍ଷତି ନାହିଁ ।

 

ପ୍ରଶ୍ନ–ଋତୁବେଳେ କାହିଁକି ଅଧିକାଂଶ ଜିନିଷ ଛୁଇଁବାକୁ ମନା କରନ୍ତି ?

 

ଉତ୍ତର–ଝାଡ଼ା, ପରିସ୍ରା, ଖଙ୍କାର, ସିଙ୍ଘାଣୀ ପରି ଋତୁସ୍ରାବ ମଧ୍ୟ ଦେହ ଭିତରର ମଇଳା-। ସେଥିଲାଗି ଲୁଗାପଟା ବା ଦେହ ଅପରିଷ୍କାର ଥିଲା ଅବସ୍ଥାରେ ଛୁଆଁ ଛୁଇଁ ମନା । କିନ୍ତୁ ଗାଧେଇ ପରିଷ୍କାର ପରିଚ୍ଛନ୍ନ ରହିଲେ ଏପରି ନିଷେଧ ପଛରେ କୌଣସି ଯୁକ୍ତିପୂର୍ଣ୍ଣ କାରଣ ନାହିଁ ।

 

ଋତୁସ୍ରାବ ବିଷୟରେ ଲୋକଙ୍କର ବିଭିନ୍ନ ପ୍ରକାର କୁସଂସ୍କାରପୂର୍ଣ୍ଣ ଧାରଣା ରହିଛି । ମୂଳ କାରଣ ହେଲା ଲୋକେ ଏଇ ଘଟଣାକୁ ଅଜବ ଘଟଣା ବୋଲି ଭାବନ୍ତି । ଭାବି ଦେଖନ୍ତୁ–ଆମର ଆଦିମ ପୂର୍ବପୁରୁଷ, ଯିଏ କି ଶିକାର କରି ବଞ୍ଚୁଥିଲା, ସେ ଦେଖିଛି ପ୍ରାଣୀ ମାନେ ରକ୍ତସ୍ରାବ ବନ୍ଦ ନ ହେଲେ ମରିଯାଆନ୍ତି । ନିଜେ ମଧ୍ୟ ଆହତ ହେଲା ଅବସ୍ଥାରେ ଦେଖେ ରକ୍ତସ୍ରାବ ହେଲେ ତାକୁ ଅବସନ୍ନ ଲାଗେ ଓ ସେ ଦୁର୍ବଳ ହେଇଯାଏ । ଅଥଚ ସ୍ତ୍ରୀ ଲୋକମାନେ ପ୍ରତି ମାସରେ ଏପରି ଅବସ୍ଥା ଦେଇ ଯାଆନ୍ତି, ଅଥଚ ସେମାନେ ସୁସ୍ଥସବଳ ରୁହନ୍ତି । ପୁଣି ଏହି ସ୍ରାବ ଝାଡ଼ା ପରିସ୍ରା ପରି ଇଚ୍ଛାକରି ଆରମ୍ଭ କରି ହୁଏନାହିଁ ବା ଇଚ୍ଛାକରି ବନ୍ଦ କରି ହୁଏନାହିଁ । ଏ ବିଷୟଟି ଆଦିମ ସମାଜରେ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ବ୍ୟତିକ୍ରମ ପରି ଜଣାଯାଉଥିଲା । ସେଥିଲାଗି ରଜସ୍ଵଳା ସ୍ତ୍ରୀ ଲୋକଙ୍କର ଚାଲିଚଳଣ ଉପରେ ବିଭିନ୍ନ କଟକଣା ରହିଛି । ପାନବରଜକୁ ଗଲେ ପାନଗଛ ମରିଯିବ ବୋଲି ଚାଷୀ ଏପରି ଅବସ୍ଥାରେ ଥ‌ିବା ସ୍ତ୍ରୀ ଲୋକକୁ ସେଠିକି ଛାଡ଼ନ୍ତି ନାହିଁ । ଗାଆଁରେ ସ୍ତ୍ରୀ ଲୋକମାନେ ଘରକାମରୁ ଆଡ଼ହେଇ ରୁହନ୍ତି, ଆଚାର ହାଣ୍ଡି ଛୁଅନ୍ତି ନାହିଁ, ଫଳିଲା ଗଛ ଛୁଅଁନ୍ତି ନାହିଁ, ରୋଷେଇ ଘରକୁ ଯାଆନ୍ତି ନାହିଁ । ଢିଙ୍କି ଛୁଅନ୍ତି ନାହିଁ-ଏମିତି କେତେ ନିୟମ । ମୁଁ ମୋ ଜେଜେମାଙ୍କୁ ଏସବୁ ଅନ୍ଧ-ବିଶ୍ଵାସ କେମିତି ଆରମ୍ଭ ହେଲା ସେକଥା ପଚାରିଥିଲି ।

 

ପ୍ରଶ୍ନ–ଆମ ଦେଶରେ ରଜସ୍ୱଳା ସଂକ୍ରାନ୍ତି ପରେ ଗର୍ଭଣା ସଂକ୍ରାନ୍ତି ଆସେ । ତେଣୁ ରଜସ୍ଵଳା ହେବା ସହିତ ସନ୍ତାନବତୀ ହେବାର ଧାରଣା ମିଶି ରହିଛି । ଅଥଚ ରଜସ୍ୱଳା ସ୍ତ୍ରୀର ଛୁଆଁ ଲାଗିଲେ ଗଛପତ୍ର କାହିଁକି ମରିଯିବ ?

 

ଜେଜେମାଙ୍କ ଉତ୍ତର–କାହିଁକି ଏ ନିୟମ ହେଇଛି କେହି ଜାଣନ୍ତି ନାହିଁ । ପୂର୍ବରୁ ଏଇ ନିୟମ ଚଳିଆସିଛି । ଆମେ ଏସବୁ ମାନି ଚଳୁ । ସେଥିଲାଗି ରଜସ୍ୱଳା ଅବସ୍ଥାରେ ବିଭିନ୍ନ ଜିନିଷ ଛୁଇଁବାକୁ ମନାକରୁ ।

 

ଶିକ୍ଷିତ ଓ ଆଧୁନିକ ସମାଜରେ ରଜସ୍ୱଳା ସ୍ତ୍ରୀଲୋକମାନେ ଟ୍ରାକ୍ଟର ଚଳେଇ ଚାଷ କରୁଛନ୍ତି, କାରଖାନାରେ କାମ କରୁଛନ୍ତି, ଅଫିସ ଯାଇ ଚାକିରି କରୁଛନ୍ତି, ଏମିତିକି ଅଲମ୍ପିକ ଖେଳରେ ପ୍ରତିଯୋଗୀତା କରି ସ୍ୱର୍ଣ୍ଣପଦକ ପାଇଛନ୍ତି । କୌଣସିଠାରେ କିଛି ଅସୁବିଧା ହେବା କଥା ଜଣାନାହିଁ । ରଜସ୍ୱଳା ଅବସ୍ଥାକୁ ଅସୁସ୍ଥତା ବା ସ୍ଵାଭାବିକ ଜୀବନଯାତ୍ରାର ପ୍ରତିବନ୍ଧକ ରୂପରେ ନ ଭାବି ନାରୀତ୍ୱର ଚିହ୍ନ ବୋଲି ଭାବିବା ଉଚିତ । ଏହା ପୂର୍ବରୁ ପୁରୁଷ ଓ ନାରୀର ଶରୀର ମଧ୍ୟରେ ପାର୍ଥକ୍ୟ ସେତେ ନଥାଏ । ଋତୁ ଆରମ୍ଭ ନାରୀର ବୈଶିଷ୍ଟ୍ୟମୟ ବିକାଶର ଆରମ୍ଭ । ଏଇ ବୈଶିଷ୍ଟ୍ୟମୟ ବିକାଶର ଚୂଡ଼ାନ୍ତ ପରିଣତି ହେଲା ସନ୍ତାନ ଧାରଣ । ପୁରୁଷ ଏ କ୍ଷମତାରୁ ବଞ୍ଚିତ । ପୁରୁଷର ପରିଚୟ ହେଲା–ସେ ନାରୀଗର୍ଭଜାତ ।

 

ବାଳକର ଯୌନ ବିକାଶ

 

ଯୌବନର ଆରମ୍ଭ ପର୍ଯ୍ୟନ୍ତ ବାଳକ ଓ ବାଳିକାର ଯୌନ ବିକାଶରେ ବିଶେଷ ପାର୍ଥକ୍ୟ ନଥାଏ ।

 

ନିଜର ଦେହର ଗଠଣ ବୈଶିଷ୍ଟ୍ୟ ବିଷୟରେ ବାଳକ ଓ ବାଳିକା ଉଭୟଙ୍କର କୌତୁହଳ ଥାଏ । ଦେହର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ସମାନ ଥିବାରୁ ଯୌନାଙ୍ଗର ପାର୍ଥକ୍ୟ ବିଶେଷ ଭାବରେ ସେମାନଙ୍କ ଆଖିରେ ପଡ଼େ । ବାଲ୍ୟ ବୟସରେ ଲିଙ୍ଗ ବା ଯୋନିର ଯୌନତା ସହିତ ସମ୍ବନ୍ଧ ବିଷୟରେ ସେମାନେ ସଚେତନ ନଥାନ୍ତି । ସେମାନେ ଭାବନ୍ତି ଏଇ ଅଙ୍ଗର ମୁଖ୍ୟ କ୍ରିୟା ହେଲା ମୂତ୍ରତ୍ୟାଗ । ସେଥିଲାଗି ନିଜ ଅଭିଜ୍ଞତାରୁ ପିଲାମାନେ ଏପରି ପାର୍ଥକ୍ୟ ଥିବାର କାରଣ ବୁଝିପାରନ୍ତି ନାହିଁ । ପରସ୍ପରର ଯୌନାଙ୍ଗ ଦେଖିବା ଲାଗି ସେମାନେ ଏତେ କୌତୂହଳୀ ହେବାର କାରଣ ହେଲା-ପିଲା ଭାବନ୍ତି, ଝିଅ ଓ ପୁଅଙ୍କର ମଳଦ୍ୱାର ଏକାପରି କିନ୍ତୁ ମୂତ୍ରଦ୍ୱାର ଅଲଗା କାହିଁକି-? ପୁଣି କିଏ ପୁଅ ଓ କିଏ ଝିଅ ସେ କଥା ଏଇ ଅଙ୍ଗ ଅନୁସାରେ ସ୍ଥିର ହେଉଛି କାହିଁକି ? ନାରୀ ଓ ପୁରୁଷର ଯୌନ ପ୍ରକୃତି ବିଷୟ ନ କହି ଏ ପ୍ରଶ୍ନର ଉତ୍ତର ଦେଇହବ ନାହିଁ । ସେଥିଲାଗି ପିଲା ଏପରି କୌତୂହଳ ପ୍ରକାଶ କଲେ ‘ଅସଭ୍ୟ କଥା କହନି’ କହି ପିଲାକୁ ଦାଵିଦଉ । ସେମାନେ ତେଣୁ ଏଇ ବିଷୟଟି ଗୋପନ କରିବାକୁ ଶିଖନ୍ତି ଓ ଲୁଚାଚୋରା ଭାବରେ ପରସ୍ପରକୁ ଦେଖନ୍ତି ଓ ଛୁଅନ୍ତି-। ଏପରି ଖେଳ ପୃଥିବୀର ସବୁ ସମାଜର ବାଳକବାଳିକାଙ୍କ ଠାରେ ଦେଖାଯାଇଛି ।

 

ଏହିଭଳି ଦେଖିବା ଛୁଇଁବା ଦ୍ୱାରା ସେମାନେ ଆବିଷ୍କାର କରନ୍ତି ଯେ, ଦେହର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଯୌନାଙ୍ଗରେ ସବୁଠାରୁ ଅଧିକ ସ୍ପର୍ଶ ସୁଖ ଅନୁଭୂତ ହୁଏ । ଅଧିକାଂଶ ପିଲା ନିଜର ଯୌନାଙ୍ଗକୁ ଧରି, ଛୁଇଁ, ଘସି ଏକ ସୁଖ ଅନୁଭବ କରିଥାଆନ୍ତି । ବାଲ୍ୟକାଳରେ ଏଭଳି ଯୌନକ୍ରିୟା ପୃଥିବୀର ଚାରିଆଡ଼େ ଦେଖାଯାଏ । ପିଲା ଯେମିତି ପ୍ରଥମେ ବସି, ତା’ପରେ ଠିଆହେଇ, ତା’ପରେ ଚାଲେ ସେହିପରି ସ୍ଵମେହନ (masturbation) ଦ୍ୱାର ପ୍ରାପ୍ତ ବୟସର ଯୌନକ୍ରିୟା ପାଇଁ ସେ ନିଜ ଦେହ ମନକୁ ପ୍ରସ୍ତୁତ କରେ । ସାଧାରଣତଃ ବାଳିକାମାନଙ୍କ ଅପେକ୍ଷା ବାଳକମାନେ ଏଥିରେ ଅଧିକ ପ୍ରବୃତ୍ତ ହେଇଥାଆନ୍ତି ।

 

ବାଳକର ଯୌବନ ଆରମ୍ଭ ହେଲେ ହସ୍ତମୈଥୁନ (masturbation) ଫଳରେ ଲିଙ୍ଗରୁ ଶୁକ୍ର ବା ବୀର୍ଯ୍ୟ ନିର୍ଗତ ହୁଏ । ଯିଏ ହସ୍ତମୈଥୁନ କରେ ନାହିଁ, ସେ ଅନେକ ସମୟରେ ରାତିରେ ନିଦରେ ଶୋଇଥିଲାବେଳେ ସ୍ୱପ୍ନ ଦେଖି ଉତ୍ତେଜିତ ହେବା ଫଳରେ ତାର ଦେହର ଶୁକ୍ର ସ୍ଖଳନ ହୁଏ । ଅନେକ ସମୟରେ ନିଦ ଭାଙ୍ଗେନାହିଁ ଓ ପିଲା ଏପରି ସ୍ଵପ୍ନ ଦେଖିଛି ବୋଲି ମଧ୍ୟ ଭୁଲିଯାଏ । କେବଳ ସକାଳୁ ନିଦରୁ ଉଠିଲା ପରେ ଲୁଗାପଟା ବା ବିଛଣାରେ ଅଠାଳିଆ ଦାଗ ଲାଗିଥାଏ । ଯିଏ ଏ ବିଷୟଟି ଜାଣିନାହିଁ, ସେ ଏପରି ଦାଗ ଦେଖି ନିଜର ଯୌବନ ଆରମ୍ଭ ହେଲାଣି ବୋଲି ଜାଣିପାରେ ନାହିଁ । ଯିଏ ରାତିର ସ୍ୱପ୍ନ ଭୁଲି ନଥାଏ ସେ ଏପରି ଯୌନସ୍ୱପ୍ନ ଦେଖିଥିବା ଯୋଗୁଁ ମନରେ ଲଜ୍ଜା ଓ ଗ୍ଳାନି ବୋଧ କରେ । ଏଇ ଅବସ୍ଥାରେ ପିଲାମାନେ ସାମୟିକ ଭାବରେ ମାନସିକ ଉତ୍କଣ୍ଠା ଓ ଆତ୍ମଗ୍ଳାନି ଅନୁଭବ କରି ମାନସିକ ଯାତନା ଭୋଗ କରନ୍ତି । ଚାହିଁଥିବା ଅବସ୍ଥାରେ ମଧ୍ୟ ବହିରୁ କାମୋଦ୍ଦୀପକ ବର୍ଣ୍ଣନା ପଢ଼ି ସେ ଯୌନକାମନା ଅନୁଭବ କରେ-। ଯୁବତୀ ସ୍ତ୍ରୀ ଲୋକଙ୍କୁ ଦେଖି ମନରେ ଯୌନ ଭାବନା ଜାତ ହୁଏ । ଏପରି ଅନୁଭୂତ ହେବା ଅବାଞ୍ଛିତ ଜାଣି ସେ ଘୋର ହନ୍ଦ୍ୱରେ ପଡ଼େ । ମନରେ ନ୍ୟାୟ ଅନ୍ୟାୟ ବୋଧ ସହିତ ଦେହ ଓ ମନର ନୂତନ ଜାଗ୍ରତ ପ୍ରକାର ଯୌନକାମନାର ଭାରସାମ୍ୟ ରକ୍ଷା କରି ନ ପାରିଲାଯାକେ ସେ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ରହି ଵିବ୍ରତ ଓ ବିଭ୍ରାନ୍ତ ହୁଏ ।

 

ଯେଉଁ ପିଲା ମୂଳରୁ ବିନା ଆକଟରେ ବଢ଼ିଛି ସେ ଏଭଳି ଅବସ୍ଥାରେ ଅସାମାଜିକ ଓ ନିଷିଦ୍ଧ ଯୌନକ୍ରିୟାରେ ଲିପ୍ତ ହୁଏ । ଏ ଦୁଇ ପ୍ରକାର ବ୍ୟବହାର ଅବାଞ୍ଛିତ । ସେଥିଲାଗି ଏ ବିଷୟରେ ସ୍ପଷ୍ଟ ଓ ପରିଷ୍କାର ସାମାଜିକ ନିର୍ଦ୍ଦେଶ ରହିବା ଦରକାର । ଜାଣିବା କଥା ଯେ–“ଯୌବନ ଆରମ୍ଭରେ ବ୍ୟକ୍ତି ମାତ୍ରେ ହିଁ ଯୌନ-କାମନା ଅନୁଭବ କରିଥାଆନ୍ତି ଓ ଏ ବିଷୟ ନେଇ କଳ୍ପନା କରନ୍ତି, ସ୍ଵପ୍ନ ଦେଖନ୍ତି, ଅନ୍ତରଙ୍ଗ ବନ୍ଧୁ ଥିଲେ ତା ସହିତ ଆଲୋଚନା କରନ୍ତି ।”

 

କାମନା ଜାଗ୍ରତ କଲା ଭଳି ରୂପଶୋଭା ଦେଖିଲେ ପୁରୁଷର ଶୁକ୍ର ସ୍ଖଳନ ହେବା ସ୍ଵାଭାଵିକ । ଏଇ ପ୍ରସଙ୍ଗରେ ରାମାୟଣରୁ ଜନକଙ୍କର କାର୍ତ୍ତିକଙ୍କର ଜନ୍ମ ବିଷୟ ପଢ଼ି ଦେଖିବା କଥା । ରାଜର୍ଷି ଜନକ ବା ଜଗତ୍ ପିତା ମହାଦେବ କେହି ଦୁଶ୍ଚରିତ୍ର ନୁହନ୍ତି । ସେମାନେ ପୁରୁଷ ହେଇଥିବାରୁ ରମଣୀର ଅନାବୃତ ତନୁ ଦେଖି ସେମାନଙ୍କଠାରେ ପୁରୁଷସୁଲଭ ଦୈହିକ ପ୍ରତିକ୍ରିୟା ଦେଖାଯାଇଛି । ଅପସରାର ନଗ୍ନକାନ୍ତି ଦେଖି ଜନକଙ୍କର ବୀର୍ଯ୍ୟ ସ୍ଖଳନ ବିଷୟ ଲେଖିବାକୁ ବାଲ୍ମିକୀ ମଧ୍ୟ କୁଣ୍ଠାବୋଧ କରିନାହାନ୍ତି । ସଂସ୍କୃତରେ ଲେଖା ହୋଇଥିବା ଆଦି ରାମାୟଣ ଓ ମହାଭାରତ ପଢ଼ିଲେ ଦେଖିବେ ମାନବର ଯୌନ ଜୀବନ ବିଷୟରେ ଆମ ପୂର୍ବପୁରୁଷଙ୍କର କିପରି ଅକୁଣ୍ଠ ସହନ ଓ ସାବଲୀନ ମନୋଭାବ ଥିଲା । ସେଥିଲାଗି ସେ ସମାଜରେ ଯୌନ ବିକୃତି ବା ନିଷିଦ୍ଧ ଯୌନକ୍ରିୟାର ଭ୍ରଷ୍ଟାଚାର ଅତି ବିରଳ ଥିଲା । ଜନକ, ପରାଶର, ବ୍ୟାସଦେବ କେହି ନିଜର ଯୌନକାମନା ଗୋପନ କରିନାହାନ୍ତି । କିମ୍ବା ବାହାରେ ନିଜକୁ ବ୍ରହ୍ମଚାରୀ ବୋଲେଇ ଗୁପ୍ତରେ ଅସାମାଜିକ ଉପାୟରେ ଏଇ କାମନା ଚରିତାର୍ଥ କରିବାକୁ ଚେଷ୍ଟା କରି ନାହାନ୍ତି । ସେମାନେ ପଶୁ ପରି କାମନାର ବଶବର୍ତ୍ତୀ ହୋଇ ଚଳୁ ନ ଥିଲେ ମାତ୍ର କାମନାକୁ ମଧ୍ୟ ପରିତ୍ୟାଗ କରି ନ ଥିଲେ । ନୈତିକ ଆଦର୍ଶ ଓ ବାସ୍ତବ ପରିସ୍ଥିତି ଅନୁସାରେ କାମନାର ପରିପୂର୍ଣ୍ଣତା ଚାହୁଁଥିଲେ ।

 

ବାଳକର ଯୌନ ବିକାଶ ବିଷୟରେ କେତୋଟି ପ୍ରଶ୍ନୋତ୍ତର

 

ପ୍ରଶ୍ନ–ଶୁକ୍ର ବା ଧାତୁ କ’ଣ ରକ୍ତରୁ ନିର୍ଯ୍ୟାସିତ ହେଇ ତିଆରି ହୁଏ ?

 

ଉତ୍ତର–ନା । ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ବାଳକର ଯୌବନ ଆରମ୍ଭ ହେଲେ ମସ୍ତିସ୍କର ମୂଳରେ ଥିବା ପିଟୁଇଟାରୀ ଗ୍ରନ୍ଥିରୁ ଯୌନତା-ବର୍ଧକ ରସର (Sex hormone) କ୍ଷରଣ ଆରମ୍ଭ ହୁଏ । ଏହି ରସ ପୁରୁଷର ଅଣ୍ଡକୋଷରେ ଥିବା ଯୌନ ଗ୍ରନ୍ଥିକୁ ସକ୍ରିୟ କରିଥାଏ । ଫଳରେ ଅଣ୍ଡକୋଷ ଶୁକ୍ରାଣୁ (Sperm) ତିଆରି କରିବାକୁ ଆରମ୍ଭ କରେ ଓ ଟେଷ୍ଟୋଷ୍ଟେରନ୍ (Testosterone) ନାମକ ପୁରୁଷତ୍ୱ-ବଧିକ ରସ କ୍ଷରଣ କରେ । ଏହି ରସର କ୍ଷରଣ ଫଳରେ ପୁରୁଷର ଦାଢ଼ି ନିଶ କାଖତଳ ଓ ଦେହର ଅନ୍ୟାନ୍ୟ ସ୍ଥାନରେ ବାଳ ବଢ଼େ ଓ ସେ ଯୌନକାମନା ଅନୁଭବ କରେ । ପୁରୁଷର ମୂତ୍ରସ୍ଥଳୀର କଣ୍ଠ ଦେଶରେ ଥିବା ପ୍ରଷ୍ଟେଟ (Prostate) ଗ୍ରନ୍ଥି ଦୁଧ ପରି ଧଳା ଏକ ତରଳ ରସ ତିଆରି କରେ । ଅଣ୍ଡକୋଷରୁ ଜାତ ଶୁକ୍ରାଣୁ ଏଇ ଜଳୀୟ ପଦାର୍ଥରେ ଭାସୁଥାଏ । ଶୁକ୍ରାଣୁ ସମ୍ବଳିତ ଏହି ଜଳୀୟ ପଦାର୍ଥକୁ ଶୁକ୍ର ବା ଧାତୁ ବୋଲି କୁହାଯାଏ । ଦେହରେ ଶୁକ୍ରର ଆଧିକ୍ୟ ହେଲେ ଏହା ପୁରୁଷର ମୂତ୍ରନାଳୀ ମଧ୍ୟ ଦେଇ ଦେହ ବାହାରକୁ ବାହାରିଯାଏ । ସ୍ତ୍ରୀମାନଙ୍କର ମୂତ୍ର ଓ ରଜଃ ନିର୍ଗମର ପଥ ସ୍ଵତନ୍ତ୍ର । ପୁରୁଷର ମୂତ୍ର ଓ ଶୁକ୍ର ନିର୍ଗମର ପଥ ଗୋଟିଏ-। ଦେହରୁ ଶୁକ୍ର ନିଗମ ହେଲେ ବାଳକର ସନ୍ତାନ ଉତ୍ପାଦନ କ୍ଷମତା ଆରମ୍ଭ ହେଲା ବୋଲି ଜାଣିବା କଥା ।

 

ପ୍ରଶ୍ନ–ଅନେକ ସମୟରେ ଯୌନ ଉତ୍ତେଜନା ନ ଥାଇ ମଧ୍ୟ କାହିଁକି ଲିଙ୍ଗର ଉତଥାନ ହୁଏ ?

 

ଉତ୍ତର–ଯେ କୌଣସି କାରଣରୁ ଲିଙ୍ଗରେ ଅଧିକ ରକ୍ତର ସଞ୍ଚାର ହେଲେ ଲିଙ୍ଗ ସ୍ଫୀତ ଓ କଠିଣ ହେଇ ଉତଥିତ ହୁଏ । ଦେହରେ ମୂତ୍ରର ବେଗ ଅନୁଭବ କଲେ, ବା ଦେହ ନିୟମିତ ଭାବରେ ପରିସ୍କାର ନ କଲେ, ଲିଙ୍ଗର ଅଗ୍ରଭାଗରେ ମଇଳା ଜମି କୁଣ୍ଡେଇ ହେବା ଫଳରେ ଲିଙ୍ଗକୁ କୁଣ୍ଡେଇଲେ, ଲୁଗାପଟାରେ ଘସିହେଲେ ଓ ଅନେକ ସମୟରେ କୌଣସି କାରଣ ନ ଥାଇ ମଧ୍ୟ ଲିଙ୍ଗୋତ୍‍ଥାନ (erection) ହେବାର ଦେଖାଯାଏ । ସବୁବେଳେ ଲିଙ୍ଗୋତ୍‌ଥାନ ହେଲେ ଶୁକ୍ର ନିର୍ଗତ ହୁଏ ନାହିଁ । ଏପରି ଅବସ୍ଥାରେ ଲିଙ୍ଗ ଆପେ ଆପେ କୋମଳ ହେଇଯାଏ ।

 

ପ୍ରଶ୍ନ–‘ସ୍ୱପ୍ନଦୋଷ’ କାହାକୁ କହନ୍ତି ?

 

ଉତ୍ତର–ସ୍ଵପ୍ନ ଦେଖି ଶୁକ୍ର ସ୍ଖଳନ ହେବା ଫଳରେ ପୁରୁଷ ଯଦି ସ୍ତ୍ରୀ ସଙ୍ଗମ କରିବାକୁ ଅସମର୍ଥ ହୁଏ ତାହେଲେ ସେପରି ଅସମର୍ଥତା ‘ସ୍ୱପ୍ନଦୋଷରୁ’ ହେଇଛି ବୋଲି କୁହାଯିବ । ମାତ୍ର ଏପରି ଘଟଣା ବିରଳ । ସାଧାରଣତଃ ସ୍ଵପ୍ନ ଦେଖି ଶୁକ୍ର ସ୍ଖଳନ ସହିତ ଯୌନ ଅକ୍ଷମତାର (Impotency) କୌଣସି ସମ୍ପର୍କ ନାହିଁ ।

 

ଏପରି ହେବାର କାରଣ ହେଲା ଶୁକ୍ରର ଆଧିକ୍ୟ । କିଡ଼ନୀ (ବୃକ୍‍କ ଯନ୍ତ୍ର) ଯେପରି ନିୟମିତ ଭାବରେ ମୂତ୍ର ତିଆରି କରେ ଓ ମୂତ୍ରସ୍ଥଳୀରେ ମୂତ୍ରର ଆଧିକ୍ୟ ହେଲେ ଦେହ ମୂତ୍ରତ୍ୟାଗ କରେ ସେହିପରି ପ୍ରଷ୍ଟେଷ୍ଟ ଗ୍ରନ୍ଥି ନିୟମିତ ଭାବରେ ଶୁକ୍ର ପ୍ରସ୍ତୁତ କରେ ଓ ଶୁକ୍ରସ୍ଥଳୀରେ ଶୁକ୍ରର ଆଧିକ୍ୟ ହେଲେ ଏହା ଆପେ ଆପେ ମୂତ୍ରଦ୍ୱାର ଦେଇ ନିର୍ଗତ ହୋଇଥାଏ । ଏହି ଅବସ୍ଥାରେ ଲିଙ୍ଗୋତ୍‌ଥାନ ହେଉଥିବାରୁ ଶାରିରୀକ ଉତ୍ତେଜନା ହେତୁ ମଣିଷ ଯୌନସ୍ୱପ୍ନ ଦେଖେ । ଏଠି ସ୍ମରଣ କରାଯାଇପାରେ ଯେ ଅନେକେ ପିଲାଦିନେ ନଳା ପାଖରେ ବା ବାଥରୁମରେ ପରିସ୍ରା କରୁଛନ୍ତି ବୋଲି ସ୍ଵପ୍ନ ଦେଖୁ ଦେଖୁ ବିଛଣାରେ ପରିସ୍ରା କରିପକାନ୍ତି । ଏଇ ସ୍ଵପ୍ନ କାହାର ମନେରୁହେ ଓ କିଏ ଭୁଲିଯାଏ । ଗବେଷଣା କରି ଦେଖାଯାଇଛି ଯେ ଏପରି ଶୁକ୍ର ସ୍ଖଳନ ହେବାର ଘଟଣା ବ୍ରହ୍ମଚାରୀ, ମଠବାସୀ ଓ ସନ୍ନ୍ୟାସୀଙ୍କର ମଧ୍ୟ ହେଇଥାଏ । ଗୋଟାଏ କଥାରେ ମଳମୂତ୍ର ତ୍ୟାଗ ପରି ଏହା ଏକ ସାର୍ବଜନୀନ ଦୈହିକ କ୍ରିୟା ।

 

ପ୍ରଶ୍ନ–କେତେ ବୟସରେ ଏପରି ଦେହିକ କ୍ରିୟା ଆରମ୍ଭ ହୁଏ ?

 

ଉତ୍ତର–ଏଗାରରୁ ଅଠର ବର୍ଷ ବୟସ ଭିତରେ ଏପରି ଶୁକ୍ର ସ୍ଖଳନ ଆରମ୍ଭ ହେବାର ଦେଖାଯାଇଛି । ସୁଷମ ଖାଦ୍ୟ, ଦେହର ପୁଷ୍ଟି ଓ ଜନ୍ମରୁ ଆରମ୍ଭ ହୋଇଥିବା ଧାରାବାହିକ ବିକାଶର ଗତି ଅନୁସାରେ ଯୌବନ ଆରମ୍ଭ ହୋଇଥାଏ । କିଏ ଶୀଘ୍ର ବଢ଼ିଯାଏ ଆଉ କିଏ ଡେରିରେ ବଢ଼େ-। ତେଣୁ ଯୌବନ ଆରମ୍ଭର କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ।

 

ପ୍ରଶ୍ନ–ପୁରୁଷତ୍ୱ ହାନି କଣ ?

 

ଉତ୍ତର–ଯୌନକାମନା ଅନୁଭବ କରି ଯଦି ଲିଙ୍ଗ ସ୍ଫୀତ, ଶକ୍ତ ଓ ଉତଥିତ ନ ହୁଏ ଏହାକୁ ପୁରୁଷତ୍ୱ ହାନି ବୋଲି କୁହାଯାଏ । ଅନ୍ୟ କାରଣରୁ ପୂର୍ଣ୍ଣ ଯୌନକ୍ରିୟାରେ ପୁରୁଷ ଅସମର୍ଥ ହେଲେ ତାହାକୁ ମଧ୍ୟ ‘ପୁରୁଷତ୍ୱ ହାନି’ ବୋଲି କୁହାଯାଇଥାଏ ।

 

ପ୍ରଶ୍ନ–ଅତ୍ୟଧିକ ହସ୍ତମୈଥୁନ ଫଳରେ କଣ ଏପରି ହୋଇଥାଏ ?

 

ଉତ୍ତର–ନା, ଏପରି ହେବାର ବିଭିନ୍ନ କାରଣ ରହିଛି । ଶାରିରୀକ ଅସୁସ୍ଥତା, ମାଦକ ଓ ନିଶାଦ୍ରବ୍ୟର ପ୍ରଭାବ ଏବଂ ମାନସିକ ଦୁଶ୍ଚିନ୍ତା ଓ ଉତ୍କଣ୍ଠା ହେତୁ ସାଧାରଣତଃ ଏପରି ଘଟିଥାଏ । ଶାରିରୀକ କାରଣ ଯୋଗୁଁ ହେଇଥିଲେ ଡାକ୍ତରୀ ଚିକିତ୍ସାରେ ଭଲ ହୁଏ । ଶାରିରୀକ କାରଣ ନଥିଲେ ମନୋବୈଜ୍ଞାନିକ ଚିକିତ୍ସା ଦ୍ୱାରା ଏହା ଭଲ କରିହେବ ଓ ମାନସିକ ଚାପ ବା ଦୁଶ୍ଚିନ୍ତା ହେତୁ ଘଟିଥିଲେ ମନୋବୈଜ୍ଞାନିକ ଚିକିତ୍ସା ସାହାଯ୍ୟରେ ଭଲ କରିହେବ ।

 

ପ୍ରଶ୍ନ–ବ୍ରହ୍ମଚର୍ଯ୍ୟ ଅବଲମ୍ବନ କଲେ ହସ୍ତ ମୈଥୁନ କରିବା ନିଷେଧ କାହିଁକି ?

 

ଉତ୍ତର–ଆତ୍ମ-ସଂଯମ ଶିକ୍ଷା କରିବା ଲାଗି ପ୍ରଧାନତଃ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରି ବିଦ୍ୟାର୍ଥୀ ସାମୟିକ ଭାବରେ ନିଜକୁ ଯୌନକ୍ରିୟାରୁ ବିରତ କରିଥାଏ । ବ୍ରତକାଳ ପରେ ବ୍ରହ୍ମଚର୍ଯ୍ୟ ତ୍ୟାଗ କରି ପୁଣି ନିଜର ସ୍ୱାଭାବିକ ଜୀବନକୁ ଫେରିଯାଆନ୍ତି । ବ୍ରହ୍ମଚର୍ଯ୍ୟର ଉଦ୍ଦେଶ୍ୟ ହେଉଛି କାମବଶ ହୋଇଥିବା ମନକୁ ସ୍ୱ-ବଶ କରିବା, ଯୌନ-କାମନା ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିବା କିମ୍ବା ଯୌନ-କ୍ରିୟାରୁ ଜୀବନଯାକ ବିରତ ରହିବା ବ୍ରହ୍ମଚର୍ଯ୍ୟ ପାଳନର ଉଦ୍ଦେଶ୍ୟ ନୁହେଁ । ପୁରାତନ ଭାରତୀୟ ଆଦର୍ଶ ଅନୁସାରେ ବ୍ରହ୍ମଚର୍ଯ୍ୟ ସାଧାରଣ ଲୋକଙ୍କର କାମ୍ୟ ନୁହେଁ । ସାଧାରଣ ମଣିଷ ନିଜ ଜୀବନରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏଇ ଚାରିଦିଗରେ ପରିପୂର୍ଣ୍ଣତା ଲାଭ କରିବ । କେବଳ ଗୋଟିଏକୁ ଆଶ୍ରୟ କରି ବଞ୍ଚିବା ଠିକ୍ ନୁହେଁ । ଏହି ଚତୁବର୍ଗ ଫଳ ପ୍ରାପ୍ତି ସବୁ ଭାରତୀୟଙ୍କର ଜୀବନ-ସାଧନାର ଲକ୍ଷ୍ୟବସ୍ତୁ ।

 

ପ୍ରଶ୍ନ–ହସ୍ତମୈଥୁନର ଅପକାରିତା କ’ଣ ?

 

ଉତ୍ତର–ସାଧାରଣତଃ ହସ୍ତମୈଥୁନ ଫଳରେ ଶରୀର ବା ମନର କୌଣସି ଅପକାର ହେବା ଘଟଣା ଜଣାନାହିଁ । ଅତ୍ୟଧିକ ହସ୍ତମୈଥୁନର (ଦିନକ ଭିତରେ ସାତ ଆଠଥର) ଘଟଣା ସାଧାରଣ ଜୀବନରେ ପ୍ରାୟ ଦେଖାଯାଏ ନାହିଁ । ଯେଉଁଠି ଏପରି ଦେଖାଯାଏ, ସେଠି ଅତ୍ୟଧିକ ହସ୍ତମୈଥୁନ ସହିତ ଅନ୍ୟାନ୍ୟ ମାନସିକ ଅସ୍ଵାଭାବିକତା ଦେଖାଯାଏ । ଏ କ୍ଷେତ୍ରରେ ମାନସିକ ଅସ୍ଵାଭାବିକତା ଯୋଗୁଁ ସେ ଅତ୍ୟଧିକ ହସ୍ତମୈଥୁନରେ ଲିପ୍ତ ହୁଏ । ଅତ୍ୟଧିକ ହସ୍ତମୈଥୁନ ହେତୁ ମାନସିକ ଅସୁସ୍ଥତା ହୁଏ ବୋଲି ଭାବିବା ଭୁଲ୍ ।

 

କିନ୍‍ସେ, ମାଷ୍ଟାରସ ଓ ଜନସନ୍ ପରି ପ୍ରସିଦ୍ଧ ଯୌନ ବିଜ୍ଞାନୀମାନେ ବହୁ ଗବେଷଣାରୁ ଦେଖିଛନ୍ତି ଯେ–

 

୧ । ଯେଉଁମାନେ କୈଶୋରରେ ହସ୍ତମୈଥୁନ ଦ୍ୱାରା ନିଜର ଯୌନ-କାମନା ତୃପ୍ତି କରନ୍ତି, ସେମାନେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରିଥିବା ଲୋକଙ୍କ ତୁଳନାରେ ସୁସ୍ଥ-ମନର ଅଧିକାରୀ ହୋଇଥାଆନ୍ତି । ସେମାନଙ୍କ ମତରେ ଅଧିକାଂଶ ଲୋକଙ୍କ ପାଇଁ ସ୍ୱମେହନ ବା ହସ୍ତମୈଥୁନ ସାହାଯ୍ୟରେ ଯୌନ-କାମନାର ଉପଶମ କରିବା ଆଦୌ ଅସ୍ୱାସ୍ଥ୍ୟକର ନୁହେଁ । ବରଂ ସମ୍ପୂର୍ଣ୍ଣ ଯୌନ ନିରୋଧ ଅପେକ୍ଷା ଏହା ଅଧିକ ସ୍ଵାସ୍ଥ୍ୟକର । ସାଧାରଣ ଲୋକଙ୍କର ବିବାହ ପରେ ହସ୍ତ ମୈଥୁନର ଅଭ୍ୟାସ ଛାଡ଼ି ସ୍ଵାଭାବିକ ଯୌନ-କ୍ରିୟାରେ ଲିପ୍ତ ହେବା ଲାଗି ବିଶେଷ ଅସୁବିଧା ହୁଏ ନାହିଁ । ଯାହାର ଏପରି ଅସୁବିଧା ହୁଏ, ସିଏ ଅନ୍ୟାନ୍ୟ ମାନସିକ ଅସ୍ୱାଭାବିକତା ଭୋଗୁଥିବାର ଜଣାଯାଏ ।

 

ପ୍ରଶ୍ନ–ହସ୍ତମୈଥୁନ ଫଳରେ ମୁହଁରେ ବ୍ରଣ ହୁଏ କି ?

 

ଉତ୍ତର–ଏହା ସହିତ ବ୍ରଣର କୌଣସି ସମ୍ପର୍କ ନାହିଁ । ଯୌବନ ଆରମ୍ଭ ହେଲେ ଦୈହିକ କ୍ରିୟାରେ ବିଭିନ୍ନ ପରିବର୍ତ୍ତନ ହୁଏ । କୈଶୋର ଅବସ୍ଥାରେ ଚର୍ମରେ ଥିବା ତୈଳଗ୍ରନ୍ଥି ଗୁଡ଼ିକ ଅତ୍ୟଧିକ ସକ୍ରିୟ ହୋଇ ଅନେକ ସମୟରେ ପ୍ରୟୋଜନର ଅତିରିକ୍ତ ତେଲ ତିଆରି କରନ୍ତି । ଫଳରେ ଚମଡ଼ାର ଉପର ସ୍ତରରେ ଥିବା ଅତି କ୍ଷୁଦ୍ର ଗାତ ଗୁଡ଼ିକରେ ତେଲ ଓ ଧୂଳି ମଳି ଜମି, ଗାତର ମୁହଁକୁ ବନ୍ଦ କରିଦିଏ । ଏପରି ହେଲେ ମୁହଁରେ ବ୍ରଣ ମାଡ଼ିଯାଏ । ଏପରି ଅବସ୍ଥାରେ ଦିନରେ ଅନ୍ତତଃ ତିନି ଚାରିଥର ମୁହଁକୁ ସାବୁନରେ ଧୋଇ ପରିଷ୍କାର କରିବା କଥା । ମୁହଁ ଯେମିତି ତେଲିଆ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବ । ବ୍ରଣ ଚିପିଲେ ଘା ହେଇ ମୁହଁରେ ଦାଗ ହୁଏ, ସେଥିଲାଗି ବ୍ରଣ ଚିପିବା କଥା ନୁହେଁ । ଅତ୍ୟଧିକ ବ୍ରଣ ହେଲେ ଚର୍ମରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବ । ଅଧିକାଂଶ ପିଲା ବିନା ଚିକିତ୍ସାରେ ବର୍ଷେ ଦୁଇବର୍ଷ ଭିତରେ ଭଲ ହେଇ ଯାଆନ୍ତି ।

 

ମନରେ ଦୁଶ୍ଚିନ୍ତା ବା ଉଦବେଗ ବଢ଼ିଲେ ବ୍ରଣ ବଢ଼ିବାର ଦେଖାଯାଏ । ସେଥିଲାଗି ପରୀକ୍ଷା ପୂର୍ବରୁ କେତେକ ପିଲାଙ୍କ ଠାରେ ବ୍ରଣ ମାଡ଼ିଯାଏ । ସେମିତି ହସ୍ତମୈଥୁନ ଫଳରେ ଅନ୍ୟାୟ କାମ କଲି ଭାବି ମନରେ ଯଦି ଗ୍ଳାନି ବା ଅପରାଧବୋଧ ବଢ଼େ ତା’ହେଲେ ମୁହଁରେ ବ୍ରଣ ବଢ଼ିପାରେ । ଯେଉଁମାନେ ହସ୍ତମୈଥୁନର ବିଭିନ୍ନ କପୋଳକଳ୍ପିତ ଅପକାରିତା କଥା ଶୁଣିଛନ୍ତି, ସେମାନଙ୍କ ମନରେ ଭୟ ହେତୁ ଅଯଥାରେ ଉଦବେଗ ବଢ଼େ । ମନ ନିରୁଦ୍ ବିଗ୍ନ ରହିଲେ ଏପରି ହେବାର ସମ୍ଭାବନା କମିଯାଏ ।

 

ପ୍ରଶ୍ନ–ଅତ୍ୟଧିକ ହସ୍ତମୈଥୁନ କଲେ ପୁରୁଷତ୍ୱ ହାନିର ଆଶଙ୍କା ଅଛି କି ?

 

ଉତ୍ତର–ପ୍ରଥମେ, ଅଧିକାଂଶ ଲୋକ ଅତ୍ୟଧିକ ହସ୍ତମୈଥୁନ କରି ପାରନ୍ତି ନାହିଁ । କାରଣ ଶୁକ୍ରସ୍ଥଳୀ ଥରେ ସମ୍ପୂର୍ଣ୍ଣ ଖାଲି ହେଲା ପରେ ଆଉଥରେ ପୂର୍ଣ୍ଣ ହେବାକୁ ସମୟ ଲାଗେ । ପୁନଶ୍ଚ ଯୌନାଙ୍ଗର କ୍ଳାନ୍ତି ଦୂର ନ ହେଲେ ଯୌନାଙ୍ଗ ପୂର୍ଣ୍ଣ ଉତ୍ତେଜନା ଅନୁଭବ କରିବାକୁ ସମର୍ଥ ହୁଏ ନାହିଁ । ଦେହର ଅନ୍ୟାନ୍ୟ ମାଂସପେଶୀ ଯେପରି ସକ୍ରିୟ ଅବସ୍ଥା ଓ ଶ୍ରାନ୍ତ ଅବସ୍ଥା ଦେଇ ଯାଆନ୍ତି, ଯୌନାଙ୍ଗ ମଧ୍ୟ ସେପରି ଶ୍ରାନ୍ତି ଦୂର ନ ହେଲେ ସକ୍ରିୟ ହେଇପାରେ ନାହିଁ । ଅସମୟରେ ଏହାକୁ ଉତ୍ତେଜିତ କଲେ ଆନନ୍ଦ ବଦଳରେ ବେଦନା ବୋଧ ହୋଇଥାଏ । ସେଥିଲାଗି ହସ୍ତମୈଥୁନ ଫଳରେ ପୁରୁଷତ୍ୱ ହାନି ହେବାର ସମ୍ଭାବନା କମ୍ ।

 

ଦ୍ୱିତୀୟରେ ଭାବି ଦେଖିବା କଥା ଯିଏ ଅତ୍ୟଧିକ ହସ୍ତମୈଥୁନରେ ଲିପ୍ତ ହେଉଛି ସେ କାହିଁକି ଏପରି କରୁଛି ? ମଣିଷର ବିଭିନ୍ନ ଆନନ୍ଦ ମଧ୍ୟରୁ ଯୌନସୁଖ ଗୋଟିଏ ଆନନ୍ଦ । ସେ ଅନ୍ୟ ସବୁ ଛାଡ଼ି କାହିଁକି ଏଇ ଦେହସର୍ବସ୍ଵ ଆନନ୍ଦକୁ ଗଣ୍ଠି କରି ବସିଛି ? କାରଣ ହେଲା ଜୀବନରେ ଅନ୍ୟାନ୍ୟ ଆନନ୍ଦ ସହିତ ଆମେ ସେତେ ପରିଚିତ ନୋହୁଁ । ମଧ୍ୟବିତ୍ତ ଘରେ ସାଧାରଣ ମନୋଭାବ ହେଲା-ଯେ ଜୀବନଟା ଗୋଟାଏ ସାଧନା; ତେଣୁ କଷ୍ଟ କରି ସିଦ୍ଧଲାଭ କରିବାକୁ ପିଲା ମୂଳରୁ ଚେଷ୍ଟିତ ହେବ । ଏହି ସିଦ୍ଧିଲାଭର ପ୍ରଧାନ ଉପାୟ ହେଲା ସଦାସର୍ବଦା ବହି ଘୋଷି ପରୀକ୍ଷା ପାଶ୍ କରିବା । ଯେଉଁ ପିଲାକୁ ସବୁବେଳେ ବହି ଖଣ୍ଡେ ଧରି ବସିବାକୁ ବାଧ୍ୟ କରାଯାଏ ସେ ନିଜର ଶାରିରୀକ ଉତ୍ତେଜନା ଶାନ୍ତ କରିବାର ବାଟ ପାଏ ନାହିଁ; ଏହା ସହିତ ପିଲାକୁ ବ୍ରହ୍ମଚର୍ଯ୍ୟ ପାଳନ କରି ପୂର୍ଣ୍ଣ ଯୌନ ନିରୋଧରେ ରହିବାକୁ କୁହାଯାଏ । ଫଳରେ ଅଧିକାଂଶ କିଶୋର ଅହରହ ଯୌନ ଚିନ୍ତାରେ ମଜ୍ଜି ରୁହନ୍ତି । ଅନେକ ସମୟରେ ନ ଚାହିଁଲେ ମଧ୍ୟ ମନରେ ଆପେ ଆପେ ଯୌନ କଳ୍ପନାର ଉଦୟ ହୁଏ । ରାତିରେ ଯୌନ ବିଷୟକ ସ୍ୱପ୍ନ ଦେଖନ୍ତି । କାମନାର ଉପଶମ ହେଉ ନ ଥିବାରୁ ଅନେକ ସମୟରେ ଅସମ୍ଭାଳ ହୋଇ ଅସାମାଜିକ ଓ ନିଷିଦ୍ଧ ଯୌନକ୍ରିୟାରେ ଲିପ୍ତ ହୁଅନ୍ତି । ଏଥିଲାଗି ସମାଜର ପରିସର ମଧ୍ୟରେ କିଶୋର କିଶୋରୀମାନେ କେଉଁଭାବରେ ନିଜର ନବ ଜାଗ୍ରତ ଯୌନ କାମନାର ଉପଶମ କରି ପାରିବେ ସେ ବିଷୟ ଅଭିଭାବକମାନଙ୍କର ଚିନ୍ତା କରି ସ୍ଥିର କରିବା ଉଚିତ୍ । ବ୍ରହ୍ମଚର୍ଯ୍ୟ ସମସ୍ତଙ୍କ ପାଇଁ ନୁହେଁ । ଯିଏ କଠୋର ଆତ୍ମ-ସଂଯମୀ ବା ଯାହାଠାରେ ଶାରିରୀକ ତ୍ରୁଟି ଯୋଗୁଁ ଯୌନ କାମନାର ଉଦ୍ରେକ ହୁଏ ନାହିଁ କେବଳ ସେଭଳି ଲୋକମାନେହିଁ ବ୍ରହ୍ମଚାରୀ ହୋଇ ରହି ପାରନ୍ତି । ସାଧାରଣ ଲୋକ ଏଇ ଦୁଇ ଶ୍ରେଣୀର ମଧ୍ୟବର୍ତ୍ତୀ ହେଇଥିବାରୁ ସେମାନେ ସାମୟିକ ଭାବରେ ହିଁ ବ୍ରହ୍ମଚର୍ଯ୍ୟ ମାନି ଚଳି ପାରିବେ ।

 

ଯୌନତା ଓ ଜନ୍ମ ରହସ୍ୟ :

 

ଆମ ମଧ୍ୟବିତ୍ତ ଘରର ସଂସ୍କୃତିରେ ଲୋକେ ଯୌନତା ବିଷୟରେ ନୀରବ ମନୋଭାବ ଗ୍ରହଣ କରନ୍ତି । ଅନେକ ବିଷୟଟିକୁ ଅଶ୍ଳୀଳ ବୋଲି ଭାବୁଥିବାରୁ ଏ ବିଷୟ ନେଇ କଥା କହିବାକୁ ସଙ୍କୋଚ ବୋଧ କରନ୍ତି । ସେଥିଲାଗି “ପିଲା କେମିତି ଜନ୍ମ ହେଲା ?” ଏ ପ୍ରଶ୍ନ ପଚାରିଲେ ବିଭିନ୍ନ ପ୍ରକାର ଉତ୍ତର ମିଳେ । କିଏ କୁହେ–ପିଲା ଡାକ୍ତରଖାନାରୁ ଆସନ୍ତି । କିଏ କୁହେ, ଠାକୁରାଣୀ ଆଣି ଦେଇଗଲେ । କିଏ କୁହେ–ନଈରେ ଭାସି ଯାଉଥିଲା ଗୋଟେଇ ଆଣିଲି । ଯିଏ ଅତି ଆଧୁନିକ ସେ କୁହନ୍ତି–ପେଟ କଟା ହେଇ ପେଟ ଭିତରୁ ପିଲା ବାହାରିଲା । ସ୍ୱାଭାବିକ ସନ୍ତାନ ଜନ୍ମ ବିଷୟରେ ସମସ୍ତେ ନୀରବ ରୁହନ୍ତି । ଏଭଳି ଉତ୍ତର ଶୁଣି ପିଲାର ଭୁଲ ଧାରଣା ଜନ୍ମେ ଓ ସେ ବିଭ୍ରାନ୍ତ ହୁଏ । ଯଦି ପିଲା ଡାକ୍ତରଖାନାରୁ ଆସିଛି, ତା’ହେଲେ ସେ କେମିତି ମୋର ଭାଇ ହେବ ! ମାଆ ପୁଣି କହୁଛି ଆମ ଦେହରେ ଏକା ରକ୍ତ ଦିଖଣ୍ଡ ହେଇ ବୋହୁଛି । ମାଆର ରକ୍ତ ଆମ ଦେହକୁ କେମିତି ଆସିଲା ! ଠାକୁରାଣୀ କେଉଁଠାରୁ ପିଲା ଆଣି ଦିଅନ୍ତି ? ମୋତେ କଣ ମୋ ମାଆଠାରୁ ନେଇ ଆଉ କାହାଘରେ ଦେଇଦେବେ ? ମାଆ କଣ ମୋତେ ମଧ୍ୟ ନଈରୁ ଗୋଟେଇ ଆଣିଛି ? ସେଥିଲାଗି ଟିକେ ଭୁଲ କଲେ ଗାଳି ଦଉଛି । କଟକଟ ହେଉଛି । ମୋ ସତ ମାଆ କିଏ-? ସେହିପରି ପେଟଚିରି ପିଲା ଜନ୍ମ ହୁଏ ବୋଲି ଶୁଣିଲେ, ମାଆ ସନ୍ତାନ ସମ୍ଭବା ହେଲେ କାଳେ ମାଆ ପେଟଚିରାବେଳେ ମରିଯିବ ଭାବି ପିଲା ବ୍ୟାକୁଳ ହେଇପଡ଼ନ୍ତି । ଝିଅ ହେଇଥିଲେ ସେ ଭାବେ ମୁଁ ବଡ଼ ହେଲେ ମାଆ ହେଲେ ମୋତେ କଣ ଏହି ଉପାୟରେ ଛୁଆ ଜନ୍ମ କରିବାକୁ ପଡ଼ିବ-? ବହୁତ ସ୍ତ୍ରୀଲୋକଙ୍କ ମନରେ ପିଲା ଜନ୍ମ କରିବା ବିଷୟରେ ଅସମ୍ଭବ ଭୟ ଥାଏ । ବଡ଼ ହେଲା ପରେ ପରେ ସଂଚତନ ମନରୁ ଏ ଭୟ ଚାଲିଯାଏ, କିନ୍ତୁ ଅବଚେତନ ମନରେ ପ୍ରଚ୍ଛନ୍ନ ଭାବରେ ରୁହେ । ବଡ଼ ହେଲାପରେ ପ୍ରକୃତ ବିଷୟ ଜାଣିଲେ ମଧ୍ୟ ମନରେ ଭୟ ଥାଏ ଓ ଏହି ଭୟ ସହିତ ପିଲା ଜନ୍ମହେବା, ଗୋଟାଏ ଅଶ୍ଳୀଳ ବିଷୟ ଧାରଣାଟି ମିଶିରୁହେ ।

 

ମାଆର ପିଲା ହେବା ପୂର୍ବରୁ ଦେହର ପରିବର୍ତ୍ତନ ଘରେ ଅନ୍ୟ ପିଲାମାନେ ଲକ୍ଷ୍ୟକରି ଦେଖନ୍ତି । ସେମାନଙ୍କର ଦେଖିବା ଲାଗି ଯେପରି ଆଖି ଅଛି, ଶୁଣିବାଲାଗି ମଧ୍ୟ କାନ ଅଛି । ଘରର ଅନ୍ୟ ଲୋକମାନେ କଣ କଥାବାର୍ତ୍ତା ହେଉଛନ୍ତି ସେକଥା ପିଲାମାନେ କିଛି କିଛି ବୁଝନ୍ତି । ଅଧିକାଂଶ ପରିବାରରେ ପିଲା ବାପା ମାଆ ସହିତ ଏକାଘରେ ଓ ଅନେକ ସମୟରେ ଏକା ଖଟରେ ଶୁଏ । ମଝିରେ ନିଦ ଭାଙ୍ଗିଗଲେ ସବୁ ପିଲା ଉଠି କାନ୍ଦନ୍ତି ନାହିଁ । ଅନେକ ସମୟରେ ଚୁପ୍ ହେଇ ପଡ଼ିରହି ବାପା ମାଆଙ୍କର କଥାବାର୍ତ୍ତା ଶୁଣନ୍ତି । ଏସବୁ ଅଭିଜ୍ଞତାରୁ ବାପା ମାଆଙ୍କର ଦୈହିକ ସମ୍ପର୍କ ଓ ସେଥି ସହିତ ପିଲା ଜନ୍ମ ହେବାର ସମ୍ପର୍କ ବିଷୟରେ ସେମାନଙ୍କର ଅସ୍ପଷ୍ଟ ଧାରଣା ଥାଏ । ଧାରଣାର ଅସ୍ପଷ୍ଟତା ହେତୁ ଅନେକ ଭୁଲ୍ ଧାରଣା ମଧ୍ୟ ସେମାନଙ୍କର ମନରେ ଜନ୍ମେ । ଚଲାଖ ପିଲାମାନେ ଏଇ ଘଟଣାଟା ସଙ୍କୋଚର ବିଷୟ ବୋଲି ଠଉରେଇ ନିଅନ୍ତି । ସେଥିଲାଗି ସବୁପିଲା ଏ ବିଷୟରେ ପ୍ରଶ୍ନ ପଚାରନ୍ତି ନାହିଁ ଓ ମନ ଭିତରେ ଯେତେ କୌତୂହଳ ଥିଲେ ମଧ୍ୟ ବାହାରକୁ ପ୍ରକାଶ କରନ୍ତି ନାହିଁ । ପିଲା ଏ ବିଷୟରେ ପ୍ରଶ୍ନ କିଛି ନ ପଚାରିଲେ ଆମେ ଶାନ୍ତିରେ ନିଃଶ୍ଵାସ ନେଉ ଓ ନିଜ ପିଲାର ସରଳ ମନର ପ୍ରଶଂସା କରି ସୁଖୀ ହେଉ । “ଅନ୍ୟ ବଜାରୀ ପିଲାଙ୍କପରି ସେ ବାଜେ କଥାରେ ମୁଣ୍ଡ ପୂରାଏ ନାହିଁ”-ଭାବି ଆଶ୍ଵସ୍ତ ହେଉ । ଜାଣିବା କଥା ଯେ–ଏପରି କୌତୂହଳର ଅଭାବ ମାନସିକ ଅବଦମନର ଲକ୍ଷଣ । ବୁଦ୍ଧିମାନ ପିଲା ସବୁ ବିଷୟ ଜାଣିବାକୁ ଆଗ୍ରହ ପ୍ରକାଶ କରେ, ଯିଏ ଭାରତର ପ୍ରଧାନମନ୍ତ୍ରୀ କିଏ ଏକଥା ଜାଣିବାକୁ ଚାହୁଁଛି, ସେ ନିଜେ କେମିତି ଜନ୍ମ ହେଲା ସେ କଥା ଜଣିବାଲାଗି ଉତ୍ସୁକ ହେବନାହିଁ ?

 

ଯେଉଁ ପିଲା ପ୍ରଶ୍ନ ପଚାରେ, ଉତ୍ତର ଦେବା ଛଳରେ ତା ସହିତ ବିଭିନ୍ନ ବିଷୟ ଆଲୋଚନା କରିହୁଏ । ତା ମନର ଭୁଲ ଧାରଣା ଦୂର କରିହୁଏ । ଯିଏ ବାପା, ମାଆକୁ ସଙ୍କୋଚ କରି ପ୍ରଶ୍ନ ପଚାରେ ନାହିଁ, କିମ୍ବା ଏକାଠି ବସି କୌଣସି ବିଷୟ ଆଲୋଚନା କରେ ନାହିଁ, ତାକୁ ଶିଖେଇବା କାଠିକର ପାଠ । ଏଠି ପ୍ରଥମେ ସାଧାରଣ ପିଲାଙ୍କୁ ଏ ବିଷୟରେ କଣ କହିବା ସେ କଥା ଆଲୋଚନା କରୁଛି ।

 

ପ୍ରଶ୍ନ–ମାଆ, ଜେଜେମା ମାଉସୀକୁ କହୁଥିଲେ ତୋର ପୁଣି ପିଲା ହବ ବୋଲି ତୋର କଣ ପିଲା ହେବ ?

 

ଉତ୍ତର–ହଁ ହବ । ଏଇଖିଣିକା ହବାର ନାହିଁ । ଆହୁରି କେତେମାସ ବାକିଅଛି ।

 

ପ୍ରଶ୍ନ–କେମିତି ଜାଣିଲୁ ?

 

ଉତ୍ତର–ଡାକ୍ତର ପରୀକ୍ଷା କରି କହିଲେ ସେ ଦୁଇମାସ ହେଲା ପିଲା ମୋ ଦେହରେ ରହିଲାଣି । ଆଉ ସାତମାସ ପରେ ଯାଇ ସେ ଜନ୍ମ ହେବ ।

 

ପ୍ରଶ୍ନ–ସେ କଣ ମୋ ପରି ବଡ଼ ହେଇ ତୋ ଦେହରେ ରହିଛି ?

 

ଉତ୍ତର–ତୋ ପରି ବଡ଼ ହେଲେ ମୋ ଦେହ ଭିତରେ କଣ ରହିପାରିବ ? ମା ଦେହ ଭିତରେ ଥିଲାବେଳେ ପିଲା ବହୁତ ସାନ ଥାଏ । ଆସ୍ତେ ଆସ୍ତେ ବଢ଼ି ମାଆ ପେଟରେ ନଅମାସ ରହିଲା ପରେ ତାକୁ ଆଉ ବଢ଼ିବାକୁ ଜାଗା ଅଣ୍ଟେନାହିଁ । ସେତେବେଳକୁ ତାର ଦେହ ମଧ୍ୟ ପୂରା ତିଆରି ହେଇ ଯାଇଥାଏ । ସେଥିଲାଗି ମା ଦେହରୁ ବାହାରିଆସି ବାହାରେ ବଢ଼ିଲେ କୌଣସି ଅସୁବିଧା ହୁଏ ନାହିଁ । ତୁ କେମିତି ଖାଇପିଇ ଖେଳିବୁଲି ବଡ଼ ହେଉଛୁ ।

 

ପ୍ରଶ୍ନ–ମାଆ ପେଟ ଭିତରେ ଥିଲାବେଳେ ପିଲା କେମିତି ଖାଏ ?

 

ଉତ୍ତର–ମାଆ ପେଟ ଭିତରେ ଥିଲାବେଳେ ପିଲା ନିଜ ପାଟିରେ ଖାଏ ନାହିଁ । ମାଆ ଯେଉଁ ଖାଦ୍ୟ ଖାଏ, ସେ ଖାଦ୍ୟ ହଜମ ହୋଇ ମାଆର ରକ୍ତରେ ମିଶି ମାଆ ଦେହକୁ ସୁସ୍ଥ ରଖେ । ମାଆର ରକ୍ତ ପିଲା ଦେହର ରକ୍ତରେ ମିଶି ପିଲାକୁ ଖାଦ୍ୟ ଯୋଗାଏ । ସେହିପରି ମାଆ ନିଃଶ୍ୱାସରେ ଦେହ ଭିତରେ ଯେଉଁ ଅକସିଜେନ ଯାଏ ସେ ମା ଓ ପିଲା ଉଭୟଙ୍କର ରକ୍ତ ବିଶୋଧନ କରେ । ପିଲା ଦେହର ଅପରିଷ୍କୃତ ରକ୍ତ ମା’ର ରକ୍ତରେ ମିଶେ । ମା’ର କିଡ଼ନୀ ଓ ଫୁସ୍‍ଫୁସ୍‍ରେ ମା ଓ ପିଲା ଉଭୟଙ୍କ ରକ୍ତ ପରିଷ୍କୃତ ହୋଇ ମା’ର ପରିସ୍ରାରେ ବାହାରିଯାଏ । ସେଥିଲାଗି ପିଲାକୁ ନିଜେ ଝାଡ଼ା ପରିସ୍ରା କରିବାକୁ ପଡ଼େନାହିଁ ।

 

ପ୍ରଶ୍ନ–ତୁ କାହିଁକି ତା’ହେଲେ ସବୁବେଳେ ଖାଇବାକୁ ମନା କରୁଛୁ ? ବାନ୍ତି ଲାଗୁଛି କହୁଛୁ । ତୁ ନ ଖାଇଲେ ପିଲା ଭୋକରେ କଷ୍ଟ ପାଇବ ।

 

ଉତ୍ତର–ପିଲା ହବାର ପ୍ରଥମ ତିନି ଚାରିମାସ ଏମିତି ଦେହ ବୁଲେଇ ହେଇ ବାନ୍ତି ଲାଗେ । ସେଥିଲାଗି ମୋର ଖାଇବାକୁ ଇଚ୍ଛା ହେଉନାହିଁ । ଯେତେବେଳେ ଦେହ ଭଲ ଲାଗୁଛି, ମୁଁ ଖାଉଛି ।

 

ପ୍ରଶ୍ନ–ସମସ୍ତଙ୍କର କଣ ଏପରି ହୁଏ ?

 

ଉତ୍ତର–ନା । ଅନେକ ମାଆଙ୍କର କିଛି ହୁଏନାହିଁ । ଅଳ୍ପ କେତେକ ଲୋକଙ୍କର ଏପରି ମୁଣ୍ଡ ବୁଲେଇ ବାନ୍ତି ହୁଏ ।

 

ପ୍ରଶ୍ନ–ତୋ ପେଟ ଭିତରେ ପିଲା ଏଇଖିଣିକା ଶୋଇଚି ନା ଚେଇଁଛି ?

 

ଉତ୍ତର–ଦୁଇମାସିଆ ପିଲାର ଆଖି ନଥାଏ । ସେଥିଲାଗି ସେ ଚାହିଁବ କେମିତି । (ପିଲାକୁ ଛବି ଦେଖାଇ ଗର୍ଭସ୍ଥ ପିଲାର ଅଙ୍ଗପ୍ରତ୍ୟଙ୍ଗ କେମିତି ଧୀରେ ଧୀରେ ସୃଷ୍ଟି ହୁଏ, ସେ କିପରି ଆକାର ଓ ଆୟତନରେ ବଢ଼େ-ସେ ବିଷୟ ଦେଖାଇଲେ ବଡ଼ପିଲା ଭଲରେ ବୁଝିବ । ଭାଷାରେ ଯେତେ ବର୍ଣ୍ଣନା କଲେ ମଧ୍ୟ ଆଖିରେ ନଦେଖି ଏ ବିଷୟଟି ଭଲଭାବରେ ହୃଦୟଙ୍ଗମ କରିବା କଷ୍ଟ । ମଟର ମଞ୍ଜିପରି କ୍ଷୁଦ୍ର ମାଂସପିଣ୍ତରୁ ସବୁ ଅଙ୍ଗପ୍ରତ୍ୟଙ୍ଗ ଥାଇ ପିଲାଟିଏ କେମିତି ସୃଷ୍ଟି ହେଉଛି ସେ କଥା ଭାବି ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉ) ।

 

ପ୍ରଶ୍ନ–ତୁ ଯାହା ଖାଉଛୁ ହଜମ ହେଇଯାଉଛି; ପିଲା କେମିତି ତୋ ପେଟ ଭିତରେ ରହି ହଜମ ହେଇ ଯାଉନାହିଁ ?

 

ଉତ୍ତର–ପିଲା ମା’ର ପାକସ୍ଥଳୀରେ ନଥାଏ । ମା ଦେହ ଭିତରେ ଜରାୟୁ ବୋଲି ଗୋଟାଏ ଅଲଗା ସ୍ଥାନ ଅଛି । ସେହି ଜରାୟୁ ଭିତରେ ପିଲା ବଢ଼େ । ପିଲା ମା’ ଦେହରେ ସଞ୍ଚାର ହେଲାପରେ, ତା ଦେହର ଚାରିପଟେ ଆଉ ଗୋଟାଏ ଚମଡ଼ା ଖୋଳ ତିଆରି ହୁଏ ଓ ଏଥିରେ ପାଣି ଭର୍ତ୍ତି ହୋଇଯାଏ । ପିଲା ଜନ୍ମ ନହବା ପର୍ଯ୍ୟନ୍ତ ଏଇ ପାଣିମୁଣା ଭିତରେ ଥାଇ ପାଣିରେ ଭାସୁଥାଏ । ଫଳରେ ପିଲା ଦେହରେ ସହଜରେ ରୋଗ ସଂକ୍ରମଣ ହୁଏନାହିଁ ବା ମା ଦେହରେ ସାମାନ୍ୟ ଆଘାତ ଲାଗିଲେ ପିଲାଠାରେ ଆଘାତ ଲାଗେ ନାହିଁ । ପାଣି ସବୁବେଳେ ଉଷୁମ ଥିବାରୁ ପିଲାକୁ ବାହାରର ଥଣ୍ଡା ବା ଗରମ ଯୋଗୁଁ କଷ୍ଟ ସହିବାକୁ ପଡ଼େନାହିଁ । ଏହିଭଳି ଦୁଇ ପରସ୍ତ ଆବରଣ ଭିତରେ ପିଲା ଥିବାରୁ ପିଲାକୁ ସହଜରେ ରୋଗ ବଇରାଗ ହୁଏନାହିଁ । ମାଆକୁ ଜ୍ଵର, କାଶ, ସର୍ଦ୍ଦି ହେଲେ ମଧ୍ୟ ଅନେକ ସମୟରେ ପିଲା ସୁସ୍ଥ ରୁହେ ।

 

ପ୍ରଶ୍ନ–କେମିତି ପିଲା ପାଣିରେ ବୁଡ଼ି ନ ଯାଇ ଭାସୁଥାଏ ?

 

ଉତ୍ତର–ପିଲା ପାଣିରେ ବୁଡ଼ିରହି ଭାସୁଥାଏ । ସେ ନିଜ ଫୁସ୍‍ଫୁସ ସାହାଯ୍ୟରେ ନିଃଶ୍ଵାସ ନିଏ ନାହିଁ । ସେଥିଲାଗି ପାଣିରେ ବୁଡ଼ିଗଲେ ଆମକୁ ଯେପରି ନିଃଶ୍ଵାସ ନେବାକୁ କଷ୍ଟ ଲାଗେ ପିଲାକୁ ସେପରି କଷ୍ଟ ଲାଗେ ନାହିଁ । ଜନ୍ନ ହେଲାପରେ ବାହାର ପବନ ତାର ନାକଦେଇ ଶ୍ଵାସନଳୀକୁ ଗଲେ ପିଲାର ଫୁସ୍‍ଫୁସ୍ ଖୋଲିଯାଏ ଓ ସେ ପ୍ରଥମ ଥର ନିଜ ବଳରେ ନିଜେ ନିଶ୍ୱାସ ନିଏ । ସେତେବେଳେ ପିଲାକୁ ପାଣିରେ ବୁଡ଼େଇ ଦେଲେ ସେ ନିଃଶ୍ଵାସ ନେଇ ନପାରି ବୁଡ଼ିଯାଇ ମରିଯିବ ।

 

ପ୍ରଶ୍ନ–ମାଆ ପେଟ ଭିତରେ ଥିଲାବେଳେ ପିଲା କଣ କରେ ?

 

ଉତ୍ତର–ଅଧିକାଂଶ ସମୟ ଶୋଇରୁହେ । କେତେବେଳେ କେତେବେଳେ ଜାଗ୍ରତ ଥାଏ-। ଘଡଘଡ଼ି ଶବ୍ଦ ଶୁଣିଲେ ପିଲା ଉଠିପଡ଼ି ମାଆ ପେଟ ଭିତରେ ବୁଲେ । ଅନେକ ସମୟରେ କୌଣସି ଶବ୍ଦ ନଶୁଣି ମଧ୍ୟ ଜାଗ୍ରତ ଅବସ୍ଥାରେ ଥିଲେ ପେଟ ଭିତରେ ବୁଲେ, ଗୋଇଠା ମାରେ ।

 

ପ୍ରଶ୍ନ–ତୁ କହୁଥିଲୁ ତୁ ଓ ମାମୁଁ ଯାଆଁଳା ଭାଇ ଓ ଭଉଣୀ । ଆଈ କଣ ଆଗରୁ ଜାଣିଥିଲେ ତୁମେ ଦୁଇଜଣଯାକ ତାଙ୍କ ପେଟ ଭିତରେ ଅଛ ବୋଲି ?

 

ଉତ୍ତର–ଡାକ୍ତର ମା ପେଟରେ ସେଟଥସ୍କୋପ ଲଗେଇ ଯଦି ଦିଓଟି ହୃତ୍‌ପିଣ୍ଡର ଶବ୍ଦ ଶୁଣନ୍ତି, ତା’ହେଲେ ଯୋଡ଼ିଏ ପିଲା ଥିବାର ଅନୁମାନ କରନ୍ତି । ଯଦି ଗୋଟିଏ ହୃତପିଣ୍ତର ଶବ୍ଦ ଶୁଣନ୍ତି ତା’ହେଲେ ଗୋଟିଏ ପିଲା ଅଛି ବୋଲି ଅନୁମାନ କରନ୍ତି । ଯୋଡ଼ାଏ ପିଲା ଥିଲେ ମା ପେଟ ବହୁତ ବଡ଼ ଦେଖାଯାଏ । ଏକ୍ସ-ରେ ସାହାଯ୍ୟରେ ଜରାୟୁ ଭିତରର ଛବି ନେଲେ ଗୋଟିଏ କି ଦିଓଟି ପିଲା ଅଛନ୍ତି ସେକଥା ଜାଣିହବ ।

 

ପ୍ରଶ୍ନ–ଦିଓଟି ପିଲା କଣ ଅଲଗା ଅଲଗା ଜରାୟୁରେ ବଢ଼ନ୍ତି ?

 

ଉତ୍ତର–ନା, ଗୋଟାଏ ଜରାୟୁରେ ଯାଆଁଳା ପିଲା ବଢ଼ନ୍ତି । ଜାଗାର ଅଭାବ ଥିଲାରୁ ଏମାନେ ଗୋଟିକିଆ ପିଲାଠାରୁ ଓଜନରେ କମ୍ ହୁଅନ୍ତି ।

 

ପ୍ରଶ୍ନ–ଯାଆଁଳା ପିଲା କାହିଁକି ଜନ୍ମ ହୁଅନ୍ତି ? ଆଈ କହୁଥିଲେ ଯାଆଁଳା କଦଳୀ ଖାଇଲେ ଯାଆଁଳା ପିଲା ହୁଅନ୍ତି ।

 

ଉତ୍ତର–ଯାଆଁଳା ଫଳ ଖାଇ ଅନେକ ଲୋକଙ୍କର ଗୋଟାଏ ପିଲା ହେବାର ଦେଖାଯାଉଛି ଓ କେତେକଙ୍କର ଜମାରୁ ପିଲା ନହେବାର ମଧ୍ୟ ଜଣାଯାଇଛି । ସେଥିରୁ ଜଣାଯାଏ ଯାଆଁଳା ଫଳ ଖାଇବା ସହିତ ଯାଆଁଳା ପିଲା ହେବାର କୌଣସି ସମ୍ପର୍କ ନାହିଁ ।

 

ଯାଆଁଳା ପିଲା କେମିତି ଜନ୍ମ ହୁଅନ୍ତି, ସେକଥା ବୁଝିବାଲାଗି ପ୍ରଥମେ ପିଲା କେମିତି ମା ଦେହରେ ସଞ୍ଚାର ହୁଏ ସେ ବିଷୟ ଜାଣିବା ଦରକାର ।

 

ଜନ୍ମକାଳରୁ ସ୍ତ୍ରୀଲୋକମାନଙ୍କର ଡିମ୍ୱକୋଷରେ ହଜାର ହଜାର ଡିମ୍ୱାଣୁ (ova) ରହିଥାଏ । ଯୌବନ ଆରମ୍ଭ ହେଲାପରେ ଏଇ ଡିମ୍ବାଣୁ ଭିତରୁ ଗୋଟିଏ ପରିପୁଷ୍ଟ ହେଇ ଡିମ୍ବନାଳୀରେ ଆସି ରୁହେ । ସେଠି ଥିଲାବେଳେ ପୁରୁଷର ଶୁକ୍ରରେ ଥିବା ଶୁକ୍ରାଣୁ ସହିତ ମିଳିତ ହେଲେ ଏଇ ଦୁଇ ବୀଜକୋଷ ମିଳିତ ଭାବରେ ନିଜକୁ ବଦଳେଇ ଶିଶୁ ଦେହର ଅଙ୍କୁର ଆକାର ଧାରଣ କରନ୍ତି । ଏଇ ନୂତନ ଜୀବକୋଷ ପ୍ରାଣବନ୍ତ ଡିମ୍ବାଣୁ (Fertilized egg) ଆକାରରେ ଜରାୟୁକୁ ଖସିଆସେ ଓ ଜରାୟୁର କାନ୍ଥ ଦେହରେ ନିଜକୁ ଲଗେଇ ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କରେ ।

 

ଅନେକ ସମୟରେ ଡିମ୍ୱନଳୀରେ ଯଦି ଗୋଟାଏ ବଦଳରେ ଦିଓଟି ଡିମ୍ବାଣୁ ରହିଥାଏ ଓ ଦିଓଟିଯାକଙ୍କୁ ଶୁକ୍ରାଣୁ ବିଦ୍ଧ କରି ଦିଓଟି ସ୍ୱତନ୍ତ୍ର ଅଙ୍କୁରିତ ଡିମ୍ବାଣୁ ସୃଷ୍ଟି କରେ, ତା’ହେଲେ ଯାଆଁଳା ପିଲା ହେବ ।

 

ଯାଆଁଳା ପିଲା ଆଉ ଏକ ଘଟଣା ଫଳରେ ମଧ୍ୟ ସୃଷ୍ଟି ହୁଅନ୍ତି । ଗୋଟିଏ ଅଙ୍କୁରିତ ଡିମ୍ବାଣୁ ଯଦି ଦୁଇଭାଗ ହେଇ ଦୁଇଟି ସ୍ଵତନ୍ତ୍ର ଅଙ୍କୁରରେ ପରିଣତ ହୁଏ ତା’ହେଲେ ମଧ୍ୟ ଯାଆଁଳା ପିଲା ହେବ । ଏପରି ଘଟିଲେ ଯାଆଁଳା ପିଲାମାନେ ଦୁଇ ଭାଇ ବା ଦୁଇ ଭଉଣୀ ହେଇ ଜନ୍ମ ହୁଅନ୍ତି । ଦିଓଟି ସ୍ଵତନ୍ତ୍ର ଡିମ୍ବରୁ ଜାତ ହେଇଥିଲେ ସେମାନେ ଦୁଇ ଭାଇ ଭଉଣୀ ବା ଦୁଇ ଭାଇ କିମ୍ବା ଦୁଇ ଭଉଣୀ ହେଇ ମଧ୍ୟ ଜନ୍ମ ହେଇପାରନ୍ତି । ଡାକ୍ତରୀ ପରୀକ୍ଷା ଦ୍ୱାରା ଦୁଇ ଯାଆଁଳା ଭାଇ ସ୍ଵତନ୍ତ୍ର ଡିମ୍ବରୁ ଜନ୍ମ ହେଇଛନ୍ତି ନା ଗୋଟାଏ ଡିମ୍ବରୁ ଜନ୍ମ ହେଇଛନ୍ତି ସେକଥା ସଠିକ ଭାବରେ ଜଣାଯାଏ । ଆଖିରେ ଦେଖିଲେ ଗୋଟାଏ ଡିମ୍ବରୁ ଜନ୍ମ ହୋଇଥିବା ଯାଆଁଳା ପିଲା ଏକାପରି ଦେଖାଯାଆନ୍ତି । ନିଜ ମାଆ ଛଡ଼ା, ଅନ୍ୟଲୋକ ସେମାନଙ୍କୁ ଦେଖି ଚେହେରାର ପାର୍ଥକ୍ୟ ବାରିପାରନ୍ତି ନାହିଁ । ସେମାନଙ୍କର ବୁଦ୍ଧି ବୃତ୍ତି ଓ ସ୍ୱଭାବରେ ମଧ୍ୟ ବହୁତ ସମତା ଥାଏ । ସାଧାରଣ ଭାଇ ଭଉଣୀ ବା ଦିଓଟି ଡିମ୍ବରୁ ଜାତ ଯାଆଁଳା ଭାଇ ଭଉଣୀଙ୍କ ଭିତରେ ଏତେ ସାମ୍ୟ ନଥାଏ ।

 

ପ୍ରଶ୍ନ–ଶୁକ୍ରାଣୁ କିପରି ଡିମ୍ୱନାଳୀରେ ପହଞ୍ଚେ ?

 

ଉତ୍ତର–ସ୍ତ୍ରୀର ଯୋନିପଥରେ ପୁରୁଷର ଶୁକ୍ର ନିର୍ଗମ ହେଲେ ଏହା ଜରାୟୁକୁ ବୋହିଯାଏ ଓ ଶୁକ୍ର ସ୍ରୋତରେ ଭାସୁଥିବା ଲକ୍ଷ ଲକ୍ଷ ଶୁକ୍ରାଣୁ ଡିମ୍ବାଣୁ ଆଡ଼କୁ ପହଁରି ଯାଆନ୍ତି । ଏଇ ଲକ୍ଷ ଲକ୍ଷ ଶୁକ୍ରାଣୁ ମଧ୍ୟରୁ କେବଳ ଗୋଟିଏ ଶୁକ୍ରାଣୁ ଡିମ୍ବାଣୁକୁ ବିଦ୍ଧ କରି ପ୍ରବେଶ କରେ । ଏପରି ଘଟିବା ମାତ୍ରକେ ଡିମ୍ବାଣୁ ନିଜର ଚାରିପଟ ରୁଦ୍ଧ କରିଦିଏ ଓ ଅନ୍ୟ କୌଣସି ଶୁକ୍ରାଣୁ ପ୍ରବେଶ କରି ପାରନ୍ତି ନାହିଁ ।

 

ଦୁଇ ଉପାୟରେ ସ୍ତ୍ରୀର ଯୋନିପଥରେ ଶୁକ୍ର ପହଞ୍ଚିପାରେ । ସ୍ଵାଭାବିକ ଉପାୟରେ ପୁରୁଷ ନିଜର କଠିଣ ଲିଙ୍ଗ ସ୍ତ୍ରୀର ଯୋନିରେ ପ୍ରବେଶ କରାଇ ଯୌନକ୍ରିୟା କଲେ, ପୁରୁଷ ଲିଙ୍ଗରୁ ଶୁକ୍ର ନିର୍ଗତ ହୋଇ ଯୋନିପଥରେ ପ୍ରବେଶ କରେ ।

 

କୃତ୍ରିମ ଉପାୟ ହେଲା ପୁରୁଷ ଦେହରୁ ଶୁକ୍ର ସଂଗ୍ରହ କରି ଇଞ୍ଜେକ୍‍ସନ ସାହାଯ୍ୟରେ ସ୍ତ୍ରୀର ଯୋନିପଥରେ ଶୁକ୍ର ସଞ୍ଚାର କରିବା । ବିଭିନ୍ନ କାରଣରୁ ଏପରି ଉପାୟରେ ସନ୍ତାନଲାଭ କରିବାକୁ ସ୍ଵାମୀ ସ୍ତ୍ରୀ ସ୍ଥିର କରନ୍ତି । ପ୍ରଧାନ କାରଣ ହେଲା ସ୍ଵାମୀର ଶୁକ୍ରରେ ଶୁକ୍ରାଣୁର ଅଭାବ । ପୁରୁଷ ଦେହରୁ ଥରକୁ ପ୍ରାୟ ଏକ ଚାମୁଚ (ଚାହା ଚାମୁଚ) ପରିମାପର ଶୁକ୍ର ନିର୍ଗମ ହୁଏ । ଯଦି ଏଥିରେ ଯଥେଷ୍ଟ ଶୁକ୍ରାଣୁ ନ ଥାଏ, ତାହେଲେ ଅନେକ ସମୟରେ ଏଇ ଅଳ୍ପ ସଂଖ୍ୟକ ଶୁକ୍ରାଣୁ ଗର୍ଭାଧାନ କରି ପାରନ୍ତି ନାହିଁ । ଡାକ୍ତରମାନେ ସ୍ୱାମୀର ଶୁକ୍ର ସଂଗ୍ରହ କରି ରଖନ୍ତି । ସ୍ତ୍ରୀର ଡିମ୍ବ ଡିମ୍ବନାଳୀରେ ଅଛି କି ନାହିଁ ସେ ବିଷୟ ସ୍ଥିର କରନ୍ତି ଓ ସେହି ଅବସ୍ଥାରେ ଶୁକ୍ର ସଞ୍ଚାର କରି ଗର୍ଭାଧାନ କରିବାକୁ ଚେଷ୍ଟା କରନ୍ତି । ଅଧିକାଂଶ ସମୟରେ କୃତ୍ରିମ ଉପାୟ ଦ୍ୱାରା ଆମ ଦେଶରେ ଗାଈର ଗର୍ଭାଧାନ କରାଯାଇଥାଏ ।

 

ପ୍ରଶ୍ନ–ପିଲା କେଉଁବାଟେ ଜନ୍ମ ହୁଏ ?

 

ଉତ୍ତର–ଦୁଇ ଉପାୟରେ ପିଲା ଜନ୍ମ ହୁଅନ୍ତି । ସ୍ଵାଭାବିକ ଭାବରେ ପିଲା ଜନ୍ମ ହେଲେ ଜରାୟୁରୁ ଯୋନିପଥ ବା ଜନ୍ମପଥ ନେଇ ବାହାରକୁ ବାହାରି ଆସେ । ସ୍ତ୍ରୀ ଲୋକଙ୍କର ମୂତ୍ରଦ୍ୱାର ଓ ମଳଦ୍ୱାର ମଝିରେ ଏଇ ଦ୍ୱାର ଥାଏ । ମାତ୍ର ଅନେକ ସମୟରେ ଏଇ ବାଟ ସାନ ଥିଲେ ଡାକ୍ତର ମା’ର ପେଟ ଚିରି ପିଲାକୁ ସେଇବାଟେ ବାହାର କରି ଆଣନ୍ତି ଓ ପିଲା ବାହାରକୁ ଆସିଲା ପରେ କଟା ଜାଗାକୁ ସିଲେଇ କରିଦିଅନ୍ତି । ଘାଆ ଶୁଖିଗଲା ପରେ ସେଠି ସରୁ ଗାର ପରି ଦାଗ ରହିଯାଏ ।

 

ପ୍ରଶ୍ନ–ମାଆକୁ କ’ଣ ବହୁତ କଷ୍ଟ ହୁଏ ?

 

ଉତ୍ତର–ମାଆର ପେଟ ଅପେରସନ କଲାବେଳେ ଡାକ୍ତର ମାଆକୁ ଔଷଧ ଦେଇ ଶୁଆଇ ପକାନ୍ତି । ତେଣୁ ମାଆ କୌଣସି କଷ୍ଟ ଜାଣିପାରେ ନାହିଁ ।

 

ସ୍ଵାଭାବିକ ଉପାୟରେ ପିଲା ହେଲାବେଳେ ମାଆ ସଚେତ ଥିଲାରୁ କଷ୍ଟ ଜାଣିପାରେ । ମାଆର କଷ୍ଟ କମ୍ ହେବ ବୋଲି ଆଜିକାଲି ଭାରତର ବାହାରେ ଅଧିକାଂଶ ଦେଶରେ ପିଲା ଜନ୍ମ ହେବାର ଦୁଇ ତିନି ମାସ ପୂର୍ବରୁ ମାଆକୁ ବିଶେଷ ଉପାୟରେ ନିଶ୍ୱାଶ ପ୍ରଶ୍ୱାସ ନେବାକୁ ଶିଖାନ୍ତି । ଫଳରେ କଷ୍ଟ କମ୍ ହୁଏ ।

 

ଅନେକ ମାଆ ପିଲା ହେଲାବେଳେ ବହୁତ କଷ୍ଟ ହୁଏ ଶୁଣି ଏତେ ଡରି ଯାଆନ୍ତି ଯେ ଭୟରେ ତାଙ୍କ ଦେହର ମାଂସପେଶୀ ସଙ୍କୁଚିତ ହେଇ ରୁହେ । ଫଳରେ ପ୍ରସବ ପଥ ଯଥେଷ୍ଟ ମେଲା ହେଇ ପାରେ ନାହିଁ ଓ ମାଆକୁ ବେଶୀ କଷ୍ଟ ହୁଏ । ସେଥିଲାଗି କେମିତି ମନର ଭୟ କମେଇବ ଓ ବ୍ୟାୟାମ କରି ଦେହର ମାଂସପେଶୀ ଶିଥିଳ କରିବ ସେ ସବୁ ବିଷୟ ମଧ୍ୟ ଗର୍ଭବତୀ ମାଆକୁ ଶିଖାଯାଇଥାଏ । ମାତ୍ର ଏ ସବୁ ସତ୍ତ୍ଵେ ପିଲା ହେଲାବେଳେ କଷ୍ଟ ହୁଏ । ଅଧିକାଂଶ ସ୍ତ୍ରୀଲୋକ ଏଇ କଷ୍ଟ ସହି ପାରନ୍ତି ।

 

ପ୍ରଶ୍ନ–ପେଟ ଅପେରେଶନ କଲେ ଯଦି କଷ୍ଟ ଜଣାଯାଏ ନାହିଁ, ତାହେଲେ ସେହି ଉପାୟରେ ପିଲା ଜନ୍ମ ନ କରି ସ୍ଵାଭାବିକ ଉପାୟରେ କାହିଁକି ମାଆ ପିଲା ଜନ୍ମ କରେ ?

 

ଉତ୍ତର–ପ୍ରସବ କଷ୍ଟ ଜଣାଯାଏ ନାହିଁ ସତ, କିନ୍ତୁ ଅପରେସନ ଘାଆ ଯୋଗୁଁ ଅଳ୍ପ ବେଶୀ କଷ୍ଟ ହୁଏ । ଅପରେଶନ କଲେ ଘା ବିଷାକ୍ତ ହବାର ସମ୍ଭାବନା ଥାଏ । ଯେଉଁ ଔଷଧ ଦେଇ ଅଚେତ୍ କରନ୍ତି ସେଇ ଔଷଧର ଖରାପ ପ୍ରଭାବରେ ପିଲା ଓ ମା’ ଠାରେ ଅନ୍ୟାନ୍ୟ ଉପସର୍ଗ ଦେଖାଦେଇପାରେ । ଆମ ଦେଶରେ ଏଭଳି ଅପରେଶନ କରିବା ପାଇଁ ଯଥେଷ୍ଟ ତାଲିମପ୍ରାପ୍ତ ଡାକ୍ତର ଓ ଡାକ୍ତରଖାନା ନାହିଁ । ସେଥିଲାଗି ଯେଉଁଠି ଅପରେଶନ ନ କଲେ ନ ହେବ ସେଭଳି ପରିସ୍ଥିତିରେ ଏ ଅପରେଶନ କରାଯାଏ ।

 

ପ୍ରଶ୍ନ–ଅଜା କହୁଥିଲେ ମୁଁ ସାନ ମାମୁଁଙ୍କ ପରି ଦେଖିବାକୁ । ମୁଁ ତ ମୋ ବାପାଙ୍କର ପୁଅ, ବାପାଙ୍କ ପରି ଦେଖା ନଯାଇ ମୁଁ କାହିଁକି ମାମୁଁଙ୍କ ପରି ଦେଖିବାକୁ ହେଲି ?

 

ଉତ୍ତର–ପିଲାମାନେ ସମୟ ସମୟରେ ନିଜ ବାପା ମାଆ ପରି ଦେଖା ନ ଯାଇ ମାମୁଁ ଘର ବା ବାପଘରର ଅନ୍ୟାନ୍ୟ ଲୋକଙ୍କ ପରି ଦେଖାଯିବାର କାରଣ ହେଲା ପିଲା ଦେହରେ ଏଇ ଦୁଇ ବଂଶର ଧାରା ରହିଛି । ସେଥିଲାଗି ବାପା ମାଆ ଗୋରା ହେଇଥିଲେ ମଧ୍ୟ ପିଲା ରଙ୍ଗ ଜେଜେବାପାଙ୍କ ରଙ୍ଗ ପରି କଳା ହୋଇପାରେ । ମାଆ ଗୋରା ଓ ବାପା କଳା ହେଲେ, ସବୁ ପିଲା ଗୋରା ନ ହେଇ ପାରନ୍ତି । କିଏ କଳା ହୁଏ । କିଏ ବା ଗୋରା ହୁଏ । ଏହିଭଳି, ଡେଙ୍ଗା, ଗେଡ଼ା, ଠିଆ ନାକ, ଚେପା ନାକ, ମୋଟା, ପତଳା, କୁଞ୍ଚିକୁଞ୍ଚିଆ ବାଳ, ସିଧା ବାଳ ଇତ୍ୟାଦି ବିଭିନ୍ନ ରୂପ ପିଲା ନିଜ ବଂଶରୁ ପାଇଥାଏ । ତୋର ମାଆ ଓ ମାମୁଁ ଏକା ମା ପେଟରୁ ଜନ୍ମ । ସେଥିଲାଗି ତୁ ମାଆ ବଂଶର ଚେହେରା ପାଇଲୁ ।

 

ପ୍ରଶ୍ନ–ମୁଁ କଣ ମାମୁଁ ପରି ଭଲ ଖେଳୁଓ୍ୱାଡ଼ ହେବି ?

 

ଉତ୍ତର–ହୋଇପାରୁ । ଭଲ ଖେଳୁଓ୍ୱାଡ଼ ହବା ଅନେକାଂଶରେ ଦେହର ଗଠଣ ଉପରେ ନିର୍ଭର କରେ । ତୋର ଦେହ ମାମୁଁଙ୍କର ଦେହର ଢାଞ୍ଚରେ ହେଇଛି । ତୋର ତେଣୁ ଭଲ ଖେଳୁଓ୍ୱାଡ ହବାର ସମ୍ଭାବନା ଅଛି । ମାତ୍ର କୌଣସି ବିଷୟରେ ଭଲ କରିବାଟା ଲୋକ କେବଳ ବଂଶରୁ ଉତ୍ତରାଧିକାର ସୂତ୍ରରେ ପାଏନାହିଁ । ଭଲ କରିବାକୁ ହେଲେ ସେଥିପାଇଁ ନିଜର ଚେଷ୍ଟା ରହିବା ଦରକାର, ସେ ବିଷୟରେ ତାଲିମ୍ ପାଇବା ସହିତ ଅଭ୍ୟାସ କରିବା ଦରକାର । କଥାରେ କୁହନ୍ତି ‘ଚାଟଘର ପୁଅ ଚାଟ’ । ଏପରି ହେବାର କାରଣ ହେଲା ସେ ମୂଳରୁ ବାପା ମାଆଙ୍କଠାରୁ ପାଠ ପଢ଼ିବାପାଇଁ ଉତ୍ସହ ଓ ସୁଯୋଗ ସୁବିଧା ପାଇଥାଏ । ଅନେକ ଲୋକ ଏ ବିଷୟଟି ଠିକ୍ ଭାବରେ ବୁଝି ନ ଥିବାରୁ ବଂଶ ଅନୁସାରେ ଲୋକର ଭଲଗୁଣ ବା ଖରାପ ଗୁଣ ହୁଏ ବୋଲି ଭାବନ୍ତି । ବଂଶଗତ ଗୁଣ ଓ ପରିବେଷ୍ଟନୀର ପ୍ରଭାବ ଏଇ ଉଭୟ ଶକ୍ତି ମଣିଷକୁ ଗଢ଼ିଥାଏ ।

 

ପ୍ରଶ୍ନ–ମୁଁ କାହିଁକି ଝିଅ ନ ହେଇ ପୁଅ ହେଲି ?

 

ଉତ୍ତର–ଗର୍ଭ ସଞ୍ଚାର ସମୟରେ ପୁଅ ହେବ କି ଝିଅ ହେବ ସେକଥା ଜୀବକୋଷରେ ଥ‌ିବା କ୍ରୋମୋଜମ୍ ର ଯୋଡ଼ି ଉପରେ ନିର୍ଭର କରେ । ଏ ବିଷୟଟି ଟିକେ ବିଷଦ ଭାବରେ ବୁଝାଉଛି । ମାଆ ଦେହର ଡିମ୍ୱାଣୁ ସହିତ ବାପା ଦେହରୁ ନିର୍ଗତ ଶୁକ୍ରାଣୁ ମିଳିତ ହୋଇ ଗର୍ଭ ସଞ୍ଚାର କରନ୍ତି । ଏଗୁଡ଼ିକ ହେଲେ ଜୀବକୋଷ ବା cell body । ଏହି କୋଷର କେନ୍ଦ୍ର ସ୍ଥଳରେ ଅତି ସୂକ୍ଷ୍ମ ସୂତାପରି ଯେଉଁ ପଦାର୍ଥମାନ ରହିଛି ତାହାକୁ ‘ବର୍ଣ୍ଣଦେହୀ’ ବା କ୍ରୋମୋଜମ୍ କୁହାଯାଏ । ଏହି କ୍ରୋମୋଜମ୍ ସ୍ଥ ‘ଜୀନ’ ବଂଶର ଧାରା ବହନ କରେ । କ୍ରୋମୋଜମ୍‌ର ମୋଟ ସଂଖ୍ୟା ତେଇଶ । ଏହାର ଆକୃତି ଅନୁସାରେ ବୈଜ୍ଞାନିକମାନେ ଏହାଇ ଦୁଇ ପ୍ରକାଇ ଭାଗରେ ବିଭକ୍ତ କରନ୍ତି । ଗୋଟାଏ ପ୍ରକାର କ୍ରୋମୋଜମ୍ ହେଲା X ଓ ଅନ୍ୟ ପ୍ରକାରଟିକୁ Y ବୋଲି କୁହାଯାଏ । ଏହି Y କ୍ରୋମୋଜମ୍ ସନ୍ତାନ ପୁଅ ହେବ ନା ଝିଅ ହେବ ସେ ବିଷୟ ନିରୂପଣ କରେ । ଶୁକ୍ରାଣୁରେ ଥିବା ୨୩ଟି କ୍ରୋମୋଜମ୍ ଡିମ୍ବାଣୁ ୨୩ଟି କ୍ରୋମୋଜମ୍ ସହିତ ଯୋଡ଼ି ଯୋଡ଼ି ହେଇ ନୂତନ ସୃଷ୍ଟି ଶିଶୁର ଜୀବକୋଷ ଗଢ଼ନ୍ତି । ଯଦି ସବୁ କ୍ରୋମୋଜମ୍ XX ହୋଇଥାଏ ତା’ହେଲେ ସନ୍ତାନ ଝିଅ ହୁଏ । ଯଦି ଶେଷ ପୋଡ଼ିଟି XX ନ ହୋଇ XY ହୁଏ, ତାହେଲେ ସନ୍ତାନ ପୁଅ ହୁଏ । ପୁରୁଷର ଶୁକ୍ରାଣୁରେ କେବଳ Y କ୍ରୋମୋଜମ୍ ଥାଏ । ତେଣୁ ପୁଅ ହେବା ନ ହେବା ଶୁକ୍ରାଣୁର କ୍ରୋମୋଜମ୍ ଉପରେ ନିର୍ଭର କରିଥାଏ ।

 

ପ୍ରଶ୍ନ–ସାନ ପିଲାମାନେ କଣ ଯୌନ କାମନା ଅନୁଭବ କରନ୍ତି ?

 

ଉତ୍ତର–ହଁ, ଅଧିକାଂଶ ପିଲାଙ୍କର ଏପରି ଅନୁଭୂତ ହୋଇଥାଏ । ମାତ୍ର ଆମ ଦେଶରେ ପିଲାମାନେ ଏପରି ଅନୁଭବ କରିବାଟା ଦୋଷାବହ ବୋଲି ବିବେଚିତ ହେଉଥିବାରୁ ପିଲାଙ୍କୁ ଏ ବିଷୟରେ ପଚାରିଲେ ସେମାନେ ସାଧାରଣତଃ ଅସ୍ଵୀକାର କରିଥାଆନ୍ତି । ନିଜ ପିଲାଦିନର ଅନୁଭୂତି ଅକପଟ ଚିତ୍ତରେ ସ୍ମରଣ କଲେ ସତ୍ୟାସତ୍ୟ ବୁଝିହୁଏ ।

 

ପ୍ରଶ୍ନ–ପିଲାମାନେ ଯୌନକ୍ରିୟାରେ ରତ ହୁଅନ୍ତି କି ?

 

ଉତ୍ତର–ପିଲାମାନେ ଯୌନ-କ୍ରିୟାରେ ରତ ହେବାର ଘଟଣା ଦେଖାଯାଏ । ମାତ୍ର ଏହାକୁ ପ୍ରକୃତ ଯୌନକ୍ରିୟା ବୋଲି ଭାବିବା ଠିକ୍ ନୁହେଁ । ପଶୁପକ୍ଷୀ ବା ଅସାବଧାନତା ବୟସ୍କ ଲୋକଙ୍କର ଯୌନକ୍ରିୟା ଦେଖି କୌତୂହଳର ବଶବର୍ତ୍ତୀ ହେଇ ପିଲା ସେମାନଙ୍କୁ ଅନୁକରଣ କରି ଏଭଳି ଖେଳ ପରସ୍ପର ସହିତ ଖେଳନ୍ତି । ଅନ୍ୟାନ୍ୟ ଖେଳ ପରି ଏହା ଏକ ଅନୁକରଣମୂଳକ ବ୍ୟବହାର ବୋଲି ବୁଝିବାକୁ ହେବ । ମାତ୍ର ପିଲା ଯଦି ବାରମ୍ବାର ନିଷେଧ ସତ୍ୱେ ଏପରି କାର୍ଯ୍ୟରେ ଲିପ୍ତ ହୁଏ, ତେବେ ଏହା ଅସ୍ଵାଭାବିକ ବୋଲି ଧରାଯିବ ।

 

ଏ କ୍ଷେତ୍ରରେ ପିଲାକୁ ବୁଝାଇ କହିବା କଥା ଯେ ଏପରି ଖେଳ ଅସାମାଜିକ । ବଡ଼ ହେଇ ବିବାହ ନ କଲା ପର୍ଯ୍ୟନ୍ତ ପୁଅ ଝିଅଙ୍କର ଏଥିରୁ ନିବୃତ୍ତ ରହିବା କଥା । ଯଦି ବୁଝାଇବା ସତ୍ତ୍ୱେ ପିଲାର ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖା ନଯାଏ, ତେବେ ମନୋବିଜ୍ଞାନୀଙ୍କର ପରାମର୍ଶ ଲୋଡ଼ିବ ।

 

ପ୍ରଶ୍ନ–ପିଲାମାନେ କାହିଁକି ବାହା ହୁଅନ୍ତି ନାହିଁ ?

 

ଉତ୍ତର–ସାନ ପିଲା ବାହାହେବା ଏବେ ମଧ୍ୟ କେତେକ ସମ୍ପ୍ରଦାୟରେ ଦେଖାଯାଏ । ମାତ୍ର ଏପରି ବିବାହ ଫଳରେ ନାରୀ ଅଳ୍ପ ବୟସରେ ବିଧବା ହୋଇ ଘୋର ଦୁଃଖରେ ପଡ଼ନ୍ତି । ସଧବା ରହିଲେ ମଧ୍ୟ ଅଳ୍ପ ବୟସରେ ସନ୍ତାନବତୀ ହୋଇ ରୁଗଣ ସନ୍ତାନ ପ୍ରସବ କରି ଅସ୍ୱାସ୍ଥ୍ୟବତୀ ହୁଅନ୍ତି । ପୁରୁଷ ବଡ଼ ହେଲାପରେ ତାର ମନୋଭାବ ବଦଳି ଯାଇଥିବାରୁ ଅନ୍ୟପ୍ରକାର ସ୍ତ୍ରୀଲୋକ ତାକୁ ଭଲଲାଗେ । ପିଲାଦିନେ ବାପ ମାଆଙ୍କ ରୁଚି ଅନୁସାରେ ବାହା ହେଇଥିଲା, ବଡ଼ ହେଲାପରେ ନିଜ ରୁଚି ଅନୁସାରେ ସେ ଅନ୍ୟ ସଙ୍ଗିନୀ ଖୋଜେ । ଫଳରେ, ସେ ଆଉଥରେ ବିବାହ କରେ ବା ଉପପତ୍ନୀ ରଖେ । ନଚେତ୍ ବିବାହ ବନ୍ଧନ ଛିନ୍ନକରି ସ୍ୱତନ୍ତ୍ର ହେଇ ରୁହେ । ତେଣୁ ଅଳ୍ପ ବୟସରେ ବିବାହ କଲେ ପରବର୍ତ୍ତୀ ଜୀବନରେ ବିଭିନ୍ନ ସମସ୍ୟା ଉଦ୍ଭବ ହେବାର ସମ୍ଭାବନା ବଢ଼େ ।

 

କୈଶୋର ବୟସ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଆତ୍ମକୈନ୍ଦ୍ରିକ ଥିଲାରୁ ସେମାନେ ବିବାହ ପରେ ଅନ୍ୟ ଜଣଙ୍କର ଦାୟିତ୍ୱ ନେବାକୁ କୁଣ୍ଠିତ ହୁଅନ୍ତି । ଅନ୍ୟ ସମସ୍ତେ ତାଙ୍କ କଥା ବୁଝନ୍ତୁ ବୋଲି ସେମାନେ ଚାହାନ୍ତି । ସ୍ତ୍ରୀ ତେଣୁ ସ୍ୱାମୀର ମନ ବୁଝିବାକୁ ଚେଷ୍ଟାକରେ ନାହିଁ । ସ୍ଵାମୀ ମଧ୍ୟ ସ୍ତ୍ରୀର କାହିଁକ ମନଦୁଃଖ ହେଇଛି, ତାର କଣ ସୁବିଧା ଅସୁବିଧା ହେଉଛି ସେସବୁ ବିଷୟ ନେଇ ମୁଣ୍ଡ ଖେଳାଏ ନାହିଁ । ସ୍ତ୍ରୀର ଦେହ ଖରାପ ହେଲେ ପାଖରେ ବସି ବୋଧଶୋଧ ଦେବା ଅପେକ୍ଷା ବାହାରେ ସାଙ୍ଗପିଲାଙ୍କ ସାଙ୍ଗରେ ଖେଳିବାକୁ ବେଶୀ ମନହୁଏ । ସ୍ତ୍ରୀ ସହିତ ଯୌନ ସମ୍ପର୍କଟା ଭଲଲାଗେ; ମାତ୍ର ଅନ୍ୟ ସମୟରେ ସ୍ତ୍ରୀ ଗୋଟାଏ ବୋଝ ପରି ଜଣାଯାଏ । କାରଣ ଘରେ ସ୍ତ୍ରୀ ଥିବାରୁ ନିଜର ସ୍ଵାଧୀନତା କମିଯାଏ । ଯିଏ ନିଜ ଗାଆଁ ବା ସହର ବାହାରକୁ ଚାକିରି କରି ଯାଏ କି ପାଠପଢ଼ି ଯାଏ, ସେ ସ୍ତ୍ରୀକୁ ସାଙ୍ଗରେ ନେଇ ଯାଇପାରେ ନାହିଁ । କାରଣ ପ୍ରଥମେ ଟଙ୍କା ପଇସାର ଅଭାବ; ଦ୍ୱିତୀୟରେ ପରସ୍ପରର ଦାୟିତ୍ଵ ନେଇ ଘର ଜଞ୍ଜାଳ ମୁଣ୍ଡେଇବାକୁ କେହି ଚାହାନ୍ତି ନାହିଁ । ମୋଟ କଥା ବାହାହେବାଟା ବଡ଼ ମଣିଷକୁ ସୁହାଏ । ସେଥିଲାଗି ପିଲାଦିନେ ବାହା ନ ହେଇ ବଡ଼ ହେଇ ପାଠପଢ଼ା ଶେଷକରି, ନିଜ ବଳରେ ନିଜେ ରୋଜଗାର କରିବା ପରେ ବାହାହେଲେ ବହୁତ ଅସୁବିଧା କମିଯାଏ ।

 

ସବୁବେଳେ ପିଲା ଯେ କେବଳ ଉପରୋକ୍ତ ପ୍ରଶ୍ନଗୁଡ଼ିକ ପଚାରିବେ ତାହା ନୁହେଁ । ବିଭିନ୍ନ ପିଲା ବିଭିନ୍ନ ପ୍ରଶ୍ନ ପଚାରନ୍ତି । ଭାବି ଚିନ୍ତି ସେ ସବୁ ପ୍ରଶ୍ନର ଉତ୍ତର ଦେବା କଥା । ଯେଉଁ ପ୍ରଶ୍ନର ଉତ୍ତର ଜାଣି ନାହାନ୍ତି, ସେ ପ୍ରଶ୍ନର ଉତ୍ତର ବୁଝିକରି କହିବେ ବୋଲି ପିଲାକୁ ଜଣାଇଦେବେ-। ପିଲାର ବୟସ, ଭାଷାଜ୍ଞାନ, ବୁଝିବା କ୍ଷମତା ଓ କେତେବେଳେ ସେ ମନଦେଇ ଶୁଣି ପାରୁଛି ଏସବୁ ବିଚାର କରି ପିଲାକୁ ଉତ୍ତର ଦେଲେ ଲାଭ ହୁଏ । ସାଧାରଣତଃ ବଡ଼ ମଣିଷଙ୍କ କଥାବାର୍ତ୍ତା ପିଲାର ଏ କାନରେ ପଶି ସେ କାନ ଦେଇ ବାହାରି ଯାଏ । ବେଶୀ ବେଳ କୌଣସି କଥା ସେମାନେ ଧୈର୍ଯ୍ୟ ଧରି ଶୁଣି ପାରନ୍ତି ନାହିଁ । ଯୌନତା ବିଷୟରେ ଆଲୋଚନା ବଡ଼ମଣିଷ ଯେତେ ଆଗ୍ରହରେ ଶୁଣନ୍ତି, ପିଲାଙ୍କର ସେ ବିଷୟ ଶୁଣିବାକୁ ସେତେ ଆଗ୍ରହ ନ ଥାଏ ।

 

ପିଲା କ’ଣ ପଚାରୁଛି ସେ କଥା ଆମେ ପ୍ରାୟ ମନଦେଇ ଶୁଣୁନା । ଅଧାଶୁଣି ଉତ୍ତର ଦେଉ କିମ୍ବା ଭୁଲ୍ ବୁଝି ଉତ୍ତର ଦେଉ । ଅନେକ ସମୟରେ “ମୋତେ ବ୍ୟସ୍ତ କରନା କି ବିରକ୍ତ କରନା” କହି ରାଗୁ । ଫଳରେ ଅନେକ ପିଲା ପ୍ରଶ୍ନ ପଚାରିବାକୁ ଭଲ ପାଆନ୍ତି ନାହିଁ । ସ୍କୁଲରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ବିରକ୍ତ ହୁଅନ୍ତି । ଫଳରେ ଅଧିକାଂଶ ପିଲା ନିଜର ସମବୟସୀ ପିଲାଙ୍କ ପାଖରୁ ବିଭିନ୍ନ ବିଷୟ ପଚାରି ବୁଝନ୍ତି । ମାତ୍ର ଭରସି ବଡ଼ ମଣିଷଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ଏଇଥିଲାଗି ଆମ ଦେଶରେ ପିଲାକୁ ୮ ।୧୦ ବର୍ଷ ବୟସ ହେଲେ ସେ ବଡ଼ ମଣିଷଙ୍କ ଠାରୁ ଆଡ଼େଇ ହେଇ ରୁହେ । ନିଜ ମନ କଥା ନିଜ ଅନ୍ତରର କଥା ଖୋଲି କୁହେନା-। ଯଦି ସେ ପିଲାଦିନୁ ଏପରି ବଢ଼ିଛି ତା’ହେଲେ ତା’ ମନରେ ଯୌନତା ବିଷୟରେ ପ୍ରଶ୍ନ ଉଠିଲେ ସେ ଘରଲୋକଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିବାକୁ ସଙ୍କୋଚବୋଧ କରିବ । ଏପରି କ୍ଷେତ୍ରରେ ପ୍ରଥମେ ପିଲା ସହିତ ଖେଳ କଥା, ଦେଶ କଥା, ନିଜର ପିଲାଦିନର କଥା ଏସବୁ ବିଷୟରେ ଗପସପ କଲେ ପିଲା ମନରୁ ସଙ୍କୋଚ କମିଯିବ । ମହାଭାରତ ବା ରାମାୟଣ ପରି ଶାସ୍ତ୍ର ପୁରାଣରୁ ଗପ କହିଲାବେଳେ ଧୀରେ ଧୀରେ ଏସବୁ ବିଷୟ ଅବତାରଣା କରି ଆଲୋଚନା କରି ହବ । ଯଥା–ପଶାଖେଳରେ ପାଣ୍ଡବମାନେ ହାରିଯାଇ ଦ୍ରୌପଦୀଙ୍କର ଦାସୀପଣ ସ୍ଵୀକାର କଲେ । ଦୁଃଶାସନ ରାଜଅନ୍ତଃପୁରରେ ଥିବା ଏକବସ୍ତ୍ରା ରଜସ୍ୱଳା ଦ୍ରୌପଦୀଙ୍କର କେଶ ଧରି କୁରୁସଭାକୁ ଆଣିଲା । “ରାଜସ୍ୱଳା କ’ଣ ଜାଣିଛୁ ?” ପିଲାକୁ ସଂକ୍ଷେପରେ ବିଷୟଟି ବୁଝେଇ ଦେଲେ ଗଲା । ସେହିପରି ରଜପର୍ବର ଆରମ୍ଭ କେମିତି ହେଲା, ଏ ଗପଟି ପିଲାଙ୍କୁ ବୁଝେଇ କହିଲେ ସେମାନେ ପ୍ରାଚୀନ ମଣିଷ କେମିତି ପ୍ରକୃତି ବିଷୟରେ ଭାବୁଥିଲେ ସେ କଥା ଶିଖିବେ । ରଜସ୍ୱଳା କ’ଣ ସେ କଥା ମଧ୍ୟ ଶିଖିବେ ।

 

ବାହାଘରବେଳେ ଗର୍ଭାଧାନ ହୋମ କାହିଁକି କରାଯାଏ । ଏହିଭଳି ଆମ ସଂସ୍କୃତି ଓ ବିଭିନ୍ନ ପ୍ରଥା ଆଲୋଚନା କଲାବେଳେ ପିଲାଙ୍କୁ ଏସବୁ ବିଷୟ ସହଜରେ ବୁଝେଇହବ । ପିଲା ମଧ୍ୟ ଯୌନ ସମ୍ପର୍କକୁ କେବଳ ଦେହ-ସୁଖର ସମ୍ପର୍କ ବୋଲି ନ ଭାବି ଜୀବନରେ ଓ ନିଜ ସମାଜରେ ଏପରି ସମ୍ପର୍କର ତାତ୍ପର୍ଯ୍ୟ କଣ ସେ କଥା ବୁଝିବ । ସାଙ୍ଗପିଲାମାନେ ତାକୁ ସଂକୀର୍ଣ୍ଣ ପରିପ୍ରେକ୍ଷୀରୁ ହିଁ ଏଇ ବିଷୟଟି ବୁଝାଇ କହନ୍ତି । ସ୍କୁଲରେ ବାୟୋଲଜି ଶିକ୍ଷକ ତାକୁ ସଠିକ ତଥ୍ୟ କହିଲା ପରେ ସେ ଜାଣିବ ଯେ ଚେରମୂଳି ଖାଇଲେ ପିଲା ଜନ୍ମ ହୁଅନ୍ତି ନାହିଁ କିମ୍ବା କାନବାଟେ ପିଲା ଜନ୍ମ ହୁଅନ୍ତି ନାହିଁ; ମାତ୍ର ଏ ବିଷୟରେ ତାର ମନୋଭାବ କଅଣ ହେବା ଉଚିତ ସେକଥା ବାୟୋଲଜି ଶିକ୍ଷକ ତାକୁ ଗୋଟାଏ ପିରିୟଡ଼ରେ ଶିଖାଇ ପାରିବେ ନାହିଁ । ମନୋଭାବ, ନୀତିଜ୍ଞାନ ମୂଲ୍ୟବୋଧ ବହୁବର୍ଷଧରି ଧୀରେ ଧୀରେ ମଣିଷ ମନରେ ଗଢ଼ିଉଠେ ।

 

ପ୍ରାଚୀନ ଭାରତୀୟ ଆଦର୍ଶରେ ବ୍ରହ୍ମଚର୍ଯ୍ୟ ପ୍ରଶଂସନୀୟ । ଅଥଚ ପ୍ରାଚୀନକାଳରୁ ମଧ୍ୟ ସ୍ୱର ଶୁଭିଛି ଯେ “ପୁଷ୍ପମାଳ ଚନ୍ଦନ ଓ ବନିତା” ପୁରୁଷର ଭୋଗ୍ୟବସ୍ତୁ । ଏବେ ମଧ୍ୟ ଅଧିକାଂଶ ଲୋକ ସ୍ତ୍ରୀ ଲୋକକୁ ମଣିଷ ବୋଲି ନ ଭାବି ଉପଭୋଗର ବସ୍ତୁ ବୋଲି ଭାବନ୍ତି । ରାସ୍ତାରେ ସୁନ୍ଦରୀ ସ୍ତ୍ରୀଲୋକକୁ ଦେଖିଲେ କଲେଜ ପିଲା “ବଢ଼ିଆ ମାଲ” କହି ପାଟିକରନ୍ତି । ଯିଏ ମଣିଷକୁ ‘ମାଲ’ ବୋଲି ଭାବୁଛି ସେ ବଳାତ୍କାର କରିବାକୁ ପଛେଇଯିବ ନାହିଁ । ଭାରତର ରାସ୍ତାଘାଟରେ ସ୍ତ୍ରୀଲୋକଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ବିଷୟରେ ଚିନ୍ତାକଲେ ବୁଝିହୁଏ ଯେ, ବ୍ରହ୍ମଚର୍ଯ୍ୟ ପାଳନର ଉପଦେଶ ଦେଇ ଓ ଯୌନତା ବିଷୟରେ ନୀରବ ରହି ଆମେ ଆମ ପିଲାଙ୍କୁ ସଭ୍ୟ ଓ ଶିକ୍ଷିତ କରିପାରୁନାହୁଁ । ପିଲାଙ୍କର ଯୌନତା ବିଷୟରେ ଜ୍ଞାନ ଯେତିକି ଅବୈଜ୍ଞାନିକ, ମନୋଭାବ ସେ ସଂପର୍କୀୟ ଓ ସେତିକି ଅମାର୍ଜିତ ଅଭଦ୍ର । ବାପାମାଆ ପିଲାଦିନରୁ ଏ ବିଷୟରେ ପିଲାକୁ ନ ଶିଖାଇଲେ ବଡ଼ ହେଲାପରେ ବହିପଢ଼ି ଏ ଅଭ୍ୟାସ ବଦଳିଯିବ ନାହିଁ । ଚୈତନ୍ୟଦେବ ଶିକ୍ଷା ବିଷୟରେ କହିଥିଲେ-“ଆପଢ ଆଚରି ଧର୍ମ ପରେରେ ଶିଖ ଓ ।” ଅର୍ଥାତ୍ ଉପଦେଶ ବା ବକ୍ତୃତା ଦେଇ ଶିଖାଅ ନାହିଁ । ଆଧୁନିକ ମନୋବିଜ୍ଞାନରେ ମଧ୍ୟ ଗବେଷଣା କରି ଦେଖାଯାଉଛି ଯେ-ପିଲା ଉପଦେଶ ଶୁଣି ଶିଖନ୍ତି ନାହିଁ । ଘର ଲୋକଙ୍କର ଓ ନିଜ ସମାଜର ଅନ୍ୟାନ୍ୟ ଲୋକଙ୍କର ବ୍ୟବହାର ଅନୁକରଣ କରି ଶିଖନ୍ତି । ଏହି କାରଣ ଯୋଗୁଁ ଗୀତା ବା ଭାଗବତରୁ ବହୁ ଉପଦେଶ ପଢ଼ି ସୁଦ୍ଧା ଲୋକେ ଚରିତ୍ରବାନ୍ ହେବାକୁ ଶିଖୁନାହାନ୍ତି । ସଂସ୍କୃତରେ ଉପଦେଶ ରହିଛି–“ପରଦାରେଷୁ ମାତୃବତ୍ ।” ଅର୍ଥାତ୍ ନିଜ ମାଆକୁ ଯେଉଁ ଆଖିରେ ଦେଖ, ସେହି ଆଖିରେ ଅନ୍ୟର ସ୍ତ୍ରୀକୁ ଦେଖିବ । ସେହିପରି ଶ୍ରଦ୍ଧା ଭକ୍ତି କରିବ । ଏସବୁ ଜାଣି ମଧ୍ୟ ଆମ ଦେଶର ଲୋକେ ଦାଣ୍ତରେ ସ୍ତ୍ରୀଲୋକ ଦେଖିଲେ ତା ପ୍ରତି କୁତ୍ସିତ ମନ୍ତବ୍ୟ ବା ଅଶ୍ଳୀଳ ଇଙ୍ଗିତ କରିବାକୁ ପଛାନ୍ତି ନାହିଁ-। ଏହାର କାରଣ ହେଲା ଅଧିକାଂଶ ଲୋକ ଏପରି ଆଚରଣ କରୁଥିବାରୁ ଅନ୍ୟମାନେ ସେମାନଙ୍କୁ ଅନୁକରଣ କରି ଏପରି କରୁଛନ୍ତି । ଏଇ ଅବସ୍ଥାର ପ୍ରତିକାର କରିବାକୁ ଚାହିଁଲେ ପ୍ରଥମେ ଭାବିବା କଥା ଯେ–

 

୧–ଏହା ଜ୍ଞାନର ଅଭାବ ଯୋଗୁଁ ହେଉଛି, ନା ଲୋକେ ଏପରି କାମ କରିବା ଅନ୍ୟାୟ ଜାଣି ମଧ୍ୟ ଏପରି କରୁଛନ୍ତି ?

 

୨–ଯେ ଅନ୍ୟାୟ କାମ କରେ, ସେ ନିଜର ଆଚରଣକୁ ସଂଯତ କରି ପାରୁନଥିବାରୁ ସାଧାରଣତଃ ଅଣାୟତ୍ତ ହୋଇ ଅନ୍ୟାୟ କାମ କରିଥାଏ, ନିଜର ଯୌନତାକୁ କିପରି ମାର୍ଜିତ, ସଂଯତ ଓ ସୁସ୍ଥ ଉପାୟରେ ପ୍ରକାଶ କରିବ, ଏକଥା ଜାଣି ନଥିବାରୁ ଲୋକେ ଏପରି ଅଭଦ୍ର ଭାବରେ ନିଜର ଯୌନ-ଇଚ୍ଛା ପ୍ରକାଶ କରୁଛନ୍ତି କି ? ଆମ ସମାଜରେ ମଣିଷର ଯୌନ-ଜୀବନ ଵିଷୟରେ ସମସ୍ତେ ନୀରବତା ଅବଲମ୍ବନ କରିବା ଫଳରେ ପିଲାଙ୍କୁ ଏ ବିଷୟରେ କୌଣସି ଶିକ୍ଷା ଦିଆଯାଏ ନାହିଁ । ପିଲା ଏ ବିଷୟରେ ନିଜର ଅନୁଭୂତି ବା ଧାରଣା ନେଇ ଶିକ୍ଷିତ ଆଲୋଚନା କରିବାକୁ ଶିଖେ ନାହିଁ । ଫଳରେ ମନର ଏଇ ଦିଗଟି ଅମାର୍ଜିତ ଅବସ୍ଥାରେ ରହିଯାଏ । ଅପରିଚିତ ଲୋକ ସହିତ ଅଜଣା ଜାଗାରେ ସେ ଅଶ୍ଳୀଳ ବ୍ୟବହାର କରିବାକୁ କୁଣ୍ଠାବୋଧ କରେନାହିଁ । ବଣ୍ୟଜନ୍ତୁ ପରି ସେ ପ୍ରକୃତିଚାଳିତ ହୋଇ ନିଜର କାମନା ପୂରଣ କରେ । ମାତ୍ର ସ୍ନେହ ଓ ଶ୍ରଦ୍ଧା ଉପରେ ଭିତ୍ତିକରି ନରନାରୀ ମଧ୍ୟରେ ଯେଉଁ ସହଜ ମଧୁର ଅନୁରାଗଭରା ସମ୍ପର୍କ ଗଢ଼ି ଉଠିପାରେ, ସେ ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ରହିଯାଏ ।

 

ଯୌନ ଶିକ୍ଷାର ଲକ୍ଷ୍ୟ ହେଉଛି ମଣିଷ ଚରିତ୍ରର ଯୌନ ଦିଗ ପ୍ରତି ଅବହିତ କରିବା । ନର ଓ ନାରୀ ମଧ୍ୟରେ କିପରି ସହଜ ବନ୍ଧୁତ୍ୱ ଗଢ଼ିଉଠିବ ସେ କଥା ଶିଖିବା । ନିଜ ମନର ଏଇ ଅନ୍ଧକୋଣକୁ ଵିଚାର ସାହାଯ୍ୟରେ ବିଶ୍ଳେଷଣ କରି ବୁଝିବାକୁ ଚେଷ୍ଟା କରିବା । ବାସ୍ତବ ଅବସ୍ଥା ଓ ବିବେକର ନିର୍ଦ୍ଦେଶ ଏହି ଦୁଇ ଦିଗକୁ ବିଚାର କରି ସମାଜସ୍ୱୀକୃତ ଉପାୟରେ ନିଜର ଯୌନତାକୁ ସାର୍ଥକ କରି ମାନବୀୟ ଆନନ୍ଦ ଉପଲବଧି କରିବା ।

 

ଏଇ ଶିକ୍ଷା ତେଣୁ କେବଳ ବହିପଢ଼ି ହେବନାହିଁ । ଏହି ଶିକ୍ଷା ଆଲୋଚନା ଦ୍ୱାରା, ସଂଯମ ଦ୍ୱାରା ଓ ମନୋଭାବର ପରିବର୍ତ୍ତନ ଦ୍ୱାରା ହିଁ ଆୟତ୍ତ ହେବ ।

Image

 

Unknown

କୈଶୋର ଅବସ୍ଥା

 

କୈଶୋରର ସଙ୍କଟ :

 

ଜୀବନର ବିକାଶଧାରାରେ କୈଶୋର ହେଲା ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକାଳ । ବାଲ୍ୟଜୀବନର ସମାପ୍ତି ଓ ତରୁଣ ଜୀବନର ପ୍ରାରମ୍ଭକାଳ ହେଇଥିବାରୁ ଏଇ ଅବସ୍ଥା ମଣିଷ ଜୀବନରେ ସଙ୍କଟ ଏବଂ ନୂତନ ଆଶା, ଏଇ ଦୁଇ ବିପରୀତ ସମ୍ଭାବନା ନେଇ ଉଦୟ ହେଇଥାଏ । ଜନ୍ମ ମୁହୂର୍ତ୍ତରୁ ଦେହର ଯେଉଁ ନିରବଚ୍ଛିନ୍ନ ବୃଦ୍ଧି ଆରମ୍ଭ ହୋଇଥାଏ ସେଇ ବୃଦ୍ଧି କୈଶୋରର ପୂର୍ଣ୍ଣତା ଲାଭ କରି କ୍ରମଶଃ ମୃଦୁ ମନ୍ଥର ହୋଇଯାଏ । ଶେଷରେ ଯୌବନରେ ଏଇ ବୃଦ୍ଧିର ବିରତି ଘଟେ । କୈଶୋର ଓ ଆଦ୍ୟଯୌବନରେ ଅଧିକାଂଶ ବ୍ୟକ୍ତିଙ୍କର ଯୌବନପ୍ରାପ୍ତି ହେଉଥିବାରୁ ସେମାନେ ବାଳକର ମନ ଓ ଯୁବକର ସକ୍ଷମ ବଳିଷ୍ଠ ଶରୀର ନେଇ ସଙ୍କଟରେ ପଡ଼ନ୍ତି ।

 

ଶାରିରୀକ ବିକାଶ ଦିଗରୁ ଵିଚାର କଲେ କିଶୋର (୧୩-୧୮) ପୂର୍ଣ୍ଣ ବୟସ୍କ ମଣିଷର ସମକକ୍ଷ । ବଂଶରକ୍ଷାର କ୍ଷମତା ସେ ଲାଭ କରିଛି । ଦୈହିକ ଶକ୍ତିରେ ସେ ବଳୀୟାନ୍ । ମନର ମଧ୍ୟ ପୂର୍ଣ୍ଣ ବିକାଶ ହୋଇଥାଏ । ବୁଦ୍ଧି, ସ୍ମୃତି, ଚିନ୍ତା, ଧାରଣା, ମନଯୋଗ ଓ ଶିକ୍ଷା କ୍ଷମତାରେ କୌଣସି ନୂତନ ଉନ୍ନତି ଏଇ ଅବସ୍ଥାରେ ଦେଖାଯାଏ ନାହିଁ । ମାତ୍ର ଅଭିଜ୍ଞତା, ଜ୍ଞାନ ଓ ବିଚାର ବିବେଚନାରେ କ୍ଷମତା ଅସମ୍ପୂର୍ଣ୍ଣ ଥାଏ । ଶାରିରୀକ ଓ ମାନସିକ ସାମର୍ଥ୍ୟରେ ବୟସ୍କ ମଣିଷର ସମକକ୍ଷ ହେଇଥିବା ହେତୁ ସବୁ ସମାଜରେ କିଶୋର ନିଜପାଇଁ ବୟସ୍କସୁଲଭ ସ୍ଵାଧୀନତା ଓ ଉପଯୁକ୍ତ ମର୍ଯ୍ୟାଦା ପାଇବାକୁ ଦାବୀ କରନ୍ତି । ମାତ୍ର ସେମାନଙ୍କର ବାଳକସୁଲଭ ବିଚାରବିବେଚନା ଓ ମନୋଭାବ ଯୋଗୁଁ ଏବଂ ଆବେଗଚାଳିତ ବ୍ୟବହାର ଯୋଗୁଁ ସମାଜ ଓ ପରିବାର ସେମାନଙ୍କୁ ଅପ୍ରାପ୍ତବୟସ୍କ ବାଳକ ବୋଲି ବିଚାର କରେ । ଏହା ଫଳରେ ବିରୋଧ ଓ ଦ୍ୱନ୍ଦ୍ୱ ଉପୁଜେ । କିଶୋର ଯେଉଁସବୁ ଅଧିକାର ଦାବୀକରେ ଅନ୍ୟମାନେ ତାକୁ ସେ ଅଧିକାର ଦେବାଲାଗି କୁଣ୍ଠାବୋଧ କରନ୍ତି । ଏହା ସଭ୍ୟ ମଣିଷ ସମାଜର ଏକ ବିଶେଷ ଜଟିଳତା ।

 

ଆଧୁନିକ ସଭ୍ୟ ସମାଜରେ ଚଳିବାଲାଗି କିଶୋର କୁମାର ଓ କୁମାରୀଙ୍କର ଶାରୀରିକ ଓ ମାନସିକ ସାମାର୍ଥ୍ୟ ଥିବାଟା ଯଥେଷ୍ଟ ନୁହେଁ । ଅଭିଜ୍ଞତା, ସାଂସାରିକ ବିଚକ୍ଷଣତା, ଆତ୍ମସଂଯମ ଓ ପାକଳ ଵିଚାର ବିନା ସ୍ୱାଧୀନ ଭାବରେ ସମସାମୟିକ ସମାଜରେ ଚଳିବା ସମ୍ଭବ ନୁହେଁ । ଯେଉଁ ବୟସ୍କ ବ୍ୟକ୍ତି ଏଇ ଗୁଣଗୁଡ଼ିକ ଆୟତ୍ତ କରିନାହିଁ, ସେ ମଧ୍ୟ ଚପଳମତି, ଅବିବେକୀ କିଶୋର ପରି ଅସୁବିଧାରେ ପଡ଼େ । ଏହି କାରଣରୁ ଅଧିକାଂଶ ଦେଶରେ ୧୮ ବର୍ଷ ନ ହେଲେ ମଣିଷ ପ୍ରାପ୍ତବୟସ୍କ ବୋଲି ବିବେଚିତ ହୁଏ ନାହିଁ । କେତେକ ଦେଶରେ ୨୧ ବର୍ଷ ପରେ କିଶୋର କିଶୋରୀଙ୍କୁ ପ୍ରାପ୍ତବୟସ୍କ ବୋଲି ଧରାଯାଏ ।

 

ଆଇନ୍ ଦୃଷ୍ଟିରୁ ବାଲ୍ୟ ଓ କୈଶୋରରେ ପ୍ରଭେଦ ନାହିଁ । ଉଭୟ ଅବସ୍ଥାରେ ମଣିଷ ନାବାଳକ । ଏହି ବୟସରେ ବାହା ହେବାକୁ ହେଲେ, ନିଜ ଜିନିସ ବିକିବାକୁ ଚାହିଁଲେ ଅଭିଭାବକଙ୍କର ଅନୁମତି ଦରକାର । ସ୍ଵାଧୀନ ଭାବରେ ଉପାର୍ଜନ କରିବାର ସୁଯୋଗ ସେମାନଙ୍କ ପାଇଁ ସୀମିତ । ନିଜର ଆୟ ନ ଥିବାରୁ ଅର୍ଥପାଇଁ ସେମାନଙ୍କୁ ପରନିଭରଶୀଳ ହୋଇ ରହିବାକୁ ପଡ଼େ ! ବୟସ୍କ ପିଲାଙ୍କୁ ଏଇ ଅଧୀନ ଅବସ୍ଥା ବହୁତ ବାଧେ । ବିଶେଷ କରି ସହରିଆ ମଧ୍ୟବିତ୍ତ ପରିବାରରେ ଉଚ୍ଚଶିକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ ପ୍ରାପ୍ତବୟସ୍କ ଯୁବକକୁ ପରିବାରର ଲୋକେ ପିଲା ବୋଲି ଭାବନ୍ତି ଓ ତାକୁ ପିଲାପରି ଚଳାନ୍ତି । ପିଲାବେଳେ ସେ ଯେମିତି ଆକଟ, କଟକଣା ଓ ହାତଟେକାରେ ଚଳୁଥିଲା, ବଡ଼ ହେଲାପରେ ମଧ୍ୟ ତାକୁ ସେହି ଭାବରେ ଚଳିବାକୁ ପଡ଼େ । ଫଳରେ ବହୁ କିଶୋରକିଶୋରୀ ମନରେ କ୍ଷୋଭ ଓ ବିରକ୍ତି ଅନୁଭବ କରନ୍ତି । ଏଇ ବୟସରେ ସେମାନେ ଘର ଲୋକଙ୍କଠାରୁ ଦୂରେଇ ହୋଇ ରୁହନ୍ତି କିମ୍ବା ପ୍ରତିକଥାରେ ଅମାନିଆ ହେଇ ଯୁକ୍ତିତର୍କ କରନ୍ତି । ବାପା ମା ଭାବନ୍ତି ପିଲା ଅବାଧ୍ୟ, ଆମ ପ୍ରତି ତାର ଭକ୍ତି ସମ୍ମାନ ନାହିଁ । ପିଲା ଭାବେ ଖାଇବା ପିନ୍ଧିବାକୁ ଦଉଛନ୍ତି ବୋଲି, ମୋତେ ତାଙ୍କ କଥାରେ ଉଠ୍ ବସ୍ ହେବାକୁ ପଡ଼ୁଛି ।

 

ତେରରୁ ଅଠର ବର୍ଷ ପିଲାର ବାପା ମାଆଙ୍କ ସାଙ୍ଗରେ ଯେ କେବଳ ଚଳିବାକୁ ଅସୁବିଧା ହୁଏ ତାହା ନୁହେଁ, ନିଜ ସହିତ ମଧ୍ୟ ଚଳିବାରେ ଅସୁବିଧା ହୁଏ । ଦେହ ଓ ମନର ପରିବର୍ତ୍ତନ ଫଳରେ ସେ ନୂଆ ଅନୁଭୂତିର ସମ୍ମୁଖୀନ ହୁଏ । ମନରେ ନୂଆକରି ଯୌନ ଅନୁଭୂତି ଆସେ, ଅଥଚ ବିବାହ କରି ଏଇ କାମନା ପୂରଣ କରିବା ତା ପକ୍ଷରେ ଅସମ୍ଭବ । ନିଜର ଭଙ୍ଗୁର ଆତ୍ମସଂଯମ ଉପରେ ନିର୍ଭର କରି ସେ ନିଜ ଆବେଗକୁ ଆୟତ୍ତ କରିବାକୁ ଚେଷ୍ଟାକରେ । ଭାବିବାର କ୍ଷମତା ବଢ଼ିଥିବାରୁ ବର୍ତ୍ତମାନ ସଂସାରରେ ଓ ନିଜ ପରିବାରରେ ଘଟୁଥିବା ଘଟଣାଗୁଡ଼ିକୁ ଚିନ୍ତାକରି ବୁଝିବାକୁ ଚେଷ୍ଟା କରେ । ମଣିଷ ମଲାପରେ କଣ ହୁଏ ? ଭଗବାନଙ୍କୁ ମନଦେଇ ଧ୍ୟାନ କଲେ ଯଦି ସବୁ ଦୁଃଖ ଚାଲିଯିବ, ତା’ହେଲେ ମୋ ମନରୁ ଦୁଃଖ କାହିଁକି ଯାଉନାହିଁ ? ଠାକୁରଙ୍କୁ ମୁଣ୍ଡିଆ ମାରି ଭକ୍ତିରେ ପୂଜାକରି ପରୀକ୍ଷା ଦବାକୁ ଗଲି, ଅଥଚ କାହିଁକି ଅଙ୍କରେ ପାଶ୍ କଲିନାହିଁ ? ମୁଁ କାହିଁକି ଉଚ୍ଚକୂଳରେ ଧନୀଘରେ ଜନ୍ମ ହେଲିନାହିଁ ? ବିଧାତା ମୋତେ କାହିଁକି ସୁନ୍ଦର କରି ତିଆରି କଲେ ନାହିଁ ? ମୁଁ ବଡ଼ ହେଲେ କଣ ହେବି । ଏହି ପ୍ରଶ୍ନ ସବୁ ପିଲାଦିନେ ତା ମନକୁ ଆସୁ ନଥିଲା । ମାତ୍ର କୈଶୋରରେ ପହଞ୍ଚି ଦାରିଦ୍ର୍ୟ, ଦୁଃଖ, କଷ୍ଟ, ମୃତ୍ୟୁ, ବିଫଳତା ଓ ଅନ୍ୟମାନଙ୍କର ତାତ୍ସଲ୍ୟର ସମ୍ମୁଖୀନ ହେଲେ ଏହିପରି ପ୍ରତିଟି ବିଷୟ ଭାବି ତାର ଅର୍ଥ ଖୋଜେ । ଘରଲୋକ ତାକୁ ପିଲା ବୋଲି ଭାବୁଥିବାରୁ ସେ ନିଜର ଯୌନଜୀବନ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଘର ଲୋକଙ୍କୁ କହିବାକୁ କୁଣ୍ଠାବୋଧ କରେ । ନିଜ ସାଙ୍ଗମାନେ ହିଁ କେବଳ ତାର ସାହା ଭରସା । ସେଥିଲାଗି ଏଇ ବୟସରେ ସାଙ୍ଗସାଥୀ ଏଡ଼େ ପ୍ରିୟ ହୁଅନ୍ତି । କିନ୍ତୁ ବହୁତ ସମୟରେ ସେ ନିଜର ଐକାନ୍ତିକ ଜୀବନର (private life) ଗୋପନ ଭାର ବହନ କରି ନିଜକୁ ନିର୍ବାନ୍ଧବ ଓ ଏକାକୀ ବୋଲି ବିଚାର କରେ । ସାଙ୍ଗସାଥୀ ସବୁବେଳେ ତାର ଏଇ ଏକୁଟିଆବୋଧ ଦୂର କରିପାରନ୍ତି ନାହିଁ । କାରଣ ସେ ଏକ ଦିଗରେ ସ୍ୱାତନ୍ତ୍ର୍ୟ ଖୋଜି ଅନ୍ୟମାନଙ୍କଠାରୁ ଅଲଗା ହେବାକୁ ଚାହେଁ । ଅଥଚ ଅନ୍ୟମାନଙ୍କ ସହିତ ଯେତିକି ବୈସାଦୃଶ୍ୟ ବଢ଼େ, ସେତେ ବେଶୀ ଏକୁଟିଆ ବୋଧକରେ । ଏଇ ଦ୍ୱନ୍ଦ୍ୱର ସମାଧାନ କରି ସେ ଘରଲୋକଙ୍କଠାରୁ ଦୂରେଇ ହୋଇଯାଇ ସାଙ୍ଗସାଥୀଠାରେ ନିଜର ନୂତନ ଆତ୍ମୀୟତା ଖୋଜେ । ପୁରାତନ ପରିଚିତ ଓ ନିଶ୍ଚିତ ଜୀବନଯାତ୍ରାକୁ ପରିତ୍ୟାଗ କରି ନୂଆକରି ନିଜ ରୁଚି ଓ ଆଦର୍ଶ ଅନୁସାରେ କିଶୋର ନିଜ ଜୀବନ ଗଢ଼ିବାକୁ ଚାହେଁ, ଯେଉଁଥିରେ ତାର ବ୍ୟକ୍ତିତ୍ୱର ଛାପ ରହିବ ସେଭଳି ଜୀବନଧାରା ସେ ଅବଲମ୍ୱନ କରିବାକୁ ଚାହେଁ; ଅଥଚ ଏପରି ନୂତନ ପଥରେ ଗଲାବେଳେ ତାର ଭୁଲଭଟକା ହୁଏ, ନିଶ୍ଚିତ ଜୀବନଯାତ୍ରାର ଧରାବନ୍ଧା ଆରାମପ୍ରଦ ଜୀବନକୁ ଛାଡ଼ି ସ୍ଵାଧୀନ ଜୀବନର ଅନିଶ୍ଚିତ ପଥରେ ପାଦ ରଖିଲେ ମାନସିକ ସଙ୍କଟର ସମ୍ମୁଖୀନ ହେବା ସ୍ୱାଭାବିକ । ଏହି ସଙ୍କଟରୁ ସେ ନିଜକୁ ମୁକ୍ତ କରିପାରିଲେ ତାର ବ୍ୟକ୍ତିତ୍ୱର ସୁସ୍ଥ ବିକାଶ ହେବା ସମ୍ଭବ । ନଚେତ୍ ସେ ଦୁଇ ବିରୋଧୀ ଇଚ୍ଛାର ସଂଘାତରେ ପଡ଼ି ଦୋଳମାନ ଅବସ୍ଥାରେ ରହିଯାଏ-। ସେ ଯଦି ସ୍ୱାଧୀନ ଜୀବନଯାତ୍ରାର ଦାୟିତ୍ୱକୁ ଭୟକରି ପରିବାର ଉପରେ ନିର୍ଭରଶୀଳ ହୋଇ ବାଳକ ପରି ଅନ୍ୟର ଛତ୍ରଛାୟାରେ ରହିବାକୁ ମନ ବଳାଏ, ତେବେ ତାର ବ୍ୟକ୍ତିତ୍ୱରେ ବାଳକ ସୁଲଭ ଭାବ ବହୁ ପରିମାଣରେ ଦେଖାଯାଏ । ନିଜର ବୁଦ୍ଧି ଓ ବିଚାର କ୍ଷମତା ଉପରେ ତାର ଆସ୍ଥା ରୁହେନାହିଁ । ଅନ୍ୟମାନେ ତାକୁ ସମର୍ଥନ ଜଣାଇ “ଏଭଳି କରିବା ଠିକ୍” ବୋଲି ନ କହିବାଯାକେ ସେ କୌଣସି କାମରେ ଅଗ୍ରସର ହୁଏ ନାହିଁ । ଏକୁଟିଆ ନିଜେ ଭାବି ଚିନ୍ତି ଦୈନନ୍ଦିନ ସମସ୍ୟାର ସିଦ୍ଧାନ୍ତରେ ପହଞ୍ଚିପାରେ ନାହିଁ । ଅସୁବିଧାରେ ପଡ଼ିଲେ କଣ କରିବ ଭାବିପାରେ ନାହିଁ-। ନୂଆ ଅବସ୍ଥାର ସମ୍ମୁଖୀନ ହେଲେ ଗଭୀର ଉତ୍କଣ୍ଠା ବୋଧକରେ-। ଅନାତ୍ମୀୟ ଲୋକଙ୍କ ସହିତ ମିଶିବାକୁ ତାକୁ ଅଡ଼ୁଆ ଲାଗେ । ମୁଣ୍ଡ ଉପରେ ମୁରବୀ ନଥିଲେ ସେ ଅସହାୟ ବୋଧକରେ-। ମୋଟ ଉପରେ କହିବାକୁ ଗଲେ ଏପରି ମଣିଷର ଷାଠିଏ ବର୍ଷରେ ନାବାଳକୀ କଟେନାହିଁ-

 

ଅନ୍ୟ ପକ୍ଷରେ, ଯିଏ ବାଲ୍ୟକାଳର ନିର୍ଭରଶୀଳ ଅବସ୍ଥା ଅତିକ୍ରମ କରି ସାର୍ଥକ ଭାବରେ କୈଶୋରର ଦାୟିତ୍ୱପୂର୍ଣ୍ଣ ସ୍ୱାଧୀନ ଜୀବନଯାତ୍ରାର ପଥ ବାଛି ନେଇଥାଏ ତା’ଠାରେ ଏସବୁ ଲକ୍ଷଣ ଅତ୍ୟନ୍ତ କମ୍ ପରିମାଣରେ ଦେଖାଯାଏ । ଏଥିଲାଗି କିଶୋର କିଶୋରୀଙ୍କୁ ପିଲା ବୋଲି ନ ଭାବି ସେମାନଙ୍କୁ ସେମାନଙ୍କର ବୟସର ଉପଯୋଗୀ ଦାୟିତ୍ୱ ଓ ଅଧିକାର ଦେବା ଉଚିତ୍ । ତା’ହେଲେ ସେମାନେ କ୍ରମେ ବୟଃପ୍ରାପ୍ତ ଲୋକପରି ବ୍ୟବହାର କରିବାକୁ ଶିଖନ୍ତି । ନୂଆ ନୂଆ ଯେଉଁସବୁ ଭୁଲଭ୍ରାନ୍ତି ହୁଏ ସେସବୁକୁ ଅତୀତ ଅଭିଜ୍ଞତା ଅନୁସାରେ ସଂଶୋଧନ କରି ଦାୟିତ୍ୱଶୀଳ ଲୋକପରି କାମ କରିବାକୁ ଶିଖନ୍ତି । ଯଦି କିଶୋର ବୟସରେ ମଣିଷ ଦାୟିତ୍ୱପୂର୍ଣ୍ଣ କାମ କରିବାର ସୁଯୋଗରୁ ବଞ୍ଚିତ ହୁଏ, ତେବେ ସେ ନିଜର ପାରଙ୍ଗମପଣ ପ୍ରମାଣ କରିବ କେମିତି ? କୃଷ୍ଣଙ୍କର ବାଲ୍ୟ ଓ କୈଶୋର ଲୀଳା ଆଲୋଚନା କଲେ ଦେଖାଯାଏ ଯେ ସେ ବିଭିନ୍ନ କଷ୍ଟସାଧ୍ୟ କାମ କରି ନିଜର ଅସାଧାରଣତ୍ୱ ପ୍ରକାଶ କରିଥିଲେ । ଗୋବର୍ଦ୍ଧନ ଧାରଣ, କାଳୀୟ ଦମନ, କଂସ ବିନାଶନ ଏସବୁ ଦୁରୁହ କାର୍ଯ୍ୟ ସେ କିଶୋର ବୟସରେ ହିଁ କରିଥିଲେ । ରାମଚନ୍ଦ୍ର ମଧ୍ୟ ହରଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ । ତାଙ୍କର କୈଶୋରର ବଳବୀର୍ଯ୍ୟ ଦେଖି ସର୍ବସାଧାରଣ ତଥା ମହାବୀରମାନେ ମଧ୍ୟ ଚମତ୍କୃତ ହୋଇଥିଲେ । କୈଶୋରରେ ବ୍ୟକ୍ତିତ୍ୱର ଯଥାର୍ଥ ବିକାଶ ପାଇଁ ମଣିଷକୁ ସ୍ୱାଧୀନତା ଦେବା ଦରକାର । ଏପରି ସ୍ଵାଧୀନତା ସହିତ ଦାୟିତ୍ୱ ମଧ୍ୟ ଦେବା ଦରକାର । ତା’ହେଲେ ସେ ସ୍ଵାଧୀନତା ଓ ଯଥେଚ୍ଛାଚାରିତାର ପାର୍ଥକ୍ୟ କ୍ରମେ କ୍ରମେ ହୃଦୟଙ୍ଗମ କରିବ । ନିଜେ ସ୍ଵାଧୀନ ଭାବରେ ଚିନ୍ତା କରି କଷ୍ଟସାଧ୍ୟ ସମସ୍ୟାର ସମାଧାନ କରି, ନିଜର ଦାୟିତ୍ଵ ତୁଲେଇ ବୟସ୍କ ମଣିଷ ହେବ ।

 

ବୟଃସନ୍ଧି :

 

ମଣିଷର ଜୀବନକାଳକୁ ସାଧାରଣତଃ ଛଅଟି ଭାଗରେ ଭାଗ କରାଯାଏ । ଯଥା-ଶୈଶବ, ବାଲ୍ୟ, କୈଶୋର, ଯୌବନ, ପୌଢ଼ତ୍ୱ ଓ ବାର୍ଦ୍ଧକ୍ୟ । ଏଥି ମଧ୍ୟରୁ କୈଶୋର ଯେପରି ବାଲ୍ୟ ଓ ଯୌବନର ମଧ୍ୟବର୍ତ୍ତୀ ଅବସ୍ଥା, ପ୍ରୌଢ଼ତ୍ୱ ମଧ୍ୟ ସେହିପରି ଯୌବନ ଓ ବାର୍ଦ୍ଧକ୍ୟର ମଧ୍ୟବର୍ତ୍ତୀ ଅବସ୍ଥା । ଏଇ ଅବସ୍ଥାରେ ମଣିଷ ଗୋଟିଏ ସ୍ଥିର ଅବସ୍ଥାରେ ନ ରହି ସଦାସର୍ବଦା ପରିବର୍ତ୍ତନଶୀଳ ଅବସ୍ଥା ଭିତର ଦେଇ ଗତିକରେ । ଫଳରେ ତାର ସ୍ଵଭାବ ଓ ଚରିତ୍ରରେ ଅସ୍ଥିରତା ଦେଖାଦିଏ ଓ ମନରେ ସଂଶୟ, ଅନ୍ତର୍ଦ୍ୱନ୍ଦ୍ୱ, ବିଭ୍ରାନ୍ତି ଓ ପ୍ରବଳ ଭାବାବେଗ ଦେଖାଦିଏ । (ଆଦିମ ସମାଜର ବାତାବରଣରେ ବଢ଼ିଥିବା ମଣିଷ ଏପରି ମଧ୍ୟବର୍ତ୍ତୀ ଅବସ୍ଥାରେ ବେଶୀକାଳ ଧରି ରହୁ ନ ଥିବାରୁ ସେମାନଙ୍କଠାରେ ବିଶେଷ ମାନସିକ ସଙ୍କଟ ଦେଖାଯାଏ ନାହିଁ; ମାତ୍ର ଆଧୁନିକ ସମାଜରେ ଏଇ ଅବସ୍ଥାର ସ୍ଥିତ ଦୀର୍ଘକାଳ ହେଇଥିବାରୁ କୈଶୋର ଓ ପ୍ରୌଢ଼ାବସ୍ଥାରେ ଆଧୁନିକ ମାନବଠାରେ ବିଭିନ୍ନ ମାନସିକ ସମସ୍ୟା ଦେଖାଦେଇଥାଏ ।)

 

କିଶୋର ମନରେ ପ୍ରବଳ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେବାର ପ୍ରଧାନ କାରଣ ହେଉଛି ନିଜର ଆତ୍ମ ପରିଚୟ ନେଇ ସଂଶୟରେ ପଡ଼ିବା । କେତେକ କ୍ଷେତ୍ରରେ ସମସ୍ତେ ତା’ଠାରୁ ବୟଃପ୍ରାପ୍ତସୁଲଭ ଦାୟିତ୍ୱପୂର୍ଣ୍ଣ, ସୁଚିନ୍ତିତ ବ୍ୟବହାର ଆଶା କରନ୍ତି ଓ ଅନ୍ୟ କ୍ଷେତ୍ରରେ ତାକୁ ଶିଶୁ ଧରିନେଇ ବୟଃପ୍ରାପ୍ତ ଲୋକର ଯେଉଁସବୁ ସ୍ଵାଧୀନତା ରହିଛି ସେ ସବୁ ସ୍ଵାଧୀନତା ତାକୁ ଦିଅନ୍ତି ନାହିଁ । ଆଉ କିଏ ଅନ୍ୟ ପ୍ରକାର କହେ ଯଥା–“ତୁ ଏତେ ବଡ଼ଟିଏ ହେଲୁଣି, ରନ୍ଧାବଢ଼ା ଘରକାମ ଏସବୁ ନ କଲେ କେମିତି ହବ ?” ଏକଥା ଶୁଣି ଝିଅ ଭାବେ ସେ ଏଥର ସତକୁ ସତ ବଡ଼ ମଣିଷ ହେଇଗଲାଣି । ଏଣିକି ଘରର ଅନ୍ୟ ବଡ଼ ମଣିଷଙ୍କ ପରି ତାର ଖାଇବା, ପିନ୍ଧିବା, ଶୋଇବା ଇତ୍ୟାଦି ବିଷୟରେ ସ୍ଵାଧୀନତା ରହିବ । ମାତ୍ର ସେ ଯଦି କୌଣସି ଜିନିଷ ଖାଇବାକୁ ମନାକଲା, ସ୍ଵାସ୍ଥ୍ୟ ଖରାପ ହେଇଯିବ କହି ମାଆ ତାକୁ ବାଧ୍ୟକରି ସେଇଟା ଖୁଆଇଲେ । ସେହିପରି ଲୁଗାପଟା ପିନ୍ଧିଲାବେଳକୁ ସେ ନିଜ ଇଚ୍ଛା ଅନୁସାରେ ଲୁଗା ପିନ୍ଧିବାକୁ ଅନୁମତି ପାଇଲା ନାହିଁ । ମା ଯାହା ବାଛିଦେଲେ ତାକୁ ପିନ୍ଧିବାକୁ ବାଧ୍ୟ ହେଲା । ଶୋଇବାବେଳେ ମଧ୍ୟ ଯେତେବେଳେ ବାପା ମାଆ କହିବେ ସେତେବେଳେ ସେ ଶୋଇବ ଓ ଯେତେବେଳେ ତାକୁ ନିଦରୁ ଉଠିବାକୁ କହିବେ ସେ ଉଠିବାକୁ ବାଧ୍ୟ ହେବ । ଏହି ଭାବରେ ଚଳିଲାରୁ ଝିଅ ନିଜକୁ ବଡ଼ ମଣିଷ ବୋଲି ଭାବିପାରେ ନାହିଁ ଓ ବଡ଼ ହେଇଯାଇଥିବାରୁ ନିଜକୁ ପିଲା ବୋଲି ମଧ୍ୟ ଭାବିପାରେ ନାହିଁ । ଫଳରେ ସେ କେତେବେଳେ ପିଲାପରି ବ୍ୟବହାର କରେ ଓ କେତେବେଳେ ଅନ୍ୟମାନେ କାହିଁକି ତାକୁ ବଡ଼ ମଣିଷ ବୋଲି ଭାବୁନାହାନ୍ତି ଭାବି ସେମାନଙ୍କ ଉପରେ ରାଗେ । ବଡ଼ମାନେ ମଧ୍ୟ ତାର ବ୍ୟବହାର ଦେଖି ତାକୁ ଅସ୍ଥିରମତି ଜାଣି ସବୁକଥାରେ ପିଲାପରି ଆକଟ କରନ୍ତି ଓ ତାକୁ ସ୍ଵାଧୀନତା ଦିଆଯିବ ସେ କଥା ସ୍ଥିର କରିପାରନ୍ତି ନାହିଁ । ଫଳରେ କୈଶୋର ଅବସ୍ଥାରେ ବାପା ମାଆଙ୍କ ସହିତ ପିଲାର ସମ୍ପର୍କ ଅନେକ ସମୟରେ ସଂଘାତମୟ ହୋଇଉଠେ ।

 

ଏଇ ଅବସ୍ଥାର ପ୍ରତିକାର କରିବାକୁ ହେଲେ । ବଡ଼ମାନଙ୍କ ମନୋଭାବରେ କେତେକ ପରିବର୍ତ୍ତନ ହେବା ଦରକାର । ଏପରି କ୍ଷେତ୍ରରେ–

 

୧ । କାଳେ ପିଲା ଭୁଲ୍ କରିବ ଆଶଙ୍କା କରି ପିଲାକୁ ସ୍ଵାଧୀନତା ନ ଦେଲେ ପିଲା ଠିକ୍ କାମ କରି ଶିଖିବ ନାହିଁ ଓ ନିଜର ପରାଧୀନତା ଯୋଗୁଁ ସବୁବେଳେ ଉପରିସ୍ଥ ଲୋକଙ୍କ ପ୍ରତି ବିରୂପ ଭାବ ପୋଷଣ କରିବ ।

 

୨ । ପିଲା ଯେତେ ବଡ଼ ହେଉଥାଏ ସେ ସେତେ ବାପା ମାଆଙ୍କର ଯତ୍ନ ଓ ପରିଚର୍ଯ୍ୟା ଅପେକ୍ଷା ମାନସିକ ସାନ୍ନିଧ୍ୟ ଖୋଜେ । ଯେଉଁ ବାପା ମାଆ ପିଲାର ଯତ୍ନ ଓ ପରିଚର୍ଯ୍ୟା କରିବାରେ ସବୁ ସମୟତକ ଦିଅନ୍ତି ସେମାନେ ଏ ବୟସର ପିଲାଙ୍କୁ ନେଇ ଅଡ଼ୁଆରେ ପଡ଼ନ୍ତି । ପିଲା ଭଲ ଖାଉଛି, ଭଲ ପିନ୍ଧୁଛି, ଅର୍ଥବ୍ୟୟ କରି ସେମାନେ ତାକୁ ଭଲ ସ୍କୁଲରେ ପଢ଼ାଉଛନ୍ତି ତଥାପି ପିଲା କାହିଁକି କରଛଡ଼ା ହୋଇରହୁଛି ? ପିଲା ଏପରି ଛାଡ଼ରା ହେଇ ରହିବାର କାରଣ ହେଉଛି, ସେ ଭାବେ ଘରେ ତାର ମନକଥା କେହି ବୁଝିବାକୁ ଚାହୁଁ ନାହାନ୍ତି, କିମ୍ବା ସେମାନଙ୍କର ପରସ୍ପର ଭିତରେ ଏତେ ବେଶୀ ମତ ଓ ଧାରଣାରେ ପାର୍ଥକ୍ୟ ରହିଛି ଯେ କଥା କହି ପରସ୍ପରକୁ ବୁଝି ପାରିବା ସମ୍ଭବ ନୁହେଁ । ପିଲା ବାପା ମାଆଙ୍କ ସହିତ ଯେତେ ବେଶୀ ସଙ୍କୋଚ ଅନୁଭବ କରିବ ସେତେ କରଛଡ଼ା ହେଇ ରହିବ । ତେଣୁ ପିଲା ସହିତ ମାନସିକ ଦୂରତ୍ୱ ଯେପରି ବଢ଼ି ବଢ଼ି ନ ଯାଏ ସେଥିପ୍ରତି ଯତ୍ନବାନ୍ ହେବା ଦରକାର ।

 

୩ । ବଡ଼ମାନେ ପିଲାଙ୍କୁ କଥା କଥାକେ ଦବେଇ ଦେଲେ, ସେମାନଙ୍କ ମତାମତକୁ ଗୁରୁତ୍ୱ ନ ଦେଲେ ବା ସେମାନଙ୍କର ମତାମତକୁ ଉପହାସ କଲେ ପିଲା ସାଧାରଣତଃ ଶଙ୍କି ଯାଆନ୍ତି । ଅନ୍ୟମାନଙ୍କ ସାମ୍ନାରେ ଭରସି କରି ନିଜର ମନ କଥା କୁହନ୍ତି ନାହିଁ ବା ନିଜର ମତାମତ ପ୍ରକାଶ କରନ୍ତି ନାହିଁ । ଯେଉଁ ପିଲା ବଡ଼ ମଣିଷଙ୍କ ସହିତ ଏଭଳି ସଙ୍କୋଚ ଅନୁଭବ କରନ୍ତି, ସେମାନଙ୍କୁ ଯେତେ ପଚାରିଲେ ସୁଦ୍ଧା ସେମାନେ ପ୍ରକୃତ ଅନ୍ତରର କଥା କୁହନ୍ତି ନାହିଁ, ବରଂ ଅନ୍ୟମାନେ ଯେ ଭଳି ଉତ୍ତର ଶୁଣିଲେ ଖୁସି ହେବେ । ସେ ଭଳି ଉତ୍ତର ଭାବି କୁହନ୍ତି । ଏଇ ଅଭ୍ୟାସ ଭାଙ୍ଗିବା ବେଶ୍ କଷ୍ଟ । ତେଣୁ ମୂଳରୁ ଏଇ ଅବସ୍ଥାର ପ୍ରତିକାର କରିବା ଦରକାର । ଏଥିଲାଗି ଯେଉଁ ଘରେ ବାପା ମାଆ ପିଲାର କଥା ମନ ଦେଇ ଶୁଣନ୍ତି, ପିଲାର ଯୁକ୍ତି ବା ପ୍ରତିବାଦ ଶୁଣିଲେ ତାକୁ ଦବେଇ ନ ଦେଇ, ତା ସହିତ ସମକକ୍ଷ ଲୋକ ପରି କଥାବାର୍ତ୍ତା କରନ୍ତି, ବିଭିନ୍ନ ବିଷୟରେ ତା’ର ମତାମତ ପଚାରନ୍ତି, ତା’ର ପରାମର୍ଶ ଲୋଡ଼ନ୍ତି, ସେ ଘରେ ପିଲା ବାପା ମାଆଙ୍କ ସହିତ ସ୍ୱଚ୍ଛନ୍ଦରେ ଦ୍ୱିଧାହୀନ ଭାବରେ କଥାବାର୍ତ୍ତା କରେ, ଅକପଟରେ ନିଜର ମନୋଭାବ ପ୍ରକାଶ କରେ । ଯଦି ଘରଲୋକଙ୍କ ସହିତ ତା’ର ମତପାର୍ଥକ୍ୟ ଦେଖାଦିଏ, ତେବେ ସେ ବିଚଳିତ ହୁଏ ନାହିଁ । ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରେ ଏଭଳି ମତପାର୍ଥକ୍ୟ ରହିଥାଏ ଜାଣି, ସେ ଘରଲୋକଙ୍କ ପ୍ରତି ଅଶ୍ରଦ୍ଧାବାନ୍ ହୁଏନାହିଁ ।

 

କିଶୋର ବୟସର ପିଲାଙ୍କ ସହିତ ବୁଝାମଣାର ସମ୍ପର୍କ ନ ରହିଲେ ସେମାନଙ୍କୁ ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ । ବଡ଼ମାନଙ୍କ ପ୍ରତି ଯଦି ସେମାନଙ୍କ ମନରେ ଶ୍ରଦ୍ଧାଭାବ ନ ରହେ ତା’ହେଲେ ସେମାନେ ବଡ଼ ମାନଙ୍କର ଉପଦେଶ ଗ୍ରହଣ କରନ୍ତି ନାହିଁ । ଏଥିଲାଗି ଘରଲୋକ ବା ଶିକ୍ଷକ ଶତ ଉପଦେଶ ଦେଲେ ମଧ୍ୟ ସେମାନେ ସେ ସବୁ ଉପଦେଶ ଶୁଣି କାମ କରନ୍ତି ନାହିଁ । ମାତ୍ର ଯାହା ସହିତ ସହୃଦୟତା ଥାଏ, ସେଠି ସେମାନେ ବଳେ ବଳେ ଆସି ପରାମର୍ଶ ଲୋଡ଼ନ୍ତି । ଏଇ ବୟସରେ ଅଧିକାଂଶ ପିଲା ଘରଲୋକଙ୍କୁ ଭରସି ସବୁ କଥା କହିପାରୁ ନ ଥିବାରୁ ସାଙ୍ଗ ସାଥୀଙ୍କ ଠାରୁ ସହାନୁଭୂତି ଓ ବୁଝାମଣା ଲୋଡ଼ନ୍ତି । ଫଳରେ ଏଇ ବୟସରେ ସେମାନଙ୍କ ଉପରେ ବାପା ମାଆଙ୍କର ପ୍ରଭାବ କ୍ରମଶଃ କ୍ଷୀଣ ହୋଇଯାଏ ଓ ସାଙ୍ଗପିଲାଙ୍କ ପ୍ରଭାବ ଦୃଢ଼ରୁ ଦୃଢ଼ତର ହୁଏ ।

 

ବୁଦ୍ଧିର ବିକାଶ :

 

ମନସ୍ତାତ୍ତିକମାନେ ଗବେଷଣା କରି ଦେଖିଛନ୍ତି ଯେ ପ୍ରାୟ ଷୋହଳ ବର୍ଷ ପର୍ଯ୍ୟନ୍ତ ମଣିଷର ବୁଦ୍ଧି କ୍ରମାଗତ ବଢ଼ୁଥାଏ । ଷୋହଳ ବର୍ଷ ପରେ ଦେହ ଯେପରି ଆଉ ବେଶୀ ବଢ଼େ ନାହିଁ, ବୁଦ୍ଧି ମଧ୍ୟ ସେହିପରି ଅଳ୍ପ ବଢ଼ି ପୂର୍ଣ୍ଣାବସ୍ଥା ପ୍ରାପ୍ତ ହୁଏ । ଷୋହଳ ବର୍ଷ ପରେ ଶିକ୍ଷା ଓ ଜାଗତିକ ଅଭିଜ୍ଞତା ହେତୁ ମଣିଷର ବିବେଚନା ଶକ୍ତି, ଜ୍ଞାନ ଓ ପାଣ୍ଡିତ୍ୟ ବଢ଼େ । ମାତ୍ର ଶିଖିବା ଶକ୍ତି, ବିଶ୍ଳେଷଣ କରିବାର କ୍ଷମତା, ସ୍ମୃତିଶକ୍ତି, ବୋଧଶକ୍ତି ଓ ଯୁକ୍ତି ସାହାଯ୍ୟରେ ଚିନ୍ତା କରିବାର କ୍ଷମତାରେ ବିଶେଷ ପରିବର୍ତ୍ତନ ଦେଖାଯାଏ ନାହିଁ ।

 

ଅନେକ ବାପା ମାଆ ଓ ଶିକ୍ଷକ ପଚାରନ୍ତି କ’ଣ କଲେ ପିଲାର ବୁଦ୍ଧି ବଢ଼ିବ ? ଏହାର ଉତ୍ତର ହେଉଛି ପିଲାକୁ ଯେତେ ବୁଦ୍ଧି ବ୍ୟବହାର କରିବା ଲାଗି ସୁଯୋଗ ଦିଆଯିବ ପିଲାର ବୁଦ୍ଧି ମାର୍ଜିତ ହେବାର ସମ୍ଭାବନା ସେତେ ବଢ଼ିବ । ପିଲାର ଜନ୍ମଗତ ବୁଦ୍ଧିକୁ ଶିକ୍ଷା ବା ତାଲିମ ଦ୍ୱାରା କେତେ ପରିମାଣରେ ବଢ଼େଇ ହେବ, ସେ ବିଷୟ ନେଇ ମନୋବିଜ୍ଞାନୀଙ୍କ ମଧ୍ୟରେ ମତଭେଦ ରହିଛି । ତେବେ ମୋଟାମୋଟି ଭାବେ କୁହାଯିବ ଯେ, ଶିକ୍ଷା ଓ ତାଲିମ ଫଳରେ ପିଲାଙ୍କର ଜନ୍ମଗତ ବୁଦ୍ଧିରେ ଅଳ୍ପ ପରିମାଣରେ ଉନ୍ନତି ହୁଏ । ପିଲାମାନଙ୍କୁ ଜନ୍ମରୁ ବିଭିନ୍ନ ବିଷୟ ଲକ୍ଷ୍ୟ କରିବାକୁ ଶିଖାଇଲେ ବିଭିନ୍ନ ବସ୍ତୁର ପରସ୍ପର ସହିତ ଥିବା ସାଦୃଶ୍ୟ ଓ ପାର୍ଥକ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କଲେ, ଭାଷାର ଉପଯୁକ୍ତ ବ୍ୟବହାର ଶିଖାଇଲେ ଓ ଯୁକ୍ତି ଅନୁସାରେ ଚିନ୍ତା କରିବାକୁ ଶିଖାଇଲେ ପିଲାର ବୁଦ୍ଧି ବଢ଼େ । (ଆଜିର ଶିଶୁ କାଲିର ମଣିଷ ବହିରେ ‘ଭାଷା ଓ ଚିନ୍ତା’ ଦେଖନ୍ତୁ-।)

 

କୈଶୋରରେ ଚିନ୍ତାଧାରାର ବିକାଶ :

 

ସାତ ଆଠ ବର୍ଷ ବୟସରେ ପିଲାର ଚିନ୍ତାଧାରାରେ ଯେପରି ନୂତନ ପରିବର୍ତ୍ତନ ଦେଖାଯାଏ, ସେହିପରି କୈଶୋରର ଆରମ୍ଭରେ ୧୧। ୧୨ ବର୍ଷ ବୟସରେ ଆଉ ଏକ ନୂତନ ଅବସ୍ଥା ଦେଖାଯାଏ । ବର୍ତ୍ତମାନ ସେ ବିଭିନ୍ନ ପଦାର୍ଥର ତାତ୍ପର୍ଯ୍ୟ ଜାଣିପାରେ । ପୂର୍ବେ ସେ ଅଙ୍ଗେ ନିଭେଇ ନିଜ ଅଭିଜ୍ଞତାରୁ ବିଭିନ୍ନ ବିଷୟ ଜାଣୁଥିଲା । ବର୍ତ୍ତମାନ ଚିନ୍ତା କରି ସେ ବିଷୟ ଜାଣୁଛି । ଉଦାହରଣ ସ୍ୱରୂପ ସେ ସରବତରେ ବରଫ ଚାଖି ଜାଣିଛି ବରଫ ଥଣ୍ଡା । ରେଡ଼ିଓରୁ ଶୁଣିଲା ସିମ୍‍ଲାରେ ବରଫ ପଡ଼ୁଛି । କହିଲା–‘ସିମଲାରେ ଭାରୀ ଥଣ୍ଡା ପଡ଼ିଥିବ ।’ ତା କଥା ଶୁଣି ତା’ର ପାଞ୍ଚବର୍ଷର ସାନଭାଇ ପଚାରିଲା–‘ତୁ ତ କେବେ ସିମଲା ଯାଇନୁ କେମିତି ଜାଣିଲୁ ସେଠି ଶୀତ ହେଉଛି ବୋଲି ?’

 

ସାନ ପିଲା ଓ କିଶୋର ବୟସର ପିଲାର ଚିନ୍ତାରେ ଏଭଳି ବହୁତ ପାର୍ଥକ୍ୟ ଦେଖାଯାଏ-। ସାନପିଲାକୁ ଯଦି ପଚାରିବା–

 

ଚିଲ ଉଡ଼ିପାରେ

କୁକୁଡ଼ା ଉଡ଼ିପାରେ

 

ତା’ହେଲେ କୁକୁଡ଼ା ଓ ଚିଲ କ’ଣ ଏକା ? ସାନପିଲା କହିବ ହଁ । ମାତ୍ର ବଡ଼ ପିଲା କହିବ, ଏଭଳି ଭାବିବା ଭୁଲ, କାରଣ ସେମାନେ ଉଡ଼ିବା ଶକ୍ତିରେ ସମାନ, ମାତ୍ର ଅନ୍ୟ ବିଷୟରେ ସ୍ଵତନ୍ତ୍ର ।

 

ଗୋଟାଏ ମଲ୍ଲି ମାଳରେ ଚାରୋଟି ଚମ୍ପାଫୁଲ ଗୁନ୍ଥା ହୋଇଛି । ଯଦି ପଚାରିବା-ଏ ମାଳରେ ଫୁଲ ବେଶୀ ନା ମଲ୍ଲି ବେଶୀ ?

 

ପାଞ୍ଚବର୍ଷର ସାନପିଲା କହିବ ମଲ୍ଲି ବେଶୀ । ୧୨ ବର୍ଷର ପିଲା କହିବ ଫୁଲ ବେଶୀ ।

 

ଗୋଟାଏ କପ୍ ପାଣି ଚଟକା କାଚ ତାଟିଆରେ ଢାଳିଲ ଓ ଆଉ କପେ ପାଣି ତାଟିଆ ପାଖରେ ଥିବା ଲମ୍ୱା କାଚ ଗ୍ଲାସରେ ଢାଳିଲ, ପଚାରିଲ ଦୁଇଟାଯାକ ଜାଗାରେ କ’ଣ ସମାନ ପାଣି ଅଛି ?

 

ପାଞ୍ଚବର୍ଷ ପିଲା କହିବ–ଲମ୍ବା ଗ୍ଲାସରେ ବେଶୀ ପାଣି । ବାରବର୍ଷର ପିଲା ସମାନ ପାଣି ଅଛି ବୋଲି କହିବ ।

 

ଆସନ୍ତା କାଲି ପୂଜାହେବ । ଘରେ ମଗଜ ଲଡ଼ୁ ବଳା ହେଉଛି । ସାନ ଭାଇ ଭଉଣୀ ଦୁଇଜଣ ଲଡ଼ୁ ମାଗିଲେ । ଭୋଗ ଲାଗି କାଢ଼ି ରଖି ବାକି ତକ ଲଡ଼ୁରୁ ଦୁଇଜଣଙ୍କୁ ଦୁଇଟା ଲଡ଼ୁ ଦିଆଗଲା । ଜଣେ ତାଙ୍କ ଭିତରୁ ମୋତେ ବେଶୀ ଦେ କହି କାନ୍ଦି ଅଝଟ ହେଲା । ପିଲାକୁ ଭୁଲେଇବା ଲାଗି ତା’ର ଲ‍ଡ଼ୁଟା ଗୁଣ୍ଡ କରି ତାଟିଆରେ ଥୋଇ ମା କହିଲେ–ଦେଖିଲୁ ତୋତେ କେତେ ବେଶୀ ମିଳିଲାଣି । ପିଲା ଦେଖି ଚୁପ୍ ହେଇଗଲା । କାରଣ ସେ ଭାବି ପାରୁନାହିଁ ଯେ ଆଖିରେ ଯାହା ଦେଖାଗଲେ ମଧ୍ୟ ଅଧିକା ଲଡ଼ୁଟିଏ ନ ମିଶେଇଲେ ପ୍ରକୃତରେ ଲଡ଼ୁର ପରିମାଣ ବଢ଼ୁନାହିଁ । ଅନ୍ୟ ଜଣକ ମଧ୍ୟ ଏକଥା ବୁଝି ନ ପାରି ତାକୁ କାହିଁକି ବେଶୀ ଦେଲ କହି କାନ୍ଦିଲା । ବାରବର୍ଷର ବଡ଼ଭାଇ ଏହାଦେଖି ଆର ଲଡ଼ୁଟା ଭାଙ୍ଗି ଦେଇ ଦୁଇଟାଯାକ ସମାନ ବୋଲି ଦେଖାଇ ତାକୁ ଶାନ୍ତ କଲା । ବର୍ତ୍ତମାନ ଦୁଇଜଣଯାକଙ୍କ ତାଟିଆରେ ଚୂନା ଲଡ଼ୁ ବେଶୀ ହେଇ ଦେଖାଗଲା । ଏକଥା ଦେଖି ଗେହ୍ଲା ପୁଅଟି ପୁଣି କାନ୍ଦିଲା–ତା’ର ମୋର କାହିଁକି ସମାନ ଭାଗ ହେଲା ? ସେ କମ୍ ପାଇବ । ବଡ଼ ଭାଇ ଭଉଣୀ ତାଟିଆରୁ ଚୂନା ଲଡ଼ୁର ଗୁଣ୍ଡ ତକ ପୁଣି ଗୋଲ କରି ବଳି ଦେଲା-। ଏଥର ଭଉଣୀ କାନ୍ଦିବାକୁ ଆରମ୍ଭ କଲା । ସେମାନଙ୍କ ନିର୍ବୁଧିଆପଣ ଦେଖି ବଡ଼ଭାଇ ବିରକ୍ତ ହୋଇ ଚାଲିଗଲା । ବଡ଼ଭାଇ ଜାଣୁଛି ଯେ ଦିଓଟି ସମାନ ଜିନିସ ମଧ୍ୟରୁ ଗୋଟିକର ଅଧିକା ଗୁଣ୍ଡ ମିଶେଇଲେ ପରିମାଣ ବଢ଼େ ଓ କାଢ଼ିନେଲେ ପରିମାଣ କମେ । ସମାନ ପରିମାଣର ଜିନିଷକୁ ଅଲଗା ଆକୃତି କରି ଗଢ଼ିଲେ ସୁଦ୍ଧା ସେଥିରେ ପରିମାଣର ତାରତମ୍ୟ ହୁଏ ନାହିଁ । ସାନ ଭାଇ ଓ ଭଉଣୀ ଯେତେବେଳେ ତା’ ପରି ବଡ଼ ହେବେ ସେମାନେ ମଧ୍ୟ ମାପ ଅନୁସାରେ ବେଶୀ କମ୍ ହୁଏ ବୋଲି ଜାଣି ପାରିବେ ।

 

ହାଟରୁ ସଉଦା ଆସିଲା । ଆଠ ବର୍ଷର ଭଉଣୀ ଫଳ ଓ ପରିବା ବାଛି ଫଳତକ ଠାକୁରଘରେ ଓ ପରିବାତକ ଭଣ୍ତାରଘରେ ନେଇ ଥୋଇଲା । ବଡ଼ ଭାଇ ପଚାରିଲା ଫଳ ଓ ପରିବାରେ ପ୍ରଭେଦ କଣ ?

 

ଭଉଣୀ କହିଲା–ଫଳ ଅରନ୍ଧା ଖାଆନ୍ତି, ପରିବା ରାନ୍ଧି ଖାଆନ୍ତି ।

 

୧୨ ବର୍ଷର ଭାଇ–ସେ କଥା ସତ ନୁହେଁ, ପାଚିଲା ଆମ୍ବ ଖଟା ପଡ଼ିଲେ ଲୋକେ ତାକୁ ରାନ୍ଧି ଆମ୍ବିଳ କରନ୍ତି; ମାତ୍ର ମିଠା ପଡ଼ିଲେ ସେମିତି ଖାଆନ୍ତି ।

 

ଏହିପରି ଅସଂଖ୍ୟ ଉଦାହରଣରୁ ଆମେ ଦେଖୁ ଯେ ବାଲ୍ୟ, ଶୈଶବ ଓ କିଶୋର କାଳର ଜାଣିବାର ସ୍ତର ଓ ପ୍ରକାରରେ ପ୍ରଭେଦ ହୁଏ ।

 

ଶୈଶବରେ ପିଲା ଇନ୍ଦ୍ରିୟଲବଧ ଜ୍ଞାନ ଦ୍ୱାରା ଅର୍ଥାତ୍ ରୂପ, ରସ, ଶବ୍ଦ, ଗନ୍ଧ ଓ ଆସ୍ୱାଦ ଅନୁସାରେ ବିଭିନ୍ନ ବିଷୟ ଜାଣେ । ବାଲ୍ୟର ପ୍ରଥମ ଅବସ୍ଥାରେ ସେ କ୍ରମଶଃ ପଦାର୍ଥର ରୂପ, ଆକାର, ଆୟତନ, ଦୈର୍ଘ୍ୟ, ପ୍ରସ୍ଥ, ଘନତ୍ୱ ଓ ଓଜନ ବିଷୟରେ ସଚେତନ ହୋଇ ସେହି ଅନୁସାରେ ବିଷୟଟିକୁ ଜାଣେ । ତାର ମନରେ ବିଭିନ୍ନ ପଦାର୍ଥର ଯେଉଁ ପ୍ରତିବିମ୍ୱ ରୂପ ଥାଏ, ତା ସହିତ ବର୍ତ୍ତମାନ ପଦାର୍ଥର ବିଭିନ୍ନ ଗୁଣକୁ ଯୋଡ଼ି ମନରେ ପଦାର୍ଥଟି ବିଷୟରେ ଏକ ସାମଗ୍ରିକ ଧାରଣା ଲାଭ କରେ । ସାନ ପିଲାଙ୍କୁ ମଣିଷର ଛବି ଆଙ୍କିବାକୁ କହିଲେ ସେମାନେ ସାଧାରଣତଃ ସାମ୍ନାରୁ ମଣିଷ ଯେମିତି ଦେଖାଯାଏ, ସେହିପରି ଭାବରେ ଛବି ଆଙ୍କନ୍ତି । ଆଠ ନଅ ବର୍ଷ ବୟସ ବେଳକୁ “ଗୋଟାଏ କରରୁ ମଣିଷ କେମିତି ଦେଖାଯାଏ, ଆଙ୍କି ଦେଖାଇଲ”–କହିଲେ ସେଭଳି ଆଙ୍କିପାରନ୍ତି-। ଛାତ ଉପରୁ ଅନେଇଲେ ତଳେ ଠିଆ ହୋଇଥିବା ଲୋକ ଯେମିତି ଦେଖାଯାଏ ସେକଥା ଆଙ୍କି ଦେଖାଅ–କହିଲେ ସେମାନେ ସେପରି ଆଙ୍କିବାକୁ ଆଂଶିକ ଭାବରେ ସମର୍ଥ ହେବେ । କାରଣ ଏପରି କ୍ଷେତ୍ରରେ ଆଙ୍କିବା କ୍ଷମତା ଥିଲେ ମଧ୍ୟ ଉପରେ ଠିଆ ହେଇଥିବା ଲୋକ ଓ ତଳେ ଠିଆ ହେଇଥିବା ଲୋକ ମଧ୍ୟରେ ଥିବା ଦୂରତ୍ୱ ଅନୁସାରେ, ସେମାନଙ୍କର ଆକାର କେମିତି ହେବ, ପୁଣି ଉପରଆଡ଼ୁ ଦେଖିଲେ ମଣିଷ କେମିତି ଦେଖାଯିବ, ତଳେ ଥିବା ଗଛପତ୍ର ଭୂଇଁ କେମିତି ଦେଖାଯିବ–ଏସବୁ ବିଷୟରେ ଯଥେଷ୍ଟ ଜ୍ଞାନ ନ ହେଲା ପର୍ଯ୍ୟନ୍ତ ମନରୁ ଭାବି ଛବି ଆଙ୍କିବା କଷ୍ଟ ହେବ । ଅଥଚ ଏଇ ବୟସର ପିଲାଙ୍କୁ ଗୋଟାଏ ଛବି ସେହିପରି ଅବିକଳ ଆଉ ଗୋଟାଏ ଛବି ଆଙ୍କିବାକୁ କହିଲେ ସେ ସେଭଳି ନକଲ କରିପାରିବ । ଏଥିରୁ ଜଣାଯାଉଛି ଯେ ଛବି ଆଙ୍କଲାପରି ବିଦ୍ୟା ଶିଖିବାପାଇଁ ମଧ୍ୟ ପିଲାର ଉପଯୁକ୍ତ ଚିନ୍ତାଶକ୍ତି ରହିବା ଦରକାର । ଚିନ୍ତା ଓ ଧାରଣା ଶକ୍ତିର ପୂର୍ଣ୍ଣ ବିକାଶ ନ ହେଲେ ଏ କ୍ଷେତ୍ରରେ ମଧ୍ୟ ପିଲା ପାରଙ୍ଗମ ହୋଇପାରିବ ନାହିଁ-

 

ବାଲ୍ୟକାଳର ଶେଷ ଅବସ୍ଥାରେ ଚିନ୍ତା ଓ ଜ୍ଞାନର ବିକାଶ ଯଥାର୍ଥ ଭାବରେ ହୋଇଥାଏ-। ସେଥିଲାଗି ୧୨ । ୧୩ ବର୍ଷ ପୂର୍ବରୁ ପିଲାଙ୍କୁ ଗଣିତ ଓ ବିଜ୍ଞାନ ଆଦି ପଢ଼ାଇଲେ ସେମାନେ ଏସବୁ ବିଷୟ ସହଜରେ ଶିଖିପାରନ୍ତି ନାହିଁ । ଯାହା ଶିଖନ୍ତି ଘୋଷିକରି ଶିଖନ୍ତି । ଧାରଣା ଶକ୍ତିର ପୂର୍ଣ୍ଣ ବିକାଶ ହେଇ ନ ଥିବାରୁ ସେମାନେ ବାଧ୍ୟ ହେଇ ସ୍ମୃତିଶକ୍ତି ଉପରେ ନିର୍ଭର କରି ପାଠ ପଢ଼ନ୍ତି । ବର୍ତ୍ତମାନ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ପିଲା ୧୨ ବର୍ଷ ବୟସ ବେଳକୁ ଏସବୁ ବିଷୟ ଶିଖିବା ଆରମ୍ଭ କରି ୧୮ ବର୍ଷ ବେଳକୁ ହାଇସ୍କୁଲ ପରୀକ୍ଷା ପାଶ୍ କରନ୍ତି । ଏହା ଫଳରେ ସେଠାରେ ସାଧାରଣ ଶିକ୍ଷାର ମାନ ଉନ୍ନତ ରହୁଛି ଓ ପରୀକ୍ଷାରେ ଫେଲ କରୁଥିବା ପିଲାଙ୍କ ସଂଖ୍ୟା ଆମ ଦେଶ ତୁଳନାରେ କମ୍ ହେଉଛି ।

 

ଆମ ଦେଶରେ ପିଲା କେବଳ ସ୍ମୃତିଶକ୍ତି ଉପରେ ନିର୍ଭର କରି ପାଠ ଶିଖୁଥିବାରୁ ସେମାନେ ନିଜ ଭିତରେ ଥିବା ଅନ୍ୟାନ୍ୟ ଜ୍ଞାନମୂଳକ କ୍ଷମତାର ବିକାଶ ଦିଗରେ ମନ ବଳାଉନାହାନ୍ତି । ମାତ୍ର ଯଥାର୍ଥ ଉଚ୍ଚଶିକ୍ଷାରେ ଲାଭ କରିବାପାଇଁ ନିମ୍ନଲିଖିତ କ୍ଷମତାଗୁଡ଼ିକ ପିଲାଠାରେ ରହିବା ଦରକାର ।

 

୧-ଧାରଣା ଶକ୍ତି, ୨-ସମ୍ଭାବନା ଓ ଅନୁମାନ ଶକ୍ତି (ଗାଣିତିକ ଅର୍ଥରେ), ୩-ଭବିଷ୍ୟତ ବିଷୟରେ ଅନୁମାନ କରିପାରିବାର କ୍ଷମତା, ୪-ଅଧୀତ ବିଷୟରେ ତାତ୍ପର୍ଯ୍ୟ ଗୂଢ଼ ଅର୍ଥ ବୁଝିବାର କ୍ଷମତା, ୫-ଯୁକ୍ତି ଅନୁସାରେ ଚିନ୍ତା କରିବାର କ୍ଷମତା । ଏସବୁ କ୍ଷମତା ଆଦ୍ୟ ଶେଷ ଭାଗରେ ହିଁ ପୂର୍ଣ୍ଣତା ଲାଭ କରିଥାଏ । କହିବାର କଥା ଯେ, ବୁଦ୍ଧି ଓ ଚିନ୍ତାଧାରାର ଏଭଳି କ୍ରମବିକାଶ କେବଳ ସଭ୍ୟ ସମାଜର ଶିକ୍ଷିତ ବାତାବରଣରେ ବଢ଼ୁଥିବା ମଣିଷଠାରେ ଦେଖାଯାଏ । ମାତ୍ର ବନଚାରୀ, ଗିରିବାସୀ ବା ଆଦିମ ଅଧିବାସୀଙ୍କ ସମାଜରେ ଯେଉଁଠି ଭାଷାର ବ୍ୟବହାର ସୀମିତ, ଅଭିଜ୍ଞତାର ପରିଧି ସଂକୀର୍ଣ୍ଣ ସେଠାରେ ଏଭଳି କ୍ରମବିକାଶ ଦେଖାଯିବ କି ନାହିଁ ସେ କଥା ଗବେଷଣାର ବିଷୟ । ଏସବୁ ସମ୍ପ୍ରଦାୟର ପିଲାଙ୍କୁ ସ୍କୁଲ-ପାଠ ପଢ଼ାଇବା ପୂର୍ବରୁ ସେମାନଙ୍କର ମାନସିକ କ୍ଷମତା କେଉଁ ଅବସ୍ଥାରେ ରହିଛି ସେକଥା ପରୀକ୍ଷା କରି ନିର୍ଣ୍ଣୟ କରିବା ଦରକାର । ଯେଉଁ ମାନସିକ କ୍ଷମତା ଅସ୍ଫୁଟ ଅବସ୍ଥାରେ ରହିଛି ତା’ର ଉପଯୁକ୍ତ ବିକାଶ ପାଇଁ ଚେଷ୍ଟା କରିବା ଦରକାର । ତା’ହେଲେ ଯାଇ ସେମାନେ ଅନ୍ୟ ଶିକ୍ଷିତ ସମ୍ପ୍ରଦାୟରୁ ଆସୁଥିବା ପିଲାଙ୍କ ପରି ପାଠ ସହଜରେ ଶିଖିପାରିବେ । ଏକଥା କହିବାର ଉଦ୍ଦେଶ୍ୟ ନୁହେଁ ଯେ, ସହରର ଶିକ୍ଷିତ ପରିବାରର ପିଲା ଆଦିବାସୀ ବା ଗାଁଗହଳର ପିଲାଙ୍କଠାରୁ ବେଶୀ ବୁଦ୍ଧିମାନ ବା ଚିନ୍ତାଶୀଳ । ହୁଏତ ଏସବୁ ସମ୍ପ୍ରଦାୟର ପିଲାଙ୍କର ଜନ୍ମଗତ ବୁଦ୍ଧି ଓ ଚିନ୍ତା କରିବାର କ୍ଷମତା ସମାନ ଥାଇପାରେ । ମାତ୍ର ଶିକ୍ଷିତ ପରିବାରର ପିଲା ନିଜର ଚିନ୍ତା ଓ ବୁଦ୍ଧିକୁ ମାର୍ଜିତ କରିବାପାଇଁ ଯେଉଁସବୁ ସୁଯୋଗ ପାଏ, ଅନ୍ୟ ସମ୍ପ୍ରଦାୟର ପିଲା ନିଜର ପାରିବାରିକ ଜୀବନରୁ ସେ ପ୍ରକାର ସୁଯୋଗ ପାଉ ନଥିବାରୁ ସେମାନଙ୍କର ଚିନ୍ତାଶକ୍ତିର ଉପଯୁକ୍ତ ବିକାଶ ହୋଇ ନଥାଏ । ଫଳରେ ସେମାନେ ବିଭିନ୍ନ ବିଷୟ ପଢ଼ି ସେସବୁ ଉପରଠାଉରିଆ ଭାବରେ ଶିଖନ୍ତି । ବିଭିନ୍ନ ତଥ୍ୟ ମନେ ରଖିପାରନ୍ତି; ମାତ୍ର ସେ ବିଷୟରେ ଗଭୀର ଭାବରେ ଚିନ୍ତା କରିପାରନ୍ତି ନାହିଁ ।

 

ଦ୍ୱିତୀୟରେ ଆମ ଦେଶରେ ଅଳ୍ପ ବୟସରେ ପିଲା ହାଇସ୍କୁଲ ପାଠ ଶେଷ କରୁଥିବାରୁ ଯାହା ପଢ଼ନ୍ତି ସେସବୁ ବିଷୟ ଯଥାର୍ଥ ଭାବରେ ଆୟତ୍ତ କରିପାରନ୍ତି ନାହିଁ । ଏଇ ଅବସ୍ଥାର ପରିବର୍ତ୍ତନ କରିବାକୁ ହେଲେ ବାପା, ମାଆ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପିଲାର ବୁଦ୍ଧିର ବିକାଶ କିପରି ହେଇଥାଏ, ସେକଥା ଭଲ ଭାବରେ ଜାଣିବା ଦରକାର । ବୁଦ୍ଧିର ବିକାଶ ଅନୁସାରେ ପିଲାକୁ ଶିଖାଇଲେ ସେ ସହଜରେ ଶିଖିବାକୁ ସମର୍ଥ ହେବ ଓ ପାଠପଢ଼ି ପାଠରୁ ଆନନ୍ଦ ପାଇବ ।

 

ପିଲା କିପରି ‘କାର୍ଯ୍ୟ-କାରଣ’ ସମ୍ପର୍କ ଶିଖନ୍ତି :

 

ପିଲା ବାଲ୍ୟାବସ୍ଥାରେ ଜୀବନର ବିଭିନ୍ନ ଅଭିଜ୍ଞତାଗୁଡ଼ିକୁ ସ୍ୱତନ୍ତ୍ର ଓ ଅସଂଲଗ୍ନ ବୋଲି ଜାଣିଥାଏ । ପ୍ରତ୍ୟେକ ଘଟଣା ଘଟିବା ପଛରେ ଯେ ଗୋଟାଏ ନିର୍ଦ୍ଦିଷ୍ଟ କାରଣ ରହିଛି, ସେକଥା ତାର ବୋଧଗମ୍ୟ ହୋଇ ନଥାଏ । ଯଥା-ପିଲା ରେଡ଼ିଓ ମୋଡ଼ିଲାରୁ ମାଡ଼ ଖାଇଲା । ସେ କାହିଁକି ମାଡ଼ ଖାଇଲା ସେକଥା ବୁଝେ ନାହିଁ । ମାତ୍ର ପ୍ରତିଥର ରେଡ଼ିଓ ମୋଡ଼ିଲେ ସେ ଯଦି ମାଡ଼ ଖାଏ, ତେବେ ଧୀରେ ଧୀରେ ଶିଖେ ଯେ ରେଡ଼ିଓ ମୋଡ଼ିଲେ ତା ଉପରେ ମାଡ଼ ହବ । ସେହିପରି ଅନ୍ୟାନ୍ୟ ଯେଉଁସବୁ କାମ କଲେ ସେ ମାଡ଼ ଖାଏ, କ୍ରମେ କ୍ରମେ ମାଡ଼ ଖାଇବାର ସେସବୁ ଅବସ୍ଥା ଭିତରେ ସେ ଗୋଟାଏ ଯୋଗସୂତ୍ର ଦେଖେ । ସେ ଯୋଗସୂତ୍ର ହେଲା ମନା ହେଇଥିବା ଜିନିସରେ ହାତ ଦେଲେ ତାକୁ ମାଡ଼ ମିଳୁଛି । ଏପରି ଭାବିପାରିଲାରୁ ତାକୁ ଥରେ ମନାକଲେ ସେ ନିଷିଦ୍ଧ ଜିନିଷରେ ଆଉ ହାତ ଦିଏ ନାହିଁ । ତେଣୁ ପିଲା କାର୍ଯ୍ୟ–କାରଣ ସମ୍ପର୍କ ନ ବୁଝିବାଯାକେ ତାକୁ ବାରମ୍ବାର ଗୋଟାଏ କାମ କରିବାକୁ ମନା ନ କଲେ ସେ ସେଭଳି କାମ କରୁଥିବ । ଦ୍ୱିତୀୟରେ କେଉଁ ଶ୍ରେଣୀର କାମଗୁଡ଼ିକ ନିଷିଦ୍ଧ କାମ, ସେକଥା ବୁଝିପାରୁ ନଥିବାରୁ ଗୋଟାଏ କାମ ମନାକଲେ ସେ କାମ ନ କରି ସେଭଳି ଆଉ ଗୋଟିଏ କାମ କରେ । ଯଥା-ରେଡ଼ିଓ ମୋଡ଼ିବାକୁ ମନା କଲେ ସେ ସିଲେଇ ମେସିନ ମୋଡ଼ିବାକୁ ଆରମ୍ଭ କରେ ।

 

ପିଲା ଗୋଟାଏ ନିୟମ ଶିଖିଲାପରେ ସବୁ କ୍ଷେତ୍ରରେ ସେ ନିୟମ ଲାଗୁହେବ କି ନାହିଁ, ସେ କଥା ସଦା ସର୍ବଦା ପ୍ରୟୋଗ କରି ଦେଖନ୍ତି । ସେଥିଲାଗି ପିଲା ନୂଆ କରି କୌଣସି ନିୟମ ଶିଖିଲାବେଳେ ଯଦି ବାରମ୍ବାର ଏହି ନିୟମର ବ୍ୟତିକ୍ରମ ହେବାର ଦେଖେ ତେବେ ଏଇ ନିୟମ ଶିଖିବାକୁ ତାକୁ ଅନେକ ସମୟ ଲାଗିବ । ହୁଏତ ସେ ଏପରି ବିଭ୍ରାନ୍ତ ହେବ ଯେ, କାର୍ଯ୍ୟ–କାରଣ ସମ୍ପର୍କ ଶିଖିବା ପରିବର୍ତ୍ତେ ବିଭିନ୍ନ ବିଷୟ ମଧ୍ୟରେ କାର୍ଯ୍ୟ-କାରଣ ସମ୍ପର୍କ ନାହିଁ ବୋଲି ଶିଖିବ ।

 

ପିଲା ବଡ଼ ହେଲେ ଯେତେବେଳେ ତା’ଠାରେ ତୁଳନାତ୍ମକ-ଭାବରେ ବିଚାର କରିବାର କ୍ଷମତାର ଉଦୟ ହୁଏ ସେତେବେଳେ ଯାଇ ସେ ନିୟମର ବ୍ୟତିକ୍ରମ ବୁଝିପାରେ । ସେତେବେଳେ ସେ କେଉଁଠି କେଉଁ ନିୟମ ଲାଗୁ ହେବ ଓ କେଉଁ କ୍ଷେତ୍ରରେ ଏସବୁ ନିୟମ ଲାଗୁ ହେବ ନାହିଁ ସେ କଥା ଚିନ୍ତା କରି ସ୍ଥିର କରିପାରେ । ଯଥା-ନିଜ ଭାଇ କି ଭଉଣୀ ରେଡ଼ିଓରେ ଲାଗିଲେ ସେ ତାଙ୍କୁ ଗାଳିଦିଏ, ମାତ୍ର କୁଣିଆ ପିଲା ଏପରି କରିବାର ଦେଖିଲେ ସେ ତାକୁ କିଛି କୁହେନାହିଁ ।

 

ତୁଳନାତ୍ମକ ବିଚାର ଶକ୍ତି ପରି ଆଉ ଏକ ପ୍ରକାର ବିଚାର ଶକ୍ତି ହେଲା ଅନୁମାନ କରି ବିଚାର କରିବା । ଏଇ କ୍ଷମତା ସାନ ପିଲାଙ୍କର ନ ଥାଏ । ଯଥା–“ମେରୁ ପ୍ରଦେଶରେ ଥ‌ିବା ଭାଲୁର ରଙ୍ଗ ଧଳା । ସାଇବେରିଆ ହେଲା ମେରୁ ପ୍ରଦେଶର ଗୋଟାଏ ଅଞ୍ଚଳ । ସେଠି ଭାଲୁର ରଙ୍ଗ କଅଣ ?” ଏ ପ୍ରଶ୍ନର ଉତ୍ତରରେ ସାନ ପିଲା କହିବେ–“ମୁଁ ସେଠିକା ଭାଲୁ ଦେଖିନି, ତା’ର ରଙ୍ଗ କ’ଣ ମୁଁ ଜାଣେନି ।” ଯେଉଁ ବିଷୟରେ ସେମାନଙ୍କର ଅଭିଜ୍ଞତା ନାହିଁ, ସେ ବିଷୟରେ ଅନୁମାନ କରି କଣ ହେବା ସମ୍ଭବ ସେକଥା ସେମାନେ ଚିନ୍ତାକରି ପାରନ୍ତି ନାହିଁ । ମାତ୍ର ଯେଉଁ ପିଲାର ଅନୁମାନ ସାହାଯ୍ୟରେ ଚିନ୍ତା କରିବାର କ୍ଷମତା ହେଇଛି ସେ କହିବ–“ସେଠି ଭାଲୁର ରଙ୍ଗ ଧଳା ।” ଏହିପରି-“ମଣିଷ ମାତ୍ରେ ବୁଢ଼ା ହୁଅନ୍ତି । ତୋର ବାପା କ’ଣ ବୁଢ଼ା ହେବେ ?” ଏଇ ପ୍ରଶ୍ନର ଉତ୍ତରରେ ସାନପିଲା କହିବ–“ନା, ବାପା ବୁଢ଼ା ହେବେ ନାହିଁ ।” ଅପେକ୍ଷାକୃତ ବେଶୀ ବୟସର ପିଲା ଏଇ ପ୍ରଶ୍ନର ଉତ୍ତରରେ ହଁ ଭରିବେ । ଏଇ ପ୍ରକାର ଚିନ୍ତାପ୍ରସୂତ ଜ୍ଞାନ, ଅଭିଜ୍ଞତାଲବଧ ଜ୍ଞାନ ଠାରୁ ସ୍ୱତନ୍ତ୍ର । Piaget ଓ ଅନ୍ୟ ମନୋବିଜ୍ଞାନୀମାନେ ଏଭଳି ଚିନ୍ତାପ୍ରସୂତ ଜ୍ଞାନକୁ Hypothifico-deductive Reasoning ବୋଲି କୁହନ୍ତି । ଏହି କ୍ଷମତା ବାଲ୍ୟାବସ୍ଥାରେ ଅସ୍ଫୁଟ ଭାବରେ ଥାଏ ଓ କ୍ରମେ ସରଳରୁ ଜଟିଳ ସ୍ତରକୁ ଯାଏ । ବାରବର୍ଷରୁ-ପନ୍ଦରବର୍ଷ ମଧ୍ୟରେ ଏହାର ପୂର୍ଣ୍ଣ ବିକାଶ ହେଉଥିବାରୁ ଏହି ସମୟରେ ବିଜ୍ଞାନ ଓ ଗଣିତର ଜଟିଳ ତଥ୍ୟ ଯଥାର୍ଥ ଭାବରେ ଶିଖିବା ସମ୍ଭବ ହୁଏ । ଏହି ବୟସର ପିଲାଙ୍କୁ ବିଜ୍ଞାନ ବିଷୟକ ନୂତନ ତଥ୍ୟ ଅନୁମାନ କରି ପରୀକ୍ଷା ଦ୍ଵାରା ପ୍ରତିପାଦନ କରିବାକୁ କହିଲେ ସେମାନେ ନିଜେ ଚିନ୍ତା କରି ସେପରି କରି ପାରନ୍ତି । ଅନ୍ୟର ଅନୁମାନରେ କ’ଣ ତ୍ରୁଟି ରହିଛି, ସେକଥା (ବହିରେ ନ ପଢ଼ିଲେ ମଧ୍ୟ) ଯୁକ୍ତି ସାହାଯ୍ୟରେ ବୁଝାଇ ପାରନ୍ତି । ଏଇ କ୍ଷମତାର ବିକାଶ ପାଠୁଆ-ଅପାଠୁଆ ସମସ୍ତଙ୍କଠାରେ ହେବା ଦରକାର । ନଚେତ୍ ଭବିଷ୍ୟତ ଚିନ୍ତାକରି କାର୍ଯ୍ୟ କରିବାର କ୍ଷମତା ମଣିଷର ରହିବ ନାହିଁ, ପୃଥିବୀରେ ଯେଉଁସବୁ ପରିବର୍ତ୍ତନ ଘଟୁଛି ତା’ର ସୁଦୂର-ପ୍ରସାରୀ ପ୍ରଭାବ କ’ଣ ହେବ, ସେକଥା ଭାବି ସେହି ଅନୁସାରେ ନିଜର ଜୀବନଧାରାର ପରିବର୍ତ୍ତନ ନ କଲେ ଭବିଷ୍ୟତରେ ଆମେ ସମସ୍ତେ ଅସୁବିଧାରେ ପଡ଼ିବୁ ।

 

ଏହାଛଡ଼ା ଦୈନନ୍ଦିନ ଜୀବନରେ ମଧ୍ୟ ଦେଖାଯାଏ ଯେ ଡାକ୍ତର ଯେତେବେଳେ ରୋଗ ଲକ୍ଷଣ ଶୁଣି ରୋଗ ନିର୍ଣ୍ଣୟ କରନ୍ତି ସେ ଏହିପରି ଅନୁମାନ କରି ରୋଗ ନିର୍ଣ୍ଣୟ କରିଥାନ୍ତି । ଯେଉଁ ରୋଗ ହେଉଛି ବୋଲି ଅନୁମାନ କରି ରକ୍ତ ପରୀକ୍ଷା, ମଳମୂତ୍ର ପରୀକ୍ଷା ବା ଅନ୍ୟାନ୍ୟ ପରୀକ୍ଷା କରିବାକୁ କୁହନ୍ତି, ସେ ରୋଗ ପ୍ରକୃତରେ ହେଇଛି କି ନାହିଁ ସେକଥା ସେ ମୂଳରୁ ଜାଣି ନ ଥାନ୍ତି । ଯଦି ଏସବୁ ପରୀକ୍ଷାର ଫଳ ତାଙ୍କ ଅନୁମାନକୁ ସମର୍ଥନ କରେ, ତେବେ ସେ ରୋଗ ନିର୍ଣ୍ଣୟ ଵିଷୟରେ ନିଶ୍ଚିତ ହୁଅନ୍ତି । ନଚେତ୍ ଆଉ କ’ଣ ରୋଗ ହେବା ସମ୍ଭବ, ସେ କଥା ଚିନ୍ତା କରନ୍ତି । ଏପରି ଦେଖାଯାଉଛି ଯେ ଦୁଇଜଣ ଡାକ୍ତରଙ୍କୁ ସମାନ ତଥ୍ୟ ଜଣାଅଛି ମାତ୍ର ଜଣେ ଭଲ ଭାବରେ ଚିନ୍ତା କରି ପାରୁଥିବାରୁ ଅଧିକାଂଶ ସମୟରେ ନିର୍ଭୁଲ ଭାବରେ ରୋଗ ନିର୍ଣ୍ଣୟ କରୁଛନ୍ତି ଓ ଅନ୍ୟ ଜଣଙ୍କର ରୋଗ ନିର୍ଣ୍ଣୟରେ ଭୁଲ୍ ରହୁଛି ।

 

ବ୍ୟକ୍ତିତ୍ୱର ପରିବର୍ତ୍ତନ :

 

ବାଲ୍ୟ ଓ କୈଶୋରରେ ମଣିଷର ବ୍ୟକ୍ତିତ୍ଵରେ ଯେଉଁସବୁ ପରିବର୍ତ୍ତନ ଦେଖାଯାଏ, ସେ ବିଷୟରେ ପାଶ୍ଚାତ୍ୟ ମନୋବିଜ୍ଞାନୀମାନେ ବିଭିନ୍ନ ମତବାଦ ବାଢ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଏରିକ୍ ଏରିକସନ୍ ଓ ଆବ୍ରାହାମ ମାସଲୋ କିଶୋର ବୟସରେ ବ୍ୟକ୍ତିତ୍ୱ ବିକାଶ ଉପରେ ବିଶେଷ ଭାବରେ ଗବେଷଣା କରିଛନ୍ତି । ଭାରତବର୍ଷରେ ବର୍ତ୍ତମାନ ସୁଧୀର କାକର ମଧ୍ୟ ଏ ବିଷୟରେ ବହୁ ତଥ୍ୟପୂର୍ଣ୍ଣ ପ୍ରବନ୍ଧମାନ ଲେଖିଛନ୍ତି । ଏ ସମସ୍ତଙ୍କର ମତବାଦ ମଧ୍ୟରୁ ଏରିକସନଙ୍କ ମତବାଦ ସର୍ବାଧିକ ପ୍ରଭାବଶାଳୀ ହେଇଥିବାରୁ ପ୍ରଥମେ ତାଙ୍କର ବକ୍ତବ୍ୟ ଆଲୋଚନା କରିବା ।

 

ଏରିକସନ୍ ମାନସିକ ରୋଗଗ୍ରସ୍ତ ଲୋକଙ୍କ ବ୍ୟକ୍ତିତ୍ୱ ବିଷୟରେ ଗବେଷଣା କରି କିପରି କିଶୋର ବୟସରେ ବ୍ୟକ୍ତିତ୍ଵର ଵିକାଶ ହୋଇଥାଏ ସେ କଥା ନିର୍ଣ୍ଣୟ କରିଥିଲେ । ପରେ ସୁସ୍ଥ ଓ ସଫଳକାମ ଲୋକଙ୍କର ଜୀବନୀ ଓ କାର୍ଯ୍ୟାବଳୀ ବିଶ୍ଳେଷଣ କରି ନିଜର ମତବାଦ ଗଢ଼ିଛନ୍ତି । ଏହି ଗବେଷଣା କାର୍ଯ୍ୟର ଏକ ଅଙ୍ଗ ଥିଲା ମହାତ୍ମାଗାନ୍ଧୀଙ୍କର ଜୀବନୀର ପର୍ଯ୍ୟାଲୋଚନା ।

 

ତେଣୁ ଭାରତୀୟଙ୍କ ବିଷୟରେ ତାଙ୍କର ମତବାଦ ହୁଏତ ପ୍ରଜୁଯ୍ୟ ହୋଇପାରେ । ଏରିକସନଙ୍କ ମତବାଦକୁ ସାର୍ବଜନୀନ ସତ୍ୟ ବୋଲି ଭାବିବା ଠିକ୍ ହେବ ନାହିଁ । ମାତ୍ର ଏହି ମତବାଦ ଅନୁସାରେ କିଶୋର ଚରିତ୍ରର କେତେକ ବିଷୟ ବୁଝିବା ସହଜ ହେବ ବୋଲି, ଏଠି ଏ ବିଷୟର ଅବତାରଣା କରାଗଲା ।

 

ଏରିକ୍‍ସନ୍‍ଙ୍କ ମତବାଦ :

 

ଏରିକ୍‍ସନ୍ ମୂଳତଃ ମନୋବିଶ୍ଳେଷଣ ମତବାଦର ବିଶ୍ୱାସୀ । ସେ ୧୯୦୨ ମସିହାରେ ଜର୍ମାନୀର ଫ୍ରାଂକଫୁର୍ଟ ପାଖରେ ଜନ୍ମ ହେଇଥିଲେ । ସ୍କୁଲ ପରୀକ୍ଷା ପରେ କଣ କରିବେ ସ୍ଥିରକରି ନପାରି ବର୍ଷେ ପର୍ଯ୍ୟନ୍ତ ଇଉରୋପରେ ବିଭିନ୍ନ ଜାଗା ବୁଲିଲେ ଓ ସ୍ଥିର କଲେ ଯେ ସେ ଚିତ୍ରଶିଳ୍ପୀ ହେବେ । ଆର୍ଟ ସ୍କୁଲରୁ ପାଶ୍ କଲାପରେ ସେ ଭିଏନାର ଗୋଟିଏ ସ୍କୁଲରେ ଶିକ୍ଷକତା କାର୍ଯ୍ୟ ଗ୍ରହଣ କଲେ । ଏଇ ସ୍କୁଲ ଯେଉଁମାନେ ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ଆନା ଫ୍ରଏଡ଼ । ବିଖ୍ୟାତ ମନୋବିଶ୍ଳେଷକ ସିଗ୍‍ମୁଣ୍ଡ ଫ୍ରଏଡ଼ଙ୍କର ଝିଅ । ଫ୍ରଏଡ଼ଙ୍କଠାରୁ ଉତ୍ସାହ ପାଇ ସେ ଭିଏନାର ସାଇକୋଆନାଲିଟିକ୍ ସୋସାଇଟି ସ୍କୁଲରୁ ପାଶ୍ କରି ୧୯୩୩ ମସିହାରେ ଆମେରିକା ଆସିଲେ । ସେଠାରେ ସେ ବାର୍କଲେ, ଇୟେଲ ଓ ହାର୍ଭାର୍ଡ଼ ବିଶ୍ଵବିଦ୍ୟାଳୟରେ ମନୋଵିଜ୍ଞାନ ପଢ଼ାଇ ଶେଷରେ ୧୯୭୦ ମସିହାରେ ଅବସର ନେଇଛନ୍ତି ।

 

ଏରିକସନଙ୍କର ନିଜର କିଶୋର ବୟସର ଅଭିଜ୍ଞତା କେତେକାଂଶରେ ତାଙ୍କର ମତବାଦକୁ ପ୍ରଭାବିତ କରିଛି । ବିଶେଷକରି ଆମେରିକାର ସାମାଜିକ ଜୀବନ ଭିଏନାର ରକ୍ଷଣଶୀଳ ସମାଜର ଜୀବନଯାତ୍ରାଠାରୁ ଅଲଗା ହୋଇଥିବାରୁ ଏଇ ଅଭିଜ୍ଞତାର ପ୍ରଭାବରେ ତାଙ୍କର ମତବାଦର ବିକାଶ ପ୍ରଭାବିତ ହୋଇଥିଲା । ବ୍ୟକ୍ତିତ୍ୱର ବିକାଶକୁ ସାମାଜିକ ପ୍ରଭାବ ବିଶେଷ ଭାବରେ ପ୍ରଭାବିତ କରେ ବୋଲି ସେ ଭାବୁଥିଲେ, ଏହି ଦୃଷ୍ଟିରୁ ଫ୍ରଏଡ଼ଙ୍କ ମତବାଦରୁ ତାଙ୍କ ମତବାଦ ସ୍ୱତନ୍ତ୍ର ।

 

ଫ୍ରଏଡ଼ ଭାବୁଥିଲେ ମଣିଷର ବ୍ୟକ୍ତିସତ୍ତା ଏକଦିଗରେ କାମନାର ତାଡ଼ନାରେ ତାଡ଼ିତ ଓ ଅନ୍ୟ ଦିଗରେ ବିବେକର ଦଂଶନରେ ଜର୍ଜରିତ ହୋଇ ମାନସିକ ଦ୍ୱନ୍ଦ୍ୱରେ ପଡ଼ି ଦୋଳାୟମାନ ଅବସ୍ଥାରେ ସଂସାରରେ ରହିଛି । ଏହି ଦୁଇ ପ୍ରକାର ସ୍ରୋତର ଆକର୍ଷଣରେ ଟାଣିହୋଇ ସେ କୁଆଡ଼େ ଯିବ, କଣ କରିବ ସେକଥା ଜାଣି ପାରୁନାହିଁ । ସେ ବ୍ୟକ୍ତିସତ୍ତାର ଏଇ ଅସହାୟ ରୂପକୁ ମାନବର ମୌଳିକ ବ୍ୟକ୍ତିତ୍ୱ ବୋଲି ଭାବୁଥିଲେ । ଏରିକସନ୍ ଏଥିରେ ଏକମତ ନୁହନ୍ତି । ସେ ଭାବନ୍ତି ଯେ, ଫ୍ରଏଡ଼୍ ଅସୁସ୍ଥ ବ୍ୟକ୍ତିତ୍ୱର ସଂସ୍ପର୍ଶରେ ଆସିଥିବା ହେତୁ ବ୍ୟକ୍ତିତ୍ୱର ଏପରି ଅସୁସ୍ଥ ରୂପ ବର୍ଣ୍ଣନା କରିଛନ୍ତି । ସୁସ୍ଥ ବ୍ୟକ୍ତିତ୍ଵର ଲକ୍ଷଣ ହେଉଛି, ସେ ମନ ଓ ମନର ବିଭିନ୍ନ କ୍ରିୟା ପ୍ରକ୍ରିୟାକୁ ବାସ୍ତବ ଜଗତର ନିୟମ ଅନୁସାରେ ନିୟନ୍ତ୍ରଣ କରିଥାଏ । ମାନସିକ ଦ୍ୱନ୍ଦ୍ୱର ସଂଘାତରେ ଦୋଦୁଲ୍ୟମାନ ହେଇ ସେ ରହେନାହିଁ ବରଂ ମନ ଉପରେ ନିଜର କର୍ତ୍ତୃତ୍ୱ ସ୍ଥାପନ କରେ । ବାସ୍ତବଦର୍ଶୀ ହେଇଥିବା ହେତୁ ମଣିଷର ବ୍ୟକ୍ତିସତ୍ତା କାମନା ଓ ବିବେକର ଦାବୀକୁ ସମଭାବରେ ପୂରଣ କରେ । ବ୍ୟକ୍ତିସତ୍ତାର ପ୍ରଧାନ ଉଦ୍ଦେଶ୍ୟ ହେଲା ଆତ୍ମରକ୍ଷା । ଏହି ପ୍ରସଙ୍ଗରେ ମହାଭାରତର ଶାନ୍ତି ପର୍ବରେ ଭୀଷ୍ମ ଆପତ୍ କାଳରେ କେମିତି ଜୀବନଯାତ୍ରା ନିର୍ବାହ କରିବ ସେକଥା ଯୁଧିଷ୍ଠିରଙ୍କୁ ବୁଝାଇବା ଲାଗି ବିଶ୍ୱାମିତ୍ର ଓ ଚଣ୍ଡାଳ ଉପାଖ୍ୟାନ କହିଥିଲେ । ଦୁର୍ଭିକ୍ଷାର୍ତ୍ତ ବିଶ୍ୱାମିତ୍ର ଋଷି ହୋଇ ଚଣ୍ତାଳଠାରୁ କୁକୁର ମାଂସ ଚୋରୀକରି ଦେବ ଓ ପିତୃଗଣଙ୍କୁ ଯଜ୍ଞଦ୍ୱାରା ତୃପ୍ତିକରି ମାଂସ ଖାଇ ଜୀବନ ରକ୍ଷା କଲେ । ତାଙ୍କର ଯଜ୍ଞ ଅବିଧି ଅନୁସାରେ ହେଲେ ମଧ୍ୟ ଇନ୍ଦ୍ର ବାରିବର୍ଷି ପୃଥିବୀକୁ ସଞ୍ଜୀବିତ କଲେ । ଗଳ୍ପ ଶେଷରେ ଭୀଷ୍ମ କହିଲେ, ବିପଦରେ ପଡ଼ିଲେ ଯେ କୌଣସି ଉପାୟରେ ଆତ୍ମରକ୍ଷା କରିବ, କାରଣ ବଞ୍ଚି ରହିଲେ ବହୁ ପୁଣ୍ୟ ଓ ଶୁଭ ଲାଭ କରିପାରିବ । ବିବେକର ବଶ ହେଇ ମୃତ୍ୟୁବରଣ କଲେ କଣ ସଦ୍‍ଗତି ହେବ କି ?

 

ଏରିକ୍‍ସନ୍ ଭାବନ୍ତି ଯେ ଯେଉଁଠି ମାନବର ଏହି ବିଚାରଶୀଳ ବାସ୍ତବଜ୍ଞାନୀ ସତ୍ତା ଦୁର୍ବଳ ହେଇ ମନ ଉପରେ ନିଜର ସାମଗ୍ରିକ କର୍ତ୍ତୃତ୍ୱ ରକ୍ଷା କରିପାରେ ନାହିଁ ସେଠି ମାନସିକ ସମସ୍ୟା ଦେଖାଦିଏ ।

ବିଶ୍ୱାସ ଓ ଅବିଶ୍ୱାସ

ସୁସ୍ଥ ବ୍ୟକ୍ତିତ୍ଵର ପ୍ରଧାନ ଲକ୍ଷଣ ହେଉଛି, ଏଭଳି ଲୋକର ନିଜଠାରେ ବିଶ୍ୱାସ ଥାଏ । ଅନ୍ୟଲୋକ ଏବଂ ସଂସାର ଉପରେ ମଧ୍ୟ ତାର ବିଶ୍ୱାସ ଥାଏ । ତେଣୁ ବିପଦ ଆପଦରେ ପଡ଼ିଲେ ନିଜ ବୁଦ୍ଧି ଓ ସାହସ ବଳରେ ତଥା ଅନ୍ୟମାନଙ୍କର ସାହାଯ୍ୟ ପାଇ ସେ ଏଭଳି ଅବସ୍ଥାରୁ ଉତୁରିଯିବ ବୋଲି ଆଶାକରେ । ଅଥଚ ସେ ଯେତେବେଳେ ଜନ୍ମ ହେଇଥାଏ ସେତେବେଳେ ଅଜ୍ଞାତ ପୃଥିବୀର ବିପୁଳ ରହସ୍ୟ ସହିତ ଅପରିଚିତ ଥିବାରୁ ତା ମନରେ ଭୟ, ଆତଙ୍କ ଓ ଅବିଶ୍ଵାସ ଜନ୍ମେ । ମା ପିଲା ମୁହଁରୁ ସ୍ତନ କାଢ଼ିନେଲେ କିଏ ଛଡ଼େଇ ନେଲା ନ ଜାଣିପାରି ପିଲା କାନ୍ଦେ ଓ ପରମୁହୂର୍ତ୍ତରେ ଅନ୍ୟ ସ୍ତନରେ ଆଶ୍ରୟ ପାଇ ଆଶ୍ଵସ୍ତ ବୋଧକରେ । ମାର ସ୍ନେହ, ସେବା, ଯତ୍ନ ଅନୁସାରେ ସେ ପୃଥିବୀକୁ ଦେଖେ । ଏଇ ଅବସ୍ଥାର ବର୍ଣ୍ଣନା କରି ରବୀନ୍ଦ୍ର ନାଥ “ଜନ୍ମ” କବିତାରେ ଲେଖିଛନ୍ତି–

ରୂପହୀନ ଜ୍ଞାନାତୀତ ଭୀଷଣ ଶକତି

ଧରେଛେ ଆମର କାଛେ ଜନନୀ ମୂରତି ।

ଯଦି ସେ ଏଇ ବୟସରେ ସ୍ନେହ ଯତ୍ନ ନ ପାଏ ତେବେ ମନରେ ଵିଶ୍ଵାସ ଅପେକ୍ଷା ଅବିଶ୍ଵାସର ଭାବ ବଢ଼ିବ । ପିଲାର ହାତଗୋଡ଼ ଚଳେନାହିଁ ବୋଲି ସେ ମୁହଁରେ ସବୁ ଜିନିସ ପୂରାଇ ବୁଝିବାକୁ ଚେଷ୍ଟା କରେ । ଏହି ମୌଳିକ ଵିଶ୍ଵାସ ନ ଜନ୍ମିଲେ ସେ ମୁହଁରେ କୌଣସି ଜିନିସ ପୂରାଇବ ନାହିଁ । ଫଳରେ ତାର ମସ୍ତିଷ୍କ ଏଭଳି ଅଭିଜ୍ଞତାରୁ ବଞ୍ଚିତ ହୋଇ ପରିପୃଷ୍ଟ ଲାଭ କରିବ ନାହିଁ । ସେଥିଲାଗି ପିଲା ଦେହର ସ୍ପର୍ଶ, ମୁହଁର ଆସ୍ୱାଦନ ଓ ପ୍ରିୟ ଲୋକଙ୍କୁ ଦେଖି ଆନନ୍ଦିତ ହେଲେ ତା ମନରେ ଆରାମ ଓ ନିଶ୍ଚିନ୍ତତାବୋଧ ବଢ଼ିବ ଓ ଏପରି କ୍ରିୟାଫଳରେ ମସ୍ତିଷ୍କ ପୁଷ୍ଟ ହେବ । ମାତ୍ର ପିଲା ମନରୁ ଯେ ଅବିଶ୍ୱାସ ପୂରାପୂରି ଚାଲିଯାଏ ତାହା ନୁହେଁ; ମାତ୍ର ବର୍ଷ ପୂରିଲାବେଳକୁ ତା ମନରେ ଅନ୍ୟଲୋକ ପ୍ରତି ଓ ସଂସାର ପ୍ରତି ଅବିଶ୍ୱାସ ଅପେକ୍ଷା ବେଶୀ ବିଶ୍ୱାସ ଜନ୍ମେ ।

ଆମ ଦେଶରେ ଝିଅ ଜନ୍ମହେଲେ ମା ମନରେ ଯେତେ ଦୁଃଖ ହେଲେ ମଧ୍ୟ ମାଆ ଝିଅକୁ ଅବହେଳା କରି ନଥାଏ । ପୁଅଠାରୁ ଊଣା ହେଲେ ମଧ୍ୟ ଝିଅ ସ୍ନେହ ଆଦର ଓ ଯତ୍ନ ପାଇ ବଢ଼େ । ସେଥିଲାଗି ପରବର୍ତ୍ତୀ ଜୀବନରେ ବୃହତ୍ତର ସମାଜ ଆଖିରେ ସେ ନ୍ୟୁନ ହେଲେ ମଧ୍ୟ ନିଜକୁ ଅପଦାର୍ଥ ବୋଲି ଭାବେ ନାହିଁ । ଭଗବାନଙ୍କ ତଳକୁ ମଣିଷ, ରଜା ତଳକୁ ପ୍ରଜାପରି ପୁଅ ତଳକୁ ଝିଅ–ଏ ଅବସ୍ଥା ସେ ସ୍ଵୀକାର କରିନିଏ । ମାତ୍ର ନିଜକୁ ଅକିଞ୍ଚନ ବୋଲି ଭାବେ ନାହିଁ । ଯେଉଁଠି ଝିଅ ଜନ୍ମରୁ ହତାଦର ପାଇ ବଢ଼େ, କେହି ତାକୁ ଆଦର ବା ପ୍ରଶଂସା କରନ୍ତି ନାହିଁ, ସେପରି ସ୍ଥଳରେ ତା ମନରେ ନିଉଣିଆ ଭାବ ଦେଖାଦିଏ ଓ ସମସ୍ତଙ୍କ ପ୍ରତି ଅବିଶ୍ଵାସ ଓ ଆକ୍ରୋଶ ବଢ଼େ ।

ସ୍ୱତନ୍ତ୍ରତା, ଅପମାନ ଓ ସଂଶୟ :

ପିଲା ନିଜ ଚେଷ୍ଟାରେ ହାତରେ ଜିନିସପତ୍ର ଭିଡ଼ିପାରିଲେ, ଗୁରୁଣ୍ଡିଲେ, ବସିଲେ ବା ଠିଆ ହେବାକୁ ଚେଷ୍ଟାକଲେ କ୍ରମଶଃ ବୁଝିପାରେ ଯେ ସେ ଇଚ୍ଛାକଲେ ବିଭିନ୍ନ କଥା କରିପାରୁଛି । ଏହିପରି ବିଭିନ୍ନ କଥା କରିପାରିଲେ ସେ ନିଜକୁ ମାଆଠାରୁ ସ୍ଵତନ୍ତ୍ର ବୋଲି ଭାବିବାକୁ ଆରମ୍ଭ କରେ । ନିଜକୁ ପ୍ରଥମ ଥର ପାଇଁ ସକ୍ରିୟ ଓ ସଚେଷ୍ଟ ବୋଲି ଅନୁଭବ କରେ । ମାତ୍ର ଅଧିକାଂଶ କଥା କରିପାରୁ ନଥିବାରୁ ତାର ମନରେ ନିଜ ପ୍ରତି ସଂଶୟ ଥାଏ । ତା’ଛଡ଼ା ବାସ୍ତବଜ୍ଞାନ ଅଭାବରୁ ଯାହା ପାଏ ମୁହଁରେ ପୂରାଏ । କାଗଜପତ୍ର ବହି ସବୁ ଭିଡ଼ି ଓଟାରି ନଷ୍ଟ କରେ । ଫଳରେ ମାଡ଼ଖାଏ । ଅନେକ ସମୟରେ ପାଟିରେ ତେଲଗୁଣୀ ପୋକ କିମ୍ବା ଲଙ୍କାମରିଚ ପୂରେଇ ନିଜେ ହଇରାଣରେ ପଡ଼େ । ଫଳରେ ନିଜର ସ୍ୱାତନ୍ତ୍ର୍ୟ ତ୍ୟାଗକରି ସେ ପୂର୍ବପରି ମା’ର ପାଖଲଗା ହୋଇ କୋଳରେ ନିଶ୍ଚିନ୍ତ ହୋଇ ଆରାମରେ ବସି ରହିବାକୁ ଚାହେଁ । ଏପରି ଅବସ୍ଥାରେ ତାକୁ ଆରାମ ମିଳେ ସତ ମାତ୍ର ନିଜର ଅପାରଗତା ଯୋଗୁଁ ନିର୍ଭରଶୀଳତା ଯୋଗୁ ସେ ଅପମାନିତ ବୋଧକରେ-। ତେଣୁ କାଳକ୍ରମେ ପରନିର୍ଭରତା ଛାଡ଼ି ସେ ଯେତେବେଳେ ଆତ୍ମନିର୍ଭର ହୁଏ, ସେତେବେଳେ ଏଇ ଦ୍ୱନ୍ଦ୍ୱର ସମାଧାନ ହୋଇଥାଏ ।

 

ପାଶ୍ଚାତ୍ୟ ଦେଶରେ ପିଲାର ଆତ୍ମନିର୍ଭରଶୀଳ ବୟସ ହେବା ପୂର୍ବରୁ ତାକୁ ବିଭିନ୍ନ କଥା ଶିଖାଇ ବାପାମାଆ ଆତ୍ମନିର୍ଭରଶୀଳ କରିବାକୁ ଚାହାଁନ୍ତି । ଫଳରେ ସେମାନେ ସ୍ଵତନ୍ତ୍ର ଓ ଆତ୍ମନିର୍ଭରଶୀଳ ହେଇ ବଢ଼ନ୍ତି; ମାତ୍ର ମାଆ ବା ପରିବାର ପ୍ରତି ବିଶେଷ ଆସକ୍ତି ବୋଧକରନ୍ତି ନାହିଁ । ଆମ ଦେଶରେ ଏହାର ବିପରୀତ ଭାବ ଦେଖାଯାଏ । ପିଲାକୁ ଆମେ ଏତେ ବେଶୀ ସ୍ନେହ ଯତ୍ନ କରୁ ଯେ, ପିଲା ମାଆ କୋଳ ଛାଡ଼ି ଚଲାବୁଲା କରିବାକୁ ମଧ୍ୟ ଚାହେଁନା । ଚାରି ପାଞ୍ଚ ବର୍ଷ ବୟସ ଯାକେ, ତାର ଦାନ୍ତ ମା ଘସାଇ ଦିଏ, ମା ଗାଧୋଇଦିଏ, ମୁଣ୍ଡ କୁଣ୍ତେଇ ଦିଏ, ମା ଖୁଆଇ ଦିଏ, କୋଳରେ ପୂରେଇ ଶୁଆଏ । ତେଣୁ ଆମ ଦେଶରେ ଲୋକଙ୍କଠାରେ ସ୍ୱାତନ୍ତ୍ର୍ୟବୋଧ ଓ ଆତ୍ମନିର୍ଭରଶୀଳତା କମ୍ ପରିମାଣରେ ଦେଖାଯାଏ । ବଡ଼ ହେଇ ବିପଦରେ ରହିଲେ ମଧ୍ୟ ଆମ ଲୋକ ସବୁବେଳେ ଜଣେ ମୁରବୀ ଖୋଜନ୍ତି, ଯାହା ଉପରେ ଆଉଜି ସେ ସଂସାରରେ ଚଳିବେ । ଆମ ଦେଶର ଅଧିକାଂଶ ଗଳ୍ପ ଉପନ୍ୟାସରେ ଦେହ ଖରାପ ହେଲେ, ବା ବିଦେଶରେ ରହିଲେ କିମ୍ୱା ଅସୁବିଧା ହେଲେ–ମାଆ କଥା ସବୁବେଳେ ମନେପଡ଼େ । ଏଇ ଆସକ୍ତି ଫଳରେ ଆମ ପରିବାର ପ୍ରଥା ଏଯାକେ ଦୃଢ଼ ହେଇ ରହିଛି । ମାତ୍ର ପ୍ରାପ୍ତବୟସ୍କ ମଣିଷର ଶିଶୁ–ଭାବ ଯାଉନାହିଁ ।

 

ଉଦ୍ୟୋଗ ଓ ଅପରାଧବୋଧ :

 

ସାଧାରଣତଃ ଛଅବର୍ଷ ବୟସରେ ପ୍ରାୟ ସବୁଦେଶରେ ପିଲା ବିଦ୍ୟାରମ୍ଭ କରନ୍ତି । ଯେ ପାଠ ପଢ଼ି ଯାଏନି ସେ ବାପା, ବଡ଼ଭାଇ ବା ଅନ୍ୟ କୌଣସି ଲୋକ ପାଖରେ ଟହଲ ଟୁକୁରା କରି କାମ ଶିଖେ । କୁମ୍ଭାର, ତନ୍ତୀ, କମାର, ବଢ଼େଇ କାମ ଠାରୁ ଆରମ୍ଭ କରି ପୁରୋହିତଗିରି କରି ଠାକୁର ପୂଜା କରିବା ପର୍ଯ୍ୟନ୍ତ ସବୁ ବୃତ୍ତିମୂଳକ କାମ ଶିଖିବା ଲାଗି ଏଇ ବୟସରୁ ପିଲାଙ୍କୁ ତିଆରି କରାଯାଏ । ପିଲା ଟହଲିଆ ଭାବେ ସାହାଯ୍ୟ କରୁ କରୁ ଆସ୍ତେ ଆସ୍ତେ ବୃତ୍ତିଟିକୁ ଆୟତ୍ତ କରେ । ସ୍ତ୍ରୀଲୋକମାନେ ଘରେ ସାନ ଝିଅକୁ ଏଟା ସେଟା କାମ ବଢ଼େଇ ଘର କାମ ଶିଖାନ୍ତି । ଯେତେ ବଡ଼ ହେଉଥାଏ ଝିଅ ସେତେ ଘର ସଜା, ସିଲେଇ, ଆଚାର କରିବା, ବଡ଼ି ପାରିବା, ଘରଲୋକଙ୍କୁ ଜଳଖିଆ ପତ୍ର ଦେବା ଇତ୍ୟାଦି କାମ ଶିଖୁଥାଏ । ମାତ୍ର ଖେଳ ମଉଜ ଛାଡ଼ି, କାମ କରିବାକୁ ବା ଦାୟିତ୍ୱ ତୁଲେଇବାକୁ ପିଲାକୁ ଭଲ ଲାଗେ ନାହିଁ । ବଡ଼ମାନଙ୍କ ପରି କାମ କଲେ ସେମାନଙ୍କୁ ପଇସାପତ୍ର ସାଙ୍ଗେ ସାଙ୍ଗେ ମିଳେ ନାହିଁ । ଯାହା ମଧ୍ୟ ମିଳେ ସେ ହାତଟେକା ପାଇଲା ପରି । ଘର କାମ କଲେ ମାଆ ପଇସା ପାଏ ନାହିଁ ସତ; ମାତ୍ର ଘର ଚଳେଇବାର ଦାୟିତ୍ୱ ମାଆର । ଖେଳ ଗପ ସାଙ୍ଗ ସୁଖ ଛାଡ଼ି ଘର କାମ କରିବାକୁ ପିଲାକୁ ସୁଖ ଲାଗେ ନାହିଁ । ଅଥଚ ଏସବୁ କରିବା ତା’ର କର୍ତ୍ତବ୍ୟ ବୋଲି ସେ ଜାଣିଥାଏ । ଫଳରେ କର୍ତ୍ତବ୍ୟ ନ କଲାରୁ ନିଜର ଗଫଲତି ଯୋଗୁଁ ମନରେ ଅପରାଧବୋଧ ସୃଷ୍ଟି ହୁଏ ।

 

ଆମଦେଶରେ ପିଲାଙ୍କୁ ପାଞ୍ଚବର୍ଷଯାକେ ବହୁତ ଗେହ୍ଲା କରି ବଢ଼ାନ୍ତି । ଏହି ବୟସ ପର୍ଯ୍ୟନ୍ତ ପିଲା ନିଜ କାମ ନିଜେ କରୁ ବୋଲି ମଧ୍ୟ କେହି ତା’ଠାରୁ ଆଶା କରନ୍ତି ନାହିଁ । ଅଥଚ ସ୍କୁଲଯିବା ଆରମ୍ଭ ହେଲେ ହଠାତ୍ ତାକୁ ବଡ଼ମାନଙ୍କ ପରି ଚଳିବାକୁ ପଡ଼େ । ସ୍ଥିର ହେଇ ବସିବା, ଲୟ ରଖି କାମ କରିବା, ମନ ଦେଇ ଶୁଣିବା, ପଢ଼ି ଓ ଲେଖି ଶିଖିବା, ଏସବୁ କାମ ତାକୁ କଷ୍ଟ ଲାଗେ । ଯିଏ ସ୍କୁଲ ଯାଉ ନାହିଁ ତାର ସ୍ଵାଧୀନତା ଟିକେ ବେଶୀ । ତଥାପି କାମରେ ଭୁଲ୍ ହେଲେ ସେ ସବୁବେଳେ ଗାଳିଖାଏ, ନିନ୍ଦା ଶୁଣେ ଓ ବଡ଼ ଭୁଲ କଲେ ମାଡ଼ ଖାଏ । ଫଳରେ ନିଜ ସମ୍ୱନ୍ଧରେ ତା’ର ହୀନ ଧାରଣା ଜନ୍ମେ ।

 

ଉଦ୍ୟୋଗ ଓ ହୀନତାବୋଧ :

 

ପିଲା ସ୍କୁଲରେ ବା କାମ ଜାଗାରେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରି, ନିଜେ କେତେ ଭଲ ଭାବରେ ବିଭିନ୍ନ କଥା କରି ପାରୁଛି ସେ ବିଷୟଟି ତନଖି କରି ଦେଖେ । ଏହାଛଡ଼ା ଘରଲୋକ, ମାଷ୍ଟ୍ର ଓ ଅନ୍ୟାନ୍ୟ ସାହି ପଡ଼ିଶା ଲୋକ ତାକୁ କ’ଣ ଭାବନ୍ତି ସେ କଥା ମଧ୍ୟ କୁହାକୁହିରୁ ଶୁଣେ । ଏହି ଅଭିଜ୍ଞତାରୁ ତା’ର ନିଜ ସମ୍ୱନ୍ଧରେ “ଭଲ” ବା “ଖରାପ” ଧାରଣା ଜନ୍ମିଥାଏ । ଅତି ଭଲ ପିଲାର ମଧ୍ୟ କୌଣସି ନା କୌଣସି ଗୋଟାଏ ବିଷୟରେ ଅସମର୍ଥତା ଥାଏ-। ସେଥିଲାଗି ଏଇ ଅବସ୍ଥାରେ ଏଇ ଦୁଇ ବିରୋଧୀଭାବ ତା ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରେ ।

 

ସୁସ୍ଥ ବ୍ୟକ୍ତିତ୍ୱ ଥିବା ଲୋକ ନିଜର ସାମର୍ଥ୍ୟ ଓ ଦୁର୍ବଳତା ଏଇ ଉଭୟ ଦିଗ ଵିଚାର କରି ଦେଖେ ଓ ଯେଉଁଥିରେ ତା’ର ସାମର୍ଥ୍ୟ ବେଶୀ ସେହି ଦିଗରେ ସେ ଗତି କରେ । (ସେଥିଲାଗି ଦୁଇଭାଇ ସମାନ ବୁଦ୍ଧିମାନ ହେଲେ ମଧ୍ୟ ସାଧାରଣତଃ ଭିନ୍ନ ଭିନ୍ନ ବୃତ୍ତି ବାଛନ୍ତି । କାହିଁକି ନା ଘରଲୋକ ବା ବନ୍ଧୁବାନ୍ଧବ ସେମାନଙ୍କୁ ତୁଳନା କରି କିଏ କାହାଠାରୁ ଭଲ ଏକଥା ସଦା ସର୍ବଦା କହିବେ ନାହିଁ ।)

 

ଅସୁସ୍ଥ ବ୍ୟକ୍ତିତ୍ଵର ଲକ୍ଷଣ ହେଲା, ସେ ନିଜର ଦୁର୍ବଳତାଗୁଡ଼ିକ ଅତିରଞ୍ଜିତ କରି ଦେଖେ-। ଫଳରେ, ତା ମନରେ ପ୍ରବଳ ହୀନତାବୋଧ ଜନ୍ମେ । ଏଭଳି ହୀନତାବୋଧ ପୀଡ଼ାଦାୟକ ହେଲାରୁ ସେ ତାକୁ ସମାଧାନ କରିବାକୁ ଚାହେଁ । ଏପରି କ୍ଷେତ୍ରରେ କେତେକ ପିଲା ନିଜକୁ ଅପାରଗ ଭାବି, ‘ମୋ ଦେଇ କିଛି ହେବ ନାହିଁ’ କହି ଚେଷ୍ଟା ଛାଡ଼ି ଚୁପ୍‌ଚାପ୍ ହେଇ ବସିଯାନ୍ତି । ଏପରି ପିଲାକୁ ଅଙ୍କ ବୁଝେଇଲେ “ମୋର ଅଙ୍କ କେଭେ ହୁଏ ନାହିଁ” କହି ସେ ମାଷ୍ଟ୍ରଙ୍କ କଥା ଶୁଣେ ନାହିଁ । ଏପରି ପିଲାର ସବୁକଥାରେ ପଛଘୁଞ୍ଚା । ତାକୁ ଯଦି କିଏ କୁହେ ‘ଦୌଡ଼ିବା ଚାଲ’ ସେ କହିବ ‘ମୋର ଦମ୍ ରହିବ ନାହିଁ ।’ ‘ପିଜୁଳି ପାରିବା ଚାଲ’ ଉତ୍ତର–“ତୁ ତ ଅଗ ଡାଳରେ ଚଢ଼ି ସବୁତକ ପାଚିଲା ପିଜୁଳି ତୋଳିନବୁ, ତୋ ସାଙ୍ଗରେ କିଏ ଗଛ ଚଢ଼ି ପାରିବ ।” ନିଜକୁ ଅସମର୍ଥ ବୋଲି ସବୁବେଳେ ଭାବିଲେ ପିଲାର ଏପରି ପରାଙ୍‍ମୁଖ ମନୋଭାବ ଜନ୍ମେ । ଅତି ବୁଦ୍ଧିମାନ୍ ପିଲା ମଧ୍ୟ ଏପରି ମନୋଭାବର କବଳିତ ହେଲେ କ୍ରମଶଃ ଉଦ୍ୟୋଗହୀନ, ନିରୁତ୍ସାହୀ, ନିସ୍କ୍ରିୟ ଓ ଆଗ୍ରହହୀନ ହୋଇଯାଆନ୍ତି ଏବଂ କାଳକ୍ରମରେ ପ୍ରକୃତରେ ଅପଦାର୍ଥ ହୁଅନ୍ତି ।

 

ଯେଉଁମାନେ ନିଜର ହୀନତାବୋଧକୁ ଅସ୍ଵୀକାର କରି, ଏପରି ମନୋଭାବକୁ ଘୋଡ଼ାଇବା ଲାଗି ନିଜକୁ ପ୍ରତାପୀ ବୋଲି ପ୍ରମାଣ କରିବାକୁ ଚାହାନ୍ତି ସେମାନେ ହେଲେ ସବୁଠାରୁ ବିପଦଜନକ । ଅକାରଣରେ ଅନ୍ୟ ଲୋକଙ୍କ ଉପରେ ଅତ୍ୟାଚାର କରିବାକୁ ସେମାନେ ପଛାନ୍ତି ନାହିଁ । ଯେ କୌଣସି ଉପାୟରେ କ୍ଷମତା ହାସଲ କରିବା ସେମାନଙ୍କର ଜୀବନର ଏକମାତ୍ର ଲକ୍ଷ୍ୟ ହୋଇ ଉଠେ । ଏପରି ଲୋକ ପରଶ୍ରୀକାତରତା, ଈର୍ଷା ଓ ଦ୍ୱେଷରେ ସବୁବେଳେ ଜର୍ଜରିତ ହୁଅନ୍ତି-। ନିଜର ବାହାଦୂରୀ ଦେଖାଇ, ଅନ୍ୟକୁ ଅପମାନିତ କରି, ହେୟ ବୋଲି ପ୍ରତିପାଳନ କରି ଗୌରବ ଅନୁଭବ କରନ୍ତି । ପୃଥିବୀର ବହୁ ଏକଛତ୍ର ଅତ୍ୟାଚାରୀଶାସକଙ୍କର ଜୀବନୀ ଆଲୋଚନା କଲେ ସେମାନଙ୍କର ପ୍ରଥମ ଜୀବନରେ ଘଟିଥିବା ବିଭିନ୍ନ ଘଟଣାଗୁଡ଼ିକରେ ଏପରି ହୀନତାବୋଧର ଚିହ୍ନ ଦେଖିବାକୁ ମିଳେ । ତୈମୁରଲଙ୍ଗ, ଛୋଟା ବୋଲି ନିଜକୁ ହୀନ ଭାବୁଥିଲେ । ନେପୋଲିଅନ୍ ଗେଡ଼ା ଥିଲାରୁ ନିଜର ଖୁଣ ବିଷୟରେ ଅତ୍ୟନ୍ତ ସଚେତନ ଥିଲେ ଓ ଅନ୍ୟମାନେ ତାଙ୍କୁ ହେୟଜ୍ଞାନ କରନ୍ତି ବୋଲି ଭାବୁଥିଲେ । ଇରାନ୍‌ର ଭୂତପୂର୍ବ ଶାହା ପିଲାଦିନେ ଡରୁଆ ପତଳା ଓ ଲାଜକୁଳା ଥିଲେ ବୋଲି ତାଙ୍କ ବାପା ରେଜା ଶାହା ଅନ୍ୟମାନଙ୍କ ସାମ୍ନାରେ ତାଙ୍କୁ ବେଖାତିର କରୁଥିଲେ । (‘ବିପଥଗାମୀ କିଶୋରରେ’ ନିଜ ବିଷୟରେ ପିଲାର ଧାରଣା କିପରି ପିଲାର ବ୍ୟବହାରକୁ ପ୍ରଭାବିତ କରେ ସେକଥା ବିଶଦ୍‍ଭାବରେ ଆଲୋଚିତ ହେଇଛି ।)

 

ଏଇ ଦ୍ୱନ୍ଦ୍ୱର ସାର୍ଥକ ସମାଧାନ ଉପରେ ହିଁ ସୁସ୍ଥ ବ୍ୟକ୍ତିତ୍ଵର ବିକାଶ ବହୁ ପରିମାଣରେ ନିର୍ଭର କରେ । ପିଲା ଯେତେ ବଡ଼ ହୁଏ ସେ ନିଜର ସାମର୍ଥ୍ୟର ତ୍ରୁଟି ବିଚ୍ୟୁତି ଯୋଗୁଁ ମ୍ରିୟମାଣ ନ ହୋଇ ଯଥାସାଧ୍ୟ ସେଗୁଡ଼ିକର ସଂଶୋଧନ କରିବାକୁ ଚେଷ୍ଟା କରେ । ଏସବୁ ସାମାନ୍ୟ ଦୋଷ ଯୋଗୁଁ ଯଦି ନିଜର ଚଳିବାରେ ଅସୁବିଧା ହେଉ ନ ଥାଏ, ତା’ହେଲେ ସେଗୁଡ଼ିକୁ ସଂଶୋଧନ କରିବା ଦିଗରେ ଅଯଥା ପରିଶ୍ରମ ନ କରି, ନିଜର ଭଲ ଗୁଣଗୁଡ଼ିକର ବୃଦ୍ଧି ଦିଗରେ ଅଧିକ ସଚେଷ୍ଟ ହୋଇଉଠେ । ଏପରି ଅବସ୍ଥାରେ ସେ ନିଜ ଦୋଷଗୁଣ ଉଭୟକୁ ନିଜଠାରେ ସ୍ୱୀକାର କରିନିଏ । ସେ ବୁଝେ ସେ ନିଜକୁ ନିଖୁଣ ବୋଲି ଭାବିବାଟା ହେଲା ପିଲାଳିଆ ଧାରଣା । ମଣିଷ ବଳରେ ପଶୁଠାରୁ ହୀନ । ତେଣୁ ବୁଦ୍ଧିର ସାଧନା କରି ବଳର ଅଭାବ ପୂରଣ କରିବାକୁ ଚେଷ୍ଟା କରିଛି । ଯାହାର ଗୋଟାଏ ହାତ ମକଚି ଯାଇଛି, ସେ ଅନ୍ୟ ହାତରେ ସବୁ କାମ କରିବାକୁ ଚେଷ୍ଟା କରୁଛି । ଏହିପରି ମନୋଭାବ ଥିବାରୁ ମଣିଷ ଶତ ବାଧାଵିଘ୍ନ ସତ୍ତ୍ଵେ ସବୁବେଳେ ଉପରକୁ ଉଠିବାର ଚେଷ୍ଟା କରିଛି । ଧନ, ମାନ, ସମ୍ମାନ ଓ ଜାତିର ଊଣା ହେଲେ ମଧ୍ୟ ନିଜକୁ ଅପଦାର୍ଥ ବୋଲି ସେ ସବୁବେଳେ ଭାବେ ନାହିଁ । ଜୀବନରେ କେତେଗୁଡ଼ିଏ ବିଷୟରେ ଅନ୍ୟମାନଙ୍କ ତୁଳନାରେ ଆମେ ନିଶ୍ଚୟ ଊଣା ହେବା; ମାତ୍ର ଏଥିଲାଗି ମନରେ ହୀନତାବୋଧକୁ ପ୍ରଶ୍ରୟ ଦେବା ଠିକ୍ ହେବନାହିଁ । କାରଣ କୌଣସି ମଣିଷ ସବୁ ବିଷୟରେ ଅନ୍ୟଲୋକଠାରୁ ହୀନ ନୁହେଁ-ସେ କେତେକ ବିଷୟରେ କମ୍, କେତେକ ବିଷୟରେ ସମକକ୍ଷ ଓ କେତେକ ବିଷୟରେ ଉଚ୍ଚରେ ସ୍ଥାନ ପାଇବ । ନିଜକୁ ସାମଗ୍ରିକ ଭାବରେ ବିଚାର କରି ଯେଉଁଥିରେ ନିଜର ବଳ ବେଶୀ ସେହି ଦିଗରେ ଅଗ୍ରସର ହେଲେ ମଣିଷ ସୁଖୀ ହେବ ।

 

ନିଜର ପରିଚୟ :

 

ମୁଁ ଅପଦାର୍ଥ ନା ସାମର୍ଥ୍ୟବାନ ? ଦେଖିବାକୁ ସୁନ୍ଦର ନା ଅସୁନ୍ଦର ? ମୋତେ ସମସ୍ତେ ଭଲ ପାଆନ୍ତି ନା ନାପସନ୍ଦ କରନ୍ତି ? ଏପରି ପ୍ରଶ୍ନ ପିଲା ନିଜକୁ ନିଜେ ପଚାରେ ନାହିଁ ସତ, କିନ୍ତୁ ଅନ୍ୟମାନେ ତାକୁ କଣ ବୋଲି ଭାବନ୍ତି ସେ କଥା ସେ ଜାଣେ । ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ଅନ୍ୟମାନେ ତା ବିଷୟରେ ଯାହା କହୁଛନ୍ତି ସେ କଥା ସତ କି ମିଛ ସେ ବିଷୟ ସେ ତଉଲି କରି ଦେଖେ । (ପିଲାଙ୍କୁ ଖୁସୀ କରିବାପାଇଁ ପ୍ରଶଂସା କଲେ ସେମାନେ ଏପରି ପ୍ରଶଂସାରେ ଭୁଲି ସାଆନ୍ତି ନାହିଁ । ଏହା କେତେ ପରିମାଣରେ ଅବାସ୍ତବ ଓ କେତେ ବାସ୍ତବ ସେକଥା ଭାବି ଦେଖନ୍ତି । କଣା ପିଲାକୁ ପଦ୍ମଲୋଚନ କହିଲେ ସେ ନିଜର ଗୁଣ ଭୁଲିଯିବ ନାହିଁ । ସେପରି ସାଧାରଣ ଭାବରେ ନିନ୍ଦା ଶୁଣିଲେ ସେ ନିଜକୁ ହୀନ ଭାବିବ ନାହିଁ । ମାତ୍ର ବରାବର ଯଦି ସେ ନିନ୍ଦା ଶୁଣେ ତା’ହେଲେ ତାର ନିଜ ସମ୍ବନ୍ଧରେ ଖରାପ ଧାରଣା ଜନ୍ମିବ । ସେହିପରି ଧନୀ ଓ ମାନୀ ଘରର ପିଲା ଯେ ନିଜକୁ ସବୁବେଳେ ଶ୍ରେଷ୍ଠ ବୋଲି ଶୁଣୁଛି ସେ ନିଜକୁ ଉଚ୍ଚସ୍ତରର ଲୋକ ବୋଲି ଭାବିବ) ।

 

ନିଜ ବିଷୟରେ ‘ନିଜର ଧାରଣା’ ଓ ‘ଅନ୍ୟମାନଙ୍କର’ ଧାରଣା ଏଇ ଉଭୟ ଧାରଣାର ସମ୍ମିଶ୍ରଣରେ ମଣିଷଠାରେ ଆତ୍ମବୋଧ (Self) ଗଢ଼ିଉଠେ । ସେଥିଲାଗି ବହୁ ମନୋବିଜ୍ଞାନୀ ଆତ୍ମପରିଚୟର ବିକାଶ କେମିତି ହୁଏ ସେକଥା ଜାଣିବା ଲାଗି ଆତ୍ମ ଧାରଣାର (Self concept) ଉନ୍ମେଷ ସମ୍ବନ୍ଧରେ ଗବେଷଣା କରିଛନ୍ତି । ଆତ୍ମବିଶ୍ଵାସ, ଆତ୍ମମର୍ଯ୍ୟାଦା ଓ ଆତ୍ମସମ୍ମାନ ହେଲା ଆତ୍ମ ସମାଦରର (Self esteem) ମୂଳ କଥା । କୁପାରସ୍ମିଥ କିଶୋରମାନଙ୍କ ବ୍ୟବହାରରେ ଏଇ ଆତ୍ମସମାଦର ଗୁଣର ପ୍ରଭାବ କଣ ସେକଥା ଗବେଷଣା କରି ଦେଖିଛନ୍ତି ।

 

ନିଜ ସମ୍ବନ୍ଧରେ ଥିବା ଅନୁକୂଳ ମନୋଭାବକୁ ସେ ଆତ୍ମସମାଦର (Self esteem) ବୋଲି ନିରୂପଣ କରିଛନ୍ତି । ଏଇ ଅନୁକୂଳ ମନୋଭାବକୁ ସେ ଚାରୋଟି ଲକ୍ଷଣରେ ଭାଗ କରିଛନ୍ତି-। ୧-ସକ୍ଷମତା, ୨-ନିଜର ଗୁରୁତ୍ୱ, ୩-ସାଫଲ୍ୟ, ୪-ଯୋଗ୍ୟତା । ଯିଏ ନିଜକୁ ସୁଯୋଗ୍ୟ ବୋଲି ଭାବେ, ସେ ସହଜରେ ଲୋକଙ୍କ ସାଙ୍ଗରେ ମିଶିପାରେ, ଅନ୍ୟମାନେ ତା’ ପ୍ରତି ବେଶୀ ଆକୃଷ୍ଟ ହୁଅନ୍ତି । କଥାବାର୍ତ୍ତାବେଳେ ସେ ଚୁପ୍ ଚାପ୍ ହେଇ ଶୁଣିବା ଅପେକ୍ଷା, କହିବାକୁ ବେଶୀ ଭଲପାଏ ଓ ଅନ୍ୟମାନେ ତାର ମତାମତ ଏବଂ ମନ୍ତବ୍ୟ ମନଦେଇ ଶୁଣନ୍ତି । ସେମାନେ ରକ୍ଷଣଶୀଳ ନୁହନ୍ତି ବରଂ ବିଭିନ୍ନ ବିଷୟର ସମାଲୋଚନା କରନ୍ତି । ଅନ୍ୟମାନଙ୍କ ତୁଳନାରେ ସେମାନଙ୍କଠାରେ ଅଧିକ ସୃଜନୀଶକ୍ତି ଦେଖାଯାଏ । ସେମାନେ ଅନ୍ୟର ସମାଲୋଚନା ଶୁଣିଲେ ଅପମାନ ବୋଧ କରନ୍ତି ନାହିଁ କିମ୍ବା ସବୁକଥା ନିଜ ଉପରକୁ ଟାଣି ନିଅନ୍ତି ନାହିଁ । ଲୋକେ ତାଙ୍କୁ କଣ ଭାବୁଛନ୍ତି ସେ ଅନୁସାରେ ନିଜକୁ ବିଚାର ନ କରି ନିଜର ମୂଲ୍ୟବୋଧ ଅନୁସାରେ ନିଜକୁ ବିଚାର କରନ୍ତି । ସେମାନେ ନିର୍ଭୟରେ ନିଜର ମନକଥା ଓ ମତାମତ କହିଥାନ୍ତି ।

 

କୁପାରସ୍ମିଥ୍ ଦେଖିଛନ୍ତି ଯେ ଯେଉଁ ବାପା ମାଆଙ୍କଠାରେ ଅଧିକ ଆତ୍ମସମାଦର ଭାବ ଦେଖାଯାଏ ସେମାନଙ୍କର ପିଲାମାନଙ୍କଠାରେ ମଧ୍ୟ ଏପରି ବୋଧ ଅଧିକ ପରିମାଣରେ ଦେଖିବାକୁ ମିଳେ । ଯେଉଁ ମାଆମାନେ ‘କ୍ଷଣକେ ରୁଷ୍ଟ କ୍ଷଣକେ ତୁଷ୍ଟ’ ସେମାନଙ୍କର ପିଲା ନିଜକୁ ମୂଲ୍ୟହୀନ ଓ ଅପାରଗ ବୋଲି ଭାବନ୍ତି । ଯେଉଁ ମାଆମାନେ ପିଲାକୁ ବହୁତ ଭଲ ପାଆନ୍ତି ଓ ପିଲା ସହିତ ମନର ଗଭୀର ସଂଯୋଗ ରଖି ଥାଆନ୍ତି । ସେମାନଙ୍କର ପିଲାମାନେ ଦୃଢ଼ ଆତ୍ମପ୍ରତ୍ୟୟର ଅଧିକାରୀ ହୁଅନ୍ତି ।

 

ପରିବାରଗୁଡ଼ିକୁ ତୁଳନା କରି ଦେଖାଯାଉଛି ଯେ ଯେଉଁ ପରିବାରରେ ସମସ୍ତଙ୍କର ସୁବିଧା ଅସୁବିଧା ବିଚାର କରି ଅଧିକାଂଶ କାମ କରାଯାଏ, ସେଠି ପିଲାର ଆତ୍ମ ସମାଦରର ଭାବ ବଢ଼େ । ଯେଉଁଠି ଶାସକ ଓ ଶାସିତ ସମ୍ପର୍କ ଅନୁସାରେ ଘରର କର୍ତ୍ତା ମନମୁଖୀ ଶାସନ କରନ୍ତି ସେଠି ପିଲା ନିଜକୁ ହୀନ ବୋଲି ଭାବେ । ଯେଉଁ ପରିବାରରେ ବାପା ମାଆ ନିୟମ ଶୃଙ୍ଖଳାର ବଶବର୍ତ୍ତୀ ଓ ବେନିୟମ ବା ହୁଗୁଳା ସ୍ଵଭାବ ଦେଖିଲେ ପିଲାକୁ ତିଆରନ୍ତି, ମାତ୍ର ପିଲାକୁ କମ୍ ଶାସ୍ତି ଓ ବେଶୀ ଉତ୍ସାହ ଦେଇ “ଠିକ୍/ଭୁଲ” ଶିଖାନ୍ତି ସେପରି ପରିବାରରେ ପିଲାର ଆତ୍ମସମ୍ମାନ ଓ ଆତ୍ମସମାଦର ବଢ଼େ ।

 

ନିଜ ପ୍ରତି ଅନୁକୂଳ ମନୋଭାବ ଥିଲେ ପିଲା ଜୀବନରେ ସୁସ୍ଥ ଓ ସଫଳ ହୋଇ ବଢ଼େ-। ଆମ ସମାଜରେ ଏ ବିଷୟଟି ନେଇ ଆମ ସମସ୍ତଙ୍କ ମନରେ ବିଭ୍ରାନ୍ତି ରହିଛି । ଅହଙ୍କାର, ଅଭିମାନ, ଆତ୍ମଗର୍ବ ଇତ୍ୟାଦି ଗୁଣଗୁଡ଼ିକ ଖରାପ ବୋଲି ବିବେଚିତ ହେଉଥିବାରୁ ପିଲାଠାରେ ଅହଂବୋଧର ପ୍ରକାଶ ଦେଖିଲେ ଆମେ ବିବ୍ରତ ହେଉ । ବିଶେଷକରି ଝିଅମାନଙ୍କ କଥାରେ ଯଦି କୌଣସି ଅହଂଲକ୍ଷଣ ଦେଖାଯାଏ ଆମେ ତାକୁ ସାଙ୍ଗେ ସାଙ୍ଗେ ଦାବିଦେଉ । “ମୋତେ ଏ ଲୁଗାଟା ଭଲ ଲାଗୁନି” ବୋଲି ଝିଅ ଯଦି କୁହେ ତାର ଉତ୍ତର ହେବ “ଯାହା ବାପାମାଆ ଆଣି ଦେଲେ ସେଇଟା ତୋର ପସନ୍ଦ କରିବା ଉଚିତ ।” ଝିଅ ଯଦି କହିବ–“ମୋତେ ଆଜି ବୁଲିଯିବାକୁ ଭଲ ଲାଗୁନି ।” ଉତ୍ତର ମିଳିବ–“ଝିଅଟିଏ ହେଇ ସବୁ କଥାରେ ଏତେ ଆପତ୍ତି କଣ ? ଝିଅମାନଙ୍କର ନିଜ ଇଚ୍ଛା-ଅନିଚ୍ଛା ଅନୁସାରେ ଚଳିବା ଠିକ୍ ନୁହେଁ ।” ଏହାଦ୍ୱାର କେବଳ ଝିଅକୁ ବାଧ୍ୟ ହେବାକୁ ଶିଖାଯାଉଛି ତାହା ନୁହେଁ, ତାକୁ କୁହାଯାଉଛି, ତୁ ନିଜର ଇଚ୍ଛା-ଅନିଚ୍ଛା ଭାବି ମନରୁ ଦୂର କର । ସେହିପରି ବିଭିନ୍ନ ବିଷୟରେ ଉପର ଠାଉରିଆ ଭାବରେ ଆମେ ଝିଅର ମତ ପଚାରୁ, ମାତ୍ର ସେ ଭିନ୍ନ ମତ ପ୍ରକାଶ କଲେ ତା’କୁ ସାଙ୍ଗେ ସାଙ୍ଗେ ଦାବିଦେଉ । କାଳେ ପାରିବାରିକ ଜୀବନରେ ସଂଘର୍ଷ ହେବ ସେଥିଲାଗି ଝିଅର ଯେପରି ନିଜସ୍ଵ ମତାମତ, ବିଶ୍ଵାସ, ମୂଲ୍ୟବୋଧ, ଆଦର୍ଶ, ଅଭିରୁଚି ଓ ସ୍ଵତନ୍ତ୍ର ଇଚ୍ଛା ନ ଜନ୍ମେ ଆମେ ସେ ବିଷୟରେ ସବୁବେଳେ ଚେଷ୍ଟା କରୁ । ତାର ଜୀବନର ମୂଳ ଲକ୍ଷ୍ୟ ହେଲା ସେ ବାପଘରୁ ଯାଇ ଶ୍ୱଶୁରଘରେ ସମସ୍ତଙ୍କ ସହିତ ନିଶ୍ଚିହ୍ନ ହେଇ ମିଶିଯିବ, ଧଳା ରଙ୍ଗ ଯେପରି ଯେ କୌଣସି ରଙ୍ଗରେ ମିଶି ସେଇ ରଙ୍ଗର ବର୍ଣ୍ଣାଭା ଧାରଣ କରେ, ଝିଅ ସେମିତି ହେଉ ବୋଲି ଆମେ ଚାହୁଁ । ମାତ୍ର ସ୍ତ୍ରୀ ଚରିତ୍ରରେ ଏଇ ନିଜତ୍ୱବୋଧ ମୂଳରୁ ଭାଙ୍ଗି ଦିଆଗଲେ ମଧ୍ୟ କେଭେ ମୂଳପୋଛ ହୁଏ ନାହିଁ । ବରଂ ସହଜ ଓ ସାବଲୀଳ ଭାବରେ ନ ବଢ଼ି ବିକୃତ ସ୍ଵାର୍ଥପରତା ଆକାରରେ ଶାଖାପ୍ରଶାଖା ମେଲେ । ସେ ନିଜର ଇଚ୍ଛାରେ କାମ କରୁଛି ବୋଲି ମୁହଁରେ କୁହେ ନାହିଁ । ଅନ୍ୟମାନଙ୍କର ଇଚ୍ଛା କହି ନିଜ ଇଚ୍ଛାକୁ ଚଳେଇ ଦିଏ । ଯଥା–“ଆମେ କଣ ଜାତି ଗୋତ୍ର ମାନୁଛୁ, ଶାଶୁପରା ରାଜି ହେବେ ନାହିଁ ।” ବାପଘରେ ଆଉ ଦୁଇଦିନ ରହିଯାଆ କହିଲେ–ନିଜର ଅସୁବିଧା ଅଛି ବୋଲି କୌଣସି ଝିଅ କହିବେ ନାହିଁ । ସ୍ଵାମୀ ବା ଶାଶୁ ରାଜି ହେବେନାହିଁ କହିବେ । ଅଥଚ ଅନ୍ୟାନ୍ୟ ସମୟରେ ସେ ସ୍ଵାମୀ ବା ଶାଶୁଙ୍କୁ ଏତେ ଖାତିରି କରି ଚଳୁ ନଥିବାର ଦେଖାଯାଏ ।

 

ଏଥିଲାଗି ଏ ବିଷୟଟି ସ୍ଥିର ମନରେ ଆଲୋଚନା କରି ଦେଖିବା ଉଚିତ । ଯଥା–

 

ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ସହିତ ଆତ୍ମାଭିମାନ ଓ ଅହଙ୍କାରର ପ୍ରଭେଦ କଣ ?

 

ଅହଂବୋଧ ଓ ସ୍ଵାର୍ଥପରତା କଣ ସମାନ ?

 

ଆତ୍ମ-ବିଲୁପ୍ତି (Self effacement) ନ ହେଲେ କ’ଣ ନିଃସ୍ୱାର୍ଥପର ହେବା ସମ୍ଭବ ନୁହେଁ ? ଏଇ ପ୍ରଶ୍ନଗୁଡ଼ିକର ଉତ୍ତର ନ ଜାଣିଲେ ଆମେ ପିଲାଙ୍କୁ ଶିକ୍ଷା ଦେଇ ପାରିବୁ ନାହିଁ । ପିଲାକୁ ଅଂହଶୂନ୍ୟ, ବିନୟୀ ଓ ନିରଭିମାନୀ ହେବାକୁ ଉତ୍ସାହ ଦେଇ ତାକୁ ନିବୀର୍ଯ୍ୟ, ତେଜଶୂନ୍ୟ ଓ ଆତ୍ମପ୍ରତ୍ୟୟହୀନ କରି ବଢ଼ାଇବୁ । (ମନେ ରଖିବା କଥା ସେ “ବେଦ” ଅନୁସାରେ ଆତ୍ମଜ୍ଞାନ ହେଲା ପରେ ବ୍ରହ୍ମଜ୍ଞାନର ଉନ୍ମେଷ ହୁଏ ।)

 

ଅଂହବୋଧ ଆତ୍ମବୋଧ ସହିତ ମିଶି ରହିଛି । ଆତ୍ମବୋଧ ସୁସ୍ଥ ଓ ଶକ୍ତିଶାଳୀ ହେଲେ ନିଜର ବିବେକ, ମୂଳକାମନା ଓ ଅହଂବୋଧ ଏଇ ତିନି ଶକ୍ତିକୁ ନିୟନ୍ତ୍ରିତ କରି ସମ୍ମିଳିତ କରି ଗୋଟାଏ ଅଖଣ୍ଡ ବ୍ୟକ୍ତିତ୍ୱରୂପରେ ଦେଖାଦିଏ । ଗଙ୍ଗା, ଯମୁନା, ସରସ୍ଵତୀର ତ୍ରିବେଣୀ ଯେପରି ଏକ ସ୍ରୋତରେ ମିଳିତ ହେଇ ସିନ୍ଧ ଗାମିନୀ ହୋଇଛି, ସେହିପରି ଆତ୍ମବୋଧର ମୂଳଧାରାରେ ଏଇ ତିନିଶକ୍ତି ନିମଜ୍ଜିତ ହୋଇ ଉଦ୍ଦିଷ୍ଟ ପଥରେ ଗତି କରନ୍ତି । ଆମର ବହିର୍ମୁଖୀ ସାମାଜିକ ସତ୍ତା ଆତ୍ମବୋଧ ଦ୍ୱାରା ନିୟନ୍ତ୍ରିତ ନ ହେଲେ ପରିସ୍ଥିତିର ପ୍ରଭାବରେ ଲକ୍ଷ୍ୟଭ୍ରଷ୍ଟା ହେଇ ଏଣେ ତେଣେ ଘୂରି ବୁଲିବ । ବଂଶ, ଜାତି, ଗୋତ୍ର, ବର୍ଣ୍ଣ ଦେଶ, ବୃତ୍ତି ସାମାଜିକ ମର୍ଯ୍ୟାଦା ଏସବୁର ପରିଚୟ ହେଉଛି ବାହ୍ୟ ପରିଚୟ । ଆମେ ଏଇ ପରିଚୟଗୁଡ଼ିକୁ ଗଣ୍ଠି କରି ବସୁ । ବିଦେଶକୁ ଗଲାବେଳେ ମୋର ପରିଚୟ ପତ୍ର ଦେଖି ଶୁଳ୍‌କ ଅଫିସର ମୋ ବିଷୟରେ କ’ଣ ଜାଣନ୍ତି ? ସେ ଜାଣନ୍ତି ମୋର ନାଆଁ, ବୟସ, ଶିକ୍ଷା, ଜାତି, ବର୍ଣ୍ଣ, ଧର୍ମ, ନାଗରିକତା, ବୃତ୍ତି ଓ ମୁଁ ସ୍ତ୍ରୀ ନା ପୁରୁଷ । ଏଇ କୌଣସି ତଥ୍ୟରୁ ସେ ଜାଣି ପାରିବେ ନାହିଁ ମୁଁ ଠକ ନା ଭଲ ଲୋକ । ତେଣୁ ମୋର ବାହ୍ୟ ପରିଚୟ ଜାଣି ତାଙ୍କର ଲାଭ ନାହିଁ ।

 

ଧନ, ମାନ ବା ଉଚ୍ଚପଦର ପରିଚୟ ଅନୁସାରେ ନିଜର ପରିଚୟ ଭାବିଲେ ଯେତେବେଳେ ସେସବୁ ଚାଲିଯିବ ସେତେବେଳେ ନିଜର ପରିଚୟ କ’ଣ ହବ ସେ କଥା ଭାବି ଦେଖିବା ଉଚିତ୍ । ସେଥିଲାଗି କିଶୋର ବୟସରେ ସାଂସାରିକ ମାନବ ନିଜର ସ୍ଥିର ପରିଚୟ କ’ଣ ସେକଥା ନିଜର ଜ୍ଞାତସାରରେ ବା ଅଜ୍ଞତସାରରେ ସ୍ଥିର କରି ଚାଲିଥାଏ ।

 

ପିତୃଦତ୍ତ ପରିଚୟକୁ ଲୋକ ପ୍ରଥମେ ଆଶ୍ରୟ କରେ । ପରେ ପିତୃଦତ୍ତ ପରିଚୟକୁ ଆଂଶିକ ଭାବରେ ବର୍ଜନ କରି ନିଜର ଅର୍ଜିତ ପରିଚୟକୁ ମିଶେଇ ସେ ଗୋଟାଏ ନୂଆ ପରିଚୟ ଗଢ଼ିବାକୁ ଚେଷ୍ଟା କରେ । ଶେଷକୁ କେଉଁପ୍ରକାର ମଣିଷ ସେ ହବ ସେକଥା ନେଇ ପରୀକ୍ଷା କରେ-। ଉଦାହରଣସ୍ୱରୂପ, କାମିନୀ କାଞ୍ଚନ ତ୍ୟାଗୀ ସନ୍ନ୍ୟାସୀ ।

 

ନା, ରୂପଲୀଳା ବିଭୋର ଶିଳ୍ପୀ ।

 

ନା, ଧନଶାଳୀ କ୍ଷମତାଶାଳୀ ଜନନାୟକ ?

 

ସେହିପରି ଜୀବନର ଆଦର୍ଶ କଣ–ତ୍ୟାଗ, ଭୋଗ ନା ପ୍ରଭୁତ୍ୱ ? ସୁଖ କେଉଁଥିରେ-ଯଶ, କୀର୍ତ୍ତି, ଖ୍ୟାତି ନା ଜ୍ଞାନ, ମୈତ୍ରୀ ଓ ଶାନ୍ତିରେ ? ମଣିଷର ଅସୁବିଧା ହେଉଛି ସେ ସର୍ବଦା ପରସ୍ପର ବିରୋଧୀ କାମ୍ୟ ପଦାର୍ଥ ଚାହେଁ । କେଉଁଟା ଛାଡ଼ିବ କେଉଁଟା ରଖିବ ସ୍ଥିର କରିପାରେନା-। ଏଇ ଦ୍ୱନ୍ଦ୍ୱ ଓ ସଂଶୟ ଯୋଗୁଁ ସେ ସଙ୍କଟରେ ପଡ଼େ । ଏଇ ଅବସ୍ଥାକୁ ଏରିକ୍‌ସନ୍ କହିଛନ୍ତି Identity Crisis-ଅର୍ଥାତ୍ ଆତ୍ମ ସଙ୍କଟ । (ଏରିକ୍‍ସନ୍ ଆତ୍ମବୋଧ ଅର୍ଥରେ identity ଶବ୍ଦ ବ୍ୟବହାର କରିଛନ୍ତି ‘ପରିଚୟ’ ଅର୍ଥରେ ନୁହେଁ) । ଏଇ ଅବସ୍ଥାରେ କିଶୋର ସମାଜଦତ୍ତ ପରିଚୟର ନିର୍ଦ୍ଦିଷ୍ଟ ସୁସ୍ପଷ୍ଟ ପରିଚୟ ସ୍ଵୀକାର କରିବ ନା ନିଜ ବାଟରେ ଯାଇ ନିଜର ପରିଚୟ ତିଆରି କରିବ–ଏଇ ଦୁଇ ଇଚ୍ଛା ମଧ୍ୟରେ ଭିଡ଼ି ଓଟାରି ହୁଏ । ତାର ବ୍ୟକ୍ତିତ୍ୱର କୌଣସି ସ୍ପଷ୍ଟ ରୂପରେଖ ଦେଖା ଯାଉ ନଥିବାରୁ ଏଇ ପରିସ୍ଥିତିକୁ Identity diffusion ବୋଲି କୁହାଯାଉଛି-

 

ପ୍ରତିଭାଶାଳୀ ବ୍ୟକ୍ତିମାନେ ଏପରି ସଙ୍କଟ ସହଜରେ ଅତିକ୍ରମ କରନ୍ତି । ଧର୍ମପଦ ବାଳକ ବୟସରେ କୋଣାର୍କ ମନ୍ଦିରର ଚୂଳ ତିଆରି କରିଥିଲେ । ଲବ କୁଶ ରାମଚନ୍ଦ୍ରଙ୍କୁ ପରାସ୍ତ କରି ନିଜର କ୍ଷତ୍ରୀୟୋଚିତ ବୀରତ୍ୱ ପ୍ରମାଣ କରିଥିଲେ । ମାତ୍ର ଏପରି ଘଟଣା ବିରଳ । ମଣିଷ ସାଧାରଣତଃ ଜୀବନଯାକ ନିଜର ପରିଚୟ ତିଆରି କରି ଚାଲେ । ଚୈତନ୍ୟ ଗୃହୀ ଥିଲେ, ହେଲେ ସନ୍ନ୍ୟାସୀ । ନିତ୍ୟାନନ୍ଦ ପ୍ରଭୁ ଗୃହତ୍ୟାଗୀ ଥିଲେ ହେଲେ ଗୃହୀ । ବୁଦ୍ଧ ଥିଲେ ରାଜପୁତ୍ର, ହେଲେ ଶ୍ରମଣ । ଶ୍ରୀ ଅରବିନ୍ଦ ସତର ବର୍ଷ ବୟସରେ ଆଇ ସି. ଏସ୍ ପରୀକ୍ଷା ପାଶ୍ କରି ଉଚ୍ଚପଦସ୍ଥ ଅଫିସର ହୋଇ ଧନ, କ୍ଷମତା, ଯଶ ଓ ପ୍ରତିପତ୍ତିର ଚିରାଚରିତ ପଥରେ ଯାଉ ଯାଉ ସବୁ ଛାଡ଼ି ବିପ୍ଳବୀ ହେଲେ । ଆଲିପୁର ଜେଲରେ ତାଙ୍କର ଭଗବତ୍ ଅନୁଭୂତି ହେଲା ଓ ସେ ଅବଶେଷରେ ହେଲେ ଯୋଗୀ । ଅନ୍ୟ ପକ୍ଷରେ, ଯିଏ ସମାଜଦତ୍ତ ପରିଚୟକୁ ଅବଲମ୍ବନ କରିନିଏ, ’ତାର ପରିଚୟରେ ବିଶେଷ ପରିବର୍ତ୍ତନ ଦେଖାଯାଏ ନାହିଁ । ସେ ସମାଜର ଧରାବନ୍ଧା ପଥରେ ଗତିକରି ଜୀବନ ବିତାଏ । ଏପରି ଲୋକ କେବେହେଁ ଅନ୍ତର୍ଦ୍ୱନ୍ଦ୍ୱ ଅନୁଭବ କରେନାହିଁ, ତାର ମନରେ ଜୀବନ ବିଷୟରେ କୌଣସି ସଂଶୟ ନଥାଏ, ସେ କୌଣସି ମାନସିକ ସଙ୍କଟର ସମ୍ମୁଖୀନ ହୁଏ ନାହିଁ କିମ୍ବା ନିଜର ପ୍ରକୃତ ପରିଚୟ କଣ ସେ କଥା କେଭେ ଭାବେନାହିଁ । ଏଇଭଳି ନିଶ୍ଚେତନ ଜଡ଼ ପରି ବଞ୍ଚି ରହିଥିବା ଲୋକଙ୍କୁ ହୁଏତ ସୁସ୍ଥ କହିହେବ ମାତ୍ର ପ୍ରତିଭାଶାଳୀ ଲୋକପରି ସେମାନେ ମାନସିକ ସୁସ୍ୱାସ୍ଥ୍ୟର ଅଧିକାରୀ ନୁହନ୍ତି । ଏଭଳି ଲୋକ ନିରୋଗୀ ସତ, ମାତ୍ର ଏମାନଙ୍କଠାରେ ପ୍ରାଣର ସ୍ୱତଃସ୍ଫୂର୍ତ୍ତ ତେଜ ନ ଥାଏ । ମନର ପ୍ରସାରତା ନଥାଏ କିମ୍ବା ମନର ଉଚ୍ଛଳ ପ୍ରାଚୁର୍ଯ୍ୟ ମଧ୍ୟ ନଥାଏ । ଏଥିଲାଗି ମନରେ ସଂଶୟ ଓ ଦ୍ୱନ୍ଦ୍ୱ ବଢ଼ିଲେ, ଏହାକୁ ସବୁବେଳେ ଅସୁସ୍ଥତାର ଲକ୍ଷଣ ବୋଲି ଭାବିବା ଉଚିତ ନୁହେ । ଯିଏ ଅନୁଭବୀ, ଯିଏ ଜିଜ୍ଞାସୁ ତା ମନରେ ବାରମ୍ବାର ଜୀବନ ବିଷୟରେ ବହୁ ସଂଶୟ ଓ ଦ୍ୱନ୍ଦ୍ୱ ଉପୁଜିବ । ଏ କ୍ଷେତ୍ରରେ ଏଭଳି ଅନ୍ତର୍ଦ୍ୱନ୍ଦ୍ୱକୁ ସୃଜନଶୀଳ ବ୍ୟକ୍ତିତ୍ୱର ଲକ୍ଷଣ ବୋଲି ଧରାଯିବ । ଅସୁସ୍ଥ ଓ ସୁସ୍ଥ ବ୍ୟକ୍ତି ଭିତରେ ଯେଉଁ ମୌଳିକ ପ୍ରଭେଦ ରହିଛି ସେ ପ୍ରଭେଦ ହେଲା–

 

୧ । ସୁସ୍ଥ ମନର ଲୋକ ଆତ୍ମ-ସଂଶୟ ଓ ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ କରି ସ୍ଵାଭାବିକ ଜୀବନଯାପନ କରେ । ଆତ୍ମ-ସଙ୍କଟର ଅଭିଜ୍ଞତା ତାକୁ ପ୍ରଜ୍ଞାଵାନ୍ କରି ତୋଳେ, ଫଳରେ ସେ ଏପରି ସଙ୍କଟ ଅତିକ୍ରମ କରି ଏକ ଅନନ୍ୟ ଆତ୍ମ-ସଚେତନମୟ ବ୍ୟକ୍ତିତ୍ୱର ଅଧିକାରୀ ହୁଏ । –ସଂଶୟ ଓ ଦ୍ୱନ୍ଦ୍ୱର ସମାଧାନ କରି ନୂତନ ଜ୍ଞାନ ଲାଭକରେ ।

 

୨ । ଅସୁସ୍ଥ-ମନା ଲୋକ ନିଜ ମନରେ ଉପୁଜୁଥିବା ସଂଶୟ ଓ ହନ୍ଦ୍ୱର ସମାଧାନ କରିପାରେ ନାହିଁ । ସିଏ ନିଜର ସାମର୍ଥ୍ୟ ବିଷୟରେ ସନ୍ଦିହାନ୍ ହୁଏ । ତା’ଠାରେ ଆତ୍ମ-ପ୍ରତ୍ୟୟର ଅଭାବ ଥିବା ହେତୁ ସେ ଅସ୍ଥିରମତି ହୋଇ ଲକ୍ଷ୍ୟଭ୍ରଷ୍ଟ ହୋଇଥାଏ । କେଉଁବାଟେ ଯିବ ଜାଣିପାରେ ନାହିଁ; ଜୀବନରେ ସେ କଣ ଚାହେଁ ସେ କଥା ମଧ୍ୟ ସ୍ଥିର କରି ପାରେନା । ଏହା ଫଳରେ ମନର ଦ୍ୱନ୍ଦ୍ୱମୟ ଅବସ୍ଥା ଯୋଗୁଁ ବିଭ୍ରାନ୍ତ ହୋଇ ସେ କ୍ରମଶଃ ଅସ୍ଵାଭାବିକ ହୋଇଯାଏ ।

 

ତେଣୁ ଏରିକ୍‍ସନ୍‍ଙ୍କ ମତ ହେଲା ଯେ–ପିଲାକୁ ସୁସ୍ଥ ଓ ସ୍ୱାଭାବିକ କରି ଗଢ଼ି ତୋଳିବାକୁ ଚାହିଁଲେ ତା’ର ଯେପରି ଆତ୍ମପ୍ରତ୍ୟୟ ବଢ଼ିବ ସେଥିପ୍ରତି ସର୍ବାଧିକ ଦୃଷ୍ଟି ଦେବା ଦରକାର ।

 

ନିଜ କାର୍ଯ୍ୟର ପ୍ରଶଂସା ଓ ସମାଦର ମିଳିଲେ ପିଲାଠାରେ ଏପରି ଆତ୍ମପ୍ରତ୍ୟୟର ଭା‍ବ ବଢ଼େ । ମାତ୍ର ଅଯଥା ପ୍ରଶଂସା କଲେ ବିଶେଷ ଲାଭ ହୁଏ ନାହିଁ । ତା’ର କାର୍ଯ୍ୟର ଯଥାର୍ଥ ମୂଲ୍ୟାୟନ କରି ସମାଦର କଲେ ଯାଇ ସେ ନିଜର ସାମର୍ଥ୍ୟ ବିଷୟରେ ନିଃସନ୍ଦେହ ହୁଏ । ଅନ୍ୟ ଉପାୟ ହେଲା ବିଭିନ୍ନ ବିଷୟ ଆୟତ୍ତ କରି ପାରିଲେ ତା’ମନରେ ନିଜର ସାମର୍ଥ୍ୟ ପ୍ରତି ଆସ୍ଥା ଜନ୍ମେ । କଷ୍ଟସାଧ୍ୟ କାମ କରି ପାରିଲେ ତା’ର ଆତ୍ମ-ବିଶ୍ଵାସ ଆହୁରି ବଢ଼େ । ଫଳରେ ସେ ଯେତେବେଳେ ସଙ୍କଟ ବା ଦ୍ୱନ୍ଦ୍ୱରେ ପଡ଼େ, ସାମୟିକ ଭାବରେ ବିଚଳିତ ହେଲେ ମଧ୍ୟ ସେ କେବେହେଁ ନିଜକୁ ପରାଜିତ ବୋଲି ଭାବେନାହିଁ । ସେ କେତେକ କ୍ଷେତ୍ରରେ ନିଜକୁ ପରିବର୍ତ୍ତନ କରି ଓ କେତେକ କ୍ଷେତ୍ରରେ ନିଜର ପରିବେଷ୍ଟନୀକୁ ପରିବର୍ତ୍ତନ କରି ଜୀବନରେ ଅଗ୍ରସର ହୋଇଥାଏ ।

 

ମାନବିକ ମନୋବିଜ୍ଞାନର ମତବାଦ :

 

ମାନବିକ ମନେବିଜ୍ଞାନୀମାନେ ମଣିଷକୁ ସ୍ଵଭାବ ଓ ଚରିତ୍ର ଅନୁସାରେ ବିଭିନ୍ନ ଶ୍ରେଣୀରେ ଭାଗ ନ କରି ତାକୁ ଏକ ଅନନ୍ୟ ସାଧାରଣ ବିଶେଷ ବ୍ୟକ୍ତି ହିସାବରେ ବିଚାର କରିଥାଆନ୍ତି । ସେମାନେ ମଣିଷକୁ ଅନ୍ତଃର୍ମୂଖୀ (Introvert) ବା ବର୍ହିମୁଖୀ (Extravert) କିମ୍ବା ଉଦ୍ୱିଗ୍ନ (anxious) ବା ନିରୁଦ୍ୱିଗ୍ନ (non-anxious) ପ୍ରକୃତିର ଲୋକ ହିସାବରେ ବିଭାଗ କରି ଦେଖନ୍ତି ନାହିଁ । ସେମାନେ ଗୋଟିଏ ଲୋକର ସମୁଦାୟ ଗୁଣର ବର୍ଣ୍ଣନା ଲେଖି ତା’ର ବ୍ୟକ୍ତିତ୍ଵର ବୈଶିଷ୍ଟ୍ୟମୟ ରୂପର ଚିତ୍ରଣ କରନ୍ତି । ଯେଉଁ ବିଷୟଗୁଡ଼ିକରେ ସେ ଅନ୍ୟ ମାନଙ୍କଠାରୁ ସ୍ଵତନ୍ତ୍ର ସେ ସବୁ ବିଷୟରେ ସେ କିପରି ସ୍ୱତନ୍ତ୍ରତା ଲାଭ କଲା ସେକଥା ସେମାନେ ଜାଣିବାକୁ ଚାହାନ୍ତି । ଗୋଟିଏ ବିଶେଷ ଲୋକର ଜନ୍ମରୁ ଯୌବନକାଳ ପର୍ଯ୍ୟନ୍ତ ଯେଉଁସବୁ ଅଭିଜ୍ଞତା ହୋଇଛି, ସେଇ ଅଭିଜ୍ଞତାଗୁଡ଼ିକୁ ବିଶ୍ଳେଷଣ କରି ଏମାନେ ତା’ର ବ୍ୟକ୍ତିତ୍ୱର ନିର୍ଦ୍ଦିଷ୍ଟ ରୂପରେଖ (personality profile) ନିର୍ଣ୍ଣୟ କରନ୍ତି । ପିଲାର ଅତୀତ ଜୀବନର ଅଭିଜ୍ଞତାକୁ ପିଲାର ଦୃଷ୍ଟିକୋଣରୁ ବିଚାର କରି ତା’ର ମନୋଭବ ଓ ଚରିତ୍ର ବୁଝିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ପଦ୍ଧତିର ଏକ ଉଦାହରଣ ଏଠାରେ ଲେଖୁଛି ।

 

ସମସ୍ୟା-ବୁଲୁକୁ ଘରେ ଖାଇବାକୁ ଦେଲେ ସେ ଖାଇବାକୁ ମନା କରେ ଅଥଚ ଲୁଚେଇ ଚୋରେଇ ଖାଏ ।

 

ବ୍ୟକ୍ତିତ୍ୱ ପରୀକ୍ଷାର ଫଳ :

 

ବୁଲୁ ଦେଖିବାକୁ ସାଧାରଣ, ସୁନ୍ଦର ନୁହେଁ କି ଅସୁନ୍ଦର ନୁହେଁ, ସ୍ୱାସ୍ଥ୍ୟ-ମଧ୍ୟମ ଧରଣର, ଉଚ୍ଚତା-ସାଧାରଣ; ବୁଦ୍ଧି-ବୟସ ଅନୁସାରେ କମ ନୁହେଁ କି ବେଶୀ ନୁହେଁ । ସେ ଲାଜକୂଳା ଓ ଏକୁଟିଆ ବାଆଁରା । ତା’ର କୌଣସି ଘନିଷ୍ଠ ସାଙ୍ଗ ନାହାନ୍ତି । ସେ ପଢ଼ାଘରେ ଏକୁଟିଆ ବସି ପଢ଼ିବାକୁ ଭଲପାଏ । ବୁଲିଗଲେ ଏକୁଟିଆ କୌଣସି ନିର୍ଜନ ସ୍ଥାନକୁ ଯାଇ ବଂଶୀ ବଜାଏ । ଲୋକଙ୍କ ସାମ୍ନାରେ ବଜାଇବାକୁ ଚାହେଁ ନାହିଁ । ତା’ର ଅନ୍ୟାନ୍ୟ କୌଣସି ଚାରିତ୍ରିକ ତ୍ରୁଟି ନାହିଁ ।

 

ମାନବିକ ମନୋବିଜ୍ଞାନୀ କହିବେ ଯେ–ପିଲାର ଦୃଷ୍ଟିକୋଣରୁ ପୂରା ବିଷୟଟିକୁ ଵିଚାର କଲେ ଏଇ ବିଷୟଟି ଯଥାର୍ଥରେ ବୁଝି ହେବ । ସେ ପ୍ରକୃତରେ ଲୁଚେଇ ଚୋରେଇ ଖାଉଛି ନା ଘରଲୋକ ତାକୁ ଠିକ୍‌ ଭାବରେ ବୁଝିପାରୁ ନ ଥିବା ହେତୁ ତାର ବ୍ୟବହାରକୁ ଭୁଲ୍ ଭାବରେ ବର୍ଣ୍ଣନା କରୁଛନ୍ତି । ପିଲାଟି ଯେତେବେଳେ ଅନ୍ୟ କୌଣସି ଜିନିଷ ଚୋରୀ ‘କରୁ ନାହିଁ, ତାକୁ ଚୋର ବୋଲି ଭାବିବା ଠିକ୍ ନୁହେଁ । ସେ ଲାଜକୁଳା ଓ ଏକୁଟିଆ ବାଆଁରା ହେଇଥିଲାରୁ ହୁଏତ କେହି ନ ଥିଲାବେଳେ ଖାଇବାକୁ ଚାହୁଁଛି ।

 

ମାଆ ବା ଅନ୍ୟଲୋକ ଖାଇବାକୁ ଦେଲେ କାହିଁକି ଖାଉନି । ଦେଖାଗଲା ଯେ ତା’କୁ ପିଲାଦିନରୁ ଶିଖା ହୋଇଛି, ଭଲ ଜିନିଷ ନିଜେ ନ ଖାଇ ଅନ୍ୟମାନଙ୍କୁ ଦେବାଟା ହେଉଛି ଭଦ୍ରତା । ତେଣୁ ଖାଇବାକୁ ଯାଚିଲେ ପ୍ରଥମେ ମନା କରିବାଟା ତା’ର ଅଭ୍ୟାସଗତ ହୋଇଯାଇଛି । ତା’ପରେ ଘରେ ସମସ୍ତେ ଏ ବିଷୟଟି ଲକ୍ଷ୍ୟ କରି କଥାବାର୍ତ୍ତା ହେଲେ ଯେ ତାକୁ ଯାହା ଖାଇବାକୁ ଦିଆଯାଏ, ସେ ମନା କରେ । ଏ କଥା ଶୁଣି ଶୁଣି ତା ମନରେ ଏମିତି ଗୋଟାଏ ଅବସ୍ଥା ହେଇଛି ଯେ, ତାକୁ କେହି ଖାଇବାକୁ ଦେଲେ ସେ ଲାଜରେ ମନା କରିଦିଏ । ସେ ଭାବେ ସମସ୍ତେ ଯେମିତି ତାଠାରୁ ଆଶା କରୁଛନ୍ତି ସେ ଖାଇବାକୁ ମନା କରୁ । ଫଳରେ ସେ ଅନ୍ୟ କେହି ଖାଇବାକୁ ଦେଲେ ଖାଉନାହିଁ । ମାତ୍ର କେହି ନ ଥିଲାବେଳେ ଏକୁଟିଆ ଲୁଚିକରି ଖାଉଛି ।

 

ସେ କାହିଁକି ଏପରି ଲାଜକୁଳା ହେଲା । ପିଲାଦିନରୁ ତାକୁ ଅନ୍ୟମାନେ ବିଭିନ୍ନ କଥାରେ ବାରିଲାରୁ ସେ ଲୋକଙ୍କଠାରୁ ଦୂରେଇ ହେଇ ରହିବାକୁ ଭଲ ପାଇଲା । ଲୋକଙ୍କ ସାମ୍ନାକୁ ନ ଆସିଲାରୁ ସେମାନଙ୍କ ସହିତ କଥାବାର୍ତ୍ତା କଲା ନାହିଁ । ଫଳରେ ସମସ୍ତେ ତାକୁ ଆହୁରି ବାରିଲେ । ଅନ୍ୟ ଲୋକଙ୍କୁ ଦେଖିଲେ ତାକୁ ଅଡ଼ୁଆ ଲାଗେ । ଏହି ଭାବରେ ସେ କ୍ରମଶଃ ଏକୁଟିଆ ବାଆଁରା ଓ ଲାଜକୁଳା ହୋଇ ରହିଯାଇଛି । ଏଇ ପିଲାଟିର ଲାଜକୁଳା ସ୍ଵଭାବ ସଂଶୋଧନ ନ ହେବା ପର୍ଯ୍ୟନ୍ତ ତାର ଖାଇବା ପିଇବାରେ ଗୋଳମାଳ ରହିବ । ସେଥିଲାଗି ତାର ପରିବାରର ଲୋକ ତା ପ୍ରତି ଭିନ୍ନ ଭାବରେ ବ୍ୟବହାର କରି ଧୀରେ ଧୀରେ ତା’ର ସ୍ଵଭାବ ବଦଳେଇବାକୁ ଚେଷ୍ଟାକଲେ ସେ ପୁଣି ଅନ୍ୟମାନଙ୍କ ପରି ମେଳାପୀ ହେଇପାରିବ । ହୁଏତ ସେତେବେଳେ ତାର ଲୁଚେଇ ଚୋରେଇ ଖାଇବାର ଅଭ୍ୟାସ ମଧ୍ୟ ଚାଲିଯିବ ।

 

ମାନବିକ ମନୋବିଜ୍ଞାନୀମାନେ ପ୍ରଥମେ କୌଣସି ବିଶେଷ ମତବାଦକୁ ଆଶ୍ରୟ ନ କରି ନିଜର ଚିକିତ୍ସା-ଜଗତର ଅଭିଜ୍ଞତାରୁ ବ୍ୟକ୍ତିତ୍ଵର ରୂପ କଣ ସେ କଥା ବର୍ଣ୍ଣନା କରୁଥିଲେ । କାଳକ୍ରମେ ମଣିଷର ବ୍ୟକ୍ତିତ୍ୱ ବିଷୟରେ ଯେଉଁସବୁ ଧାରଣା ତାଙ୍କର ହେଲା, ସେ ସବୁ ଧାରଣାକୁ ଏକାଠି କରି ସେମାନେ ଗୋଟିଏ ମତବାଦ ବାଢ଼ିଲେ । ଏହି ମତବାଦ ହେଉଛି–

 

୧ । ପ୍ରତ୍ୟେକ ମଣିଷ ନିଜର ଅଭୀଷ୍ଟ ଲକ୍ଷ୍ୟରେ ପହଞ୍ଚିବା ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାଏ ।

 

୨ । ସେ ଯେଉଁ ବିଶେଷ ଧରଣର କାର୍ଯ୍ୟପନ୍ଥା ବାଛିନିଏ, ସେହି ଅନୁସାରେ କ୍ରମଶଃ ତାର ଜୀବନର ଧାରା ବଦଳିଯାଏ ।

 

୩ । ଏହି ବୈଶିଷ୍ଟ୍ୟମୟ ଜୀବନଧାରା (Life style ଅନୁସାରେ ତାର ଅଭିରୁଚି, ଆଦର୍ଶ, ମୂଲ୍ୟବୋଧ (ପାପ, ପୁଣ୍ୟ ଭଲ, ମନ୍ଦ ଭୁଲ, ଠିକ୍ ଇତ୍ୟାଦିର ଧାରଣା) ବିଶ୍ଵାସ, ସଂସ୍କାର, ମୌଳିକ ମନୋଭାବ ଓ ବ୍ୟକ୍ତିତ୍ୱ ଗଢ଼ିଉଠେ । ମଣିଷକୁ ଚିହ୍ନିବା ଦରକାର ହେଲେ ମଣିଷର ମୌଳିକ ପ୍ରୟୋଜନ ଓ ଜୀବନର ଅଭୀଷ୍ଟ କଣ ସେକଥା ପ୍ରଥମେ ଜାଣିବା ଦରକାର ।

 

ଆବ୍ରାହାମ ମାସ୍‍ଲୋଙ୍କ ମତରେ ମଣିଷ ନିଜର ଦ୍ୱିବିଧ ମୌଳିକ ପ୍ରୟୋଜନ ପୂରଣ କରିବା ଲାଗି କାମ କରେ ।

 

୧ । ଶାରିରୀକ–ଯଥା ଖାଦ୍ୟ, ପାନୀୟ, ନିଦ୍ରା ଇତ୍ୟାଦି ।

 

୨ । ମାନସିକ–ଯଥା, ସ୍ନେହ, ସମାଦର, ନିଶ୍ଚିନ୍ତ ଜୀବନ ।

 

ଏହାଛଡ଼ା ଅନ୍ୟ ପ୍ରକାର ପ୍ରୟୋଜନ ହେଉଛି ଉଚ୍ଚସ୍ତରର ପ୍ରୟୋଜନ । ଯଥା-ଜ୍ଞାନର ଅନ୍ଵେଷଣ, ସୌନ୍ଦର୍ଯ୍ୟପିପାସା, ସତ୍ୟରେ ଆଗ୍ରହ ଓ ମାନବିକ ଗୁଣ ଅର୍ଜନ କରି ପୁରୁଷାର୍ଥ ଲାଭ କରିବା । ଏଇ ଦୁଇ ପ୍ରକାର କାମନାକୁ ମାସଲୋ ଅନେକ ସମୟରେ ଅଭିବୃଦ୍ଧିର କାମନା (growth needs or meta needs) ଓ ଅଭାବ ପୂରଣର ବାଞ୍ଛା (deficiency needs or basic needs) ବୋଲି କହିଛନ୍ତି ।

 

ମୌଳିକ ପ୍ରୟୋଜନର ପ୍ରଧାନ ବୈଶିଷ୍ଟ୍ୟ ହେଉଛି ଏହି ପ୍ରୟୋଜନଗୁଡ଼ିକର ନିର୍ଦ୍ଦିଷ୍ଟ ଲକ୍ଷ ଥାଏ । ଉଚ୍ଚସ୍ତରର ପ୍ରୟୋଜନଗୁଡ଼ିକ ଏଇ ଦୃଷ୍ଟିରୁ ବିଚାର କଲେ ଅପ୍ରୟୋଜନୀୟ ପରି ଜଣାପଡ଼େ । ଯଥା ପାଣି ପିଇବା ପାଇଁ ଆଦିମ ମାନବ ପାତ୍ରଟିଏ ଗଢ଼ିଲା । ପାତ୍ରଟିରେ ପାଣି ପିଇଲେ ସହଜରେ ତାର ପ୍ରୟୋଜନ ମେଣ୍ଟିବ । କିନ୍ତୁ ପାତ୍ରଟିକୁ ଫୁଲ, ଲତାରେ ଚିତ୍ରିତ କରି ତାର କୌଣସି ପ୍ରୟୋଜନ ପୂରଣ ହେଉନାହିଁ । କେବଳ ଦେଖିବାକୁ ସୁନ୍ଦର ଲାଗୁଛି ସୌନ୍ଦର୍ଯ୍ୟବୋଧର ଉତ୍ପତ୍ତି ତେଣୁ ମୌଳିକ ପ୍ରୟୋଜନ ପୂରଣ କରିବା ଇଚ୍ଛାରୁ ହେଉନାହିଁ । ସାଧାରଣ ପ୍ରୟୋଜନର ଅତୀତ ଏକ ପ୍ରୟୋଜନରୁ ଏହାର ଉତ୍ପତ୍ତି । ଅଭାବ ପୂରଣ ଅପେକ୍ଷା ଆନନ୍ଦ ଦାନ ହେଲା ଏଇ ପ୍ରୟୋଜନର ଉଦ୍ଦିଷ୍ଟ ଲକ୍ଷ୍ୟ । ଏହିପରି ମଣିଷ ନିଜର ଉର୍ଦ୍ଧ୍ୱଗତି ପାଇଁ ଜ୍ଞାନ, ଶୃଙ୍ଖଳା, ନ୍ୟାୟ ଇତ୍ୟାଦିର ପ୍ରୟୋଜନ ଅନୁଭବ କରିଥାଏ । ଆମ ଦେଶରେ ମଧ୍ୟ କଥା ଅଛି–

 

ସଙ୍ଗୀତ, ସାହିତ୍ୟ କଳାବିହୀନଃ,

ସାକ୍ଷାତ୍ ପଶୁ ପୁଚ୍ଛ ବିଷାଣ ହୀନଃ ।

 

(ଅର୍ଥାତ୍ ସେପରି ମଣିଷ ଲାଞ୍ଜ ଓ ଶିଙ୍ଗ ନ ଥିବା ପଶୁ ସହିତ ସମାନ।) ‘ମାସ୍‌ଲୋ’ଙ୍କ ମତରେ ଏଇ ପ୍ରୟୋଜନଗୁଡ଼ିକ ସ୍ତର ସ୍ତର ହୋଇ ରହିଥାଏ । ନିମ୍ନସ୍ତରର ପ୍ରୟୋଜନ ପୂରଣ ହେଲେ ମଣିଷ ପରବର୍ତ୍ତୀ ସ୍ତରର ବାସନା ପୂରଣ କରିବାରେ ଉଦ୍ୟତ ହୁଏ । (ପରପୃଷ୍ଠାରେ ଏଇ ବିଭିନ୍ନ ପ୍ରୟୋଜନର ସ୍ତରବିନ୍ୟାସ ଦିଆଗଲା ।)

 

ଏଇ ସବୁ ଧାରଣା ମଧ୍ୟରୁ Self-actualization ହେଲା ମୂଳ ଧାରଣା । କାରଣ ମଣିଷର ସବୁ ପ୍ରୟୋଜନ ଊର୍ଦ୍ଧ୍ୱରେ ଏହି ପ୍ରୟୋଜନକୁ ମାସଲୋ ସ୍ଥାନ ଦେଇଛନ୍ତି । ନିଜର ଅନ୍ତଃର୍ନିହିତ ସମ୍ଭାବନାକୁ ରୂପାୟିତ କରିବାର ଉପାୟ ହେଲା Self-actualisation ବିଭିନ୍ନ ଲୋକ ଏଇ ଧାରଣାର ବିଭିନ୍ନ ଅର୍ଥ କରିଛନ୍ତି । ସାଧାରଣ ମତରେ ଏଇ ଉଦ୍ଦେଶ୍ୟକୁ ନିଜର ଅନ୍ତରସ୍ଥିତ ମାନବିକ ପ୍ରେରଣାକୁ ଯଥାର୍ଥଭାବରେ ରୂପାୟିତ କରିବା ମାସଲୋଙ୍କ ମତରେ ଅନ୍ତରର ଏଇ ପ୍ରବୃତ୍ତି ଚରିତାର୍ଥ ହେବାଯାକେ ମଣିଷ ଶାନ୍ତି ପାଏ ନାହିଁ । ଧନ, ମାନ, ଯଶ, ଖ୍ୟାତି ସବୁ ଲାଭ କରି ମଧ୍ୟ ତା’ ମନରେ ଅସନ୍ତୋଷର ଭାବ ରହିଯାଏ । ସେ ସବୁବେଳେ ‘କଣ ଗୋଟାଏ ହେଲାନାହିଁ’, ‘କଣ ଗୋଟାଏ ପାଇଲିନି’ ଏକଥା ଭାବି ମନରେ ଧନ୍ଦି ହେଉଥାଏ । ନିଜ ଚରିତ୍ରର ଏଇ ମୂଳ ପ୍ରେରଣାକୁ ଅଗ୍ରାହ୍ୟ କରି ମଣିଷ ଯଦି ଅନ୍ୟାନ୍ୟ ଶାରିରୀକ ତଥା ଜାଗତିକ ଆକାଂକ୍ଷା ପୂରଣ କରିବା ଦିଗରେ ମନ ବଳାଏ, ତେବେ ପରିଣାମରେ ସେ ଅସୁଖୀ ହୋଇ ଅଶାନ୍ତି ଚିତ୍ତରେ ଜୀବନ ବିତାଏ । ଏଇ ଆତ୍ମ-ରୂପାୟନ (Self actualisation) ପ୍ରେରଣାର ସ୍ୱରୂପ କଣ, କେଉଁ ଉପାୟରେ ଏହା ମଣିଷକୁ ପ୍ରଣୋଦିତ କରେ, ସେ କଥା ଏଠି ଆଲୋଚନା କରିବା ।

 

Image

 

ଆତ୍ମ-ରୂପାୟନର ପ୍ରେରଣା :

 

ଯେଉଁ ପ୍ରେରଣା ମଣିଷକୁ ସମ୍ପୂର୍ଣ୍ଣତା ଲାଭ କରିବା ଲାଗି ସଦା ସର୍ବଦା ଅନୁପ୍ରାଣିତ କରେ, ତାହାକୁ ଆତ୍ମ-ରୂପାୟନର ପ୍ରେରଣା ବୋଲି କୁହାଯାଏ । ମଣିଷ ଯେତେବେଳେ ନିଜ ମନ, ପ୍ରାଣ ଓ ଅନ୍ୟାନ୍ୟ ଚିତ୍ତବୃତ୍ତିର ଯଥାର୍ଥ ବିକାଶ କରିବାରେ ସମର୍ଥ ହୁଏ, ସେତେବେଳେ ଯାଇ ମଣିଷ ରୂପରେ ସମ୍ପୂର୍ଣ୍ଣତା ଲାଭ କରେ । ଯେଉଁ ମଣିଷ ନିଜର ଏଇ “ମାନସିକ ଦିଗ”କୁ ଅବହେଳା କରି ଧରାବନ୍ଧା ଲୌକିକ ଜୀବନଯାପନ କରେ, ସେ କ୍ରମଶଃ ନିଃଶ୍ଚେତନ ଓ ଅନୁଭୂତିଶୂନ୍ୟ ହେଇଯାଏ । ତା ମନର ସମ୍ବେଦନଶୀଳତା ନଷ୍ଟ ହୋଇଯାଏ । ନିଜର ଚାରିପଟେ ଘଟୁଥିବା ବିଭିନ୍ନ ଘଟଣା ତା ମନରେ କୌଣସି ଆଲୋଡ଼ନ ସୃଷ୍ଟି କରେନାହିଁ । ସେ କ୍ରମଶଃ ସବୁ ବିଷୟରେ ନିସ୍ପୃହ ହେଇଯାଏ । ନିଜର କଷ୍ଟ ସଞ୍ଚିତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଗଣ୍ଠିଧନ କରି ବସିରୁହେ; ମାତ୍ର ସେଥିରୁ ମଧ୍ୟ ସେ ଆନନ୍ଦ ପାଏନାହିଁ । ସଂସାରର ଅଧିକାଂଶ ସୁଖ ଦେହଘଷା ହେଇଯିବାରୁ ସେ ସବୁ ସୁଖରୁ କୌଣସି ନୂଆ ଅନୁଭୂତି ତାର ମନ ପ୍ରାଣରେ ଶିହରଣ ଆଣେ ନାହିଁ । ସେସବୁ ସୁଖର ଉପକରଣଗୁଡ଼ିକ ଧରି ଭାବେ, ‘କାହିଁକି ମୋତେ ଆନନ୍ଦ ମିଳୁନାହିଁ ?’ ଜୀବନଟା ତାକୁ ଅସ୍ୱାଦ ଲାଗେ । ଆଧୁନିକ ମଣିଷର ପ୍ରଧାନ ରୋଗ ହେଉଛି, Apathy ଓ Boredom । ମାସଲୋଙ୍କ ମତରେ ମଣିଷ ନିଜର ଆତ୍ମ-ରୂପାୟନର ପ୍ରେରଣାକୁ ଅଗ୍ରାହ୍ୟ କରି ଲୌକିକ ସୁଖ ସ୍ୱାଚ୍ଛନ୍ଦ୍ୟ ନିକଟରେ, ଆତ୍ମ-ବିକ୍ରୟ କରିଥିବାରୁ ଏଭଳି ସଙ୍କଟରେ ପଡ଼ିଛି । ଯେ ଯଦି ସାହସ କରି ପ୍ରଚଳିତ ଚିନ୍ତାଧାରାର ଅର୍ଗଳରୁ ନିଜକୁ ମୁକ୍ତ କରି ନିଜ ଜୀବନର ପ୍ରକୃତ ପଥ ଖୋଜିନିଏ, ତେବେ ଏଇ ପ୍ରକାର ଆତ୍ମ-ସଙ୍କଟରୁ ରକ୍ଷା ପାଇବ ।

 

ଆମ ଦେଶରେ ବହୁ ବ୍ୟକ୍ତି ଜୀବନରେ ଏପରି ଆତ୍ମସଙ୍କଟର ସମ୍ମୁଖୀନ ହେଇ ନିଜର ପୁରାତନ ଜୀବନଧାରାକୁ ପରିତ୍ୟାଗ କରି ନୂତନ ପଥରେ ଆଗେଇ ଯାଇଛନ୍ତି । ବିଳାସୀ ବିଲ୍ୱ ମଙ୍ଗଳ ଭକ୍ତ ସୁରଦାସରେ ପରିଣତ ହୋଇଥିଲେ । ଦସ୍ୟୁ ରତ୍ନାକର ତପସ୍ଵୀ ଵାଲ୍ମୀକି ହୋଇ ମଧ୍ୟ ଶାନ୍ତି ପାଇଲେ ନାହିଁ । ଶେଷରେ କବି ହୋଇ ନିଜର କାବ୍ୟ-କଳ୍ପନାକୁ ରୂପ ଦେଇ ପରିତୃପ୍ତ ହେଲେ । ତପସ୍ଵୀ ଵାଲ୍ମୀକି ଆଧ୍ୟାତ୍ମ ମାର୍ଗରେ ଯାଇ ନିଜର ଚୈତନମୟ ସତ୍ତାକୁ ଉପଲବ୍‍ଧି କରି ଦସ୍ୟୁ-ଜୀବନର ମୋହ-ଅନ୍ଧକାରମୟ ଜୀବନରୁ ମୁକ୍ତି ପାଇଥିଲେ ସତ; ମାତ୍ର ଆଧ୍ୟାତ-ଜୀବନରୁ ସେ ଚରମ ତୃପ୍ତି ପାଇ ନ ଥିଲେ । ଏଇ ତୃପ୍ତି ତାଙ୍କୁ ମିଳିଲା କାବ୍ୟ ରଚନାରୁ ।

 

ବିଖ୍ୟାତ ଫରାସୀ ଚିତ୍ରକର ପଲ ଗଗ୍ୟାଁ ଜଣେ ଧନୀ ବ୍ୟବସାୟୀ ଥିଲେ । ବିଭିନ୍ନ କମ୍ପାନୀର ଶେୟାର ବିକି ବହୁ ଅର୍ଥ ଅର୍ଜନ କରି ପ୍ୟାରିସ୍ ଠାରେ ସେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । ସେ ଜୀବନ ତାଙ୍କୁ ସୁହାଇଲା ନାହିଁ । ମଧ୍ୟ ବୟସରେ ସେ ବ୍ୟବସାୟ, ଘରଦ୍ୱାର, ସ୍ତ୍ରୀ ପିଲା ସବୁ ଛାଡ଼ି ଚାଲିଗଲେ ପ୍ୟାରିସ୍ ଠାରୁ ବହୁ ଦୂରକୁ । ପ୍ରଶାନ୍ତ ମହାସାଗରର ତାହିତି ଦ୍ୱୀପପୁଞ୍ଜରେ ପଲିନେଶୀୟାନ୍ ଲୋକଙ୍କ ସାଙ୍ଗରେ ରହି ସେଠି ସେ ବହୁ ଛବି ଆଙ୍କିଲେ । ଶେଷ ଜୀବନରେ ରୋଗାକ୍ରାନ୍ତ ହେଇ କପର୍ଦକହୀନ ଅବସ୍ଥାରେ ପ୍ରାଣତ୍ୟାଗ କଲେ । ବଞ୍ଚିଥିବା ସମୟରେ ଚିତ୍ରକର ହିସାବରେ ସେ ବିଶେଷ ଖ୍ୟାତି ବା ମର୍ଯ୍ୟାଦା ପାଇ ନ ଥିଲେ । ମାତ୍ର ନିଜର ମନମୁତାବକ ବଞ୍ଚିରହିବା ଲାଗି ସେ ଦେଶ, ସମାଜ, ଧନ, ମାନ ଖ୍ୟାତି ସବୁ ଛାଡ଼ିଲେ ।

 

ନିଜର ଅନ୍ତର୍ନିହିତ ବାସନା ଅନୁସାରେ ଜୀବନକୁ ରୂପ ଦେବାର ଆକାଂକ୍ଷା ସବୁ ଦେଶରେ ସବୁ ଯୁଗର ମଣିଷଠାରେ ଦେଖାଯାଇଛି । ଯେତେବେଳେ ଏଇ ବାସନା ଜୀବନରେ ରୂପାୟତ ହେବାର ସୁଯୋଗ ନ ପାଏ, ସେତେବେଳେ ମଣିଷ ଦିଗଭ୍ରାନ୍ତ ହୋଇ ନିରର୍ଥକ ଜୀବନ ବିତାଏ । ଯିଏ ଏଇ ଅନ୍ତର୍ନିହିତ ପ୍ରେରଣାକୁ ଉପଲବ୍ ଧି କରିପାରିଛି ତାର ପ୍ରାଣ ସଦା ଜାଗ୍ରତ । ଅନିର୍ବାଣ ଦୀପଶିଖା ପରି ତାର ମନକୁ ଏହି ପ୍ରେରଣା ସଦାସର୍ବଦା ଉର୍ଦ୍ଧ୍ୱମୁଖୀ କରି ରଖେ । ଫଳରେ ମଣିଷ ପ୍ରାତ୍ୟହିକ ଜୀବନର ତୁଚ୍ଛତାରୁ ନିଜକୁ ମୁକ୍ତ କରି ବୃହତ୍ ଜୀବନର କଳ୍ପନା କରିଥାଏ । ମାସ୍‌ଲୋଙ୍କ ମତରେ ଆଧୁନିକ ମାନବ ନିଜ ଜୀବନର ଏଇ ଅନୁପ୍ରେରଣାକୁ ଯେତେ ସାର୍ଥକ ଭାବରେ ରୂପାୟିତ କରିପାରିବ, ସେତେ ସେ ଜୀବନରେ ପରିତୃପ୍ତ ହେବ ।

 

ବର୍ତ୍ତମାନ ପ୍ରଶ୍ନ ଉଠିବ ଯେ–କଣ କଲେ ପିଲାଙ୍କୁ ଏପରି ସୁସ୍ଥ, ସୃଜନଶୀଳ ବ୍ୟକ୍ତିତ୍ୱର ଅଧିକାରୀ କରିହେବ ?

 

ମାସ୍‍ଲୋ ଏରିକ୍‍ସନ୍ ବା ଅନ୍ୟ ମନୋବିଜ୍ଞାନୀମାନେ ନିଜ ଗବେଷଣାରୁ ପିଲା ବଢ଼ାଇବା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଅଭ୍ରାନ୍ତ ଉପାୟ କଥା କହି ନାହାନ୍ତି । ଏହାର କାରଣ ହେଉଛି ପିଲାର ବ୍ୟକ୍ତିତ୍ଵ ୧–ନିଜର ପରିବେଷ୍ଟନୀର ପ୍ରଭାବ, ୨–ପିଲାର ବ୍ୟବହାର ଓ ୩–ପିଲା-ପ୍ରତି ଘରଲୋକଙ୍କର ପ୍ରତି ବ୍ୟବହାର ପରି ବିଭିନ୍ନ ବିଷୟର କ୍ରିୟା ପ୍ରତିକ୍ରିୟା ଅନୁସାରେ ଗଢ଼ି ଉଠେ । ଏଥିମଧ୍ୟରୁ କୌଣସି ଦିଗଟି ମଣିଷର ସମ୍ପୂର୍ଣ୍ଣ ଆୟତ୍ତାଧୀନ ନୁହେଁ ।

 

୧ । ଦସ୍ୟୁ-ସମାଜରେ ଯେଉଁ ପିଲା ବଡ଼ ହୁଏ ସେ ଦସ୍ୟୁଭାବାପନ୍ନ ହୋଇ ବଢ଼େ । ସେହିପରି ସଭ୍ୟ ଓ ସଂସ୍କୃତିଶୀଳ ସମାଜରେ ବଢ଼ିଥିବା ପିଲା ସୁସଭ୍ୟ ଓ ଶିଷ୍ଟାଚାରୀ ହୋଇ ବଢ଼େ-। ଯେଉଁ ପିଲା ବସ୍ତିରେ ରହି ଅସମାଜିକ ଲୋକଙ୍କ ମେଳରେ ବଢ଼େ, ତା’ର ଅସାମାଜିକ ହେବାର ସମ୍ଭାବନା ଅଧିକ । ଏଠି ଘରଲୋକ ଚାହିଁଲେ ମଧ୍ୟ ପିଲାକୁ ପରିବେଷ୍ଟନୀର ପ୍ରଭାବରୁ ମୁକ୍ତ କରି ପାରନ୍ତି ନାହିଁ ।

 

୨ । ପିଲା ଯଦି ନିର୍ବୁଧିଆ ହୋଇ ଜନ୍ମ ହେଇଥାଏ, ତେବେ ସେ ବହୁତ କଥା ଶିଖି ପାରେ ନାହିଁ । ମସ୍ତିସ୍କରେ କ୍ଷତ ହେବା ଯୋଗୁଁ ତା’ର ବ୍ୟବହାର ତ୍ରୁଟିପୂର୍ଣ୍ଣ ହେଲେ ସେପରି ତ୍ରୁଟିକୁ ବାପା ମାଆ ଯତ୍ନଆଦର କରି ଦୂର କରି ପାରନ୍ତି ନାହିଁ । ସେଥିପାଇଁ ଅନ୍ୟ ପ୍ରକାର ଯତ୍ନ ଲୋଡ଼ା । ପିଲା ଖୁସୀବାସିଆ ହୋଇଥିଲେ ସମସ୍ତେ ତାକୁ ଆଦର କରନ୍ତି । ସୁନ୍ଦର ପିଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ, କାମ୍ୟ ସନ୍ତାନ ହୋଇଥିଲେ ବିଶେଷ ଯତ୍ନ ପାଏ । ଅନ୍ୟ ପକ୍ଷରେ, ପିଲା ଯଦି ଅସୁନ୍ଦର କାନ୍ଦୁରା ବା ଅବାଞ୍ଛିତ ହୋଇ ଜନ୍ମେ ତେବେ ସେ ହତାଦର ପାଏ । ଏପରି ପିଲାକୁ ହତାଦର କରିବା ଅନୁଚିତ ଜାଣି ମଧ୍ୟ ଲୋକେ ତାକୁ ହତାଦର କରିଥାନ୍ତି, ତା’ଠାରେ କାଳ୍ପନିକ ଦୋଷ ଆରୋପ କରନ୍ତି । ତେଣୁ ପିଲାର ସାମର୍ଥ୍ୟ, ରୂପ, ଗୁଣ ଏସବୁ ମୂଳରୁ ତାର ବ୍ୟକ୍ତିତ୍ୱର ରୂପରେଖକୁ ପ୍ରଭାବିତ କରେ ।

 

୩ । ଘରଲୋକ ଗତାନୁଗତିକ ଭାବରେ ପିଲା ସହିତ ବ୍ୟବହାର କରନ୍ତି । ନିଜ ବ୍ୟବହାରର ଫଳ କ’ଣ ହେଉଛି ସେକଥା ଭାବନ୍ତି ନାହିଁ । ଯଥା–ମାଆ ପିଲା ପ୍ରତି ଅତ୍ୟନ୍ତ ଯତ୍ନଶୀଳା ହୋଇ, ପିଲାକୁ ସବୁ କଥାରେ ସାହାଯ୍ୟ କରିବା ଫଳରେ ପିଲା ନିଶ୍ଚେଷ୍ଟ ହୋଇଯାଏ । ଅଥଚ ମାଆ ଚାହେଁ ଯେ ତା ପିଲା ଅନ୍ୟ ପିଲାଙ୍କ ପରି ଉଦ୍ୟମୀ ହେଉ । ସେ ନିଜେ ପିଲାର କୌଣସି ଉଦ୍ୟମକୁ ପରିସ୍ଫୁଟ ହେବାର ସୁଯୋଗ ଦେଉନାହାନ୍ତି ବୋଲି ଭାବିପାରନ୍ତି ନାହିଁ ।

 

ଏହିପରି ଅଧିକାଂଶ ମାଆ ପିଲାକୁ ଶିଷ୍ଟାଚାର ଶିଖାଇବା ପାଇଁ ଏତେ ବ୍ୟସ୍ତ ଯେ ପିଲାର ପ୍ରତିଟି କଥା ଓ କାମକୁ ସବୁବେଳେ ବାରନ୍ତି । ଫଳରେ ପିଲା ଶିଷ୍ଟାଚାର ତ ଶିଖେ ନାହିଁ, ମାଆ ଉପରେ ବିରକ୍ତ ହୋଇ ସଦାସର୍ବଦା ରୁହେ । ସବୁବେଳେ ନିଜ କାମର ସମାଲୋଚନା ଶୁଣି ଶୁଣି କ୍ରମଶଃ ନିଜ ଉପରୁ ଆସ୍ଥା ହରାଏ । କାଳେ ନିଜର ଆଚାର ବ୍ୟବହାରରେ ଭୁଲ୍ ରହିବ ସେକଥା ଆଶଙ୍କା କରି ଅନ୍ୟ ଲୋକଙ୍କ ସାମ୍ନାକୁ ଆସେ ନାହିଁ । ଆସିଲେ ମଧ୍ୟ କଥାବାର୍ତ୍ତା ନ କହି ଚୁପ୍ ଚାପ୍ ବସି ରୁହେ । ମାଆ ଯେତେ ମନକଲେ ମଧ୍ୟ ଏପରି ପିଲା କଦାପି ସପ୍ରତିଭ, ମେଳାପୀ ବା ଖୁସୀବାସିଆ ପ୍ରକୃତିର ହେବେ ନାହିଁ ।

 

ଏହିସବୁ କାରଣ ଯୋଗୁଁ ପିଲା ବଢ଼ାଇବାର କୌଣସି ଧରାବନ୍ଧା ଉପାୟ ଏଯାକେ ନିର୍ଣ୍ଣୟ ହୋଇନାହିଁ । ମନେ ରଖିବା କଥା ଯେ ବ୍ୟକ୍ତିତ୍ୱର ବିକାଶ ଆରମ୍ଭ ହୁଏ ଶୈଶବ କାଳରୁ । ଏଥିଲାଗି କୈଶୋର କାଳରେ ବ୍ୟକ୍ତିତ୍ୱର ରୂପରେଖ ବଦଳେଇବାକୁ ଚେଷ୍ଟା କଲେ ତାହା ବିଶେଷ ଫଳପ୍ରଦ ହୁଏନାହିଁ । ବାପା ମାଆ ଯଦି ବିଚାରବନ୍ତ ହୋଇ ଶୈଶବରୁ ହିଁ ଶିଶୁର ସର୍ବାଙ୍ଗୀନ ବିକାଶ ପ୍ରତି ଯତ୍ନବାନ୍ ହୁଅନ୍ତି ତା ହେଲେ ପରବର୍ତ୍ତୀ ଜୀବନରେ ସେ ସୁସ୍ଥ ବ୍ୟକ୍ତିତ୍ୱର ଅଧିକାରୀ ହେବ ।

Image

 

Unknown

ନାରୀ ଓ ପୁରୁଷର ବ୍ୟକ୍ତିତ୍ୱରେ ପ୍ରଭେଦ ପରିପ୍ରେକ୍ଷୀରେ ଶିଶୁ

 

ପୃଥିବୀର ସବୁ ଦେଶରେ ନାରୀ ଓ ପୁରୁଷର ବ୍ୟକ୍ତିତ୍ଵରେ ପ୍ରଭେଦ ରହିଥାଏ । ନାରୀ ଓ ପୁରୁଷର ଶାରିରୀକ ପାର୍ଥକ୍ୟ ଅନୁସାରେ ସେମାନେ ଭିନ୍ନ ଭିନ୍ନ କାମ କରନ୍ତି । ସନ୍ତାନ ଧାରଣ ଓ ସନ୍ତାନ ପାଳନ ନାରୀର ମୁଖ୍ୟ ଦାୟିତ୍ଵ ଏବଂ ସ୍ତ୍ରୀ ଓ ସନ୍ତାନର ପୋଷଣ ଦାୟିତ୍ୱ ପୁରୁଷର । ଏ ନିୟମର ବ୍ୟତିକ୍ରମ ରହିଛି । ଅଧିକାଂଶ ଦେଶରେ ଶିଳ୍ପ ଵିପ୍ଳବ ଆରମ୍ଭ ନ ହେବା ପର୍ଯ୍ୟନ୍ତ ସ୍ତ୍ରୀ ଓ ପୁରୁଷଙ୍କ ଜୀବନ ଏଇ ଧାରାରେ ଗତି କରୁଥିଲା । ପରିବାର ଏବଂ ବୃହତ୍ତର ସମାଜରେ ସେମାନଙ୍କର ଭୂମିକା ସ୍ୱତନ୍ତ୍ର ଥିବାରୁ ସେମାନଙ୍କର ବ୍ୟକ୍ତିତ୍ୱ ମଧ୍ୟ ସେହି ଅନୁସାରେ ରୂପ ନେଉଥିଲା । ସ୍ଵଭାବ ଓ ବ୍ୟକ୍ତିତ୍ୱରେ ଯେଉଁ ନର-ନାରୀ ସୁଲଭ ପାର୍ଥକ୍ୟ ଦେଖାଯାଏ, ସେ ପାର୍ଥକ୍ୟକୁ ସମାଜ ଆହୁରି ପରିସ୍ଫୁଟ କରି ତୋଳେ । ସମାଜର ଚାହିଦା ହେଉଛି ନାରୀ ନାରୀଭାବାପନ୍ନ ଓ ପୁରୁଷ ପୁରୁଷ-ଭାବାପନ୍ନ ହୋଇ ବଢ଼ନ୍ତୁ, ତା’ହେଲେ ଯାଇଁ ସମାଜିକ ଜୀବନଯାତ୍ରା ସୁରୁଖୁରୁରେ ଚଳିବ । ଏହାର ବ୍ୟତିକ୍ରମ ହେଲେ ନାରୀ ଓ ପୁରୁଷର ବ୍ୟକ୍ତିଗତ ତଥା ସାମାଜିକ ସମ୍ପର୍କରେ ବିଭ୍ରାନ୍ତିର ସୃଷ୍ଟି ହେବ ବୋଲି ଆଶଙ୍କା କରି ସମାଜ ନାରୀଭାବାପନ୍ନ ପୁରୁଷ ବା ପୁରୁଷଭାବାପନ୍ନ ନାରୀକୁ ସହ୍ୟ କରେ ନାହିଁ । ଏଇ ପ୍ରସଙ୍ଗରେ ମହାଭାରତର ଚିତ୍ରାଙ୍ଗଦା ଓ ଅର୍ଜ୍ଜୁନ ପ୍ରସଙ୍ଗ ଉଲ୍ଲେଖଯୋଗ୍ୟ ।

 

ମଣିପୁର ରାଜା ପୁତ୍ରହୀନ ହୋଇଥିବାରୁ ସେ କନ୍ୟା ଚିତ୍ରାଙ୍ଗଦାକୁ ରାଜ୍ୟର ଉତ୍ତରାଧିକାରିଣୀ ରୂପେ ମନୋନୀତ କରି, ତାଙ୍କୁ ଜନ୍ମରୁ ରାଜପୁତ୍ର-ତୁଲ୍ୟ ଶିକ୍ଷାଦୀକ୍ଷା ଦେଇ ବଡ଼ କଲେ । ଫଳରେ ଚିତ୍ରାଙ୍ଗଦା ହେଲେ ଅନ୍ତରରେ ନାରୀ ମାତ୍ର ବାହାରେ ପୁରୁଷସ୍ଵଭାବୀ, ତେଜସ୍ୱୀ, ଯୁଦ୍ଧନିପୁଣା । ଚିତ୍ରଙ୍ଗଦା ଥିଲେ ମଣିପୁରର ପ୍ରଜାକୁଳର ଅଭୟ ଦାତ୍ରୀ । ମୃଗୟାକାଳରେ ଅରଣ୍ୟରେ ବ୍ରହ୍ମଚାରୀ ଅର୍ଜୁନଙ୍କୁ ଦେଖି ସେ ମୁଗ୍ଧ ହେଲେ । ପ୍ରଣୟ ନିବେଦନ କଲେ, ମାତ୍ର ପୌରୁଷମୟୀ ରାଜକନ୍ୟାଙ୍କ ପ୍ରତି କୌଣସି ଆକର୍ଷଣ ଅର୍ଜୁନ ଅନୁଭବ କଲେନାହିଁ । ନିଜର ବ୍ରହ୍ମଚର୍ଯ୍ୟ ବ୍ରତର ଉଲ୍ଲେଖ କରି ସେ ଚିତ୍ରଙ୍ଗଦାଙ୍କୁ ସମ୍ମାନରେ ପ୍ରତ୍ୟାଖ୍ୟାନ କଲେ । ଅପମାନିତା ଚିତ୍ରାଙ୍ଗଦା କାମଦେବଙ୍କୁ ପୂଜା କରି ଅପୂର୍ବ ରୂପ ଲାବଣ୍ୟର ଅଧିକାରିଣୀ ହୋଇ ଅର୍ଜୁନଙ୍କର ବ୍ରହ୍ମଚର୍ଯ୍ୟ ଭଙ୍ଗ କଲେ ଓ ପ୍ରଣୟ ଶୃଙ୍ଖଳରେ ଅର୍ଜୁନଙ୍କୁ ବନ୍ଦୀ କରି ପ୍ରତିଶୋଧ ନେଇଥିଲେ । ଏହି ଉପାଖ୍ୟାନରୁ ସୂଚିତ ହୁଏ ଯେ, ନାରୀର ପାରିବାପଣ ଅପେକ୍ଷା ରୂପ ଲାଳିତ୍ୟ ହିଁ ପୁରୁଷକୁ ଅଧିକ ଆକୃଷ୍ଟ କରେ । ଏ କଥା ଏବେ ମଧ୍ୟ ସତ । ପୌରୁଷମୟୀ ନାରୀ ଯେପରି ସମାଜ ଆଖିରେ ଅନାକର୍ଷଣୀୟ, ସେହିପରି ନାରୀଭାବାପନ୍ନ ପୁରୁଷ ମଧ୍ୟ ଅନାକର୍ଷଣୀୟ ବୋଲି ବିବେଚିତ ହୁଏ । ନାରୀ-ଭାବାପନ୍ନ ପୁରୁଷ ପ୍ରତି ତା ସ୍ତ୍ରୀର ମଧ୍ୟ ବିତୃଷ୍ଣା ଭାବ ଜନ୍ମେ । ପୁଅ ବାପାକୁ ଦେଖି ଗୌରବବୋଧ କରେ ନାହିଁ; ପିତୃ ପରିଚୟ ଦେବାକୁ କୁଣ୍ଠାବୋଧ କରେ । ଏପରି ବାପା ପ୍ରତି ଝିଅର ମଧ୍ୟ ବେଖାତିର ମନୋଭାବ ହୁଏ । ସେ ବାପାକୁ ମଣିଷ ବୋଲି ଗଣେନା ଓ ପରବର୍ତ୍ତୀ ଜୀବନରେ ପୁରୁଷଲୋକଙ୍କ ପ୍ରତି ତାତ୍ସଲ୍ୟପୂର୍ଣ୍ଣ ମନୋଭାବ ପୋଷଣ କରେ । ଵିବାହ ପରେ ନିଜ ସ୍ୱାମୀ ସହିତ ପ୍ରୀତିର ସମ୍ପର୍କ ନ ଗଢ଼ି ସ୍ୱାମୀ ଉପରେ ନିଜର ଆଧିପତ୍ୟ ଓ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହେଁ । ଏପରି ନାରୀର ପୁତ୍ର କନ୍ୟାଙ୍କର ଚରିତ୍ରରେ ମଧ୍ୟ ବିଭ୍ରାଟ ଦେଖାଯାଏ । ଏହିସବୁ କାରଣ ଲାଗି ସମାଜ ଚାହେଁ ଯେ ନର ଓ ନାରୀ ନିଜ ନିଜ ଧାରାରେ ବଢ଼ନ୍ତୁ ।

 

କାହିଁକି ନରନାରୀଙ୍କର ବ୍ୟକ୍ତିତ୍ୱରେ ବ୍ୟତିକ୍ରମ ଦେଖାଯାଏ ?

 

ନାରୀର ପୁରୁଷ ଭାବ ଓ ପୁରୁଷର ନାରୀ ଭାବ ବିଭିନ୍ନ କାରଣର ଜଟିଳ ସମାବେଶ ଫଳରେ ଘଟିଥାଏ । ଏହି କାରଣ ମଧ୍ୟରୁ ଶାରିରୀକ କାରଣ ଗୋଟିଏ ।

 

ଅନେକ ସମୟରେ ଦେହର ଗଠଣରେ ତ୍ରୁଟି ଥିବାରୁ ଅର୍ଦ୍ଧଗଠିତ ଯୌନାଙ୍ଗ ଥାଇ ପିଲା ଜନ୍ମ ହେବାର ଦେଖାଯାଏ । ଏପରି ପିଲାଙ୍କୁ ପୁଅ ପରି ଲୁଗାପଟା ପିନ୍ଧାଇ ପୁଅ ଭାବି ସେହି ଅନୁସାରେ ବଢ଼ାଇଲେ ସେମାନେ ନିଜକୁ ପୁରୁଷ ମଣି ବଡ଼ ହୁଅନ୍ତି । ଅନ୍ୟପକ୍ଷରେ, ଝିଅ ପରି ବଢ଼ାଇଲେ କ୍ଳୀବ ପିଲା ନିଜକୁ ଝିଅ ଭାବି ବଢ଼ିଉଠେ । ଚାରି ପାଞ୍ଚବର୍ଷ ବୟସରେ ପିଲାମାନେ ନିଜ ଯୌନାଙ୍ଗର ସମ୍ପୂର୍ଣ୍ଣ ଅର୍ଥ ବୁଝି ନଥାନ୍ତି । ବେଶଭୂଷା, କଥାବାର୍ତ୍ତା, ଢଙ୍ଗଢାଙ୍ଗର ତଫାତ୍ ଅନୁସାରେ ସ୍ତ୍ରୀ ପୁରୁଷର ଭେଦ ଜାଣନ୍ତି । ନିଜେ ପୁଅପରି ଲୁଗା ପିନ୍ଧିଥିଲେ, ପୁଅ ବୋଲି ଲୋକେ ଡାକିଲେ, ନିଜର ନାଆଁ ପୁରୁଷ ଲୋକର ନାଆଁ ପରି ହେଲେ ସେ ନିଜକୁ ପୁରୁଷ ଭାବେ । ପରିବାରର ଅନ୍ୟ ପୁରୁଷ ଲୋକଙ୍କର ଚାଲିଚଳଣ, କଥାବାର୍ତ୍ତା ଅନୁକରଣ କରି ବଢ଼େ । ପୁରୁଷ ପରି ବ୍ୟବହାର କରେ, ପୁରୁଷର ଆଦର୍ଶ ଓ ଲକ୍ଷ୍ୟ ଅନୁସାରେ ନିଜ ଜୀବନ ଗଢ଼େ । ବଡ଼ ହେଲାପରେ ଅସ୍ତ୍ର-ଚିକିତ୍ସା ସାହାଯ୍ୟରେ ନିଜ ଦେହକୁ ସଜାଡ଼ିବା ପାଇଁ ଏଭଳି ଲୋକ ଆଗ୍ରହ ପ୍ରକାଶ କରନ୍ତି । ଯିଏ ନିଜକୁ ପୁରୁଷ ଭାବି ବଢ଼ିଥାଏ ସେ ଡାକ୍ତରକୁ ପୁରୁଷ ଅଙ୍ଗ ପାଇଁ ଅନୁରୋଧ କରେ ଓ ଯେ ନିଜକୁ ସ୍ତ୍ରୀ ଭାବି ବଢ଼ିଥାଏ ସେ ସ୍ତ୍ରୀ ଅଙ୍ଗପାଇଁ ଅନୁରୋଧ କରେ । ଏଥିରୁ ଦେଖାଯାଉଛି ଯେ ସ୍ତ୍ରୀ ଭାବ ଓ ପୁରୁଷ ଭାବ ସବୁବେଳେ ଦେହର ଗଠଣ ଉପରେ ନିର୍ଭର କରେନାହିଁ । ଏପରି ପିଲାକୁ କ୍ଳୀବ କହି ଯଦି ମୂଳରୁ ସେହି ଅନୁସାରେ ବଢ଼ାଯାଏ ତା’ହେଲେ ସେ କ୍ଳୀବ ପରି ବଢ଼େ ।

 

ଏଭଳି କ୍ଷେତ୍ରରେ ମଧ୍ୟ ଦେଖାଯାଉଛି ଯେ କ୍ଳୀବ ପରି ବଢ଼ିବାର ଅର୍ଥ ହେଉଛି ବେଶଭୂଷାର ପରିବର୍ତ୍ତନ । ନିଜକୁ ସ୍ତ୍ରୀ ବୋଲି ଭାବୁଥିଲେ ପୁରୁଷ ପରି ଦେହର ଗଠଣ ହେଲେ ମଧ୍ୟ ସେ ସ୍ତ୍ରୀର ବେଶ ପୋଷାକ ପିନ୍ଧେ ଓ ଦେହର ଗଠଣ ସ୍ତ୍ରୀ ଦେହପରି କୃଶ, କୋମଳ ଓ ସୁକୁମାର ହେଲେ ମଧ୍ୟ ସେ ପୁରୁଷ ବେଶ ପିନ୍ଧେ । ବିରାଟ ପର୍ବରେ ଅର୍ଜୁନ କ୍ଳୀବ ବୃହନ୍ନଳା ରୂପରେ ନର୍ତ୍ତକୀର ବେଶ ପିନ୍ଧିଥିଲେ । ଏବେ ମଧ୍ୟ ରେଳ ଷ୍ଟେସନରେ, ହାଟ ବଜାରରେ ଏଭଳି ସ୍ତ୍ରୀ ବେଶ ହୋଇଥିବା ପୁରୁଷଲୋକ ନାଚି ପଇସା ମାଗୁଥିବାର ଦେଖାଯାଏ ।

 

ବଡ଼ ହେବା ସହିତ ପିଲା ଶରୀରର ଗଠନ ବିଷୟରେ ସଚେତନ ହୁଏ । ଯଦି ଅସ୍ତ୍ର ଚିକିତ୍ସା ଦ୍ୱାରା ଏଭଳି ତ୍ରୁଟି ସଂଶୋଧନ ନ ହୁଏ ତା’ହେଲେ ତା’ର ସ୍ଵଭାବ ଓ ବ୍ୟକ୍ତିତ୍ଵରେ ପରିବର୍ତ୍ତନ ଦେଖାଯିବ । ଦେହର ଖୁଣ ଯୋଗୁଁ ସେ ନିଜକୁ ଅଭୁତ ବୋଲି ଭାବିବାକୁ ଆରମ୍ଭ କରେ-। ଅନ୍ୟମାନଙ୍କ ଠାରୁ ନିଜକୁ ଛୋଟ ଭାବେ । ସ୍ଵାଭାବିକ ଜୀବନଯାତ୍ରାର ଅଧିକାରରୁ ବଞ୍ଚିତ ହୋଇଥିବାରୁ ସଂସାର ଉପରେ ଆକ୍ରୋଶ ଜନ୍ମେ । ନିଜପ୍ରତି ମନରେ କ୍ଷୋଭ ଓ ବିରକ୍ତିବୋଧ ବଢ଼େ । ଜୀବନ ନିଷ୍ଫଳ ମଣି କେତେକ ବିଷାଦ ଓ ଦୁଃଖରେ ଘାରି ହେଇ ନିଜ ଜୀବନ ନଷ୍ଟ କରି ଦିଅନ୍ତି । ଯାହା ମନରେ ଆକ୍ରୋଶଭାବ ବେଶୀ ସେ କ୍ଷମତାଲୋଭୀ ଓ ଅତ୍ୟାଚାରୀ ହୋଇଉଠେ । ନିଜେ ଯୌନ ସଙ୍ଗମରେ ଅକ୍ଷମ ହୋଇଥିବା ହେତୁ ଏପରି ଲୋକ ଯଦି ଅପରାଧୀ ପାଲଟେ ଓ ନରହନ୍ତା ହୁଏ, ତେବେ ପୁରୁଷକୁ ହତ୍ୟା କରି ତା’ର ଯୌନାଙ୍ଗ କାଟି ପକାଏ । ପୂର୍ବେ ପାରସ୍ୟ ଓ ଚୀନ୍‍ର ରାଜପ୍ରାସାଦରେ ନପୁଂସକମାନେ ରାଜ ଅନ୍ତଃପୁରର ରକ୍ଷକ ହିସାବରେ ନିଯୁକ୍ତ ହେଉଥିଲେ । ପ୍ରାଚୀନ ପାରସ୍ୟର ଇତିହାସରେ ଏଇ ନପୁଂସକ ରାଜକର୍ମଚାରୀମାନଙ୍କର ପ୍ରତାପ ଓ ଅତ୍ୟାଚାରୀ ମନୋବୃତ୍ତିର କାହାଣୀ ଗ୍ରୀକ୍ ଐତିହାସିକମାନେ ଲେଖିଛନ୍ତି । ସେହିପରି ଚୀନ ଇତିହାସରେ ମାଞ୍ଚୁ ସାମ୍ରାଜ୍ୟର ପତନ କାଳରେ ଏପରି ନପୁଂସକ ରାଜକର୍ମଚାରୀମାନେ ଅନ୍ୟ ସ୍ୱାଭାବିକ ରାଜପୁରୁଷଙ୍କ ପ୍ରତି ବ୍ୟକ୍ତିଗତ ଯୌନଆକ୍ରୋଶ ହେତୁ ଚକ୍ରାନ୍ତ କରି ମାଞ୍ଚୁ ସାମ୍ରାଜ୍ୟର ପତନ କିପରି ତ୍ୱରାନ୍ୱିତ କରିଥିଲେ ସେ କାହାଣୀ ବିଭିନ୍ନ ଐତିହାସିକ ଉଲ୍ଲେଖ କରିଛନ୍ତି ।

 

ଅଧିକାଂଶ ଲୋକଙ୍କର ଧାରଣା ଯେ ନପୁଂସକମାନଙ୍କର ଯୌନ କାମନା ନଥାଏ । ଏଇ ଧାରଣା ଭୁଲ୍ । ମଣିଷର ଯୌନ-କାମନା ଦେହ ଭିତରର ଯୌନଗ୍ରନ୍ଥିର କ୍ଷରଣର ପରିମାଣ ଅନୁସାରେ ନିୟନ୍ତ୍ରିତ ହୋଇଥାଏ । ସେଥିଲାଗି ଯିଏ ଜନ୍ମ ହେଲାପରେ ନପୁଂସକ ହୋଇଥାଏ ସେ ସ୍ଵାଭାବିକ ଲୋକ ପରି ଯୌନ-କାମନା ଅନୁଭବ କରେ । ଅନ୍ୟପକ୍ଷରେ କେତେକ ପୁରୁଷଙ୍କ ବାହାର ଦେହରେ କୌଣସି ତ୍ରୁଟୀ ନ ଥାଏ ମାତ୍ର ଦେହ ଭିତରେ ଯଦି କୌଣସି କାରଣ ଯୋଗୁଁ ପୁରୁଷ ହରମୋନ୍ ରସର କ୍ଷରଣ କମ୍ ହୁଏ ତାହାହେଲେ ସେମାନେ ବିଶେଷ ଯୌନ ଉତ୍ତେଜନା ଅନୁଭବ କରନ୍ତି ନାହିଁ ଓ ଅନେକ ସମୟରେ ଯୌନ କ୍ରିୟାରେ ଅସମର୍ଥ ହୁଅନ୍ତି । ଏହି ଗ୍ରନ୍ଥିର କ୍ଷରଣ ଅନୁସାରେ ପୁରୁଷର ନିଶ ଦାଢ଼ି ଓ ଦେହରେ କେଶରାଶିର ଉଦଭବ ହୁଏ । ପୁରୁଷ ସୁଲଭ, ତେଜସ୍ଵୀ ଓ ଆକ୍ରମଣକାରୀ ମନୋବୃତ୍ତି ମଧ୍ୟ ଏହି ହରମୋନ୍‍ର ପ୍ରଭାବରୁ ବଢ଼େ । ସେଥିଲାଗି ଯଦି କୌଣସି କାରଣରୁ ଏହି ହରମୋନ୍‍ର କ୍ଷରଣରେ ବିଭ୍ରାଟ ଘଟେ ତା’ହେଲେ ପୁରୁଷର ସ୍ୱଭାବ ଓ ବ୍ୟକ୍ତିତ୍ୱରେ ବିପର୍ଯ୍ୟୟ ଘଟେ । କେତେକ ପାଶ୍ଚାତ୍ୟ ଦେଶରେ ଯୌନ-ଅପରାଧୀମାନେ ନିଜ ଇଚ୍ଛାରେ ହରମୋନ୍ ଚିକିତ୍ସା ଦ୍ୱାରା ନିଜର ଅଣାୟତ୍ତ ଯୌନ କାମନା କମାଇବାକୁ ସମର୍ଥ ହେଇଛନ୍ତି । ମାତ୍ର ଏଭଳି ଚିକିତ୍ସା ପରୀକ୍ଷାମୂଳକ ହେଇଥିବାରୁ କେବଳ ହତ୍ୟାକାରୀ ଧର୍ଷକକୁ ଏଇ ଉପାୟରେ ଚିକିତ୍ସା କରାଯାଏ ।

(Estorgen) ଏସଟ୍ରୋଜେନ୍ ହେଉଛି ନାରୀତ୍ୱର ନିୟନ୍ତ୍ରକ ହରମୋନ୍ । ଏହି ହରମୋନ୍‍ର ଅଭାବ ହେଲେ ନାରୀଠାରେ ସ୍ତନର ଉଦଗମ ହେବନାହିଁ । ନାରୀ ରଜସ୍ୱଳା ହେବନାହିଁ କିମ୍ୱା ନାରୀର ଡିମ୍ୱକୋଷରୁ ଡିମ୍ୱାଣୁ ନିର୍ଗତ ହେବନାହିଁ । ଫଳରେ ନାରୀ ସ୍ୱାଭାବିକ ଭାବରେ ଯୋନି ଥାଇ ଜନ୍ମ ହେଲେ ମଧ୍ୟ ଏହି ହରମୋନ କ୍ଷରଣରେ ଗଣ୍ଡଗୋଳ ହେଲେ ସେ ଦେହ ଓ ମନରେ ବାଳିକା ହୋଇ ଚିରଦିନ ରହିଯାଇପାରେ ।

ପରୀକ୍ଷାମୂଳକ ଭାବେ ଦେଖାଯାଇଛି ଯେ ପୁରୁଷ ଦେହରେ ସ୍ତ୍ରୀ ହରମୋନ୍ ସଞ୍ଚାର କଲେ ତା ମୁହଁରୁ ଦାଢ଼ି ନିଶ ଉଭେଇଯାଏ, ସ୍ତନ ବଢ଼ିବାକୁ ଆରମ୍ଭ କରେ, କଣ୍ଠସ୍ୱରରେ ପରିବର୍ତ୍ତନ ହୁଏ । ସ୍ତ୍ରୀ-ହରମୋନ୍ ଯୋଗୁଁ ସ୍ତ୍ରୀଲେକେ ଚନ୍ଦା ହୁଅନ୍ତି ନାହିଁ । ତେଣୁ କେତେକ ଚନ୍ଦା ହୋଇଥିବା ପୁରୁଷ ମୁଣ୍ଡରେ ପୁଣି ବାଳ ହେବ ବୋଲି ଆଶାକରି ହରମୋନ ଚିକିତ୍ସା କରିବା ଫଳରେ ମୁଣ୍ଡରେ ଅଳ୍ପ ବାଳ ବଢ଼େ ସତ, ମାତ୍ର ସେମାନଙ୍କଠାରେ ଅନ୍ୟାନ୍ୟ ନାରୀସୁଲଭ ଲକ୍ଷଣମାନ ମଧ୍ୟ ଦେଖାଯାଏ । ପୁରୁଷ-ହରମୋନ୍ ପ୍ରୟୋଗ କରି ନାରୀର ପୁରୁଷସୁଲଭ ଦୈହିକ ଗଠଣ ସୃଷ୍ଟି କରିବା ସମ୍ଭବ ହୋଇଛି । ଅଲିମ୍ପିକ ଗେମ୍‌ସ୍ ବା ସେହିପରି ପ୍ରତିଯୋଗୀତାମୂଳକ ଖେଳରେ ଭାଗ ନେଉଥିବା ନାରୀଖେଳୁଆଡ଼ମାନେ ଏହି ଉପାୟରେ ଦୌଡ଼ିବା, ପହଁରିବା ଇତ୍ୟାଦି ବିଷୟରେ ନିଜର ଉତ୍କର୍ଷ ବଢ଼ାଇଥାନ୍ତି । ଏଭଳି ହରମୋନର ପ୍ରଯୋଗ ବିପଦଜନକ । କାରଣ ଏହା ଫଳରେ କେବଳ ଦେହର ପରିବର୍ତ୍ତନ ହୁଏ ନାହିଁ, ମନ, ସ୍ଵଭାବ ଓ ବ୍ୟକ୍ତିତ୍ୱରେ ମଧ୍ୟ ପରିବର୍ଭନ ଘଟେ । ଦୀର୍ଘକାଳ ବ୍ୟବହାର ଫଳରେ କଣ କ୍ଷତି ହୁଏ, ସେ କଥା କେହି ସଠିକ ଭାବରେ ଜାଣନ୍ତି ନାହିଁ । ସେଥିଲାଗି ହରମୋନ୍ ବିଶେଷଜ୍ଞ ଚିକିତ୍ସକଙ୍କ ଛଡ଼ା ଅନ୍ୟ କାହାଦ୍ୱାରା ଏପରି ଚିକିତ୍ସା କରିବା ଉଚିତ୍ ନୁହେଁ । ନିଜ ଖିଆଲ ଅନୁସାରେ ଝିଅକୁ ପୁଅ କରିବା ଲାଗି ଏପରି ଚିକିତ୍ସା କରିବା ଆଦୌ ଉଚିତ ନୁହେଁ । ଜନ୍ମରୁ ପ୍ରକୃତି ଯେଉଁ ପରିଚୟ ଦେଇ ସୃଜନ କରିଛି ସେହି ପରିଚୟ ସ୍ୱୀକାର କରି ତଦନୁସାରେ ନିଜର ଜୀବନ ଗଢ଼ିବା ମଣିଷ ପକ୍ଷରେ ମଙ୍ଗଳକର ।

ମାନସିକ କାରଣ :

ଅନେକ ସମୟରେ ମାଆ ଝିଅଟିଏ ଖୋଜେ । ଝିଅ ନ ହେଇ ପୁଅ ହେଲା । ମନର କ୍ଷୋଭ ମେଣ୍ଟାଇବା ପାଇଁ ମାଆ ପୁଅଟିକୁ ସୁନ୍ଦର କରି ସଜେଇ ସବୁବେଳେ ପାଖେ ପାଖେ ରଖିଲେ । ଦଣ୍ଡେ ହେଲେ କରଛଡ଼ା କଲେ ନାହିଁ । ତିଳେମାତ୍ର ଦୃଷ୍ଟିରୁ ଅନ୍ତର କଲେ ନାହିଁ । ଯେଉଁ ପୁଅ ସାତ ଆଠବର୍ଷ ବୟସ ପର୍ଯ୍ୟନ୍ତ ଏପରି ଭାବରେ ବଢ଼େ, ବଡ଼ ହେଲେ ତାର କିଭଳି ବ୍ୟକ୍ତିତ୍ୱ ହେବ ?

 

ଏହି ଭାବରେ ପିଲାଦିନେ ବଢ଼ିଥିଲେ U. N. O.ର ଭୂତପୂର୍ବ ସେକ୍ରେଟାରୀ ଜେନେରାଲ୍ ଡାଗ୍ ହାମାରସ୍କୋଲ୍ଡ଼ । ତାଙ୍କ ମାଆ ପିଲାଦିନେ ତାଙ୍କୁ ଝିଅପରି ବେଶ କରି ଫ୍ରକ୍ ପିନ୍ଧାଇ ରଖୁଥିଲେ । ମୁଣ୍ଡର ଲମ୍ବା ବାଳତକ ଝିଅମାନଙ୍କ ବାଳ ପରି କୁଣ୍ଡେଇ ଦଉଥିଲେ । ପୁଅକୁ ଝିଅପରି ଶାନ୍ତଶିଷ୍ଟ, ବାଧ୍ୟ ଓ ନରମ ସ୍ୱଭାବର କରି ମାଆ ବଢ଼ାଇଥିଲେ । ସ୍କୁଲ ଜୀବନ ଆରମ୍ଭ ହେଲାରୁ ସେ ଅନ୍ୟ ପୁଅପିଲାଙ୍କ ପରି ବଢ଼ିଲେ, ବାହାସାହା ହେଲେ, ନିଜର ଶାନ୍ତ ଓ ବିଚାରବନ୍ତ ସ୍ୱଭାବ ଏବଂ କରୁଣାଭରା ମନ ପାଇଁ ସାଫଲ୍ୟ ମଧ୍ୟ ଅର୍ଜନ କଲେ । କିନ୍ତୁ ତାଙ୍କ ଚରିତ୍ରରେ ରହିଗଲା ଗୋଟାଏ ଅନ୍ଧକାର ଦିଗ । ଅନ୍ୟ ପୁ ରୁଷଙ୍କ ପ୍ରତି ସେ ଆକର୍ଷଣ ଅନୁଭବ କରୁଥିଲେ । ଅନ୍ୟ ଦେଶରେ ଏପରି ଆକର୍ଷଣ ଯୋଗୁଁ କେହି ଚିନ୍ତିତ ହେବେ ନାହିଁ, ମାତ୍ର ଖ୍ରୀଷ୍ଟଧର୍ମର ସଂସ୍କୃତିରେ ଗଢ଼ିଉଠିଥିବା ପାଶ୍ଚାତ୍ୟ ସଭ୍ୟତାରେ ସମକାମିତା (homosexuality) ପରି ପାପ ଆଉ ନାହିଁ । ଅସ୍କାର ଓୟାଇଲ୍ ଡ୍ରଙ୍କ ପରି ବିଖ୍ୟାତ ଲୋକ ଏହି ଅପରାଧ ହେତୁ କାରାଦଣ୍ଡ ପାଇଥିଲେ । ଧର୍ମ ଓ ଆଇନ୍ କେହି ଏପରି ପ୍ରବୃତ୍ତିକୁ ସ୍ୱୀକାର କରନ୍ତି ନାହିଁ । ହାମାରାସ୍କୋଲ୍ଡ଼ ନିଜର ମନର ଏଇ ପ୍ରବୃତ୍ତିର କାରଣ କଣ ସେକଥା ଠିକରେ ବୁଝି ନଥିଲେ । ନିଜର ଏପରି ଇଚ୍ଛାକୁ ପାପ ଜାଣି ଆତ୍ମଗ୍ଳାନି ଓ ଅପରାଧବୋଧରେ ଜୀବନଯାକ ଜର୍ଜରିତ ହେଇଥିଲେ ହାମାରସ୍କୋଲ୍ଡ଼-। ତାଙ୍କ ବ୍ୟକ୍ତିତ୍ୱରେ ବାଲ୍ୟ ପ୍ରଭାବ ହେତୁ ନାରୀସୁଲଭ ବ୍ୟକ୍ତିତ୍ୱ ଶୈଶବରେ ରୂପ ନେଇଥିଲା ଓ ପରେ ଏହା ପୁରୁଷ ଚରିତ୍ର ସହିତ ସମନ୍ୱିତ ନ ହୋଇ ସ୍ଵତନ୍ତ୍ର ଭାବରେ ରହିଥିବା ହେତୁ ସେ ସମ୍ପୂର୍ଣ୍ଣ ପୁରୁଷ ଭାବାପନ୍ନ ହୋଇପାରି ନ ଥିଲେ । ଏହି ପ୍ରଚ୍ଛନ୍ନ ନାରୀ ସ୍ଵଭାବ ହେତୁ ସେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷଣ ଅନୁଭବ କରୁଥିଲେ । (ଏଥିରୁ ଅନୁମାନ କରିବା ଉଚିତ ନୁହେଁ ଯେ କେବଳ ସ୍ତ୍ରୀଭାବାପନ୍ନ ପୁରୁଷଲୋକ ସମକାମୀ ହୁଅନ୍ତି । ଆମ ଦେଶରେ ସ୍ତ୍ରୀଲୋକ ସହିତ ମିଶିବା ନିଷେଧ ହେଇଥିବାରୁ ବହୁ ସ୍ୱାଭାବିକ ପୁରୁଷ ବିବାହ ପୂର୍ବରୁ ସମକାମୀ ଓ ବିବାହ ପରେ ସ୍ତ୍ରୀ ପୁରୁଷର ସ୍ଵାଭାବିକ ସମ୍ପର୍କ ମାନି ଚଳନ୍ତି ।)

 

ବାପାମାଆଙ୍କର ଖାମଖିଆଲୀ ଭାବରେ ପିଲାକୁ ବଢ଼ାଇବା ଛଡ଼ା ଆହୁରି କେତେକ କାରଣରୁ ଏପରି ବ୍ୟତିକ୍ରମ ଦେଖାଯାଏ । ଏଥିମଧ୍ୟରୁ ପାରିବାରିକ ସମ୍ପର୍କ ଓ ସମସାମୟିକ ସମାଜର ରୀତିନୀତି ଅନ୍ୟତମ ।

 

ପରିବାର ଓ ପାରିବାରିକ ସମ୍ପର୍କ :

 

ପିଲା ନିଜ ପରିବାର ଓ ସାହିପଡ଼ିଆ ଲୋକଙ୍କର ଚାଲିଚଳଣ ଦେଖି ସେହି ଅନୁସାରେ ବିଭିନ୍ନ ସାମାଜିକ ପରିସ୍ଥିତିରେ ବ୍ୟବହାର କରିଥାଏ । ଦୁଇବର୍ଷ ଅଢ଼େଇ ବର୍ଷର ପୁଅ ରଜ ସଜବାଜ ଦିନ ଅପା ପରି ଅଳତା, ସିନ୍ଦୂର, କଜଳ ପିନ୍ଧିବାକୁ ଜିଦ୍ ଲଗାନ୍ତି । ମାତ୍ର ଚାରି ପାଞ୍ଚବର୍ଷର ବେଳକୁ ମନର ସେଭଳି ଇଚ୍ଛାକୁ ଦବେଇ ଦିଅନ୍ତି । “ଅଳତା ଲଗେଇବୁ ?” –ବୋଲି ପଚାରିଲେ କହନ୍ତି “ମୁଁ” ପୁଅପିଲା ଅଳତା ଲଗେଇବି କାହିଁକି ?” ମୁହଁରେ ପାଉଡ଼ର ମାରିଦେଲେ ମନାକରନ୍ତି ନାହିଁ, କାରଣ ଦେହରେ ଘିମିରି ହେଲେ କି ଝାଳ ବୋହିଲେ ପୁରୁଷଲୋକ ଦେହରେ ପାଉଡ଼ର ପକାନ୍ତି । ଏହି ଭାବରେ କେଉଁଟା ପୁଅପିଲାର କରଣୀୟ ଓ କେଉଁଟା କରିବା କଥା ନୁହଁ, ସେକଥା ପିଲା ଅନ୍ୟମାନଙ୍କୁ ଲକ୍ଷ୍ୟକରି ଶିଖେ । ଯଦି ସେ ସେଥିରୁ ହୁରୁଡ଼ିଯାଏ ତାହାହେଲେ ଅନ୍ୟମାନେ ତାକୁ ତିଆରନ୍ତି । ପୁଅ ବେଶୀ ଗୁଡ଼ାଏ କାନ୍ଦିଲେ, ଲୋକେ ତାକୁ ଥଟ୍ଟାକରି କୁହନ୍ତି କଣ ଝିଅ ଶାଶୁଘରକୁ ଗଲାପରି ରଡ଼ି ଛାଡୁଛୁ ! ସେତକ ଅପମାନ କଥା ଶୁଣି ସେ କାନ୍ଦ ବନ୍ଦ କରି ଚୁପ୍ ହେଇଯାଏ । ଝିଅଙ୍କୁ ତ ପ୍ରତିପଦରେ “ଅଣ୍ତିରାଚଣ୍ତୀ” ଉଲୁଗଣା ଶୁଣିବାକୁ ପଡ଼େ । ଏଇ ଗାଳିର ଅର୍ଥ ହେଲା–ତୁ ଝିଅ ହେଇ ପୁଅ ପରି ବ୍ୟବହାର କରୁଛୁ । ସେମିତି ଯେଉଁ ପୁଅ ବାହାରେ ନିଜର ପ୍ରତାପ ନ ଦେଖେଇ ଘରେ ଆସି ମା’ କି ଭଉଣୀ ଆଗରେ ସାଙ୍ଗପିଲା ନାଆଁରେ ଆପତ୍ତି କରେ ତାକୁ “ମାଈମୁହାଁ” ଉପାଧିରେ ଭୂଷିତ କରାଯାଏ । କାରଣ ପୁଅପିଲା ଦମ୍ଭ ଦେଖାଇବ, ଝିଅପିଲା ପରି ନରମ ଓ ନାକକାନ୍ଦୁରା ହେବାଟା ତା ପକ୍ଷରେ ଅବାଞ୍ଛିତ ।

 

ଏପରି ଭାବରେ ବହୁ ବର୍ଷ ଧରି ଭାଇ, ବାପା, ଦାଦା, ବଡ଼ବାପା, ମାମୁଁ, ଜେଜେ ପ୍ରଭୃତିଙ୍କୁ ଦେଖି ଏମାନଙ୍କର ଆଦର୍ଶ ଅନୁସରଣ କରି ପୁଅପିଲା ବଢ଼ୁଥାଏ । ସେହିପରି ଅପା, ଭାଉଜ, ମାଆ, ଖୁଡ଼ୀ, ମାଉସୀ, ମାଇଁ ପ୍ରଭୃତିଙ୍କୁ ଦେଖି ଓ ଅନୁକରଣ କରି ଝିଅମାନେ ବଢ଼ନ୍ତି ।

 

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଯୌଥ ପରିବାରରେ ଓ ନିଜ ଗାଆଁରେ ରହୁନାହାନ୍ତି । ଗାଆଁ ଛାଡ଼ି ସହରରେ ସେମାନେ ଭିନ୍ନ ଭାଷାଭାଷୀ, ଭିନ୍ନ ଧର୍ମୀ ଓ ଭିନ୍ନ ଶ୍ରେଣୀର ଲୋକ ସହିତ ସାହିପଡ଼ିଶା ହୋଇ ରହୁଛନ୍ତି । ଅଧିକାଂଶ ସମୟରେ ଘରଲୋକ ପିଲାକୁ ସାହିପଡ଼ିଶାଙ୍କ ସାଙ୍ଗରେ ସହର ଜାଗାରେ କାହାରି ବିଶେଷ ସମ୍ପର୍କ ନଥାଏ । ମାମୁଁ, ଦାଦା, ବଡ଼ବାପା ଯିଏ ଯାହାର ସଂସାର ନେଇ ଗାଆଁରେ ବା ଅନ୍ୟ କେଉଁ ଦୂର ସହରରେ ରହୁଥିବାରୁ ସେମାନଙ୍କ ସହିତ ଦେଖାସାକ୍ଷାତ୍ ହେବା କଷ୍ଟ । ଫଳରେ ପିଲା କେବଳ ନିଜ ବାପାମାଆ ଛଡ଼ା ଆଉ କାହାକୁ ଦେଖୁନାହିଁ କି ଆଉ କାହା ପାଖରୁ ଶିଖୁନାହିଁ । ସେଥିରେ ବାପା ଚାକିରୀ ବା ନିଜ ବେଉସାରେ ବ୍ୟସ୍ତ ରହି ପ୍ରାୟ ପୂରା ସମୟ ଘର ବାହାରେ କଟାନ୍ତି । ଏପରି ସ୍ଥଳରେ ମାଆକୁ ଦେଖି ମା’ଠାରୁ ଶିଖି ଝିଅ ସୁରୁଖୁରୁରେ ବଢ଼ିଯାଏ, ମାତ୍ର ପୁଅପିଲା-ବାପାଛେଉଣ୍ଡ ପିଲାପରି ବେମୁରବିଆ ହୋଇ ବଢ଼େ । ଏପରି କ୍ଷେତ୍ରରେ ସେ ମାଆର ପଣତକାନି ଧରି ମାଆର ପାଖଲଗା ହୁଏ ଓ ଶାନ୍ତ, ନିରୀହ, ଡରକୁରା ଓ ଅତି ଗେହ୍ଳା ହୋଇ ବଢ଼ିଉଠେ । ଏପରି ବଢ଼ିଲେ ଭବିଷ୍ୟତରେ ତା ଜୀବନରେ ବହୁ ସମସ୍ୟା ଦେଖା ଦେଇଥାଏ ।

 

ସୌଭାଗ୍ୟର କଥା ଯେ ସ୍କୁଲ, ସିନେମା, ଖେଳପଡ଼ିଆର ସାଙ୍ଗମାନଙ୍କର ପ୍ରଭାବ ହେତୁ ଅଳ୍ପ ପିଲା ମାଆର “କାନିଧରା” ହୋଇ ବଢ଼ନ୍ତି । ଘରର ଅଭାବ ଘର ବାହାରର ପ୍ରଭାବ ଦ୍ୱାରା ବହୁଳାଂଶରେ ସଂଶୋଧିତ ହୋଇଯାଏ ।

 

ପୌରୁଷର ଭୁଲ୍, ଆଦର୍ଶ :

 

ଘର ବାହାରର ପ୍ରଭାବ ଯେ ସବୁବେଳେ ଭଲ ତାହା ନୁହେଁ । କେଉଁ ପ୍ରକାର ଆଚରଣ ବୟସ୍କ ପୁରୁଷର ଉପଯୋଗୀ ଏ ବିଷୟରେ ପିଲା ମନରେ କୌଣସି ସ୍ପଷ୍ଟ ଧାରଣା ନଥାଏ । ଆମେ ଦେଖୁ ବହୁତ ସାନ ପିଲା ବଡ଼ ମଣିଷଙ୍କୁ ଅନୁକରଣ କରି ବିଡ଼ି ସିଗାରେଟ ପିଇବାକୁ ଆରମ୍ଭ କରନ୍ତି । କାରଣ ସ୍ମାର୍ଟ ଲୋକ ସିନେମାରେ ବା ବିଜ୍ଞାପନର ଛବିରେ ସିଗାରେଟ ପିଉଥିବାର ସେ ଦେଖୁଛି । ବିଶେଷକରି ସିନେମାର ଅଭିନେତାମାନେ ହେଲେ ତା ଆଖିରେ “ହୀରୋ”–ଅର୍ଥାତ୍ ପୁରୁଷପଣର ଆଦର୍ଶ । ସେମାନଙ୍କର ବେଶପୋଷାକ, କେଶବିନ୍ୟାସ, କଥାବାର୍ତ୍ତାର ଢଙ୍ଗ, ସିଗାରେଟ ଧରିବାର ଓ ମୁହଁରୁ ଧୂଆଁ ଛାଡ଼ିବାର କାଇଦା ଏସବୁ କିଶୋର ବୟସର ପୁଅମାନେ ମନେପ୍ରାଣେ ଅନୁକରଣ କରନ୍ତି । ଯିଏ ମଦ ପିଇ, ଲୋକଙ୍କୁ ବେଖାତିରିଆ କଥା କହି, ପୋଲିସ୍ ସଙ୍କେତ ନ ମାନି ଜୋରରେ ମୋଟରଗାଡ଼ି ଚଳେଇ ଚାଲିଯାଉଛି ସେ ହେଲା କିଶୋର ଆଖିରେ ସ୍ପର୍ଦ୍ଧାବାନ ବୀର । ତା’ପରି ହେବାର କଳ୍ପନା ଅଧିକାଂଶ କିଶୋର ମନରେ ଜାଗରିତ ହୁଏ ।

 

ଆମେ ବୁଝିପାରୁନା ଅବାଞ୍ଛିତ ଆଦର୍ଶ ପ୍ରତି କୈଶୋରରେ କାହିଁକି ଆକର୍ଷଣ ଦେଖାଯାଏ । ଭାବି ଦେଖିଲେ ଜାଣିବା, କୈଶୋରରେ ଦେହ ଓ ମନ ଉତ୍ତେଜିତ ହେବାକୁ ଚାହେଁ । ତେଣୁ ଯିଏ ଯେତେ ମାଡ଼ ମରାମରି କରିପାରୁଛି ସିଏ ସେତେବଡ଼ “ହୀରୋ” । ଯିଏ ଶାନ୍ତ ଓ ବାଧ୍ୟ ସିଏ ଆଖିରେ ପଡ଼େନାହିଁ ବରଂ ଯଦି ସିଏ ମାଡ଼ ଖାଇ ମାଡ଼ ନ ଦିଏ, ତା’ହେଲେ ତାକୁ କୁକୁର ପରି ଲାଞ୍ଜ ଯାକି ପଳେଇଯିବାର ଦେଖି ସମସ୍ତେ ହସନ୍ତି । ଆମେ ଯାହାକୁ ଅନ୍ୟାୟ ବ୍ୟବହାର ବୋଲି ଭାବୁ, ସେମାନେ ତାକୁ ଦୁଃସାହସିକତା ବୋଲି ଭାବନ୍ତି । ଆମେ ମଦ ବା ସିଗାରେଟ ପିଇବା ଅସ୍ଵାସ୍ଥ୍ୟକର ଭାବୁ ସେମାନେ ଭାବନ୍ତି ଏଗୁଡ଼ାକ ଆଧୁନିକ ରୁଚିସମ୍ପନ୍ନ ଲୋକର ଯଥାର୍ଥ ଢଙ୍ଗ । ଆମ ସମାଜରେ ଯିଏ କ୍ଷମତାବାନ୍ ତାକୁ ସାତଖୁନ୍ ମାଫ୍ । ତାକୁ ସମସ୍ତେ ଡରିକରି ରୁହନ୍ତି । ତେଣୁ ଲୋକେ ଯାହାକୁ ଡରନ୍ତି ସେ ହେଲା ଯଥାର୍ଥ ପୁରୁଷ । ଏହି ଭାବରେ ବହୁ କିଶୋର ଅନାଚାର, ଅବିଚାର ଓ ଅତ୍ୟାଚାରକୁ ସବଳ ପୌରୁଷମୟ ବ୍ୟକ୍ତିର ଲକ୍ଷଣ ଜାଣି ସେହିପରି ହେବାକୁ ଚାହାଁନ୍ତି । କେଉଁ ପ୍ରକାର ବ୍ୟବହାର ପୌରୁଷସୂଚକ ଓ କେଉଁ ବ୍ୟବହାର ଅବିବେକୀତାର ପରିଚୟ ସେକଥା ସହୃଦୟ କଥୋପକଥନ ଛଳରେ ବୁଝାଇବା ଲାଗି କେହି ନାହାନ୍ତି । ପୌରୁଷର ଭୁଲ୍ ଅର୍ଥ କରି ଆମ ସମାଜରେ ବହୁ କିଶୋର ଅଯଥା ବିପଥରେ ଯାଉଛନ୍ତି ।

 

ଆମ ସମାଜରେ ପୌରୁଷର ପ୍ରଚଳିତ ଅର୍ଥ :

 

ପୁରୁଷ ଭାବ କଣ ସେକଥା ଆମେ ସମସ୍ତେ ଜାଣିଛୁ । ମାତ୍ର ପୌରୁଷମୟ ବ୍ୟକ୍ତିତ୍ଵ କାହାକୁ କୁହନ୍ତି ସେ ବିଷୟରେ ଆମ ସମସ୍ତଙ୍କ ମନରେ ଅନେକ ଭ୍ରନ୍ତ ଧାରଣା ରହିଛି । ଏପରି ବିଭ୍ରାନ୍ତି ଘଟିବାର ପ୍ରଧାନ କାରଣ ହେଉଛି ଆମର ବର୍ତ୍ତମାନ ସମାଜରେ ସ୍ତ୍ରୀ ପୁରୁଷ ଭିତରେ ଥିବା ଅସମାନ ମର୍ଯ୍ୟଦା ।

 

ପୁରୁଷ ଓ ସ୍ତ୍ରୀର ଯୋଗ୍ୟତାରେ ପ୍ରଭେଦ ହେତୁ ପୁରୁଷଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି ବୋଲି ବହୁ ଲୋକ ମନେ କରନ୍ତି । ସେଥିଲାଗି ପ୍ରଭୃତ୍ୱ ଦମ୍ଭ, ସ୍ପର୍ଦ୍ଧା, ଅହମିକା, ସାହସ, ଦୃଢ଼ତା ଇତ୍ୟାଦିକୁ ପୌରୁଷର ଲକ୍ଷଣ ଭାବେ ଗଣାଯାଏ । ସେହିପରି ଦୁର୍ବଳତା, କୋମଳତା, ଲାଳିତ୍ୟ, ଶାନ୍ତ ନିରୀହ ଓ ବିନୀତ ଭାବ, ଭୀରୁତା, ଭାବପ୍ରବଣତା, ସେବାଭାବ ଓ ସହିଷ୍ଣୁତା ଇତ୍ୟାଦି ଗୁଣଗୁଡ଼ିକ ସ୍ତ୍ରୀସୁଲଭ ଗୁଣ ବୋଲି ବିବେଚନା କରାଯାଏ । ପୁରୁଷ ଓ ସ୍ତ୍ରୀ ଉଭୟଙ୍କଠାରେ ଏଇ ଗୁଣଗୁଡ଼ିକ ଦେଖାଯାଏ । ମାତ୍ର ବିନୟ, କରୁଣା, କୋମଳତା, ଶାନ୍ତଭାବ ପ୍ରଭୃତି ଯେତେ ଭଲ ଗୁଣ ହେଲେ ମଧ୍ୟ ପୁରୁଷଠାରେ ଏସବୁ ଗୁଣ ବେଶୀ ପରିମାଣରେ ଥିବାଟା କେହି ପସନ୍ଦ କରନ୍ତି ନାହିଁ । ପୁରୁଷର ମୂଳ ଗୁଣ ହେଉଛି “ପ୍ରଭୂତି ଦମ୍ଭ” ଓ ସ୍ତ୍ରୀର ଭଲ ଗୁଣ ହେଉଛି “ବିନୀତ ଦାସ୍ୟ” । ଆମ ବର୍ତ୍ତମାନ ସମାଜରେ ସ୍ତ୍ରୀ ପୁରୁଷର ସମ୍ପର୍କ ପ୍ରାୟ “ପ୍ରଭୁ ଓ ଦାସ”ର ସମ୍ପର୍କ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ପ୍ରାଚୀନ ସମାଜରେ ସ୍ତ୍ରୀ ଓ ପୁରୁଷର ସ୍ଥାନ :

 

ଏପର ସମ୍ପର୍କ ଆମ ଧର୍ମ ପରମ୍ପରା ଅନୁସାରେ ଗଢ଼ିଉଠିଛି ବୋଲି ଭାବିବା କିନ୍ତୁ ଠିକ୍ ନୁହେଁ । ପ୍ରାଚୀନ ସମାଜରେ ପୁରୁଷ ଓ ସ୍ତ୍ରୀର ପ୍ରଭେଦ ଅନୁସାରେ ସେମାନଙ୍କର ଦାୟିତ୍ୱ ଥିଲା ବିଭିନ୍ନ । ମାତ୍ର ସାମାଜିକ ଅଧିକାର, ସମ୍ମାନ ଓ ମର୍ଯ୍ୟାଦାରେ ସେମାନେ ସମାନ ବୋଲି ବିବେଚିତ ହେଉଥିଲେ । ସ୍ଵଭାବଗତ ପାର୍ଥକ୍ୟ ବା ଦାୟିତ୍ଵ ଅନୁସାରେ ସେମାନଙ୍କର ସମ୍ମାନ ଓ ମର୍ଯ୍ୟାଦା ନିରୂପିତ ହେଉ ନଥିଲା । ସ୍ତ୍ରୀ ପୁରୁଷ ସମ୍ପର୍କରେ ଥିଲା ସାମ୍ୟତା । ପୁରୁଷ ଉଚ୍ଚରେ ଓ ସ୍ତ୍ରୀ ପୁରୁଷର ନିମ୍ନରେ ଏ ଧାରଣା ପୂର୍ବେ ନଥିଲା ।

 

ଆର୍ଯ୍ୟମାନେ ଭାରତକୁ ଆସିବା ପୂର୍ବରୁ “ଶିବ ଓ ଶକ୍ତି”ଙ୍କର ସମ୍ମିଳିତ ଅପୃଥକ୍ ରୂପ ଆମେ ପୂଜା କରୁଥିଲୁ । ଶିବ ପୁରୁଷର ପ୍ରତୀକ ଓ ଶକ୍ତି ହେଲେ ପ୍ରକୃତି ରୂପିଣୀ ନାରୀର ପ୍ରତୀକ । ଶକ୍ତି ବିନା ଶିବ ‘ଶବ’ ବା ନିଷ୍କ୍ରିୟ ପୁରୁଷ ରୂପରେ ଅନ୍ତଲୀନ ହୋଇ ରହୁଥିଲେ । ଶକ୍ତି ସଂଯୋଗରେ ସେ ଶକ୍ତିପୂର୍ଣ୍ଣ ହୋଇ ସୃଷ୍ଟି, ସ୍ଥିତି ଓ ପ୍ରଳୟ ସାଧନ କରନ୍ତି । ଆର୍ଯ୍ୟ ଧାରଣାରେ ମଧ୍ୟ ଆଦି ପୁରୁଷ ହେଲେ ନାରାୟଣ ଓ ଆଦ୍ୟାଶକ୍ତି ହେଲେ ନାରୀୟଣୀ ବା “ଦେବୀଶକ୍ତି” । ଯେତେବେଳେ ନିରାକାର ବ୍ରହ୍ମଙ୍କୁ ଆର୍ଯ୍ୟରୂପୀ ସାକାର ରୂପରେ ଧ୍ୟାନ କଲେ ସେ ତାଙ୍କୁ ଅର୍ଦ୍ଧନାରୀଶ୍ୱର ରୂପରେ ହିଁ ଧ୍ୟାନ କଲେ । ଏଇ ଧ୍ୟାନ ମୂର୍ତ୍ତିର ଅର୍ଦ୍ଧ ଅଙ୍ଗରେ କସ୍ତୁରୀ ଚନ୍ଦନର ବିଲେପନ ଓ ଅର୍ଦ୍ଧ ଅଙ୍ଗରେ ଚିତାଭସ୍ମର ଅଙ୍ଗରାଗ । ଏହି ପରମ୍ପରା ଅନୁସାରେ ପ୍ରତି ଦେବତା ଯୁଗଳ ରୂପରେ ପୂଜା ହୁଅନ୍ତି । ଏହି କାରଣ ଯୋଗୁଁ ମଣିଷ ବିବାହ କରି ଯୁଗଳ ରୂପରେ ଜୀବନର ସମ୍ପୂର୍ଣ୍ଣତା ଉପଲବ୍ଧି କରେ । ଅବିବାହିତ ପୁରୁଷ ବା ସ୍ତ୍ରୀ ଅପୂର୍ଣ୍ଣ ବୋଲି ବିବଚିତ ହୁଏ ।

 

ପ୍ରାଚୀନ ଭାରତୀୟ ସମାଜରେ ସ୍ତ୍ରୀର ସ୍ଥାନ ଥିଲା ସ୍ୱାମୀର ପାର୍ଶ୍ୱ ଦେଶରେ; ପାଦତଳେ ସେ ରହୁ ନଥିଲା । ଏବେ ମଧ୍ୟ ବୈଦିକ ରୀତିରେ ବିବାହ ବିଧି ପ୍ରଚଳିତ ବୋଲି ସ୍ତ୍ରୀ ପାର୍ଶ୍ଵବର୍ତ୍ତିନୀ ହୋଇ ସ୍ଵାମୀର କଡ଼ରେ ବସେ । ସ୍ଵାମୀ ଓ ସ୍ତ୍ରୀର ସ୍ଥାନ ପ୍ରାଚୀନ ସମାଜରେ ଥିଲା ସମାନ୍ତରାଳ । ସେମାନେ ପାଉଥିଲେ ସମାନ ମର୍ଯ୍ୟାଦା । ସନ୍ତାନଟି ପିତୃନାମ ଓ ମାତୃନାମ ଉଭୟ ନାମ ଅନୁସାରେ ହିଁ ପରିଚିତ ହେଉଥିଲା । ଉପନିଷଦର ଜାବାଳ-ସତ୍ୟକାମଠାରୁ ଆରମ୍ଭ କରି ରାମାୟଣ, ମହାଭାରତରେ ରାଧେୟ-କର୍ଣ୍ଣ, କୌନ୍ତେୟ-ଅର୍ଜୁନ, ସୌମିତ୍ରୀ-ଲକ୍ଷଣ ପରି ମାତୃନାମରେ ପରିଚିତ ନାମ ଦେଖିବାକୁ ମିଳେ । ପ୍ରାଚୀନ ସମାଜରେ ଯେତେବେଳେ ଶ୍ରେଣୀ ବିଭାଗ ଆରମ୍ଭ ହେଲା ସେତେବେଳେ ଏଇ ସାମ୍ୟଭାବ କ୍ରମଶଃ ଚାଲିଯାଇ, ପ୍ରଭେଦ ଓ ବୈଷମ୍ୟକୁ ବେଶୀ ପ୍ରାଧାନ୍ୟ ଦେଇ ନୂଆ ବିଧାନର ସୃଷ୍ଟି ହେଲା ।

 

ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଆଶ୍ରିତ ଓ ଆଶ୍ରୟ ସମ୍ପର୍କ :

 

ଅର୍ଥ ଉପାର୍ଜନ କରି ପୁରୁଷ ନିଜର ସ୍ତ୍ରୀ ଓ ସନ୍ତାନକୁ ପାଳନ କରୁଥିବାରୁ ପରିବାରର ପ୍ରଭୁତ କ୍ଷମତା ଥିଲା ପୁରୁଷ ହାତରେ । ଅର୍ଜନ କ୍ଷମତା ବଢ଼େଇବା ଲାଗି ପୁରୁଷ ବିଭିନ୍ନ ବିଦ୍ୟା ଓ ବୃତ୍ତି ଶିଖି ନିଜର ଯୋଗ୍ୟତା ବଢ଼େଇଲା । ନିଜର ଯୋଗ୍ୟତା ଓ ପାରଙ୍ଗମତା ବଳରେ ସେ କେବଳ ଅର୍ଥ ନୁହେଁ, ବିଦ୍ୟା, ଜ୍ଞାନ, ଯଶ, ଖ୍ୟାତି ଓ କୀର୍ତ୍ତୀ ଅର୍ଜନ କରି ଆଦିମ ମାନବରୁ କ୍ରମଶଃ ସୁସଭ୍ୟ ମାନବରେ ପରିଣତ ହେଲା । ଅନ୍ୟ ପକ୍ଷରେ ସନ୍ତାନ ଧାରଣ ଜୈବିକ କ୍ଷମତା ଅନୁସାରେ ହୁଏ । ଏଥିଲାଗି ଯୋଗ୍ୟତା ଅର୍ଜନ କରିବାକୁ ସ୍ତ୍ରୀକୁ ପଡ଼େନା ।

 

କେବଳ ଦୈବ ବା ଭାଗ୍ୟର ଅନୁଗ୍ରହ ଦରକାର । କିନ୍ତୁ ସନ୍ତାନ ପାଳନ ଲାଗି କେବଳ ବିଦ୍ୟା, ବୃଦ୍ଧିର ପ୍ରୟୋଜନ । ମାତ୍ର ସ୍ତ୍ରୀଲୋକମାନେ ସବୁବେଳେ ଘର ଭିତରେ ରହିଲାରୁ ସେମାନଙ୍କର ବିଦ୍ୟାର୍ଜନ ପାଇଁ ଆଗ୍ରହ ରହିଲା ନାହିଁ ଓ ଆଗ୍ରହ ଥିଲେ ମଧ୍ୟ ସୁଯୋଗ ମିଳିଲା ନାହିଁ-। ଯାଜ୍ଞବଳକଙ୍କର ଦୁଇ ସ୍ତ୍ରୀ ମଧ୍ୟରୁ ମୈତ୍ରେୟୀ କେବଳ ବ୍ରହ୍ମଜ୍ଞାନର ଅଭିଳାଷିଣୀ ହେଲେ । କାତ୍ୟାୟନୀ ଧନ ସମ୍ପତ୍ତି ପାଇ ସୁଖରେ ରହିଲେ । ମୈତ୍ରେୟୀ ଯଦି ଯାଜ୍ଞବଲକଙ୍କର ସ୍ତ୍ରୀ ଓ ପରେ ଶିଷ୍ୟା ନ ହୋଇ ଅପରର ସ୍ତ୍ରୀ ହୋଇଥାଆନ୍ତେ, ତାହେଲେ ତାଙ୍କ ପକ୍ଷରେ ବ୍ରହ୍ମବିଦ୍ୟା ଅର୍ଜନ କରିବା ସମ୍ଭବ ହେଇ ନଥାନ୍ତା ସାଧାରଣ ସ୍ତ୍ରୀ କାତ୍ୟାୟନୀଙ୍କ ପରି ।

 

ଏହି କାରଣ ଯୋଗୁ ହିଁ ମାନବ ଇତିହାସରେ ବହୁ ପୂଜନୀୟ ଦେବୀଙ୍କର ଉଲ୍ଲେଖ ଥିଲେ ମଧ୍ୟ ସୁଶିକ୍ଷିତା ମାନବୀର ଉପସ୍ଥିତି ଦେଖୁନା । ମାନବୀ ମାତ୍ରେ ହିଁ ପରାଶ୍ରୟୀ ।

 

ଗୃହାଶ୍ରିତା ସ୍ତ୍ରୀର ମାନସିକ ଅନୁନ୍ନତି :

ଗୃହ କୋଣରେ ରହି ସ୍ତ୍ରୀଲୋକମାନେ ଘରକାମ ଛଡ଼ା ଅନ୍ୟ ବିଷୟ ଜାଣନ୍ତି ନାହିଁ, କିମ୍ବା ଜାଣିବାର ପ୍ରୟୋଜନ ଅଛି ବୋଲି ଅନୁଭବ କରନ୍ତି ନାହିଁ । ନିଜେ ଶିକ୍ଷା ଦୀକ୍ଷାହୀନା ହୋଇଥିଲାରୁ ପିଲାକୁ କଣ ଶିଖାଇବା କଥା, ସେସବୁ ନ ଜାଣି ଗତାନୁଗତିକ ଭାବରେ ପିଲାକୁ ବଢ଼ାନ୍ତି ।

ଭାରତୀୟ ଧାରଣା ଅନୁସାରେ ମା ହେଉଛି ‘ଆଦିଗୁରୁ’ । ଅଥଚ ଭାରତୀୟ ଜନନୀମାନେ ବର୍ତ୍ତମାନ କେବଳ ଜନ୍ମଦାତ୍ରୀ ଓ ଧାତ୍ରୀର ଦାୟିତ୍ୱ ତୁଲାନ୍ତି । ସେମାନେ ଶିକ୍ଷାଦାତ୍ରୀର ଦାୟିତ୍ୱ ପ୍ରାୟ ବର୍ଜନ କରିଛନ୍ତି । ଘରେ ପିଲାକୁ ଶାସନ କରିବାକୁ ମଧ୍ୟ ପଛେଇ ଯାଆନ୍ତି । ଅଧିକାଂଶ ଘରେ ପିଲା ଶୁଣେ–“ଦୁଷ୍ଟ ହଉଥା, ବାପା ଘରକୁ ଆସନ୍ତୁ, ଟାଙ୍କେ ଛେଚିବେ ।” ପିଲା ମାଆ କଥା ମାନିବ ନାହିଁ, ମାତ୍ର ବାପା ପୁରୁଷ ହୋଇଥିଲାରୁ ବାପା କଥା ମାନିବ ଏଇ ଧାରଣାଟି ସେ ମାଆଠାରୁ ହିଁ ଶିଖେ । ତେଣୁ ମାଆକୁ ମାନେନାହିଁ । ବିଖ୍ୟାତ ଆମେରିକାନ୍ ମନୋବିଜ୍ଞାନୀ ମ୍ୟାକ୍‍ଲୀଲାଣ୍ତ ତାଙ୍କର Achieving Society ବହିରେ ଭାରତର ଅବନତିର କାରଣ କହିବାକୁ ଯାଇ ଭାରତୀୟ ଜନନୀର ଶିକ୍ଷାଦୀକ୍ଷାହୀନ ମନୋଭାବକୁ ହିଁ ଦାୟୀ କରିଛନ୍ତି ।

ଆମ ସମାଜରେ ସ୍ତ୍ରୀଲୋକଙ୍କୁ ଲେଖାପଢ଼ା ଶିଖାଇଲେ ସେମାନେ କର୍ତ୍ତୃତ୍ତ୍ୱପରାୟଣା ହେବେ, ଏ ଆଶା କରିବା ଠିକ୍ ନୁହେଁ । ପାରଙ୍ଗମତା ବିଚାରଶୀଳତା, ଆତ୍ମନିର୍ଭରଶୀଳତା ଓ ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରିବା ହେଉଛି ପୁରୁଷସୁଲଭ ଗୁଣ । ଏଗୁଡ଼ିକ ଯେ ନାରୀର ଗୁଣ ହୋଇପାରେ-ଏ ବିଶ୍ୱାସ ମନରେ ନ ଆସିଲେ ଯେତେ ପାଠ ପଢ଼ିଲେ ମଧ୍ୟ ସ୍ତ୍ରୀଲୋକ ଅପାଠୁଆ ପରି ଚଳିବେ ।

ଯିଏ ବହୁବର୍ଷ ଧରି ସଂସ୍କୃତି, ଶିକ୍ଷା, ଚିନ୍ତା ଓ ଜ୍ଞାନର ସଂଶ୍ରବ ତ୍ୟାଗକରି ବଢ଼ିଆସିଛି ଓ ବର୍ତ୍ତମାନ ସମାଜରେ ଯେପରି ଅମର୍ଯ୍ୟାଦା ପାଇ ଅବାଞ୍ଚିତ ହୋଇ ବଢ଼ିଛି ସେ ନିଜକୁ ସବୁବେଳେ ‘ହୀନ’ ବୋଲି ଅନ୍ତରରେ ଭାବିବ । ଏହି ହୀନମନ୍ୟତାବୋଧ (inferiority complex) ଯୋଗୁଁ ବହୁ ସ୍ତ୍ରୀଲୋକ ‘ଅଜ୍ଞତା’କୁ ସ୍ତ୍ରୀ ସୁଲଭ ଗୁଣ ଭାବି ଅଜ୍ଞ ହେଇ ରହିବାକୁ ଚାହାନ୍ତି । ଶିକ୍ଷିତା ସ୍ତ୍ରୀଲୋକଙ୍କ ଆଚରଣ ପ୍ରତି ଲକ୍ଷ୍ୟ କଲେ ଆମେ ଜାଣିପାରିବା ଯେ ଯିଏ ଅଧ୍ୟାପିକା, ସେ ସାଧାରଣ ରୋଗବଇରାଗ ଜମିବାଡ଼ି କିଣାବିକାର ଆଇନ କାନୁନ୍ ଏସବୁ ଜାଣନ୍ତି ନାହିଁ । ଯିଏ ଡାକ୍ତର ସେ ନିଜ ଦେଶର ଇତିହାସ, ଦର୍ଶନ, ସମାଜ-ସମସ୍ୟା, ଆଇନ ବା ଶିଶୁଶିକ୍ଷା କଥା ଜାଣିବାକୁ ଚାହାନ୍ତି ନାହିଁ । ଏହିଭଳି ବହୁ ଦୃଷ୍ଟାନ୍ତ ଚାରିଆଡ଼େ ଦେଖିବାକୁ ମିଳିବ । ଏପରି ହେବାର ମୂଳ କାରଣ ହେଉଛି, ଶିକ୍ଷିତା ସ୍ତ୍ରୀଲୋକ ମନରେ ପ୍ରଚ୍ଛନ୍ନ ଭାବେ ରହିଥିବା ମାନସିକ ସଂଶୟ ଓ ଆତ୍ମବିଶ୍ଵାସର ଅଭାବ । ସେମାନେ ବାହାର ଜୀବନର ସବୁ ସମସ୍ୟାରେ ବାପା, ଭାଇ ବା ସ୍ଵାମୀର ସାହାଯ୍ୟ ଲୋଡ଼ନ୍ତି । କାରଣ ନିଜର ନିର୍ଭରଶୀଳ ଆଶ୍ରିତା ସ୍ଵଭାବ ହରାଇଲେ ପୁରୁଷ ଆଖିରେ କାଳେ ଅନାକର୍ଷଣୀୟ ହେଇଯିବେ ଏହି ପ୍ରକାର ସଂଶୟଭାବ ତାଙ୍କ ମନରେ ବରାବର ରହୁଛି । ଆମ ଦେଶରେ ସ୍ତ୍ରୀଲୋକଙ୍କର ନିଜ ବିଷୟରେ କାହିଁକି ହୀନ ମନୋଭାବ ରହିଛି ସେକଥା ଜାଣିବାକୁ ଚାହିଁଲେ ଜନ୍ମରୁ ସ୍ତ୍ରୀଲୋକମାନେ କିଭଳି ବ୍ୟବହାର ପାଇ ବଢ଼ନ୍ତି ସେକଥା ଲକ୍ଷ୍ୟ କରିବା ଉଚିତ୍ ।

 

ସ୍ତ୍ରୀଲୋକଙ୍କ ସମ୍ବନ୍ଧରେ ଆମର ମନୋଭାବ :

 

ଜନ୍ମ-ପିଲା ଜନ୍ମ ହେଲେ ଆମେ ପ୍ରଥମେ ପ୍ରଶ୍ନ ପଚାରୁ-ପୁଅ ନା ଝିଅ ? ପୁଅ ହୋଇଥିଲେ ଘରର ସମସ୍ତଙ୍କର ମନ ଖୁସୀ । ବାପାର କେତେ ଆନନ୍ଦ ! ମାଆର କେତେ ଆଦର । ସୁଲକ୍ଷଣା ପୁତ୍ରବତୀ, ସୌଭାଗ୍ୟବତୀ କହି ସମସ୍ତେ ଆଶୀର୍ବାଦ କରନ୍ତି । ଆତ୍ମୀୟସ୍ୱଜନ ସମସ୍ତେ ଭୋଜିଭାତ ମାଗି କୋଳାହଳରେ ଘର ମୁଖର କରି ତୋଳନ୍ତି । ଏକୋଇଶାରେ କଣ ସବୁ ଆଡ଼ମ୍ବର ହବ ସେକଥା ନେଇ କଳ୍ପନାଜଳ୍ପନା ଚାଲେ ।

 

ଝିଅଟିଏ ଜନ୍ମ ହେଲେ ସବୁ ଚୁପ୍ ଚାପ୍ । ମା ଅନେକ ସମୟରେ ମନ ଦୁଃଖରେ କାନ୍ଦେ-। ବାପା ଚୁପ୍ ଚାପ୍ କିମ୍ବା ଶୁଖିଲା ହସଟିଏ ହସନ୍ତି । ଶାଶୁଘର ଲୋକ ପିଲାକୁ ଅନେଇ ଚାଲିଯାଆନ୍ତି । ବାପଘର ଲୋକ ଆରଥରକୁ ପୁଅଟିଏ ହବ କହି ସାନ୍ତ୍ୱନା ଦିଅନ୍ତି । ଝିଅପାଇଁ ଅନେକ ଲୋକଙ୍କ ଘରେ ଏକୋଇଶା ନ ହୋଇ ବାରରାତ୍ର ହୁଏ । ସେ ମଧ୍ୟ ବିଧି ରକ୍ଷା କରିବାପାଇଁ ଆମେ ବକ୍ତୃତା ଦେଲାବେଳେ ସବୁବେଳେ କହୁ-“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗଗୀୟସୀ”–ଅର୍ଥାତ୍ ଜନ୍ମଭୂମି ଓ ଜନନୀ ସ୍ଵର୍ଗଠାରୁ ମଧ୍ୟ ବଡ଼ । ମାତ୍ର ସାନ ପିଲା ଠିକ୍ ବୁଝେ । ଝିଅଟିଏ ଜନ୍ମ ହେଲେ ପରିବାରକୁ ଘୋଟିଆସୁଥିବା ଦୁଃଖ ଦେଖି ଝିଅ ଯେ ଅଲୋଡ଼ା ପ୍ରାଣୀ ଏକଥା ସେ ମନେ ମନେ ବୁଝିରଖେ ।

 

ଆମ ପରିବାରରେ ପିଲାର ଜ୍ଞାନ ହେଲା ଦିନରୁ ସେ ଜାଣେ ପୁଅ ହେଲା “ଖୋଜିଲା ଲୋଡ଼ିଲା ଧନ” ଓ ଝିଅ ହେଲା “ଅଲୋଡ଼ା ବୋଝ” । ବାହାଘର କାନ୍ଦଣାରୁ ପଦେ ଗୀତ କହୁଛି–

 

ମାଆ ଯେତେବେଳ ଗର୍ଭେ ଧଇଲ

ପୁତ୍ର ହେବ ବୋଲି ମନେ ପାଞ୍ଚିଲ ।

ବିଧାତା ଥିଲା ଗୋ ଦୁହିତା ଦେଲା

ଯମ କୋଳୁ ମତେ ଛଡ଼େଇ ନେଲା ।

 

ଆମର ଏପରି ଅନେକ କାନ୍ଦଣା ଗୀତ, ରଜଗୀତ ଓ ଏପରି ଲୋକସଙ୍ଗୀତ ଅଛି । ପଲ୍ଲୀ ଜୀବନ ନେଇ ଯେତେ ଗଳ୍ପ ଉପନ୍ୟାସ ଲେଖା ହୋଇଛି ସେ ସବୁଥିରେ ସ୍ତ୍ରୀ ଜୀବନର ଅବାଞ୍ଛିତ, ଅପମାନିତ ଓ ମର୍ଯ୍ୟାଦାହୀନ କାହାଣୀ କଥା ବାରମ୍ୱାର ରୂପପାଇଛି ।

 

ଲାଳନପାଳନ-ଖାଇବାରେ କୌଣସି ଜିନିଷ ଘରେ ଊଣା ଥିଲେ ଝିଅର ଭାଗ କମ୍ ପୁଅର ଭାଗ ବେଶୀ । ଅନେକ ସମୟରେ ପୁଅକୁ ବଳେଇ ଭଲ ଜିନିସ ଖାଇବାକୁ ଦିଆଯାଏ, ଝିଅ ଭାଗକୁ ତେଣୁ କିଛି ଆଉ ବଳେ ନାହିଁ । ଝିଅ ଋଷିଲେ କିମ୍ବା ଆପତ୍ତି କଲେ–“ଏମିତି ସ୍ୱାର୍ଥପର ହେବା ଉଚିତ ନୁହେଁ” ବୋଲି ଆମେ ତାକୁ ତିଆରୀ ଥାଉ । କେବଳ ଯେ ଭାଇ ଭଉଣୀ ଭିତରେ ଏପରି ପ୍ରଭେଦ ଥିବା ପିଲା ଦେଖେ ତା ନୁହେଁ । ଘରେ ବଡ଼ ମଣିଷଙ୍କ ଭିତରେ ମଧ୍ୟ ଏପରି ଖାଇବା ପିଇବାରେ ପ୍ରଭେଦ ସେ ଦେଖେ । ଘରର ପୁରୁଷଲୋକ ଖାଇ ସାରିଲା-ବେଳକୁ ସ୍ତ୍ରୀଲୋକମାନଙ୍କ ପାଇଁ ବିଶେଷ କିଛି ନ ଥାଏ । ସ୍ତ୍ରୀଲୋକମାନେ ମଧ୍ୟ ନିଜର ନିଃସ୍ୱାର୍ଥପର ଓ ନିର୍ଲୋଭୀଗୁଣ ଦେଖେଇବା ଲାଗି ନିଜପାଇଁ ନ ରଖି ଅନ୍ୟମାନଙ୍କ ପତ୍ରରେ ଅଜାଡ଼ି ଦିଅନ୍ତି । ପିଲାମାନେ ଏପରି ବ୍ୟବହାରକୁ କିନ୍ତୁ ନିଃସ୍ୱାର୍ଥପରତା ବୋଲି ଭାବନ୍ତି ନାହିଁ । ସେମାନେ ଦେଖନ୍ତି ଯେ ଘରର ଚାକର ବାକରଙ୍କୁ କେହି ନିର୍ଲୋଭୀ ହୋଇ ନିଜେ ନା ଖାଇ ଖୁଆଉ ନାହାନ୍ତି । ସେମାନେ ଶିଖନ୍ତି, ସଂସାରରେ ବିଭିନ୍ନ ଶ୍ରେଣୀର ଲୋକ ଭିନ୍ନ ଭିନ୍ନ ଆଦର ପାଆନ୍ତି । ସଂସାରରେ ଯାହାର ପ୍ରାଧାନ୍ୟ ଯେତେ ସେ ସେହି ଅନୁସାରେ ଭଲ ଓ ମନ୍ଦ ବ୍ୟବହାର ପାଏ । ସ୍ତ୍ରୀଲୋକ, ଘରର ପୁରୁଷ ଲୋକଙ୍କର ତଳିଆ ହେଇଥିଲାରୁ ସେ ସବୁଥିରେ ଊଣା । ଚାକରବାକର ସ୍ତ୍ରୀଲୋକଙ୍କ ତଳକୁ ସେମାନେ ଆହୁରି ଖରାପ ବ୍ୟବହାର ପାଆନ୍ତି । ଭଦ୍ରଶ୍ରେଣୀର ପୁରୁଷଲୋକଙ୍କର ମୂଲ୍ୟ ସଂସାରରେ ଅଧିକ ହୋଇଥିବାରୁ ସେ ଖାଇବା, ପିଇବା, ଆଦର ଆପ୍ୟାୟନ ସବୁଥିରେ ବଡ଼ଭାଗ ପାଇଥାନ୍ତି । ଏଭଳି ବ୍ୟବହାର ଯେ ଅନ୍ୟାୟ ଏ ବୋଧ କାହାରି ମନରେ ଉଦୟ ହୁଏ ନାହିଁ । (ଆମେ ପାଶ୍ଚାତ୍ୟ ଦେଶରୁ ଗଣତନ୍ତ୍ର ବ୍ୟବସ୍ଥା ଆଣି ଆମ ଦେଶରେ ରୋପଣ କରିବାକୁ ଚାହୁଁଛି, ମାତ୍ର ଯେଉଁ ଦେଶରେ ଅଧିକାଂଶ ଲୋକ ନିଜପାଇଁ ସ୍ଵତନ୍ତ୍ର ସୁଯୋଗ ସୁବିଧା ଦାବୀ କରନ୍ତି, ସେଠି ଗଣତାନ୍ତ୍ରିକ ଧାରାର କେବେ ହେଁ ଚେର ମାଡ଼ି ବ୍ୟାପିବ ନାହିଁ ।)

 

ଦାୟିତ୍ୱ-ଘରକାମ ଓ ଘରର ଅନ୍ୟାନ୍ୟ ଦାୟିତ୍ୱ ବିଷୟରେ ମଧ୍ୟ ପୁଅ ଓ ଝିଅ ଭିତରେ ଆମେ ପ୍ରଭେଦ ସୃଷ୍ଟିକରୁ । ପୁଅ ପାଠ ପଢ଼ି ଭଲ ଫଳ କରିବ ପରୀକ୍ଷାରେ । ତେଣୁ ତାଠାରୁ କେହି କୌଣସି ସାହାଯ୍ୟ ଆଶା କରନ୍ତି ନାହିଁ । ଝିଅ ଘରକାମରେ ସାହାଯ୍ୟ ନ କଲେ ଗାଳି ଖାଆନ୍ତି । ପୁଣି ଭାଇ ଓ ଭଉଣୀ ଯେଝା କାମ ଯିଏ କରନ୍ତି ନାହିଁ । ଭାଇର ବିଛଣା କରିବା, ଜାମା, ଜୋତା, ବହି ଏସବୁ ସଜାଡ଼ି ରଖିବା ଦାୟିତ୍ଵ ଭଉଣୀର । ଜଳଖିଆ ଭଉଣୀ ବାଢ଼ିଦେବ । ଏ ବିଷୟରେ ବୟସର ବଡ଼ ସାନ ଧରାଯାଏ ନାହିଁ । ବଡ଼ ଭଉଣୀ ହେଇଥିଲେ ସେ ସ୍ନେହ ହେତୁ ଏସବୁ କରିବ ଓ ସାନ ଭଉଣୀ ହେଇଥିଲେ ଭକ୍ତି ହେତୁ ଭାଇର ସେବା କରିବ ।

 

ଯିଏ କେବଳ ଘରକାମ କରେ ସେ ପୁରୁଷ ହେଲେ ବି ତା ପ୍ରତି ଆମ ମନରେ ଉଚ୍ଚ ଧାରଣା ଜନ୍ମେନାହିଁ । ସେ ଲୋକର ମଧ୍ୟ ନିଜ ସମ୍ବନ୍ଧରେ ଉଚ୍ଚ ଧାରଣା ହୁଏ ନାହିଁ । ତେଣୁ ଯଦି ପରିବାରରେ ସ୍ତ୍ରୀଲୋକ କେବଳ ଘରକାମ କରୁଛି ଓ ପିଲା ଜନ୍ମ କରୁଛି ଦେଖି ଜଣେ ବଢ଼େ ତା’ହେଲେ ସେ ସ୍ତ୍ରୀଲୋକକୁ “ରକ୍ଷଣୀୟା ଓ ପାଳନୀୟା” ବ୍ୟତୀତ ଆଉ କଣ ଭାବିବ ? ମନୁ ସଂହିତାର ଲେଖକ ମନୁ ବୋଧହୁଏ ଏଭଳି ପରିବାରରେ ବଢ଼ିଥିବେ । କାରଣ ତାଙ୍କ ଆଇନ ଅନୁସାରେ ସ୍ତ୍ରୀ ବାଲ୍ୟରେ ପିତାର, ଯୌବନରେ ଭର୍ତ୍ତାର ଓ ବାର୍ଦ୍ଧକ୍ୟରେ ପୁତ୍ରର ଆଶ୍ରିତା ହୋଇ ରହିବ । କାଳିଦାସ ମନୁଙ୍କ ପରି ତାତ୍ସଲ୍ୟ ପ୍ରକାଶ ନ କରି ସ୍ତ୍ରୀର ଆଶ୍ରିତା ଅବସ୍ଥାକୁ ମନୋରମ ଅବସ୍ଥା ରୂପରେ ବର୍ଣ୍ଣନା କରିଛନ୍ତି–ଯଥା-ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା, ବନିତା, ଲତା । ନିଜକୁ କବିତା ସହିତ ତୁଳନୀୟ ହେବାର ଜାଣି ଏଇ ବର୍ଣ୍ଣନା ପଢ଼ି ସ୍ତ୍ରୀ ମନ ଖୁସୀ ହୁଏ । ମାତ୍ର ଯାହାର ଏପରି ଆଶ୍ରୟ ନାହିଁ ସେ ସ୍ତ୍ରୀଲୋକ ନିଜ ଛଡ଼ା କାହାକୁ ଆଶ୍ରୟ କରିବ ।

 

ବର୍ତ୍ତମାନ ସମାଜରେ ଯୌତୁକପ୍ରଥା ଏତେ ବଢ଼ିଲାଣି ଯେ, ଅଧିକାଂଶ ବାପା ଯୌତୁକ ଦେଇ ଝିଅ ପାଇଁ ସ୍ୱାମୀଟିଏ ସଂଗ୍ରହ କରିବା ଦୁରାଶା ବୋଲି ବିଚାରୁଛନ୍ତି । ଯିଏ ବାହା ହେଉଛି, ସେ ଜନସଂଖ୍ୟା ବୃଦ୍ଧି ହେତୁ ଦୁଇଟି ସନ୍ତାନ କାମନା କରୁଛି । ଏଇ ଦୁଇଟି ମଧ୍ୟରୁ ଗୋଟିଏ ଯେ ପୁଅ ହେବ ଓ ବାର୍ଦ୍ଧକ୍ୟରେ ତାକୁ ପୋଷିବ, ସେ ସମ୍ଭାବନା କ୍ରମଶଃ କମି ଯାଉଛି । ସୁତରାଂ ଆମେ ବର୍ତ୍ତମାନ ଯେମିତି ଚଳୁଛୁ ଆଉ ଦଶବର୍ଷ ପରେ ସେଭଳି ଚଳିବୁ ବୋଲି କୌଣସି ସ୍ଥିରତା ନାହିଁ । ଆମେ ପିଲାଦିନେ ଯେମିତି ବଢ଼ିଥିଲୁ ସେହି ଉପାୟରେ ଓ ସେହି ଭାବରେ ଆମ ପୁଅ ଝିଅଙ୍କୁ ବଢ଼ାଇଲେ ସେମାନେ ଭବିଷ୍ୟତ ଯୁଗର ସମାଜ ସହିତ ମିଳି ମିଶି ଚଳି ପାରିବେ ନାହିଁ । ଭବିଷ୍ୟତ ଜୀବନରେ ସେମାନଙ୍କର ଭୂମିକା କ’ଣ ହବ, ସେ କଥା ବିଚାର କରି ସେମାନଙ୍କୁ ସେହି ଅନୁସାରେ ବଢ଼ାଇଲେ ସେମାନେ ଯୁଗୋପଯୋଗୀ ହୋଇ ସାର୍ଥକ ଜୀବନ ବଞ୍ଚିବେ ଏଥିଲାଗି ଆସନ୍ତା କୋଡ଼ିଏ ବର୍ଷରେ ଆମ ସମାଜରେ କିଭଳି ପରିବର୍ତ୍ତନ ହୋଇପାରେ, ସେ ବିଷୟ ଆଲୋଚନା କରିବା ।

 

ଆସନ୍ତା କାଲିର ମଣିଷ :

 

୧୯୮୦ ମସିହାରେ ଯେଉଁ ପୁଅ ଝିଅକୁ ଦଶବର୍ଷ ହୋଇଛି, ସେମାନେ ୧୯୯୦ ମସିହା ବେଳକୁ କୈଶୋର ଅତିକ୍ରମ କରି ଯୁବକ ଯୁବତୀ ରୂପରେ ସଂସାରରେ ପ୍ରବେଶ କରିବେ । ବାହା ସାହା ହୋଇ ଅର୍ଥ ଅର୍ଜନ କରି ନିଜର ପରିବାର ଗଢ଼ିବେ । ସେମାନଙ୍କର ପରିବାରର ଗଠନ ଓ ପାରିବାରିକ ସମ୍ପର୍କ ବର୍ତ୍ତମାନ ପରିବାରଠାରୁ ବହୁ ଅଂଶରେ ଭିନ୍ନ ହେବ ।

 

ମଧ୍ୟବିତ୍ତ ସଂସାରରେ ଆର୍ଥିକ ପ୍ରୟୋଜନରୁ ହିଁ ବହୁ ସ୍ତ୍ରୀଲୋକ ଘର ବାହାରେ ଚାକିରୀ କରିବାକୁ ଯାଉଛନ୍ତି । ୧୯୫୦ ମସିହାରେ ଏପରି ଚାକିରିଆ ସ୍ତ୍ରୀଲୋକଙ୍କର ସଂଖ୍ୟା ଖୁବ୍ କମ୍ ଥିଲା । ସେତେବେଳେ ଯେଉଁମାନେ ପାଠ ପଢ଼ୁଥିଲେ ସେମାନେ ଶିକ୍ଷିତ ଉଚ୍ଚପଦସ୍ଥ ସ୍ଵାମୀର ଉପଯୁକ୍ତ ହେବା ଲାଗି ପାଠ ପଢ଼ୁଥିଲେ । ପାଠ ପଢ଼ି ଚାକିରୀ କରି ସଂସାର ପୋଷିବା କଥା ସେମାନେ ଭାବୁ ନ ଥିଲେ । ଯଦି କିଏ ଶିକ୍ଷୟିତ୍ରୀ, ଅଧ୍ୟାପିକା ବା ଲେଡ଼ି ଡାକ୍ତର ହୋଇ କାମ କରୁଥିଲା, ସେ ଚାକିରୀ ଥିଲା ସଉଖୀନ ଚାକିରୀ । ସ୍ଵାମୀର ରୋଜଗାରରେ ସଂସାର ଚଳୁଥିଲା, ସ୍ୱାମୀର ବଦଳି ହେଲେ ବା ସଂସାରର ଅନ୍ୟ ଅସୁବିଧା ହେଲେ ସ୍ତ୍ରୀ କାମ ଛାଡ଼ି ଘରେ ରହି ଘରକରଣା କରୁଥିଲା । ବର୍ତ୍ତମାନ ଯେଉଁ ଝିଅମାନେ ପାଠ ପଢ଼ୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କର ଉଦ୍ଦେଶ୍ୟ ପାଠପଢ଼ା ସରିଲେ ଚାକିରୀ କରିବା । ଚାକିରୀରେ ପଶିଲା ପରେ ଚାକିରୀ ଜୀବନରେ ଉନ୍ନତି କରିବା, ପ୍ରମୋଶନ ପାଇବା ଓ ଦକ୍ଷତା ଅର୍ଜନ କରି ଖ୍ୟାତିଲାଭ କରିବା ତା’ର ପ୍ରଧାନ ଲକ୍ଷ୍ୟ । କାରଣ ସେ ଜାଣୁଛି ଚାକିରୀ ଛାଡ଼ି ଆର୍ଥିକ ଅନାଟନ ଭିତରେ ଚଳିବା ତା ପାଇଁ ସୁଖର କଥା ନୁହେଁ । ଯଦି ସେ ପୁରୁଷଲୋକଙ୍କ ପରି ୫୮ ବର୍ଷ ବୟସ ଯାକେ ଚାକିରୀ କରିବ, ତା’ହେଲେ ଘରକରଣା ଅପେକ୍ଷା ଚାକିରୀରେ ତାକୁ ବେଶୀ ମନ ଦବାକୁ ପଡ଼ିବ ।

 

ଚାକିରୀଆ ବୋହୂର ସଂସାରରେ ଘର କାମ କରି ପିଲାଙ୍କୁ ସମ୍ଭାଳି ରହିବାକୁ ଶାଶୁ କେବେ ହେଁ ଚାହିଁବେ ନାହିଁ । ତେଣୁ ଘରକାମ ଓ ପିଲା ବଢ଼େଇବାର ଦାୟିତ୍ୱ ରହିବ ଚାକରବାକରଙ୍କ ହାତରେ । ବୟସ୍କା ଧାଇ ସହଜରେ ମିଳନ୍ତି ନାହିଁ, କାରଣ ଯିଏ ଧାଇ କାମ ଜାଣିଛି ସେ ବାଳବାଡ଼ୀ ବା ଡାକ୍ତରଖାନାର ଶିଶୁ ବିଭାଗରେ କାମ କଲେ ବେଶୀ ଅର୍ଜନ କରିବ । ସେଥିଲାଗି ସାଧାରଣତଃ ଅନଭିଜ୍ଞ ପୁରୁଷ ଚାକର ପିଲାଙ୍କୁ ବଢ଼ାଇବେ ।

 

ପିଲାର ଦେହ ଖରାପ ହେଲେ କିମ୍ବା ସ୍ୱାମୀର ଦେହ ଖରାପ ହେଲେ ସ୍ତ୍ରୀ ସେମାନଙ୍କୁ ଘରେ ଏକୁଟିଆ ଛାଡ଼ି କାମକୁ ନିଶ୍ଚୟ ବାଧ୍ୟ ହେଇ ଯିବ । ଏପରି ଅବସ୍ଥାରେ ଯେ କୌଣସି ସ୍ତ୍ରୀଲୋକ ଘୋର ଦ୍ୱନ୍ଦ୍ୱରେ ପଡ଼ି ଅସୁଖୀ ହେବ । ସ୍ତ୍ରୀର ଏଇ ନୂତନ ଭୂମିକା ଗତାନୁଗତିକ ଭାବରେ ବଢ଼ିଥିବା ସ୍ୱାମୀକୁ ଜମାରୁ ସୁଖ ଲାଗିବ ନାହିଁ । ଦେହ ଖରାପବେଳେ ନିଜ ମାଆର ସେବା ଯତ୍ନ ମନେ ପକାଇ ସେ ସ୍ତ୍ରୀ ଉପରେ ବିରକ୍ତ ହେବ ।

 

ଯଦି ସ୍ତ୍ରୀ ଚାକିରୀ ଜୀବନରେ ଉନ୍ନତି କରି ସ୍ୱାମୀଠାରୁ ଉଚ୍ଚପଦକୁ ଚାଲିଯାଏ ବା ଅଧିକ ଅର୍ଥ ଅର୍ଜନ କରେ ତାହେଲେ ସ୍ୱାମୀର ଶ୍ରେଷ୍ଠ ପଣରେ ନିଶ୍ଚୟ ବାଧା ଜନ୍ମିବ । ଏପରି କ୍ଷେତ୍ରରେ ସ୍ଵାମୀ ଓ ସ୍ତ୍ରୀ ଯଦି ଆଗରୁ ଚିନ୍ତା କରି ଅବସ୍ଥାଟିକୁ ସୁଧାରି ନ ପାରନ୍ତି, ତେବେ ବିବାହ ଭାଙ୍ଗିଯିବାର ସମ୍ଭାବନା ବଢ଼ିବ । ବାହାହେଲେ ତାକୁ ତିରିଶବର୍ଷ ହେଲାବେଳକୁ ଯୋଡ଼ିକ ଯାକ ପିଲା ସ୍କୁଲ ଯାଆନ୍ତି । ଅନେକ କ୍ଷେତ୍ରରେ ଭଲ ସ୍କୁଲରେ ପଢ଼ିବେ ବୋଲି ସେମାନେ ଅନ୍ୟ ସହରରେ ହଷ୍ଟେଲରେ ରହି ପାଠ ପଢ଼ିଥାଆନ୍ତି । ଏପରି ଅବସ୍ଥାରେ ସ୍ତ୍ରୀ ଘରେ ବସି ବସି କରିବ କ’ଣ ? ଧନୀ ହେଇଥିଲାରୁ ରନ୍ଧାବଢ଼ା, ଘରକାମ ଚାକର ଚାକରାଣୀ କରନ୍ତି । ନିସ୍କର୍ମା ହୋଇ, ଏକୁଟିଆ କେତେଦିନ ଜଣେ ବସି ରହିବ ?

 

ଘରେ ରହିବା ଫଳରେ ସେ ନିଜର ଆର୍ଥିକ ସ୍ଵାଧୀନତା ତ୍ୟାଗ କରେ । ଯେଉଁ ଦେଶରେ ବିବାହ ବିଚ୍ଛେଦ ଆଇନସମ୍ମତ, ସେ ଦେଶରେ ନିଶ୍ଚୟ ବିବାହ ବିଚ୍ଛେଦ ଘଟୁଛି ଓ ଆମ ଝିଅ ବୋହୂଙ୍କ ଜୀବନରେ ସେପରି ଘଟଣା ଘଟିବାର ସମ୍ଭାବନା ଅଛି । ବିବାହ ବିଚ୍ଛେଦ ଛଡ଼ା ବୈଧବ୍ୟର ଭୟ ଅଛି । ଅନେକ ସ୍ଵାମୀ ଅନ୍ୟାସକ୍ତ ହୋଇ ସ୍ତ୍ରୀକୁ ପରିତ୍ୟାଗ ମଧ୍ୟ କରୁଛନ୍ତି । ଏପରି କ୍ଷେତ୍ରରେ ଘରେ ବସି ରହିଥିବା, ଅର୍ଜନ ଅକ୍ଷମ ସ୍ତ୍ରୀଲୋକକୁ କିଏ ପାଳିବ ? ସ୍ୱାମୀର ଅନ୍ୟପ୍ରତି ଆସକ୍ତି ହେବାର ସମ୍ଭାବନା ଖୁବ୍ କମ୍ ବୋଲି ଆମେ ଭାବିଥାଉ । ମାତ୍ର ଯେଉଁ ସମାଜରେ ଘରଲୋକ ଥର୍ଥ ବିନିମୟରେ ବିବାହ ସ୍ଥିର କରନ୍ତି, ସେଠି ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଦେହର ଆକର୍ଷଣ ତୁଳନାରେ ମନର ଆକର୍ଷଣ ଖୁବ୍ କମ୍ ଥାଏ । ନିଜ ସାଙ୍ଗସୁଖଙ୍କ ସ୍ତ୍ରୀ ଓ ଅନ୍ୟାନ୍ୟ ପରିଚିତା ନାରୀଙ୍କ ସହିତ ସ୍ଵାମୀ ନିଜର ସ୍ଵୀକୁ ତୁଳନା କରି ବିବାହ ପ୍ରତିଯୋଗିତାରେ ତା’ର ଲାଭ କ୍ଷତି କଥା ସେ ତଉଲୁଥାଏ । ସ୍ତ୍ରୀ ପସନ୍ଦ ମୂତାବକ ନ ହେଲେ ଅନେକ ସମୟରେ ସନ୍ତାନ ସମ୍ଭବା ପତ୍ନୀ ଅପେକ୍ଷା ଅଫିସର ସ୍ମାର୍ଟ, ଚଲାଖ, ଚତୁର ଛଇଳୀ ସହକର୍ମିଣୀ ଯଦି ଆଖିକୁ ଭଲ ଦେଖାଯାଏ ଓ ମନ ତା ଅଡ଼େ । ଆଉଜି ଯାଏ, ତା’ହେଲେ ସ୍ୱାମୀ ନିଜ ଅପେକ୍ଷା ସ୍ତ୍ରୀର ତ୍ରୁଟିକୁ ହିଁ ଏଥିପାଇଁ ଦାୟୀ କରେ ।

 

ପୂର୍ବେ ଯେ ଏପରି ହେଉ ନ ଥିଲା ତାହା ନୁହେଁ । ଆମ ଜେଜେମା ଓ ଆଈଙ୍କ ଅମଳରେ ସ୍ତ୍ରୀମାନେ ସଉତୁଣୀ ସହିତ ଘର କରୁଥିଲେ । ମା ମାଉସୀ ଏଥିକି ରାଜି ହେଲେ ନାହିଁ । ମାତ୍ର ଘର ବାହାରେ କ’ଣ ହେଲା ସେଥିପ୍ରତି ଆଖିବୁଜି ଦେଉଥିଲେ । ମାତ୍ର ବର୍ତ୍ତମାନ ସ୍ୱାମୀର ଅନ୍ୟ ପ୍ରତି ଆସକ୍ତିକୁ ସ୍ତ୍ରୀ ଆଖିବୁଜି ସହିବାକୁ ରାଜି ବର୍ତ୍ତମାନ ସ୍ୱାମୀର ଅନ୍ୟ ପ୍ରତି ଆସକ୍ତିକୁ ସ୍ତ୍ରୀ ଆଖିବୁଜି ସହିବାକୁ ରାଜି ହେଉନାହିଁ । ଘରେ ଅଶାନ୍ତି ହେଉଛି ଓ ଯେଉଁ ସ୍ତ୍ରୀର ଉପାୟ ଅଛି ସେ ସ୍ୱାମୀକୁ ଛାଡ଼ି ବାପଘରେ ବା ଚାକିରି କରି ଅନ୍ୟଠାରେ ରହୁଛି । ତେଣୁ ଆମ ଝିଅମାନେ ଏସବୁ ସହି ଚଳିବେ ବୋଲି ମନେ ହୁଏନାହିଁ । ନିଜର ଆର୍ଥିକ ସ୍ୱାଧୀନତା ନଥିଲେ ଏପରି ବ୍ୟବହାର ନ ସହି ଉପାୟ କଣ ? ଏଥିଲାଗି ଭବିଷ୍ୟତରେ ସ୍ତ୍ରୀଲୋକ ଆର୍ଥିକ ସ୍ୱାଧୀନତାର ସୁଯୋଗ ହରାଇ ଘରେ ରହିବାକୁ ଚାହିଁବେ ନାହିଁ ।

 

ସମାଜ ଓ ପରିବାରର ସୁବିଧା ଅସୁବିଧା ଯାହା ହେଉନା କାହିଁକି, ଯୁଗର ଏଇ ପରିବର୍ତ୍ତନକୁ ଆମେ କେହି ବଦଳେଇ ଦେଇପାରିବୁ ନାହିଁ । ସେଥିଲାଗି ଆଜିଠାରୁ ଏଇ ସମସ୍ୟା ବିଷୟରେ ଆଲୋଚନା କରି ସ୍ତ୍ରୀଲୋକଙ୍କର ବ୍ୟକ୍ତିତ୍ଵ ଓ ସ୍ଵଭାବ କିଭଳି ହେବା ଦରକାର, ସେକଥା ସ୍ଥିର କରି ସେହି ଅନୁସାରେ ଝିଅମାନଙ୍କୁ ବଢ଼ାଇବା ଉଚିତ ।

 

ପାଶ୍ଚାତ୍ୟ ଦେଶରେ ନର ଓ ନାରୀର ବୈଷମ୍ୟ ଦୂର କରିବାକୁ ଯାଇ ସେମାନେ ସ୍ତ୍ରୀଲୋକଙ୍କୁ ପୁରୁଷର ପ୍ରତିଯୋଗୀ କରି ଠିଆ କରିଛନ୍ତି । ବର୍ତ୍ତମାନ ବିଦେଶରେ ଅଧିକାଂଶ ମନୋବୈଜ୍ଞାନିକ ଗବେଷଣାର ମୂଳ ଲକ୍ଷ୍ୟ ହେଉଛି ନାରୀ ଓ ପୁରୁଷ ମଧ୍ୟରେ ଯୋଗ୍ୟତାରେ ପ୍ରଭେଦ ଅଛି କି ନାହିଁ ସେ ବିଷୟ ପ୍ରମାଣ କରିବା । ଯେଉଁମାନେ ସ୍ତ୍ରୀ ପୁରୁଷର ସାମ୍ୟରେ ବିଶ୍ୱାସ କରନ୍ତି, ସେମାନେ ଏପରି ବହୁ ଗବେଷଣାର ଉଲ୍ଲେଖ ଦେଇ ବୁଦ୍ଧି, ସ୍ମୃତିଶକ୍ତି, ଭାଷାଜ୍ଞାନ, ଚରିତ୍ରର ଦୃଢ଼ତା, ପରିଚାଳନା କ୍ଷମତା (managment), ଶାସନ କ୍ଷମତା ଇତ୍ୟାଦିରେ ସ୍ତ୍ରୀ ପୁରୁଷଙ୍କର ପାର୍ଥକ୍ୟ ନ ଥିବା ଦର୍ଶାଇ ସ୍ତ୍ରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦିଆଯାଉ ବୋଲି ଚାହୁଁଛନ୍ତି । ସ୍ତ୍ରୀ ଓ ପୁରୁଷ ସମାନ ବୋଲି ଆମେରିକାର ପ୍ରେସିଡେଣ୍ଟ ପ୍ରଥମ ଥର ପାଇଁ ସ୍ତ୍ରୀଲୋକମାନଙ୍କୁ ବାଧ୍ୟତାମୂଳକ ଭାବରେ ସୈନ୍ୟବାହିନୀରେ ଯୋଗ ଦେବା ଲାଗି ନୂଆ ଆଇନ୍ କରିବାକୁ ବସିଛନ୍ତି-। ପୁରୁଷର ସମକକ୍ଷ ହେବାପାଇଁ ଏଇ ଅଗ୍ନି ପରୀକ୍ଷାରେ କେତେ ନାରୀ ଯୋଗଦେବେ ସେ କଥା ଜଣା ନାହିଁ । ମାତ୍ର ପ୍ରକୃତି ଯାହାକୁ ପ୍ରାଣଦାନର କ୍ଷମତା ଦେଇ ସୃଷ୍ଟି କରିଛି, ସେ ଅନ୍ୟ ଗୋଟାଏ ପ୍ରାଣକୁ ଅକାଳରେ ନଷ୍ଟ କରି ଯଦି ନିଜର ସମକକ୍ଷତା ପ୍ରମାଣ କରେ, ତେବେ ଆମେ କଣ ପ୍ରକୃତରେ ଖୁସୀ ହବୁ ? ଏପରି କ୍ଷେତ୍ରରେ ପୁରୁଷଠାରୁ ହୀନ ହେଲେ କ୍ଷତି କଣ ?

 

ଆମର ପରିଚିତ ପରିବାର ଏତେଦିନ ସୁରୁଖୁରୁରେ ଚାଲି ମାନବ ସଭ୍ୟତା ଓ ସମାଜର ବହୁ ଉପକାର କରିଛି । ସ୍ତ୍ରୀର ତ୍ୟାଗ, ସହନଶୀଳତା ଓ ଧୈର୍ଯ୍ୟ ଫଳରେ ପୁରୁଷ ଘର ସମ୍ଭାଳିବାର ଦାୟିତ୍ୱରୁ ମୁକ୍ତିପାଇ ଜ୍ଞାନ, ବିଜ୍ଞାନ, ଚାରୁକଳା ଓ ଦର୍ଶନ କ୍ଷେତ୍ରରେ ନବ ନବ ସୃଜନ କରିବାକୁ ସମର୍ଥ ହେଇଛି । ସନ୍ତାନ ମାର ସେବା ଯତ୍ନ, ଲାଳନ ଓ ଶିକ୍ଷା ପାଇ ସୁସଭ୍ୟ ଓ ସଂସ୍କୃତିବାନ ହୋଇଛି । ସବୁ ସମାଜରେ ପରିବାର ହିଁ ସଂସ୍କୃତିର ଧାରା । ଯୁଗ ଯୁଗାନ୍ତରୁ ଏଯାକେ ବହନ କରି ଆଣିଛି । ପାରିବାରିକ ଶିକ୍ଷା ବିନା ବିଦ୍ୟାଳୟ ଶିକ୍ଷା ଦ୍ୱାରା ଆମେ କେବେ ହେଁ ସମ୍ପୂର୍ଣ୍ଣ ମଣିଷ ହୋଇପାରିବୁ ନାହିଁ । ତେଣୁ ଆଧୁନିକ ନାରୀ ଯଦି ସାଧାରଣ ନାରୀ ଜୀବନରେ ନିଷ୍ଫଳତା ଓ କଷ୍ଟ ନ ସହି ପୁରୁଷପରି ପରିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହେଁ, ତା’ହେଲେ ଭବିଷ୍ୟତ ଯୁଗ ପାଇଁ ପୁରୁଷକୁ ଆଜିଠାରୁ ଭାବିବାକୁ ପଡ଼ିବ । ପରିବାରକୁ ନଷ୍ଟ ନ କରି, ପରସ୍ପର ସହିତ ଦ୍ୱନ୍ଦ୍ୱ ନ କରି କେଉଁ ଉପାୟରେ ପରସ୍ପର ସହିତ ସାମ୍ୟ, ମୈତ୍ରୀ ଓ ପ୍ରୀତିର ସମ୍ପର୍କ ପ୍ରତିଷ୍ଠା କରିହେବ ସେ ବିଷୟ ଆଧୁନିକ ପୁରୁଷକୁ ସ୍ଥିର କରିବାକୁ ହେବ ।

 

ଭବିଷ୍ୟତ ସମାଜରେ ପୁରୁଷର ନୂତନ ଭୂମିକା :

 

ଏ ପର୍ଯ୍ୟନ୍ତ ଆମ ସମାଜ ପୁରୁଷର ପ୍ରାଧାନ୍ୟ ସ୍ଵୀକାର କରି ସେହି ଅନୁସାରେ ଚଳୁଛି । ଘରର ଭିତର ହେଉଛି ନାରୀର ଜଗତ ଓ ଘର ବାହାରର ସମଗ୍ର ପୃଥିବୀ ହେଉଛି ପୁରୁଷର ବିଚରଣ ଭୂମି । ଯିଏ ସହରରେ ବଢ଼ିଛି, ତାର ଅନ୍ୟ ପ୍ରକାରର ଅଭିଜ୍ଞତା ମଝିରେ ମଝିରେ ହୋଇଛି । ସେ ସ୍କୁଲରେ ଥରେ ଅଧେ ଶିକ୍ଷୟତ୍ରୀଙ୍କ ନିକଟରେ ପଢ଼ିଛି, ଡାକ୍ତରଖାନାରେ ନର୍ସ ପାଖରେ ଇଞ୍ଜେକ୍‌ସନ ନେଇଛି, ଘରେ କୌଣସି ଲେଡ଼ି ଡ଼ାକ୍ତର ଆତ୍ମୀୟା ଦେହଖରାପ ବେଳେ ତାର ଚିକିତ୍ସା କରିଛନ୍ତି । ଗାଆଁରେ ବଢ଼ିଥିବା ମଣିଷ ଏସବୁ କାମ କେବଳ ପୁରୁଷଲୋକଙ୍କୁ କରିବାର ଦେଖିଛି । ତଥାପି କଟକ ପରି ସହରରେ ମଧ୍ୟ ପ୍ରଥମ ନାରୀ ଟ୍ରଫିକ୍ ପୋଲିସ୍ ଦେଖି ଲୋକେ ପୋଲିସର ହାତର ସଙ୍କେତକୁ ନ ଅନେଇ ତାର ବେଶଭୂଷାକୁ ଅନେଇ ଦେଖୁଥିଲେ ।

 

୧୯୮୦ରୁ ୧୯୯୦ ଭିତରେ ଏପରି ଦୃଶ୍ୟ ଚାରିଆଡ଼େ ଦେଖାଯିବ । ସେତେବେଳେ ଲେଡ଼ି ଡାକ୍ତରମାନେ କେବଳ ସ୍ତ୍ରୀରୋଗର ଚିକିତ୍ସା ନ କରି ବିଶେଷଜ୍ଞ ଡାକ୍ତର ରୂପରେ ପ୍ରାୟ ସବୁ ରୋଗର ଚିକିତ୍ସା କରିବେ । ସେହିଭଳି ସ୍କୁଲ ଓ କଲେଜରେ ଶିକ୍ଷୟିତ୍ରୀ ଓ ଅଧ୍ୟାପିକା ବହୁଗୁଣରେ ବଢ଼ିବେ । ଅଫିସର ସହକର୍ମିଣୀ ହେବେ ସ୍ତ୍ରୀଲୋକ । କିରାନୀ, ଅଫିସର, ମ୍ୟାନେଜର, ଟେକ୍‌ନିସିଆନ୍ ଇତ୍ୟାଦି ବିଭିନ୍ନ ଚାକିରିରେ ସ୍ତ୍ରୀଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବ । ହୁଏତ ତାର ଉପର ଅଫିସର ବା କାରଖାନା ମ୍ୟାନେଜର ହେବେ ସ୍ତ୍ରୀଲୋକ । ସେମାନଙ୍କ ହୁକୁମ ଅନୁସାରେ ତାକୁ କାମ କରିବାକୁ ପଡ଼ିବ । ବୟସରେ ଏମାନଙ୍କ ମଧ୍ୟରୁ କେତେକ ତାର ସମବୟସୀ ହୋଇପାରନ୍ତି ଯିଏ କି I. A. S. ପରୀକ୍ଷା ଦେଇ ଜିଲ୍ଲାପାଳ ବା ଉଚ୍ଚପଦସ୍ଥ ପୋଷ୍ଟାଲ ଅଫିସର ହେଇ ଚାକିରି କରୁଛନ୍ତି ।

 

ପୁରୁଷ ଓ ନାରୀର ଚିରାଚରିତ ଭୂମିକାରେ ଏଇ ଯେଉଁ ଆମୂଳ ପରିବର୍ତ୍ତନ ଘଟୁଛି, ତାର ପ୍ରଭାବ କଣ ହେବ ସେକଥା ଆମେ ଏଯାକେ ଭାବି ଦେଖିନାହୁଁ ? ଘର ବାହାରେ ଝିଅମାନେ କାମ କରିବାଟା ଏ ପର୍ଯ୍ୟନ୍ତ ମଧ୍ୟ ଗୋଟାଏ ନୂଆ ଜିନିସ । ଅଳ୍ପ ପୁରୁଷଲୋକଙ୍କର ଝିଅମାନଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାର ଅଭିଜ୍ଞତା ଅଛି । ଅଧିକାଂଶ ଲୋକ ସେମାନଙ୍କୁ ଦୂରରୁ ଅଫିସ ଯିବାର ଦେଖନ୍ତି । ମୁହାଁମୁହିଁ ଅବସ୍ଥାରେ ପଡ଼ିଲେ କେମିତି ବ୍ୟବହାର କରିବାକୁ ହବ ଜାଣିପାରନ୍ତି ନାହିଁ ।

 

ସ୍କୁଲ ଓ କଲେଜରେ ବହୁଦିନ ହେଲା ସହଶିକ୍ଷାର ପ୍ରଚଳନ ହେଲାଣି । ତଥାପି ଛାତ୍ର ଓ ଛାତ୍ରୀ ପରସ୍ପର ସହିତ ସହଜ ଭଦ୍ରତା ଦେଖାଇ ଦୁଇପଦ ସୌଜନ୍ୟସୂଚକ କଥାବାର୍ତ୍ତା କରିପାରନ୍ତି ନାହିଁ । ଏକା କଲେଜରେ ଚାରିବର୍ଷ ପାଠ ପଢ଼ିଲେ ମଧ୍ୟ ଦୋକାନ, ବଜାର, ବସ୍ ବା ଟ୍ରେନରେ ଦେଖାହେଲେ ଦେଖି ନ ଦେଖିଲାପରି ମୁହଁ ବୁଲେଇ ଚାଲିଯାଆନ୍ତି । ଆମେ ପୁଅଙ୍କୁ ଝିଅଙ୍କ ସାଙ୍ଗରେ ମିଶିବାକୁ ମନା କରିଛୁ ଓ ଝିଅଙ୍କୁ ଅନାତ୍ମୀୟ ପୁରୁଷ ସହିତ କଥା କହିବା ଖରାପ ବୋଲି ଶିଖାଇଛୁ । ତେଣୁ ଝିଅମାନେ ପର୍ଦ୍ଦାସୀନ ସ୍ତ୍ରୀଲୋକଙ୍କ ପରି ଏବେ ମଧ୍ୟ ବ୍ୟବହାର କରୁଛନ୍ତି । ସେମାନେ ପୁରୁଷ ପ୍ରତି ସୌଜନ୍ୟ, ଭଦ୍ରତା ଓ ବନ୍ଧୁତ୍ୱର ସହଜ ପ୍ରୀତି ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି । କାରଣ ପୁରୁଷ ବିଧାନ ଅନୁସାରେ ଏପରି ବ୍ୟବହାରର କେବଳ ଗୋଟାଏ ଅର୍ଥ ହେବ । ସେ ଅର୍ଥ ହେଲା ପ୍ରଣୟାସକ୍ତି ।

 

ପୁରୁଷ ମଧ୍ୟ ସେହିପରି ଅଡ଼ୁଆରେ ପଡ଼େ । ଧରନ୍ତୁ, ଶାଶୁଙ୍କୁ ଧରି ଡାକ୍ତର ଦେଖେଇବା ଲାଗି ଜ୍ୱାଇଁ ଗାଆଁରୁ ସହରକୁ ଆସିଛନ୍ତି । ବସଷ୍ଟାଣ୍ଡରେ ରିକ୍ସା କରି ଡାକ୍ତରଖାନା ଯିବେ । ସମସ୍ୟା ହେଲା, ଜୁଆଇଁ ଶାଶୁଙ୍କ କରରେ ବସି ଯିବେ ନା ଆଉ ଗୋଟିଏ ରିକ୍ସା କରିବେ ? ପଇସା ଟଣାଟଣି ଅଛି । ସେ ଶେଷରେ ଶାଶୁଙ୍କୁ ବସାଇ ନିଜେ ରିକ୍ସାର ଡାଲାରେ ଠିଆହେଇ ଗଲେ ! ଥରେ ଜଣେ ଭଦ୍ରଲୋକଙ୍କ ବହୁତ ଦେହ ଖରାପ ହେଲା । ଖଣ୍ଡମଣ୍ଡଳରେ ଡାକ୍ତର ପାଇଲେ ନାହିଁ-। ଶେଷରେ ସାନଭାଇର ଡାକ୍ତରାଣୀ ସ୍ତ୍ରୀଙ୍କୁ ବଡ଼ଯାଆ ଆସି ଡାକିଲେ । ଭାଇବୋହୂ ରୋଗୀଙ୍କୁ ପରୀକ୍ଷା କରି ଔଷଧ ଦେଲେ । ରୋଗୀ ଭଲ ହୋଇଗଲା । ମାତ୍ର ଦେଢ଼ଶୁର ଭାଇବୋହୂ ଛୁଆଁ ଛୁଇଁ ହେଇଯାଇଥିବାରୁ ଦୋଷ ଛଡ଼ାଇବା ପାଇଁ ବିଭିନ୍ନ ବିଧିବିଧାନ କରି ଶେଷରେ ଚାଲୁଣୀ ପାଣିରେ ଗାଧୋଇବାକୁ ପଡ଼ିଲା । ଘର ଭିତରେ ଯେତେବେଳେ ଏତେ ବାରଣ, ଘର ବାହାରେ ପୁରୁଷଲୋକ ଅନାତ୍ମୀୟ ସ୍ତ୍ରୀଲୋକ ସହିତ କିପରି ବ୍ୟବହାର କରିବ, ସେକଥା ସ୍ଥିର କରିବା ତା ପାଇଁ ଦୂରୁହ ହେଇପଡ଼େ । ବସଷ୍ଟାଣ୍ଡରେ ଗୋଡ଼ ଖସି ଜଣେ ପୁରୁଷ ପଡ଼ିଗଲେ ଯେ କେହି ଯାଇ ହାତଧରି ଉଠାଇ ଲୋକଟିକୁ ସାଷ୍ଟମ କରିବାକୁ ଚେଷ୍ଟାକରେ; ମାତ୍ର ଜଣେ ସ୍ତ୍ରୀଲୋକ ଯଦି ପଡ଼ିଯାଏ, ତା’ହେଲେ ଆଉଜଣେ ବୟସ୍କା ସ୍ତ୍ରୀଲୋକକୁ ଖୋଜି ଆଣିବାକୁ ପଡ଼େ । ଏଇ ପ୍ରସଙ୍ଗରେ ଚିତୋରର ରାଣୀ ମୀରାବାଈଙ୍କର ଉକ୍ତି ଉଲ୍ଲେଖଯୋଗ୍ୟ । ମୀରା କହିଥିଲେ ଭକ୍ତର କେବଳ ଗୋଟିଏ ପରିଚୟ–ସେ ହେଲା ଭକ୍ତି । ଯିଏ ଭଗବତ୍ ଭାବରେ ବିଭୋର ସେ ନିଜକୁ ନାରୀ ବା ପୁରୁଷ ବୋଲି ଭାବେ ନାହିଁ, ଭକ୍ତି ବୋଲି ଭାବେ । ମୀରାଙ୍କ ପରି ଆମେ ଯଦି ନିଜକୁ ପ୍ରଥମେ ମଣିଷ ଓ ପରେ ପୁରୁଷ ବା ନାରୀ, କୁଳୀନ, ଅକୁଳୀନ, ଧନୀ ନିର୍ଧନ ଇତ୍ୟାଦି ପ୍ରଭେଦ ଅନୁସାରେ ବିଚାର କରିବୁ, ତାହାହେଲେ ଆମର ମଙ୍ଗଳ ହେବ । ଏହି ମନୋଭାବ ହେଲେ ପୁରୁଷ ଓ ନାରୀ ପରସ୍ପରକୁ କେବଳ କାମନାର ଆଖିରେ ନଦେଖି ବନ୍ଧୁ ରୂପରେ ଦେଖିବାକୁ ଶିଖିବେ । ଅନ୍ୟ ପରିଚିତ ବା ଅପରିଚିତ ଲୋକ ପ୍ରତି ଆମେ ଯେପରି ବ୍ୟବହାର କରିଥାଉ ପୁରୁଷ ଓ ନାରୀ ପରସ୍ପର ପ୍ରତି ସେତିକି ଭଦ୍ରତା ଓ ବିବେଚନାପୂର୍ଣ୍ଣ ବ୍ୟବହାର ଦେଖାଇଲେ ଯଥେଷ୍ଟ ହେବ ।

 

ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ ଯେପରି ପୁରୁଷ ଓ ନାରୀ ମଧ୍ୟରେ ସହଜ ସାମାଜିକ ସମ୍ପର୍କ ରହିଛି, କାଳକ୍ରମରେ ଆମ ଦେଶରେ ଧୀରେ ଧୀରେ ସେପରି ସମ୍ପର୍କ ଗଢ଼ିଉଠିବ । ପ୍ରକୃତରେ ଦେଖିବାକୁ ଗଲେ ଦେଶର ସ୍ଵାଧୀନତା ଲାଭ ପରେ ସ୍ତ୍ରୀଲୋକମାନେ ଅଧିକ ସଂଖ୍ୟାରେ ପର୍ଦ୍ଦାସୀନ ଅବସ୍ଥା ତ୍ୟାଗକରି ବାହାରର ମୁକ୍ତି ଅଙ୍ଗନକୁ ବାହାରିଛନ୍ତି । ଏଇ ଅଳ୍ପ ସମୟ ଭିତରେ ସ୍ତ୍ରୀଲୋକଙ୍କର ସାଧାରଣ ଅବସ୍ଥାର ବହୁ ଉନ୍ନତି ହୋଇଛି । ଏଇ ଉନ୍ନତି ଯୋଗୁଁ ପୁରୁଷଲୋକଙ୍କୁ ବିଶେଷ ଅସୁବିଧା ସହ୍ୟ କରିବାକୁ ପଡ଼ିନାହିଁ । ବରଂ ସ୍ତ୍ରୀ ଶିକ୍ଷିତା ହେଇଥିବାରୁ ନିଜ ସ୍ତ୍ରୀ ବିଷୟରେ ଗୌରବବୋଧ କରୁଛି । ରଘୁବଂଶ ଆବୃତ୍ତି କରି ସେ ମଧ୍ୟ ଅଜାଙ୍କ ପରି କହିପାରିବ ଯେ, ତାର ସ୍ତ୍ରୀ ତାର ଜୀବନରେ ଗୃହିଣୀ, ସଚିବ ଓ ସଖୀର ସ୍ଥାନ ଅଧିକାର କରିଛି । ମାତ୍ର ସାଧାରଣ ଶିକ୍ଷିତା ସ୍ତ୍ରୀ ଏବଂ ଓକିଲ, ଜଜ୍, ମନ୍ତ୍ରୀ, ଡାକ୍ତର ଓ ବୈଜ୍ଞନୀକ ସ୍ତ୍ରୀ ମଧ୍ୟରେ ବହୁ ପ୍ରଭେଦ । ସାଧାରଣ ଶିକ୍ଷିତା ସ୍ତ୍ରୀ ସ୍ୱାମୀର ପରିପୂରକ ରୂପରେ ସହଚାରିଣୀ ହୋଇ ସଂସାର ଧର୍ମ ପାଳନ କରେ । ମାତ୍ର ଆସନ୍ତାକାଲିର ଉଚ୍ଚଶିକ୍ଷିତା ସ୍ତ୍ରୀର ସ୍ଵତନ୍ତ୍ର ଜୀବନ, ସ୍ଵତନ୍ତ୍ର ପରିଚୟ ଓ ସ୍ଵତନ୍ତ୍ର ବ୍ୟକ୍ତିତ୍ୱ ରହିବ । ଆମ ପୁଅମାନେ ଯାହାକୁ ବାହାହେବେ, ସେମାନେ ବିବାହ ଜୀବନରେ ସମକକ୍ଷ ଅଂଶୀଦାର ହେଇ ଚଳିବାକୁ ଚାହିଁବେ ।

 

ମନେକରନ୍ତୁ ଜଣେ ସାଧାରଣ ପୁରୁଷ ପିଲାଦିନୁ ମାଆର ନୟନ ପିତୁଳା ହେଇ ବଢ଼ିଛି-। ଘରେ ସବୁଠାରୁ ଭଲ ଖାଇବା ତା ଭାଗରେ ପଡ଼େ । ସବୁ ସୁବିଧା ପ୍ରଥମେ ତାକୁ ଦିଆଯିବା ପରେ ଅନ୍ୟମାନଙ୍କ କଥା ବିଚାରକୁ ନିଆଯାଏ । ସମସ୍ତଙ୍କର ସ୍ନେହ ଆଦର ପାଇ ସେ ବଢ଼େ । ଘରେ ଦେଖେ ବାପାଙ୍କ କଥା ବେଦବାକ୍ୟ । ବାପା ଘରକୁ ଫେରିଲେ ମାଆ ସବୁ କାମ ପକେଇ ଯାଇ ବାପାଙ୍କ ହାତରୁ ଜିନିଷ ଆଣି ଥୁଅନ୍ତି । ଗୋଡ଼ ଧୋଇବାକୁ ପାଣି, ହାତ ପୋଛିବାକୁ ତଉଲିଆ ଧରି ଠିଆ ହୁଅନ୍ତି । ବାପା ଶାନ୍ତିରେ ବସିଲେ ଜଳଖିଆ ବାଢ଼ି ହାତରେ ପଙ୍ଖାଟିଏ ଧରି ବିଞ୍ଚନ୍ତି । ଭଉଣୀ ପରସାପରସି କରେ । ସେହି ବାପା ପୁଣି ଥାଳିରୁ ତାକୁ ଭଲ ଜିନିଷ ବାଛି ଖୁଆନ୍ତି-। ସ୍କୁଲରେ ସେ ଭଲ ଛାତ୍ର । ପରୀକ୍ଷାରେ ପ୍ରଥମ ହୁଏ । ଭଲ ପଢ଼ିଲାରୁ ପ୍ରତିଯୋଗିତାରେ ଜିତି ଡାକ୍ତରୀ ପଢ଼ିଲା । ପାଶ୍ କଲା । ଭଲପାଇ ନିଜର ସହପାଠିନୀକୁ ବାହା ହେଲା । ପଞ୍ଚବର୍ଷ ପରେ ତାର ସ୍ତ୍ରୀ ପ୍ରମୋଶନ ପାଇ ଉପରକୁ ଉଠିଲା । କାରଣ ତା ସ୍ତ୍ରୀ ତା’ଠାରୁ ଆହୁରି ଭଲ ପଢ଼ୁଥିଲା । ଡାକ୍ତର ହିସାବରେ ଆହୁରି ଭଲ ନାଆଁ କରିଛି । ଏଇ ଅବସ୍ଥାକୁ ମାନିନବା କେଡ଼େ କଷ୍ଟ ! ପିଲାଦିନୁ ସେ ଜାଣିଛି, ସେ ଶ୍ରେଷ୍ଠ; ସମସ୍ତଙ୍କଠାରୁ ଭଲ, ସମସ୍ତଙ୍କର ପ୍ରଶଂସା ଆଦର ପାଇବାକୁ ହକଦାର । କେବଳ ସେତିକି ନୁହଁ ସ୍ତ୍ରୀର ଏଇ ଉନ୍ନତି ପାଇଁ ସେ ନିଜର ବହୁତ ସୁବିଧା ତ୍ୟାଗ କରିଛି । କାମରୁ ଫେରି ନିଜେ ଜଳଖିଆ କରି ଖାଇଛି । ସ୍ତ୍ରୀର ରାତିରେ ଡିଉଟିଥିଲେ ଆପତ୍ତି କରିନାହିଁ, ବାପାପରି କେବେ ସ୍ତ୍ରୀ ହାତରୁ ଗୋଡ଼ଧୁଆ ପାଣି, ବା ହାତପଙ୍ଖାର ପବନ ପାଇନାହିଁ । ଭାବିଚିନ୍ତି ସେ ନିଜର ବିଭାଗ ବଦଳେଇ ଡାକ୍ତରଖାନାର ଆଉ ଏକ ବିଭାଗରେ ଯାଇ ଚାକିରି କଲା, ଭାବିଲା ଏଥର ସ୍ତ୍ରୀ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ । ଅଳ୍ପଦିନ ପରେ ଆଉ ଜଣେ ବିଖ୍ୟାତ ମହିଳା ଡାକ୍ତର ସେ ବିଭାଗର ମୁଖ୍ୟ ଅଧ୍ୟାପିକା ହୋଇ ଆସିଲେ । ବର୍ତ୍ତମାନ ଜଣେ ମହିଳା ହାକିମ ପାଖରେ ନିଜ କାମର କୈଫିୟତ୍ ଦେଇ ତାଙ୍କ ଆଦେଶ ମାନି କାମ କଲାବେଳକୁ ତା ମନର ଅବସ୍ଥା କଣ ହେଉଥିବ ? ଆଜି ଏ କାହାଣୀ ଅବାସ୍ତବ ଜଣାଯାଉଛି, ମାତ୍ର ଆସନ୍ତା କୋଡ଼ିଏ ବର୍ଷ ପରେ ଏଭଳି ଘଟଣା ଚାରିଆଡ଼େ ଘଟିବ । ଆଜହୁଁ ଆମେ ଯଦି ଏ ବିଷୟରେ ସଚେତନ ନହେଉ, ତେବେ ଭବିଷ୍ୟତରେ ଏପରି ଅବସ୍ଥା ହେଲେ ଭାଙ୍ଗିପଡ଼ିବୁ ।

 

ଘରେ ରହୁଥିବା ଅଳ୍ପ ଶିକ୍ଷିତା ସ୍ତ୍ରୀ ବାହାହେଲେ ହୁଏତ ଏଭଳି ଅବସ୍ଥାନ ହେଇପାରେ । ମାତ୍ର ଦେଶରେ ଆର୍ଥିକ ଅନାଟନ ଯେତେ ବଢ଼ିବ, ସେତେ ପୁରୁଷଲୋକ ରୋଜଗାରିଆ ସ୍ତ୍ରୀ ବାହା ହେବାକୁ ଚାହିଁବେ । ସ୍ତ୍ରୀ ଅର୍ଜନ କରୁଥିଲେ, ଯଦି ସ୍ୱାମୀର ଦୁର୍ଘଟଣାରେ ମୃତ୍ୟୁ ହୁଏ ତା’ହେଲେ ପରିବାର ପଥର ଭିକାରୀ ହେବେ ନାହିଁ । ଏହା ଜୀବନ ସମସ୍ୟାର ଏକ ତିକ୍ତ-ମଧୁର ସମାଧାନ । ପୂର୍ବେ ବାପା, ବଡ଼ବାପା ଯେବେ ଗାଆଁର ଜମିବାଡ଼ି ଛାଡ଼ି, ଯୌଥ ପରିବାରର ବନ୍ଧନ ଭାଙ୍ଗି ସହରରେ ଚାକିରି କରିବାକୁ ଆସିଲେ, ସେତେବେଳେ ଯେପରି ଏକ ନୂଆ ପରିସ୍ଥିତି ସୃଷ୍ଟି ହୋଇଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଆମ ପୁଅ ଝିଅ, ନାରୀ ଓ ପୁରୁଷର ସମାନପଣ ସ୍ୱୀକାର କରି ନୂଆ ପ୍ରକାର ପରିବାର ଗଢ଼ିଲାବେଳକୁ ଅଭିନବ ତିକ୍ତ ମଧୁର ଅନୁଭୂତ ଭିତର ଦେଇ ଯିବେ ।

 

ସାମାଜିକ ଜୀବନରେ ପୁରୁଷକୁ ବଡ଼ପଣ ଦେବା ଫଳରେ ନାରୀ ପ୍ରତି ଯେଉଁ ଅନ୍ୟାୟ ହୋଇଛି, ସେକଥା ଆମେ ସମସ୍ତେ ଜାଣୁ । ମାତ୍ର ବଡ଼ପଣ ପାଇ ପୁରୁଷ କେତେ ଅସୁବିଧାରେ ପଡ଼ିଛି, ସେକଥା କେବେହେଁ ଭାବି ଦେଖୁନା । ନିଜର ବଡ଼ପଣ ରକ୍ଷା କରିବାପାଇଁ ପୁରୁଷ ଉପରେ ସବୁବେଳେ ଅନ୍ୟ ତୁଳନାରେ ବଡ଼ ହେବାଲାଗି ଅହରହ ଚାପ ଦିଆଯାଉଛି । ତେଣୁ କାହାଠାରୁ ଧନରେ, ମାନରେ, ବିଦ୍ୟାରେ ଅଳ୍ପ ଊଣା ହେଲେ ତାର ପ୍ରାଣକୁ ବାଧେ । ପୃଥିବୀରେ ସମସ୍ତେ ତାର ପ୍ରତିଯୋଗୀ । ଅଥଚ ଜୀବନର ଅଭିଜ୍ଞତାରୁ ସେ ପଦେ ପଦେ ଅନୁଭବ କରେ, ସେ ପ୍ରକୃତରେ ଅନ୍ୟମାନଙ୍କ ତୁଳନାରେ ବଡ଼ ନୁହେଁ । କେତେ ବିଷୟରେ ସମକକ୍ଷ ଆଉ କେତେ ବିଷୟରେ ସେ ଅନ୍ୟଠାରୁ ଊଣା । ସ୍ତ୍ରୀଲୋକ ତଳତଳିଆ ଅବସ୍ଥାରେ ରହିଥିବା ନିଜର ହୀନମାନିଆ ଜୀବନ କଥା ସମସ୍ତଙ୍କୁ କହିପାରେ । ପୁରୁଷ ଅନ୍ତରରେ ଦୈନ୍ୟ ଅନୁଭବ ସତ୍ତ୍ୱେ ମୁହଁରେ ଦମ୍ଭ ପ୍ରକାଶ କରେ । ସ୍ତ୍ରୀ ଆଖିରେ କାଳେ ଛୋଟ ହେଇଯିବ ବୋଲି ଟଙ୍କା ପଇସାର ଅସୁବିଧା, ଚାକିରିର ଅସୁବିଧା କଥା ସ୍ତ୍ରୀକୁ ପ୍ରାୟ କହେ ନାହିଁ । ଚାକିରିରେ ଗଫଲତି କରି ଗାଳି ଖାଇଥିଲେ ଘରେ ସ୍ତ୍ରୀକୁ ବାଡ଼େଇ ବା ତୋଡ଼ ଦେଖେଇ ନିଜର ବଡ଼ପଣକୁ ଦୃଢ଼ କରିବାକୁ ଚାହେଁ । କେବଳ ପୁରୁଷ ନୁହେଁ ଯିଏ ଉଚ୍ଚପଦରେ ଥାଏ, ଯାହାକୁ ସମସ୍ତେ ବଡ଼ ବୋଲି ମାନନ୍ତି ବା ଶ୍ରେଷ୍ଠ ବୋଲି ବିଚାରନ୍ତି ସେସବୁ ପୁରୁଷ ବା ସ୍ତ୍ରୀଲୋକ ସଦାସର୍ବଦା ନିଜର ପ୍ରଶଂସା ତଳ ଲୋକଙ୍କଠାରୁ ଶୁଣିବାକୁ ଭଲ ପାଆନ୍ତି । କାରଣ ନିଜର ବଡ଼ପଣ ଅନ୍ୟର ସାନପଣ ଉପରେ ହିଁ ନିର୍ଭର କରେ । ସମକକ୍ଷ ଲୋକକୁ ଖୁବ୍ ଅଳ୍ପ ଲୋକ ଭଲ ପାଆନ୍ତି । ଦେବରାଜ ଇନ୍ଦ୍ର ସବୁବେଳେ ନିଜ “ଇନ୍ଦ୍ର ପଦ” ଚାଲିଯିବ ବୋଲି ଆଶଙ୍କିତ ହୋଇ ସମସ୍ତଙ୍କର ତପସ୍ୟା ନଷ୍ଟ କରୁଥିଲେ । ଯେମିତି ଅନ୍ୟ କେହି ତପସ୍ୟା ବଳରେ ଇନ୍ଦ୍ରପଦ ନପାଏ । ଯିଏ ଇନ୍ଦ୍ର ନୁହେଁ, ତାର ଏଭଳି ଚିନ୍ତା ଦକ ନଥାଏ ଓ ଅନ୍ୟ ପ୍ରତି ଈର୍ଷା ମଧ୍ୟ କମିଯାଏ ।

 

ସ୍ତ୍ରୀମାନେ ଘରର ଚାରିକୋଣରେ ବନ୍ଦୀ ହେଇ ରହିଛନ୍ତି ସତ, ମାତ୍ର ପୁରୁଷ ତୁଳନାରେ ଜୀବନ ଯୁଦ୍ଧର ବହୁ କ୍ଷତ ଓ କ୍ଷତିରୁ ରକ୍ଷା ପାଇଛନ୍ତି । ଯେଉଁ ଝିଅ ଏମ୍. ଏ ପାଶ୍ କରି ଘରେ ବସିଛି, ତାକୁ କେହି ବେକାର ବୋଲି ଭାବନ୍ତି ନାହିଁ । ସେ ବାହାହେବାକୁ ଅପେକ୍ଷା କରିଛି । ଯେଉଁ ପୁଅ ଏମ୍. ଏ ପାଶ୍ କରି ବସିଛି, ତାକୁ ସମସ୍ତେ କୁହନ୍ତି ବେକାର । ଅନ୍ୟ ସମସ୍ତଙ୍କ ଆଗରେ ଘରଲୋକ ଦୁଃଖ କରି କୁହନ୍ତି–“ପିଲା କିଛି ହେଲାନାହିଁ ।”

 

ପୁରୁଷର ଯଶ, ଖ୍ୟାତି କୀର୍ତ୍ତି ଓ ଧନ ଅର୍ଜନ କରିବାର ସୁଯୋଗ ରହିଛି । ତେଣୁ ତା’ ଉପରେ ସବୁବେଳେ ଚାପ ଦିଆଯାଏ । ସେ ଜୀବନରେ ଉନ୍ନତି ନ କଲେ ଲୋକେ ତାକୁ ବେଖାତିର କରନ୍ତି । ତେଣୁ ପୁରୁଷକୁ ‘କିଛି ଗୋଟାଏ’ ହବାକୁ ପଡ଼େ । ବାପା ଧନରେ ଯିଏ ଧନୀ ତାକୁ କେହି ସାର୍ଥକ ପୁରୁଷ ବୋଲି ଭାବନ୍ତି ନାହିଁ । ନିଜ ବଳରେ ନିଜ ଗୋଡ଼ରେ ଠିଆହୋଇ ସାଫଲ୍ୟ ଅର୍ଜନ କରିପାରିଲେ ଯାଇ ପୁରୁଷ ନିଜର ପୁରୁଷାର୍ଥ ପ୍ରମାଣ କରିଥାଏ । ସବୁ ସମାଜରେ ଅଳ୍ପ ପୁରୁଷଲୋକ ହିଁ ଜୀବନର ଶୀର୍ଷ ଶିଖରରେ ପହଞ୍ଚିପାରନ୍ତି । ଅଧିକାଂଶ ଲୋକ ବହୁ ଆଶା ଆକାଂକ୍ଷା ନେଇ ଜୀବନ ଆରମ୍ଭ କରିଥାନ୍ତି ମାତ୍ର ଜୀବନରେ ବାଞ୍ଛିତ ଉନ୍ନତି କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଇ ନ ଥାଏ । ଜୀବନ-ସମୁଦ୍ର ମନ୍ଥନରୁ ଯେଉଁ ନିଷ୍ଫଳତାର ବିଷ ଉଠେ, ତା’ର ଜ୍ଵାଳାରେ ଅଧିକାଂଶ ଲୋକ ଜୀବନଯାକ ଜଳିପୋଡ଼ି ହୁଅନ୍ତି । ଅମୃତ ଅଳ୍ପ ଲୋକଙ୍କ ପତ୍ରରେ ପଡ଼ିଥାଏ । ଏଥିପାଇଁ ନିଜ ଆହତ ହୃଦୟର କ୍ଷତି ବେଦନାର ଉପଶମ ଲାଗି ପୁରୁଷ ମାଆ, ଭଉଣୀ ଓ ସ୍ତ୍ରୀଠାରୁ ମମତା ଓ ଯତ୍ନ ଲୋଡ଼ିଛି । ନାରୀ କ୍ରମଶଃ ପୁରୁଷର ପ୍ରତିଦ୍ୱନ୍ଦ୍ୱିନୀ ଭୂମିକାରେ ଅବତୀର୍ଣ୍ଣ ହେବା ଫଳରେ ପୁରୁଷ ତା’ଠାରୁ ବିଚାଚରିତ ସମବେଦନା ଓ ସହାନୁଭୁତି ନ ପାଇ ଅଧିକ ବ୍ୟଥିତ ହେଉଛି । କେଉଁଠାରୁ ସାନ୍ତ୍ୱନା ପାଇବ ସେକଥା ଜାଣିପାରୁ ନାହିଁ । ଯଦି ଆଧୁନିକ ନରନାରୀ ପରସ୍ପରର ପ୍ରତିଯୋଗୀ ହୋଇ ମଧ୍ୟ ପରସ୍ପର ପ୍ରତି ସହାନୁଭୂତିଶୀଳ ହୁଅନ୍ତି ତା’ହେଲେ ସେମାନଙ୍କର ମଙ୍ଗଳ ହେବ । ପରସ୍ପରକୁ ମିତ୍ର ଭା‍ବି ପ୍ରତିଯୋଗିତା କଲେ ତାର ଫଳ ସେତେ ଭୟାବହ ହୁଏନାହିଁ ।

 

ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ ନାରୀ ବହୁଯୁଗର ସଞ୍ଚିତ ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ପୁରୁଷ ପ୍ରତି ଅନ୍ୟାୟ କରିବାକୁ ଦ୍ୱିଧାବୋଧ କରୁନାହିଁ । ନିଜର ସ୍ୱାର୍ଥ ତିଳେ ହେଲେ ଛାଡ଼ିବାକୁ ଚାହୁଁନାହିଁ । ଫଳରେ ସେଠିକାର ସ୍ଵାମୀ ସ୍ତ୍ରୀର ପରିବାର ଭାଙ୍ଗିଯାଉଛି । ଯୌନ ସମ୍ପର୍କରେ ସମକାମୀତା ବୃଦ୍ଧି ପାଉଛି । ପିଲାମାନେ ବାପା ମାଆଙ୍କ ଆଶ୍ରୟରେ ନ ରହି ସରକାରୀ ଆଶ୍ରୟରେ ବଢ଼ୁଛନ୍ତି । ଏଇ ପିଲାମାନଙ୍କର ଶାରିରୀକ ଅଯତ୍ନ ହେଉନାହିଁ । ଭଲ ଖାଇ ଭଲ ପିନ୍ଧି ସେମାନେ ସୁଶ୍ରୀ ଓ ସ୍ୱାସ୍ଥ୍ୟବାନ୍ ହେଇ ବଢ଼ୁଛନ୍ତି । ମାତ୍ର ପରିବାରର ବାତାବରଣରେ ବଢ଼ୁ ନଥିବା ହେତୁ ସେମାନଙ୍କର ଚିନ୍ତା, ଆଦର୍ଶ, ମୂଲ୍ୟବୋଧ ଓ ବିବେକଜ୍ଞାନରେ ତ୍ରୁଟି ରହୁଛି । ସେମାନେ ବଡ଼ ହେଲେ ସମାଜ ସହିତ ବା ଅନ୍ୟଲୋକ ସହିତ ଚଳି ପାରୁନାହାନ୍ତି ।

 

ଆମ ଦେଶରେ କଣ କଲେ ଏପରି ବିଷମ ପରିସ୍ଥିତି ସୃଷ୍ଟି ହେବନାହିଁ, ସେ ବିଷୟ ନେଇ ଆଜିଠାରୁ ଚିନ୍ତା କରିବା ଉଚିତ । ଏ ଦେଶରେ ପୁରୁଷ ଯଦି ନ୍ୟାୟନିଷ୍ଠ ନ ହୁଏ ଓ ନାରୀ ଯଦି ମମତା ତ୍ୟାଗ କରେ, ତା’ହେଲେ ଏଠି ମଧ୍ୟ ଏକାପରି ବିଭ୍ରାଟ ହେବ ।

Image

 

Unknown

ବାଲ୍ୟ ଓ କୈଶୋରର ମାନସିକ ସମସ୍ୟା

 

ମାନସିକ ସମସ୍ୟାର ବିଭିନ୍ନ କାରଣ ରହିଛି । ଏହିସବୁ କାରଣଗୁଡ଼ିକୁ ଦୁଇଟି ପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯାଏ ।

 

୧ । ସୁସ୍ଥ ଓ ସ୍ୱାଭାବିକ ବ୍ୟକ୍ତି ପ୍ରତିକୂଳ ଅବସ୍ଥାର ଚାପରେ ପଡ଼ି ମାନସିକ ଅଶାନ୍ତି ହେତୁ ବିଭିନ୍ନ ପ୍ରକାର ମାନସିକ ବ୍ୟାଧିର ଶିକାର ହୁଏ ।

 

୨ । ମାନସିକ ବ୍ୟାଧିଗ୍ରସ୍ତ ବ୍ୟକ୍ତି ଅନୁକୂଳ ଅବସ୍ଥାରେ ଥାଇ ମଧ୍ୟ ନିଜର ରୁଗ୍‍ଣ ମନ ଯୋଗୁଁ ଅହେତୁକ ଦୁଶ୍ଚିନ୍ତା, ଉତ୍କଣ୍ଠା, ଅକାରଣ ଆତଙ୍କ, ମାନସିକ ବିଷାଦ ଓ ବିଭିନ୍ନ ପ୍ରକାର ପାଗଳାମୀ ଦ୍ୱାରା ଆକ୍ରାନ୍ତ ହୋଇଥାଏ ।

 

ପ୍ରାପ୍ତବୟସ୍କ ଲୋକଙ୍କଠାରେ ପ୍ରଧାନତଃ ମାନସିକ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ବିଭିନ୍ନ ପ୍ରକାରର ମାନସିକ ସମସ୍ୟା ଦେଖାଯାଏ । ମାତ୍ର ବାଲ୍ୟ ଓ କୈଶୋରରେ ଅତି ଅଳ୍ପ ସଂଖ୍ୟକ କ୍ଷେତ୍ରରେ ମାନସିକ ଅସୁସ୍ଥତା ହେତୁ ମାନସିକ ସମସ୍ୟା ଦେଖାଯାଏ; ବରଂ ବ୍ୟକ୍ତିର ଅନଭିଜ୍ଞତା ଓ ପାରିପାର୍ଶ୍ୱିକ ଅବସ୍ଥାର ରୂପ ଯୋଗୁ ହିଁ ବାଲ୍ୟ ଓ କୈଶୋରରେ ବିଭିନ୍ନ ସମସ୍ୟାର ସୂତ୍ରପାତ ହୁଏ । ତେଣୁ ସ୍ଵାଭାବିକ ଓ ସୁସ୍ଥ ବ୍ୟକ୍ତିଠାରେ କେଉଁ ପ୍ରକାର ମାନସିକ ସମସ୍ୟା ସାଧାରଣତଃ ଦେଖାଯାଏ, ସେ ବିଷୟ ଏହି ଅଧ୍ୟାୟରେ ଆଲୋଚିତ କରାଯାଉଛି । ମୃତ୍ୟୁ ଭୟ, ମାନସିକ ଅଶାନ୍ତି, ଆତ୍ମହତ୍ୟା ଓ ମାଦକଦ୍ରବ୍ୟର ବ୍ୟବହାର–ଏଇ ଚାରୋଟି ସମସ୍ୟା ସାର୍ବଜନୀନ ଭାବରେ ବାଲ୍ୟ ଓ କୈଶୋରରେ ଦେଖାଯାଏ । ଏଇ ସମସ୍ୟାଗୁଡ଼ିକର କାରଣ, ଲକ୍ଷଣ ଓ ପ୍ରତିକାରର ଉପାୟ କଣ ସେ ବିଷୟ ବିଚାର କରିବା ।

 

(୧) ମୃତ୍ୟୁ ଭୟ ଓ ମୃତ୍ୟୁ ସମ୍ବନ୍ଧୀୟ ଭୟ

 

ମୃତ୍ୟୁ ଭୟ ମଣିଷ ମାତ୍ରେ ଅନୁଭବ କରନ୍ତି । ସେଥିଲାଗି ସୁଖର ପ୍ରାଚୂର୍ଯ୍ୟରେ ମଜ୍ଜିଥାଇ ମଧ୍ୟ ମୃତ୍ୟୁ କଥା ମନେପଡ଼ିଲେ ମଣିଷ ମ୍ରିୟମାଣ ହୁଏ । ସମସ୍ତେ ଜୀବନର ଏଇ ଅନ୍ଧକାର ଦିଗକୁ ଭୁଲିଯିବାକୁ ଚାହାଁନ୍ତି । କଥାବାର୍ତ୍ତାରେ ଏ ବିଷୟ ଉଲ୍ଲେଖ କରନ୍ତି ନାହିଁ । ବିଶେଷକରି ପିଲାଙ୍କ ଉପସ୍ଥିତିରେ ଏପରି ପ୍ରସଙ୍ଗ ଆସିଗଲେ । ଅନ୍ୟମାନେ ପିଲାକୁ ସେଠାରୁ ଚାଲିଯିବାକୁ କୁହନ୍ତି । ଆମର ପ୍ରାଚୀନ ସାହିତ୍ୟରେ ମୃତ୍ୟୁରେ ସମାପ୍ତ ହେଉଥିବା ବିୟୋଗାନ୍ତକ କାହାଣୀ ଲେଖୁ ନଥିଲେ । ସେମାନେ ଭାବୁଥିଲେ ଏପରି ଘଟଣା ପଢ଼ିଲେ ମଣିଷ ମନର ଶାନ୍ତି ନଷ୍ଟ ହେବ ।

 

ନିଜ ମନର ଏଇ ପ୍ରଚ୍ଛନ୍ନ ଗଭୀର ଉତ୍କଣ୍ଠା ହେତୁ ଆମେ ପିଲାଙ୍କୁ ମୃତ୍ୟୁ ବିଷୟରେ ଅନଭିଜ୍ଞ କରି ରଖିବାକୁ ଚାହୁଁ । “ସେ ଯାହା ଜାଣେନା, ସେ ବିଷୟ ନେଇ କେଭେ ଚିନ୍ତା କରିବ ନାହିଁ”–ବୋଲି ଆମେ ଭାବୁ । ମାତ୍ର ପିଲା ସଂସାରରେ ବଢ଼ୁଥିଲାରୁ ମୃତ୍ୟୁ ବିଷୟ ଶୁଣନ୍ତି, ନିକଟ ଆତ୍ମୀୟଙ୍କର ମୃତ୍ୟୁ ଘଟିଲେ ସେ ବିଷୟ ଭାବି ଗଭୀର ଉତ୍କଣ୍ଠା ଓ ଉଦ୍ୱେଗ ଅନୁଭବ କରନ୍ତି । ବିଶେଷରେ, ଏ ବିଷୟରେ କିଛି ଜାଣି ନ ଥିବାରୁ ଭୁଲ୍ ଭାବିବାର ଓ ଭୁଲ୍ ବୁଝିବାର ସମ୍ଭାବନା ବଢ଼ିଯାଏ । ଯଥା-“ଜେଜେମା ପରି ମୋ ମା କ’ଣ ଦିନେ ମରିଯିବ ?” ମରିଯିବା ମାନେ କଅଣ ? ନିଦରୁ ନ ଉଠିବା । ମରିଗଲେ କଣ ହୁଏ । ମଣିଷର ପ୍ରେତ କାହିଁକି ଘରଯାକ ଭୂତ ହୋଇ ବୁଲେ-? ଭୂତ କାହିଁକି ମଣିଷକୁ ଡରାଏ ? ମୁଁ ଜେଜେମାକୁ ଜାକି ତା କୋଳରେ ରାତିରେ ଶୋଉଥିଲି-ମରିଗଲେ, କାହିଁକି ତା ଦେହ ଛୁଇଁବି ନାହିଁ ? ଏସବୁ ପ୍ରଶ୍ନର ଉତ୍ତର କେହି ନ କହିଲେ ପିଲା ନିଜର ଅଳ୍ପବୃଦ୍ଧି ଅନୁସାରେ ମୃତ୍ୟୁ କଥା ଭାବି ଅଭୁତ ଧାରଣାମାନ କରେ । ଏହି କାରଣରୁ କେତେ ପିଲା ନିଦରେ ଶୋଇବାକୁ ଡରନ୍ତି । କାଳେ ଥରେ ଶୋଇଗଲେ ମରିଯିବେ; ଆଉ ନିଦରୁ ଉଠିବେ ନାହିଁ ! ଆଖିବୁଜି ଶୋଇଯିବା ମାନେ ମରିଯିବା ବୋଲି ବୁଝିଥିବାରୁ ମାଆ ଡାକ ଥରେ ଶୁଣି ନିଦରୁ ନ ଉଠିଲେ ପିଲା ଭୟରେ ଅସମ୍ଭାଳ ହେଇ କାନ୍ଦନ୍ତି । ଭୂତ, ଯମଦୂତ ଇତ୍ୟାଦି ମୃତ୍ୟୁ ବିଷୟକ ଗପ ଶୁଣିଥିବାରୁ ଅନ୍ଧାରକୁ ଡରନ୍ତି । ଦୁଇ ତିନିବର୍ଷର ପିଲା ଅନ୍ଧାରକୁ ଡରେ ନାହିଁ, ମାତ୍ର ଛଅ ସାତବର୍ଷର ପିଲା ଅନ୍ଧାରକୁ ବହୁତ ଡରନ୍ତି । ଭୂତ, ପ୍ରେତ, ଚିରଗୁଣୀ ଡାହାଣୀ ଇତ୍ୟାଦି ଅଶରୀରୀ ଆତ୍ମା ଅନ୍ଧାରରେ ବୁଲୁଥିବାର କଥା ଶୁଣିଥିବାରୁ, ରାତିରେ ଉଠି ପରିସ୍ରା କରିବାକୁ ଡରନ୍ତି । ଅନ୍ଧାରରେ ଚମକିପଡ଼ିଲେ ପିଲାଙ୍କର ଜ୍ୱର ହୁଏ । ଏପରିକି ଝାଡ଼ାବାନ୍ତି ହେବାର ମଧ୍ୟ ଦେଖାଯାଏ-। ଏପରି ହେଲେ ଭୂତ ଲାଗିଛି ବୋଲି ସାଧାରଣ ଲୋକେ ଭାବନ୍ତି । ପ୍ରକୃତରେ ଏହା ଅତ୍ୟଧିକ ମାନସିକ ଭୟର ଫଳ । ପିଲା ଆଖି ସାମ୍ନାରେ ମୃତ୍ୟୁ ଘଟିବାର ନ ଦେଖିଲେ ମଧ୍ୟ ସବୁବେଳେ ଅନ୍ୟମାନଙ୍କ କଥାବାର୍ତ୍ତାରୁ ଏ ବିଷୟ ଶୁଣିଯାଏ । ସାଙ୍ଗସାଥିଙ୍କ ପାଖରୁ ଭୂତ ଡାଆଣୀ ଗପ ମଧ୍ୟ ଶୁଣେ । ‘ଏଗୁଡାକ ସବୁ ବାଜେ କଥା’-ବୋଲି କହିଦେଲେ ତା ମନରୁ ଭୟ ଯିବନାହିଁ । ବରଂ ଆମେ ଯାହା ଜାଣିଛୁ, ସେକଥା ଭଲଭାବରେ ତାକୁ ବୁଝେଇ କହିଲେ ପିଲା ମନରୁ ଏପରି ଅଯଥା ଭୟ କମିଯିବ । ଏଥିଲାଗି ପିଲାଙ୍କୁ ଶୋଇବା, ଓ ମୃତ୍ୟୁର ପ୍ରଭେଦ ଜଣାଇବା ଦରକାର । ସେମାନଙ୍କ ମନରୁ ଭୂତ, ପ୍ରେତ, ଡାଆଣୀ ପ୍ରତି ଭୟ କମାଇବାକୁ ଚେଷ୍ଟା କରିବା ଉଚିତ୍ । ଘରେ ବା ପରିବାରରେ କାହାରି ମୃତ୍ୟୁ ହେଲେ କାହିଁକି ଏପରି ଘଟଣା ଘଟିଲା ସେ କଥା ପିଲାକୁ ବୁଝାଇ କହିବା ଉଚିତ । ତା’ହେଲେ ପିଲା-

 

(କ) ଅକାରଣରେ ନିଜ ବାପା, ମାଆ ବା ଭାଇ ଭଉଣୀଙ୍କର ମୃତ୍ୟୁ ଆସନ୍ନ ଭାବି ଉଦ୍ୱେଗ ବୋଧ କରିବ ନାହିଁ ।

 

(ଖ) ନିଜେ ହଠାତ୍ ଯେ କୌଣସି ସମୟରେ ମରି ଯାଇପାରେ ଭାବି ମୃତ୍ୟୁ ଭୟରେ ବ୍ୟତିବ୍ୟସ୍ତ ହେବନାହିଁ ।

 

(ଗ) କୌଣସି ନିକଟ ସମ୍ପକୀୟ ମରିଗଲେ ପିଲାର ଦୁଷ୍ଟାମୀ ଯୋଗୁଁ ଭଗବାନ ଏପରି ଦଣ୍ଡ ଦେଲେ ଭାବନା ପିଲା ମୁଣ୍ଡରେ ପୂରାଇବା ଠିକ୍ ନୁହେଁ । ଅନେକ ମାଆ ରାଗିଗଲେ ପିଲାକୁ କୁହନ୍ତି–“ତୋର ଦୁଷ୍ଟାମୀ ମୁଁ ଆଉ ସହିପାରିବି ନାହିଁ, ମରିଯାଆନ୍ତି କି ଏଇ ଜଞ୍ଜାଳରୁ ରକ୍ଷା ପାଆନ୍ତି” କିମ୍ବା “ତୁ ଏଡ଼ିକି ଦୁଷ୍ଟ ହେଇଛୁ, ଗାଆଁଗଣ୍ଡାରେ ସମସ୍ତଙ୍କର ନାଆଁ ପକାଉଛୁ, ତୋ ଲାଗି ମୁଁ ବେକରେ ଦଉଡ଼ି ଦେଇ ମରିବି ।” ପିଲା ଏପରି ସଦାସର୍ବଦା ଶୁଣୁଥିବାରୁ ଯଦି ହଠାତ୍ ରୋଗ ହୋଇ ବା ଦୈବଦୁର୍ଘଟଣାରେ ମାଆର ମୃତ୍ୟୁ ହୁଏ, ତା’ହେଲେ ମାଆର ମୃତ୍ୟୁ ଲାଗି ପିଲା ନିଜକୁ ଦେଷୀ ମଣେ । ଭାବେ, ତାର ଦୁଷ୍ଟପଣ ଯୋଗୁଁ ମାଆ ଚାଲିଗଲା । ଏପରି ଭାବନା ପିଲା ମନରୁ ଦୂର କରିବାକୁ ଖୁବ୍ କଷ୍ଟ ହୁଏ । ସେଥିପାଇଁ ମୂଳରୁ ପିଲା ଯେପରି ଏଭଳି ନ ଭାବେ ସେଥିପ୍ରତି ସଚେତନ ହବା କଥା । ନଚେତ୍ ଜୀବନଯାକ ନିଜକୁ ପରୋକ୍ଷରେ ମାଆର ମୃତ୍ୟୁର କାରଣ ଭାବି ମନରେ ଦୁଃଖ ପାଉଥିବ । ଏପରି ଅଯୌକ୍ତିକ ଅପରାଧବୋଧ ଅନେକ ସମୟରେ ପରବର୍ତ୍ତୀ ଜୀବନରେ ମାନସିକ ଅସୁସ୍ଥତାର କାରଣ ହୋଇଥାଏ ।

 

ବୟସ ସହିତ ପିଲାର ସଠିକ ଧାରଣା କରିବାର ଶକ୍ତି ବଢ଼େ । ତେଣୁ ପିଲାର ଶୈଶବ, ବାଲ୍ୟ ଓ କୈଶୋର ଅବସ୍ଥାରେ ମୃତ୍ୟୁ ସମ୍ବନ୍ଧରେ ଭିନ୍ନ ଭିନ୍ନ ଧାରଣା ହୋଇଥାଏ । ସାଧାରଣତଃ ତିନି ଚାରିବର୍ଷର ପିଲା ଚଳପ୍ରଚଳ ହେଉଥିବା ଅବସ୍ଥାକୁ ଜୀବନ୍ତ ଅବସ୍ଥା ବୋଲି ଭାବନ୍ତି ଓ ନିଶ୍ଚଳ ନିସ୍ପନ୍ଦ ଅବସ୍ଥାକୁ ମୃତ ଅବସ୍ଥା ବୋଲି ଭାବନ୍ତି । ତେଣୁ ଶୋଇଲା ମଣିଷ ନିଦରୁ ଉଠିଲାପରି ମଲା ମଣିଷ ପୁଣି ଜୀଇବ ବୋଲି ସେମାନଙ୍କର ଧାରଣା ହୋଇଥାଏ । ମଲା ଲୋକ ଅନ୍ୟ ଜାଗାରେ ଅଛି ଓ ସେଠି ସେ ଖାଇ ପିଇ, ଖେଳିବୁଲି ସମୟ କଟାଉଛି ବୋଲି ସେମାନେ ଧାରଣା କରିଥାଆନ୍ତି । ଏଇ ବୟସର ପିଲା ଅନାତ୍ମୀୟ ଲୋକର ମୃତ୍ୟୁରେ ବିଚଳିତ ହୁଅନ୍ତି ନାହିଁ । ନିଜ ମାଆ ବା ବାପାର ଯଦି ଦୈବ ଦୁର୍ଘଟଣାରେ ବା ରୋଗରେ ପଡ଼ି ମୃତ୍ୟୁ ଘଟେ ତା’ହେଲେ ସେମାନେ ନିଜକୁ ଅସହାୟ ଓ ପରିତ୍ୟକ୍ତ ଭାବି ମୂହ୍ୟମାନ ହୋଇପଡ଼ନ୍ତି । ମୃତ୍ୟୁର ଭୟ ଅପେକ୍ଷା ମୃତ୍ୟୁଜନିତ ଶୋକ ସେମାନଙ୍କୁ ବେଶୀ ପ୍ରଭାବିତ କରେ । ଅନ୍ୟ ଉପରେ ନିର୍ଭରଶୀଳ ଶୋକ ସେମାନଙ୍କୁ ବେଶୀ ପ୍ରଭାବିତ କରେ । ଅନ୍ୟ ଉପରେ ନିର୍ଭରଶୀଳ ଥିବାରୁ ସେମାନେ ବାପା ମାଆଙ୍କ ମୃତ୍ୟୁ ଫଳରେ ନିଜ ଜୀବନର ସ୍ଥିର ନିର୍ଭରତା ହରାଇ ବୁଡ଼ିଗଲା ଲୋକ ପରି ଥଳକୂଳ ପାଆନ୍ତି ନାହିଁ । ପୂର୍ବେ ଯୌଥ ପରିବାରରେ ବଡ଼ିମା, ଖୁଡ଼ୀ, ପିଉସୀ, ମାଉସୀ, ଏପରି ଜଣେ କେହି ମା’ଛେଉଣ୍ଡ ପିଲାକୁ ନିଜ ପିଲାପରି ପାଳି ନେଉଥିବାରୁ ପିଲା ମା’କୁ ହରାଇ ବ୍ୟଥାର୍ତ୍ତ ହେଲେ ମଧ୍ୟ, ଅଳ୍ପଦିନ ପରେ ଅନ୍ୟକୁ ଆଶ୍ରୟ କରି ପୁଣି ସ୍ୱାଭାବିକ ଭାବରେ ଜୀବନ କଟାଉଥିଲେ-। ବର୍ତ୍ତମାନର ଏକକ ପରିବାରରେ ଯିଏ ବଢ଼ୁଛି, ତା ଲାଗି ଏପରି ଆଶ୍ରୟ ବା ସାହାଭରସାର ସ୍ଥଳ ନଥିବାରୁ ପିଲାକୁ ଦୁଃଖ ଭୁଲିବାକୁ ଦୀର୍ଘ ସମୟ ଲାଗୁଛି । ଅନେକ ସମୟରେ ଅନ୍ୟ ବଡ଼ ମଣିଷଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିବାର ସୁଯୋଗ ଅଭାବରୁ ତାର ଭୁଲ ଧାରଣାତକ ମନରେ ବଦ୍ଧମୂଳ ହେଉଛି । ମନର ଏହି ଭୁଲ ଧାରଣା ଯୋଗୁଁ ପରେ ପିଲାଠାରେ ମାନସିକ ସମସ୍ୟା ଦେଖାଦିଏ ।

 

ଘରେ ମାଆ ମରିଗଲେ ପିଲାକୁ ବୋଧଶୋଧ ଦେବାଲାଗି ଅନେକେ କୁହନ୍ତି-“ମାଆ ତୋର ସ୍ୱର୍ଗକୁ ଯାଇଛି । ସେଠି ସେ ଭଲରେ ଅଛି ।” ଏପରି ଆଶ୍ଵାସନା ଶୁଣି ପିଲା ଭାବେ, “ବାଃ, ସେ ସେଠି ଭଲରେ ଅଛି, ଆଉ ମୁଁ ତାକୁ ଏଠି ଖୋଜି ଏତେ କାନ୍ଦୁଛି, ସେ ଥରେ ହେଲେ ଆସି ମୋତେ ଦେଖିବାକୁ ମନ କରୁନି !” ମା କଣ ତା’ ଉପରେ ରାଗିଛି ! ଦୁଷ୍ଟ ହେଲା ବୋଲି କଣ ମା ଆଉ ଫେରୁନାହିଁ ! ମାଆ କାହିଁକି ଆଗପରି ତାକୁ ଭଲ ପାଉନାହିଁ ! କଣ କଲେ ମାଆ ଫେରିଆସିବ ? (ଏଇ ବୟସର ପିଲା ମୃତ୍ୟୁକୁ ଶେଷ ସମାପ୍ତି ବୋଲି ଭାବିପାରନ୍ତି ନାହିଁ ।) ମାଆ ନ ଫେରିଲେ ପିଲା ଯେତିକି ଦୁଃଖିତ ହୁଅନ୍ତି ସେତିକି ମା ଉପରେ ରାଗନ୍ତି । ରାଗର କାରଣ ହେଉଛି-ପିଲାର ଧାରଣା ବଡ଼ ମଣିଷମାନେ ଇଚ୍ଛା ଅନୁସାରେ ସବୁ କାମ କରନ୍ତି । ଅତଏବ ଘରକୁ ମାଆ ଯଦି ଆସୁନାହିଁ, ତାର ଅର୍ଥ ମାଆ ଆସିବାକୁ ମନ କରୁନାହିଁ । ମାଆ କାହିଁକି ଆସିବାକୁ ମନ କରୁନାହିଁ ? –ସେ ତାର ଦୁଷ୍ଟପଣ ଦେଖି ରାଗିଛି । ମାର ଏଇ ଅକ୍ଷମଣୀୟ ମନୋଭାବ ପିଲା ସହିପାରନ୍ତି ନାହିଁ, ନିଜକୁ ମାଆର ଉପେକ୍ଷିତ ବୋଲି ଭାବିଲାରୁ ସେମାନଙ୍କ ମନରେ ମାଆ ପ୍ରତି ଅଭିମାନ ଓ ରାଗ ବଢ଼େ । ଏପରି ଅବସ୍ଥାରେ ଶାନ୍ତ ସ୍ଵଭାବର ପିଲା ଅକାରଣ ଉତ୍କଣ୍ଠା ଓ ମାନସିକ ବିଷାଦରେ ଆକ୍ରାନ୍ତ ହୋଇଥାଏ । ଯିଏ ରାଗୀ ସ୍ଵଭାବର ପିଲା ସେ ମନର ରାଗ ପ୍ରକାଶ କରିବା ଲାଗି ଅମାନି‍ଆ ଓ ବହୁତ ଦୁଷ୍ଟ ହୁଏ । କୌଣସି କାରଣ ନଥାଇ ଅନ୍ୟମାନଙ୍କ ସହିତ ମାଡ଼ ମରାମରି ଲଗାଏ, ଅଝଟ ହୁଏ । ସାଧାରଣତଃ ସମସ୍ତେ ମା ଛେଉଣ୍ଡ ପିଲାର ଶୋକଗ୍ରସ୍ତ ଭାବ ବୁଝିପାରନ୍ତି; କିନ୍ତୁ ପିଲା କାହିଁକି ଦୁଷ୍ଟ ଓ ବଦମାସ୍ ହେଉଛି ସେ କଥା ବୁଝିପାରନ୍ତି ନାହିଁ । ଯଦି ପରିବାରରେ କୌଣସି ଲୋକର ମୃତ୍ୟୁ ପରେ ପିଲାର ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଦେଖାଯାଏ ଓ ସେ ଆମ ଅପେକ୍ଷା ବହୁତ ବେଶୀ କଳି ଲଗାଏ, ରାଗେ, ବଦମାସୀ କରେ ଓ ଅବାଧ୍ୟ ହୁଏ ତା’ହେଲେ ଏହାକୁ ମୃତ୍ୟୁଶୋକର ଲକ୍ଷଣ ବୋଲି ଜାଣିବା କଥା । ସାନପିଲାମାନେ ମୃତ୍ୟୁ ପ୍ରକୃତରେ କଣ ସେକଥା ଜାଣି ନଥିବାରୁ ଏହିପରି ଭୁଲ୍ ଧାରଣାର ବଶବର୍ତ୍ତୀ ହୋଇ ମାନସିକ ଅଶାନ୍ତିରେ ଘାରି ହୁଅନ୍ତି ।

 

ମୃତ୍ୟୁ ସମ୍ବନ୍ଧରେ ସାତ ଆଠ ବର୍ଷ ପିଲାଙ୍କ ମନରେ ଶୋକ ଓ ଭୟ ଏଇ ଉଭୟ ପ୍ରତିକ୍ରିୟା ଦେଖାଦିଏ । ଯିଏ ମରିଗଲା ତା ସହିତ ଚିରକାଳ ଲାଗି ବିଚ୍ଛେଦ ହେଲା ବୋଲି ଜାଣି ମନରେ ଶୋକ ହୁଏ ଓ ମୃତ୍ୟୁ ବିଷୟରେ ଅନ୍ୟାନ୍ୟ ଲୋକଙ୍କଠାରୁ ବିଭୀଷିକାମୟ କାହାଣୀ ଶୁଣିଥିବାରୁ ଭୟ ମଧ୍ୟ ହୋଇଥାଏ । ମୃତ୍ୟୁ ଯନ୍ତ୍ରଣା, ଶବ ସତ୍କାରର ବର୍ଣ୍ଣନା, ଶ୍ମଶାନର ଦୃଶ୍ୟ ଓ ଏହାଛଡ଼ା ଶାସ୍ତ୍ର ପୁରାଣରୁ ଯମଦୂତର ବିଭୀଷିକାମୟ ରୂପ, ନରକର ବିଭତ୍ସ ଯନ୍ତ୍ରଣା, ଭୂତ ପ୍ରେତମାନଙ୍କର ବିଚରଣ ଇତ୍ୟାଦି ବିଷୟରେ ବହୁ କାହାଣୀ ଶୁଣିଥିବାରୁ ସେମାନଙ୍କ ମନରେ ଅସମ୍ଭବ ଭୟ ଜନ୍ମେ । ଜୀବନ୍ତ ମଣିଷର ଦୁନିଆକୁ ଘେରି ଅଶରୀରୀ ଆତ୍ମାର ପ୍ରେତଲୋକ ରହିଛି ବୋଲି ସେମାନେ ବିଶ୍ୱାସ କରନ୍ତି । ଏହି ପ୍ରକାର ଅଶରୀରୀ ବସ୍ତୁ ପ୍ରତି ଆତଙ୍କ ତଥ୍ୟ ଓ ପ୍ରମାଣ ଦ୍ୱାରା ଦୂର କରିବା ସମ୍ଭବ ନୁହେଁ । ଏଥିଲାଗି ଯାହା ମନରେ ଏସବୁ ଭୟ ରହିଛି ତାର ଭୟାର୍ତ୍ତ ଆତଙ୍କ ଦୂର କରିବା ସହଜ ନୁହେଁ । ଯେଉଁ ପିଲାଠାରେ ଏହିପରି ଭୟ ଅତ୍ୟଧିକ ପରିମାଣରେ ଥାଏ, ସେ ଏକୁଟିଆ ଘରେ ରହିବାକୁ ଡରେ, ଅନ୍ଧାରରେ ବିଭୀଷିକାମୟ ମୂର୍ତ୍ତି ଦେଖାଯାଉଛି ବୋଲି କୁହେ । ତା’ର କୌଣସି ଗୁରୁତର ରୋଗ ହେଲେ ସେ ନିଜ ମୃତ୍ୟୁର ସମ୍ଭାବନା ଭାବି ଭୀତତ୍ରସ୍ତ ହୋଇପଡ଼େ । ପରିବାରରେ ଜଣକର ଗୁରୁତର ରୋଗ ହେଲେ ସେ ବିଷୟଟି ପିଲା ସାଙ୍ଗେ ଆଲୋଚନା କରିବା ଭଲ । ଭଲ ହବାର ସମ୍ଭାବନା ନଥିଲେ ସେଥିପାଇଁ ପିଲାର ମନକୁ କ୍ରମଶଃ ପ୍ରସ୍ତୁତ କରିବା ଉଚିତ । ପିଲାକୁ ବୁଝାଇ କହିବା କଥା ଯେ ଲୋକର ଆୟୁ ପୂରିଗଲେ ସଂସାରର ନିୟମ ଅନୁସାରେ ସେ ଚାଲିଯାଏ । ଜନ୍ମ ପୂର୍ବ ଓ ମୃତ୍ୟୁ ପର ଅବସ୍ଥା କଥା କେହି ସଠିକ ଭାବରେ ଜାଣନ୍ତି ନାହିଁ; ତେଣୁ ଏ ବିଷୟରେ ବିଭିନ୍ନ କଥା କଳ୍ପନା କରିଥାନ୍ତି । କାହାରି ମରିବାର ଅଭିଜ୍ଞତା ନାହିଁ । କାରଣ ମଲାପରେ ଆଉଥରେ କେହି ବଞ୍ଚନ୍ତି ନାହିଁ । ମୃତ୍ୟୁ ବିଷୟରେ ସେ ଯାହା ଗପ ଶୁଣିଛି ସେଗୁଡ଼ାକ କାଳ୍ପନିକ କଥା । ଏସବୁ ଗପର କୌଣସି ସତ୍ୟତା ନାହିଁ ।

ଦ୍ୱିତୀୟରେ, ଗୁରୁତର ରୋଗ ହେଲେ ଯେ ମଣିଷ ମରିଯିବ ଏପରି ଭାବିବା ଠିକ୍ ନୁହେଁ-। ବହୁଲୋକ ଅସାଧ୍ୟ ରୋଗରେ ପଡ଼ି ଭଲ ହେବା କଥା ସମସ୍ତେ ଜାଣନ୍ତି ।

ପିଲା ବଡ଼ ହେଲେ ସେମାନଙ୍କ ମନରୁ ମୃତ୍ୟୁଭୟ କମିଯାଏ । ପ୍ରଥମତଃ, ସେ ମନର ଉତ୍କଣ୍ଠାକୁ ଅବଦମନ କରିବାକୁ ସକ୍ଷମ ହୁଏ । ଦ୍ୱିତୀୟରେ ତାର ବିଚାର ଶକ୍ତି ବଢ଼ୁଥିବାରୁ ସେ ବଡ଼ ମଣିଷଙ୍କ ପରି ମୃତ୍ୟୁ ବିଷୟରେ ଭାବିପାରେ । ଫଳରେ ପ୍ରତିଦିନ ଲୋକ ମରିବାର ଦେଖିଲେ ମଧ୍ୟ ସେ ନିଜର ମୃତ୍ୟୁକଥା ଭାବି କାତର ହୁଏନାହିଁ । ନିଜ ପର୍ଯ୍ୟବେକ୍ଷଣରୁ ସେ ଦେଖେ, ଅଧିକାଂଶ ପ୍ରାଣୀ ବୟସ ହେଲେ ପ୍ରାକୃତିକ ନିୟମ ଅନୁସାରେ ମରନ୍ତି । ବାଲ୍ୟ ବା କୈଶୋରରେ ମୃତ୍ୟୁ ଘଟିବା ନିହାତି ଆକସ୍ମିକ । ନିଜ ମୃତ୍ୟୁର ସମ୍ଭାବନା ସୁଦୂର ଭବିଷ୍ୟତରେ ବୋଲି ଜାଣି ସେ ଆଶ୍ଵସ୍ତ ହୁଏ ଓ ନିଜ କାମ କରିଯାଏ । ମଣିଷର ଏପରି ବ୍ୟବହାରକୁ ‘ମୃତ ମଣିଷର ମୋହାବିଷ୍ଟ ବ୍ୟବହାର’ କହି କେତେକ ଦାର୍ଶନିକ ହୁଏତ ଆକ୍ଷେପ କରିଛନ୍ତି, ମାତ୍ର ମନୋବିଜ୍ଞାନୀମାନେ ଏପରି ବ୍ୟବହାର ଜୀବନର ଅନୁଗାମୀ ହୋଇଥିବାରୁ ଏହାକୁ ସୁସ୍ଥ ଓ ସ୍ଵାଭାବିକ ବୋଲି କୁହନ୍ତି । ଦାର୍ଶନିକ କହେ, “ମଣିଷର ଜୀବନ ଅନିତ୍ୟ, ତେଣୁ ମଣିଷ ଜୀବନ ଅସାର ।” ସାଧାରଣ ମଣିଷ ଭାବେ–“ମଣିଷର ଜୀବନ ଅନିତ୍ୟ ବୋଲି, ଏ ଜୀବନ ଏଡ଼େ ଦୁର୍ଲ୍ଲଭ । ବଞ୍ଚିରହିବାଟା ଦୁର୍ଲ୍ଲଭ ହୋଇଥିବାରୁ ସେ ଭଲରେ ବଞ୍ଚିବାକୁ ଚାହେଁ । ମୃତ୍ୟୁ, କ୍ଷୟ, କ୍ଷତି, ଶୋକ ଓ ଦୁଃଖ, ଏସବୁ ଜୀବନରେ ସହିବାକୁ ପଡ଼ିବ ଜାଣିସୁଦ୍ଧା ତାର ଜୀବନ ପ୍ରତି ମମତା କମେନାହିଁ । ବରଂ ଯେତେବେଳେ ସେ ସଦାସର୍ବଦା ମୃତ୍ୟୁ କଥା ଚିନ୍ତାକରି ଉତ୍କଣ୍ଠିତ ହୁଏ, ସେତେବେଳେ ତା’ଠାରେ ବିଭିନ୍ନ ପ୍ରକାର ମାନସିକ ସମସ୍ୟା ଦେଖାଦିଏ । ସେ ନିଜର ବର୍ତ୍ତମାନ ଜୀବନରୁ ଆନନ୍ଦ ପାଏନାହିଁ-। ଭବିଷ୍ୟତ ପ୍ରତି ଆଖିରଖି କାମ କରିପାରେ ନାହିଁ । ସବୁବେଳେ କାତରତା ଅନୁଭବ କରିବା ଫଳରେ ହୁଏତ ସଂସାର ତ୍ୟାଗୀ ସନ୍ନ୍ୟାସୀ ହୁଏ କିମ୍ବା ବିଭିନ୍ନ ପ୍ରକାରର ଅର୍ଥହୀନ ସମ୍ଭୋଗରେ ନିଜକୁ ଭୁଲାଇ ରଖିବାକୁ ଚେଷ୍ଟାକରେ । ଯୁଦ୍ଧକ୍ଷେତ୍ରରେ ଥିବା ସୈନ୍ୟମାନଙ୍କଠାରେ ଏଥିଲାଗି ବ୍ୟଭିଚାରିତା ଓ ମାଦକଦ୍ରବ୍ୟର ସେବନ ବହୁ ବେଶୀ ପରିମାଣରେ ଦେଖାଯାଏ ।

ଯାହା ମନରୁ ବଞ୍ଚିବାର ଆଗ୍ରହ ଚାଲିଯାଏ, ସେ ବହୁ ପ୍ରକାରର ଆତ୍ମକ୍ଷୟକାରୀ କାର୍ଯ୍ୟରେ ଲିପ୍ତ ହୁଏ । ସେ ନିଜ ଶରୀର ଉପରେ ଅତ୍ୟାଚାର କରି, ନିଜ ଉପରକୁ ଅଯଥା ବିପଦ ଟାଣିଆଣି ନିଜର ସର୍ବନାଶ କରିବାକୁ ପଛାଏ ନାହିଁ । ସ୍ତ୍ରୀ, ପୂତ୍ର, ପରିବାର କାହାରି କଥା ନ ଭାବି ଆତ୍ମହତ୍ୟା କରିବାକୁ ପଛାଏ ନାହିଁ । ମଣିଷର ଜୀବନ ପ୍ରତି ମମତାକୁ ତେଣୁ ‘ମୋହ’ କହି ଉପହାସ କରିବା ଉଚିତ ନୁହେଁ; ବରଂ ମଣିଷର ଜୀବନ ପ୍ରତି ମମତା ଯେତେ ପ୍ରଗାଢ଼ ହେବ, ସେ ଦୁଃଖ ଶୋକରେ ସାମୟିକ ଭାବରେ ଅଭିଭୂତ ହେଲେ ମଧ୍ୟ, ସବୁ ସହି ସ୍ୱାଭାବିକ ଭାବରେ ବଞ୍ଚିରହିବା ଲାଗି ସେତିକି ଚେଷ୍ଟାକରିବ ।

(୨) ମାନସିକ ଅଶାନ୍ତି :

ବାଲ୍ୟ ଓ କୈଶୋରରେ ବ୍ୟକ୍ତିର ଚରିତ୍ରଗତ ତ୍ରୁଟି ଯୋଗୁଁ ଅତି ଅଳ୍ପ କ୍ଷେତ୍ରରେ ମାନସିକ ସମସ୍ୟା ଦେଖାଦିଏ । ଏହାର କାରଣ, ଏଇ ବୟସରେ ମଣିଷର ସ୍ୱଭାବ ଓ ବ୍ୟକ୍ତିତ୍ୱ ସାଧାରଣତଃ ପରିବର୍ତ୍ତନଶୀଳ ହୋଇଥାଏ । ପାରିପାର୍ଶ୍ୱକ ଅବସ୍ଥା ଅନୁସାରେ ହିଁ ସ୍ୱଭାବ ଓ ବ୍ୟବହାର ବଦଳୁଥାଏ । ଯଦି ଏହି ସମୟରେ ମଣିଷ ବିଭିନ୍ନ ପ୍ରକାର ମାନସିକ ଅଶାନ୍ତି ଅନୁଭବ କରି ବଢ଼େ ତା’ହେଲେ ପରବର୍ତ୍ତୀ ଜୀବନରେ ତା’ଠାରେ ମାନସିକ ରୋଗ ହେବାର ସମ୍ଭାବନା ବଢ଼େ । ଅନେକ କ୍ଷେତ୍ରରେ ମାନସିକ ଅଶାନ୍ତି ହେତୁ ଶାରୀରିକ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼େ । ବିଶେଷକରି ଜୀବନ ସମସ୍ୟା ଭାରାକ୍ରାନ୍ତ ହେଲେ ଯେଉଁସବୁ ରୋଗ ହୋଇଥାଏ । ଯଥା-ରକ୍ତଚାପ, କେତେକ ପ୍ରକାରର ହୃଦରୋଗ, ପାକଯନ୍ତ୍ରର ବିଭିନ୍ନ ସ୍ଥାନରେ ଘାଆ, ଶ୍ଵାସ ବେମାରୀ, ଏକ୍‍ଜିମା, ଦାନ୍ତ ଚୋବାଇବା ଯୋଗୁଁ ଦାନ୍ତ ଘୋରି ହେଇଯିବା ରୋଗ (Bruxism) ଇତ୍ୟାଦିର ସମ୍ଭାବନା ମାନସିକ ଅଶାନ୍ତି ହେତୁ ବଢ଼ିଯାଏ ।

ବାଲ୍ୟକାଳର ମାନସିକ ଅଶାନ୍ତିର ପ୍ରଧାନ କାରଣ ହେଉଛି-ଭାଇ ଓ ଭଉଣୀ ମଧ୍ୟରେ ଈର୍ଷା, ଅତ୍ୟଧିକ ପ୍ରତିଯୋଗିତାର ଭାବ ଓ ବାପାମାଆଙ୍କର ପାତରଅନ୍ତର ବ୍ୟବହାର । ଅନ୍ୟମାନଙ୍କ ତୁଳନାରେ ନିଜର ଅପାରଗତା ଓ ଘରର ଅନ୍ୟମାନଙ୍କ ପରି ସୁନ୍ଦର, ବୁଦ୍ଧିମାନ୍ ବା ଆଦରଣୀୟ ହୋଇନଥିବା ଧାରଣା ପିଲାଙ୍କ ମନକୁ ଭାରି ବାଧେ । ଅନେକ ସମୟରେ ଘର ଲୋକେ ହୁଏତ ସବୁ ପିଲା ପ୍ରତି ନିରପେକ୍ଷ ଭାବରେ ବ୍ୟବହାର କରନ୍ତି, ମାତ୍ର ଅନ୍ୟ ଆତ୍ମୀୟସ୍ୱଜନ ବା ସାହିପଡ଼ିଶା ବେଶୀ ସୁନ୍ଦର ପିଲାଟିକୁ ସବୁବେଳେ ପ୍ରଶଂସା କଲେ ଅନ୍ୟ ପିଲାଟିର ମନ ଦୁଃଖ ହୁଏ । କାଳକ୍ରମେ ସେ ଏପରି ଆଘାତ ଓ ମାନସିକ ବେଦନାକୁ ମନ ଭିତରେ ଚାପି ସହିନବାକୁ ଶିଖେ; ମାତ୍ର ସେ ଏଇ ଅବସ୍ଥାକୁ ସ୍ଵୀକାର କରି ନ ପାରିଲେ ତା’ଠାରେ ମାନସିକ ସମସ୍ୟା ଦେଖାଦିଏ । ସାତ ଆଠ ବର୍ଷ ବୟସ ପରେ ଘରେ ନୂଆ ଭାଇ ବା ଭଉଣୀ ହେଲେ ବଡ଼ପିଲାର ମନରେ ସହୋଦର ପ୍ରତି ଈର୍ଷା ସେତେ ନଥାଏ, ମାତ୍ର ବାପାମାଆଙ୍କର ଉପେକ୍ଷା ତାକୁ ବେଶୀ ବାଧେ । ଫଳରେ ହଠାତ୍ ସେ ପରୀକ୍ଷାରେ ଖରାପ କରିବାକୁ ଆରମ୍ଭ କରେ, ରାତିରେ ତାକୁ ନିଦ ହୁଏନାହିଁ, ପାଟିକୁ ଖାଇବା ପିଇବା ରୁଚେନାହିଁ ଏବଂ ସେ ଘରଲୋକଙ୍କୁ ଆଡ଼ହେଇ ବେଶୀ ସମୟ ସାଙ୍ଗପିଲାଙ୍କ ସହିତ କଟାଇବାକୁ ଆରମ୍ଭ କରେ । ଏସବୁ ପରିବର୍ତ୍ତନ ଛଡ଼ା ପିଲାର ବ୍ୟବହାରରେ ଅନ୍ୟାନ୍ୟ ଅସ୍ୱାଭାବିକତା ମଧ୍ୟ ଦେଖାଯାଇ ପାରେ ।

ପିଲାର ବୟସ ବଢ଼ୁଥିବାରୁ ତା ମନରେ କ୍ରମଶଃ ନିଜସ୍ଵ ଇଚ୍ଛା ଓ ଅନିଚ୍ଛା ଅନୁସାରେ ଚଳିବାର ଆଗ୍ରହ ଦେଖାଯାଏ । ସେଥିଲାଗି ପରିବାରର ବିଭିନ୍ନ ଲୋକ ସହିତ ବିରୋଧ ଘଟେ । ସାଧାରଣତଃ କିଶୋର ବୟସରେ ସମସ୍ତେ ପ୍ରାୟ ଏହି କାରଣ ଯୋଗୁଁ ଵିଦ୍ରୋହୀ ଭାବାପନ୍ନ ହୋଇଥାଆନ୍ତି ଓ ଅନେକ ସମୟରେ ଅକାରଣରେ ଗଇଁଆ ହୁଅନ୍ତି । ଯେଉଁ ପରିବାରରେ ପରସ୍ପର ଭିତରେ ବୁଝାମଣାର ଅଭାବ ଥାଏ, ସେଠି ପିଲାର ଏଇ ସ୍ଵାଭାବିକ ବିଦ୍ରୋହ ଭାବ ଯୋଗୁଁ ପରସ୍ପର ଭିତରେ ସଂଘାତ ଘଟି ତିକ୍ତ ସମ୍ପର୍କର ସୃଷ୍ଟି ହୋଇଥାଏ । ଯଦି ବେଶୀଦିନ ଧରି ଏପରି ଅପ୍ରୀତିକର ସମ୍ପର୍କ ବଢ଼ିଚାଲେ, ତା’ହେଲେ କାଳକ୍ରମେ ଏହି ସମସ୍ୟା ଗୁରୁତର ହୋଇଥାଏ । ଏସବୁ କଥା ଜାଣିଲେ ମଧ୍ୟ ଆମେ ସାଧାରଣତଃ ପିଲାଙ୍କର ମାନସିକ ଅଶାନ୍ତି ବିଷୟଟିକୁ ସେତେ ଗୁରୁତ୍ୱ ଦେଉନା । କାରଣ ନିଜର ବୟସ୍କ ଜୀବନର ଦାୟିତ୍ୱ ଓ ଜଞ୍ଜାଳ କଥା ଚିନ୍ତାକଲେ ପିଲାଦିନର ବେପରୁଆ ଜୀବନ ଶତଗୁଣରେ ଶ୍ରେଷ୍ଠ ବୋଲି ମନେହୁଏ । ସେଥିଲାଗି ପିଲାଙ୍କର ମାନସିକ ଅଶାନ୍ତି ହୁଏ ବୋଲି ସହଜରେ ବିଶ୍ୱାସ କରିହୁଏ ନାହିଁ । ପ୍ରଧାନତଃ ଯେଉଁସବୁ କାରଣ ଯୋଗୁଁ ବାଲ୍ୟ ଓ କୈଶୋରରେ ମାନସିକ ଅଶାନ୍ତି ଘଟିଥାଏ, ସେଥିରୁ କେତୋଟି କାରଣ ଏଠାରେ ଆଲୋଚନା କରାଯିବ ।

ପାରିବାରିକ ଅଶାନ୍ତି :

ଧରନ୍ତୁ ପ୍ରକାଶ ଓ ପ୍ରଶାନ୍ତ ଦୁଇ‍ଭାଇ । ପ୍ରକାଶ ବଡ଼ । ସେମାନଙ୍କର ସାନ ଭଉଣୀ ମୀନା । ପ୍ରକାଶର ବାପା ବଡ଼ ଓକିଲ । ତେଣୁ ଘରେ ପ୍ରାଚୁର୍ଯ୍ୟର ଅଭାବ ନାହିଁ । ଭାଇ ଭଉଣୀ ଭିତରେ ଯେ କଳିଗୋଳ କଜିଆ ଲାଗିରହିଛି ତା ମଧ୍ୟ ନୁହେଁ । ଘରେ ସେମାନେ ଭଲ ସାଣ୍ଠଣାରେ ବଢ଼ିଛନ୍ତି, ତେଣୁ ପରସ୍ପର ସହିତ କଳିକଜିଆ ଲଗାନ୍ତି ନାହିଁ ବରଂ ବୟସକୁ ଚାହିଁ ସେମାନଙ୍କର ବ୍ୟବହାର ଭଦ୍ର ଓ ଶାନ୍ତି । ମାତ୍ର ପ୍ରକାଶର ବାପା ସବୁବେଳେ ପ୍ରକାଶ ପ୍ରତି ଅସନ୍ତୁଷ୍ଟ । ପ୍ରକାଶ ଭଲ ପଢ଼େ, ମାତ୍ର ପ୍ରଶାନ୍ତ କ୍ଳାସରେ ପ୍ରଥମ ହୁଏ । ଏକା ଅଙ୍କ ଦେଲେ ପ୍ରଶାନ୍ତ ସାଙ୍ଗେ ସାଙ୍ଗେ କରିଦିଏ । ପ୍ରକାଶର କରିବାକୁ ଟିକେ ଡେରି ଲାଗେ । ଖେଳାଖେଳିରେ ପ୍ରଶାନ୍ତ ମଧ୍ୟ ଭଲ, ପ୍ରକାଶର ସେ ଦିଗରେ ଆଗ୍ରହ ନାହିଁ । ବାପା କୁହନ୍ତି ଆଜିକାଲିକା ଦୁନିଆରେ ବହିପୋକ ହେଲେ ତୁ ଜୀବନରେ ଉନ୍ନତି କରିପାରିବୁ ନାହିଁ । ଏତେ ବର୍ଷ ପଢ଼ି ପଢ଼ି କଣ ବା ଲାଭ ହେଉଛି । ସାନଭାଇଟା ତୋତେ ସବୁଥିରେ ଟପିଯାଉଛି । ଖାଇ ବସିଲାବେଳେ ସାଧାରଣ ଜ୍ଞାନ ବିଷୟକ କୌଣସି ପ୍ରଶ୍ନ ପଚାରିଲେ ସେ ପ୍ରଶାନ୍ତକୁ ଅନେଇ ପ୍ରଶ୍ନଟା ପଚାରନ୍ତି । ପ୍ରକାଶ ଜାଣିଥିଲେ ମଧ୍ୟ ନ କହି ରହିଯାଏ, ମୀନା ସାନ ହେଇଥିବାରୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ ବିଷୟରେ ବାପାଙ୍କର ମତାମତ ପୁନରାବୃତ୍ତି କରି କୁହେ-“ପ୍ରକାଶ ଭାଇ ହାତରେ କିଛି ହେବନାହିଁ, ଝିଅ ହୋଇଥିଲେ ଶାଶୁଘରେ ଭଲ ବୋହୂ ହେଇଥାଆନ୍ତା ।” ମୀନାର ଏପରି କଥାକାର୍ତ୍ତା ଶୁଣି କେହି, ପ୍ରତିବାଦ କରନ୍ତି ନାହିଁ ବରଂ ସେ କେମିତି ପିଲାଦିନରୁ ରହସ୍ୟ କରି କଥା କହିପାରୁଛି; ସେକଥା ଦେଖି ସମସ୍ତେ ହସନ୍ତି । ପ୍ରଥମେ ପ୍ରକାଶ ପ୍ରତିବାଦ କରୁଥିଲା । “ସାନପିଲାଟା କଣ ଟିକେ କହିଦେଲା ଯେ ତୁ ତାକୁଇ ଧରି ବସିଛୁ”-କହି ମା ବିରକ୍ତ ହେଲେ । ପ୍ରକାଶ ଥରେ ତା କ୍ଳାସରେ ଇଂଲିଶ୍ ପରୀକ୍ଷାରେ ପ୍ରଥମ ହେଲା । ତା ବାପା ପରୀକ୍ଷା ରିପୋର୍ଟ ଦେଖି କାହିଁକି ସାମାଜିକ ଶିକ୍ଷାରେ କମ୍ ନମ୍ବର ରହିଛି ସେକଥା ପଚାରିଲେ । ପ୍ରକାଶ କହିଲା–କଣ ଭୁଲ ହେଲା ମୁଁ ସାର୍‍ଙ୍କୁ ପଚାରି କହିବି-। ବାପା କହିଲେ–ସେ କହିବେ ତୋର ବୁଝିବା ଶକ୍ତି ଟିକେ କମ୍ । ଏଇ ବ୍ୟଙ୍ଗୋକ୍ତିର ପ୍ରତିବାଦ କରି ପ୍ରକାଶ କହିଲା, “ମୁଁ ତା’ହେଲେ ଇଂଲିଶରେ କେମିତି ପ୍ରଥମ ହେଲି ?” ତା ଉତ୍ତରରେ ବାପା କହିଲେ–“ଇଂରେଜଙ୍କ ଅମଳ ଗଲାଣି । ସେ ଭାଷାର ଆଗପରି ଆଉ ମୂଲ୍ୟ ନାହିଁ ।” ସବୁବେଳେ ବାପାଙ୍କଠାରୁ ଆକ୍ଷେପୋକ୍ତି ଶୁଣି ଶୁଣି ବାପା ଯାହା କହିଲା ପ୍ରକାଶ ଭାବିଲା ସେ ଏସବୁ କଥା ପ୍ରକାଶକୁ ଲକ୍ଷ୍ୟକରି କହୁଛନ୍ତି । ତାର ମାମୁଁ ପୁଅ ଭାଇ ଆଇ. ଏ. ଏସ୍. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଖବର ଶୁଣି ତାର ବାପା ଖୁବ୍ ଖୁସୀ ହେଲେ । ପ୍ରକାଶ ଭାବିଲା ବାପା ତାକୁ ପରୋକ୍ଷରେ ଯେମିତି କହୁଛନ୍ତି–“ତୁ ସାତଜନ୍ମ ଚେଷ୍ଟାକଲେ ମଧ୍ୟ ଆଇ. ଏ. ଏସ୍. ହେଇପାରିବୁ ନାହିଁ । ଅନ୍ୟ ଯେ କୌଣସି ଲୋକର ପ୍ରଶଂସା ଶୁଣିଲେ ପ୍ରକାଶର ଦେହ ଜଳିଯାଏ । ତାକୁ ଜଣାଯାଏ ଯେ ସତେ ଯେମିତି ସମସ୍ତେ ତାକୁ କହିଛନ୍ତି ତୁ ସେମିତି ହେଇପାରିବୁନି । ତା ମନରେ ହୀନତାବୋଧ ଯେତେ ବଢ଼ିଲା ସେ ସେତେ ଏକୁଟିଆ ବାଆଁରା ହେଇ ଚଳିବାକୁ ଆରମ୍ଭ କଲା । ଚାକରବାକର ଭାଇଭଉଣୀ କାହରି ପାଖରେ ତାର କିଛି ମାନସମ୍ମାନ ନାହିଁ ବୋଲି ସେ ଧରିନେଲା । ତେଣୁ ଚାକର ଯଦି ତାକୁ ପରେ ଜଳଖିଆ ଥାଳିଟା ଆଣି ଥୋଇଦେଲା ପ୍ରକାଶ ଭାବିଲା ସେ ତାକୁ ବେଖାତିର କରୁଥିବାରୁ ଏମିତି ବ୍ୟବହାର କରୁଛି । ସେ ଗୁମ୍ ମାରି ନ ଖାଇ ଉଠିଗଲା । ମାଆ କାର୍ଯ୍ୟବ୍ୟସ୍ତ ଥିବାରୁ ପୁଅ ଖାଇଲା କି ନ ଖାଇଲା ସେକଥା ଦେଖିବାକୁ ଅବସର ପାଇଲେ ନାହିଁ । ପ୍ରକାଶ ଭାବିଲା, ମା ବି ତାକୁ ପଚାରୁନାହାନ୍ତି । ନିଜକୁ ସବୁବେଳେ ଅବହେଳିତ, ଉପେକ୍ଷିତ ଓ ଅନାଦୃତ ବୋଲି ଭାବିବା ଫଳରେ ଧୀରେ ଧୀରେ ମନର ସରାଗ ହରେଇଲା । ପ୍ରଶାନ୍ତ ସାନଭାଇ ହେଇଥିବାରୁ ସେ ତାକୁ ଭଲପାଏ; ମାତ୍ର ବାପା ତାକୁ ବେଶୀ ଦେଖିପାରୁଥିବାରୁ ପ୍ରଶାନ୍ତ ପ୍ରତି ତା’ ମନରେ ଈର୍ଷା ମଧ୍ୟ ହୁଏ । ସେ ଭାବେ, ସେ କାହିଁକି ପ୍ରଶାନ୍ତ ପରି ଭାଗ୍ୟ ନେଇ ଜନ୍ମ ହେଲାନାହିଁ । ବାପାମାଆଙ୍କ ବ୍ୟବହାର କଥା ଭାବିଲେ ତା ମନରେ କୋହ ଉଠେ, ଛାତିରେ ନିଶ୍ୱାସ ରୁଦ୍ଧି ହେଇଯାଏ । କାହିଁକି ସେମାନେ ତାକୁ ଏତେ ହୀନମାନ କରୁଛନ୍ତି ! ଘରେ କାହିଁକି ତାର ଏତେ ହତାଦର ! ପିଲାଦିନେ ବୁଢ଼ୀଅପା ଥଟ୍ଟାକରି କହୁଥିଲା–ସେ ମାଆର ପୁଅ ନୁହଁ । ଡାକ୍ତରଖାନାରେ ନର୍ସମାନେ ଭୁଲରେ ବଦଳେଇ ଦେଇଛନ୍ତି । ସତରେ କଣ ସେ ତାର ବାପାମାଆଙ୍କର ପୁଅ ନୁହେଁ-! ସେ କଣ ଗୋଟେଇ ଆଣିଲା ପିଲା !

 

କିଛିଦିନ ପରେ ପ୍ରକାଶର ଆଜମା ବାହାରିଲା । ସବୁବେଳେ ମନର କୋହ ମନରେ ଚାପି ଜୋରେ ଜୋରେ ନିଶ୍ୱାସ ନେଲାରୁ ଧଇଁ ପେଲିଲାପରି ସେ ନିଶ୍ୱାସ ମାରିବାକୁ ଆରମ୍ଭ କଲା-। ଏପରି ଶ୍ଵାସ କଷ୍ଟ ହେଉଥିବାର ଦେଖି ତାର ବାପା ମାଆ ତାକୁ ଡାକ୍ତର ଦେଖାଇଲେ । ମାତ୍ର ଯେତେ ଔଷଧ ଖାଇଲେ ମଧ୍ୟ ତାର ଶ୍ୱାସ ବେମାରୀ କମିଲା ନାହିଁ ।

 

ବାପାଙ୍କ ସହିତ ବହୁଦିନର ତିକ୍ତ ସମ୍ପର୍କର ପରିଣତି ସ୍ୱରୂପ ଏହି ଶ୍ୱାସର ସୃଷ୍ଟି । ତିକ୍ତ ସମ୍ପର୍କ ଦୂର ନହେବା ପର୍ଯ୍ୟନ୍ତ ପ୍ରକାଶ କେମିତି ଭଲହେବ ? ବାପା ବିଶ୍ୱାସ କରିବେନି ଯେ ତାଙ୍କ ବ୍ୟବହାର ଯୋଗୁଁ ପ୍ରକାଶ ମାନସିକ ଅଶାନ୍ତିରେ ଘାଣ୍ଟି ହେଉଛି । ଦ୍ୱିତୀୟରେ, ସେ ବିଶ୍ଵାସ କଲେ ମଧ୍ୟ ଦିନକରେ ନିଜର ପୁରୁଣା ଅଭ୍ୟାସ ବଦଳେଇ ପାରିବେ ନାହିଁ । ତା’ଛଡ଼ା ପ୍ରକାଶ ତ ତାଙ୍କର ଭଲ କଥାକୁ ମଧ୍ୟ ଭୁଲ ବୁଝୁଛି । ପ୍ରକାଶ ମନରୁ ଏଇ ଅବିଶ୍ୱାସ ଦୂର ହେବା ଖୁବ୍ କଷ୍ଟ । ବାପା କ୍ଷମା ମାଗିଲେ ସେ ହୁଏତ ବାପାଙ୍କୁ କ୍ଷମା କରିଦେବ । ମନରେ ବାପାଙ୍କ ଉପରେ ଅଭିମାନ ରଖିବ ନାହିଁ, ମାତ୍ର ନିଜର ହୀନତାବୋଧକୁ ଦୂର କରିବ କେମିତି ? ପ୍ଳାଷ୍ଟିକ୍ ସର୍ଜରୀ ଦ୍ୱାରା ଦେହର କ୍ଷତଚିହ୍ନ ଦୂର କରିବା ସମ୍ଭବ ହେଉଛି, କିନ୍ତୁ ମନର କ୍ଷତଚିହ୍ନ ଦୂର କରିବାଲାଗି ସେପରି ଉପାୟ ଏଯାକେ ବାହାରି ନାହିଁ । ଆମ ସମସ୍ତଙ୍କ ମନରେ ଏପରି ବହୁ ଛୋଟ ଛୋଟ ଆଘାତର କ୍ଷତଚିହ୍ନ ରହିଛି ସେଥିଲାଗି ଆମର ପାରସ୍ପରିକ ସମ୍ପର୍କରେ ଏତେ ବିରୋଧ, ଏତେ ଭୁଲ ବୁଝାମଣା ଘଟିଥାଏ । ମାତ୍ର ଏଗୁଡ଼ିକ ଗଭୀର ହେଇ ନଥିଲାରୁ ଆମର ସ୍ୱାଭାବିକ ଜୀବଯାତ୍ରାରେ ବିରାଟ ପ୍ରତିବନ୍ଧକ ହୋଇ ଦେଖାଦିଏ ନାହିଁ । ମାତ୍ର ଯାହାର ମନର କ୍ଷତ ଗ‍ଭୀର ଓ ବ୍ୟାପକ କ୍ରମଶଃ ସେ ଅସ୍ଵାଭାବିକ ହୋଇ ଅସୁସ୍ଥ ହୋଇଉଠେ ।

 

ପ୍ରକାଶର ଜୀବନରୁ ପାରିବାରିକ ଅଶାନ୍ତିର ବିଭିନ୍ନ କାରଣ ମଧ୍ୟରୁ କେବଳ ଗୋଟାଏ କାରଣର କୁଫଳ ଆମେ ଜାଣୁଛୁ । ପାରସ୍ପରିକ ସମ୍ପର୍କର ତିକ୍ତତା ଛଡ଼ା ପାରିବାରିକ ଅଶାନ୍ତିର ବହୁ କାରଣ ରହିଛି । ଆର୍ଥିକ ଅଭାବ, ସାଂସାରିକ ଅନାଟନ୍ତ, କ୍ରମାଗତ ଲାଗିରହିଥିବା ରୋଗ ବ୍ୟାଧି–ଏସବୁ ସଂସାରର ଶାନ୍ତି ନଷ୍ଟ କରିଦିଏ । ମାତ୍ର ଏସବୁ କାରଣ ଯୋଗୁଁ ମାନସିକ ଅଶାନ୍ତି ପିଲାଠାରେ ଦେଖାଯାଏନାହିଁ । ଏସବୁ କାରଣ ପରିବାରର ବୟସ୍କ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି କରୁଥିବାରୁ ସେମାନେ ପିଲା ପ୍ରତି ଅନ୍ୟାୟ ବ୍ୟବହାର କରନ୍ତି । ନିଜ ନିଜ ଭିତରେ କଳି ଲଗାନ୍ତି ଓ ଘରର ବାତାବରଣ କ୍ରମଶଃ ବିଷାକ୍ତ ହୋଇଉଠେ । ଏପରି ବିରୋଧୀ ବାତାବରଣ ପିଲା ମନରେ ଅଶାନ୍ତି ସୃଷ୍ଟିକରେ । ବ୍ରିଟେନରେ ଗବେଷଣା କରି ମନୋବିଜ୍ଞାନୀମାନେ ଦେଖୁଛନ୍ତି ଯେ, ବାପାମାଆଙ୍କର ମଧ୍ୟରେ ଥିବା ତିକ୍ତ ସମ୍ପର୍କ ପିଲାର ମନରେ ସବୁଠାରୁ ବେଶୀ କୁପ୍ରଭାବ ପକାଏ । ଯେଉଁଠି ବାପାମାଆ ପରସ୍ପର ପ୍ରତି ବିମୁଖ, ପ୍ରତି କଥାରେ ଜଣେ ଆରକୁ ଦୋଷ ଦିଅନ୍ତି, ସବୁବେଳେ ନିଜ ଭିତରେ ବାକବିତଣ୍ଡା ଚାଲିଥାଏ, ସେ ପରିବାରରେ ପିଲା ପ୍ରାୟ ମାନସିକ ଅଶାନ୍ତିରେ ରୁହନ୍ତି । ଘରକୁ ପାଦଦେଲା ମାତ୍ରେ ଘରର ଅଶାନ୍ତ, କ୍ରୁଦ୍ଧ, ଆକ୍ରୋଶଭରା ବାତାବରଣରେ ସେମାନଙ୍କୁ ଶ୍ୱାସରୁଦ୍ଧ ହୋଇଗଲା ପରି ଲାଗେ । କ୍ରମାଗତ ଏପରି ଅବସ୍ଥାରେ ରହିଲେ ସେମାନଙ୍କଠାରେ ହୁଏତ ଅପରାଧପ୍ରବଣତା କିମ୍ବା ଶ୍ଵାସକଷ୍ଟ, ଏକଜିମା, ପେଟଖରାପ ପରି ମାନସିକ ଅଶାନ୍ତିଜନିତ ରୋଗ ଦେଖାଯିବାର ସମ୍ଭାବନା ବଢ଼େ । ଯେଉଁ ପରିବାରରେ ଅଭାବ, ଅନାଟନ ଓ ଦାରିଦ୍ର୍ୟ ସତ୍ତ୍ୱେ ବିଶେଷ କନ୍ଦଳ ବା ବିରୋଧ ଦେଖାଯାଏ ନାହିଁ, ସେଠି ପିଲା ସୁସ୍ଥ ଓ ସ୍ୱାଭାବିକ ହୋଇ ବଢ଼ନ୍ତି ।

 

ବାଲ୍ୟ ଓ କୈଶୋରର ମାନସିକ ଅଶାନ୍ତିର ଆଉ ଏକ ପ୍ରଧାନ କାରଣ ହେଉଛି ଜୀବନଧାରାର ପରିବର୍ତ୍ତନ । ଶୈଶବ ଅବସ୍ଥାରେ ପିଲା ସ୍ନେହ ଲାଳନରେ ଅଭ୍ୟସ୍ତ ହୋଇ ବଢ଼ିଥାଏ । ବାଲ୍ୟରେ ତାକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼େ । ଶୈଶବରେ ସମସ୍ତେ ତା ପାଇଁ ସବୁକଥା କରିଦିଅନ୍ତି । ବର୍ତ୍ତମାନ ନିଜର ଅଧିକାଂଶ କାମ ନିଜକୁ କରିବାକୁ ପଡ଼େ ଓ ଅନ୍ୟମାନଙ୍କ କାମ ମଧ୍ୟ କରିବାକୁ ପଡ଼େ । ଏଇ ସନ୍ଧିକାଳ ଅତିକ୍ରମ କରି ଜୀବନର ନୂତନ ଅବସ୍ଥାରେ ଅଭ୍ୟସ୍ତ ନହେବା ପର୍ଯ୍ୟନ୍ତ ପିଲା ମାନସିକ ଅଶାନ୍ତି ଅନୁଭବ କରନ୍ତି । ବିଶେଷକରି ଘରଲୋକ ଯଦି ତା’ଠାରୁ ସବୁ ବିଷୟରେ ନିର୍ଭୁଲ ଓ ଦାୟିତ୍ଵଶୀଳ ବ୍ୟବହାର ଆଶାକରନ୍ତି ଓ ପିଲା ସେଭଳି ନ କରେ, ତାହାହେଲେ ପିଲା ସହିତ ସଂଘାତ ଉପୁଜେ । ବଡ଼ମାନଙ୍କର ଶାସନକୁ ଅନେକ ସମୟରେ ଅନାଦରର ଲକ୍ଷଣ ବୋଲି ପିଲା ଭାବୁଥିବାରୁ ସେମାନେ ସହଜରେ ବିଚଳିତ ହୋଇଯାଆନ୍ତି । ଅଳ୍ପ ସମୟ ଭିତରେ ବହୁତଗୁଡ଼ିଏ ଜିନିଷ ପିଲା କରିପାରୁ ବୋଲି ଅଧିକାଂଶ ଲୋକ ଚାହାନ୍ତି । ଯଥା–ସ୍କୁଲ ଯିବା ମାତ୍ରକେ ପିଲା ଲେଖିପଢ଼ି ଶିଖିଯାଉ, ଶିଷ୍ଟାଚାର ମାନି କଥାବାର୍ତ୍ତା କରୁ, ସ୍କୁଲରେ ଖାତା, ପେନସିଲ, କାଗଜ ଇତ୍ୟାଦି ଛାଡ଼ି ଆସିବା ବନ୍ଦ କରୁ । ଅଥଚ ଅନ୍ୟଦିଗରେ ଘରଲୋକ ପିଲାକୁ ଶିଶୁ ଭାବି ତାକୁ ଗାଧୋଇ ଦିଅନ୍ତି । ତରତରରେ ସ୍କୁଲ ଯିବ ବୋଲି ଗୁଣ୍ଡା ବଳି ଖୁଆଇ ଦିଅନ୍ତି । ଜାମା ଜୋତା ପିନ୍ଧାଇ ଦିଅନ୍ତି । ମୁଣ୍ତବାଳ କୁଣ୍ତାଇ ଦିଅନ୍ତି ଓ ଅନ୍ୟାନ୍ୟ କାମ ପିଲାପାଇଁ କରନ୍ତି । ତେଣୁ ଶୈଶବ ଓ ବାଲ୍ୟର ସନ୍ଧି ଅବସ୍ଥା ବହୁଦିନ ଯାକେ ରୁହେ ଓ ପିଲା ନିଜକୁ କେତେବେଳେ ଶିଶୁ ଓ କେତେବେଳେ ବାଳକ ଭାବି କାମ କରେ । ଫଳରେ ପିଲାର ପିଲାଳିଆ ଢଙ୍ଗ ଯାଏନାହିଁ, ଫଳରେ ଅଧିକାଂଶ ସମୟରେ ବଡ଼ମାନଙ୍କ ପାଖରୁ ଗାଳିଖାଇ ଓ ଶାସ୍ତିପାଇ ତାଙ୍କର ଦିନ କଟେ । ସ୍କୁଲ ଯିବାର ପୂର୍ବାବସ୍ଥା ସହିତ ସ୍କୁଲ ଯିବାର ପରବର୍ତ୍ତୀ ଅବସ୍ଥାକୁ ତୁଳନା କଲେ କାହିଁକି ପିଲା ମାନସିକ ଚାପ ଅନୁଭବ କରନ୍ତି ସେକଥା ସହଜରେ ବୁଝିହେବ ।

 

ବଡ଼ମାନେ ତା’ଠାରୁ ବଡ଼ପିଲାର ବ୍ୟବହାର ଆଶା କରୁଥିବାରୁ, ପୂର୍ବେ ତାର ଯେଉଁସବୁ ପିଲାଳିଆ ଢଙ୍ଗ ଦେଖି ଖୁସୀ ହେଉଥିଲେ ବର୍ତ୍ତମାନ ସେସବୁ ଢଙ୍ଗ ଦେଖି ବିରକ୍ତ ହୁଅନ୍ତି । ପୁଅ ଯଦି ଗେହ୍ଲେଇ ହୋଇ କଥା କହିଲା, ତା’ହେଲେ ‘କଣ ମାଇଚିଆଙ୍କ ପରି ହଉଛୁ’ କହି ଅନ୍ୟମାନେ ବିଦ୍ରୂପ କରନ୍ତି । ଖାଇଲାବେଳେ ପିଲା ମୁହଁରେ ଢାଲିଭାତ ବୋଳି ହେଇଗଲେ ଆଗେ ସମସ୍ତେ ହସୁଥିଲେ, ବର୍ତ୍ତମାନ ହସିବା ପରିବର୍ତ୍ତେ ବିରକ୍ତ ହୁଅନ୍ତି । ସେ ଯଦି ମା କୋଳରେ ବସି ଗେହ୍ଲା ହବାକୁ ଚାହିଁଲା, ତା’ହେଲେ “ଆରେ ବୁଢ଼ାଟେ ହୋଇ ମାଆ କୋଳରେ ବସିଛି ଦେଖ” କହି ସମସ୍ତେ ଚିଡ଼ାନ୍ତି । ହଠାତ୍ ସବୁ ବଦଳିଯାଏ । ପିଲା ବାପାମାଆଙ୍କର ଘନିଷ୍ଠ ସାନ୍ନିଧ୍ୟ ହରାଏ ଓ ସବୁବେଳେ ଉପଦେଶ ଶୁଣି ଓ ଶାସ୍ତିପାଇ ଅସ୍ତବ୍ୟସ୍ତ ହେଇଯାଏ । ବାପାମାଆ ନିଜ ମନର ସ୍ନେହ ମୁହଁରେ ପ୍ରକାଶ କରିବାକୁ କୁଣ୍ଠିତ ହୁଅନ୍ତି ମାତ୍ର ମନର ରାଗ ଓ ବିରକ୍ତି ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ବଡ଼ମାନେ କ୍ଷମାହୀନ, ବିଚାରଶୀଳ ମନୋଭାବ ନେଇ ବଡ଼ପିଲାଙ୍କର ପ୍ରତିଟି ଆଚରଣର ବିଚାର କରନ୍ତି । ତାର କଥାବାର୍ତ୍ତା, ଢଙ୍ଗଢାଙ୍ଗ, ଚାଲିଚଳଣ ଏ ସବୁଥିରେ ସାମାନ୍ୟ ଏପଟ ସେପଟ ହୋଇଗଲେ, ସାଙ୍ଗେ ସାଙ୍ଗେ ବଡ଼ମାନଙ୍କର ଉପଦେଶପୂର୍ଣ୍ଣ ଲମ୍ୱା ବକ୍ତୃତା ତାକୁ ଶୁଣିବାକୁ ପଡ଼େ । ଏପରି ଅବସ୍ଥାରେ ପିଲାର ମାନସିକ ଶାନ୍ତି ରହିବା ସମ୍ଭବ କି ?

 

ଅନ୍ୟ ଗୋଟିଏ ସଙ୍କଟ ହେଉଛି ପ‍ରୀକ୍ଷା । ସ୍କୁଲର ଭଲ ଛାତ୍ର ମନରେ ମଧ୍ୟ ପରୀକ୍ଷା ଗଭୀର ମାନସିକ ଚାପର ସଞ୍ଚାର କରେ । ଅଧିକାଂଶ ଲୋକ ବଡ଼ ହେଇ ବୁଢ଼ା ହେଲାପରେ ମଧ୍ୟ ପରୀକ୍ଷା ବିଷୟରେ ଉତ୍କଣ୍ଠାମୂଳକ ସ୍ଵପ୍ନ ଦେଖନ୍ତି । “ପରୀକ୍ଷା ହଲରେ ପହଞ୍ଚଲାବେଳକୁ ପରୀକ୍ଷା ଆରମ୍ଭ ହେଇଯାଇଛି ।” ଏ ସ୍ଵପ୍ନ ଦେଖି କେତେ ଲୋକଙ୍କର ନିଦ ଭାଙ୍ଗିଯାଏ । କିମ୍ବା ପରୀକ୍ଷା ଦିନେ ବାକିଅଛି; ଅଥଚ ସବୁତକ ପାଠ ପଢ଼ିବାକୁ ଆଉ ବେଳ ନାହିଁ-ଏପରି ସ୍ଵପ୍ନ ଦେଖି ଝାଳନାଳ ହୋଇ ବହୁତ ଲୋକ ନିଦରୁ ଉଠିପଡ଼ନ୍ତି । ଯଦି ପରୀକ୍ଷାର ଉତ୍କଣ୍ଠା ଏତେଦିନ ଧରି ମନରେ ରୁହେ, ପ୍ରକୃତ ପରୀକ୍ଷାବେଳେ ମନରେ କେତେ ଯେ ଉତ୍କଣ୍ଠା ହଉଥିବ ସେକଥା ଅନୁମାନ କରିବା କଷ୍ଟ ନୁହେଁ । ଫ୍ରଏଡ଼ଙ୍କ ମତରେ ପରୀକ୍ଷାର ଉତ୍କଣ୍ଠାମୂଳକ ସ୍ୱପ୍ନ ମନର ଅନ୍ୟ ଗଭୀର ଉତ୍କଣ୍ଠାର ପ୍ରତୀକ ମାତ୍ର । ଭାବିବା କଥା ଯେ ପରୀକ୍ଷାର ଅନୁଭୂତିକୁ ମଣିଷ ମନ କାହିଁକି ଉତ୍କଣ୍ଠା ସହିତ ଯୁକ୍ତିକରେ ? ବ୍ୟବସାୟରେ ସର୍ବସ୍ଵାନ୍ତ ହେବା ବା କ୍ୟାନସାର ହେବାପରି ଅନ୍ୟାନ୍ୟ ଉତ୍କଣ୍ଠାଜନକ ଅନୂଭୂତି ବିଷୟରେ ସେ କାହିଁକି ସ୍ଵପ୍ନ ଦେଖେ ? ଆଧୁନିକ ମନୋବିଜ୍ଞାନୀ କହିବେ ଯେ ପରୀକ୍ଷା ପରି ଅନ୍ୟ କୌଣସି ଉତ୍କଣ୍ଠାଜନକ ଅନୁଭୂତି ବାଲ୍ୟକାଳରେ ହୋଇ ନଥିବା ହେତୁ ପରୀକ୍ଷା ସ୍ଵପ୍ନ ମଣିଷ ଜୀବନଯାକ ବାରମ୍ବାର ଦେଖିଥାଏ । ପରୀକ୍ଷା ଓ ପାଠପଢ଼ାର ଚାପ କେତେ ପିଲା ସହ୍ୟ କରିପାରନ୍ତି; ମାତ୍ର କେତେକ ପିଲା ସହ୍ୟ କରିପାରନ୍ତି ନାହିଁ । ଯେଉଁମାନେ ସହ୍ୟ କରିପାରନ୍ତି- ନାହିଁ ସେମାନଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ସେ ପିଲାର ବୁଦ୍ଧି ଅଛି; ମାତ୍ର ବିଭିନ୍ନ କାରଣ ହେତୁ ମନ ବିଚଳିତ ରହୁଥିବାରୁ ସେ ପଢ଼ାର ଚାପ ସହିପାରୁ ନାହିଁ । ଯାହାର ଅନ୍ୟାନ୍ୟ ଅଶାନ୍ତି ବା ସମସ୍ୟା ନାହିଁ ସେ ଅନାୟାସରେ ପଢ଼ାର ଦାୟିତ୍ଵ ତୁଲାଇ ପରୀକ୍ଷାର ଚାପ ସହି ଚଳିପାରୁଛି । ଏଥିରୁ ଜଣାଯାଉଛି ଯେ ଏକା ସମୟରେ ବହୁ ବିଷୟରେ ଅଶାନ୍ତି ହେଲେ ମାନସିକ ଚାପର ମାତ୍ରାଧିକ୍ୟ ହେତୁ ପିଲା ଭାଙ୍ଗି ପଡ଼ନ୍ତି ।

 

ମାନସିକ ଚାପ ଫଳରେ ଦେହ ଓ ମନ ଉଭୟ କ୍ଷେତ୍ରରେ ହିଁ ଗୋଳମାଳ ଦେଖାଦିଏ । ବ୍ରିଟିଶ୍ ହାର୍ଟ ଫାଉଣ୍ତେସନ୍ ବ୍ରିଟିଶ୍ ପାର୍ଲିଆମେଣ୍ଟ ସଭ୍ୟମାନଙ୍କୁ ପରୀକ୍ଷା କରି ଦେଖିଲେ ଯେ ସେମାନଙ୍କର ସାଧାରଣ ସ୍ଵାସ୍ଥ୍ୟ ଖୁବ୍ ଭଲ; ମାତ୍ର ଅଧିକାଂଶ ଏମ୍.ପି.ଙ୍କ ଠାରେ ମାନସିକ ଚାପଜନିତ ଶାରିରୀକ ପୀଡ଼ା ଦେଖାଯାଉଛି । ସେମାନଙ୍କ ଭିତରୁ ଶତକଡ଼ା ୪୪ ଜଣ କାନ୍ତି ଓ ଅବସାଦ ଅନୁଭବ କରୁଛନ୍ତି; ଶତକଡ଼ା ୩୯ ଜଣ ସାମାନ୍ୟ କଥାରେ ଚିଡ଼ି ଯାଉଛନ୍ତି ଓ ସର୍ବଦା ବିରକ୍ତ ହୋଇ ରହୁଛନ୍ତି; ଶତକଡ଼ା ୩୦ ଜଣଙ୍କର ବଦହଜମ ହେଉଛି; ଶତକଡ଼ା ୨୯ ଜଣଙ୍କର ମୁଣ୍ଡବିନ୍ଧା ବାହାରୁଛି । ଶତକଡ଼ା ୨୩ ଜଣ ଅନିଦ୍ରାରେ ରହୁଛନ୍ତି ଓ ଶତକଡ଼ା ୨୧ ଜଣ ଅକାରଣ ମାନସିକ ବିଷାଦ ଓ ଦୁଶ୍ଚିନ୍ତାରେ ଘାରି ହେଉଛନ୍ତି ।

 

ମାନସିକ ଚାପ ହେତୁ ମନରେ ଉତ୍କଣ୍ଠା ଓ ଉଦ୍ୱେଗ ବଢ଼େ, ମନଯୋଗ କମିଯାଏ, ସ୍ମରଣଶକ୍ତି କମିଯାଏ, ମଣିଷ ଦବି ଯାଏ ଓ ଠିକ୍ ଭାବରେ ବିବେଚନା କରି ନ ପାରିବାରୁ ଥରକୁ ଥର ମନ ବଦଳଉଥାଏ । ପିଲାଙ୍କର ଦୈନନ୍ଦିନ ସ୍ଵଭାବରେ ଯଦି ନିମ୍ନଲିଖିତ ଲକ୍ଷଣଗୁଡ଼ିକ ଅସ୍ୱାଭାବିକ ମାତ୍ରାରେ ଦେଖାଯାଏ ତାହେଲେ ସେ ମାନସିକ ଚାପରେ ପ୍ରପୀଡ଼ିତ ବୋଲି ସନ୍ଦେହ କରିବା କଥା । ପିଲାର ସ୍ଵଭାବ ଶାନ୍ତ ବା ଉଗ୍ର ହେଲେ ସେହି ଅନୁସାରେ ମାନସିକ ଚାପର ଲକ୍ଷଣ ଭିନ୍ନ ଭିନ୍ନ ଭାବରେ ଦେଖାଯାଏ । ଯେଉଁ ପିଲା ସ୍ଵଭାବତଃ ବହିର୍ମୁଖୀ (extrovert), ତେଜସ୍ୱୀ ଓ ଉଗ୍ର ସେମାନେ ଅମାନିଆ ହୁଅନ୍ତି, ଚଗଲା ହୁଅନ୍ତି, ବିଦ୍ରୋହୀଭା ବାପନ୍ନ ହୁଅନ୍ତି, ରାଗି ଜିନିଷ ପତ୍ର ଭଙ୍ଗା ରୁଜା କରନ୍ତି, କଳି କଜିଆ କରି ମାଡ଼ ମରାମରି ଲଗାନ୍ତି ଓ ଅପରାଧପ୍ରବଣ ହୁଅନ୍ତି । ଅସ୍ଥିରତା, ଅମନୋଯୋଗୀତା, ରାଗ, ବିରକ୍ତି, ବଦ୍ ହଜମ, ପେଟମରା, ପେଟବଥା ଉତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ ।

 

ଯିଏ ସ୍ଵଭାବତଃ ଅନ୍ତର୍ମୁଖୀ (intro vert) ଶାନ୍ତି, ଚୁପ୍ ଚାପ, କୋମଳ ଓ ଭାବୁକ ପ୍ରକୃତିର, ତା’ଠାରେ ଅକାରଣ କଥାରେ କାନ୍ଦ, ଅଭିମାନ, ରୁଷିବା, ଖାଇବାରେ ବିତୃଷ୍ଣା, ଜିଦି ଇତ୍ୟାଦି ଦେଖାଯାଏ । ଏହାଛଡ଼ା ରାତି ଅନିଦ୍ରା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇବା, ଛାତି ଦକଦକ୍ ହବା, ଅହେତୁକ ଭୟ, ଦୁଃସ୍ୱପ୍ନ, ଉତ୍କଣ୍ଠା ଓ ଅକାରଣ ଦୁଶ୍ଚିନ୍ତା ମଧ୍ୟ ଦେଖାଯାଇପାରେ, ଆଗ ତୁଳନାରେ ପିଲା ଦବିଗଲା ପରି ଜଣାଯାଏ, ତା’ର ମନର ପ୍ରଫୁଲ୍ଲତା ଚାଲିଯାଏ, ବ୍ୟବହାରରେ ସାବଲୀଳତା ରୁହେନାହିଁ । ଯିଏ ପିଲାଦିନରୁ ଅନବରତ ମାନସିକ ଚାପ ଅନୁଭବ କରି ବଢ଼େ, ତା’ଠାରେ ମାନସିକ ଚାପ ଜନିତ ଶାରୀରିକ ଓ ମାନସିକ ରୋଗ ହେବାର ସମ୍ଭାବନା ବହୁଗୁଣରେ ବଢ଼ିଯାଏ-

 

ବାଲ୍ୟ ଓ କୈଶୋରରେ ମାନସିକ ଚାପର ଅନ୍ୟ କାରଣଗୁଡ଼ିକ ସ୍କୁଲ ଓ ପାଠ ସହିତ ଜଡ଼ିତ । ପ୍ରଥମତଃ ଘର ଓ ସ୍କୁଲ ଜୀବନ ମଧ୍ୟରେ ବିରାଟ ପ୍ରଭେଦ ଥିଲାରୁ ଯେଉଁ ପିଲାର ସ୍କୁଲ ଜୀବନ ପାଇଁ ମାନସିକ ପ୍ରସ୍ତୁତି ନ ଥାଏ ସେ ଭାରୀ ଅସୁବିଧାରେ ପଡ଼େ । ଦ୍ୱିତୀୟରେ ଘର ଛାଡ଼ି ଦୂର ଜାଗାରେ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ିବାକୁ ପଡ଼ିଲେ ସ୍ଥାନ ଓ ଅବସ୍ଥାର ପରିବର୍ତ୍ତନ ହେତୁ ମାନସିକ ଚାପ ବଢ଼େ । ଆଦିବାସୀ ପିଲା ପରିଚିତ ଜୀବନଯାତ୍ରା ଛାଡ଼ି ଆବାସିକ ବିଦ୍ୟାଳୟରେ ରହି ପ୍ରଥମ କରି ପାଠ ଆରମ୍ଭ କଲାବେଳେ, ନିଜ ଜୀବନଧାରାର ଆମୂଳ ପରିବର୍ତ୍ତନ ହେତୁ ବହୁ ସମସ୍ୟାରେ ପଡ଼ନ୍ତି । ଗାଉଁଲୀ ପିଲା ସହରରେ ଆସି ପଢ଼ିଲେ କିମ୍ବା ସାନ ସହରରେ ବଢ଼ିଥିବା ପିଲା ବଡ଼ ସହରକୁ ଯାଇ ପଢ଼ିଲେ ଜୀବନଧାରାର ପରିବର୍ତ୍ତନ ଯୋଗୁଁ ଏକାପ୍ରକାର ମାନସିକ ଚାପ ଅନୁଭବ କରନ୍ତି । ଏହାଛଡ଼ା ଯେଉଁ ପିଲା ବାପା ମାଆଙ୍କର ବଦଳୀ ଚାକିରୀ ଯୋଗୁଁ ଏ ସ୍କୁଲରୁ ସେ ସ୍କୁଲ ହେଉଛି, ତା’ର କୌଣସି ଶିକ୍ଷକ ବା ସାଙ୍ଗ ସହିତ ଘନିଷ୍ଠ ହୋଇ ଉଠିବା ସମ୍ଭବ ହେଉନାହିଁ । ଫଳରେ ସେ ସବୁଠାରେ ନିଜକୁ ନିଃସଙ୍ଗ ଓ ଏକାକୀ ବୋଲି ଅନୁଭବ କରୁଛି । ଏହି ଅବସ୍ଥାରେ ଯଦି ଅନ୍ୟାନ୍ୟ ପରିବର୍ତ୍ତନ ତା’ ଜୀବନରେ ଘଟେ ତେବେ ପିଲା ବ୍ୟତିବ୍ୟସ୍ତ ହୋଇଯାଆନ୍ତି । ଯଥା–ବାପା, ମାଆ, ଭାଇ ଭଉଣୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ, ଧନୀରୁ ହଠାତ୍ ଗରିବ ବା ଗରିବରୁ ହଠାତ୍ ଧନୀ ହେବା, ପ୍ରିୟ ଶିକ୍ଷକଙ୍କର ବଦଳି, ସ୍କୁଲରେ ଅନ୍ୟ ଶିକ୍ଷକଙ୍କ ସହିତ ବିରୋଧ, ଏପରି ବିଭିନ୍ନ ଘଟଣା ମାନସିକ ଚାପର ମାତ୍ରା ବଢ଼ାଏ-

 

ମାନସିକ ଚାପ ସହ୍ୟ କରିବାର କ୍ଷମତା ଦିଓଟି ବିଷୟ ଉପରେ ନିର୍ଭର କରେ । ପିଲାର ବ୍ୟକ୍ତିତ୍ୱ ଓ ମାନସିକ ଚାପ ସୃଷ୍ଟି କରୁଥିବା ପାରିପାର୍ଶ୍ଵିକ ଅବସ୍ଥା । ଯେଉଁମାନେ ମୂଳରୁ ପ୍ରତିକୂଳ ଅବସ୍ଥାରେ ବଢ଼ିଥିବାରୁ ମାନସିକ ଅଶାନ୍ତି ଯୋଗୁଁ ଉତ୍କଣ୍ଠିତ ସ୍ୱଭାବର ଲୋକ ହୋଇଥାଆନ୍ତି ସେମାନେ ନୂଆ ପରିସ୍ଥିତରେ ପଡ଼ିଲେ ଅକାରଣରେ ଉତ୍କଣ୍ଠା ଓ ଉଦ୍ୱେଗ ବୋଧ କରନ୍ତି । ସେଥିଲାଗି ଏପରି ପରସ୍ଥିତିରେ ନିଜକୁ ଚଳେଇ ନେବା ପାଇଁ ସେମାନଙ୍କୁ ଦୀର୍ଘ ସମୟ ଲାଗେ । ଏପରି ଅବସ୍ଥାରେ ପଢ଼ାର ଚାପ ପଡ଼ିଲେ ସେମାନେ ବ୍ୟତିବ୍ୟସ୍ତ ହୋଇ ଉଠନ୍ତି ଅନେକ ସମୟରେ ଯେଉଁ ପିଲାମାନେ ଘର ଛାଡ଼ି ଦୂରକୁ ପଢ଼ିବାକୁ ଯାଆନ୍ତି ସେମାନେ ସେଠି ଚଳି ନ ପାରି ଫେରି ଆସନ୍ତି । ଯିଏ ବାଧ୍ୟ ହୋଇ ରୁହେ; ସେ ଭଲ ପଢ଼ାପତି କରିପାରେ ନାହିଁ, ତାକୁ ସେଠାକାର କୌଣସି ଜିନିଷ ଭଲ ଲାଗେ ନାହିଁ; ତାର ମନ ସବୁବେଳେ ବ୍ୟସ୍ତ ହୁଏ । ସେଥିଲାଗି ସବୁ ସ୍କୁଲରେ ଶିକ୍ଷକମାନେ ନୂଆ ପିଲାର ସମସ୍ୟା ବିଷୟରେ ସଚେତନ ହେଲେ ପିଲାର ପାରିପାର୍ଶ୍ବିକ ଅବସ୍ଥା ଯେପରି ପିଲାପ୍ରତି ଅନୁକୂଳ ହେବ ସେ ବ୍ୟବସ୍ଥା କଲେ ପିଲାର ମାନସିକ ଚାପ କମିଯିବ ।

 

ଅଳ୍ପ ବୟସରେ ପିଲା ଉପରେ ଅତିରିକ୍ତ ପାଠ ବୋଝ ଲଦିଦେଲେ ସେମାନେ ମାନସିକ ଚାପ ଅନୁଭବ କରନ୍ତି । ଆମ ଦେଶରେ ମଧ୍ୟବିତ୍ତ ଶିକ୍ଷିତ ପରିବାରରେ ପିଲାକୁ ତିନିବର୍ଷ ବୟସରେ ପଢ଼ିବାକୁ ଶିଖାନ୍ତି । ଖେଳସ୍କୁଲରେ ପିଲା ଖେଳ ମାଧ୍ୟମରେ ଶିଖିବା ଅପେକ୍ଷା ବହି ପଢ଼ିବାକୁ ଶିଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ସାଧାରଣ ପିଲା ଅଳ୍ପ ବୟସରେ ପାଠ ଶିଖିଲାରୁ, ସବୁପାଠ ଭଲରେ ଶିଖିପାରନ୍ତି ନାହିଁ । ତେଣୁ ସେମାନଙ୍କର ପାଠର ମୂଳଦୁଆ କଞ୍ଚା ରୁହେ । ତଳ କ୍ଳାସରେ ସେମାନେ ପାରିଯାଆନ୍ତି; ମାତ୍ର ଉପର କ୍ଳାସକୁ ଗଲେ ବିଭିନ୍ନ ଅସୁବିଧାରେ ପଡ଼ନ୍ତି । ଯେଉଁମାନେ ଖୁବ୍ ବୁଦ୍ଧିମାନ, ସେମାନେ ପାଠର ବୋଝ କୌଣସିମତେ ସମ୍ଭାଳି ନିଅନ୍ତି । ମାତ୍ର ବୟସ ଅଳ୍ପ ହେଇଥିବାରୁ ଦାୟିତ୍ଵ ନେଇ ନିଜେ ପାଠ ପଢ଼ନ୍ତି ନାହିଁ । ପଛରୁ ଜଣେ ପେଲୁଥିଲେ ପାଠ ପଢ଼ନ୍ତି, କିନ୍ତୁ ନିଜେ ଇଚ୍ଛାକରି ଆଗଭର ହେଇ ପଢ଼ନ୍ତି ନାହିଁ । ମନର ପିଲାଳିଆ ଭାବ ଯାଇ ନଥିବାରୁ ଚଗଲା ହୁଅନ୍ତି । ଶ୍ରେଣୀଗୃହରେ ଗଣ୍ଡଗୋଳ ଭିଆଇ ମଜା ଦେଖନ୍ତି ଓ ନିଜ ଶ୍ରେଣୀର ବଡ଼ପିଲାଙ୍କୁ ଅନୁକରଣ କରି ଚାଲିଚଳଣୀରେ ସେମାନଙ୍କର ସମକକ୍ଷ ହେବାକୁ ଚେଷ୍ଟା କରନ୍ତି । ଆମେ ସମସ୍ତେ ଜାଣୁ ଯେ କଞ୍ଚା ଆମ୍ବକୁ ହାତରେ ଚିପି ନରମ କଲେ ସେ ଆମ୍ବ ପାଚିବ ନାହିଁ । ସେହିପରି ପିଲାର ବୟସ କମ୍ ଥିଲାବେଳେ ତାକୁ ଗୁଡ଼ିଏ ପାଠ ଶିଖେଇଲେ ସେ ଦରକଞ୍ଚା ଆମ୍ବପରି ହେବ । ପିଲାର ବୟସକୁ ଚାହିଁ ସେହି ଅନୁସାରେ ତାକୁ ବିଭିନ୍ନ ଦାୟିତ୍ଵ ଦେଲେ ସେ ସ୍ଵାଭାବିକ ଭାବରେ ସ୍ଵଚ୍ଛନ୍ଦରେ କାମ କରିବ ଓ ପାଠ ଶିଖିବ । କୌଣସି ଦାୟିତ୍ୱ ନ ନେଲେ ପିଲା ଯେପରି ପିଲାଳିଆ ହୋଇ ରହିଯାଆନ୍ତି, ସେହିପରି ସେମାନଙ୍କ ଉପରେ ବେଶୀ ଦାୟିତ୍ଵ ବା ବୋଝ ଲଦିଦେଲେ ସେମାନେ ମାନସିକ ଚାପରେ ଭୋଗନ୍ତି ।

 

କେତେକ ପିଲାର ମାନସିକ ଚାପର ଆଉ ଗୋଟାଏ ପ୍ରଧାନ କାରଣ ହେଉଛି ‘ପାଠରେ ଅପାରଗତା’ । ଏହି ପ୍ରକାର ଅପାରଗତା ସହିତ ପିଲାର ବୟସ ବା ବୁଦ୍ଧିର କୌଣସି ସମ୍ପର୍କ ନାହିଁ । ଏ ପିଲାଙ୍କର ବୁଦ୍ଧି ସାଧାରଣ ପିଲାଙ୍କ ସହିତ ଥିଲେ ମଧ୍ୟ ସେମାନେ ସହଜରେ ପାଠ ଶିଖିପାରନ୍ତି ନାହିଁ । ପାଶ୍ଚାତ୍ୟ ଦେଶରେ ଗବେଷଣା କରି ଦେଖାଯାଇଛି ଯେ ସ୍କୁଲରେ ଶତକଡ଼ା ଦଶଜଣ ଛାତ୍ର ଏହି ଶ୍ରେଣୀରେ ପଡ଼ିବେ । ପରୀକ୍ଷା କରି ଦେଖାଯାଇଛି ଯେ ଏମାନଙ୍କର ମସ୍ତିଷ୍କ ଠିକ୍ କାମ କରୁ ନ ଥିବାରୁ ଏମାନେ ଅମନୋଯୋଗୀ ହୁଅନ୍ତି । ମନଦେଲେ ମଧ୍ୟ ଯାହା ଦେଖନ୍ତି ତାର ଆକାର ଓ ଆକୃତି ତାକୁ ଭୁଲ ଦେଖାଯାଏ । ଫଳରେ ସେମାନେ କେତେଗୁଡ଼ିଏ ଅକ୍ଷରର ପ୍ରାର୍ଥକ୍ୟ ଧରିପାରନ୍ତି ନାହିଁ । (ପ, ଫ କିମ୍ବା ଧ, ଥ) ଅକ୍ଷର ଚିହ୍ନ ନଥିବାରୁ ଶବ୍ଦକୁ ଓଲଟପାଲଟ କରି ପଢ଼ନ୍ତି ଓ ବାକ୍ୟକୁ ମଧ୍ୟ ଭୁଲ୍ ଭାଲ କରି ପଢ଼ନ୍ତି । ଫଳରେ ଯାହା ପଢ଼ନ୍ତି ତା’ର ଅର୍ଥ ବୁଝିପାରନ୍ତି ନାହିଁ । କେତେ ପିଲାଙ୍କର ଶୁଣିବାରେ ଅସୁବିଧା ଥିବାରୁ ସେମାନେ କେତେକ ଶଦ୍ଦର ପ୍ରାର୍ଥକ୍ୟ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କର ଉଚ୍ଚାରଣରେ ଅଶୁଦ୍ଧତା ରୁହେ । ତଳ କ୍ଲାସରେ ସେମାନେ ଅନ୍ଦାଜ କରି ପଢ଼ି କୌଣସିମତେ କାମ ଚଳେଇ ନିଅନ୍ତି । ମାତ୍ର ଉପର କ୍ଳାସରେ ବହୁତ ବହି ପଢ଼ିବାକୁ ପଡ଼ିଲେ, ସେମାନେ ହଇରାଣ ହୁଅନ୍ତି । (ଆଜିର ଶିଶୁ କାଲିର ମଣିଷ-୧ମ ଖଣ୍ଡ Dyslexia ଦେଖନ୍ତୁ ।) ସବୁବେଳେ ପାଠ ବଳେଇ ପଡ଼ିଲା ପରି ଲାଗିବାରୁ ଏପରି ପିଲାମାନେ ଅଳ୍ପ ବହୁତ ମାନସିକ ଚାପ ଅନୁଭବ କରନ୍ତି । ସେଥିରେ ଘରଲୋକ ଓ ଶିକ୍ଷକ ସେମାନଙ୍କୁ ଭୁଲ ବୁଝନ୍ତି ଓ ପାଠରେ ମନ ଦେଉନାହିଁ ଭାବି ଗାଳି ମାଡ଼ ଦିଅନ୍ତି । ଘରଲୋକ ଭାବନ୍ତି ପିଲା ଅଳସୁଆମୀ କରି ବା ଚଗଲାମୀ କରି ମନ ଦେଉନାହିଁ । ଶିକ୍ଷକ ଭାବନ୍ତି ନିବୁଦ୍ଧିଆ ବୋଲି ତାର ପାଠ ହେଉନାହିଁ । ଶିକ୍ଷକ ଯତ୍ନ କରି ଶିଖାଇଲେ ମଧ୍ୟ ପିଲା ଶିଖିପାରୁ ନାହିଁ ବୋଲି ତାଙ୍କର ପିଲାଠାରୁ ମନ ଛାଡ଼ିଯାଏ । (ପାଶ୍ଚାତ୍ୟ ଦେଶମାନଙ୍କରେ ଏଭଳି ପିଲାଙ୍କୁ ପଢ଼ାଇବା ଲାଗି ଶିକ୍ଷକଙ୍କୁ ଅଲଗା ପ୍ରକାର ତାଲିମ ଦିଆଯାଇଥାଏ, କାରଣ ସାଧାରଣ ପ୍ରଚଳିତ ଉପାୟରେ ଏମାନେ ପଢ଼ା ଶିଖିପାରନ୍ତି ନାହିଁ ।) ଏଭଳି ଅପାରଗ ପିଲାମାନେ ସବୁବେଳେ ସମସ୍ତଙ୍କର ଛିଛାକର ଶୁଣି ଶୁଣି ବ୍ୟତିବ୍ୟସ୍ତ ହୋଇଯାଆନ୍ତି । ସେମାନଙ୍କ ମନରେ ଧୀରେ ଧୀରେ ନିଜ ବିଷୟରେ ହୀନତାବୋଧ ଜନ୍ମେ । ମାନସିକ ଅଶାନ୍ତି ହେତୁ ମନରେ ଉତ୍କଣ୍ଠା ଓ ଉଦବେଗ ବଢ଼େ । ଶେଷରେ ‘ମୋ ଦେଇ କିଛି ହେବନାହିଁ’ ଭାବି ସବୁ ଚେଷ୍ଟା ଛାଡ଼ିଦେଇ ଉଦ୍ୟୋଗହୀନ ଓ ନିଷ୍କ୍ରିୟ ଭାବରେ ଦିନ କଟାନ୍ତି । ଇଆଡ଼େ ପାଠ ବୁଝି ପାରୁନାହାନ୍ତି ଅଥଚ ଦିନଯାକ ବାଧ୍ୟ ହେଇ ସ୍କୁଲରେ ବସି ଶିକ୍ଷକଙ୍କ ବାକ୍ୟବାଣ ଶୁଣିବାକୁ ପଡ଼ୁଛି–ଏଭଳି ନିରୁପାୟ ଅବସ୍ଥାରେ ପଡ଼ି ରହିଥିବାରୁ ସେମାନଙ୍କ ମନରେ ଅନ୍ୟ ସମସ୍ତଙ୍କ ପ୍ରତି ରାଗ ଓ ବିରକ୍ତି ବଢ଼େ । ସେଥିରେ ଚାରିଆଡ଼େ ବାଜେପିଲା ବୋଲି ସମସ୍ତେ ଜାଣିଲେଣି । ବାସ୍ତବ ଅବସ୍ଥାରେ ଏମାନଙ୍କୁ ‘ବାଜେପିଲା’ଙ୍କ ସାଙ୍ଗରେ ମିଶି ବଜାରୀଗିରି ଶିଖନ୍ତି ।

 

ପିଲା ଭଲ ପାଠ ନ ପଢ଼ିଲେ କାହିଁକି ସେ ଭଲ ପଢ଼ୁନାହିଁ ସେକଥା ଭାବି ଦେଖିବା କଥା । ଯେଉଁ ପିଲା ଅନ୍ୟାନ୍ୟ ବିଷୟରେ ଭଲ ଅଥଚ ପାଠରେ ଭଲ ନୁହେଁ, ତାକୁ ଛି ଛାକର ଓ ଅନାଦର ନ କରି କ’ଣ ଅସୁବିଧା ହେଉଛି ସେକଥା ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ‘ଯାହାର ପାଠରେ ମନ ନାହିଁ ସେ ଖରାପ ପିଲା’-ଏକଥା ନ ଭାବି, ଦୋଷ କାହାର ସେ କଥା ନିରପେକ୍ଷ ଭାବରେ ଅନୁସନ୍ଧାନ କଲେ, ପ୍ରକୃତ କାରଣଟି ଖୋଜି ବାହାର କରିବା ସମ୍ଭବ ହେବ । ବାଲ୍ୟକାଳର ସାମାନ୍ୟ ସମସ୍ୟା ସବୁ ଅବହେଳିତ ହୋଇ ରହିବାରୁ ପରେ ଜଟିଳ ସମସ୍ୟାରେ ପରିଣତ ହେଉଛି । ଯେଉଁ କଥାର ଅଳ୍ପକରେ ସମାଧାନ ହୁଅନ୍ତା, ସେକଥା ବଢ଼ି ବଢ଼ି ଅସାଧ୍ୟ ସମସ୍ୟାର ସୃଷ୍ଟି କରୁଛି । ପିଲା ସବୁବେଳେ ଏପରି ମାନସିକ ଚାପ ଫଳରେ ବିପଥଗାମୀ ହୁଅନ୍ତି ନାହିଁ, ବରଂ ଅନେକ ସମୟରେ ସେମାନଙ୍କଠାରେ ଏପରି ଚାପ ଫଳରେ ମାନସିକ ଅସୁସ୍ଥତା ଦେଖାଦିଏ । ବଦ୍‍ମିଜାଜ, ମନ ଖରାପ, ତିକ୍ତ ସମ୍ପର୍କ, ଦୁଶ୍ଚିନ୍ତା, ବିଷଦ ଓ ଶେଷରେ ଆତ୍ମହତ୍ୟା ପରି ବ୍ୟାଧିର କବଳରେ ପଡ଼ନ୍ତି । ଆତ୍ମହତ୍ୟାର ଚିକିତ୍ସା କ’ଣ ? ଏଇ ରୋଗ ଚିହ୍ନିଲାବେଳକୁ ରୋଗୀ ସଂସାରରୁ ବିଦା ହେଇଗଲାଣି । ଭାରତର Central Social Welfare Boardଙ୍କ ୧୯୭୬ ମସିହାର ରିପୋର୍ଟ ଅନୁସାରେ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି, ସେମାନଙ୍କ ମଧ୍ୟରୁ ଶତକଡ଼ା ଚାଳିଶ ଜଣଙ୍କର ବୟସ ହେଲା ଅଠର ବର୍ଷରୁ କମ୍ । କାହିଁକି ଜୀବନ ଆରମ୍ଭ ହେବା ପୂର୍ବରୁ ଲୋକ ଆତ୍ମହତ୍ୟା କରୁଛି ? ଆମେ ଏକଥା ବୁଝିବାକୁ ଚେଷ୍ଟା କଲେ ହୁଏତ ଏ ଅବସ୍ଥାର ପ୍ରତିକାର ହେଇ ପାରିବ । କାରଣ ଏଇ ରୋଗର ଚିକିତ୍ସାର ଏକମାତ୍ର ଉପାୟ ହେଉଛି “ପ୍ରତିଷେଧକ” । ତେଣୁ ଆତ୍ମହତ୍ୟାର ପୂର୍ବ ଲକ୍ଷଣମାନ ଜାଣିଲେ, ସେ ବିଷୟରେ ମୂଳରୁ ସାବଧାନ ହେଲେ ଏହାର ନିବାରଣ କରିବା ହୁଏତ ସମ୍ଭବ ହେବ ।

 

(୩) ଆତ୍ମହତ୍ୟା–

 

ସରକାରୀ ହିସାବ ଅନୁସାରେ ମାନସିକ ଅଶାନ୍ତି ଆତ୍ମହତ୍ୟାର ଏକ ପ୍ରଧାନ କାରଣ । ପାରିବାରିକ କଳହ, ବିଫଳ ପ୍ରେମ, ପରୀକ୍ଷାରେ ଫେଲ୍, ଦାରିଦ୍ର୍ୟ ଓ ନିଜର ଅନ୍ଧକାର ଭବିଷ୍ୟତ ଇତ୍ୟାଦି ବିଭିନ୍ନ କାରଣ ଯୋଗୁଁ ମନ ବିଚଳିତ ହେବାରୁ ମାନସିକ ଅଶାନ୍ତି ବଢ଼େ ଓ ଅନେକେ ଏପରି ଅଶାନ୍ତି ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥାନ୍ତି । Suicide and Society by Jag Suraiya. The Statesman Weekly Feb 23. 1980) ଦାରିଦ୍ର୍ୟ ଯେ ମାନସିକ ଅଶାନ୍ତିର ଏକ ପ୍ରଧାନ କାରଣ ଏକଥା କେହି ଅସ୍ୱୀକାର କରି ପାରିବ ନାହିଁ । ଭାରତରେ ଉପକୂଳବର୍ତ୍ତୀ ପ୍ରଦେଶରେ ଲୋକେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାନ୍ତି । ଏଇ ଅଞ୍ଚଳଗୁଡ଼ିକ ଅନ୍ୟ ପ୍ରଦେଶ ତୁଳନାରେ ଅଧିକ ଦରିଦ୍ର । ଅଥଚ ପୃଥୀବୀର ଅନ୍ୟ ଧନୀ ଦେଶ ତୁଳନାରେ ସମଗ୍ର ଭାରତବର୍ଷରେ ଆତ୍ମହତ୍ୟାର ସଂଖ୍ୟା ଅନେକ କମ୍ । ଏଥିରୁ ଆମେ ଜାଣୁଛୁ ଯେ ଜୀବନର ପ୍ରତିକୂଳ ପରିସ୍ଥିତିକୁ ସବୁବେଳେ ଆତ୍ମହତ୍ୟାର କାରଣ ବୋଲି ଭାବିବାଟା ଠିକ୍ ନୁହେଁ । କଲିକତାର ଫୁଟପାଥରେ ଟଣାଗାଡ଼ିରେ ବସି ଭିଖ ମାଗୁଥିବା ହାତଗୋଡ଼ ନ ଥିବା ଭିଖାରୀ ଠାରୁ ଅଧିକ କଷ୍ଟ ଓ ଅଭାବ ସହୁଥିବା ଲୋକ କମ୍ ଅଛନ୍ତି । ଅଥଚ ସେହି ଭିଖାରୀ ବଞ୍ଚି ରହିବାକୁ ଚାହୁଁଛି । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁଡ଼ିର କଷ୍ଟ ସହି ଲୋକ ଏ ଦେଶରେ ବଞ୍ଚୁଛନ୍ତି । ଏଭଳି ଦୁଃଖୀ, ରଙ୍କୀ ଜୀବନ ହାରି ଦେଉ ନାହାନ୍ତି କାହିଁକି ? ତା’ର କାରଣ, ମଣିଷର ବଞ୍ଚି ରହିବାର ଲୋଭ ପ୍ରବଳ, ମରିବା ତୁଳନାରେ ବଞ୍ଚି ରହିବାକୁ ଅଧିକାଂଶ ଲୋକ ଚାହାନ୍ତି । ଯେଉଁମାନେ ବଞ୍ଚି ରହିବା ଅପେକ୍ଷା ମରଣକୁ ଶ୍ରେୟ ବୋଲି ଭାବନ୍ତି ସେମାନଙ୍କର ବ୍ୟକ୍ତିତ୍ଵ ଓ ଚରିତ୍ର ସାଧରଣ ଲୋକଙ୍କଠାରୁ କେତେକ ବିଷୟରେ ସ୍ଵତନ୍ତ୍ର । ଏମାନେ ପାଗଳ, ମାନସିକ ରୋଗଗ୍ରସ୍ତ ବା ଦୁର୍ବଳ ଚିତ୍ତ ଲୋକ ନୁହନ୍ତି । ଏମାନେ ସୁସ୍ଥ ଓ ସ୍ଵାଭାବିକ ଲୋକ, ମାତ୍ର ନିରୁପାୟ ଅବସ୍ଥାରେ ପଡ଼ିଲେ ନିନ୍ଦା ଅପବାଦରୁ ଉଦ୍ଧାରର ବାଟ ଖୋଜି ନ ପାଇଲେ, ସମସ୍ୟାର ସମାଧାନ ଆଖିକି ଦେଖା ନ ଗଲେ ସାଧାରଣ ଲୋକ ‘କିଂକର୍ତ୍ତବ୍ୟ ବିମୁଢ଼’ ହୋଇ ଆତ୍ମହତ୍ୟାର ବାଟ ବାଛିନିଏ । ଭାରତର ଇତିହାସରେ ଦେଖୁ, ଆଲ୍ଲାଉଦ୍ଦିନ ଖିଲ୍‍ଜୀ ଚିତୋର ଅଧିକାର କଲାପରେ ଚିତୋରର ରାଜ ଅନ୍ତପୁରର ସବୁ ସ୍ତ୍ରୀଲୋକ ଲାଞ୍ଛନା ଓ ଧର୍ଷଣ ନିଶ୍ଚିତ ଜାଣି ନିଆଁରେ ପୋଡ଼ି ହୋଇ ପ୍ରାଣତ୍ୟାଗ କରିଥିଲେ । ରାଣୀ ପଦ୍ମନୀ ଦୁର୍ବଳଚିତ୍ତ ବା ମାନସିକ ରୋଗଗ୍ରସ୍ତ ନ ଥିଲେ । ଲାଞ୍ଚ୍ଥନା ଓ ଅପମାନରୁ ଉଦ୍ଧାର ପାଇବାର କୌଣସି ପନ୍ଥା ନ ଦେଖି ସେ ଅସମ୍ମାନ ସହି ବଞ୍ଚି ରହିବା ଅପେକ୍ଷା ସସମ୍ମାନରେ ମୃତ୍ୟୁକୁ ବରଣ କରିବା ଶ୍ରେୟସ୍କର ମଣିଥିଲେ । କୁମାରୀ କନ୍ୟା ଅବୈଧ ସନ୍ତାନର ମାତା ହେବାର ସମ୍ଭାବନା ଦେଖି ଆତ୍ମହତ୍ୟା କରନ୍ତି । ଧନୀ ବ୍ୟବସାୟୀ ବିପୁଳ ଅର୍ଥହାନି ଘଟିଲେ ଆତ୍ମହତ୍ୟା କରନ୍ତି । ମାନୀ ଲୋକର କଳଙ୍କ ଧରିପଡ଼ିଲେ ସେ କେମିତି ଲୋକଙ୍କୁ ମୁହଁ ଦେଖାଇବ କଳ୍ପନା କରି ନ ପାରି ମରିଯିବାକୁ ଶ୍ରେୟସ୍କର ମଣେ । ଅଥଚ ଏଇ ଅବସ୍ଥାରେ ପଡ଼ି ଅନେକ ଲୋକ ଆତ୍ମହତ୍ୟା ନ କରି ବଞ୍ଚି ରହିବାକୁ ଚେଷ୍ଟା କରିଛନ୍ତି । ଆତ୍ମହତ୍ୟାକାରୀଙ୍କ ପରି ସେମାନେ ସହଜରେ ଆଶା ଓ ଚେଷ୍ଟା ଛାଡ଼ନ୍ତି ନାହିଁ । ପ୍ରତିକୂଳ ଅବସ୍ଥା ସହିତ କ୍ରମାଗତ ସଂଗ୍ରାମ କରି ବଞ୍ଚି ରହିବାକୁ ଚେଷ୍ଟା କରନ୍ତି । ଜଣେ ବ୍ୟବସାୟୀଙ୍କର ସିଂହଳକୁ ବାଣିଜ୍ୟ କରି ଯାଉଥିବା ସାତଟି ଜାହାଜ ଓ ଜାହାଜ ସହିତ ଲୋକ ଲସ୍କର, ଧନ ସମ୍ପତ୍ତି ସବୁ ସମୁଦ୍ର ଝଡ଼ରେ ନଷ୍ଟ ହୋଇ ପାଣିରେ ବୁଡ଼ିଗଲା । କେବଳ ସେ ଏକୁଟିଆ ଖଣ୍ଡେ ଭଙ୍ଗା ପଟାକୁ ଆଶ୍ରୟ କରି ଭାସି ଭାସି ସିଂହଳ ଉପକୂଳରେ ପହଞ୍ଚିଲେ । ଭାସିଯାଉଥିବା ଲୋକଟିକୁ ଦେଖି ଅନ୍ୟମାନେ ଡଙ୍ଗାରେ ଆସି ତାକୁ ପାଣିରୁ ଉଦ୍ଧାର କଲେ । ଊଦ୍ଧାର ପାଇ ସେ ସାଙ୍ଗେ ସାଙ୍ଗେ କହିଲେ–“ଓଃ ! ସର୍ବରକ୍ଷା ହେଇଗଲା”-। ଅନ୍ୟମାନେ କହିଲେ–ପିନ୍ଧାଲୁଗା ଛଡ଼ା ତୁମର ତ ଆଉ କିଛି ସାଙ୍ଗରେ ନାହିଁ । ସର୍ବରଷା ହେଲା କେମିତି ? ସେ କହିଲେ–ମୁଁ ତ ବଞ୍ଚିଲି । ପୁଣି ମୁଁ ଅର୍ଜନ କରି ଧନ ସମ୍ପତ୍ତି ଫେରି ପାଇବି, ବାହା ହେଇ ପରିବାର କୁଟୁମ୍ବ ପାଇବି । ଯଦି ମରିଯାଇଥାନ୍ତି ସବୁଥାଇ ମଧ୍ୟ ମୋର କିଛି ଲାଭ ହେଇ ନ ଥାନ୍ତା । ସେହିପରି ମାନୀଲୋକ ମଧ୍ୟ ପ୍ରଚଣ୍ଡ ଅପମାନ ସତ୍ତ୍ୱେ ମରିଯିବା କଥା ଚିନ୍ତା ନ କରି ଆଉଥରେ ଜୀବନ ନୂଆକରି ଗଢ଼ିବାକୁ ଚେଷ୍ଟା କରନ୍ତି । ଆତ୍ମହତ୍ୟା ପ୍ରବଣ ଓ ସାଧାରଣ ଲୋକ ମଧ୍ୟରେ ପ୍ରଧାନ ପ୍ରଭେଦ ହେଉଛି ଯେ ଆତ୍ମହତ୍ୟାପ୍ରବଣ ଲୋକ ସୁଖ, ସମ୍ମାନ, ଆରାମଭରା ନିଶ୍ଚିନ୍ତି ଜୀବନଯାପନ କରିବାକୁ ଚାହାନ୍ତି । ଜୀବନରେ ଅଡ଼ୁଆ, ଜଞ୍ଜାଳ, ଅଶାନ୍ତି ଓ ଅସହାୟତାର ସମ୍ମୁଖୀନ ହେଲେ ସେମାନେ ଏସବୁ ଅସୁବିଧା ସହି ବଞ୍ଚିବା ଅପେକ୍ଷା ମରିଯିବାକୁ ଶ୍ରେୟସ୍କର ବୋଲି ଭାବନ୍ତି । ସାଧାରଣ ଲୋକ ଅତ୍ୟନ୍ତ ଅସହାୟ ହୋଇ ପଡ଼ିଲେ ହୁଏତ ଆତ୍ମହତ୍ୟା କଥା ଚିନ୍ତା କରେ; ମାତ୍ର ଏଇ ଅବସ୍ଥାରୁ ଉଦ୍ଧାର ପାଇବା ଲାଗି ଅନ୍ୟାନ୍ୟ ଉପାୟ କଥା ମଧ୍ୟ ଚିନ୍ତା କରେ । ନିରାଶା, ବିଫଳତା, କ୍ଷୟ, କ୍ଷତି, ଅସମ୍ମାନ, କଳଙ୍କ, କଠିଣ ରୋଗ ଇତ୍ୟାଦି ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କଲେ ମଧ୍ୟ ବିପର୍ଯ୍ୟସ୍ତ କରି ଦିଏ ନାହିଁ । ଯେଉଁ ଲୋକମାନେ ପ୍ରବଳ ଆବେଗର ବଶବର୍ତ୍ତୀ, ସ୍ଵଭାବତଃ ହତାଶ ଓ ନିଶ୍ଚେଷ୍ଟ ଏବଂ ସାଧାରଣତଃ ନିଜ ମନ କଥା ମନରେ ରଖଡ଼, ସେମାନେ ଆତ୍ମହତ୍ୟା ପ୍ରବଣ ହୁଅନ୍ତି । ଅନ୍ୟଲୋକଙ୍କ ତୁଳନାରେ ସେମାନେ ବେଶୀ ସମୟ ଆତ୍ମହତ୍ୟା ଓ ମରିବା କଥା ଚିନ୍ତା କରନ୍ତି, କିଏ କେଉଁଠି ଆତ୍ମହତ୍ୟା କରିଛି ସେ ସବୁ ଖବର ରଖନ୍ତି ଓ ନିଜ ଜୀବନର ଅର୍ଥହୀନତା ବିଷୟରେ ଗୁଣି ହେଉଥାନ୍ତି ।

 

ଆତ୍ମହତ୍ୟାକାରୀର ଚରିତ୍ର :

 

କୈଶୋର ଓ ବାଲ୍ୟରେ ଯେଉଁମାନେ ଆତ୍ମହତ୍ୟା କରନ୍ତି, ସେମାନଙ୍କଠାରେ ଏହିସବୁ ସ୍ୱଭାବ ସହିତ ଆଉ ଗୋଟାଏ ବଡ଼ ଦୁର୍ଲକ୍ଷଣ ଦେଖଯାଏ । ସେଇଟି ହେଉଛି ମନ ଭିତରର ଅପ୍ରକାଶିତ ନିରୁଦ୍ଧ କ୍ରୋଧ । ବିଶେଷକରି ଆମ ଦେଶରେ ସ୍ତ୍ରୀଲୋକ ଓ ପିଲାମାନେ ଅଧିକାଂଶ ସମୟରେ ଅଧୀନସ୍ଥ ଅବସ୍ଥାରେ ଥିବା ହେତୁ ବାଧ୍ୟହେଇ ମନର ରାଗ ମନ ଭିତରେ ଚାପି ରଖନ୍ତି, ରାଗର ନିଆ” ମନ ଭିତରେ କୁହୁଳୁଥାଏ । ଉପରସ୍ଥ ଲୋକଙ୍କୁ ପ୍ରତ୍ୟାଘାତ କରିବାର ଅନ୍ୟ କୌଣସି ଉପାୟ ନପାଇ, ଶେଷରେ ଆତ୍ମହତ୍ୟା କରି ସେମାନଙ୍କୁ ଗଭୀର ଭାବରେ ଆଘାତ କରିବାକୁ ଚେଷ୍ଟା କରନ୍ତି । ଆତ୍ମହତ୍ୟା କରିବାକୁ ଚେଷ୍ଟାକରି ବିଫଳ ହେଇଥିବା କିଶୋର ଓ ବାଳକଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ବାପା, ମାଆ, ଭାଇ ଭଉଣୀ ଏ ସମସ୍ତଙ୍କ ଉପରେ ସେମାନଙ୍କର ପ୍ରଚଣ୍ଡ ରାଗ ଥାଏ । ସେମାନେ ନିଜକୁ ଉପେକ୍ଷିତ ଓ ସ୍ନେହବଞ୍ଚିତ ବୋଲି ଭାବନ୍ତି ଓ ଘରେ କେହି ସେମାନଙ୍କୁ ମନ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ବୋଲି ସେମାନେ ଅନୁଭବ କରନ୍ତି । ବାପାମାଆ ସେମାନଙ୍କଠାରୁ ଭଲଗୁଣ, ଭଲ ବ୍ୟବହାର, ଭଲ ପାଠପଢ଼ା ଇତ୍ୟାଦି ବହୁ କଥା ଆଶା କରନ୍ତି । ଅଥଚ ପିଲା ପକ୍ଷରେ ଏସବୁ ଆଶା ପୂରଣ କରିବା କେତେ କଷ୍ଟସାଧ୍ୟ ସେକଥା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଭୁଲ୍ ହେଲେ ଦରଦୀ ମନ ନେଇ ସେ ଭୁଲକୁ ବିଚାର ନ କରି କଠୋର ସମାଲୋଚନା କରନ୍ତି । ତେଣୁ ପିଲା ଭାବେ ଏମାନଙ୍କୁ ମନ କଥା କହିବି କେମିତି ! ଯାହା କହିଲେ ମଧ୍ୟ ସବୁଥିରେ ସେମାନେ ମୋତେ ଦାୟୀ କରିବେ, ସବୁବେଳେ ମୋର ଦୋଷ ଦେଖିବେ । ତେଣୁ ଏମାନଙ୍କ କଥାର ପ୍ରତିବାଦ କରି ଲାଭ କଅଣ ?” ବାପା ମାଆଙ୍କର ଚିନ୍ତାହୀନ ବ୍ୟବହାର ଯୋଗୁଁ ପିଲା ମନରେ ରାଗ ଓ ଆକ୍ରୋଶ ବଢ଼େ । ଏଭଳି ଅବସ୍ଥାରେ ପରୀକ୍ଷାରେ ଫେଲ ହେଲେ କିମ୍ବା ଅନ୍ୟ କଥାରେ ଘରେ କଳି ହେଲେ ଅନ୍ଧ ଆବେଗର ବଶବର୍ତ୍ତୀ ହୋଇ ପିଲା ଆତ୍ମହତ୍ୟା କରନ୍ତି । ପାଶ୍ଚାତ୍ୟ ଦେଶର ଗବେଷଣାରୁ ଦେଖାଯାଉଛି ଯେ ଯେଉଁ ପିଲା ଶାନ୍ତଶିଷ୍ଟ, ଚୁପ୍ ଚାପ, ଅତ୍ୟନ୍ତ ସଂଯତ ଓ ଯେଉଁପିଲା ବାପା ମାଆଙ୍କୁ କେବେ ଜବାବ୍ ଦିଏନାହିଁ, ଅକ୍ଷରେ ଅକ୍ଷରେ ତାଙ୍କ କଥା ମାନି ଚଳେ, ସେପରି ଅତି ଭଲ ପିଲାମାନଙ୍କ ଭିତରେ ବେଶୀ ଆତ୍ମହତ୍ୟାର ସମ୍ଭାବନା ଦେଖାଯାଏ । ମନର ରାଗ ଓ ଆକ୍ରୋଶ ସ୍ଵାଭାବିକ ଭାବରେ ପ୍ରକାଶ କରିବାକୁ ଶିଖି ନ ଥିବାରୁ ସେମାନେ ନିଜର ଅସନ୍ତୋଷ, ବିରକ୍ତି ଓ କ୍ରୋଧକୁ ପ୍ରକାଶ ନ କରି ମନ ଭିତରେ ଚାପି ରଖି ଚଳିବାକୁ ଚେଷ୍ଟା କରନ୍ତି । ମନର ଅବସ୍ଥା ଅସମ୍ଭାଳ ହେଲେ ହୁଏତ ଅନ୍ୟ କାହାକୁ ମାରନ୍ତି କିମ୍ବା ନିଜକୁ ମାରନ୍ତି । ସାଧାରଣ ସ୍ଵାଭାବିକ ପିଲା ଅସଙ୍କୋଚରେ ନିଜ ମନର ଆନନ୍ଦ ଓ ଅସନ୍ତୋଷ ଉଦୟ ପ୍ରକାଶ କରେ । ଅନ୍ୟର ଉପଦେଶ ମନକୁ ନ ପାଇଲେ ପ୍ରତିବାଦ କରେ ଓ ଯୁକ୍ତିତର୍କ କରେ । ମଝିରେ ମଝିରେ ଅବାଧ୍ୟ ହୁଏ । ଗଇଁଆ ହୁଏ, ଭାଇ ଭଉଣୀଙ୍କ ସହିତ କଳି ଲଗାଏ ଓ ସେମାନଙ୍କୁ ମଧ୍ୟ ବହୁତ ଭଲପାଏ । ସେ ଭଲପିଲା, ମାତ୍ର ତାକୁ କେହି ଅତି ଭଲପିଲା ବୋଲି ଭାବନ୍ତି ନାହିଁ । ଯେଉଁ ପିଲାର ରା‍ଗ, ଅସନ୍ତୋଷ, ଜିଦି, ଅମାନିଆ ପଣ ଇତ୍ୟାଦି କୌଣସି ଦୁର୍ଗୁଣ ନାହିଁ, ସେପରି ପିଲା ବିଷୟରେ ସାବଧାନ ହେବା କଥା । ଏସବୁ ଲକ୍ଷଣ ଦେଖିଲେ ଜାଣିବା କଥା ଯେ ପିଲା କୌଣସି କାରଣ ଯୋଗୁଁ ମନ ଖୋଲି ବ୍ୟବହାର କରୁନାହିଁ । ଯଦି ସେପରି ପିଲା କଥା ପ୍ରସଙ୍ଗରେ କେବେ ମରିବା କଥା ବା ଅନ୍ୟର ଆତ୍ମହତ୍ୟା ବିଷୟରେ କଥା ଉଠାଏ-‘ସେପରି ଅଲକ୍ଷଣା କଥା କହନି’ କହି ତାକୁ ଚୁପ୍ ନ କରି ବରଂ ସେ କ’ଣ କହୁଛି ସେକଥା ମନ ଦେଇ ଶୁଣିବା ଉଚିତ୍ । ତା’ହେଲେ ସୋଏ ବିଷୟରେ କ’ଣ ଭାବୁଛି ସେକଥା ଜାଣିହବ । ଅଧିକାଂଶ ବଡ଼ମଣିଷ ପିଲାକୁ ଉପଦେଶ ଦେବାରେ ଏତେ ଅଭ୍ୟସ୍ତ ଯେ ପିଲା କ’ଣ ଭାବୁଛି, କାହିଁକି ଏମିତି ଭାବୁଛି ସେସବୁ ଚିନ୍ତା ନ କରି ପିଲା ପାଟି ଖୋଲିଲା ମାତ୍ରେ “ତୁ ଏସବୁ ବାଜେ କଥା କାହିଁକି ଭାବୁଛୁ ?” କହି ତା ପାଟି ବନ୍ଦ କରି ଦିଅନ୍ତି । ଫଳରେ ସେମାନେ ପିଲାକୁ ଭାବିବାରେ ସାହାଯ୍ୟ କରନ୍ତି ନାହିଁ କିମ୍ବା ଏପରି ଅବସ୍ଥାରେ ଆତ୍ମହତ୍ୟା ଛଡ଼ା ଆଉ କ’ଣ କରିବା ସମ୍ଭବ ସେ ଉପାୟ ବତେଇବାର ସୁଯୋଗ ମଧ୍ୟ ହରାନ୍ତି । ଯଦି କେହି ରାଗିକରି କୁହେ-‘ମୁଁ ବେକରେ ଦଉଡ଼ି ଦେଇ ମରିବି’ ତାହେଲେ ସେ ମିଛରେ ଧମକଉଛି ବୋଲି ଲୋକେ ଭାବନ୍ତି । ମାତ୍ର ସେ ଯଦି ବାରମ୍ବାର ଏପରି କୁହେ ତେବେ ତା କଥାକୁ ମିଛ ଧମକ ବୋଲି ଭାବିବା ଠିକ୍ ନୁହେଁ । କାରଣ ଦେଖାଯାଇଛି ଯେ ଯେଉଁମାନେ ଆତ୍ମହତ୍ୟାର ଇଚ୍ଛା ପ୍ରକାଶ କରନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ (ଦଶଜଣରୁ ଆଠଜଣ) ଆତ୍ମହତ୍ୟାର ଚେଷ୍ଟା କରନ୍ତି ଓ କେତେକ ସଫଳ ହୁଅନ୍ତି । ଆଜିକାଲି ଅଧିକାଂଶ ଦେଶରେ ଆତ୍ମହତ୍ୟା ପ୍ରତିଷେଧକ କେନ୍ଦ୍ର ଖୋଲା ହେଇଛି । ଯାହା ମନରେ ଆତ୍ମହତ୍ୟାର ଚିନ୍ତା ଉଦୟ ହେଉଛି ବା ଯିଏ ଆତ୍ମହତ୍ୟା କରି ବିଫଳ ହେଇଛି ସେମାନେ ଏହି କେନ୍ଦ୍ରକୁ ଆସି ମନୋବିଜ୍ଞାନୀଙ୍କଠାରୁ ପରାମର୍ଶ ଓ ଚିକିତ୍ସା (କାରଣ ଅନ୍ନ ସଂଖ୍ୟକ ଆତ୍ମହତ୍ୟାକାରୀ ମାନସିକରୋଗ ବା ମାଦକଦ୍ରବା ଓ ଅନ୍ୟ ଔଷଧର ପ୍ରଭାବ ହେତୁ ଆତ୍ମହତ୍ୟା କରିବାକୁ ମନ କରିଥାନ୍ତି ।) ପାଇ କାଳକ୍ରମେ ଭଲ ହୁଅନ୍ତି । ଆମ ଦେଶରେ ଏପରି ବ୍ୟବସ୍ଥା ନାହିଁ । ତେଣୁ ପାଖଲୋକ ମନୋବିଜ୍ଞାନୀଙ୍କର ପରି ଧୈର୍ଯ୍ୟଧରି, ଦରଦୀ ମନ ନେଇ ଯଦି ଏଭଳି ଲୋକଙ୍କର ମନ କଥା ଶୁଣନ୍ତି, ତା’ହେଲେ ଅନେକ ସମୟରେ ସେମାନେ ତାକୁ ଆତ୍ମହତ୍ୟାରୁ ନିବର୍ତ୍ତେଇ ପାରିବେ । କାରଣ ମନର ବିଭ୍ରାନ୍ତ ଓ ଆବେଗାକୁଳ ଅବସ୍ଥା ପ୍ରଶ୍ରମିତ ହେଲେ ଆତ୍ମହତ୍ୟାକାରୀ ନିଜେ ନିଜକୁ ଏ ବାଟରୁ ନିବର୍ତ୍ତେଇ ଥାଏ । ବିଶେଷ କରି ଅଳ୍ପବୟସ୍କ ଲୋକଙ୍କଠାରେ ମରିବା ପାଇଁ ଯେତେ ଇଚ୍ଛା, ବଞ୍ଚିବା ପାଇଁ ମଧ୍ୟ ସେତେ ଇଚ୍ଛା ଥାଏ । ସେଥିଲାଗି ଅନ୍ୟଲୋକ ଯେମିତି ଜାଣିବେ ସେମିତି ଜାଗାରେ ସେ ଆତ୍ମହତ୍ୟା କରେ । ମନର ଆନ୍ତରିକ ଇଚ୍ଛା ହେଲା ଯେ ‘‘ଜଣେ କେହି ଆସି ମୋତେ ମୋ ହାତରୁ ଉଦ୍ଧାର କରୁ ।” ଅଥଚ ଅଧିକାଂଶ ଲୋକ ଏଇ ପ୍ରଚ୍ଛନ୍ନ ବାର୍ତ୍ତା ବୁଝନ୍ତି ନାହିଁ । ସେମାନେ ଭାବନ୍ତି, ବଦମାସୀ କରି ଆମକୁ ଜବତ୍ କରିବା ଲାଗି ଏ ଲୋକ ଏପରି ଆତ୍ମହତ୍ୟାର ଭୟ ଦେଖାଉଛି । ଯିଏ ଆତ୍ମହତ୍ୟା କରି ବିଫଳ ହେଇଛି ସେପରି ଲୋକପ୍ରତି କେମିତି ବ୍ୟବହାର କରିବେ ତାହା ଅନେକେ ଜାଣି ପାରନ୍ତି ନାହିଁ । ପୂରା ଘଟଣାଟାକୁ ଆତ୍ମହତ୍ୟା ବୋଲି ନ କହି ଆକସ୍ମିକ ଦୁର୍ଘଟଣା କହି ଘୋଡ଼ାଇବାକୁ ଚେଷ୍ଟା କରନ୍ତି । ଆତ୍ମହତ୍ୟାକାରୀ ମଧ୍ୟ ଲୋକ-ଲଜ୍ୟାରୁ ରକ୍ଷା ପାଇବା ଲାଗି ବିଷୟଟି, ଦୁର୍ଘଟଣା ବୋଲି କୁହେ । କିନ୍ତୁ ଯେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟାରେ ପ୍ରବୃତ୍ତ ହେଇଥିଲା ସେ କାରଣଗୁଡ଼ିକ ଉଭେଇ ଯାଏ ନାହିଁ । ଦ୍ୱିତୀୟଥର ବା ତୃତୀୟଥର ଚେଷ୍ଟାରେ ସେ ସଫଳ ଭାବରେ ଆତ୍ମହତ୍ୟା କରେ, ନଚେତ୍ ମଦଖାଇ, ନିଶାଗ୍ରସ୍ତ ହୋଇ ସେ ନିଜକୁ ତିଳେ ତିଳେ ହତ୍ୟା କରେ । ଏଥିଲାଗି ଯେ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହେଇଛି ତାକୁ ପରୀକ୍ଷା କରି ତା’ର ଉପଯୁକ୍ତ ଚିକିତ୍ସା କରିବା ଉଚିତ୍ । କାରଣ ଆତ୍ମହତ୍ୟା ଅନେକ ସମୟରେ depression ପରି ମାନସିକ ରୋଗର ଆଦ୍ୟ ଲକ୍ଷଣ-। ଦେହର ରାସାୟନିକ ପ୍ରକ୍ରିୟାରେ ଗୋଳମାଳ ହେଲେ ଏପରି ରୋଗ ହୁଏ, ରୋଗୀର ମନରେ ଭ୍ରମ ହେଉଥିବାରୁ ତାକୁ ଶୁଣାଯାଏ ଯେମିତି କିଏ ତାକୁ କହୁଛି-“ତୁ ବେକରେ ଦଉଡ଼ି ଦେଇ ମର, ତୁ ବେକରେ ଦଉଡ଼ି ଦେଇ ମର ।” ସେ ନିଜକୁ ରୋକି ନ ପାରି ଶେଷରେ ଆତ୍ମହତ୍ୟା କରିବାକୁ ବସେ L.S.D. ପରି ଔଷଧ ସେବନ କଲେ ମଧ୍ୟ ମନରେ ଆତ୍ମହତ୍ୟାର ଇଚ୍ଛା ଜନ୍ମେ । ତେଣୁ କାହିଁକି ଜଣେ ଆତ୍ମହତ୍ୟା କରିବାକୁ ବସିଛି, ସେକଥା ବିନା ଡାକ୍ତରୀ ପରୀକ୍ଷାରେ ସ୍ଥିର କରିବା ସମ୍ଭବ ନୁହେଁ । ଏପରି ଘଟଣା ନ ଲୁଚେଇ ବରଂ ମାନସିକ ଚିକିତ୍ସକଙ୍କର ସାହାଯ୍ୟ ନେଲେ ଭବିଷ୍ୟତରେ ପ୍ରାଣହାନିର ସମ୍ଭାବନା କମିଯିବ ।

 

ଆତ୍ମହତ୍ୟାର କେତେକ ପୂର୍ବ ଲକ୍ଷଣ :

 

୧ । ଯଦି କୌଣସି ଲୋକର ମନ ଓ ମିଜାଜରେ ହଠାତ୍ ବିରାଟ ପରିବର୍ତ୍ତନ ଦେଖାଯାଏ, ତା’ହେଲେ ତା’ଉପରେ ନଜର ରଖିବା ଉଚିତ୍ । ଯେଉଁମାନେ ଆତ୍ମହତ୍ୟା କରିବାକୁ ମନସ୍ଥ କରନ୍ତି ସେମାନେ ହଠାତ୍ ବେପରୁଆ ହୋଇ ଉଠନ୍ତି । ଅକାରଣରେ ବିପଦଜନକ କାମ କରିବାକୁ ମନ ବଳାନ୍ତି, ଗୁଡ଼ାଏ ଟଙ୍କା ପଇସା ଖର୍ଚ୍ଚ କରି ପକାନ୍ତି, ଅତ୍ୟଧିକ ମାତ୍ରାରେ ମଦ ବା ଅନ୍ୟାନ୍ୟ ମାଦକଦ୍ରବ୍ୟ ସେବନ କରିବାକୁ ଆରମ୍ଭ କରନ୍ତି, ବହୁତ ଜୋରରେ ମୋଟର ସାଇକଲ ବା ସ୍କୁଟର ଚଳାନ୍ତି ଯେମିତି ଗାଡ଼ି ଧକ୍କା ହେଲେ କିଛି ଯାଏ ଆସେ ନାହିଁ । କଥାବାର୍ତ୍ତାରେ ମଧ୍ୟ ଏହିପରି ବେପରୁଆ ଭାବ ଦେଖାଯାଏ । ବିପରୀତ କ୍ରମରେ ସାଧାରଣ ଖୁସିବାସୀ ଲୋକ ଗୁମ୍ ମାରି ଚୁପ୍ ହେଇ ରୁହନ୍ତି । ଖାଇବା, ପିନ୍ଧିବା, ଏସବୁ ପ୍ରତି ଖିଆଲ୍ ରୁହେନି । ସବୁବେଳେ ଅବସନ୍ନ, କ୍ଳାନ୍ତି ଅନୁଭବ କରନ୍ତି । ବସିଲାବେଳେ ମଧ୍ୟ ସିଧା ନ ବସି ମୁହଁକୁ ତଳକୁ କରି କୁଜା ହୋଇ ବସନ୍ତି-। ଏପରି ପରିବର୍ତ୍ତନ ଲକ୍ଷ୍ୟ କଲେ କ’ଣ ହୋଇଛି ସେକଥା ପଚାରି ବୁଝିବାକୁ ଚେଷ୍ଟା କରିବା ଉଚିତ୍-

 

୨ । ଯେ କୌଣସି ଆକସ୍ମିକ ପରିବର୍ତ୍ତନ ମାନସିକ ଚାପ ସୃଷ୍ଟି କରେ । ତେଣୁ ହଠାତ୍ ଚାକିରି ଚାଲିଗଲେ ବା ସ୍ଵାମୀ ବା ସ୍ତ୍ରୀ ମଧ୍ୟରୁ ଜଣକର ମୃତ୍ୟୁ ହେଲେ, ପୁଅ ଝିଅଙ୍କର ଅସାଧ୍ୟ ରୋଗ ହେଇଛି ବୋଲି ଜଣାଗଲେ ବା ସେହିପରି ଅନ୍ୟ କିଛି ଘଟିଲେ ବହୁ ଲୋକଙ୍କ ମନରେ ଗଭୀର ଶୋକ ହୁଏ । ଭାଗ୍ୟ ପାଖରେ ନିଜକୁ ନିରୁପାୟ ଜାଣି ସେମାନେ ଆହୁରି ବ୍ୟଥିତ ହୋଇପଡ଼ନ୍ତି । ଜୀବନ ସମ୍ପୂର୍ଣ୍ଣ ଭାବରେ ଅର୍ଥହୀନ ଜଣାଯାଏ ଓ ଏପରି ମର୍ମନ୍ତୁଦ କ୍ଷତିର ବ୍ୟଥା ଅସହ୍ୟ ବୋଧ ହେବାରୁ ଅନେକ ଲୋକ ଆତ୍ମହତ୍ୟା କରିବାକୁ ଭାବନ୍ତି । ଏଥିରୁ ଦେଖାଯାଉଛି ଯେ ଆତ୍ମହତ୍ୟା କରିବାର ଇଚ୍ଛା ସବୁବେଳେ ମନର ବିକାର ଯୋଗୁଁ ମଣିଷ ମନରେ ଉଦୟ ହୁଏ ନାହିଁ, ଜୀବନର ପରିସ୍ଥିତି ଅଣାୟତ୍ତ ଜଣାଗଲେ, ପ୍ରତିକାରହୀନ ଅବସ୍ଥାରେ ବାଧ୍ୟ ହୋଇ ରହିବାକୁ ପଡ଼ିଲେ, ଲଜ୍ଜା, କଳଙ୍କ ଓ ଅପମାନକୁ ମୃତ୍ୟୁଠାରୁ ଅଧିକ ଦୁଃଖ ବୋଲି ଭାବିଲେ, ମଣିଷ ନିରୁପାୟ ହୋଇ ଆତ୍ମହତ୍ୟାର ବିଷୟ ଚିନ୍ତା କରେ । ଏହି ଅବସ୍ଥାରେ ଯଦି କାହା ସହିତ ନିବିଡ଼ ବନ୍ଧନ ଥାଏ ତା’ରି ମୁହଁକୁ ଚାହିଁ ବହୁତ ଲୋକ ପୁଣି ବଞ୍ଚି ରହିବା କଥା ଭାବନ୍ତି । ଏଥିଲାଗି ଦେଖାଯାଇଛି ଯେ ଯେଉଁ ମାଆର ସାନ ପିଲା ସବୁ ଅଛନ୍ତି, ସେମାନେ ପିଲାଙ୍କ ଜଞ୍ଜାଳ ଓ ଘର ସଂସାରର ଭାରରେ ବ୍ୟତିବ୍ୟସ୍ତ ହେଉଥିଲେ ମଧ୍ୟ, ଖୁବ୍ କମ୍ ସଂଖ୍ୟାରେ ଆତ୍ମହତ୍ୟା କରନ୍ତି । ସେମାନଙ୍କ ତୁଳନାରେ ଅବିବାହିତ କିଶୋରକିଶୋରୀଙ୍କର ମଧ୍ୟରେ ଆତ୍ମହତ୍ୟାର ଘଟଣା ଅଧିକ ପରିମାଣରେ ଦେଖାଯାଏ ।

 

ଯେଉଁ ଲୋକ ଆତ୍ମହତ୍ୟାର ଇଚ୍ଛା ପରୋକ୍ଷରେ ପ୍ରକାଶ କରିଛି ବା ଗଭୀର ଦୁଃଖଦାୟକ ଅବସ୍ଥା ଭିତର ଦେଇ ଯାଉଛି ତା’ ଉପରେ ପାଖଲୋକଙ୍କର ନଜର ରଖିବା ଉଚିତ ।

 

୩ । ଯିଏ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୁଏ ସେ ଅଳ୍ପଦିନ ମଧ୍ୟରେ ଆଉ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରେ । ତେଣୁ ଏପରି ଅବସ୍ଥାରେ ସେମାନଙ୍କୁ ଜଗିବା କଥା । ‘ଆତ୍ମହତ୍ୟା କରିବା ମହାପାପ’ ଇତ୍ୟାଦି ଉପଦେଶ ତାକୁ ନ ଦେଇ ତା’ର କଷ୍ଟ ଓ ଦୁଃଖର କାରଣ ବୁଝି ଯଥାସାଧ୍ୟ ପ୍ରତିକାର କରିବାକୁ ଚେଷ୍ଟା କରିବା ଉଚିତ; କାରଣ କଷ୍ଟର ଭାର ଲାଘବ ହେଲେ ତା’ର ମନ ଶାନ୍ତ ହେବ ।

 

୪ । ବହୁ ସମୟରେ ମାନସିକ କଷ୍ଟର କାରଣ ମଣିଷ ନିଜେ ଗଢ଼ିଥାଏ । ଯଥା-ଆମ ଦେଶରେ ପରୀକ୍ଷାରେ ଭଲ କରିବା ଉପରେ ଏତେ ଗୁରୁତ୍ଵ ଦିଆଯାଏ ଯେ, ପିଲା ଭାବନ୍ତି ପ୍ରଥମ ଶ୍ରେଣୀରେ ସ୍ଥାନ ପାଇଁ ପାଶ୍ କରି ନ ପାରିଲେ ଜୀବନ ବୃଥା ହେଇଗଲା । ପରୀକ୍ଷା ଫଳ ଉପରେ ଖୁବ ଗୁରୁତ୍ୱ ଦେଉଥିବା ଅଭିଭାବକଙ୍କର ମନୋଭାବ ଏଥିପାଇଁ ଦାୟୀ ଫଳରେ ଅନେକ ସମୟରେ ଖରାପ ଛାତ୍ରଙ୍କ ତୁଳନାରେ ଭଲ ଛାତ୍ରମାନେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଆତ୍ମହତ୍ୟା କରନ୍ତି । ସେମାନଙ୍କର ମୂଲ୍ୟବୋଧ ଯଦି ଗତାନୁଗତିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେଉ ନ ଥାନ୍ତା, ତାହେଲେ ସେମାନେ ମରିଯିବା ଅପେକ୍ଷା ବଞ୍ଚିବାକୁ କାମ୍ୟ ବୋଲି ଭାବିଥାଆନ୍ତେ-

 

୫ । ପରୀକ୍ଷାରେ, ଫେଲ୍, ପ୍ରେମରେ ବିଫଳତା ଇତ୍ୟାଦି କାରଣରୁ କେତେକ ଲୋକ ଆତ୍ମହତ୍ୟା କଲେ ମଧ୍ୟ, ଅନେକ ଲୋକ ଏପରି ପରିସ୍ଥିତିରେ ପଡ଼ି ମଧ୍ୟ ଆତ୍ମହତ୍ୟା ନ କରି ରହିଛନ୍ତି । ଏପରି ପ୍ରଭେଦର କାରଣ ହେଲା ଆତ୍ମହତ୍ୟାକାରୀର ବ୍ୟକ୍ତିତ୍ଵ । କେତେ ଲୋକ ବାଧା ପାଇଲେ ଭାଙ୍ଗି ପଡ଼ନ୍ତି ଓ କେତେ ଲୋକ ବାଧା ବିଘ୍ନ ଅତିକ୍ରମ କରି ନିଜର ପୌରୁଷ ପ୍ରମାଣ କରନ୍ତି । ଯେଉଁମାନେ ପିଲାଦିନୁ ହତାଶା, ବ୍ୟର୍ଥତା, ବା ମନର. ନୈରାଶ୍ୟ ସହିବାକୁ ଶିଖି ନ ଥାନ୍ତି ସେମାନଙ୍କଠାରେ ଆତ୍ମହତ୍ୟାର ସମ୍ଭାବନା ବେଶୀ ଦେଖାଯାଏ, ଯାହାଠାରୁ ଲୋକେ ବହୁତ କଥା କରନ୍ତି, ଯାହାକୁ ସମସ୍ତଙ୍କର ଆଦର୍ଶ କରି ଥୁଅନ୍ତି, ସେପରି ଲୋକର ସାମାନ୍ୟ ବିଚ୍ୟୁତି ମଧ୍ୟ ପତନ ପରି ଜଣାଯାଏ । ଏହାଫଳରେ ସେପରି ଲୋକଙ୍କର ବ୍ୟବହାର ବା ଅନ୍ୟମାନଙ୍କର ଆଶାନୁରୂପ ନ ହେଲେ ସେମାନେ ନିଜକୁ ବ୍ୟର୍ଥ ବୋଲି ଭାବନ୍ତି । ଏପରି ଅବସ୍ଥାରେ ସେମାନେ ଗଭୀର ମନସ୍ତାପରେ ପଡ଼ନ୍ତି । ଯେଉଁମାନେ ଅନ୍ୟମାନଙ୍କଠାରୁ ସବୁବେଳେ ସମାଜର ଓ ପ୍ରଶଂସା ପାଇ ବଢ଼ିଥାନ୍ତି, ସେମାନେ ନିଜ କାର୍ଯ୍ୟର ସାଧାରଣ ସମାଲୋଚନା ମଧ୍ୟ ସହି ପାରନ୍ତି ନାହିଁ । ବିରୁଦ୍ଧ ସମାଲୋଚନା ତାଙ୍କୁ ଅପମାନର ତିରସ୍କାର ପରି ଲାଗେ । ଏମାନେ ଯଦି କେବେ ବାଧାବିଘ୍ନ ସହି ନ ଥାନ୍ତି ବା ବିଫଳତାର । ତିକ୍ତଅନୁଭୁତି କିପରି ସେପରି ସେକଥା ଜାଣି ନଥାନ୍ତି ତାହେଲେ ଜୀବନରେ ପ୍ରଥମଥର ପାଇଁ ବିଫଳକାମ ହେଲେ ଅତ୍ୟନ୍ତ ସନ୍ତାପ ବୋଧ କରନ୍ତି । ଏପରି ଅବସ୍ଥାରେ ସେମାନଙ୍କ ମନରେ ଆତ୍ମହତ୍ୟାର ଇଚ୍ଛା ଦେଖାଦେଇ ପାରେ ।

 

ଏହିଭଳି ଯେଉଁମାନେ କେବଳ ଆରାମ, ସ୍ୱାଚ୍ଛନ୍ଦ୍ୟ ଓ ନିଶ୍ଚିତ ଜୀବନଯାତ୍ରା ଭିତରେ ବଢ଼ିଥାଆନ୍ତି ସେମାନଙ୍କ ଚରିତ୍ରରେ ଦୃଢ଼ତାର ଅଭାବ ଥାଏ । ଅତି ସୁକୁମାରିଆ ହେଇ ବଢ଼ିଥିବାରୁ ସେମାନେ ପ୍ରତିକୂଳ ଅବସ୍ଥାର ଘାତପ୍ରତିଘାତ ସହ୍ୟ କରିପାରନ୍ତି ନାହିଁ । ଆର୍ଥିକ ଅନାଟନ, ଦୀର୍ଘ ରୋଗଭୋଗ ଅଙ୍ଗହାନି ବା ଏହିଭଳି ଗୋଟାଏ ଦୁଃଖରେ ପଡ଼ିଲେ ବଞ୍ଚିବା ଅପେକ୍ଷା ମରିବାକୁ ଶ୍ରେୟସ୍କର ମଣି ଆତ୍ମହତ୍ୟା କରିଥାଆନ୍ତି ।

 

ଆତ୍ମହତ୍ୟାର ପ୍ରତିଷେଧ :

 

କୌଣସି ଗୋଟାଏ କାରଣ ଯୋଗୁଁ ସବୁଲୋକ ଆତ୍ମହତ୍ୟା କରି ନଥାନ୍ତି । ଆତ୍ମହତ୍ୟାର କେତେକ କାରଣ ସାମାଜିକ ଓ କେତେକ କାରଣ ବ୍ୟକ୍ତିସମ୍ପର୍କୀୟ । ଦୃଢ଼ମନା ଓ ସୁସ୍ଥ ଚିତ୍ତର ଲୋକ ମଧ୍ୟ ଉତ୍କଟ ହତାଶାଜନକ ଅବସ୍ଥାରେ ପଡ଼ିଲେ ଆତ୍ମହତ୍ୟା କରେ । ଅନ୍ୟ ପକ୍ଷରେ ସବୁ ପ୍ରକାର ସୁଖସୁବିଧା ଓ ସ୍ୱାଚ୍ଛନ୍ଦ୍ୟ ଭିତରେ ଥାଇ ମଧ୍ୟ ଅସ୍ଥିରମନା ବିମର୍ଷ ଚିତ୍ତ ବ୍ୟକ୍ତି ଜୀବନକୁ ନିରର୍ଥକ ମଣି ଆତ୍ମହତ୍ୟା କରେ ।

 

ଆମ ଦେଶରେ ବହୁ ଆତ୍ମହତ୍ୟାର କାରଣ ପଛରେ ରହିଛି ଆମର ସାମାଜିକ ରୀତିନୀତି । ଗ୍ରାମ ଅଞ୍ଚଳରେ ୧୫/୧୬ ବର୍ଷ ପୁଅଙ୍କ ତୁଳନାରେ ୧୫/୧୬ ବର୍ଷର ଝିଅମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାଆନ୍ତି । ଝିଅମାନଙ୍କ ମଧ୍ୟରେ ଆତ୍ମହତ୍ୟା ବଢ଼ିବାର ପ୍ରଧାନ କାରଣ ହେଉଛି–୧) ଶାଶୁଘରର ଯନ୍ତ୍ରଣା ଓ ଅତ୍ୟାଚାର କିମ୍ବା (୨) କୁମାରୀ ଅବସ୍ଥାରେ ଅବୈଧ ସନ୍ତାନ ହେବାର ସମ୍ଭାବନା । ଶାଶୁଘରେ ଅତ୍ୟାଚାରିତ ହେବାର ପ୍ରଧାନ କାରଣ ଯୌତୁକ । ବୋହୂ, ଆଣିଥିବା ଯୌତୁକ ମନକୁ ନ ପାଇଲେ ବୋହୂର କୌଣସି ଗୁଣ କାହା ମନକୁ ପାଏନାହିଁ । ବୋହୂ, ଅଳସୁଆ, ଓଲୋଇ, ଚୋରଣୀ, ଖୋରଣୀ ଇତ୍ୟାଦି ବହୁ ଅପବାଦ ପାଏ । କେହି ତାକୁ ଭଲ କଥାପଦେ କୁହନ୍ତି ନାହିଁ, କି ପେଟପୂରେଇ ଗଣ୍ଡେ ଖାଇବାକୁ ଦିଅନ୍ତି ନାହିଁ । ଦିନରାତି ଖଟାନ୍ତି-। ଅନେକେ ଏପରି ଅତ୍ୟଚାର ଓ ମନକଷ୍ଟ ସହି ନପାରି ଆତ୍ମହତ୍ୟା କରନ୍ତି । ପୃଥିବୀର ଅନ୍ୟାନ୍ୟ ଦେଶରେ ନବବିବାହିତାଙ୍କ ମଧ୍ୟରେ ଆତ୍ମହତ୍ୟାର ସଂଖ୍ୟା ଅନେକ କମ୍ । କେବଳ ଭାରତବର୍ଷରେ ହିଁ ନବ-ବିବାହିତାଙ୍କ ମଧ୍ୟରେ ଆତ୍ମହତ୍ୟାର୍ ସଂଖ୍ୟା ବେଶୀ ଦେଖାଯାଏ । ଏହାର ପ୍ରତିକାର କରିବାକୁ ହେଲେ ସମାଜର ମନୋଭାବରେ ପରିବର୍ତ୍ତନ ଲୋଡ଼ା । ବ୍ୟକ୍ତିର ସହ୍ୟଶକ୍ତି ବଢ଼ାଇ ଏଭଳି ଆତ୍ମହତ୍ୟା ପ୍ରତିରୋଧ କରିବା ସମ୍ଭବ ନୁହେଁ ।

 

ଆମ ସମାଜରେ ଅବୈଧ ସନ୍ତାନର ଜନକକୁ ବିଶେଷ ବିଡ଼ମ୍ବନା ସହିବାକୁ ପଡ଼େନାହିଁ-। ଅନେକ ସମୟରେ କିଏ ପ୍ରକୃତ ଜନକ ସେକଥା ପ୍ରମାଣ କରିବା କଷ୍ଟ ହେଇଥିବାରୁ ସେମାନଙ୍କୁ ଲୋକନିନ୍ଦା ମଧ୍ୟ ଶୁଣିବାକୁ ପଡ଼େନାହିଁ । ନିଜର ଦାୟିତ୍ୱ ଅସ୍ଵୀକାର କରି ସେମାନେ କଳଙ୍କ ଓ ନିନ୍ଦାରୁ ରକ୍ଷା ପାଆନ୍ତି । କିନ୍ତୁ ମାନସିକ ଗ୍ଳାନି ତ ତାକୁ ସହ୍ୟ କରିବାକୁ ପଡ଼େ । ତା’ଛଡ଼ା ସେ ସମାଜ ଆଗରେ ଦୁଶ୍ଚରିତ୍ରା ବୋଲି ପ୍ରତିପନ୍ନ ହୁଏ । ତେଣୁ କୁମାରୀ ବା ବିବାହିତା ନାରୀକୁ ସମାଜ ଯେପରି ‘ରକ୍ଷଣୀୟ’ ବୋଲି ବିବେଚନା କରୁଥିବାରୁ ସେମାନଙ୍କୁ ଯେଉଁ ଭାବରେ ଅବାଞ୍ଛିତ ପୁରୁଷ କବଳରୁ ରକ୍ଷାକରେ ଏପରି ସ୍ତ୍ରୀଲୋକକୁ ସେ ଭାବରେ ସୁରକ୍ଷା କରେନାହିଁ । ବରଂ ସମାଜଚ୍ୟୁତା କରି ଏମାନଙ୍କୁ ପତିତା ବୋଲି ଗଣ୍ୟ କରେ । ଭବବର୍ଣ୍ଣର ସମାଜରେ କୁମାରୀ ମାତାର କୌଣସି ସ୍ଥାନ ନାହିଁ । ଏଇ ଅବସ୍ଥାରେ ଅଧିକାଂଶ ସ୍ତ୍ରୀଲୋକଙ୍କର ଗଣିକାବୃତ୍ତି ଅବଲମ୍ୱନ କରିବା ଛଡ଼ା ଅନ୍ୟଗତି ନଥାଏ । ଏଇ ଅବସ୍ଥାରେ କୁଳର କଳଙ୍କ ହୋଇ ଜାରଜ ସନ୍ତାନକୁ ନେଇ ଭ୍ରଷ୍ଟା ସ୍ତ୍ରୀଲୋକ ପରି ଜୀବନ ବିତାଇବାକୁ ପଡ଼ିବ ଜାଣି, ବହୁ କିଶୋରୀ ଆତ୍ମହତ୍ୟା କରିଥାଆନ୍ତି ।

 

ପାଶ୍ଚାତ୍ୟ ଦେଶରେ ଏଇ ବିଷୟଟି ନେଇ ଗଭୀର ଆନ୍ଦୋଳନ ଓ ବ୍ୟାପକ ଆଲୋଚନା ହେବା ଫଳରେ ସେଠାକାର ସମାଜରେ କେତେକ ପରିବର୍ତ୍ତନ ହୋଇଛି । ପ୍ରଥମେ ଏଭଳି କୁମାରୀ-ମାତା ସମାଜଚ୍ୟୁତା ହେଉନାହାନ୍ତି, ବରଂ ସେମାନଙ୍କୁ ସରକାରଙ୍କ ସମାଜକଲ୍ୟାଣ ସଂସ୍ଥା ତରଫରୁ ବିଭିନ୍ନ ସାହାଯ୍ୟ ମିଳୁଛି । ସନ୍ତାନବତୀ ନାରୀର ପାଠପଢ଼ା ଯେପରି ବନ୍ଦ ନ ହୁଏ ସେଥିପାଇଁ ସେମାନେ ସ୍ଵତନ୍ତ୍ର ଶିକ୍ଷାନୁଷ୍ଠାନକୁ ଯାଇ ପାଠ ପଢ଼ନ୍ତି । ଡାକ୍ତର ଓ ନର୍ସ ସେମାନଙ୍କ ଯତ୍ନ ନିଅନ୍ତି । ସନ୍ତାନ ଜନ୍ମପରେ ମାଆ ଚାହିଁଲେ ସନ୍ତାନକୁ ନିଜେ ପାଖରେ ରଖି ବଢ଼ାଇବା ଲାଗି ଆର୍ଥିକ ସାହାଯ୍ୟ ପାଏ । ମାତ୍ର ବିନା ପରିବାରରେ ପିଲା ବଢ଼ାଇବା କଷ୍ଟସାଧ୍ୟ ହୋଇଥିବାରୁ ଏ ବିଷୟଟି ସେମାନଙ୍କୁ ଭଲ ଭାବରେ ବୁଝାଇ ଦିଆଯାଏ । ଏଭଳି ଗୁରୁ ଦାୟିତ୍ଵ ତୁଲାଇପାରିବ ବୋଲି ଭରସା କରିପାରେ ନାହିଁ । ତାର ସନ୍ତାନ ଅନ୍ୟ କୌଣସି ନିଃସନ୍ତାନୀ ପରିବାରରେ ଦତ୍ତକ ସନ୍ତାନ ରୂପରେ ପାଳିତ ହେବାର ବ୍ୟବସ୍ଥା ସମାଜକଲ୍ୟାଣ ସଂସ୍ଥା ତରଫରୁ କରାଯାଇଥାଏ । ଏହିସବୁ ବ୍ୟବସ୍ଥା ହେବା ଫଳରେ କୁମାରୀ-ମାତାଙ୍କ ମଧ୍ୟରେ ଆତ୍ମହତ୍ୟାର ସଂଖ୍ୟା ପ୍ରାୟ ନାହିଁ କହିଲେ ଚଳେ ।

 

ଆମ ସମାଜରେ କୁମାରୀ-ମାତାର ଦୋଷ କ୍ଷମାକରି ତାକୁ ସ୍ଵାଭାବିକ ଭାବରେ ସତ୍ ପଥରେ ବଞ୍ଚିବାର ସୁଯୋଗ ଯଦି ଦିଆଯାଏ, ତାହାହେଲେ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା କମିଯିବ । ଏପରି ସାମାଜିକ ପରିବର୍ତ୍ତନ ଆଣିବା କିଛି ଅସମ୍ଭବ କଥା ନୁହେଁ । ବଙ୍ଗଦେଶରେ ଶରତଚନ୍ଦ୍ର, ରବୀନ୍ଦ୍ରନାଥ ଓ ଉତ୍ତର ଭାରତରେ ପ୍ରେମଚନ୍ଦ୍ରଙ୍କ ପରି ଲେଖକମାନେ ସମାଜରେ ଅବିଚାର ବିରୁଦ୍ଧରେ ପ୍ରଥା ବଦଳିଗଲା । ବର୍ତ୍ତମାନ ମଧ୍ୟ ଓଡ଼ିଶାର ଲେଖକ, ନାଟ୍ୟକାର ଓ ଚଳଚିତ୍ରର ନିର୍ମାତାମାନେ ଚେଷ୍ଟାକଲେ ଆଲୋଚ୍ୟ ସାମାଜିକ ସମସ୍ୟାର ସମାଧାନ ଦିଗରେ ଜନମତକୁ ଆଗେଇ ନେବେ ।

 

ତିରିଷ ବର୍ଷ ତଳେ ସମଗ୍ର ଭାରତରେ ପୁରୁଷଙ୍କ ତୁଳନାରେ ସ୍ତ୍ରୀଲୋକଙ୍କର 'ଆତ୍ମହତ୍ୟା ସଂଖ୍ୟା ପ୍ରାୟ ତିନିଗୁଣ ଥିଲା । ସ୍ଵାଧୀନତା ପରଠାରୁ ସ୍ତ୍ରୀଲୋକଙ୍କର ଅବସ୍ଥାରେ ଉନ୍ନତି ହେବା ଫଳରେ ବର୍ତ୍ତମାନ ସ୍ତ୍ରୀଲୋକଙ୍କର ଆତ୍ମହତ୍ୟାର ସଂଖ୍ୟା କମିଯାଇଛି । ୧୯୭୬ ମସିହାର ହିସାବ ଅନୁସାରେ ଆତ୍ମଘାତୀମାନଙ୍କ ମଧ୍ୟରୁ ଶତକଡ଼ା ଷାଠିଏ ଜଣ ହେଲେ ପୁରୁଷ । (କେବଳ ତରୁଣ ଦମ୍ପତ୍ତିଙ୍କ ମଧରେ ସ୍ଵାମୀ ତୁଳନାରେ ଅଧିକ ସଂଖ୍ୟାରେ ସ୍ତ୍ରୀମାନେ ଆତ୍ମହତ୍ୟା କରନ୍ତି ।) ପୁରୁଷମାନଙ୍କର ଆତ୍ମହତ୍ୟା କରିବାର ପ୍ରଧାନ କାରଣ ହେଉଛି ବେକାର, ଅର୍ଥଭାବ, ଚାକିରୀ ଜୀବନର ଅଶାନ୍ତି, ଦୀର୍ଘ ରୋଗ ଭୋଗ (ରୋଗ ଫଳରେ ଅର୍ଥବ୍ୟୟ ଓ ଶାରିରୀକ କଷ୍ଟ) ଓ ପାରିବାରିକ ଅଶାନ୍ତି । ବାଲ୍ୟ ଓ କୈଶୋରରେ କିନ୍ତୁ ପାରିବାରିକ ଅଶାନ୍ତି ଆତ୍ମହତ୍ୟାର ପ୍ରଧାନ କାରଣ । ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ଫଳରେ ପାରିବାରିକ ଅଶାନ୍ତିର ସମ୍ଭାବନା ବଢ଼ିବାର ଆଶଙ୍କା କରି ପିଲା ଆତ୍ମହତ୍ୟା କରେ । କାରଣ ଷୋଳବର୍ଷ ବୟସରେ ମେଟ୍ରିକ ପରୀକ୍ଷାରେ ଫେଲ୍ ହେଲେ ଯିଏ ବଞ୍ଚିବାକୁ ଚାହୁଁ ନାହିଁ, ତା ପାଇଁ ଆବାଲ୍ୟରୁ ବଞ୍ଚିବାର ଅଭିଜ୍ଞତାଟା ହିଁ ଅପ୍ରୀତିକର ହେଉଥିବ । ଏପରି ଅପ୍ରୀତିକର ଅଭିଜ୍ଞତାର ଗୋଟାଏ କାରଣ ହେଉଛି ପରିବାର ଭିତରେ ପ୍ରୀତପୂର୍ଣ୍ଣ ବାତାବରଣର ଅଭାବ । ପିଲା କେମିତି ହେବା ଉଚିତ, ସେ ବିଷୟରେ ପ୍ରତ୍ୟେକ ବାପାମାଆଙ୍କ ମନରେ ଗୋଟାଏ ଧରାବନ୍ଧା ଧାରଣା ଥାଏ । ପିଲା ଠିକ୍ ସେଭଳି ନହେଲେ ସେମାନେ ନିରାଶ ହୁଅନ୍ତି ଓ ପିଲା ଠିକ୍ ମଣିଷ ହୁଏନାହିଁ ବୋଲି ସଦାସର୍ବଦା ଆକ୍ଷେପ କରନ୍ତି । ପିଲାକୁ ସିଧାସଳଖ ଗାଳି ମାଡ଼ ନ ଦେଲେ ମଧ୍ୟ ଏପରି ପରୋକ୍ଷ ଆକ୍ଷେପର ଫଳ ଗାଳି ମାଡ଼ ଦେବାର ଫଳ ସହିତ ସମାନ ହୁଏ । ପିଲା ଘରଲୋକଙ୍କ ପାଖରେ ଭରସି ନିଜକଥା କହିପାରେ ନାହିଁ । ଅଧିକାଂଶ ଆତ୍ମଘାତୀମାନଙ୍କର ଅତୀତ ଇତିହାସରୁ ଦେଖାଯାଏ ଯେ ସେମାନଙ୍କର କାହା ସହିତ ଅନ୍ତରଙ୍ଗ ସମ୍ପର୍କ ନଥାଏ । ସେମାନେ କାହାକୁ ବିଶ୍ୱାସ କରି ନିଜ ମନର ଭାବନା, ଚିନ୍ତା ବା ନିଜ ଜୀବନର ସମସ୍ୟା ବିଷୟ କୁହନ୍ତି ନାହିଁ । ଘରଲୋକଙ୍କ ସହିତ ମନଖୋଲି କଥାବାର୍ତ୍ତା କରନ୍ତି ନାହିଁ ଓ ପାଖଲୋକ ସେମାନଙ୍କ କଥା ଶୁଣିଲେ ବୁଝିପାରିବେ ନାହିଁ ବୋଲି ଭାବନ୍ତି । ସେମାନଙ୍କ ମନକଥା ଘରଲୋକଙ୍କୁ ଜଣା ନଥାଏ । ସେମାନଙ୍କ ଜାଣିବାରେ ସବୁ ଭଲରେ ଚାଲିଛି । ସେଥିପାଇଁ ଘରେ କେହି ଜଣେ ଆତ୍ମହତ୍ୟା କଲେ ପରିବାରର ଲୋକ ଆତ୍ମହତ୍ୟାର କାରଣ ବୁଝିପାରନ୍ତି ନାହିଁ, କାହିଁକି ଏପରି ଘଟେ ?

 

ଏ ପ୍ରଶ୍ନର ଉତ୍ତର ବୁଝିବାକୁ ହେଲେ ପ୍ରଥମେ ନିଜକଥା ଭାବିବାକୁ ପଡ଼ିବ । ଆମେ ସମସ୍ତେ ଏକାଠି ଏକା ପରିବାରରେ ବହୁବର୍ଷ ହେଲା ଚଳୁଛୁ । ଆମ ଭିତରୁ କେତେଜଣ ନିଜ ମନକଥା ବଡ଼ ହେଲାପରେ ବାପାମାଆଙ୍କୁ କହିଛନ୍ତି ? କେତେଥର ଆମେ ଭାବିଛୁ ଯେ ସେମାନଙ୍କର ମନୋଭାବ ପୁରୁଣାକାଳିଆ ହେଇଥିବାରୁ ସେମାନେ ଆମ କଥା ବୁଝିପାରିବେ ନାହିଁ-। ବୁଝିଲେ ମଧ୍ୟ ଗୁରୁତ୍ୱ ଦେବେ ନାହିଁ । ଆମ କଥା ଅଧା ଶୁଣି ଏମିତି ଭାବିବା ଠିକ୍ ନୁହେଁ କହି ନାପସନ୍ଦ କରିଦେବେ । ସ୍ଵାମୀ. ସ୍ତ୍ରୀ କଣ ପରସ୍ପରକୁ ନିଃସଙ୍କୋଚରେ ନିଜର ମନକଥା କହିପାରନ୍ତି ? କାଳେ ରାଗିବେ, କାଳେ ଖରାପ ଭାବିବେ, କାଳେ ଭୁଲ୍ ବୁଝିବେ ଏହିପରି ବହୁ ବାଧା କଳ୍ପନା କରି ଆମେ ମନକଥା ମନ ଭିତରେ ରଖୁ । ‘ଭାଇ ଭାଇ’ କିମ୍ବା ‘ଭାଇ ଭଉଣୀ’ ମଧ୍ୟରେ ବଡ଼ ହେଲେ ଏହିପରି ବହୁପ୍ରକାର ସଙ୍କୋଚ ବଢ଼ିବାରୁ କେହି କାହାକୁ ନିଜର ମନକଥା ଅକପଟରେ କହିପାରନ୍ତି ନାହିଁ । ସେଥିରେ ପୁଣି ଅନ୍ୟଲୋକ ତୁମ କଥା ଶୁଣି ଯଦି ପରିହାସ ବା ବିଦ୍ରୂପ କରେ ତା’ହେଲେ ଆହୁରି ବାଧେ । ଏଥିଲାଗି ପ୍ରାୟ ସମସ୍ତେ ନିଜର ବ୍ୟକ୍ତିଗତ ଭାବନା ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି ନାହିଁ । ମନର ବହୁତ କଥା ଅକୁହା ହୋଇ ରୁହେ । ଯଦି ସାଧାରଣ ସ୍ୱାଭାବିକ ଜୀବନଯାତ୍ରାରେ ସଙ୍କୋଚର ପ୍ରତିବନ୍ଧକ ହେତୁ ଆମେ ଅଟକି ଯାଉଛୁ, ତା’ହେଲେ ଯେଉଁପିଲା ଅଭିମାନୀ, ଲାଜକୁଳା, ଚୁପଚାପ ତାକୁ କେତେ ଅଡ଼ଆ ଲାଗୁ ନଥିବ ? ତା’ଛଡ଼ା ଯିଏ ସବୁବେଳେ ସମାଲୋଚନା କରୁଛି, ଦୋଷ ବାଛୁଚି, ନିନ୍ଦା କରୁଛି ସେଭଳି ଲୋକକୁ ଭରସି କଣ କଥା କହିବା ସମ୍ଭବ ? ବାଲ୍ୟ ଓ କୈଶୋରରେ ଅଧିକାଂଶ ପିଲା ବାପାମାଆଙ୍କଠାରୁ ନିଜ ବ୍ୟବହାରର ସମାଲୋଚନା ଶୁଣି ଶୁଣି ଏତେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି ଯେ, ନିଜର ବ୍ୟକ୍ତିଗତ ସମସ୍ୟା ସେମାନେ କେଭେହେଁ ଭରସି ବାପାମାଆଙ୍କୁ କହିପାରନ୍ତି ନାହିଁ । ଏହି କାରଣ ଯୋଗୁଁ ଯେଉଁମାନେ ଆତ୍ମହତ୍ୟା କରିବାକୁ ଚେଷ୍ଟାକରି ନ ମରି ବଞ୍ଚିଲେ, ସେମାନଙ୍କୁ ନିଜ ଘରର ଆବହାଓ୍ୱା ଭିତରେ ସୁସ୍ଥଭାବେ ବଞ୍ଚିବା କଷ୍ଟକର ହୋଇଥାଏ । ଯଦି ନିଜ ନିଜ ପାରିବାରିକ ଜୀବନରେ ଏଇ ସଙ୍କୋଚର ବ୍ୟବଧାନ ଆମେ ଦୂର କରିପାରିବୁ, ଯଦି ନିଜ ସନ୍ତାନର ଭକ୍ତି ଓ ଭୟର ପାତ୍ର ହେବାଠାରୁ ଭରସା ଓ ବିଶ୍ୱାସର ପାତ୍ର ହେବାକୁ ଚେଷ୍ଟା କରିବୁ, ତା’ ହେଲେ ସେମାନେ ସଙ୍କଟରେ ପଡ଼ିଲେ ଆମର ସାହାଯ୍ୟ ଲୋଡ଼ିବେ । ବାପାମାଆଙ୍କ ଉପରେ ରାଗି ପ୍ରତିଶୋଧ ନେବା ପାଇଁ ଏତେବଡ଼ ଦଗାଦେଇ ସଂସାରରୁ ଚାଲିଯିବାକୁ ଚାହିଁବେନି ।

 

ବାଲ୍ୟ ଓ କୈଶୋରରେ ମଣିଷର ମନ ଅତ୍ୟନ୍ତ ଅନୁଭୂତପ୍ରବଣ ହୋଇଥାଏ । ତେଣୁ ଯାହା ଅନ୍ୟଲୋକଙ୍କୁ ସାମାନ୍ୟ ବୋଲି ଜଣାଯାଏ, ସେମାନଙ୍କୁ ସେଭଳି ଅପମାନ ଓ ଲଞ୍ଛନା ବହୁତ ଗଭୀର ଭାବରେ ପ୍ରଭାବିତ କରେ । ଏଇ ବୟସରେ ଚିନ୍ତା ତୁଳନାରେ ଆବେଗ ମଣିଷର କାର୍ଯ୍ୟକଳାପକୁ ବେଶୀ ପରିମାଣରେ ନିୟନ୍ତ୍ରିତ କରୁଥିବାରୁ ମନର ଆବେଗରେ ବହୁତ କାମକରି ପିଲାଏ ପରେ ପସ୍ତେଇ ହୁଅନ୍ତି । ଆତ୍ମହତ୍ୟା କରି ସେମାନେ ସତରେ ମରିବାକୁ ଚାହାନ୍ତି ନାହିଁ । ମନର ସବୁ ରାଗ ଓ କ୍ଷୋଭ ପ୍ରକାଶ କରିବାକୁ ଚାହାନ୍ତି । ସେଥିଲାଗି ସେମାନଙ୍କ ମନର ରାଗ ଓ କ୍ଷୋଭ ଯେମିତି କମ ହେବ ସେପରି ଚେଷ୍ଟା କରିବା କଥା । ଏହାଛଡ଼ା ବିଫଳତା, ବ୍ୟର୍ଥତା, ନୈରାଶ୍ୟ, ସଙ୍କଟ ଏସବୁ ଯେ ଜୀବନର ଅଙ୍ଗ ଏକଥା ମୂଳରୁ ପିଳାଙ୍କୁ ବୁଝେଇବା ଉଚିତ । ଏପରି ଅବସ୍ଥାରେ କେମିତି ମନର ପ୍ରଶାନ୍ତି ରକ୍ଷାକରି ହେବ ସେ ଉପାୟ ଶିଖାଇବା ଦରକାର । ଯିଏ ବାଧାବିଘ୍ନ ସତ୍ତ୍ଵେ ଚେଷ୍ଟା ଛାଡ଼େ ନାହିଁ, ସଙ୍କଟରେ ପଡ଼ିଲେ ପଛଘୁଞ୍ଚା ନ ଦେଇ ସଙ୍କଟ ଅତିକ୍ରମ କରିବାକୁ ଚେଷ୍ଟାକରେ, ବିଫଳତା ଓ ବ୍ୟର୍ଥତା ଅନୁଭବ କଲେ ନିଜକୁ ହୀନ ବୋଲି ଭାବେନାହିଁ, ସେ ଏଠି ସଂସାରରେ ସମସ୍ତ ପରାଭବ ସତ୍ତ୍ଵେ ଶେଷରେ ଜୟୀ ହୋଇଥାଏ ।

 

(୪) ମାଦକଦ୍ରବ୍ୟର ବ୍ୟବହାର :

 

ଶିକ୍ଷିତ ମଧ୍ୟବିତ୍ତ ଲୋକଙ୍କ ମଧ୍ୟରେ ମାଦକଦ୍ରବ୍ୟର ବ୍ୟବହାର ବିରଳ ହୋଇଥିବାରୁ ଏହି ସମସ୍ୟା ନେଇ କେହି ପ୍ରାୟ ଚିନ୍ତା କରନ୍ତି ନାହିଁ । ମାତ୍ର ମୂଲ୍ୟବୋଧର ପରିବର୍ତ୍ତନ ହେତୁ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟର ବ୍ୟବହାର ବ୍ୟାପୁଛି । ଆମ ଦେଶରେ ଭାଙ୍ଗ, ଗଞ୍ଜା, ଅଫିମ ପରି ଭୋଜନ ଜାତୀୟ ମାଦକଦ୍ରବ୍ୟର ବହୁକାଳରୁ ପ୍ରଚଳିତ-। ତ୍ରିନାଥ ମେଳା ଓ ପଞ୍ଚାନନ ମେଳା ପରି ଶିବପୂଜାରେ ଠାକୁରଙ୍କ ଭୋଗ ସହିତ ଭାଙ୍ଗ ବା ଗଞ୍ଜା ମିଶାଇ ଭୋଗ ଦେବାର ବିଧି ରହିଛି । କିନ୍ତୁ ଦୈନନ୍ଦିନ ଜୀବନରେ ନିୟମିତ ଭାବରେ ନିଶା ଖାଇବାକୁ କେହି ବିଶେଷ ପସନ୍ଦ କରୁ ନ ଥିବାରୁ ନିଶାଭାଙ୍ଗର ବ୍ୟବହାର ସାଧାରଣତଃ ବିପଥଗାମୀ ଲୋକଙ୍କ ମଧ୍ୟରେ ସୀମାବଦ୍ଧ ଥିଲା । ବର୍ତ୍ତମାନ ସମୟରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଉଛି । କଲେଜଛାତ୍ର ତଥା ହାଇସ୍କୁଲ ଛାତ୍ରଙ୍କ ମଧ୍ୟରେ ଭାଙ୍ଗ, ଗଞ୍ଜା ଓ କେତେକ ଡାକ୍ତରୀ ଔଷଧ ବଟିକାର ବ୍ୟବହାର ଦେଖାଯାଉଛି । ମଦ ଆମ ସମାଜରେ ନିଷିଦ୍ଧ ପାନୀୟ ହୋଇଥିବାରୁ ଏହାର ପ୍ରଚାରୁ ବଢ଼ୁଥିଲେ ମଧ୍ୟ ଆମଦେଶରେ ଏବେ ମଧ୍ୟ ମାତାଲ୍ ଛାତ୍ରଙ୍କ ସଂଖ୍ୟା ବହୁତ କମ୍ । ଅନ୍ୟାନ୍ୟ ନିଶାଦ୍ରବ୍ୟର ପ୍ରଚଳନ ଛାତ୍ରମାନଙ୍କ ମଧ୍ୟରେ କେତେ ବ୍ୟାପକ ତାହା ମଧ୍ୟ ଅନୁମାନର ବିଷୟ । ଛାତ୍ର ସମାଜରେ ଦେଖାଯାଉଥିବା ଉଚ୍ଛୃଙ୍ଖଳ ବ୍ୟବହାର ସହିତ ମାଦକଦ୍ରବ୍ୟ ସେବନର କଣ ସମ୍ବନ୍ଧ ରହିଛି ସେକଥା କେହି ଗବେଷଣା କରି ଦେଖିନାହାନ୍ତି । ମାତ୍ର ଅନ୍ୟାନ୍ୟ ଦେଶରେ ଦେଖାଯାଉଛି ଯେ ଛାତ୍ରମାନଙ୍କ ମଧ୍ୟରେ ମାଦକ ଦ୍ରବ୍ୟର ବ୍ୟବହାର ବଢ଼ିବା ଫଳରେ, ପାଠରେ ଅମନୋଯୋଗୀତା, ନିୟମ ଶୃଙ୍ଖଳା ଲଙ୍ଘନ, ଉଚ୍ଛୃଙ୍ଖୁଳ ବ୍ୟବହାର, ଚୋରୀ ଓ ଅନ୍ୟାନ୍ୟ ଅପରାଧର ସଂଖ୍ୟା ବଢ଼ୁଛି ।

 

ଅନେକ ଅଭିଭାବକ ନିଶା ଓ ମାଦକ ଦ୍ରବ୍ୟର ସଂସ୍ପର୍ଶରେ ଆସି ନ ଥିବାରୁ ଏସବୁ ଜିନିଷ ବ୍ୟବହାର କଲେ ପିଲାର ସ୍ଵଭାବ ଓ ବ୍ୟକ୍ତିତ୍ଵରେ କେଉଁପ୍ରକାର ପରିବର୍ତ୍ତନ ଦେଖାଯାଏ ସେକଥା ଜାଣି ନ ଥାନ୍ତି । ପିଲା ମଧ୍ୟ ସାଙ୍ଗ ପିଲାଙ୍କ ବୋଲରେ ପଡ଼ି, କିମ୍ବା ନିଜର ମାନସିକ ଚାପ ଲାଘବ କରିବା ପାଇଁ ଏସବୁ ମାଦକ ଦ୍ରବ୍ୟର ବିପଦ ନ ଜାଣି ଏଗୁଡ଼ିକ ବ୍ୟବହାର କରନ୍ତି । କିଛିଦିନ ପରେ ସେମାନଙ୍କ ଜୀବନରେ ଏପରି ଅଭ୍ୟାସର ବିଷମୟ ଫଳ ଦେଖାଯାଏ । ଯେଉଁମାନଙ୍କର ବିଡ଼ି ବା ସିଗାରେଟ ପିଇବା ଅଭ୍ୟାସ, ସେମାନେ ଜାଣନ୍ତି ଏ ଅଭ୍ୟାସ ଛାଡ଼ିବା କେଡ଼େ କଷ୍ଟ, ସେମାନେ କ୍ରମାଗତ କାଶ ଓ ଶ୍ଵାସନଳୀରେ କୌଣସିପ୍ରକାର ବ୍ୟାଧିରେ ପୀଡ଼ିତ ହେଲେ ମଧ୍ୟ ଧୂମପାନର ଅଭ୍ୟାସ ଛାଡ଼ିପାରନ୍ତି ନାହିଁ । ଫୁସ୍‍ଫୁସରେ କ୍ୟାନସରର ସମ୍ଭାବନା ଦେଖାଗଲେ ମଧ୍ୟ ଭାଗ୍ୟକୁ ଆଦରି ସିଗାରେଟ୍ ପିଇ ଚାଲନ୍ତି । ତମାଖୁ ଅଭ୍ୟାସ ପରି ଅନ୍ୟାନ୍ୟ ନିଶାଦ୍ରବ୍ୟର ଅଭ୍ୟାସ ମଧ୍ୟ ମଣିଷକୁ ନିଶାର କବଳରେ ରଖେ । ନିଶା ବିନା, ଚଳିବା ଅସମ୍ଭବ ହେଲେ ଜାଣିବା ଦରକାର ଯେ ଅବସ୍ଥା ବଳେଇ ଗଲାଣି । କାରଣ ନିଶାଖୋର ଲୋକ କ୍ରମଶଃ ନିଶାର ମାତ୍ରା ନ ବଢ଼େଇଲେ ତାକୁ ଆଉ ନିଶା ଧରେ ନାହିଁ । ଅଧିକାଂଶ ନିଶାଦ୍ରବ୍ୟର ମୂଲ୍ୟ ବେଶୀ ହେଇଥିବାରୁ ନିଶାଖର୍ଚ୍ଚ ଯୋଗାଇବା ଲାଗି ରୋଜଗାରର ପନ୍ଥା ଖୋଜିବାକୁ ପଡ଼େ । ଛାତ୍ରମାନଙ୍କର ସ୍ୱଳ୍ପ ପକେଟଖର୍ଚ୍ଚ ନ ଥିବାରୁ ସେମାନେ ଘରୁ ଚୋରୀ କରି ବା ଘରର ଜିନିଷ ପତ୍ର ଅନ୍ୟଲୋକଙ୍କ ଅଜ୍ଞାତରେ ବିକ୍ରୀ ବା ବନ୍ଧାପକେଇ ନିଶାଖର୍ଚ୍ଚ ଯୋଗାଡ଼ କରନ୍ତି । ସେ ଟଙ୍କା ନ ଅଣ୍ଟିଲେ ସୁବିଧା ପାଇଲେ ଅନ୍ୟଲୋକଙ୍କଠାରୁ ଟଙ୍କା ପଇସା ଛଡ଼େଇ ନିଅନ୍ତି । ସାଧାରଣତଃ ଏକୁଟିଆ ଲୋକ ବା ବୁଢ଼ାଲୋକ କିମ୍ବା ସ୍ତ୍ରୀଲୋକମାନେ ଏପରି ନିଶାଖୋରଙ୍କର ଶୀକାର ହୋଇଥାଆନ୍ତି । କ୍ରମଶଃ ଏପରି ଛୋଟ ଛୋଟ ଅପରାଧରୁ ସେମାନେ ଅନ୍ୟ ଅପରାଧ କରିବାକୁ ମନ ବଳାନ୍ତି । କାରଣ ନିଶାର ପ୍ରଭାବ ସେମାନଙ୍କର ହିତାହିତ ଜ୍ଞାନ ନଷ୍ଟ କରିଦିଏ ଓ ମନର ଅବଦମନ କରିବା କ୍ଷମତା କମେଇ ଦିଏ ।

 

ନିଶାଖୋର ଲୋକଙ୍କର ଉଦ୍ୟମ କମିଯାଏ, ମନର ଜାଗତିଆରଭାବ (alertness) ଚାଲିଯାଇ ସେ କ୍ରମଶଃ ବିକ୍ଷିପ୍ତ ଚିତ୍ତ ହୋଇଉଠେ । ବିଭିନ୍ନ ପରିକଳ୍ପନା କଲେ ମଧ୍ୟ ପ୍ରରିଶ୍ରମ କରି କୌଣସି ପରିକଳ୍ପନାକୁ କାର୍ଯ୍ୟକାରୀ କଲା ପରି ଧୈର୍ଯ୍ୟ ଓ ଆତ୍ମସଂସମ ତା’ର ନ ଥାଏ । ଫଳରେ ଜୀବନରେ ଉପରକୁ ଉଠିବା ପରିବର୍ତ୍ତେ ସେ କ୍ରମଶଃ ତଳରୁ ତଳକୁ ଖସୁଥାଏ । ଏହିସବୁ କାରଣରୁ ବର୍ତ୍ତମାନ ଛାତ୍ର ସମାଜରେ ପ୍ରଚଳିତ ମାଦକଦ୍ରବ୍ୟର ମନ ଉପରେ କେଉଁ ପ୍ରକାର ପ୍ରତିକ୍ରିୟା ହୁଏ ସେ ବିଷୟ ଏଠାରେ ଆଲୋଚନା କରୁଛୁ ।

 

ଅଧିକାଂଶ ମାଦକଦ୍ରବ୍ୟ ମସ୍ତିଷ୍କର କ୍ରିୟାପ୍ରକ୍ରିୟାକୁ ନିୟନ୍ତ୍ରିତ କରୁଥିବାରୁ ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି, ହସ୍ତପଦର ସଞ୍ଚାଳନ, ମନଯୋଗ, ସ୍ମୃତିଶକ୍ତି ଓ ସର୍ବୋପରି ଆବେଗ ଓ ଇଚ୍ଛାକୁ ବହୁଳାଂଶରେ ପ୍ରଭାବିତ କରେ । କେତେକ ମାଦକଦ୍ରବ୍ୟର ପ୍ରଭାବ କ୍ଷଣସ୍ଥାୟୀ ପରି ଜଣାଗଲେ ମଧ୍ୟ ପ୍ରକୃତରେ ଏହାର ପ୍ରଭାବ ମଧ୍ୟ ଦୀର୍ଘକାଳ ପରେ ମଧ୍ୟ ଅନୁଭୂତ ହୋଇଥାଏ । ଯଥା-ଯେଉଁମାନେ ନିୟମିତ ଭାବରେ ମଦ ପିଅନ୍ତି, ମଦର ନିଶା କଟିଗଲେ ସେମାନେ ଭାବନ୍ତି ଯେ ସେମାନେ ପୁଣି ସୁସ୍ଥ ଓ ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଲେ । ଅଥଚ ମଦ ପିଇ ଯାହାର କେଭେ ନିଶା ହୋଇ ନାହିଁ, ସେପରି ଲୋକର ମଧ୍ୟ ଯକୃତରେ ପୀଡ଼ା ହେବାର ସମ୍ଭାବନା ବଢ଼ିଯାଏ । ମସ୍ତିଷ୍କରେ ଥିବା ମସ୍ତିଷ୍କ କୋଷଗୁଡ଼ିକୁ ମଦ ନଷ୍ଟ କରେ । ସେଥିଲାଗି ଯେଉଁମାନେ ନିୟମିତ ଭାବରେ ମଦ ପିଅନ୍ତି, କିଛିକାଳ ପରେ ସେମାନଙ୍କଠାରେ ହାତ ଗୋଡ଼ ଥରିବା, ସ୍ମୃତିଶକ୍ତି କମିଯିବା ଓ ମନୋଯୋଗର କ୍ଷମତା କମିଯିବାର ଦେଖାଯାଏ । ଯେଉଁମାନେ ମଦ ନ ପିଇ ରହିପାରନ୍ତି ନାହିଁ, ସେଭଳି ଲୋକଙ୍କଠାରେ ଅନେକ ସମୟରେ ପ୍ରବଳ କମ୍ପା ଦେଖାଯାଏ । ସେମାନେ ବିଭିନ୍ନ ପ୍ରକାର ବିଭୀଷକାମୟ ବିଭ୍ରମ ଦେଖି ଡରନ୍ତି । ମସ୍ତିଷ୍କର କ୍ରିୟା ପ୍ରକ୍ରିୟା ବ୍ୟାହତ ହେଇଥିବା ଯୋଗୁଁ ଏହି ସବୁ ଲକ୍ଷଣ ଦେଖାଯାଏ ।

 

ମଦ ପିଇଥିବା ଅବସ୍ଥାରେ ଅନ୍ୟ ଔଷଧ ଖାଇଲେ ଉଭୟ ପଦାର୍ଥର ସଂମିଶ୍ରିତ ରାସାୟନିକ କ୍ରିୟା ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ବହୁତ ଲୋକ ଏ ବିଷୟରେ ସଚେତନ ନ ଥିବାରୁ ମଦ ଖାଇସାରି ନିଦ ନ ହେଲେ ନିଦ ଔଷଧ ଖାଆନ୍ତି । ନିଦ ଔଷଧ ମଦ ସାଙ୍ଗରେ ମିଶି ଲୋକକୁ ଅତ୍ୟଧିକ ନିଦ୍ରାଳୁ କରେ । ନିଶାର ମାତ୍ରା ବେଶୀ ପରିମାଣରେ ବଢ଼ାଏ । କେତେକ ନିଦ ଔଷଧ ମସ୍ତିସ୍କ ଓ ହୃଦଯନ୍ତ୍ରର କାର୍ଯ୍ୟକଳାପନ ଶ୍ଳଥ କରିଦିଏ ଓ ରକ୍ତଚାପରେ ବ୍ୟାଘାତା ସୃଷ୍ଟି କରେ । ସାଧାରଣ ମୁଣ୍ଡବିନ୍ଧା ଔଷଧ ମଧ୍ୟ ମଦ ସହିତ ମିଶି ପେଟରେ ଅଲସର୍‌ର ସମ୍ଭାବନା ବଢ଼ାଏ ଓ ଯାହାର ପୂର୍ବରୁ ଅଲସର୍ ଅଛି ତା’ଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବାର ସମ୍ଭାବନା ସୃଷ୍ଟି କରେ । ପାଶ୍ଚାତ୍ୟ ଦେଶରେ ମଦ ପିଇକା ସାମାଜିକତାର ଅଙ୍ଗ ହେଇଥିବାରୁ ସେଠାରେ ଡାକ୍ତରମାନେ କୌଣସି ଔଷଧ ଦେଲାବେଳେ ଏହି ଔଷଧ ସହିତ ମଦ ପିଇବା ଉଚିତ୍ ନା ଅନୁଚିତ୍ ସେକଥା : ଲେଖିଦିଅନ୍ତି । ଆମ ଦେଶରେ ଲୋକେ ମଦ ପିଇବା କଥା ଲୁଚାଉଥିବାରୁ ଏ ବିଷୟ ଡାକ୍ତରଙ୍କୁ କୁହନ୍ତି ନାହିଁ । ଏହା ଫଳରେ ଔଷଧ ଓ ମଦର ମିଶ୍ରିତ କ୍ରିୟା ହେତୁ ଅସୁସ୍ଥତା ଅଧିକ ବଢ଼ିଯାଏ ।

 

ଭାଙ୍ଗ :

 

ଭାଙ୍ଗ ପିଇବା ଆମ ଦେଶରେ ସାମାଜିକ ସ୍ଵୀକୃତି ପାଇଛି । ଯେଉଁମାନେ ଅକାଳେ ସକାଳେ ଭାଙ୍ଗ ପିଅନ୍ତି ସେମାନଙ୍କଠାରେ ସାମୟିକ ନିଶାଗ୍ରସ୍ତ ହେବା ଛଡ଼ା ଅନ୍ୟାନ୍ୟ କୁଫଳ ଦେଖାଯାଏ ନାହିଁ । ମାତ୍ର ଯେଉଁମାନେ ନିୟମିତ ଭାବରେ ବରାବର ଭାଙ୍ଗ ପିଅନ୍ତି ସେମାନେ ଦିନେ ଭାଙ୍ଗ ପିଇବା ବନ୍ଦ ହେଇଗଲେ ବ୍ୟତିବ୍ୟସ୍ତ ହେଇପଡ଼ନ୍ତି । ସେମାନଙ୍କ- ଠାରେ ଶାରୀରିକ ଅସୁସ୍ଥତା ଦେଖାଯାଏ ନାହିଁ; ମାତ୍ର ପ୍ରବଳ ମାନସିକ ପ୍ରତିକ୍ରିୟା ଦେଖାଯାଏ । ଯିଏ ବେଶୀଦିନ ଧରି ଭାଙ୍ଗ ବା ଭାଙ୍ଗ ଓ ଗଞ୍ଜା ଏକାଠି ମିଶେଇକରି ଯିଏ ତାର ବ୍ୟକ୍ତିତ୍ୱ ଓ ଚରିତ୍ରରେ ପରିବର୍ତ୍ତନ ଦେଖାଯାଏ, ଅଧିକାଂଶ ବିଷୟରେ ସେମାନେ ଉଦାସୀନ ହୋଇ ରୁହନ୍ତି । ବିଭିନ୍ନ କଥା କରିବେ ବୋଲି ପରିକଳ୍ପନା କରନ୍ତି; ମାତ୍ର ଅଧିକାଂଶ ପରିକଳ୍ପନାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରନ୍ତି ନାହିଁ । ବାଚାଳତା, ଅବାସ୍ତବ ସନ୍ଦେହ ଓ ଅସଂଲଗ୍ନ କଳ୍ପନାର ଆଧିକ୍ୟ ଦେଖାଯାଏ ।

 

ବଟିକା :

 

ଆମ ଦେଶରେ ହାଇସ୍କୁଲ କଲେଜ ଛାତ୍ରମାନେ, ନିଶାପାଇଁ କେତେକ ପ୍ରକାରର ଡାକ୍ତରୀ ବଟିକା ବ୍ୟବହାର କରିଥାନ୍ତି । ଏଥି ମଧ୍ୟରୁ କେତେକ ଔଷଧ ହେଲା ଉତ୍ତେଜକ (ଯଥା–Ritalin, Dexedrine) ଓ କେତେକ ଔଷଧ ହେଲା ଶାନ୍ତିଦାୟକ ଓ ସମ୍ମୋହକ (Mandrax ପରି ଔଷଧ ।)

 

ସାଧାରଣତଃ ମନର କ୍ଳାନ୍ତି ଓ ଅବସାଦଭାବ ଦୂର କରିବାପାଇଁ ଉତ୍ତେଜକ ଶ୍ରେଣୀର ଔଷଧ ଲୋକେ ବ୍ୟବହାର କରନ୍ତି । ଅନେକ ସମୟରେ ରାତି ଅନିଦ୍ରା ହେଇ ପାଠ ପଢ଼ିବାପାଇଁ ମଧ୍ୟ ଏପରି ଉତ୍ତେଜକ ବ୍ୟବହାର କରାଯାଏ । ଅନ୍ୟ ପକ୍ଷରେ, ପରୀକ୍ଷା ପୂର୍ବରୁ ବା ଚାକିରି ଇଣ୍ଟରଭିଉ ପୂର୍ବରୁ ମନର ପ୍ରବଳ ଉତ୍କଣ୍ଠା ଦମନ କରି ମନକୁ ଶାନ୍ତ ରଖିବାପାଇଁ କେତେକ ଯୁବକ ସମ୍ମୋହକ ଔଷଧ ଖାଆନ୍ତି । ଏଇ ଔଷଧଗୁଡ଼ିକ ମସ୍ତିଷ୍କରେ ଥିବା ନିଦ୍ରା ଓ ଜାଗରଣର କେନ୍ଦ୍ରକୁ ପ୍ରଭାବିତ କରୁଥିବାରୁ ସେହି ଅନୁସାରେ ମଣିଷର ମନ ଓ ବ୍ୟବହାର ମଧ୍ୟ ପ୍ରଭାବିତ ହୋଇଥାଏ । ମସ୍ତିଷ୍କର କ୍ରିୟା ପ୍ରକ୍ରିୟାକୁ ସ୍ତିମିତ ବା ଉତ୍ତୋଜିତ କରି ଏହା ମାନସିକ ଉତ୍ତେଜନା ଓ ମନର ପ୍ରଶାନ୍ତ ଭାବକୁ ନିୟନ୍ତ୍ରଣ କରିଥାଏ । କେତେକ ଉତ୍ତେଜିତ ଔଷଧ (dexedrine) ମସ୍ତିଷ୍କରେ ଥିବା ‘କ୍ଷୁଧା-କେନ୍ଦ୍ର’କୁ ପ୍ରଭାବିତ କରୁଥିବାରୁ ଏପରି ଔଷଧ ଖାଇଲେ କମ୍ ଭୋକ ହୁଏ । ତେଣୁ ଯେଉଁମାନେ ସହଜରେ ମୋଟା ହେଇଯାଆନ୍ତି ସେମାନେ ମଧ୍ୟ ଏଇ ଔଷଧ ଖାଇ ପତଳା ହବାକୁ ଚେଷ୍ଟା କରନ୍ତି ।

 

ଏଭଳି ଔଷଧ ବିଶେଷଜ୍ଞମାନଙ୍କର ପରାମର୍ଶ ବିନା ବ୍ୟବହାର କଲେ ଦେହ ଓ ମନର କ୍ଷତି ହବାର ସମ୍ଭାବନା ବଢ଼ିଯାଏ । କାରଣ କେତେଦିନ ଓ କେତେ ପରିମାଣରେ ଏଇ ଔଷଧ ଖାଇଲେ ଶରୀର ଓ ମନର କ୍ଷତି ହେବ ନାହିଁ ସେକଥା କେବଳ ବିଶେଷଜ୍ଞମାନେ କହିପାରିବେ । ଅନ୍ୟ ଔଷଧ ସହିତ ଏହି ଔଷଧ ଖାଇଲେ ତାର ମିଶ୍ରିତ କ୍ରିୟା କଣ ହେବ, ସେକଥା କାହରିକି ଜଣା ନ ଥିବାରୁ ଲୋକେ ବିପଦରେ ପଡ଼ନ୍ତି । ଔଷଧଗୁଡ଼ିକର ଦାମ ବେଶୀ ହୋଇଥିବାରୁ ଏପରି ନିଶାଖର୍ଚ୍ଚ ତୁଲାଇବା ବ୍ୟୟବହୁଳ ହୁଏ । ଅନେକେ ନିଶାଖର୍ଚ୍ଚ ଯୋଗାଇବା ପାଇଁ ଅପରାଧ-ଜନକ କାର୍ଯ୍ୟକରି ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କରନ୍ତି । ଥରେ ଏପରି ନିଶା ଅଭ୍ୟାସରେ ପରିଣତ ହେଲେ ସେ ଅଭ୍ୟାସ ଭାଙ୍ଗିବା ପ୍ରାୟ ଅସାଧ୍ୟ ହୁଏ । କାରଣ ଘରଲୋକ ନିଶା ଛଡ଼େଇବାକୁ ଚିକିତ୍ସା କରାଇବାର ବ୍ୟବସ୍ଥା କରନ୍ତି ମାତ୍ର ନିଶାଗ୍ରସ୍ତ ବ୍ୟକ୍ତି ନିଶା ଛାଡ଼ିବାକୁ ଚାହେଁ ନାହିଁ । ନିଜର ଚେଷ୍ଟା ନ ରହିଲେ ନିଶାଖୋରର ନିଶା ଅନ୍ୟଲୋକ ଯେତେ ଚେଷ୍ଟା କଲେ ମଧ୍ୟ ଛଡ଼େଇ ପାରନ୍ତି ନାହିଁ ।

 

ଏଭଳି ଔଷଧ ବ୍ୟବହାରର ବଡ଼ ବିପଦ ହେଉଛି, ଏହା ମନର କ୍ରିୟା ପ୍ରକ୍ରିୟାକୁ ପ୍ରଭାବିତ କରୁଥିବାରୁ ମଣିଷର ଆତ୍ମନିୟନ୍ତ୍ରଣ କ୍ଷମତା କ୍ରମଶଃ ନଷ୍ଟ ହୋଇଯାଏ । ନିଜ ଜୀବନର ଗତି ଉପରେ ତା’ର କୌଣସି କର୍ତ୍ତୃତ୍ୱ ରୁହେନାହିଁ । ସେଥିଲାଗି ଜ୍ଞାନ, ବୁଦ୍ଧି ବା ଶିକ୍ଷାଦୀକ୍ଷା ନିଶାଗ୍ରସ୍ତ ଲୋକର ମନକୁ ପ୍ରଭାବିତ କରିପାରେ ନାହିଁ ।

 

ଦ୍ୱିତୀୟରେ ଏଭଳି ଔଷଧ ଖାଇଲେ ସାମୟିକ ଭାବରେ ମାନସିକ ସମସ୍ୟା ସହ୍ୟ କରିବାର କ୍ଷମତା ହୋଇଥାଏ, ମାତ୍ର ନିଶା କଟିଗଲେ ସେ କ୍ଷମତା ଉଭେଇଯାଏ । ଏସବୁ ସମସ୍ୟାର ସମାଧାନ ନ କରି ସମସ୍ୟାଗୁଡ଼ିକୁ ନିଶାମୋହରେ ସହିଗଲେ ପରିଶେଷରେ କି ଲାଭ ହେବ ? ନିଶା କମିଗଲେ, ଦେଖାଯିବ ଯେ ଯେଉଁ ଦହଗଞ୍ଜକୁ ସେହି ଦହଗଞ୍ଜ ରହିଛି । ନିଶାର ଆଢ଼ୁଆଳରେ ରହି କେତେଦିନ ବାସ୍ତବ ପୃଥିବୀକୁ ଅସ୍ଵୀକାର କରିହେବ ? ପରୀକ୍ଷା ଓ ଛାତ୍ର ଜୀବନର ଆନୁସଙ୍ଗିକ ସମସ୍ୟା ସମ୍ଭାଳିବା ପାଇଁ, ଯଦି ନିଶା କରିବା ଦରକାର ପଡ଼େ, ତା’ହେଲେ ସାଂସାରିକ ଜୀବନର ଅନ୍ୟାନ୍ୟ ଗୁରୁଭାର ସମସ୍ୟା ଓ ଦାୟିତ୍ଵ ନେଇ ଲୋକ ଚଳିବ କେମିତି ? ନିଶାଖାଇ ମାନସିକ ଉତ୍ତେଜନା ଅନୁଭବ କରି ଯେ ସୁଖୀ ହବାକୁ ଶିଖିବ ସେ ପରେ ସ୍ଵାଭାବିକ ଉପାୟରେ ଆନନ୍ଦ ପାଇବାକୁ ଚେଷ୍ଟା କରିବ ନାହିଁ । ମାନସିକ ଉତ୍ତେଜନାହୀନ ସାଧାରଣ ସୁଖ ତାକୁ ପାଣିଚିଆ ଲାଗିବ ।

 

ମାଦକଦ୍ରବ୍ୟର ସେବନ ସମାଜରେ ନିନ୍ଦିତ ହୋଇଥିବାରୁ, ଏପରି ନିଶାସକ୍ତ ଲୋକଙ୍କ ସମସ୍ୟା ଆମ ଦେଶରେ ରହିଛି ବୋଲି ପ୍ରକାଶ୍ୟରେ ସ୍ୱୀକାର କରିବାକୁ ସମସ୍ତେ କୁଣ୍ଠାବୋଧ କରନ୍ତି । ସେଥିଲାଗି ମାଦକଦ୍ରବ୍ୟର ବ୍ୟବହାର ଆମ ଦେଶରେ କେତେ ବ୍ୟାପକ ସେ ହସାକ କେହି ରଖନ୍ତି ନାହିଁ । ଛାତ୍ରମାନେ ଯେ ଏପରି ଔଷଧ ବ୍ୟବହାର କରନ୍ତି ସେ କଥା ଲୋକ ଶୁଣାଶୁଣିରୁ ଜାଣନ୍ତି; ମାତ୍ର ନିଜର ପୁଅ, ପୁତୁରା ବା ଭଣଜା ଯେ ମାଦକଦ୍ରବ୍ୟ ବ୍ୟବହାର କରି ପାରୁଥାନ୍ତି ସେ ଚିନ୍ତା କେହି କରନ୍ତି ନାହିଁ । ଆମର ରକ୍ଷଣଶୀଳ ସମାଜରେ, ପିଲା ସହିତ ଏପରି ବିଷୟ ନେଇ କଥାବାର୍ତ୍ତା କରିବା ଅନୁଚିତ ବୋଲି ଧରି ନିଆଯାଇଛି । ସେଥିଲାଗି ଏପରି ଔଷଧ ବ୍ୟବହାର କଲେ କଣ ବିପଦ ହୋଇପାରେ ସେକଥା ପିଲାଙ୍କୁ ଜଣାଇବା ସମ୍ଭବ ହେଉନାହିଁ । ଡାକ୍ତର ମଧ୍ୟ ରୋଗୀର ନିଶା ଅଭ୍ୟାସ ଜାଣି ନଥିବାରୁ, ରୋଗର ଚିକିତ୍ସା ପାଇଁ ଔଷଧ ଦେଇ ରୋଗୀର ବିପଦ ଘଟାଉଛନ୍ତି । ଚିକିତ୍ସକଙ୍କୁ ଯେ ଏସବୁ କଥା ଜଣାଇବା ଦରକାର, ସେକଥା ମଧ୍ୟ ଲୋକଙ୍କୁ ଜଣାନାହିଁ ।

 

କାହିଁକି ପିଲା ମାଦକ ଦ୍ରବ୍ୟ ବ୍ୟବହାର କରନ୍ତି :

 

ଓଡ଼ିଶାରେ ଏ ବିଷୟରେ କୌଣସି ସମୀକ୍ଷା ହୋଇ ନ ଥିବାରୁ ଏହାର ପ୍ରକୃତ କାରଣ କାହାରିକି ପ୍ରାୟ ଜଣା ନାହିଁ । ବିଶେଷଜ୍ଞମାନେ ଅନୁମାନ କରି ଭାବୁଛନ୍ତି ଯେ ସାଧାରଣତଃ ସାଙ୍ଗ ପିଲାଙ୍କୁ ଅନୁକରଣ କରି, କୌତୂହଳୀ ହୋଇ ଏକ ନୂତନ ଅନୁଭୂତି ପାଇବାକୁ ପିଲା ଏପରି ଔଷଧ ଖାଉଛନ୍ତି । ପ୍ରଥମ ଅବସ୍ଥାରେ ଭଲ ଲାଗିବାରୁ ଯେତେବେଳେ ମନରେ ଉତ୍କଣ୍ଠା ହୁଏ ବା ମନ ଅବସନ୍ନ ଓ ବିମର୍ଷ ଲାଗେ ଯେତେବେଳେ ମନରେ ଉତ୍କଣ୍ଠା ହୁଏ ବା ମନ ଅବସନ୍ନ ଓ ବିମର୍ଷ ଲାଗେ ସେତେବେଳେ ଏପରି ଔଷଧ ଖାଇ ମନର ଭାର ଲାଘବ କରିବାକୁ ଚେଷ୍ଟା କରାଯାଏ । ଔଷଧ ସେବନର ବିପଦ ବିଷୟରେ ସଚେତନ ନ ଥିବାରୁ ଏଥିରେ କିଛି କ୍ଷତି ନାହିଁ ପିଲା ବଟିକା ଖାଉଛନ୍ତି । ତା’ଛଡ଼ା ଆଗକାଳିକା ଲୋକଙ୍କ ପାଇଁ ସିଗ୍ରେଟ ପିଇବା ଯେମିତି ଫେଶନ୍ ଥିଲା ସେମିତି ବଟିକା ଖାଇବା ଏବେକାର ଫେଶନ୍ ହେବାରୁ ଅଧିକାଂଶ ଲୋକ କିଛି ନ ଭାବି ଅନ୍ୟକୁ ଅନୁକରଣ କରି ଏସବୁ ଔଷଧ ଖାଉଛନ୍ତି । ଗଞ୍ଜା ଭାଙ୍ଗ ତଳ ଶ୍ରେଣୀର ଲୋକ ଓ ବଟିକା ଉପର ଶ୍ରେଣୀର ଲୋକଙ୍କ ନିଶା ହେଇଥିବାରୁ ଗଞ୍ଜା ଅପେକ୍ଷା ବଟିକାର ଜନପ୍ରିୟତା ବେଶୀ ହୋଇଛି, ଯାହାହେଉ, ଏ ସବୁ ଆନୁମାନିକ କାରଣ । ପ୍ରକୃତ କାରଣ କ’ଣ ସେକଥା ନ ଜାଣିବା ଯାକେ ଏହି ଅବସ୍ଥାର ପ୍ରତିକାର କରିବା ସମ୍ଭବ ହେବ ନାହିଁ । ବର୍ତ୍ତମାନଠାରୁ ଏହାର ପ୍ରତିକାର ଦିଗରେ ଚେଷ୍ଟା ନ କଲେ ପାଶ୍ଚାତ୍ୟ ଦେଶ ପରି ଏଭଳି ନିଶାର ଅଭ୍ୟାସ ଆମ ଦେଶରେ ମଧ୍ୟ ବ୍ୟାପିଯିବ ।

Image

 

ଅପରାଧ ପ୍ରବଣତା

 

ସମାନ ପରିବେଶରେ ଥାଇ ଜଣେ ସତ୍ ପଥରେ ଗତି କରୁଥିବା ସ୍ଥଳେ ଆଉ ଜଣେ କାହିଁକି ଅସତ୍ ପଥରେ ଯାଏ ? ଏକା ପରିବାରରେ ବଢ଼ି ଜଣେ ପିଲା ଅପରାଧୀ ହେଉଛି ଅଥଚ ଅନ୍ୟମାନେ ସତ୍ ପଥରେ ଚାଲିଛନ୍ତି । ଦାରିଦ୍ର୍ୟ ଯୋଗୁଁ ବହୁଲୋକ ଅପରାଧ କରନ୍ତି ବୋଲି ସମସ୍ତେ ଜାଣନ୍ତି, ମାତ୍ର ଦରିଦ୍ର ବସ୍ତି ଅଞ୍ଚଳରେ ସବୁ ପିଲା ଅପରାଧ ମୂଳକ କାର୍ଯ୍ୟ କରନ୍ତି ନାହିଁ । ସେହିପରି ଧନୀ ପରିବାରରେ ଯେଉଁଠି ଆର୍ଥିକ ଅନାଟନ ନାହିଁ, ସେପରି ପରିବାରର ପିଲା ମଧ୍ୟ ଅପରାଧ ଓ ଦୁର୍ନୀତ କରନ୍ତି । କାହିଁକି ଜଣେ ଅସାଧୁ ସଙ୍ଗ ବର୍ଜନ କରେ ଓ କାହିଁକି ଜଣେ କୁସଂସର୍ଗରୁ ବାହାରି ଆସିପାରେ ନାହିଁ ? କେତେ ଲୋକ, ଦୁର୍ଭିକ୍ଷ, ଅନାଟନ, ଅରାଜକତା ପରି ସଙ୍କଟ ସମୟରେ ଦୁଷ୍କର୍ମ କରିଥାଆନ୍ତି । ମାତ୍ର ସେମାନଙ୍କୁ ସ୍ୱାଭାବିକ ଜୀବନଯାତ୍ରାର ସୁଯୋଗ ମିଳିଲେ ସେମାନେ ସତ୍ ପଥକୁ ଆସିଯାନ୍ତି । ବିପରୀତ ପକ୍ଷରେ, କେତେ ଲୋକ ବାରମ୍ବାର ଅପରାଧ କରନ୍ତି ସୁବିଧା ସୁଯୋଗ ପାଇଲେ ସୁଦ୍ଧା ସ୍ଵାଭାବିକ ଜୀବନକୁ ଫେରନ୍ତି ନାହିଁ । ମଣିଷ ଭିତରେ କାହିଁକି ଏପରି ପାର୍ଥକ୍ୟ ଦେଖାଯାଏ ? ପରିବେଶ ଅନୁସାରେ ମଣିଷ ସାଧୁ ବା ଅସାଧୁ ହୁଏ ନା ତା’ର ସ୍ଵଭାବ ଓ ବ୍ୟକ୍ତିତ୍ୱ ଅନୁସାରେ ସେ ସାଧୁ ବା ଅସାଧୁ ପଥ ଅନୁସରଣ କରେ ? ଏଇ ପ୍ରଶ୍ନ ଗୁଡ଼ିକର ଉତ୍ତର ପାଇବା ଲାଗି ମନୋବିଜ୍ଞାନୀମାନେ ଅପରାଧୀ ଓ ନିରପରାଧୀ ବ୍ୟକ୍ତିଙ୍କୁ ବିଭିନ୍ନ ଭାବରେ ତୁଳନା କରି ସେମାନଙ୍କ ମଧ୍ୟରେ କଣ ପାର୍ଥକ୍ୟ ରହିଛି ସେକଥା ବୁଝିବା ପାଇଁ ଗବେଷଣା କରୁଛନ୍ତି । ଏହି ଗବେଷଣାରୁ ସେମାନେ କେତେକ ତଥ୍ୟ ପାଇଛନ୍ତି । ସେହି ତଥ୍ୟଗୁଡ଼ିକ ଏଠାରେ ଆଲୋଚନା କରାଯାଉଛି ।

 

କେତେକ ଅପରାଧ ମଣିଷ ଅବସ୍ଥାଚକ୍ରରେ ପଡ଼ି କରେ । ଏଭଳି ମଣିଷ ସଧାରଣ ନିରପରାଧୀ ଲୋକଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହନ୍ତି । ଆତ୍ମରକ୍ଷା ପାଇଁ ନରହତ୍ୟା କରିଥିବା ବ୍ୟକ୍ତି ବା ରାଗିକରି ବାଡ଼ିରେ ପାହାରେ ପକେଇବା ଫଳରେ ଅଜାଗାରେ ମାଡ଼ ବାଜିବାରୁ ମଣିଷଟିଏ ମାରିଥିବା ବ୍ୟକ୍ତିଠାରେ ପ୍ରାୟ କୌଣସି ଅସ୍ୱାଭାବିକତା ଦେଖାଯାଏ ନାହିଁ । ମାତ୍ର ଯେଉଁମାନେ ବାରମ୍ବାର ଅପରାଧ କରନ୍ତି ସେମାନଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ଵରେ କେତେକ ତ୍ରୁଟି ଦେଖାଯାଏ । ଏହାଛଡ଼ା କେତେକ ଲୋକ ଅଛନ୍ତି ଯେଉଁମାନେ ସୁଯୋଗ ପାଇଲେ ବିନା ଦ୍ୱିଧାରେ ଅପରାଧ କରନ୍ତି । ଏଭଳି ଲୋକଙ୍କୁ ‘ସାଇକୋପାଥ’ କୁହାଯାଏ । ଏମାନଙ୍କର ବିବେକ ବିକାଶଲାଭ କରି ନଥିବାରୁ ଏମାନେ ନିର୍ଦ୍ୱନ୍ଦ୍ୱରେ ଅପରାଧ କରନ୍ତି ଓ ଅପରାଧ କଲାପରେ ସେମାନଙ୍କୁ ମନରେ ଅନୁତାପ ବା ଗ୍ଳାନି ଦେଖାଦିଏ ନାହିଁ । ସାଧାରଣ ଲୋକ ମଶାଟିଏ ମାରିଲେ ଯେପରି ମଶା ବିଷୟରେ କିଛି ଭାବେନାହିଁ ବା ଗ୍ଳାନି ଅନୁଭବ କରେନାହିଁ, ଏମାନେ ସେପରି ମଣିଷ ମାରିଲେ କିଛି ଭାବନ୍ତି ନାହିଁ ବା ଦୁଃଖ ଅନୁଭବ କରନ୍ତି ନାହିଁ । ଏମାନଙ୍କ ଛଡ଼ା ଆହୁରି କେତେକ ଅପରାଧୀ ଅଛନ୍ତି ଯେଉଁମାନଙ୍କର ଶାରୀରିକ ଓ ମାନସିକ ଅସ୍ୱାଭାବିକତା ରହିଛି । ଏହିପ୍ରକାର ଚରିତ୍ରର ଅସ୍ଵାଭାବିକତା ଯୋଗୁଁ ସେମାନେ ସହଜରେ ହତ୍ୟା, ନୃଶଂସ ପୀଡ଼ନ ଓ ଅନ୍ୟାନ୍ୟ ଭୟଙ୍କର ଅପରାଧରେ ଲିପ୍ତ ହୁଅନ୍ତି । ଆଉ କେତେକ ଅପରାଧୀ ନିଜ ସ୍ଵଭାବଗତ ତ୍ରୁଟି ଯୋଗୁଁ ଅପରାଧ ଆଡ଼କୁ ମନ ବଳାନ୍ତି । ସେମାନଙ୍କର ଏପରି ସ୍ଵଭାବ ଓ ବ୍ୟକ୍ତିତ୍ଵର ତ୍ରୁଟିର କାରଣ ହେଉଛି ତ୍ରୁଟିପୂର୍ଣ୍ଣ ପାରିବାରିକ ସମ୍ପର୍କ ଓ ସାମାଜିକ ପରିବେଶ । ମଣିଷର ସ୍ଵଭାବ ଓ ବ୍ୟକ୍ତିତ୍ୱ ଦୀର୍ଘଦିନ ଧରି ଧୀରେ ଧୀରେ ଗଢ଼ା ହେଉଥାଏ ଓ ଯୌବନରେ ସ୍ଥାୟୀତ୍ୱ ଲାଭକରେ । ତେଣୁ ସ୍ୱଭାବର ତ୍ରୁଟି ଯେତେବେଳେ ସ୍ଥାୟୀଭାବ ଧାରଣ କରି ବ୍ୟକ୍ତିତ୍ୱର ଅଙ୍ଗ ହୋଇଉଠେ ତାକୁ ଦୂର କରିବା କଷ୍ଟସାଧ୍ୟ ହୋଇଥାଏ । ଏଇଥିଲାଗି ପରିବର୍ତ୍ତୀ ଜୀବନରେ ଅପରାଧୀମାନଙ୍କ ପ୍ରତି ଯେତେ ସଦୟ ବ୍ୟବହାର କଲେ ମଧ୍ୟ ସେମାନେ ଦୀର୍ଘଦିନର ଅଭ୍ୟାସ ଭାଙ୍ଗି ନିଜର ସ୍ୱଭାବ ବଦଳେଇ ଭଲବାଟକୁ ଆସିପାରନ୍ତି ନାହିଁ । ଏଥିଲାଗି ପିଲାର ସ୍ୱଭାବର କେତେକ ତ୍ରୁଟି ଦେଖାଦେଲେ ସେଗୁଡ଼ିକୁ ଅଗ୍ରାହ୍ୟ ନ କରି ତାର ପ୍ରତିକାର କଲେ ପିଲା ଭବିଷ୍ୟତରେ ସତ୍ ପଥରେ ରହିବାର ସମ୍ଭାବନା ବଢ଼ିବ ।

 

ପିଲାଠାରେ ନିମ୍ନଲିଖିତ ଲକ୍ଷଣଗୁଡ଼ିକ ଏକାଠି ଦେଖାଦେଲେ ସେମାନଙ୍କ ପକ୍ଷରେ ବିପଥଗାମୀ ହେବାର ସମ୍ଭାବନା ବଢ଼େ ।

 

୧ । ଦୁର୍ବଳ ବିକେକ–ବୟସ ଅନୁସାରେ ପିଲାର ଭଲମନ୍ଦ ଜ୍ଞାନ ହେଇଛି ନା ନାହିଁ, ଯେଉଁ କାମଟି ମନ୍ଦ ବୋଲି ଜାଣିଛି ସେଥିରୁ ସେ ନିଜେ ନିଜକୁ ନିବୃତ୍ତ କରିପାରୁଛି ନା ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଅନ୍ୟଲୋକ ବାଧା ନ ଦେବା ପର୍ଯ୍ୟନ୍ତ ପିଲା ଯଦି ନିଷିଦ୍ଧ କାମ କରିଯାଏ, ତେବେ ତାର ବିବେକ ଅପକ୍ୱ ଓ ଦୁର୍ବଳ ରହିଛି ବୋଲି କୁହାଯିବ ।

 

୨ । ବୟସ ଅନୁସାରେ ଓ ଅନ୍ୟପିଲାଙ୍କ ତୁଳନାରେ ତାର ସ୍ୱଭାବରେ ଅତ୍ୟଧିକ ଉଗ୍ରତା, ନୃଶଂସତା ଓ ନିର୍ମମତା ଦେଖାଯାଉଛି କି ? ଯଥା–ପଶୁପକ୍ଷୀ ବା ପୋଷା ଜୀବଜନ୍ତୁଙ୍କ ପ୍ରତି ସେ କଣ ନିର୍ମମ ବ୍ୟବହାର କରେ ? ଭିକାରୀ ଦେଖିଲେ ଟେକା ପକାଏ । ଛୋଟଲୋକଙ୍କୁ ପେଲିଦିଏ ବା ଦେଖିଲେ ଖତେଇ ହୁଏ, ଇତ୍ୟାଦି ।

 

୩ । ପିଲା ବିନା କାରଣରେ ବା ଅତି ସାମାନ୍ୟ କଥାରେ ରାଗିଯାଏ କି ? ରାଗିଗଲେ ଅନ୍ୟମାନଙ୍କୁ ବାଡ଼ିଆପିଟା କରେ କି ? ଜିନିଷପତ୍ର ଫୋପଡ଼ାଫିଙ୍ଗା କରେ ? ପିଲାକୁ ଯେତେ ବୁଝେଇସୁଝେଇ କହିଲେ ବା ବିରକ୍ତ ହେଲେ ମଧ୍ୟ ସେ ରାଗ ସମ୍ଭାଳି ପାରୁନାହିଁ ?

 

୪ । ସେ ଯାହା ମାଗୁଛି ସେଇଟିକୁ ଦେବାରେ ବିଳମ୍ବ କଲେ ସେ ଅଥୟ ହୋଇ ରାଗି ପାଟିତୁଣ୍ଡ କରି ଘର କମ୍ପାଏ କି ?

 

୫ । ନିଜ ଛଡ଼ା ଆଉ କାହାର ସୁବିଧା ଅସୁବିଧା କଥା ଭାବେନାହିଁ । ଅନ୍ୟମାନଙ୍କର ଦୁଃଖଦୁର୍ଦ୍ଦଶା କଥା ଶୁଣିଲେ ତା ମନରେ ସହାନୁଭୂତିର ଉଦୟ ହୁଏନାହିଁ । ସେ ପ୍ରାୟ ଆତ୍ମ-କୈନ୍ଦ୍ରିକ ଲୋକପରି ବ୍ୟବହାର କରେ ।

 

୬ । ବିନା କାରଣରେ ତାର ମନ ଓ ମିଜାଜ୍ କ୍ଷଣକୁକ୍ଷଣ ବଦଳୁଥାଏ କି ? ଯଥା-ହସିକରି କଥାବାର୍ତ୍ତା କରୁ କରୁ ହଠାତ୍ ଗୁମ୍ ମାରି ବସିଗଲା ବା କଣ ଭାବି ରାଗିଗଲା ।

 

୭ । ଲୋଭ ସମ୍ମାଳି ରହିପାରେ କି ? ତାର ଇଚ୍ଛା ପୂରଣରେ ଅନ୍ୟଲୋକ ବାଧାଦେଲେ ସେ କ’ଣ କରେ ? ରାଗିଯାଏ ନା ସହିଯାଏ ? ତାର ଦୃଢ଼ ଆତ୍ମସଂଯମ ଅଛି କି ?

 

୮ । ଲୋକଙ୍କ ବାରିରୁ ଫଳ ପରିବା ଚୋରୀ କରିବା, ଲୋକଙ୍କ ଘରକୁ ଟେକା ପଥର ପକେଇବା, ଅନ୍ୟଲୋକଙ୍କୁ ଧମକେଇ ପଇସା ଆଦାୟ କରିବା ଭଳି କାର୍ଯ୍ୟକୁ ସେ ସାହସ ଓ ଚଲାଖି ପରିଚୟ ବୋଲି ଭାବେ କି ?

 

୯ । ଲୋକଙ୍କୁ ଠକିବାଟା ସେ ବୁଦ୍ଧିର ପରିଚୟ ବୋଲି ଭାବେ କି ?

 

୧୦ । ପିଲା କଣ ଅତିରିକ୍ତ, ପ୍ରତିହିଂସା ପରାୟଣ ? ଯଥା–ନିଜର ରାଗ ଶୁଝାଇବା ଲାଗି ସେ ଅନ୍ୟଲୋକର ପୋଖରୀରେ ବିଷ ପକାଇ ମାଛ ମାରିଦିଏ, ଗଛପତ୍ର ହାଣିଦିଏ, କ୍ଷେତରେ ଗାଈଗୋରୁ ପୂରେଇ ପନିପରିବା ନଷ୍ଟ କରିଦିଏ ଇତ୍ୟାଦି–(ଅର୍ଥାତ୍ ନିଜର ବ୍ୟକ୍ତିଗତ ଲାଭ ନ ହେଲେ ମଧ୍ୟ ଅନ୍ୟର କ୍ଷତିକରି ସେ ଖୁସି ହୁଏ କି ?)

 

୧୧ । ସମବୟସ୍କ ପିଲାଙ୍କ ସହିତ ତାର କିଭଳି ସମ୍ପର୍କ ? ତାର ସାଙ୍ଗପିଲାଙ୍କ ସଂଖ୍ୟା ବେଶୀ ନା ଶତ୍ରୁଙ୍କ ସଂଖ୍ୟା ବେଶୀ ? ସେହିପରି ଭାଇ ଭଉଣୀଙ୍କ ସହିତ ଅଧିକାଂଶ ସମୟରେ ସେ କଳିଗୋଳ ଲଗାଏ ନା କେତେ ସମୟରେ କଳିଗୋଳ ଲଗାଏ ଓ ଆଉ କେତେବେଳେ ସାଙ୍ଗସୁଖ ହୋଇ ଚଳେ ?

 

୧୨ । ପିଲା ଘରଲୋକଙ୍କ ସହିତ ମନଖୋଲି କଥାବାର୍ତ୍ତା କରେ ନା ନିଜର ପ୍ରକୃତ ମନୋଭାବ ଘରଲୋକଙ୍କଠାରୁ ଲୁଚାଏ । (ବହୁତ ପିଲା ଘରେ ନିଜର ପ୍ରକୃତ ମନକଥା ଲୁଚାନ୍ତି ଓ ଘରଲୋକ ଏବଂ ବାପାମାଆ ସେପରି ଉତ୍ତର ଶୁଣିବାକୁ ଭଲପାଆନ୍ତି, ସିଏ ସେମାନଙ୍କୁ ସେଭଳି ଉତ୍ତର ଦେଇଥାଏ । ଯଥା-ଚୋରୀ କରିବାଟା ଭାରି ଖରାପ କଥାବୋଲି ମୁହଁରେ କହିବ ମାତ୍ର ବାପାଙ୍କ ପକେଟରୁ ପଇସା ଚୋରେଇ ନେଇ ବଦ୍‍ଖର୍ଚ୍ଚ କରିବ ।)

 

୧୩ । ପିଲା ବାପାକୁ ଅବୁଝା ଲୋକ ଭାବି ସବୁବେଳେ ଆଡ଼ହେଇ ଦୂରେଇ ରୁହେ କି-?

 

୧୪ । ପିଲା ବାପାଙ୍କର ବ୍ୟବହାର ପକ୍ଷପାତପୂର୍ଣ୍ଣ ଓ ଅବିଚାରଭରା ଭାବି ବାପା ପ୍ରତି ବିଦ୍ୱେଷ ଭାବାପନ୍ନ ହୁଏ କି ?

 

୧୫ । ବାପା କିମ୍ବା ମାଆ ଶାସନ କରିବା ନାଆଁରେ ଉଠୁଣୁ ବସୁଣୁ ମାଡ଼ଗାଳି ଦେଉଥ‌ିବାରୁ ପିଲା ମନରେ ସେମାନଙ୍କ ପ୍ରତି ବିଶେଷ ଆକ୍ରୋଶର ଭାବ ରହିଛି କି ?

 

୧୬ । ପିଲା ପ୍ରାୟ ସବୁବେଳେ ଅବାଧ୍ୟ ଓ ବେଖାତିରପଣ ଦେଖାଏ କି ?

 

୧୭ । ଘରଲୋକ ତାକୁ ଶାସନ କରିବା ପରିବର୍ତ୍ତେ ସେ ଘରଲୋକଙ୍କୁ ଧମକେଇ ଜୋର ଜବରଦସ୍ତି କରି ନିଜ ମନଇଚ୍ଛା କାମ କରୁଥାଏ କି ?

 

୧୮ । କୌଣସିଠାରେ ଗଣ୍ଡଗୋଳ ଆରମ୍ଭ ହେଲେ ପିଲା ଉପରେ ପଡ଼ି ମାଡ଼ପିଟ କରେ କି ?

 

୧୯ । ଅନ୍ୟମାନଙ୍କ ପ୍ରତି ତା ମନରେ ଅକାରଣ ରାଗ, ଆକ୍ରୋଶ ଓ ବିଦ୍ୱେଷର ଭାବ ପୂରି ରହିଥାଏ କି ? ଅର୍ଥାତ୍ ଯେଉଁ ଲୋକଙ୍କୁ ସେ ଚିହ୍ନିନାହିଁ ବା ଜାଣିନାହିଁ ବା ଯିଏ ତାହାର କୌଣସି କ୍ଷତି କରିନାହିଁ ସେପରି ଲୋକଙ୍କ ପ୍ରତି ତା ମନରେ ଆକ୍ରୋଶର ଭାବ ଥାଏ କି ?

 

୨୦ । ଯେ କୌଣସି କର୍ତ୍ତୃସ୍ଥାନୀୟ ଲୋକଙ୍କୁ ସେ ବିରୋଧୀପକ୍ଷ ବୋଲି ଭାବେ କି ?

 

ଏହି ଲକ୍ଷଣଗୁଡ଼ିକ ବାଲ୍ୟ ଓ କୈଶୋରରେ ଯାହାଠାରେ ଦେଖାଯିବ ତା’ର ସ୍ଵଭାବ ଓ ବ୍ୟକ୍ତିତ୍ଵରେ ତ୍ରୁଟି ରହୁଛି ବୋଲି ଜାଣିବା ଦରକାର । ଯାହାଠାରେ ଏଥିମଧ୍ୟରୁ ଅଧିକାଂଶ ଲକ୍ଷଣ ଏକାଠି ଠୁଳ ହୋଇଥାଏ ସେପରି ପିଲାର ସମସ୍ୟା ରହିଛି ବୋଲି କୁହାଯିବ । ଏଭଳି ପିଲା ଅପରାଧ କରିବା ପାଇଁ ପ୍ରବର୍ତ୍ତନା ପାଇଲେ ସହଜରେ ସେ ବାଟରେ ଆଗେଇ ଯିବ । ସେଥିଲାଗି ମୂଳରୁ ପିଲାର ସ୍ଵଭାବରେ ଯେପରି ଏଇସବୁ ତ୍ରୁଟି ଦେଖା ନ ଯାଏ ସେଥିପ୍ରତି ଯତ୍ନବାନ ହେବା କଥା ।

 

ପିଲାର ସ୍ଵଭାବରେ ଏଇସବୁ ତ୍ରୁଟି କାହିଁକି ଦେଖାଯାଏ ? ଏମାନେ ଜାଣିଶୁଣି ଖରାପ ବାଟରେ ଯାଉଛନ୍ତି ନା ପାରିବାରିକ ଓ ସାମାଜିକ କାରଣରୁ ଏପରି ହୋଇଛି ? ପିଲାର ଅବାଞ୍ଛିତ ସ୍ଵଭାବ ଯୋଗୁଁ ଅଭିଭାବକ, ପିଲା ନା ପରିସ୍ଥିତି ଦାୟୀ?

 

କାହା ଦୋଷରୁ ପିଲା ବିପଥଗାମୀ ହେଉଛି ସେ ବିଷୟ ନେଇ ମନୋବିଜ୍ଞାନୀମାନେ ସେତେ ଚିନ୍ତା କରନ୍ତି ନାହିଁ । କ’ଣ କଲେ ଏଇ ଦୋଷର ସଂଶୋଧନ ହେବ ସେ ଉପାୟ ବାହାର କରିବା ହେଲା ସେମାନଙ୍କର ମୂଳ ଲକ୍ଷ୍ୟ । ତେଣୁ ପିଲାର ଅସମ୍ଭାଳ ରାଗ ଯଦି–

 

(କ) ଶାରୀରିକ ତ୍ରୁଟି ଯୋଗୁଁ ହେଉଥାଏ, ତେବେ ଔଷଧ ପ୍ରୟୋଗ କରି ପିଲାର ରାଗ କମାଇ ତା’ର ମନ ପ୍ରଶାନ୍ତ ରଖିବାକୁ ସେମାନେ ଚେଷ୍ଟା କରିବେ ।

 

(ଖ) ସଂଯମ ଶିକ୍ଷା ଅଭାବରୁ ଯଦି ଏପରି ହେଇଥାଏ, ତେବେ ବାପା ମାଆ କିପରି ପିଲାକୁ ସୁସଂଯତ ଓ ଶୃଙ୍ଖଳା ପରାୟଣ କରିବେ ସେ ବିଷୟରେ ସେମାନଙ୍କୁ ଶିକ୍ଷା ଦେବେ ।

 

(ଗ) ବାପା ମାଆ ପିଲାକୁ ରାଗି ଅସମ୍ଭାଳ ହୋଇ ବାଡ଼ଉଥିବାରୁ ପିଲା ସେମାନଙ୍କୁ ଅନୁକରଣ କରି ଯଦି ଅସମ୍ଭାଳ ଭାବରେ ରାଗୁଥାଏ ତେବେ ସେଭଳି ପରିସ୍ଥିତିର ସଂଶୋଧନ କରିବେ ।

 

(ଘ) ପିଲାର ଅସମ୍ଭାଳ ରାଗ ଦେଖି ଯଦି ସମସ୍ତେ ତାକୁ ଡରି କଥା ମାନି କାମ କରନ୍ତି, ତେବେ ସେ ଏଭଳି ବେଶୀ ବେଶୀ ରାଗିବ । ଏପରି କ୍ଷେତ୍ରରେ ପିଲାର ରାଗକୁ ବେଖାତିର କରି କିଭଳି ସେ ରାଗ କମେଇବ ସେ କଥା ତାକୁ ମନୋବିଜ୍ଞାନୀ ଶିଖାଇବେ ।

 

ଏଥିଲାଗି ଅପରାଧମୂଳକ ବ୍ୟବହାରର ଶାରୀରିକ, ମାନସିକ ଓ ସାମଜିକ କାରଣ ନିରୂପଣ କରିବାକୁ ମନୋବିଜ୍ଞାନୀମାନେ ଚେଷ୍ଟା କରନ୍ତି । ଯାହାର ଶାରୀରିକ ତ୍ରୁଟି ରହିଛି ତାକୁ ଯେତେ ଭଲ କଥା ଶିଖେଇଲେ ବା ସ୍ନେହ ଆଦର କଲେ ସେ ଭଲ ବାଟକୁ ଆସିବ ନାହିଁ । ସେହିପରି ଯାହାର ସମସ୍ୟା ମୂଳତଃ ପାରିବାରିକ କାରଣରୁ ହେଉଛି ତାକୁ ଯେତେ ଔଷଧ ଖୁଆଇଲେ ସୁଦ୍ଧା ତା’ର ସ୍ୱଭାବଗତ ତ୍ରୁଟି ଉଭେଇ ଯିବ ନାହିଁ । ସେହିପରି ସୁସ୍ଥ ଓ ସ୍ଵାଭାବିକ ଲୋକ ଅର୍ଥନୈତିକ ଓ ସାମାଜିକ କାରଣ ଯୋଗୁଁ ଅପରାଧ ଓ ଦୁର୍ନୀତିର ପଥ ବରଣ କରୁଛନ୍ତି । ଯେଉଁ ପିଲା ବିନା ଟିକେଟରେ ଟ୍ରେନ୍‌ରେ ଯିବା ଆସିବା କରୁଛି ବା ପରୀକ୍ଷାରେ କପି କରୁଛି ସେ ବିଦେଶ ଯାଇ ଅନ୍ୟ ସମାଜରେ ଚଳିଲାବେଳେ ଏପରି କରୁନାହିଁ । କାରଣ ସମାଜର ଅଧିକାଂଶ ଲୋକ ଯାହା କରନ୍ତି, ସେ କାମ ଅନୀତି ହେଲେ ମଧ୍ୟ ଲୋକେ ତାକୁ ଗୁରୁତର ଅନୀତି ବୋଲି ଭାବନ୍ତି ନାହିଁ । ଯେଉଁ ବ୍ୟବହାର ଅଧିକାଂଶ ଲୋକ ବରଦାସ୍ତ କରନ୍ତି ସେ ବ୍ୟବହାର କାଳକ୍ରମେ ସମାଜରେ ସ୍ୱୀକୃତି ପାଇଥାଏ । ଏ କ୍ଷେତ୍ରରେ ସାମାଜିକ ପରିସ୍ଥିତି ନ ବଦଳିଲା ପର୍ଯ୍ୟନ୍ତ ବିପଥଗାମୀ ଲୋକଙ୍କୁ ଉପଦେଶ ଦେଇ ବା ଶାସନ କରି ଠିକ୍ ବାଟକୁ ଆଣିବା କଷ୍ଟକର ।

 

ଏହିସବୁ କାରଣରୁ ପିଲାର ଅପରାଧ ପ୍ରବଣତାର କାରଣ ନିରୂପଣ ଓ ପ୍ରତିକାର କରିବାକୁ ହେଲେ ବିଶେଷଜ୍ଞ ମନୋବିଜ୍ଞାନୀଙ୍କର ସାହାଯ୍ୟ ଦରକାର । ଅନଭିଜ୍ଞ ଲୋକଙ୍କ ପକ୍ଷରେ ଏକୁଟିଆ ଏ ସମସ୍ୟାର ସମାଧାନ କରିବା କଷ୍ଟସାଧ୍ୟ । ମାତ୍ର ସେମାନେ ଏଭଳି ସମସ୍ୟା ଉଦୟ ହେବା ପୂର୍ବରୁ ଯଦି ପିଲାର ଯତ୍ନ ନିଅନ୍ତି, ତେବେ ବହୁ କ୍ଷେତ୍ରରେ ପିଲାଠାରେ ଏଭଳି ସମସ୍ୟା ଦେଖାଯିବ ନାହିଁ ।

 

ପିଲାର ସ୍ୱଭାବରେ ତ୍ରୁଟି ଦେଖାଦେବାର ପ୍ରଧାନ କାରଣ ହେଉଛି ୧। ଅସ୍ଵାଭାବିକ ଓ ତ୍ରୁଟିପୂର୍ଣ୍ଣ ପାରିବାରିକ ସମ୍ପର୍କ, ୨। ଭୁଲ ତତ୍ତ୍ୱାବଧାନ ଓ ସଂସର୍ଗର ଦୋଷ ।

 

ଯେଉଁ ପିଲମାନେ ଅପରାଧ କରି ଧରା ପଡ଼ିଛନ୍ତି ସେମାନଙ୍କୁ ପରୀକ୍ଷାକରି ଦେଖାଯାଇଛି ଯେ ସ୍ତ୍ରୀଲୋକ ତୁଳନାରେ ପୁରୁଷ ଅପରାଧୀଙ୍କର ସଂଖ୍ୟ ବେଶୀ । (ସ୍ତ୍ରୀଲୋକଙ୍କର ଗତିବିଧିର ସୀମା ଘର ଭିତରେ ଆବଦ୍ଧ ଥିବାରୁ ସେମାନଙ୍କ ମଧ୍ୟରେ ଅପରାଧୀଙ୍କ ସଂଖ୍ୟା କମ୍) ସେଥିଲାଗି ବାପା ଓ ପୁଅର ସମ୍ପର୍କ ବିଶ୍ଳେଷଣ ଯେତେ ବ୍ୟାପକ ଭାବରେ ହେଉଛି “ମା ଓ ଝିଅ” କିମ୍ବା “ବାପା ଓ ଝିଅ”ର ସମ୍ପର୍କର ବିଶ୍ଳେଷଣ ସେପରି ଭାବରେ ହୋଇନାହିଁ ।

 

କେତେକ କ୍ଷେତ୍ରରେ ବାପା ଅପରାଧୀ ହେଇଥିବାରୁ ଏଭଳି ବ୍ୟବହାର ଶିଖାଇଥାଏ । ମାତ୍ର ଅଧିକାଂଶ କ୍ଷେତ୍ରରେ ବାପା ପୁଅକୁ ଶାସନ କରିବା ଉଦ୍ଦେଶ୍ୟରେ ଶାରୀରିକ ଉତ୍ପୀଡ଼ନ କରୁଥିବାରୁ ପିଲାଠାରେ ପ୍ରତିହିଂସା ପରାୟଣତା ଆକ୍ରୋଶ, ବିଦ୍ୱେଷ ଓ ସମାଜବିରୋଧୀ ମନୋଭାବ ବିଶେଷ ପରିମାଣରେ ଦେଖିବାକୁ ମିଳେ । (ବାପା ଛଡ଼ା ବାପାର ପ୍ରତିନିଧି ଅନ୍ୟ ଅଭିଭାବକ ଯଦି ଏପରି ବ୍ୟବହାର କରନ୍ତି, ତେବେ ପିଲାଠାରେ ଏକାପ୍ରକାର ତ୍ରୁଟି ଦେଖାଦିଏ ।) ପରବର୍ତ୍ତୀ ଜୀବନରେ ବାପା ପ୍ରତି ପିଲାର ଏଇ ବିଦ୍ୱେଷପୂର୍ଣ୍ଣଭାବ ଯେ କୌଣସି କର୍ତ୍ତୃସ୍ଥାନୀୟ ବ୍ୟକ୍ତି ପ୍ରତି ସଂକ୍ରାମିତ ହୁଏ । ସେଭଳି ଲୋକ ତା ପ୍ରତି ଭଲ ବ୍ୟବହାର କଲେ ସୁଦ୍ଧା ପୂର୍ବ ଅଭିଜ୍ଞତାର ତିକ୍ତତା ଯୋଗୁ ଏହିସବୁ ବୟସ୍କ ଲୋକଙ୍କୁ ବିଦ୍ୱେଷ ଓ ସନ୍ଦେହପୂର୍ଣ୍ଣ ମନ ନେଇ ବିଚାର କରେ ।

 

ଯଦି ବାପା ସହିତ ତାର ଏପରି ସମ୍ପର୍କ ସ୍ୱଳ୍ପସ୍ଥାୟୀ ହୋଇଥାଏ, ତେବେ ବାପାର ବ୍ୟବହାର ବଦଳିଲେ ପୁଅ କିଛିଦିନ ପରେ ଧୀରେ ଧୀରେ ବଦଳିବାକୁ ଆରମ୍ଭ କରେ । ମାତ୍ର ଯଦି ଦୀର୍ଘକାଳ ଧରି ବାପା ଓ ପୁଅ ଏଭଳି ଚଳି ଆସିଥାଆନ୍ତି ତେବେ ସେମାନଙ୍କର ପରସ୍ପର ପ୍ରତି ବ୍ୟବହାର ବଦଳେଇବା କଷ୍ଟକର ହୁଏ ଓ ପୁଅଠାରେ ଅନ୍ୟାନ୍ୟପ୍ରକାର ସମସ୍ୟା ଦେଖାଦିଏ ।

 

ଏଠି ପ୍ରଶ୍ନ ଉଠିବ ପିଲାକୁ ନ ବାଡ଼େଇ କିପରି ମଣିଷ କରିବ ?

 

(୧) ଦେଖାଯାଇଛି ଯେ ନିଜର ମିଜାଜ୍ ଖରାପ ଥିଲେ ଲୋକେ ପିଲାଙ୍କୁ ବାଡ଼ାନ୍ତି । ପିଲାର ଦୋଷଗୁଣ ଅପେକ୍ଷା ବାପାମାଆଙ୍କର ମାନସିକ ଅବସ୍ଥା ଉପରେ ପିଲାର ମାଡ଼ ଖାଇବାଟା ବହୁ ପରିମାଣରେ ନିର୍ଭର କରେ ।

 

(୨) ଆହୁରି ଜଣାଯାଇଛି ଯେ କେଉଁ ବୟସରେ ପିଲା କିଭଳି ବ୍ୟବହାର କରେ ସେକଥା ଅନେକେ ଜାଣି ନଥିବାରୁ ପିଲାର କେତେକ ସ୍ୱାଭାବିକ ବ୍ୟବହାରକୁ ସେମାନେ ବଦ୍‍ମାସୀ ବୋଲି ଭାବନ୍ତି ଓ ସେଭଳି ବ୍ୟବହାର ଦେଖିଲେ ମାରନ୍ତି । ଯଥା–ଛଅମାସିଆ ପିଲା ଅଥୟ ହୋଇ କାନ୍ଦିବାରୁ ମା ଭାବେ ଯେ ତାକୁ ହଇରାଣ କରିବାଲାଗି ପିଲା ସେମିତି କାନ୍ଦୁଛି । ସେଠୁ ସେ ପିଲାକୁ ବାଡ଼ାଏ । ଏଭଳି ଶାସନର କୁଫଳ ଅତି ଜଣାଶୁଣା ।

 

(୩) ପିଲାଙ୍କୁ କେମିତି ଚଳେଇବାକୁ ହବ ସେକଥା ବାପାମାଆଙ୍କୁ କେହି କେବେ ଶିଖାଇ ନାହିଁ । ଯେଉଁମାନେ ଧୈର୍ଯ୍ୟଶୀଳ, ସ୍ନେହପରାୟଣ, ଓ ବିଚାରବାନ୍ ସେମାନେ ଆପେ ଆପେ ପିତାମାତା ସୁଲଭ ଗୁଣଗୁଡ଼ିକ ଆୟତ୍ତକରି ପିଲାକୁ ଭଲଭାବରେ ବଢ଼ାନ୍ତି । ବହୁ ଲୋକଙ୍କ ପାଖରେ ଏ ଗୁଣଗୁଡ଼ିକ ସ୍ଵତଃସ୍ଫୂର୍ତ୍ତ ଭାବରେ ଦେଖାଦିଏ ନାହିଁ । ସେଭଳି ଲୋକ ପିଲାର ତତ୍ତ୍ଵାବଧାନ କରି ନପାରି ବିରକ୍ତ ହୋଇ ଶାସନ କରିବା ନାଆଁରେ ପିଲାଙ୍କୁ ନିର୍ଯ୍ୟାତନା କରନ୍ତି । ବିଶେଷକରି ଏମାନେ ପିଲାଠାରୁ ଅବାସ୍ଥବ ଭଲ ବ୍ୟବହାର ଆଶା କରୁଥିବାରୁ ପିଲାଠାରେ ସାମାନ୍ୟ ଦୁଷ୍ଟାମୀ ଦେଖିଲେ ତାକୁ ମାରନ୍ତି । ପିଲା ମାଡ଼ ଖାଇ ଖାଇ ମାଡ଼ୁଆ ହେଇଯାଏ ଓ ପରେ ମାଡ଼ଗାଳି ନ ଖାଇଲେ କଥା ଶୁଣେନାହିଁ । ତେଣୁ ବୟସ ଅନୁସାରେ ପିଲାର କିଭଳି ବ୍ୟବହାର ସ୍ୱାଭାବିକ ଓ ପ୍ରତ୍ୟାଶିତ ସେକଥା ବାପାମାଆଙ୍କର ଜାଣିବା କଥା । ବାଘୁଣୀ ମାଆ ପିଲାର ଦୁଷ୍ଟାମୀ ଦେଖିଲେ ତାକୁ ଦାନ୍ତରେ କାମୁଡ଼ି ଅନ୍ୟସ୍ଥାନକୁ ନେଇଯାଏ । ଯଦି ବହୁତ ଆସ୍ତେ କାମୁଡ଼ିବ, ତେବେ ପିଲା ଖସି ପଳାଇବ ଓ ଯଦି ଜୋରେ କାମୁଡ଼ିବ ପିଲା ଖଣ୍ଡିଆ ହେଇଯିବ । ସେହିପରି ମଣିଷ ପିଲାକୁ ଶାସନ କରିବା କଥା । ଅତି ହୁଗୁଳା ଶାସନ ହେଲେ ପିଲା କିଛି ଶିଖିବ ନାହିଁ । ଅତି କଡ଼ା ଶାସନ ହେଲେ ପିଲାର ମନ କ୍ଷତବିକ୍ଷତ ହେଇ ବିକୃତ ହେଇଯିବ । କେତେକ ଅପରାଧୀ ଯେପରି କଠୋର ନିପୀଡ଼ନ ସହି ବଢ଼ନ୍ତି ସେପରି ଆଉ କେତେକ ବିନା ଶାସନରେ ବେମୁରୁବିଆ ହୋଇ ବଢ଼ନ୍ତି । ସେମାନଙ୍କର ବିଭିନ୍ନ ଦୁର୍ଗୁଣକୁ ବାପା ମାଆ ପ୍ରଶ୍ରୟ ଦିଅନ୍ତି ଓ ଅନେକ ସମୟରେ ଅନ୍ୟମାନଙ୍କଠାରୁ ମଧ୍ୟ ଲୁଚାନ୍ତି । ଏପରି ଭାବରେ ବଢ଼ିଥିବା ପିଲାର ସଂଯମ ବା ଶୃଙ୍ଖଳାବୋଧ ବଢ଼େନାହିଁ । ବିଶେଷକରି ସେମାନଙ୍କର ମନରେ ନ୍ୟାୟ ଓ ଅନ୍ୟାୟର ସୀମାରେଖା ସୁସ୍ପଷ୍ଟ ହେଇ ଉଠେନାହିଁ । ସେମାନେ ଭାବନ୍ତି ଲୁଚେଇ ଅନ୍ୟାୟ କଲେ କିଛି କ୍ଷତି ନାହିଁ । ଲୋକଲଜ୍ଜା ଓ ଅନ୍ୟାନ୍ୟ ଶାସ୍ତି ଭୟରେ ସେମାନେ ନିଜର ଦୁର୍ନୀତି ଗୋପନ କରିବାକୁ ଶିଖନ୍ତି । ମାତ୍ର ଏଥିରୁ ନିବୃତ୍ତ ହେବାକୁ ଶିଖନ୍ତି ନାହିଁ । ଆମ ଦେଶରେ ପିଲା ପରୀକ୍ଷାରେ କପି କରିବାଠାରୁ ଆରମ୍ଭ କରି, ବିନା ଟିକେଟରେ ଟ୍ରେନ ବସରେ ଯିବାଆସିବା କରିବା ପଇସା ନ ଦେଇ ଦୋକାନରୁ ଛୋଟିଆ ଜିନିଷ ଉଠେଇ ଆଣିବା ଇତ୍ୟାଦି ଅପରାଧକୁ ଅଧିକାଂଶ “ଅପରାଧ” ବୋଲି ଭାବନ୍ତି ନାହିଁ । “ସମସ୍ତେ ତ ଏଇଆ କରୁଛନ୍ତି, ମୁଁ କାହିଁକି କରିବି ନାହିଁ”-ଏହି ହେଲା ସେମାନଙ୍କର ମନୋଭାବ । ଯଦି ସେମାନେ ନିଜ ସମାଜରେ ବା ପରିବାରରେ ଏପରି କାମ କରି ନିନ୍ଦା ଓ ଲୋକଲଜ୍ଜା ପାଉଥାଆନ୍ତେ, ତେବେ ନିହାତି ଖରାପ ଅବସ୍ଥାରେ ନ ପଡ଼ିଲେ ଏସବୁ କାର୍ମ କରନ୍ତେ ନାହିଁ । ଥରେ ମଣିଷର ଅଭ୍ୟାସ ଖରାପ ହେଇଗଲେ ତାକୁ ଜେଲ, ଜୋରିମାନା ଇତ୍ୟାଦିର ଭୟ ଦେଖାଇ ନିବୃତ୍ତ କରିବା କଷ୍ଟ । ଅଧିକାଂଶ ଲୋକ ନିଜକୁ ନିଜେ ନିବୃତ୍ତ କରନ୍ତି । ପୋଲିସ୍ ସାହାଯ୍ୟ ଦ୍ୱାରା ଯଦି ପ୍ରତିଟି ଲୋକକୁ ଅନ୍ୟ କାମରୁ ନିବୃତ୍ତ କରିବାକୁ ପଡ଼େ ତେବେ ସେ କ୍ଷେତ୍ରରେ ଅରାଜକତା ଦେଖାଦେବ । ପ୍ରଥମତଃ, ଜଗିବା ପାଇଁ ଏତେ ପୋଲିସ ଆସିବେ କେଉଁଠାରୁ ? ଦ୍ଵିତୀୟରେ ନିଜ ସମାଜର ଲୋକଙ୍କୁ ପୋଲିସ କଲେ ସେମାନେ ତ ନିଜେ ଦୁର୍ନୀତିଗ୍ରସ୍ତ ହେଇଥିବେ, ତେଣୁ ଜଗିବେ କାହାକୁ ? ଏଥିଲାଗି ସବୁ ସମାଜରେ ମଣିଷ ଜୀବନର ବିବେକର ବିକାଶକୁ ଏତେ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଏ । ଅପରାଧପ୍ରବଣ ଚରିତ୍ରର ପ୍ରଧାନ ଲକ୍ଷଣ ହେଉଛି “ବିବେକ ବନ୍ଧନହୀନତା” । ପରିବାର ଓ ସମାଜର ତ୍ରୁଟି, ଯୋଗୁଁ ହିଁ ପିଲାର ବିବେକର ବିକାଶ ବାଧାପ୍ରାପ୍ତ ହୋଇଥାଏ ।

 

ବିବେକର ବିକାଶରେ ଶାସନର ଅଭାବ ଯେପରି ଗୋଟାଏ ପ୍ରଧାନ ଅନ୍ତରାୟ, ସେହିପରି ଯେଉଁ ପିଲା ଅନ୍ୟାୟ ଓ ଅବିଚାର ସହି ବଡ଼ ହୁଏ ତା’ଠାରେ ମଧ୍ୟ ନ୍ୟାୟ-ଅନ୍ୟାୟବୋଧର ଅଭାବ ଦେଖାଯାଏ । ପରିବାର ବା ସମାଜର ଶାସନକୁ ସେ ଅନ୍ୟାୟ ଅତ୍ୟାଚାର ବୋଲି ମଣୁଥ‌ିବାରୁ ସେମାନଙ୍କର ଆଚରିତ ନ୍ୟାୟନୀତି ପ୍ରତି ତାର ବିରୂପ ମନୋଭାବ ଜନ୍ମେ । କେତୋଟି ଉଦାହରଣ ଦେଉଛି-

 

ଘର କଳିରେ ଯେଉଁ ପିଲା ବାପା ପଟ ନେଇ ପଦେ କହିଲା, ମାଆ ସେ ପିଲା ଉପରେ ବିରକ୍ତ ହୋଇ ରୁହେ । ଅନ୍ୟବେଳେ ପିଲାର ଦୋଷ ନଥିଲେ ମଧ୍ୟ ମାଆ ତାକୁ ଅକାରଣରେ ଗାଳିଦିଏ । ସ୍ଵାମୀକୁ ତ କିଛି କହିହେବ ନାହିଁ, ତେଣୁ ପିଲାକୁ ବାଡ଼େଇ ପରୋକ୍ଷ ଭାବରେ ସ୍ଵାମୀ ମନରେ କଷ୍ଟ ଦିଏ । ଯେଉଁଠି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଥାଏ, ସେଠି ପିଲାମାନେ ଏହି ଭାବରେ ଲାଞ୍ଛିତ ହୁଅନ୍ତି । କାରଣ କେତେକ ବାପା ମଧ୍ୟ ସ୍ଵୀ ଉପରେ ନିଜର ରାଗ ଶୁଝାଇବା ଲାଗି ଯେଉଁ ପିଲାଟି ସ୍ତ୍ରୀର ପ୍ରିୟ, ସେହି ପିଲାଟିକୁ ବେଶୀ ଛି-ଛାକର କରି କଥା କୁହନ୍ତି । ଅଳ୍ପ ଦୋଷରେ କଠିଣ ଶାସ୍ତି ଦିଅନ୍ତି ଓ ସ୍ତ୍ରୀ ଯୋଗୁଁ ପିଲା ଖରାପ ହେଇଯାଉଛି ଏକଥା ସମସ୍ତଙ୍କୁ ସବୁବେଳେ କୁହନ୍ତି । ଏଇ ଅବସ୍ଥାରେ ଏଭଳି ବାପାମାଆଙ୍କଠାରୁ ଉପଦେଶ ବା ନୀତିଶିକ୍ଷା ପାଇଲେ ପିଲା ସେ ଶିକ୍ଷା ଗ୍ରହଣ କରିବ କି ?

 

ଆମ ଦେଶରେ ଅନେକ ପିଲା ଆତ୍ମୀୟସ୍ୱଜନଙ୍କ ପାଖରେ ରହି ପାଠ ପଢ଼ନ୍ତି । ସେଠି ଦେଖାଯାଏ ଯେ ଘର ପିଲା ପ୍ରତି ଗୋଟାଏ ନିୟମ ଲାଗୁ ହେଉଛି ଓ ପର ପିଲା ଅର୍ଥାତ୍ ଆତ୍ମୀୟ ପିଲା ପ୍ରତି ଆଉ ଗୋଟାଏ ନିୟମ । ପିଲାମାନେ ଦୋଷ କଲେ ପରପିଲାକୁ ସମସ୍ତେ ବେଶୀ ଦୋଷ ଦିଅନ୍ତି । ଅନେକ ସମୟରେ ଘରପିଲାଙ୍କ ଦୋଷ ଯୋଗୁଁ ସେ ନିଜର ଦୋଷ ନଥାଇ ମଧ୍ୟ ମାଡ଼ ଗାଳି ଖାଏ । ତାର କୁ-ପ୍ରଭାବ ଯୋଗୁଁ ଘରପିଲା ଖରାପ କଥା ଶିଖୁଛନ୍ତି ଏକଥା ତାକୁ ବାରମ୍ୱାର ଶୁଣିବାକୁ ପଡ଼େ । ଏହିଭଳି ପରିବେଶରେ ଯେଉଁପିଲା ଦୀର୍ଘକାଳ ରହି ବଡ଼ ହୁଏ ତାର ବଡ଼ମାନଙ୍କର ସୁବିଚାର ଉପରେ ବିଶ୍ୱାସ ତୁଟିଯାଏ । ପିଲାଦିନୁ ସେମାନେ ବଡ଼ ମଣିଷମାନଙ୍କୁ ଅବିଚାରୀ ଓ ଅତ୍ୟାଚାରୀ ବୋଲି ଜାଣନ୍ତି । ଫଳରେ ସେମାନଙ୍କର ଉପଦେଶ ଓ ନୀତିଶିକ୍ଷା ଗ୍ରହଣ କରନ୍ତି ନାହିଁ ବରଂ ସେମାନଙ୍କ କାର୍ଯ୍ୟକୁ ଅନୁକରଣ କରି ଅବିଚାରୀ ଓ ଅତ୍ୟାଚାରୀ ହୋଇ ବଢ଼ନ୍ତି-। ବଡ଼ମାନଙ୍କର ମୌଖିକ ଉପଦେଶ ଅପେକ୍ଷା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଓ ସେମାନଙ୍କର ଚଳଣୀ ପିଲାଙ୍କୁ ବେଶୀ ପ୍ରଭାବିତ କରେ ।

 

ବହୁ ପରିବାରରେ ପିଲାଙ୍କୁ ଭଲ ବାଟରେ ନେବାଲାଗି ଓ ଭଲ ହେବାଲାଗି ମୌଖିକ ଉପଦେଶ ଦିଆଯାଏ । ମାତ୍ର ଘରଲୋକ ଯଦି ଲାଞ୍ଚ ଖାଆନ୍ତି, ଭୁଲ ହିସାବ ଦେଇ ସରକାରୀ ପଇସା ଠକିନିଅନ୍ତି, ଲାଞ୍ଚ ଦେଇ ପିଲାର ପରୀକ୍ଷା ନମ୍ବର ବଢ଼ାନ୍ତି, ତେବେ ପିଲା ଏସବୁ ଅନ୍ୟାୟ କାମ କରିବାକୁ ମନ ବଳାଇବ । ଏଥିଲାଗି ପିଲାକୁ ଶୁଆପରି ନୀତିବାକ୍ୟ ଘୋଷିବାକୁ କହିଲେ କିଛି ଫଳ ହୁଏନାହଁ ବା ପିଲାକୁ ଦେଖିଲା ମାତ୍ରକେ ଉପଦେଶ ଦେଲେ କିଛି ଲାଭ ହୁଏନାହିଁ । ଯେଉଁମାନେ ପିଲାର ଘନିଷ୍ଠ ସମ୍ପର୍କରେ ଆସନ୍ତି ସେମାନଙ୍କୁ ଅନୁକରଣ କରି ପିଲା ଶିଖେ । ବାପା, ମାଆ, ଶିକ୍ଷକ ଓ ଅନ୍ୟାନ୍ୟ ଗୁରୁଜନଙ୍କର (ଯାହା ପାଖରେ ସେ ଅଧିକାଂଶ ସମୟ କଟାଏ) ପ୍ରଭାବ ଏଥିଲାଗି ପିଲାର ସ୍ଵଭାବରେ ଗଭୀର ରେଖାପାତ କରେ । ଯେଉଁଠି ବଡ଼ମାନେ ଦୁର୍ନୀତି ଓ ଅପରାଧଗ୍ରସ୍ତ ସେଠି ପିଲାଙ୍କୁ ସୁଧାରିବା କଷ୍ଟ୍ରକର । ଏପରି କ୍ଷେତ୍ରରେ ପିଲାର ସ୍ଵଭାବ ବଦଳେଇବାକୁ ହେଲେ ପିଲାର ପରିବେଶ ବଦଳାଇବା ଦରକାର । ବଡ଼ମାନେ ଯଦି ସାବଧାନ ହୋଇ ନିଜର ବ୍ୟବହାର ସଂଶୋଧନ କରନ୍ତି ତେବେ ପିଲାର ପରିବେଶ ବଦଳିବ । ନଚେତ୍ ଅନ୍ୟ କୌଣସି ଆଦର୍ଶବାନ, ସହୃଦୟ ଓ ବିବେଚକ ଲୋକର ଘନିଷ୍ଠ ସମ୍ପର୍କରେ ପିଲା ଆସିଲେ ସେ ହୁଏତ ଆଦର୍ଶବାନ ଲୋକର ପନ୍ଥା ଅନୁସରଣ କରିବାକୁ ମନ ବଳାଇବ । ସୋଭିଏଟ ଶିକ୍ଷାବିତ୍ ମାକାରେଙ୍କୋ ତାଙ୍କର “ରୋଡ ଟୁ ଲାଇଫ” ବହିରେ କିପରି କିଶୋର ଅପରାଧୀମାନଙ୍କୁ ପୁନର୍ବାସନ କଲେ ସେକଥା ବିସ୍ତୃତ ଭାବରେ ଲେଖିଛନ୍ତି । ସେ ବହିରୁ ଜଣାଯାଏ ଯେ ତାଙ୍କ ଅନୁଷ୍ଠାନର ସାଫଲ୍ୟ ଦୁଇଟି ବିଷୟ ଯୋଗୁଁ ସମ୍ଭବ ହୋଇଛି ।

 

୧ । ଅନୁଷ୍ଠାନର ସୁସଂହତ ଓ ସୁଶୃଙ୍ଖଳ ପରିବେଶରେ ରହି ନୂଆ ଆଦର୍ଶ ଅନୁସାରେ ଜୀବନକୁ ଗଢ଼ି ତୋଳିବାର ସୁଯୋଗ ଏବଂ

 

୨ । ମାକାରେଙ୍କୋଙ୍କ ସହିତ ଛାତ୍ରମାନଙ୍କର ଅକପଟ ସ୍ନେହପୂର୍ଣ୍ଣ ସମ୍ପର୍କ । ସେ ନିଜର ନିରପେକ୍ଷତା, ସହୃଦୟତା, ବୁଝାମଣା ଓ ଦୃଢ଼ଶାସନ ଦ୍ୱାରା ଅପରାଧୀ ପିଲାମାନଙ୍କର ହୃଦୟ ଜୟ କରି ସେମାନଙ୍କୁ ନୂଆ ବାଟରେ ଯିବା ପାଇଁ ପ୍ରଣୋଦିତ କରି ପାରିଥିଲେ । ଯେଉଁ ଶିକ୍ଷକ ପିଲାଙ୍କର ଶ୍ରଦ୍ଧା ଓ ବିଶ୍ୱାସଭାଜନ ନୁହେଁ, ସେ ଯେତେ ଚେଷ୍ଟା କଲେ ମଧ୍ୟ କେବଳ ଅନୁଷ୍ଠାନ ଜରିଆରେ ପିଲାଙ୍କୁ ଭଲବାଟକୁ ଆଣି ପାରିବ ନାହିଁ ।

 

ଏଥିଲାଗି ଆମ ଦେଶରେ ଯଦି ବିପଥଗାମୀ ଉଚ୍ଛୃଙ୍ଖଳ ଓ ଅପରାଧୀ ପିଲାଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷାନୁଷ୍ଠାନ ତିଆରି କରାଯାଏ, ତେବେ ସେଠି ବିଶେଷ ତାଲିମପ୍ରାପ୍ତ ଶିକ୍ଷକ ରଖିବା ଦରକାର । କାରଣ ଏପରି ପିଲାଙ୍କୁ ଚିରାଚରିତ ପ୍ରଥାରେ ଉପଦେଶ ଦେଇ ବା ବାଡ଼େଇ ଠିକ୍ ବାଟକୁ ଆଣି ହେବ ନାହିଁ । ଏପରି ପିଲା ଆତ୍ମ-ଶାସନ କରିବାକୁ ଶିଖି ନ ଥିବାରୁ ବିପଥଗାମୀ ହୋଇଥାଆନ୍ତି । ତେଣୁ ସେ ଶିକ୍ଷା ତାଙ୍କର ପ୍ରଥମେ ଦରକାର । ସବୁବେଳେ ଅନ୍ୟ ଦ୍ୱାରା ଶାସିତ ହେଲେ ଏ ଶିକ୍ଷା ହବ କିପରି ? ସେହିପରି ଅନ୍ୟମାନଙ୍କ ଠାରୁ ସୁବିଚାର ନ ପାଇଲେ ନ୍ୟାୟ-ନୀତି ପ୍ରତି ସେମାନଙ୍କର କାହିଁକି ବା ଶ୍ରଦ୍ଧା ଜନ୍ମିବ ? ସେମାନେ ଯଦି କେବଳ ଦୋଷ ବା ଭୁଲ୍ କଲେ ଶାସ୍ତି ପାଆନ୍ତି, ତେବେ ଭଲ ବାଟ କେଉଁଟା ସେକଥା ଜାଣିବେ କେମିତି ? ତେଣୁ ସେ ଭଲ କାମ କଲେ ତାକୁ ଯଦି ସମାଦର ଓ ପ୍ରଶଂସା ମିଳେ, ତେବେ ସେ ଧୀରେ ଧୀରେ ଭଲ ଅଭ୍ୟାସ ଆୟତ୍ତ କରିବାକୁ ଚେଷ୍ଟା କରିବ । ଯେଉଁ ଶିକ୍ଷକ ବିଶ୍ୱାସଭାଜନ କେବଳ ତାଙ୍କରି ଉପଦେଶ ପିଲା ଗ୍ରହଣ କରୁ ଥିବାରୁ ଶିକ୍ଷକ ନିଜର ସୁବିଚାର ଓ ସହୃଦୟତା ଦ୍ୱାରା ତା’ର ଶ୍ରଦ୍ଧାର ପାତ୍ର ହେବାକୁ ଚେଷ୍ଟା କରିବେ । ନଚେତ୍ ପିଲା ତାଙ୍କର ଶିକ୍ଷା ବର୍ଜନ କରିବ ।

 

ସଂସର୍ଗ :

 

ଯେଉଁ ପିଲା ମନରେ ପରିବାର ଓ ସମାଜର ନୀତିଶିକ୍ଷା ଓ ଧାରଣା ବଦ୍ଧମୂଳ ହୋଇ ରହିଛି, ସେ ଅନ୍ୟାନ୍ୟ ପ୍ରଭାବର ସଂସ୍ପର୍ଶରେ ଆସିଲେ ମଧ୍ୟ ବିଶେଷ ପ୍ରଭାବିତ ହୁଏନାହିଁ । ଏଥିଲାଗି ଅନେକ ପିଲା କୁସଂସର୍ଗରେ ଆସିଲେ ମଧ୍ୟ ନିଜେ ସେଭଳି ସଂସର୍ଗ ତ୍ୟାଗ କରନ୍ତି । ଅନ୍ୟଲୋକ ଅପରାଧ କରି ଲାଭବାନ୍ ହେଉଛି ଦେଖି ମଧ୍ୟ ସେ ପଥରେ ଆଗେଇ ଯାଆନ୍ତି ନାହିଁ । ନିଜକୁ ବିଭିନ୍ନ ପ୍ରଲୋଭନରୁ ରକ୍ଷା କରିପାରନ୍ତି । କେଉଁ ପ୍ରକାର ଚାଲିଚଳଣୀ ନିଜ ପାଇଁ ଶ୍ରେୟସ୍କର ସେକଥା ସେମାନେ ସୁସ୍ପଷ୍ଟ ଭାବରେ ଜାଣିଥାଆନ୍ତି ସେଥିଲାଗି ବିପଥରେ ଯାଆନ୍ତି ନାହିଁ । ଯିଏ ଏ ଶିକ୍ଷା ଅନ୍ତରରୁ ଗ୍ରହଣ କରିନାହିଁ, ତା ମନରେ ବିଭିନ୍ନ ପ୍ରଭାବ ଆଲୋଡ଼ନ ସୃଷ୍ଟି କରେ । ଯେତେବେଳେ ଯେଉଁଟା ଭଲ ଲାଗେ ସେ ସେତେବେଳେ ସେହି ଅନୁସାରେ କାମ କରେ । ଯିଏ ଅନ୍ୟ-ଲୋକ ଦ୍ୱାରା ସହଜରେ ପ୍ରଭାବିତ ହୁଏ, ସେ କୁସଂସର୍ଗରେ ପଡ଼ିଲେ ସହଜରେ ବାହାରି ଆସିପାରେ ନାହିଁ । ଯଦି ଘରଲୋକ ଜଗି ରହି ସବୁବେଳେ ତା’ର ଗତିବିଧି ନିୟନ୍ତ୍ରଣ କରି ତାକୁ ସଂକୀର୍ଣ୍ଣ ପରିଧି ମଧ୍ୟରେ ଭଲ ସଂସର୍ଗରେ ରଖନ୍ତି, ତେବେ ସେ ଭଲ ବାଟରେ ଚାଲିଥିବ । ମାତ୍ର ଘରଲୋକଙ୍କର ଆଖିର ଆଢ଼ୁଆଳ ହେଲେ ସେ କ’ଣ କରିବ ସେକଥା ସଠିକ୍ ଭାବରେ କହିବା କଷ୍ଟ । ଏଭଳି ଲୋକ ଯେଉଁ ଦଳରେ ମିଶନ୍ତି ସେ ଦଳର ଚଳଣୀ ଅନୁସାରେ ଚଳନ୍ତି । ଏମାନଙ୍କ ମନରେ ସ୍ଥାୟୀ ନୀତିବୋଧ ଗଢ଼ି ଉଠି ନ ଥିବାରୁ ଏମାନେ ସହଜରେ ଅନ୍ୟଲୋକର ମତାମତ, ନୀତି ଓ ଆଦର୍ଶ ଦ୍ୱାରା ପ୍ରଭାବିତ ହୁଅନ୍ତି । ତେଣୁ କୁସଂସର୍ଗର ପ୍ରଭାବ ଏମାନଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ଵରେ ତ୍ରୁଟି ସୃଷ୍ଟି କରିଥାଏ ।

 

ପ୍ରଧାନତଃ ଦୁଇ ପ୍ରକାରର ପିଲା ଏ ଭଳି ସଂସର୍ଗ ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି । (କ) କେତେକ ପିଲାଙ୍କର ବୟସ ତୁଳନାରେ ମାନସିକ ପରିପକ୍ୱତା ହୋଇ ନ ଥାଏ । ଏମାନେ ନିଜ ବୟସ ତୁଳନାରେ ଅଳ୍ପ ବୟସର ପିଲା ପରି ବ୍ୟବହାର କରନ୍ତି । ସେମାନଙ୍କର ବୃଦ୍ଧିବୃତ୍ତି ଠିକ୍ ଥାଏ । ଅନେକେ ପୁଣି ବେଶୀ ବୁଦ୍ଧିମାନ ପରି ଜଣାଯାଆନ୍ତି, ମାତ୍ର ଚାଲିଚଳଣୀରେ ପିଲାଳିଆ ଢଙ୍ଗ ରହିଥାଏ । ଯଥା-ପିଲାକୁ ମାନସାଙ୍କ ପଚାରିଲେ ସେ ନିର୍ଭୁଲ୍ ଉତ୍ତର ଦେବ ମାତ୍ର ମାଆ ଖାଇବାକୁ ନ କହିବା ଯାକେ ସେ ନ ଖାଇ ଭୋକରେ ବୁଲୁଥିବ କିମ୍ୱା ମା’ କୋଳରେ ନ ବସିଲେ ସେ ବହି ପଢ଼ିବ ନାହିଁ । କେବଳ ମାଆ କୋଳରେ ବସିଲେ ଯାଇ ପଢ଼ା ଆରମ୍ଭ କରିବ । ଏହିଭଳି ବିଭିନ୍ନ ଲକ୍ଷଣରୁ ଦେଖାଯାଏ ଯେ ସେମାନଙ୍କର ପିଲାଳିଆ ଢଙ୍ଗ ବହୁତ ବୟସ ହେବା ଯାକେ ରହିଛି । ଏପରି ପିଲାକୁ ଘରଲୋକ ବିଶେଷ ଦାୟିତ୍ୱପୂର୍ଣ୍ଣ କାମ ଦିଅନ୍ତି ନାହିଁ, କ’ଣ କରିବାକୁ ହେବ ସେ କଥା ସବୁବେଳେ ବତରଉଥାନ୍ତି ଓ ସବୁକଥାରେ ବେଶୀ ବେଶୀ ଜଗନ୍ତି । ଫଳରେ ସେମାନଙ୍କର ମନ ପରିପକ୍ୱ ହେବାକୁ ଆହୁରି ସମୟ ଲାଗେ । ପିଲାର ସ୍ଵଭାବ ପିଲାଳିଆ ବୋଲି ତାକୁ ପିଲା ଭଳିଆ ଚଳେଇଲାରୁ ତା’ର ସ୍ଵଭାବର ସଂଶୋଧନ ହୁଏ ନାହିଁ । ଏପରି ପିଲାର ବୟସ ହେଲେ ସେ ସ୍କୁଲ, କଲେଜ ଗଲେ ସେଠି ବାହାର ଲୋକର ପ୍ରଭାବ ଦ୍ୱାରା ସହଜରେ ପ୍ରଭାବିତ ହୋଇଥାଏ । ଯେଉଁ ପିଲାର ମାନସିକ ପରିପକ୍ୱତା ଥିବାରୁ ବୁଝି ବିଚାରି କାମ କରେ, ସେ ଅନ୍ୟର ମତାମତ ନୀତି ଓ ଆଦର୍ଶ ଗ୍ରହଣଯୋଗ୍ୟ କି ନାହଁ ସେକଥା ବିବେଚନା କରି ପାରେ । କେତେକ କ୍ଷେତ୍ରରେ ସେ ବାହାରର ପ୍ରଭାବକୁ ପ୍ରତିରୋଧ କରେ ଓ କେତେକ କ୍ଷେତ୍ରରେ ସେ ଏହାକୁ ଗ୍ରହଣ କରେ । ଆଉ କେତେକ ଅବସ୍ଥାରେ ସେ ନେତୃତ୍ୱ ନେଇ ନିଜର ପ୍ରଭାବରେ ଅନ୍ୟକୁ ପ୍ରଭାବିତ କରେ । ତେଣୁ ସମସ୍ତେ ସଂସର୍ଗର ପ୍ରଭାବରେ ପ୍ରଭାବିତ ହୋଇଥାଆନ୍ତି ବୋଲି ଭାବିବା ଠିକ୍ ନୁହେଁ । ମାତ୍ର ଆମ ଦେଶର ପ୍ରଚଳିତ ଧାରଣା ହେଉଛି-ପିଲା ସଙ୍ଗଦୋଷରୁ ଖରାପ ହୋଇଥାଏ, ସେଥିଲାଗି ଘରଲୋକ ପିଲାଙ୍କୁ ଘର ବାହାର ଲୋକ ବା ବାହାର ପିଲାଙ୍କ ସହିତ ମିଶିବାକୁ ଦିଅନ୍ତି ନାହିଁ । ପିଲାଠାରେ କୌଣସି ଅବାଞ୍ଚ୍ଥିତ ଗୁଣ ଦେଖିଲେ ଅନ୍ୟଲୋକର କୁଶିକ୍ଷାରୁ ଏପରି ହେଇଛି ବୋଲି କୁହନ୍ତି । ଏଠି ଭାବିବା କଥା ଯା ପିଲା କାହିଁକି ଅନ୍ୟ ଲୋକର କୁଶିକ୍ଷା ଗ୍ରହଣ କରୁଛି ? ଆହୁରି ଭାବିବା କଥା ଯେ ବର୍ତ୍ତମାନର ସହରିଆ ସମାଜରେ ପିଲାଙ୍କର ଗତିବିଧିର ପରିଧି ଅତି ବିସ୍ତୃତ । ପୁରାତନ ପଲ୍ଲୀ ସମାଜର ସଂକୀର୍ଣ୍ଣ ସୀମା ଭିତରେ ପିଲାଙ୍କୁ ସବୁବେଳେ ଆଖି ସାମ୍ନାରେ ଜଗି ଚଳେଇବା ସମ୍ଭବ ହେଉଥିଲା । ବର୍ତ୍ତମାନ ପିଲାଙ୍କୁ ସହରରେ ସେପରି ଚଳାଇବା ସମ୍ଭବ ନୁହେଁ । ଛୋଟିଆ ଜାଗାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି । ବଡ଼ ସହରରେ ସବୁବେଳେ ଅଜଣା ଅଶୁଣା ଲୋକଙ୍କର କରଲଗା ହୋଇ ରହିବାକୁ ପଡ଼ୁଛି । ସ୍କୁଲ୍ ଗଲାଦିନଠାରୁ ପିଲା ଘର ବାହାରେ ବେଶୀ ସମୟ କଟାଉଛି । ତେଣୁ ଅନ୍ୟ ପଲାଙ୍କର ପ୍ରଭାବରୁ ତାକୁ ଦୂରେଇ ରଖିବା କଷ୍ଟ । ସେହିପରି ସେ ସିନେମା ଥିଏଟର ଦେଖିବ, ଖବର କାଗଜ ପଢ଼ିବ, ଗଳ୍ପ ଉପନ୍ୟାସ ବା ରାଜନୈତିକ ସାହିତ୍ୟ ପଢ଼ି ଭିନ୍ନ ଭିନ୍ନ ଭାବଧାରାର ସଂସ୍ପର୍ଶରେ ଆସିବ । ସେ ଦେଖିବ ଯେ ଘରଲୋକଙ୍କର ମତାମତ ଓ ଚିନ୍ତାଧାରା ସହିତ ବାହାର ଲୋକଙ୍କର ଚିନ୍ତାଧାରାରେ ବହୁ ପାର୍ଥକ୍ୟ ରହିଛି । ଘରଲୋକ ଯେଉଁ ସବୁ କାର୍ଯ୍ୟକଳାପକୁ ଅନ୍ୟାୟ ଓ ଅସଙ୍ଗତ ବୋଲି ଭାବନ୍ତି ଅନ୍ୟ ଲୋକମାନେ ସେସବୁ କାର୍ଯ୍ୟକୁ ଅନ୍ୟାୟ ଓ ଅସଙ୍ଗତ ବୋଲି ଭାବନ୍ତି ନାହିଁ । କାହା କଥା ଠିକ୍ ? କେଉଁ ବାଟରେ ତା’ର ଯିବା ଉଚିତ୍ । ଏସବୁ ପ୍ରଶ୍ନ ପିଲା ମନରେ ଆସିବ । ଭାବି ଚିନ୍ତି ବିଭିନ୍ନ ଜୀବନଧାରାକୁ ପରସ୍ପର ସହିତ ତୁଳନା କରି ଲୋକ ନିଜର ଜୀବନର ପନ୍ଥା ସ୍ଥିର କରେ । ଯାହାର ଏ ଶିକ୍ଷା ନାହିଁ, ସେ ପାଖଲୋକଙ୍କର ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇ ଜୀବନ ବିତାଏ ।

 

ସେଥିଲାଗି ବାହାର ଦୁନିଆକୁ ଭୟକରି ପିଲାକୁ ଘରକୋଣରେ ରଖିବା ଅପେକ୍ଷା କେମିତି ସେ ବାହାର ଦୁନିଆ ସହିତ ଚଳିବ ସେ ଶିକ୍ଷା ମୂଳରୁ ଦେଲେ ପିଲାର ମଙ୍ଗଳ ହେବ । ଗୋଟାଏ ବୟସ ପରେ ମାଆ ଚଢ଼େଇ ନିଜ ଛୁଆକୁ ପକ୍ଷ ଆଢ଼ୁଆଳରେ ନ ରଖି ଦୂରକୁ ଉଡ଼ିଯିବାକୁ ଶିଖାଏ । ବାହାର ବିପଦରୁ ପିଲା ନିଜକୁ କେମିତି ରକ୍ଷା କରିବ ସେକଥା ସେ ଚଢ଼େଇ ଛୁଆକୁ ଶିକ୍ଷା ଦିଏ । ଫଳରେ ଦୂର ଦୂରାନ୍ତକୁ ଉଡ଼ିଗଲେ ମଧ୍ୟ ଛୁଆ ଚଢ଼େଇ ନିଜ ବସାକୁ ଫେରି ଆସିପାରେ । ମଣିଷ ଛୁଆକୁ ମଧ୍ୟ ଏହି ଶିକ୍ଷାଦେବା ଦରକାର । ନଚେତ୍ ସେ ଅନ୍ୟଲୋକର କୁପ୍ରଭାବରୁ ନିଜକୁ ମୁକୁଳେଇବାକୁ ଶିଖିବ ନାହିଁ ।

 

(ଖ) ଅନେକ ପିଲାଙ୍କର ମାନସିକ ପରିପକ୍ୱତା ଥିବା ସତ୍ତ୍ୱେ ସେମାନେ ସାମାଜିକ ପରିବର୍ତ୍ତନ ମଧ୍ୟଦେଇ ଗତି କରୁଥିବାରୁ ଘରର ଓ ନିଜ ସମାଜର ଶିକ୍ଷାକୁ ବର୍ଜନ କରି ନୂଆ ସମାଜର ଶିକ୍ଷା ଓ ଚଳଣିକୁ ଗ୍ରହଣ କରିବାକୁ ଚାହାଁନ୍ତି । ଏ କ୍ଷେତ୍ରରେ ସେମାନେ ନୂଆ ସମାଜର ଭଲ ଓ ଖରାପ ଉଭୟ ଦିଗକୁ ନିର୍ବିଚାର ଭାବରେ ଗ୍ରହଣ କରୁଥିବାରୁ ସହଜରେ ବାହାର ଦୁନିଆର କୁ-ପ୍ରଭାବରେ ପଡ଼ନ୍ତି । ବର୍ତ୍ତମାନ ସମୟରେ ବହୁଲୋକ ନିଜ ଗାଆଁ ଛାଡ଼ି ଚାକିରି ଲାଗି ନୂଆ ନୂଆ ସହରରେ ଯାଇ ରହୁଛନ୍ତି । ସେମାନଙ୍କ ଭିତରୁ ଅନେକେ ନିପଟ ମଫସଲର ଲୋକ । ସହରର ଶିଳ୍ପାଞ୍ଚଳରେ ଅନ୍ୟ ଭାଷାଭାଷୀ ଲୋକଙ୍କ ସହିତ ସାହିପଡ଼ିଶା ହୋଇ ରହିଲାବେଳକୁ ସେମାନଙ୍କୁ ମାଡ଼ି ମାଡ଼ି ପଡ଼ୁଛି । ନିଜକୁ ବୋକାପରି ଲାଗୁଛି । ସେଥିରେ ସେମାନେ ପିଲାକୁ ବା କଣ ବତାଇବେ ! ଯାହା ଉପଦେଶ ଓ ପରାମର୍ଶ ସେମାନେ ପିଲାଙ୍କୁ ଦେଉଛନ୍ତି ସେଗୁଡ଼ିକ ଅନୁପଯୋଗୀ ହେଇଥିବାରୁ ପିଲା ସେସବୁ ମାନି ଚଳୁନି । ସେଥିରେ ପିଲା ଯେତେବେଳେ ଘରଲୋକଙ୍କୁ ଅନ୍ୟଲୋକଙ୍କ ସହିତ ତୁଳନା କରୁଛି, ସେତେବେଳେ ସେ ଘରଲୋକଙ୍କର ମଫସଲିଆ କଥାବାର୍ତ୍ତା ଓ ଢଙ୍ଗଢାଙ୍ଗ ଦେଖି ସେମାନଙ୍କୁ ମରହଟ୍ଟିଆ ବୋଲି ଭାବୁଛି । ଏଇ ଅବସ୍ଥାରେ ସେ ନିଜର ସିଆଣିଆ ସହରିଆ ସାଙ୍ଗର ନିର୍ଦ୍ଦେଶ ଅନୁସାରେ ଚଳିବାକୁ ଚାହେଁ । ସେମାନଙ୍କର ଚାଲିଚଳଣ ଅନୁସରଣ କରେ । କ୍ରମେ କ୍ରମେ ସେହିମାନେ ହିଁ ତାର ଆଦର୍ଶ ହୋଇଉଠନ୍ତି । ସେ ଘରଲୋକଙ୍କ ଠାରୁ ସାଙ୍ଗପିଲାଙ୍କୁ ବଡ଼ ବୋଲି ମଣେ । ଘରଲୋକଙ୍କର ମନ ମୁତାବକ କାମ କରି ପ୍ରଶଂସା ପାଇବାଠାରୁ ସାଙ୍ଗପିଲାଙ୍କର ପସନ୍ଦ ହେଲାପରି କାମ କରି ସେମାନଙ୍କଠାରୁ ‘ବାହାବା’ ଶୁଣିବାକୁ ସେ ବେଶୀ ମୂଲ୍ୟ ଦିଏ । ଏଇ ଅବସ୍ଥାରେ ତାର ସାଙ୍ଗମାନେ ଯଦି ସିନେମା ଟିକଟ କଳାବଜାରରେ ବିକି ପଇସା କରନ୍ତି, ତେବେ ସେ ଏପରି କାମ ଅନ୍ୟାୟ ଭାବି ରହିଯାଏ ନାହିଁ । ସେ ମଧ୍ୟ କଳାବଜାରରେ ଟିକଟ ବିକେ । ବାପା ପକେଟରୁ ପଇସା ଚୋରୀକରି ସାଙ୍ଗପିଲାଙ୍କୁ ଖୁଆଇ ବାହାଦୂରୀ ଦେଖାଏ । ବିନା ଟିକଟରେ କେମିତି ବସ୍‌ରେ ଯିବା ଆସିବା କରୁଛି ସେକଥା କହି ଗର୍ବ ବୋଧକରେ । ନିଜର ସାହସୀ ଓ ସିଆଣିଆପଣ ଦେଖେଇବା ଲାଗି ଅନେକ ସମୟରେ ଏପରି ଲଘୁ ଅପରାଧ କରୁ କରୁ ସେ ଗୁରୁ ଅପରାଧ କରିଥାଏ ।

 

ଏପରି ପିଲାଙ୍କୁ ଭଲବାଟକୁ ଆଣିବା ଅପେକ୍ଷାକୃତ ସହଜସାଧ୍ୟ । କାରଣ ଏମାନଙ୍କର ମୂଳ ସ୍ଵଭାବରେ କୌଣସି ତ୍ରୁଟି ନଥାଏ । ଅସ୍ୱାଭାବିକ ଉଗ୍ରତା, ଅକାରଣ ବିଦ୍ୱେଷ, ବଡ଼ମାନଙ୍କ ପ୍ରତି ବିରୋଧୀ ମନୋଭାବ ଇତ୍ୟାଦି ଲକ୍ଷଣଗୁଡ଼ିକ ଏମାନଙ୍କର ବ୍ୟକ୍ତିତ୍ୱରେ ପ୍ରାୟ ଦେଖାଯାଏ ନାହିଁ । ଏମାନେ ସୁସ୍ଥ ଓ ସ୍ୱାଭାବିକ । ସେମାନଙ୍କ ମନରେ ନ୍ୟାୟ ଓ ଅନ୍ୟାୟବୋଧର ସୀମା ଅସ୍ପଷ୍ଟ ହେବାର ପ୍ରଧାନ କାରଣ ହେଉଛି ଯେ, ଏ ବିଷୟରେ ସେମାନେ ନିଜ ସାମାଜିକ ପରିବେଶରୁ କୌଣସି ସ୍ଥିର ନିର୍ଦ୍ଦେଶ ପାଉନାହାନ୍ତି । ଆଇନ୍ ଅମାନ୍ୟ କରିବାଟା ପ୍ରକୃତରେ ଅପରାଧ କି ନୁହଁ-ସେ ବିଷୟରେ ମଧ୍ୟ ନିର୍ଦ୍ଦିଷ୍ଟ ମତାମତ ନାହିଁ । କେତେକ ଅବସ୍ଥାରେ ଆଇନ ଅମାନ୍ୟ କରିବାଟା ଭଲକଥା ଓ ଆଉ କେତେକ କ୍ଷେତ୍ରରେ ଏହାକୁ ଅପରାଧ ବୋଲି ବିଚାର କରାଯାଉଛି । କଳାବଜାର, ଠକାମୀ, ଲାଞ୍ଚ, ବର୍ତ୍ତମାନ ସମାଜରେ ଚଳିଯାଉଛି । ସେପରି କାମକୁ କେତେ ଲୋକ ଅନ୍ୟାୟ କହିଲେ ମଧ୍ୟ ଆଉ କେତେକ ଲୋକ ଅନ୍ୟାୟ ବୋଲି ଭାବୁନାହାନ୍ତି । ଯଦି ତାର ସାଙ୍ଗମାନେ ଏସବୁ କାମକୁ ଅପରାଧ ବୋଲି ଧରୁନାହାନ୍ତି ସେ କାହିଁକି ଏ ସବୁକୁ ଅନ୍ୟାୟ ବୋଲି ଭାବିବ ?

 

ଏପରି ପିଲାଙ୍କୁ ଅନ୍ୟ ପରିବେଶରେ ରଖିଲେ ଓ ସତ୍ ପଥରେ ଚଳିବାର ସୁଯୋଗ ଦେଲେ, ଏମାନେ ଠିକ୍ ବାଟକୁ ଫେରିଆସିବେ । ସମାଜରୁ ଦୁର୍ନୀତି ଯେତେ କମିଯିବ ସେତେ ଏଭଳି ଅପରାଧୀଙ୍କ ସଂଖ୍ୟା କମିଯିବ ।

 

ଅପରାଧୀମାନେ ବଦ୍‍ମାସ ନା ରୋଗୀ ?

 

ଆଇନର ଦୃଷ୍ଟିକୋଣରୁ ଦେଖିଲେ ଅପରାଧୀ ବ୍ୟକ୍ତିକୁ ବଦ୍‍ମାସ ବୋଲି କୁହାଯିବ । କାରଣ ଏମାନେ ବାହାରୁ ସୁସ୍ଥ ଓ ସ୍ୱାଭାବିକ ଲୋକ ପରି ଜଣାଯାଆନ୍ତି । (ଯିଏ ପାଗଳ ହେଇଥିବାରୁ ଅପରାଧ କରେ ତାର ଶାସ୍ତି ଭିନ୍ନ ।) ଆଜିକାଲି କିନ୍ତୁ ଅପରାଧୀମାନଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଉଛି ଯେ ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ଶାରୀରିକ ତ୍ରୁଟି ରହିଛି । ହୁଏତ ଏଭଳି ତ୍ରୁଟି ରହୁଥିବାରୁ ସେମାନେ ଅନ୍ୟ ସ୍ୱାଭାବିକ ଲୋକଙ୍କ ପରି ନିଜର ପ୍ରବୃତ୍ତିକୁ ଆୟତ୍ତରେ ରଖି ପାରୁନାହାନ୍ତି ।

 

ମଣିଷ ସ୍ୱଭାବର ଉଗ୍ରତା ଓ ଶାନ୍ତଭାବ ବହୁ ପରିମାଣରେ ଦେହ ଭିତରର ରାସାୟନିକ କ୍ରିୟା ପ୍ରକ୍ରିୟା ଉପରେ ନିର୍ଭର କରେ । ବିଶେଷକରି ଦେହ ଭିତରେ ଥିବା ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହେଉଥିବା କେତେକ ହରମୋନ୍ ମଣିଷ ମନର ଭାବ ଓ ଆବେଗକୁ ନିୟନ୍ତ୍ରିତ କରେ । ଯେଉଁ ପୁରୁଷ ଅପରାଧୀମାନେ ଦୀର୍ଘକାଳ ଧରି ହିଂସାତ୍ମକ କାର୍ଯ୍ୟକଳାପ କରିଛନ୍ତି ସେମାନଙ୍କୁ ପରୀକ୍ଷା କରି ଦେଖାଯାଉଛି ଯେ ସେମାନଙ୍କ ଦେହରେ ବେଶୀ ପରିମାଣରେ ଟେଷ୍ଟୋଟେରନ୍ (ପୁରୁଷତ୍ୱ ପାଇଁ ଯେଉଁ ହରମୋନ୍ ଦାୟୀ) ମିଳୁଛି ।

 

ଯାହାଠାରେ ଅଳ୍ପ ପରିମାଣରେ ଟେଷ୍ଟୋଟେରନ୍ ମିଳୁଛି, ସେମାନେ ନିରୀହ ଓ ମାନ୍ଦାସ୍ଵଭାବର ଲୋକ । ଏଭଳି ଅପରାଧୀମାନେ, ଅନ୍ୟର ହାତବାରିସୀ ହେଇ କାମ କରନ୍ତି । ଏମାନଙ୍କର ଯୌନ-କାମନା ମଧ୍ୟ କମ୍ ହୁଏ । (ଏପରି ଲୋକଙ୍କୁ ଚିକିତ୍ସା କରି ଦେହରେ ଟେଷ୍ଟୋଷ୍ଟେରନ୍‍ର ପରମାଣ ବଢ଼ାଇଲେ ସେମାନଙ୍କର ଯୌନ-କାମନା ବଢ଼ିଥାଏ ।)

 

ଯୌନ-ଅପରାଧ କ୍ଷେତ୍ରରେ ଦେଖାଯାଉଛି ଯେ ଡାକ୍ତରୀ ଚିକିତ୍ସା ଦ୍ୱାରା ସେମାନଙ୍କ ଦେହରେ ଟେଷ୍ଟୋଷ୍ଟେରନର ପରିମାଣ କମେଇବା ପରେ ସେମାନେ ଅପରାଧମୂଳକ ଯୌନ କ୍ରିୟାରେ କମ୍ ଲିପ୍ତ ହେଉଛନ୍ତି । କେବଳ ସେତିକି ନୁହେଁ, ପୂର୍ବେ ଏପରି ଅପରାଧୀ ନିଜେ ଯେତେ ଚେଷ୍ଟାକଲେ ମଧ୍ୟ ମନରୁ ଅଶ୍ଳୀଳ ଯୌନ-ଉତ୍ତେଜନାପୂର୍ଣ୍ଣ ଚିନ୍ତାକୁ ଦୂର କରିପାରୁ ନଥିଲେ । ଚିକିତ୍ସା ଫଳରେ ମନରୁ ଅଶ୍ଳୀଳ ଯୌନକଳ୍ପନା ବହୁ ପରିମାଣରେ କମିଯାଏ ଓ ସେମାନେ ଅଯଥା ଉତ୍ତେଜନା କବଳରୁ ରକ୍ଷା ପାଆନ୍ତି । (ସବୁ ଯୌନ-ଅପରାଧୀଙ୍କଠାରେ ଏପରି ଶାରୀରିକ ତ୍ରୁଟି ଦେଖାଯାଏ ନାହିଁ; କାରଣ କେତେକ ଯୌନ-ଅପରାଧୀ ମାନସିକ ଓ ସାମାଜିକ କାରଣରୁ ଏଭଳି କାମ କରନ୍ତି ।)

 

ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ରିୟା ପ୍ରକ୍ରିୟା ଯେପରି ମଣିଷ ମନକୁ ପ୍ରଭାବିତ କରେ, ସେହିପରି ମସ୍ତିଷ୍କ ମଧ୍ୟ ମଣିଷର କାର୍ଯ୍ୟକଳାପକୁ ବହୁଳାଂଶରେ ପ୍ରଭାବିତ କରିଥାଏ । ତେଣୁ ମସ୍ତିଷ୍କର ଯେଉଁ ଅଂଶ ମଣିଷର ଆବେଗ ଓ ପ୍ରବୃତ୍ତିକୁ ନିୟନ୍ତ୍ରଣ କରେ ସେଠାରେ ଟିଉମାର ବା ଘାଆ ହେଲେ ରୋଗୀର ସ୍ଵଭାବରେ ଘୋର ପରିବର୍ତ୍ତନ ଦେଖାଯାଏ । ଯଦି ଏପରି କ୍ଷତି ଯୋଗୁଁ କ୍ରୋଧ ନିୟନ୍ତ୍ରଣ କ୍ଷମତାରେ ବ୍ୟାଘାତ ଘଟେ, ତେବେ ସେ ରୋଗୀ ଅନ୍ୟାନ୍ୟ ସବୁ ବିଷୟରେ ସ୍ଵାଭାବିକଭାବରେ ବ୍ୟବହାର କରୁଥିଲେ ମଧ୍ୟ ଅଳ୍ପକରେ ବହୁତ ରାଗିଯାଏ ଓ ରାଗିଗଲାବେଳେ ସେ ଯେଭଳି ନୃଶଂସ କାର୍ଯ୍ୟ କରେ ତାହା କଳ୍ପନାତୀତ । କେତେକ ଖୁନୀ ଆସାମୀଙ୍କର ଶବ ବ୍ୟବଚ୍ଛେଦ କଲାବେଳେ ସେମାନଙ୍କର ମସ୍ତିସ୍କରେ ଏପରି କ୍ଷତ ବା ଟିଉମାର ହେଇଥିବାର ଜଣା ଯାଇଛି । ଏଥିଲାଗି ନୃଶଂସ ଅପରାଧୀମାନଙ୍କୁ ଭଲଭାବରେ ଡାକ୍ତରୀ ପରୀକ୍ଷା କରି ସେମାନଙ୍କଠାରେ ଶାରୀରିକ ତ୍ରୁଟି ଅଛି କି ନାହିଁ ସେକଥା ଜାଣିବା ଦରକାର । କାରଣ ଏପରି ଲୋକଙ୍କୁ ସବୁବେଳେ କାହାର ତତ୍ତ୍ଵାବଧାନରେ ରଖିବା ଦରକାର ।

 

ଯେଉଁ ଅପରାଧୀମାନେ ବହୁ ସଂଖ୍ୟକ ଲୋକଙ୍କୁ ହତ୍ୟା କରିଛନ୍ତି ସେମାନଙ୍କଠାରେ ‘ପାରାନଏଡ଼୍ ସ୍କିଜୋଫ୍ରେନିଆ’ ପରି ମାନସିକ ରୋଗ ହେଇଥିବାର ଦେଖାଯାଇଛି । ସାଧାରଣ ଲୋକ ଏଇ ରୋଗର ଲକ୍ଷଣ ସହିତ ପରିଚିତ ନ ଥିଲାରୁ ଏପରି ଲୋକଙ୍କୁ ସ୍ଵାଭାବିକ ମଣିଷ ବୋଲି ଭାବିଥାଆନ୍ତି । ଅଧିକାଂଶ ସମୟ ମଧ୍ୟ ସେମାନେ ସ୍ୱାଭାବିକ ମଣିଷ ପରି ବ୍ୟବହାର କରନ୍ତି । ଏଭଳି ଅପରାଧୀଙ୍କୁ ଜେଲରେ ରଖିଲେ ସେମାନେ ଅନ୍ୟ ଅପରାଧୀମାନଙ୍କୁ ହତ୍ୟା କରିପାରନ୍ତି କିମ୍ୱା ଯଦି ପ୍ରମାଣ ଅଭାବରୁ ଖଲାସ ହେଇଯାଆନ୍ତି ତେବେ ସର୍ବସାଧାରଣଙ୍କ ବିପଦର କାରଣ ହୁଅନ୍ତି । ସେଥିଲାଗି ଯଦି କାହାର ଏପରି ରୋଗ ହେବାର ଜଣାଯାଏ, ସେ ଜେଲରେ ରହୁ ବା ଖଲାସ ପାଉ ତାର ଚିକିତ୍ସାର ବ୍ୟବସ୍ଥା କରିବା ନିତାନ୍ତ ଦରକାର ।

 

ନୃଶଂସ ଅପରାଧୀମାନଙ୍କ ମଧ୍ୟରୁ ଅନେକେ “ସ୍ୟାଡ଼ିଜିମ୍” ବୋଲି ଏକପ୍ରକାର ମାନସିକ ବିକୃତିରେ ପୀଡ଼ିତ ଥିବାର ଜଣାଯାଇଛି । ଏପରି ଲୋକ ଅନ୍ୟ ଲୋକକୁ ଶାରୀରିକ ନିର୍ଯ୍ୟାତନା କଲେ ଯୌନ-ଉତ୍ତେଜନା ପରି ଶାରୀରିକ ଓ ମାନସିକ ଉତ୍ତେଜନାର ସ୍ଵାଦ ପାଏ । ସୁଖକର ଉତ୍ତେଜନା ମିଳୁଥିବାରୁ ସ୍ୟାଡ଼ିଷ୍ଟ ପ୍ରକୃତିର ଲୋକ ସୁବିଧା ପାଇଲେ ଅନ୍ୟ ଲୋକକୁ ଚାବୁକରେ ବାଡ଼େଇ, ତା ଦେହରେ ଜଳନ୍ତା ସିଗାରେଟ ବା ବିଡ଼ିରୁ ଚିଆଁ ମଡ଼େଇ, ତାର ଦାନ୍ତ ନିଶ ଉପାଡ଼ି, ଯୌନ-ସୁଖପରି ସନ୍ତୋଷଲାଭ କରନ୍ତି । ଏପରି ଲୋକ ଅନ୍ୟକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା କରିବାର ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି । ବିରୁଦ୍ଧ ପକ୍ଷକୁ ସାଧାରଣ ଭାବରେ ହତ୍ୟା କରିବା ଅପେକ୍ଷା ନିର୍ଯ୍ୟାତନ କରି ହତ୍ୟା କରିବାରେ ଏମାନେ ବିଶେଷ ଆନନ୍ଦ ପାଆନ୍ତି । ଜେଲରେ ରଖି ଏପରି ଅପରାଧୀକୁ ଭଲ କରିବା ସମ୍ଭବ ନୁହେଁ । ଏଇ ଲୋକମାନଙ୍କ ହାତରେ ଦଣ୍ଡଦାନର କ୍ଷମତା ଦେବା (ପୋଲିସ୍, ସୈନ୍ୟ, ଜେଲର ଜଗୁଆଳୀ) ପ୍ରକୃତରେ ଅନୁଚିତ । ଏପରି କାର୍ଯ୍ୟରେ ନିଯୁକ୍ତି କରିବା ପୂର୍ବରୁ ଲୋକଙ୍କୁ ପରୀକ୍ଷା କରିନେବା ଦରକାର । ନଚେତ୍ ସେମାନେ ଆଇନ୍‍ର ଆଢ଼ୁଆଳରେ ରହି ନିଜର ବିକୃତି ଇଚ୍ଛା ପୂରଣ କରିବେ ।

 

କାହିଁକି ଲୋକେ ସ୍ୟାଡ଼ିଷ୍ଟ ହୁଅନ୍ତି ? ଫ୍ରଏଡ଼ଙ୍କ ପରି ମନୋବିଶ୍ଳେଷଣକାରୀମାନେ ପରୀକ୍ଷା କରି ଦେଖିଛନ୍ତି ଯେ, ଏହାର କାରଣ କେତେକାଂଶରେ ସାମାଜିକ ଓ କେତେକାଂଶରେ ମାନସିକ । ଯେଉଁ ସମାଜରେ ମଣିଷ ନିଜର ସ୍ୱାଭାବିକ ଯୌନ-କାମନାକୁ ଅଶ୍ଳୀଳ, ଅସାମାଜିକ ଏବଂ ଲଜ୍ଜା ଓ ସଂକୋଚର ବିଷୟ ଭାବି ବଡ଼ହୁଏ, ସେଠି ସେ ସବୁବେଳେ ନିଜର ଯୌନ-ଚେତନାକୁ ଅବଦମନ କରିଥାଏ । ନିଜର ଯୌନ-କାମନା ହେଉଛି ଏକଥା ସେ ନିଜ ଆଗରେ ମଧ୍ୟ ସ୍ୱୀକାର କରିବାକୁ ରାଜି ହୁଏ ନାହିଁ । ଏପରି ଲୋକ ସ୍ୱାଭାବିକ ଅବସ୍ଥାରେ ଯୌନ-ଉତ୍ତେଜନା ଅନୁଭବ କଲେ ମନରେ ସଙ୍କୋଚ ଓ ଗ୍ଳାନି ଅନୁଭବ କରନ୍ତି; ମାତ୍ର ଯୌନ ସଂଶ୍ରବ ନ ଥାଇ ମିଳୁଥିବା ଯୌନ-ଉତ୍ତେଜନାକୁ ନିର୍ଦ୍ଦୋଷ ମଣନ୍ତି । ଅନ୍ୟ ଲୋକକୁ ବାଡ଼ିଆପିଟା କଲାବେଳେ ଅଧିକାଂଶ ଲୋକ ମାନସିକ ଉତ୍ତେଜନା ଅନୁଭବ କରନ୍ତି । ଏହି ମାନସିକ ଉତ୍ତେଜନା ମନରେ ଯୌନ-ଉତ୍ତେଜନାର ସ୍ଥାନ ଅଧିକାର କରେ । (କେତେ ସ୍ୱାମୀ ସ୍ତ୍ରୀକୁ ନ ବାଡ଼େଇଲେ ସ୍ଵାମୀ-ସ୍ତ୍ରୀର ଦୈହିକ ସମ୍ପର୍କରୁ ସୁଖ ପାଆନ୍ତି ନାହିଁ । ସ୍ତ୍ରୀର ଆକର୍ଷଣୀୟ ରୂପ ଅପେକ୍ଷା, ତାକୁ ଯନ୍ତ୍ରଣା ଦେବାର କଣ ସବୁ ସମ୍ଭାବନା ଅଛି ସେ କଥା କଳ୍ପନା କରି ଏପରି ଲୋକ ଯୌନ-ଉତ୍ତେଜନା ଅନୁଭବ କରିଥାନ୍ତି ।) ମଣିଷ ଯୌନ-ସଂଶ୍ରବ-ରହିତ ବିଷୟରୁ ଯୌନ-ସୁଖ ଲାଭ କରିପାରୁଥିବାରୁ ବିଭିନ୍ନ ଧରଣର ଯୌନ-ବିକୃତିରେ ପୀଡ଼ିତ ହୁଏ । ମଣିଷ ବ୍ୟତୀତ ଅନ୍ୟ ପ୍ରାଣୀଠାରେ ଯୌନ-ବିକୃତି ଦେଖାଯାଏ ନାହିଁ ।

 

ଏହି ଆଲୋଚନାରୁ ଦେଖାଯାଉଛି ଯେ କେତେକ ଶ୍ରେଣୀର ଅପରାଧୀ ରୋଗଗ୍ରସ୍ତ ହେଉଥିବାରୁ ବଦମାସ ହୋଇଥାନ୍ତି । ଏଭଳି ଅପରାଧୀଙ୍କୁ କେବଳ ଦଣ୍ଡଭୟ ଦ୍ୱାରା ଶାସନ କରିବା ସମ୍ଭବ ନୁହେଁ । ଦଣ୍ଡଭୋଗର ସମୟ ପୂରିଗଲେ ସେ ଖଲାସ ହୋଇ ପୁଣି ଆଗପରି ଅପରାଧ କରିପାରେ । ଏଥିଲାଗି ଏମାନଙ୍କର ମାନସିକ ଓ ଶାରୀରିକ ଚିକିତ୍ସା କରିବା ଦରକାର । ଯେଉଁ ଅପରାଧୀ ସ୍ଵଭାବର ତ୍ରୁଟି ଯୋଗୁଁ ସନ୍ତ୍ରାସପୂର୍ଣ୍ଣ ଅପରାଧ କରୁଛି, ତାର ମଧ୍ୟ ମାନସିକ ଚିକିତ୍ସା ଦରକାର । କେବଳ ଦଣ୍ଡ ଦେଇ ଖରାପ ସ୍ଵଭାବ ସଂଶୋଧନ କରିବା ପ୍ରାୟ ଅସମ୍ଭବ । ଭୟ ଯୋଗୁଁ ମଣିଷ ନିଜର ସ୍ୱଭାବକୁ ଗୋପନ କରିବାକୁ ଶିଖେ କିମ୍ୱା ସାମୟିକ ଭାବରେ ଦମନ କରିବାକୁ ଶିଖେ; ମାତ୍ର ତାର ପ୍ରକୃତ ସ୍ୱଭାବ ଆଗପରି ରହିଥାଏ । କଣ କଲେ ମନରେ କ୍ରୋଧର ଉଦୟ ହେବନାହିଁ, କିମ୍ବା କଣ କଲେ ନିଜର କ୍ରୋଧକୁ ଶାନ୍ତ କରିହେବ ସେ ସବୁ ବିଷୟ ଉଗ୍ର ସ୍ଵଭାବର ଲୋକଙ୍କୁ ଶିଖାଇବା କଥା । ଯିଏ ଲୋଭ ସମ୍ଭାଳି ନ ପାରି ହିତାହିତ ଜ୍ଞାନ ହରାଇ କୁକାର୍ଯ୍ୟ କରୁଛି ତାକୁ ଲୋଭ ସମ୍ଭାଳିବାକୁ ଶିଖାଇବା ଦରକାର । ଉପଦେଶ ଦେଇ ଏ ସବୁ ବ୍ୟବହାର ବଦଳେଇବା ସମ୍ଭବ ନୁହେଁ । ସ୍ୱଭାବ ସଂଶୋଧନର ଯେଉଁ ବିଶେଷ କାର୍ଯ୍ୟକ୍ରମମାନ ମନୋବିଜ୍ଞାନୀମାନେ ତିଆରି କରିଛନ୍ତି, ତାକୁ ଅନୁସରଣ କରି ଚଳିଲେ ଧୀରେ ଧୀରେ ଅବାଂଛିତ ବ୍ୟବହାରଗୁଡ଼ିକ ଚାଲିଯିବ । ଦୀର୍ଘଦିନର ଅଶାସନ ଫଳରେ ମଣିଷର ଅଭ୍ୟାସ ତ୍ରୁଟିଯୁକ୍ତି ହୋଇଥାଏ । ସେଥିଲାଗି ଏଭଳି ଅଭ୍ୟାସ ଦୂର କରିବାକୁ ସମୟ ଲାଗେ । ଭଲ ଅଭ୍ୟାସ କିପରି ଜଣେ ଆୟତ୍ତ କରିବ ସେକଥା ତାକୁ ତାଲିମ୍ ଦେଇ ଶିଖାଇବାକୁ ପଡ଼େ, କେବଳ ଦଣ୍ଡ ଦେଲେ ମଣିଷ ଖରାପ କାମରୁ ବିରତ ହୁଏ; ମାତ୍ର କଣ କରିବା ଉଚିତ ସେକଥା ଶିଖିପାରେ ନାହିଁ ।

 

ଅନେକ ଲୋକ ଭାବନ୍ତି ଯେ ଅପରାଧୀ ପ୍ରଧାନତଃ ସାମାଜିକ କାରଣରୁ ଅପରାଧ କରୁଥିବାରୁ ସାମାଜିକ ଅବସ୍ଥା ଭଲ ହେଲେ ସେ ଆପେ ଆପେ ଅପରାଧର ପଥ ତ୍ୟାଗ କରି ଭଲ ବାଟରେ ଚାଲିବ । ସାମାଜିକ କାରଣ ଯୋଗୁଁ ହୁଏତ ସ୍ଵଭାବର ତ୍ରୁଟି ହୋଇପାରେ; ମାତ୍ର ସାମାଜିକ କାରଣ ଯୋଗୁଁ ହୁଏତ ସ୍ୱଭାବର ତ୍ରୁଟି ହୋଇପାରେ; ମାତ୍ର ସାମାଜିକ ଅବସ୍ଥାର ପରିବର୍ତ୍ତନ ହେଲେ ଏଭଳି ତ୍ରୁଟି ଆପେ ଆପେ ଚାଲିଯାଏ ନାହିଁ । ଯିଏ ପୂର୍ବେ ଘରର ଅଭାବ ଯୋଗୁଁ ଲାଞ୍ଚ ନେଉଥିଲା ସେ ଧନବାନ ହେଲା ପରେ ମଧ୍ୟ ଲାଞ୍ଚ ନେଉଛି । ଅଭାବ ଚାଲିଗଲାପରେ ଦୁର୍ନୀତି ଛାଡ଼ିଦେଇ ନାହିଁ । ଅଭ୍ୟାସ ଓ ମନୋଭାବର ପରିବର୍ତ୍ତନ ନ ହେଲାଯାକେ ଏପରି ଲୋକ ଅପରାଧର ବାଟ ଛାଡ଼ିବେ ନାହିଁ । ସେଥିଲାଗି ଅପରାଧୀକୁ ଭଲ କରିବାକୁ ହେଲେ ତାର ସ୍ଵଭାବ ଓ ଚରିତ୍ରର ସଂଶୋଧନ ହେବା ଅପରିହାର୍ଯ୍ୟ ।

Image

 

Unknown

ପରିଶିଷ୍ଟ

 

ଆମ ଦେଶରେ ଶିଳ୍ପ, ବଜ୍ଞାନ ଓ ବାଣିଜ୍ୟର ପ୍ରସାର ବଢ଼ୁଛି । ଆମେ ଚାହୁଁଛୁ ଯେ ଆମ ପିଲ ସ୍କୁଲ କଲେଜରେ ପାଠପଢ଼ି ଶିଳ୍ପ ଓ ବାଣିଜ୍ୟ ସଭ୍ୟତାର ଉପଯୋଗୀ ହୋଇ ବଢ଼ନ୍ତୁ । କାରଣ ସେମାନେ ଯଦି ଇଞ୍ଜିନିୟର୍, ମ୍ୟାନେଜର୍, ବୈଜ୍ଞାନିକ, ବିଶେଷଜ୍ଞ, ଚିକିତ୍ସକ ବା ଦକ୍ଷ କାରିଗର ନ ହେବେ, ତାହେଲେ ଆଗାମୀ ଦିନର ଆଧୁନିକ ସମାଜରେ ନିଜକୁ ପ୍ରତିଷ୍ଠା କରିପାରିବେ ନାହିଁ । ସେଥିଲାଗି ଭଲ ଭଲ ସ୍କୁଲ କଲେଜରେ ଛାତ୍ରମାନେ ଯେପରି ଆଧୁନିକ ଶିକ୍ଷାରେ ଦକ୍ଷତା ଅର୍ଜନ କରିପାରିବେ, ସେଥିପ୍ରତି ବିଶେଷ ଲକ୍ଷ୍ୟ ଦିଆଯାଉଛି । ବାପା, ମାଆ, ଅଭିଭାବକ ଓ ଦେଶର ସର୍ବସାଧାରଣ ବର୍ତ୍ତମାନ ଏହିପରି ଉପାର୍ଜନକ୍ଷମ ଶିକ୍ଷା ଦାବୀ କରୁଛନ୍ତି । ଏହା ଫଳରେ, କର୍ମଜୀବନରେ ସୁପ୍ରତିଷ୍ଠିତ ହେବା ହିଁ, ବର୍ତ୍ତମାନ ଶିକ୍ଷାର ଏକମାତ୍ର ଲକ୍ଷ୍ୟ ହୋଇଉଠିଛି । ଏପରି ଅସମାନ ଶିକ୍ଷା ଫଳରେ ଯେ ଅଧିକାଂଶ ଶିକ୍ଷିତ ଲୋକ ପଣ୍ଡିତ-ମୂର୍ଖ ପରି ଜୀବନ ବିତାଉଛନ୍ତି । ସେ ବିଷୟରେ ଆମେ ଏଯାକେ ସଚେତନ ହୋଇନାହୁଁ । ଗୋଟାଏ ଘଟଣା କହୁଛି ।

 

ଷୋହଳ ସତର ବର୍ଷର ଝିଅଟିଏ । ଛାତିରେ ଦରଜ, ସବୁବେଳେ ବ୍ୟର୍ଥ ଲାଗୁଛି । ଦେହର ଅନ୍ୟ ଜାଗା ହେଲେ ସେ ବହୁତ ଆଗରୁ ଏ କଥା କହିଥାଆନ୍ତା । ମାତ୍ର ଅଜାଗା ବୋଲି କାହାକୁ କହିପାରୁ ନଥାଏ । କେବଳ ଯେ ସଙ୍କୋଚ ତାହା ନୁହେଁ । ମନର ଅକୁହା ଭୟ ଛାତ୍ରକଥା ହେଲେ କଣ ହୁଏ ? ଏଟା କଣ ଖରାପ ରୋଗ ! ତାର ବାପା ଡାକ୍ତର; କିନ୍ତୁ ବାପାଙ୍କୁ କହିବ କେମିତି ? ଶେଷରେ ଦିନେ ମାଆକୁ କହିଲା । ଝିଅ ମେଟ୍ରିକ୍ ପାଶ୍ କରି କଲେଜରେ ଆର୍ଟସ ପଢ଼େ । ତେଣୁ ଦେହ ପା’ କଥା ତାକୁ ଜଣାନାହିଁ । ମାଆ ପାଠ ପଢ଼ିନାହାନ୍ତି; ମାତ୍ର ଅଭିଜ୍ଞତାରୁ ଜାଣନ୍ତି ଯେ, ଗର୍ଭସଞ୍ଚାର ହେଲେ ଏପରି ହୁଏ । ତେଣୁ ସେ ସ୍ଵାମୀଙ୍କୁ ନ କହି ଗୋପନରେ ଆଉଜଣେ ଲେଡ଼ି ଡାକ୍ତରଙ୍କ ପରାମର୍ଶ ଲୋଡ଼ିଲେ । ରୋଗୀ ନ ଦେଖି ଡାକ୍ତରାଣୀ କହିଲେ-ଏତେ ଛାତି ଦରଜ ବୋଲି କହୁଛ ଯଦି, ମୁଁ ଭାବୁଛି ତା’ର ଗର୍ଭ ହୋଇଛି । ମାଆ ଘରକୁ ଫେରି ଝିଅର ଦେହ ଦୁଃଖ ଆଉ ଶୁଣିବେ କଣ-ଯାଚ୍ଛାତା ଗାଳିଦେଲେ । ଝିଅ ଚୁପ୍ ହେଇ ସହିଗଲା । କାରଣ କେମିତି ଗର୍ଭ ହୁଏ ସେ କଥା ତ ସେ ଜାଣେନାହିଁ । ମାଆ ଯଦି କହୁଛନ୍ତି ତା’ର ଗର୍ଭ ହୋଇଛି, ହୁଏତ ହେଇଥିବ ! ଦେହର କଷ୍ଟ ସହିତ ମନରେ ଅପମାନର ଦୁଃଖ ମିଶି ସେ ସମ୍ପୂର୍ଣ୍ଣ ବିମୂଢ଼ ହୋଇଗଲା । କଣ କରିବ, ଆଉ କାହାକୁ ବା ପଚାରିବ କିଛି ଭାବିପାରିଲା ନାହିଁ । ମୁହଁ ବନ୍ଦକରି କଷ୍ଟ ସହିବାକୁ ଚେଷ୍ଟାକଲା କିଛିଦିନ ପାଇଁ । ଶେଷରେ କଷ୍ଟ ଅସହ୍ୟ ହେଲାରୁ ମାଆକୁ ନେହୁରା ହେଇ କହିଲା ଆଉଜଣେ ଡାକ୍ତରଙ୍କୁ ପଚାରିବା ଲାଗି । ଝିଅର ଭୀଷଣ କଷ୍ଟ ଦେଖି ମା ମଧ୍ୟ ଡରିଗଲେ । ବାପାଙ୍କୁ କହିଲେ । ବାପା ସାଙ୍ଗ ଡାକ୍ତରଙ୍କୁ ଡାକି ଦେଖେଇଲେ । ସେ କହିଲେ କ୍ୟାନସାର ବହୁତ ମାଡ଼ିଯାଇଛି । କିଛି କରିବାର ନାହିଁ । ମାସକ ପରେ ଝିଅଟିର ମୃତ୍ୟୁ ହେଲା । ଏ ମୃତ୍ୟୁ ପାଇଁ ଆମେ କଣ ଭାଗ୍ୟକୁ ଦୋଷ ଦବା ? ଭଦ୍ରଲୋକ ନିଜେ ଡାକ୍ତର । ଅଥଚ ତାଙ୍କର ଶିକ୍ଷିତା ଝିଅର ନିଜ ଦେହର କ୍ରିୟା ପ୍ରକ୍ରିୟା ବିଷୟରେ ସାଧାରଣ ଜ୍ଞାନ ନାହିଁ ।

 

ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରାୟ ସବୁ ସ୍ତ୍ରୀଲୋକ ନିଜେ ନିଜର ଦେହ ପରୀକ୍ଷା କରି କ୍ୟାନସାରର ଲକ୍ଷଣ ବା ପୂର୍ବ ଲକ୍ଷଣ ଅନୁସାରେ ଯଦି ନିଜ ଦେହରେ କୌଣସି ପରିବର୍ତ୍ତନ ଦେଖନ୍ତି, ତେବେ ସାଙ୍ଗେ ସାଙ୍ଗେ ଡାକ୍ତର ପରାମର୍ଶ ଲୋଡ଼ନ୍ତି । ଆମ ଦେଶରେ ଅନ୍ୟ ଲୋକଙ୍କର ଏସବୁ ବିଷୟ ଜାଣିବାର ସୁଯୋଗ ନାହିଁ ସତ, ମାତ୍ର ଡାକ୍ତରଙ୍କ ସ୍ତ୍ରୀ ଓ ଓ ପିଲାଙ୍କର ଅନ୍ତତଃ ଏତକ ଶିକ୍ଷା ନିଜଘରୁ ପାଇବା ଉଚିତ ।

 

ଅଶିକ୍ଷିତ ଓ ଶିକ୍ଷିତ ଲୋକଙ୍କର ଦକ୍ଷତା ଓ କର୍ମକୁଶଳତାରେ ତଫାତ୍ ଅଛି ସତ, ମାତ୍ର ମନ ବିଷୟକ ବ୍ୟାପାରରେ ସେମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ । ଦେହ ବିଷୟରେ ଅକାରଣ ସଙ୍କୋଚ ଉଭୟ ଗୋଷ୍ଠୀରେ ଦେଖାଯାଏ । ତେଣୁ ସ୍ତ୍ରୀରୋଗରେ ଆକ୍ରାନ୍ତ ରୋଗୀ ବହୁତ କଷ୍ଟ ନ ପାଇଲାଯାକେ କେଭେ ଡାକ୍ତର ଦେଖାଇବାକୁ ଚାହେଁନାହିଁ । ଯିଏ ଶିକ୍ଷିତା ସେ ଜାଣୁଛି ଚିକିତ୍ସା ନ କଲେ ରୋଗ ବଢ଼ିବ, କିନ୍ତୁ କେମିତି ଏକଥା ସେ ଆଉ କାହାକୁ କହିବ ! ତାକୁ ତ ପରଲୋକକୁ କହିଲାବେଳକୁ ମାଡ଼ି ମାଡ଼ି ପଡ଼ିବ । ପାଖରେ ମା ବା ଭଉଣୀ ପରି ଅନ୍ତରଙ୍ଗ ଲୋକ ନ ଥିଲେ ସେ ଚୁପ୍‍ହେଇ ରହିଯାଉଛି । ବୁଝିବିଚାରି କାମ କରିବାର କ୍ଷମତା ମନର ସଙ୍କୋଚ ପାଖରେ ହାରିଯାଉଛି । ଯିଏ ଶିକ୍ଷିତ, ସେ ବିଚାରବନ୍ତ ହେଉନାହିଁ ।

 

ଶିକ୍ଷିତ ଓ ଅଶିକ୍ଷିତ ଲୋକ ମଧ୍ୟରେ ଯେ କେବଳ ବିଚାରଶୀଳତାରେ ବିଶେଷ ପାର୍ଥକ୍ୟ ଦେଖାଯାଉନାହିଁ ତାହା ନୁହେଁ । ନ୍ୟାୟଅନ୍ୟାୟବୋଧ, ଆଦର୍ଶପରାୟଣତା ଏସବୁ କ୍ଷେତ୍ରରେ ମଧ୍ୟ ଶିକ୍ଷା ଯୋଗୁଁ ଅଧିକ ଉତ୍କର୍ଷତା ଦେଖା ଯାଉନାହିଁ । ଅନ୍ଧବିଶ୍ୱାସ, କୁସଂସ୍କାର, ମନର ସଂକୀର୍ଣ୍ଣତା, ଜାତି ବର୍ଣ୍ଣର ପ୍ରଭେଦ ହେତୁ ଅନ୍ୟ ପ୍ରତି ବିଦ୍ୱେଷଭାବ ଏସବୁ ବିଷୟରେ ଶିକ୍ଷିତ ଓ ଅଶିକ୍ଷିତ ଗୋଷ୍ଠୀ ମଧ୍ୟରେ ବିଶେଷ ପ୍ରଭେଦ ନାହିଁ । ଅଶିକ୍ଷିତ ଲୋକ ନିଜ ମନର ପ୍ରକୃତ ଭାବ କହିଦେବେ, ଶିକ୍ଷିତ ଲୋକ ନିଜ ମନର ପ୍ରକୃତ କଥା ଗୋପନ କରି ଲୋକେ ଯେମିତି ଶୁଣିବାକୁ ଚାହୁଁଛନ୍ତି ସେହିପରି କଥା ମୁହଁରେ ପ୍ରକାଶ କରିବେ । ଯଥା–ଶିକ୍ଷିତ ଲୋକ ଭୂତ ନାହିଁ ବୋଲି ମୁହଁରେ କହିବେ ମାତ୍ର ରାତି ଅନ୍ଧାରରେ ବରଗଛ ତଳଦେଇ ଗଲାବେଳେ ମନରେ ‘ରାମନାମ’ ଜପୁଥିବେ ।

 

ସେ ବିଜ୍ଞାନ ପଢ଼ୁଛନ୍ତି ସତ କିନ୍ତୁ ପଢ଼ିବାର ଲକ୍ଷ୍ୟ ବୈଷୟିକ ଦକ୍ଷତା ଅର୍ଜନ କରିବା । ପ୍ରକୃତିର ରହସ୍ୟ ଇତ୍ୟାଦି କଥା ବୁଝିବା ଲାଗି ସେ ବିଜ୍ଞାନର ସାହାଯ୍ୟ ଖୋଜୁ ନ ଥାନ୍ତି । ଏତେ ଅଧିକା କଥା ଜାଣିବାର ଦରକାର କ’ଣ ? କାମ ଚଳିବା ପାଇଁ ଯେତିକି ଜାଣିବା ଦରକାର, ସେତିକି ଶିଖିଲେ ଗଲା । ଏଇ ମନୋଭାବ ହେତୁ ଯେତେ ବିଜ୍ଞାନ ପଢ଼ିଲେ ମଧ୍ୟ ବୈଜ୍ଞାନିକ ଚିନ୍ତା ଏଯାକେ ଆମ ବ୍ୟକ୍ତିଗତ ଚିନ୍ତାଧାରାର ଅଙ୍ଗ ହେଇ ଉଠି ନାହିଁ, ଯିଏ ଭୂତ ପ୍ରେତମାନେ, ସେଭଳି ଲୋକ ପାଖକୁ ଗଲେ ଆମେ ଭୂତ ପ୍ରେତ ମାନୁ ବୋଲି ସ୍ଵୀକାର କରୁ ଓ ଯିଏ ଏସବୁ ମାନେ ନାହିଁ, ତା ସାଙ୍ଗରେ କଥାବାର୍ତ୍ତା ହେଲେ ଆମେ ଭୂତ ପ୍ରେତ ମାନୁନା ବୋଲି କହିଦେଉ । ଏଥିରେ ତ କାହାରି କିଛି କ୍ଷତି ହେଉ ନାହିଁ ।

 

କ୍ଷତି କ’ଣ ହେଉଛି ସେ କଥା ବିଚାର କରିବା । ଯିଏ ଭୂତ ବିଶ୍ୱାସ କରେ ସେ ଯେ କେବଳ ଭୂତର ଅସ୍ତିତ୍ୱରେ ବିଶ୍ଵାସ କରେ ତାହା ନୁହେଁ, ସେ ଭୂତର ସବୁ ପ୍ରକାର କାର୍ଯ୍ୟ କଳାପରେ ବିଶ୍ଵାସ କରେ । ତେଣୁ ଯେଉଁ ଲୋକକୁ ଭୂତ ବା ଡାଆଣୀ ଲାଗିଛି ବୋଲି କୁହାଗଲା, ତାକୁ ଭଲ କରିବା ପାଇଁ ସେ ଗୁଣିଆ ଡାକିବ ନା ତାକୁ ଆଣି ମାନସିକ ରୋଗର ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବ ? ସେ ଯଦି ପ୍ରକୃତରେ ଭୂତରେ ବିଶ୍ଵାସ କରେ ତା’ହେଲେ ଡାକ୍ତର ନ ଡାକି ଗୁଣିଆ ଡାକିବ । ପୂର୍ବେ ଆମ ଗାଆଁରେ କୌଣସି ପିଲାକୁ ଜ୍ଵର, ସର୍ଦ୍ଦି, ପେଟ ଖରାପ ଇତ୍ୟାଦି ଯେ କୌଣସି ଶାରୀରିକ ରୋଗ ହେଲେ ପିଲାକୁ ଡାଆଣୀ ଦୃଷ୍ଟି କଲାରୁ ଏମିତି ଦେହ ଖରାପ ହେଇଛି ବୋଲି ଲୋକେ କହୁଥିଲେ, ଗୁଣିଆ ସୋରିଷ ମନ୍ତୁରେଇ ମନ୍ତ୍ର ପଢ଼ି ପିଲାକୁ ‘ଝାଡ଼ଫୁଙ୍କ’ କରି ନିଜର ଦକ୍ଷିଣା ନେଇ ବାହୁଡ଼ି ଯାଉଥିଲା । ରୋଗ ଆପେ ଆପେ ଭଲ ହେଲେ ପିଲା ବଞ୍ଚୁଥିଲା, ନଚେତ୍ ବିନା ଚିକିତ୍ସାରେ ମରୁଥିଲା । ଦଶବର୍ଷ ତଳେ ଗାଆଁରେ ‘ହେଲ୍‍ଥସେଣ୍ଟର’ ହେବା ଫଳରେ ଲୋକେ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ରୋଗ ବିଷୟରେ ନୂଆ କଥା ଶିଖିଲେ । ଏବେ ଆଉ ଦେହ ଖରାପ ହେଲେ ଡାଆଣୀ ଦୃଷ୍ଟି ପଡ଼ିବାରୁ ଦେହ ଖରାପ ହେଉଛି ବୋଲି କହୁ ନାହାନ୍ତି କି ଗୁଣିଆ ପାଖକୁ ଯାଉ ନାହାନ୍ତି । ଦେହ ଖରାପ ହେଲେ ଚିକିତ୍ସା ପାଇଁ ଯାଉଛନ୍ତି ।

 

ଆମ ଦେଶରେ ଶାରୀରିକ ରୋଗ ବିଷୟରେ ସାଧାରଣଲୋକଙ୍କର ଜ୍ଞାନ ବଢ଼ିବାରୁ ଜନସ୍ୱାସ୍ଥ୍ୟର ଉନ୍ନତି ହେଉଛି । ମାତ୍ର ମାନସିକ ରୋଗ ବିଷୟରେ ପ୍ରାୟ ସମସ୍ତେ ଅଜ୍ଞ ରହିଥିବାରୁ ମାନସିକ ରୋଗର ଚିକିତ୍ସା ପାଇଁ କେହି ତତ୍ପର ହେଉ ନାହାନ୍ତି । ଜଣକର ଦୃଷ୍ଟିବିଭ୍ରମ ହେଉଛି । ସେ ଯେତେବେଳେ ତା ଘରର ପୋଖରୀ ହୁଡ଼ାକୁ ଯାଉଛି ଦେଖୁଛି, ପୋଖରୀ କୂଳେ ସ୍ତ୍ରୀଲୋକଟିଏ ମୁଣ୍ଡରେ ଓଢ଼ଣା ଟାଣି ଠିଆ ହେଇଛି । ଅନ୍ୟମାନଙ୍କୁ ଆସି କହିବାରୁ ସେମାନେ ଯାଇ ସେପରି କାହାକୁ ଠିଆ ହେବାର ଦେଖିଲେ ନାହିଁ । ମାତ୍ର ଏଇ ଲୋକ କହିଲା-ଯେ “ସେ ସ୍ତ୍ରୀଲୋକ କେବଳ ତାକୁ ଦେଖାଦେଉଛି ଓ ଅନ୍ୟମାନଙ୍କଠାରୁ ଅଦୃଶ୍ୟ ହେଇ ରହୁଛି । ଏଭଳି ଦୃଷ୍ଟି ବିଭ୍ରମ (hallucination) ଯେ ମାନସିକ ରୋଗର ଗୋଟିଏ ଲକ୍ଷଣ ସେକଥା ଅନ୍ୟମାନେ ଜାଣି ନ ଥିବାରୁ ଭାବିଲେ ଲୋକଟାକୁ ଭୂତ ଲାଗିଛି । ସେଠୁ ସେମାନେ ଗୁଣୀ ଡାକି ଭୂତ ଛଡ଼େଇବାର ବ୍ୟବସ୍ଥାରେ ମାତିଲେ । ଯଦି ସାଧାରଣ ଲୋକଙ୍କ ମନରେ ମାନସିକ ସୁସ୍ନାତ ଓ ଅସୁସ୍ଥତା ବିଷୟରେ ପରିସ୍କାର ଧାରଣା ନ ହୁଏ, ତାହାହେଲେ ସେମାନେ ଡାକ୍ତର ପାଖକୁ ଯିବେ କି ?

 

ଆମଦେଶରେ ଶିକ୍ଷିତ ଲୋକ ମଧ୍ୟ ଏ ସବୁ ବିଷୟରେ ସମାନଭାବେ ଅଜ୍ଞ । ସେମାନେ ନିଜ ନିଜର ପାଠ୍ୟ ବିଷୟଗୁଡ଼ିକ ଭଲ ଭାବରେ ଜାଣନ୍ତି । ମାତ୍ର ଅନ୍ୟାନ୍ୟ ବିଷୟରେ ସେମାନଙ୍କ ଜ୍ଞାନ ଅତ୍ୟନ୍ତ ସଂକୀର୍ଣ୍ଣ ଓ ସୀମିତ । ଗୋଟିଏ ଘଟଣା କହୁଛି । ଆମର ଜଣେ ବନ୍ଧୁ ଥିଲେ ବିଜ୍ଞାନର ଅଧ୍ୟାପକ । ଘରେ ତାଙ୍କର ନିତି ଅଶାନ୍ତି । ତାଙ୍କର ବାପା ତାଙ୍କର ଚିରରୁଗ୍‍ଣା ମାଆଙ୍କୁ ଚରିତ୍ରହୀନା ବୋଲି ସନ୍ଦେହ କରି ଘରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି । ଘରେ ପୁରୁଷ ପୂଝାରୀ ରହି ପାରିବ ନାହିଁ । ମାଆ କୌଣସି ପୁରୁଷ ଲୋକ ସାମ୍ନାକୁ ବାହାରି ପାରିବେ ନାହିଁ । ଯଦି ସକାଳେ ଗଉଡ଼ ପିଲାର ଡାକ ଶୁଣି ମାଆ ଭୁଲରେ କବାଟ ଖୋଲିଦେଲେ, ତା’ହେଲେ ଆଉ ରକ୍ଷା ନାହିଁ, ଘରକୁ କୌଣସି ପୁରୁଷ ଆତ୍ମୀୟ ସ୍ୱଜନ ଆସିବା ମନା, କାରଣ ତାଙ୍କ ବାପାଙ୍କର ସ୍ଥିର ବିଶ୍ୱାସ ଯେ ସ୍ତ୍ରୀ ଏମାନଙ୍କୁ ଦେଖିବା ମାତ୍ରେ ଏମାନଙ୍କ ସହିତ ଗୋପନ ପ୍ରଣୟରେ ଲିପ୍ତ ହେବେ । ପିଲାମାନେ ତାଙ୍କୁ ଯେତେ ବୁଝେଇବାକୁ ଚେଷ୍ଟା କଲେ ମଧ୍ୟ ସେ ବୁଝିବାକୁ ରାଜି ନୁହନ୍ତି । ତାଙ୍କ ମତରେ ସ୍ତ୍ରୀ ଏତେ ଧୂର୍ତ୍ତ ଯେ ସମସ୍ତଙ୍କୁ ବୋକା ବନେଇ ଦେବେ ଓ କାହା ସାଙ୍ଗେ କ’ଣ କରୁଛନ୍ତି ସେକଥା କେହି ଜାଣି ପାରିବେ ନାହିଁ । ଏସବୁ ଶୁଣି ତାଙ୍କ ବାପାଙ୍କର କି ପ୍ରକାର ମାନସିକ ରୋଗ ହେଇଛି ସେକଥା ତାଙ୍କୁ କୁହାଗଲା । ସ୍ଥିର ହେଲା ସେ ବାପାଙ୍କ ରାଞ୍ଚି ନେଇ ସେଠାକାର ମାନସିକ ରୋଗର ଡାକ୍ତରଙ୍କୁ ଦେଖାଇ ତାଙ୍କର ପରାମର୍ଶ ଲୋଡ଼ିବେ । ଅଳ୍ପଦିନ ପରେ ସେ ବାପାଙ୍କୁ ନେଇ ରାଞ୍ଚି ଗଲେ । ତାଙ୍କ ବାପା ସେଠାରେ ଡାକ୍ତରୀ ଚିକିତ୍ସାରେ ରହି ଭଲ ହେଇ ଘରକୁ ଫେରିଲେ । ପ୍ରୌଢ଼ଦମ୍ପତି ବୋଲି ସ୍ଵାମୀଙ୍କର ଏଇ ଅସ୍ଵାଭାବିକ ସନ୍ଦେହ ମାନସିକ ରୋଗର ଲକ୍ଷଣ ବୋଲି ସହଜରେ ଜାଣି ହେଲା । ଯଦି ଏହି ଦମ୍ପତି ତରୁଣ ହୋଇଥାଆନ୍ତେ ଓ ସ୍ତ୍ରୀ ସୁନ୍ଦର ହୋଇଥାଆନ୍ତେ, ତେବେ ସ୍ୱାମୀଙ୍କର ଅଭିଯୋଗ ଶୁଣି ସମସ୍ତେ ସ୍ତ୍ରୀଙ୍କୁ ନଷ୍ଟଚରିତ୍ରା ବୋଲି ଭାବନ୍ତେ । ସ୍ଵାମୀଙ୍କର ମାନସିକ ରୋଗ ହେଇଛି ବୋଲି ବିଶ୍ଵାସ କରି ପାରନ୍ତେ ନାହିଁ । ବହୁ ଦମ୍ପତି ଏପରି ଅଶାନ୍ତିରେ ଥାଆନ୍ତି, କାରଣ ଏ ଅବସ୍ଥାର ପ୍ରତିକାର କ’ଣ ସେକଥା ସେମାନେ ଜାଣନ୍ତି ନାହିଁ । ଏସବୁ ଦେଖି ଭାବିବା କଥା ଯେ କ’ଣ କଲେ ଶିକ୍ଷିତ ଲୋକ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଶିକ୍ଷିତ ଲୋକ ପରି ଚଳିବେ । ବର୍ତ୍ତମାନ ଆମ ଦେଶରେ ଶିକ୍ଷିତ ଲୋକେ ନିଜର ବୃତ୍ତି ବିଷୟରେ ଅଧିକରୁ ଅଧିକତର ଜ୍ଞାନ ଓ ଦକ୍ଷତା ଅର୍ଜନ କରି ଚାଲିଛନ୍ତି, ମାତ୍ର ଅନ୍ୟାନ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରହି ଯାଉଛନ୍ତି ।

 

ଏହିପରି ଅସମ୍ପୂର୍ଣ୍ଣ ଜ୍ଞାନ ଓ ଅସମାନ ଶିକ୍ଷା ଫଳରେ ଲୋକଚରିତ୍ର ଓ ଲୋକସମ୍ପର୍କ ବିଷୟରେ ଆମେ ଅଜ୍ଞପ୍ରାୟ ରହିଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ । ସ୍ୱାମୀ ସ୍ତ୍ରୀଙ୍କର ପରସ୍ପର ଭିତରେ ବୁଝାମଣା ହେଉନାହିଁ । ସ୍ଵାମୀର ଇଚ୍ଛା ଓ ଅଭିଳାଷ ଏବଂ ସ୍ତ୍ରୀର ଇଚ୍ଛା ଓ ଅଭିଳାଷ ବିପରୀତ ପଥରେ ଗତି କରୁଛି । ଦେହର ଆକର୍ଷଣ କମିଗଲେ ମନର ଆକର୍ଷଣ ମଧ୍ୟ କମିଯାଉଛି । ବର୍ତ୍ତମାନ ଓଡ଼ିଆ ପତ୍ରପତ୍ରିକାରେ ବାହାରୁଥିବା ଗଳ୍ପଗୁଡ଼ିକର ମୁଖ୍ୟ ବିଷୟ ବସ୍ତୁ ହେଉଛି ଦାମ୍ପତ୍ତ୍ୟ-ଅଶାନ୍ତି । ବୈବାହିକ-ପ୍ରୀତିର ବର୍ଣ୍ଣନା କୌଣସି ଗଳ୍ପରେ ପ୍ରାୟ ନାହିଁ କହିଲେ ଚଳେ । ନାରୀ ଓ ପୁରୁଷ ମଧ୍ୟରେ ଯେଉଁ ପ୍ରୀତିର ବର୍ଣ୍ଣନା ଅଛି ସେ ସବୁ ବିବାହର ପୂର୍ବଅବସ୍ଥାରେ ସୀମାବଦ୍ଧ । ବିବାହିତ ଜୀବନରେ ଦାମ୍ପତ୍ୟ-ପ୍ରୀତିର ଚିହ୍ନ କୌଣସି ଲୋକ ଲକ୍ଷ୍ୟ କରି ପାରୁ ନାହାନ୍ତି । ସେମାନେ ଦେଖୁଛନ୍ତି ଅସରନ୍ତି ଦାମ୍ପତ୍ୟ-ବିରୋଧ ।

 

ସ୍ଵାମୀ-ସ୍ତ୍ରୀ ସମ୍ବନ୍ଧ ଲୌକିକ ସମ୍ପର୍କ, ମାତ୍ର ସନ୍ତାନ ତ ନିଜ ରକ୍ତ ମାଂସରେ ଗଢ଼ା । ତା ସହିତ ମଧ୍ୟ ନିବିଡ଼ ସମ୍ବନ୍ଧ ଗଢ଼ି ଉଠୁନାହିଁ । କାହିଁକି ନିଜର ପିଲାମାନେ ଦୂରେଇ ଯାଉଛନ୍ତି, ସେକଥା ଆମେ ତଳେଇ ଦେଖୁନାହୁଁ । କେହି ପଚାରିଲେ, ପାଶ୍ଚାତ୍ୟ ସମାଜ ବିଜ୍ଞାନୀଙ୍କର ମତାମତକୁ ପୁନରାବୃତ୍ତି କରି କରୁଛୁ ‘Generation gap’ ଯୋଗୁଁ ଏପରି ହେଉଛି । ଅର୍ଥାତ୍ ବାପା ମାଆ ପୁରୁଣା ଯୁଗର ମଣିଷ, ଅଥଚ ପିଲାମାନେ ନୂଆଯୁଗରେ ବଢ଼ୁଛନ୍ତି । ସେଥିଲାଗି ସେମାନେ ପରସ୍ପରର ରୁଚି, ଆଦର୍ଶ ଓ ଚିନ୍ତାଧାରା ବୁଝିପାରୁ ନାହାନ୍ତି । ପିଲାଙ୍କର ଚାଲିଚଳଣ ବାପା ମାଆଙ୍କୁ ଅଡ଼ୁଆ ଲାଗୁଛି । ପିଲା ବାପାମାଆଙ୍କୁ ମରହଟ୍ଟିଆ ବୋଲି ଭାବୁଛି । ମାତ୍ର ଯୁଗର ପରିବର୍ତ୍ତନ ତ ସୃଷ୍ଟିର ଆରମ୍ଭରୁ ଚାଲିଛି । ପୂର୍ବକାଳରେ ମଧ୍ୟ ଯୁଗର ପରିବର୍ତ୍ତନ ଅନୁସାରେ ଲୋକଙ୍କର ଚାଲିଚଳଣ, ରୁଚି, ଚିନ୍ତାଧାରା ଓ ଆଦର୍ଶରେ ପରିବର୍ତ୍ତନ ଘଟିଛି । ସେତେବେଳେ ମଧ୍ୟ ବୟସର ତଫାତ୍ ହେତୁ ବାପା, ମାଆ ଓ ପିଲାଙ୍କର ବ୍ୟବହାରରେ ସ୍ଵାତନ୍ତ୍ର୍ୟ ଦେଖାଯାଉଥିଲା । କିନ୍ତୁ ଏଭଳି ସ୍ୱାତନ୍ତ୍ର୍ୟ ବିଚ୍ଛେଦ ସୃଷ୍ଟି କରୁ ନ ଥିଲା । ସବୁ ଯୁଗରେ ଭାରତୀୟ ପରିବାର ପ୍ରାଚୀନ ବଟବୃକ୍ଷ ପରି ନିଜର ସ୍ଵତନ୍ତ୍ର ଚେରରୁ ସ୍ଵତନ୍ତ୍ର ବୃକ୍ଷ ସୃଷ୍ଟି କରିଛି । ମାତ୍ର ମୂଳକାଣ୍ଡ ସହିତ ପ୍ରତିଟି ନୂଆଗଛର ଅବିଚ୍ଛେଦ୍ୟ ସମ୍ପର୍କ ରହୁଥିଲା । ସେତେବେଳେ ବ୍ୟକ୍ତି ମନର ସ୍ଵାତନ୍ତ୍ର୍ୟ, ଆତ୍ମାର ସମ୍ବନ୍ଧକୁ ଅସ୍ଵୀକାର କରାଯାଉ ନ ଥିଲା । ଆଜି ଆମ ଦେଶରେ ପରିବାର ମଧ୍ୟରେ ଯେଉଁ ନିଃସମ୍ପର୍କୀୟଭାବ ଦେଖାଯାଉଛି ତା’ର କାରଣ ‘generation gap’ ନୁହେଁ । ତା’ର କାରଣ ହେଉଛି, ଆମେ ଆମ ପିଲାଙ୍କୁ ନିଜଠାରୁ ଦୂରେଇ ରଖୁଛୁ । ପିଲା ସହିତ ମନର ଆଦାନ ପ୍ରଦାନ ହେଉନାହିଁ, ବର୍ତ୍ତମାନ କାଳରେ ପିଲା ଘରର ବଡ଼ ମଣିଷମାନଙ୍କର ସଙ୍ଗ ଓ ସାହଚର୍ଯ୍ୟ ପାଉ ନାହାନ୍ତି । ପିଲା ଥରେ ସ୍କୁଲ ଯିବାକୁ ଆରମ୍ଭ କଲେ ଅଧିକାଂଶ ସମୟ ନିଜର ସମବୟସ୍କ ପିଲାଙ୍କ ସହିତ କଟାଉଛି, ସମାଜର ବିଭିନ୍ନ ବୟସର ଲୋକଙ୍କ ସଂସ୍ପର୍ଶରେ ଆସିବାର ସମୟ ଓ ସୁଯୋଗ ସେ ପାଉନାହିଁ । ଫଳରେ ଅନ୍ୟମାନଙ୍କ ସହିତ ତା’ର କେବଳ ଲୌକିକ ସମ୍ପର୍କ ରହୁଛି । ଏ ସମ୍ପର୍କ ଗାଢ଼ ହେଉନାହିଁ, ସେଥିଲାଗି ଯେ କେବଳ ବିଭିନ୍ନ ବୟସର ଲୋକଙ୍କ ମଧ୍ୟରେ ଯୋଗସୂତ୍ର କଟିଯାଉଛି । ତାହା ନୁହେଁ, ନିଜର ପରମ୍ପରା ସହିତ ମଧ୍ୟ ବିଚ୍ଛେଦ ଘଟୁଛି । କାରଣ ପୁରୁଣା ଯୁଗର ଲୋକ ନୂଆ ଯୁଗର ଲୋକ ହାତରେ ନିଜର ସଭ୍ୟତା ଓ ସଂସ୍କୃତି ସମର୍ପି ଦେଇଯାଏ, ସେମାନେ ତାକୁ ଭବିଷ୍ୟତ ଯୁଗ ପାଇଁ ବହନ କରି ଚାଲନ୍ତି । ଉଦାହରଣସ୍ୱରୂପ, ଉଚ୍ଚାଙ୍ଗ ସଙ୍ଗୀତ କଥା ଦେଖନ୍ତୁ । କୌଣସି ସଙ୍ଗୀତଜ୍ଞ ନିଜ ଜୀବନକାଳରେ ନୂତନ ସଙ୍ଗୀତ ରଚନା ସମାପ୍ତ କରି ପାରିନାହାନ୍ତି । ପୁତ୍ର, ପୌତ୍ର ଓ ଶିଷ୍ୟମାନେ ହିଁ ପରବର୍ତ୍ତୀକାଳରେ ମୂଳ ରଚନାକୁ ପରିବର୍ତ୍ତିତ କରି, ପରିବର୍ଦ୍ଧିତ କରି ରଚନାକୁ ପୂର୍ଣ୍ଣାଙ୍ଗ କରିଛନ୍ତି । ଭାରତୀୟ ଦର୍ଶନ ମଧ୍ୟ ସେହି ଭାବରେ ଗଢ଼ିଉଠିଛି । ଆମର ସଂସ୍କୃତି, ଆଦର୍ଶ, ମୂଲ୍ୟବୋଧ, ଜୀବନ ବିଷୟକ ଧାରଣା ଏହି ଭାବରେ ଗୋଟାଏ ଯୁଗରୁ ଆଉ ଗୋଟାଏ ଯୁଗକୁ ଉତ୍ତରଣ କରିଛି । ବର୍ତ୍ତମାନ ଏସବୁ ଲୋପ ହେବାକୁ ବସିଛି । କାରଣ ପ୍ରଥମତଃ ଏସବୁ ବିଷୟ ଆମ ପାଠ୍ୟକ୍ରମର ଅଙ୍ଗ ନୁହେଁ । ଦ୍ଵିତୀୟରେ ନିଜ ପରିବାରଠାରୁ ପରମ୍ପରା ସୂତ୍ରରେ ଶିଖିବାର ସୁଯୋଗ ପିଲା ପାଉନାହାନ୍ତି । ବଡ଼ ମଣିଷଙ୍କ ପାଖରେ ନ ରହି ସବୁବେଳେ ସାଙ୍ଗପିଲାଙ୍କ ସହିତ ରହୁଥିବାରୁ ଏସବୁ ବିଷୟ କେହି କାହାକୁ ଶିଖାଉନାହାନ୍ତି । ଅଥଚ ଏସବୁ ବିଷୟ ନ ଶିଖିଲେ ଆମେ ମାର୍ଜିତ, ଶିକ୍ଷାଦୀପ୍ତ ଜୀବନର ଅଧିକାରୀ ହେଇ ପାରିବୁ କି ? କେମିତି ପରସ୍ପର ସହିତ ଶାନ୍ତି, ପ୍ରୀତି ଓ ମୈତ୍ରୀର ସମ୍ପର୍କ ରହିବ ସେ କଥା ଜାଣିବୁ କି ? ଆମେ ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ ଦେଖୁଛୁ ଯେ ସେମାନେ ମାନବିକତାବୋଧ ଓ ମାନବସମ୍ପର୍କକୁ ଅବହେଳା କରୁଥିବାରୁ ପରସ୍ପର ସହିତ ଶାନ୍ତିରେ ଚଳିପାରୁ ନାହାନ୍ତି । ସେମାନଙ୍କର ପରିବାର ଭାଙ୍ଗିଯାଉଛି । କେତେ ଦେଶରେ ଶତକଡ଼ା ପଚାଶଟି ବିବାହ ଭାଙ୍ଗିଯାଉଛି-। ନିଜର ପିଲା ବଢ଼ୁଛନ୍ତି ଅନ୍ୟଲୋକ ଘରେ ବା ସରକାରୀ ତତ୍ତ୍ଵାବଧାନରେ । ବୁଢ଼ା ବାପା ମାଆ ରହୁଛନ୍ତି ବୃଦ୍ଧମାନଙ୍କ ପାଇଁ ତିଆରି ହେଇଥିବା ଆରାମପ୍ରଦ ଆଶ୍ରୟଶାଳାରେ । ମାତ୍ର ପରିବାରରୁ ବିଚ୍ଛିନ୍ନ ହୋଇଥିବାରୁ ସେମାନେ ନିଃସଙ୍ଗ ଓ ଅସୁଖୀ, ଆମ ଦେଶରେ ମଧ୍ୟ ଏହିଭଳି ସମସ୍ୟା ଦେଖାଦେଲାଣି । ଯେ କୌଣସି ପେନସନ୍ ପ୍ରାପ୍ତ ବୁଢ଼ାଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତୁ, ଦେଖିବେ ଯେ ସେ ଭାରୀ ଏକୁଟିଆ । ତାଙ୍କର ପିଲାମାନେ ଯେ ଯୁଆଡ଼େ ଚାକିରି ବାକିରିରେ ପଶି ଘରସଂସାର କରି ରହିଲେଣି । ଦୂର ବିଦେଶରେ ରହି ବାପା ମା’ଙ୍କ କଥା ବୁଝିପାରୁ ନାହାନ୍ତି । ସମୟ କରି ବାପା ମାଆଙ୍କୁ ଦେଖିଯିବାକୁ ବେଳ ହେଉନାହିଁ । ଅନେକ ସିଧାସଳଖ କହୁଛନ୍ତି ଯେ ପିଲାମାନେ ପଚାରୁନାହାନ୍ତି । ବିଶେଷକରି ଯଦି ପିଲା ପାଖରୁ ବାପ ମାଆ ଅର୍ଥ ସାହାଯ୍ୟ ଆଶା କରୁଥାନ୍ତି, ତା’ହେଲେ ଦେଖୁଛନ୍ତି ଯେ ପିଲା ହୁଏତ ଟଙ୍କା ପଠେଇ ଦଉଛି; ମାତ୍ର ସମୟ କରି ଚିଠିଟାଏ ଲେଖୁନାହିଁ । କାହିଁକି ଏପରି ହେଲା ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଲେ ବର୍ତ୍ତମାନ ପିଲା କେମିତି ବଢ଼ୁଛନ୍ତି ସେ କଥା ଲକ୍ଷ୍ୟ କରନ୍ତୁ ।

 

ପିଲା ସ୍କୁଲରେ ପଢ଼ୁଛି । ସକାଳୁ ଉଠି ଖାଇପିଇ ପଢ଼ିବସୁଛି ! ନଅଟାରେ ପଢ଼ାରୁ ଉଠ ଗାଧୋଇ ଖାଇ ସ୍କୁଲ ଯାଉଛି । ସ୍କୁଲରେ ବହୁତ ପିଲା, ଗୋଟାଏ କ୍ଳାସରେ ଗୁଡ଼ାଏ ସେକ୍‌ସନ୍ । ଶିକ୍ଷକମାନେ ଅନେକ ପିଲାଙ୍କୁ ଚିହ୍ନନ୍ତି ନାହିଁ । ସବୁପିଲା ମଧ୍ୟ ପରସ୍ପରକୁ ଜାଣନ୍ତି ନାହିଁ । ଓପରଓଳି ସ୍କୁଲ ଛୁଟି ହେଲେ ସେ ଘରକୁ ଫେରି ଖାଇପିଇ ସାଙ୍ଗପିଲାଙ୍କ ସାଙ୍ଗରେ ଖେଳିବାକୁ ଯାଏ । ଯଦି ଘରପାଖରେ ଖେଳିବାକୁ ଜାଗା ନାହିଁ, ତା’ହେଲେ ରାସ୍ତାରେ ବୁଲି ସନ୍ଧ୍ୟାରେ ଘରକୁ ଫେରି ପଢ଼ି ସେ ତାର ଶୋଇବା ବେଳକୁ କିମ୍ବା ଶୋଇବା ପରେ, ବାପା ନିଜ ସାଙ୍ଗସାଥୀଙ୍କ ସହିତ ଗପସପ କରି ବା ତାସ୍ ଖେଳି ଫେରନ୍ତି । ବାପା କାମ ସାରି ଅଫିସରୁ ଫେରିଲାବେଳକୁ ସେ ସାଙ୍ଗପିଲାଙ୍କ ସହିତ ଖେଳୁଛି । ହିସାବ କରି ଦେଖନ୍ତୁ, ପ୍ରତି ସପ୍ତାହରେ ସେ ବାପାଙ୍କୁ କେତେ ସମୟ ପାଇଁ ଦେଖୁଛି ? ମାଆକୁ ମଧ୍ୟ ଦେଖୁଛି, କେବଳ ଖାଇବା ପିଇବା ବେଳେ କିମ୍ବା ଦେହ ଖରାପ ହୋଇ ଘରେ ରହିଲେ । ମାଆ ସବୁବେଳେ ଘରକାମ କିମ୍ୱା ଅନ୍ୟପିଲାଙ୍କ କାମରେ ବ୍ୟସ୍ତ । ଯଦି ମାଆ ଚାକିରି କରୁଥାଆନ୍ତି ତା’ହେଲେ ସେ ଆହୁରି କାର୍ଯ୍ୟବ୍ୟସ୍ତ ରହନ୍ତି । ଏପରି ଅବସ୍ଥାରେ ବାପା ମାଆ ସହିତ ମନର ସମ୍ପର୍କ ଗଢ଼ି ଉଠିବାକୁ ବେଳ କାହିଁ ? ଯେଉଁମାନେ ବର୍ତ୍ତମାନ କଲେଜରେ ପଢ଼ୁଛନ୍ତି ସେମାନଙ୍କୁ ପଚାରିଲେ ଦେଖିବେ, ସେମାନେ ନିଜ ମନକଥା ଅସଙ୍କୋଚରେ ବାପାଙ୍କୁ କହିପାରନ୍ତି ନାହିଁ । ମାଆ ଜରିଆରେ ବାପା ସହିତ କଥାବାର୍ତ୍ତା ହୁଅନ୍ତି । ଏମିତି କଣ ନିଜର ଟଙ୍କା ପଇସା କେତେ ଦରକାର କେହି କେହି ସେକଥା ମଧ୍ୟ ମାଆ ହାତରେ ବାପାଙ୍କୁ ଜଣାନ୍ତି । ସିଧାସଳଖ କହିପାରନ୍ତି ନାହିଁ । ଯଦି କେହି ବାପା ସହିତ କଥାବାର୍ତ୍ତା କରେ ତାହେଲେ ପାରିବାରିକ ଖବରାଖବର, ଜମିବାଡ଼ି କଥା, ବାହାଘର ସାହାଘର ଏହିଭଳି ବିଷୟରେ କଥାବାର୍ତ୍ତା ହୁଅନ୍ତି । ନିଜ ମନର ଚିନ୍ତାଦକ, ନୈରାଶ୍ୟ, କିମ୍ବା ନିଜର ଇଚ୍ଛା ଅନିଚ୍ଛା, ଅଥବା ମନର ଦ୍ୱନ୍ଦ୍ୱ ସଂଶୟ ବିଷୟରେ ପ୍ରାୟ କଥାବାର୍ତ୍ତା ହୁଅନ୍ତି ନାହିଁ । ମାତ୍ର ପ୍ରତ୍ୟେକ ମଣିଷର ବିଷର୍ଣ୍ଣ ଅନୁଭୂତି ଆସେ, ନିଜ ଅନ୍ତରଙ୍ଗ ଲୋକଠାରେ ଏଭଳି ଅନୁଭୂତି ପ୍ରକାଶ କରି ସେ ଆଶ୍ୱାସନା ଖୋଜେ । ଆମେ ଏକାଘରେ ରହୁ, ଏକାଠି ଖାଉପିଉ, ଉପର ଠାଉରିଆ କଥାବାର୍ତ୍ତା କରୁ । ମାତ୍ର ଆମର ପରସ୍ପର ମଧ୍ୟରେ ମନର ଅପରିମିତ ବ୍ୟବଧାନ ରହିଛି । ଆମର ଆତ୍ମୀୟତା ଲୌକିକ ସମ୍ପର୍କ ଅତିକ୍ରମ କରି ଆତ୍ମାର ସମ୍ବନ୍ଧରେ ରୂପ ନେଇ ପାରୁନାହିଁ । ଫଳରେ କେବଳ ଅନ୍ତଃସାର ଶୂନ୍ୟ କର୍ତ୍ତବ୍ୟବୋଧ ରହୁଛି ମାତ୍ର ସ୍ନେହ ଓ ପ୍ରୀତିର ବନ୍ଧନ ଗଢ଼ି ଉଠୁନାହିଁ । ଏପରି ଭାବରେ ଯେଉଁ ପିଲା ବଢ଼େ ସେ ବଡ଼ ହେଲେ ନିଜର ଘରସଂସାର କଲେ କାହିଁକି ବାପା ମାଆଙ୍କୁ ପଚାରିବ ? ପ୍ରାୟ ଦେଖିବେ ଯେ ମାଆ ସହିତ ବେଶୀ ସମୟ କଟିଥିବାରୁ ପିଲାମାନେ ମାଆ ପ୍ରତି ଅଧିକା ମମତା ଅନୁଭବ କରନ୍ତି । ଯିଏ ଉଇନ୍‍ଷ୍ଟନ୍ ଚର୍ଚ୍ଚିଲଙ୍କ ପରି ଧାଈ–ମା ପାଖରେ ବଢ଼ିଛି, ସେ ମାଆ ଅପେକ୍ଷା ଧାଈ–ମା ପ୍ରତି ଆକର୍ଷଣ ଅନୁଭବ କରେ । ସେଥିଲାଗି ପିଲା ଯଦି ବାପା ମାଆଙ୍କ ପ୍ରତି ଉଦାସୀନ ହୁଏ, ତା’ହେଲେ ଦୋଷ ପିଲାର ଯେତିକି, ବାପା ମାଆଙ୍କର ତାହାଠାରୁ ଢେର୍ ଅଧିକ । ଯଦି ବାପା ପିଲାର ବଢ଼ିବା ବୟସରେ କିଛି ସମୟ ପିଲା ସାଙ୍ଗରେ କଟାଇଥାନ୍ତେ, ମାଆପରି ଟିକେହେଲେ ସ୍ନେହ ସରାଗ ଦେଖାଇଥାଆନ୍ତେ ତାହାହେଲେ ପିଲାର ମଧ୍ୟ ତାଙ୍କ ପ୍ରତି ଅନ୍ତରରୁ ମମତା ଜନ୍ମନ୍ତା । ଅଥଚ ଅଧିକାଂଶ ବାପା ଯଦି ବା ପିଲା ସାଙ୍ଗରେ କିଛିବେଳ ରୁହନ୍ତି, ସେ ବେଳତକ ପିଲାକୁ ଶାସନ କରି ଓ ବାଚନିକ ଉପଦେଶ ଦେଇ କଟାନ୍ତି । ଏଇ ଉପଦେଶର ବିଷୟବସ୍ତୁ ହେଲା–ପିଲାର ଗଫଲତି ଓ ଦୋଷ ।

 

ବାପାର କାମ ଶାସନ ଓ ମାଆର କାମ ଲାଳନ–ଏଇ ଧାରଣା ଆମ ଦେଶରେ ଏତେ ବଦ୍ଧମୂଳ ଯେ ବାପାମାନେ ନିଜ ମନର ସ୍ନେହ ବା ଆଦର ଶାସନ ଛଳରେ ପ୍ରକାଶ କରନ୍ତି । ଯଥା–“ସକାଳୁ ଉଠି ପିଲାର ମୁହଁ ଚାହିଁଲେ ପ୍ରଥମ ସମ୍ଭାଷଣ ହେଲା-ଏତେ ଡେରିଯାକେ ଶୋଇଥିଲୁ କାହିଁକି ? ଏତେବେଳେଯାକେ ଶୋଇଲେ ପାଠ ପଢ଼ିବ କେତେବେଳେ ? ପିଲା ଜଳଖିଆ ଖାଇ ବସିଲା–ହାତ ଧୋଇଛୁ ? ଆଖିରେ ଲେଞ୍ଜରା ଲାଗିଛି । ମୁହଁଟା ବି ଭଲରେ ଧୋଇ ପାରୁନୁ–କ’ଣ ଦାନ୍ତ ଘସିନୁ କିରେ ? ଏତେ ଚିନି କାହିଁକି ଖାଉଛୁ ? ଦାନ୍ତ ପାଇଁ ଖରାପ । ଖାଇଲାବେଳେ ଖାଇବାକୁ ଅନେଇ ଖାଇବୁ, ନ ହେଲେ ଲୁଗା-ପଟାରେ ଅଇଣ୍ଠା ପଡ଼ିବ । ସିଧାଟା ହେଇ ବସି ପାରୁନି, ସେମିତି କୁଜା ହେଇ ବସିଲେ ମେରୁଦଣ୍ଡ ବଙ୍କା ହୋଇଯିବ ।” ଏସବୁ ଉପଦେଶ ଖୁବ୍ ଭଲ ଉପଦେଶ । ମାତ୍ର ଭାବି ଦେଖନ୍ତି, ନିଜକୁ ଘଣ୍ଟା ଘଣ୍ଟା ଧରି ଏଭଳି ଉପଦେଶ ଶୁଣିବାକୁ ଭଲ ଲାଗିବ କି ? ନିଜେ ଅଫିସରେ ପହଞ୍ଚଲା ପରେ ଯଦି ଓପର ଅଫିସର ଟେବୁଲ ପାଖରେ ଠିଆ ହୋଇ ଅଫିସ କାମ ବିଷୟରେ ଏଭଳି ଉପଦେଶ ଦେଇ ଚାଲିଥାଆନ୍ତେ, ତାହେଲେ କେମିତି ଲାଗନ୍ତା ? ନିଶ୍ଚୟ, ସେ ଅଫିସରଙ୍କ ପାଖ ପଶିବାକୁ ଆପଣଙ୍କର ମନ ହୁଅନ୍ତା ନାହିଁ ଓ ସେ କେମିତି ବଦଳି ହେଇ ଯାଆନ୍ତୁ ସେ ଚେଷ୍ଟାରେ ଆପଣ ଲାଗି ପଡ଼ନ୍ତେ । ଅଥଚ ଆପଣଙ୍କ ପୁଅର ଏପରି ସ୍ଵାଧୀନତା ନାହଁ ? କାହିଁକି ପୁଅ ବାପାର ପାଖ ମାଡ଼ୁନି ସେକଥା ବାପାର ଭାବି ଦେଖିବା ଉଚିତ୍ । ଯଦି ପୁଅ ଗାଳି, କଟକଣାକୁ ଡରି ବାପା ଠାରୁ ଆଡ଼ ହୋଇ ରହୁଛି ତା’ହେଲେ ଶାସନ ଛଳରେ ଆଦର ପ୍ରକାଶ ନ କରି ଆଦର ଛଳରେ ଆଦର ପ୍ରକାଶ କଲେ କ୍ଷତି କ’ଣ ?’ ପୁଅ ମନରୁ ସ୍ନେହର ସହଜ ସାବଲୀଳତା ଚାଲିଯାଇ ବାପା ପ୍ରତି ମନରେ ଭୟ ଓ ସଙ୍କୋଚର ଆବିଳତା ବଢ଼ିଲେ କାହାର ଉପକାର ହେବ ?

 

ବର୍ତ୍ତମାନ ଅଧିକାଂଶ ପିଲା ଷୋଳ ସତର ବର୍ଷ ବୟସରୁ ବାପା ମାଆଙ୍କ ଠାରୁ ଦୂରରେ ରହି ପାଠ ପଢ଼ୁଛନ୍ତି । ଆର୍ଥିକ ନିର୍ଭରତା ଛଡ଼ା ଅନ୍ୟାନ୍ୟ ବିଷୟରେ ସେମାନେ ବାପା ମାଆଙ୍କଠାରୁ ଅନ୍ୟ କୌଣସି ବିଷୟରେ ସାହାଯ୍ୟ ପାଉ ନାହାନ୍ତି ।

 

ପିଲା ଉପାର୍ଜନ କ୍ଷମ ହେଲା ପରେ ସେତକ ନିର୍ଭରତା ମଧ୍ୟ ଚାଲିଯାଉଛି । ଚାକିରି ଆରମ୍ଭ ହେଲେ ପିଲାର ନିଜ ଚାକିରି ଜାଗାରେ ଓ ବାପା ରହିଲେ ନିଜ ସ୍ଥାନରେ । ଏସବୁ ଦେଖି ମଧ୍ୟ ଆମେ ଧରି ନେଇଥାଉ ଯେ ଆମ ପିଲା ଜୀବନଯାକ ଆମ ପାଖରେ ରହିବେ । ପିଲା ସହିତ ତ ସବୁବେଳେ ରହିଛୁ । ତାକୁ ପୁଣି ବିଶେଷ ସମୟ ଦବା କ’ଣ ଦରକାର ବୋଲି ସମସ୍ତେ ଭାବନ୍ତି-। ପିଲାକୁ ଷୋଳ ବର୍ଷ ପୂରିଲା ପରେ, ତା’ର ବାପା ମାଆଙ୍କ ସହିତ ଏକାଠି ରହିବାର ସମ୍ଭାବନା ଯେ କେତେ କମିଯାଉଛି ସେ ବିଷୟ ଚିନ୍ତା କରୁ ନାହିଁ । ଆଗପରି ପିଲା ସହିତ ଘନିଷ୍ଠ ହେବାର ସୁଯୋଗ ଏକାଳରେ ନାହିଁ । ଆମ ହାତରେ ସମୟ ଅଳ୍ପ । ବର୍ତ୍ତମାନ ନିଜ ସମୟରୁ କିଛି ସମୟ ପିଲାଙ୍କୁ ନ ଦେଲେ, ପରେ ପିଲା ସହିତ ଏକାଠି ସମୟ କଟାଇ ଘନିଷ୍ଠ ହେବାର ସୁଯୋଗ ଆଉ ଆସିବ ନାହିଁ ।

 

ପରିବାରରେ ପାରସ୍ପରିକ ସମ୍ପର୍କର ଅବନତି ଯେପରି ବଢ଼ି ଚାଲିଛି, ସାମାଜିକ ଜୀବନରେ ମଧ୍ୟ ସେହିପରି ନିଜ ସମ୍ପ୍ରଦାୟ ସହିତ ଅନ୍ୟ ସମ୍ପଦାୟର ସମ୍ୱନ୍ଧ କ୍ରମଶଃ ଅବନତି ଆଡ଼କୁ ଯାଉଛି । ପ୍ରତିଦିନ ଖବର କାଗଜ ବା ରେଡ଼ିଓରେ ଦେଶର ବିଭିନ୍ନ ସ୍ଥାନରେ ଧର୍ମ ଓ ବର୍ଣ୍ଣଗତ ବିରୋଧର ହିଂସାତ୍ମକ କାହାଣୀ ଶୁଣାଯାଉଛି । ଏପରି ବିରୋଧର କାରଣ ପ୍ରଧାନତଃ ଅର୍ଥନୈତିକ ଓ ରାଜନୈତିକ ବୋଲି ବିଶେଷଜ୍ଞମାନେ ପ୍ରକାଶ୍ୟରେ କହୁଛନ୍ତି । ମାତ୍ର ଭ୍ରାନ୍ତ ଧର୍ମଜ୍ଞାନ ଯୋଗୁଁ ଲୋକଙ୍କ ମନରେ ଧର୍ମାନ୍ଧତା ବଢ଼ୁଥିବା ଯୋଗୁ ଯେ ଏପରି ବିରୋଧ ବଢ଼ୁଛି ସେକଥା ଖୁବ୍ କମ୍ ଲୋକ ଭାବନ୍ତି । ଶିକ୍ଷା ମାଧ୍ୟମରେ ଏପରି ଧର୍ମାନ୍ଧତା ଦୂର କରି ହେବ କି ନାହିଁ ସେ ବିଷୟ କେହି ଆଲୋଚନା କରନ୍ତି ନାହିଁ ଏହାର କାରଣ ହେଉଛି ଶିକ୍ଷିତ ଲୋକ ନିଜକୁ ମାନବତାବାଦୀ କହି ପୂରା ଧର୍ମ ସମସ୍ୟା ବିଷୟରେ ନୀରବ ରହିଯାଉଛନ୍ତି । ସେମାନଙ୍କର ଉଦାରପନ୍ଥୀ ଚିନ୍ତାଧାରା ସରକାରୀ ସିଦ୍ଧାନ୍ତକୁ ପ୍ରଭାବିତ କରୁଥିବାରୁ ସରକାର ଆମ ଦେଶକୁ ଧର୍ମ ନିରପେକ୍ଷ ବୋଲି ଘୋଷଣା କଲେ । କୌଣସି ଧର୍ମମତକୁ ଗୁରୁତ୍ୱ ଦେବେ ନାହିଁ ବୋଲି ସ୍କୁଲରେ ଧର୍ମ ବିଷୟରେ ଆଲୋଚନା ନିଷିଦ୍ଧ ହେଲା । ସେମାନେ ଭାବିଲେ ଯେ ଧର୍ମ ବିଦ୍ୱେଷ ଖରାପ ବୋଲି କହିଲେ ଲୋକଙ୍କ ମନରୁ ଏପରି ବିଦ୍ୱେଷ ଆପେ ଆପେ ଚାଲିଯିବ ।

 

ବର୍ତ୍ତମାନ ଆମେ ଦେଖୁଛୁ ଯେ ଶତ ଉପଦେଶ ଶୁଣିଲୋକଙ୍କ ମନରୁ ଏପରି ବିଦ୍ୱେଷ କମୁ ନାହିଁ । ବରଂ ଦେଶରେ ଜାତିଆଣଭାବ ବଢ଼ୁଛି । ମୁହଁରେ ଏପରି ଧାରଣା ପ୍ରକାଶ କରିବା ନିନ୍ଦନୀୟ ତେଣୁ ଲୋକ ଅନ୍ତରରେ ବିଦ୍ୱେଷ ରଖି ପ୍ରକାଶ୍ୟରେ ନିଜକୁ ସାମ୍ପ୍ରଦାୟିକ ଭେଦଭାବରୁ ବୋଲି କରୁଛନ୍ତି । ଆମେ ଜାଣୁ ଯେ ଆମ ସମାଜରେ ଧର୍ମ ବିଷୟରେ ଆଲୋଚନା ନ ହେବା ଫଳରେ ଲୋକଙ୍କ ମନରେ ମତାନ୍ଧତା ବଢ଼ୁଛି । ସେଥିଲାଗି ଶିକ୍ଷିତ ଲୋକଙ୍କ ଭିତରେ ମଧ୍ୟ ଧର୍ମଭାବ ନ ବଢ଼ି ଧର୍ମାନ୍ଧତା ବଢ଼ି ଚାଲିଛି । କିପରି ସାଧାରଣ ଲୋକଙ୍କ ମନରୁ ଧର୍ମାନ୍ଧତା ଯିବ, ସେକଥା ଚିନ୍ତା କରିବା ଦରକାର । କାହିଁକି ବିଭିନ୍ନ ଧର୍ମ ସମ୍ପ୍ରଦାୟ ଭିତରେ ସଦ୍‌ଭାବ ରହୁନାହିଁ ସେକଥା ବିଶ୍ଳେଷଣ କରି ବୁଝିବା ଉଚିତ୍ । ଆମେ ନିଜେ ପ୍ରକୃତରେ ଉଦାରପନ୍ଥୀ ନା ଆମ ମନରେ ସାମ୍ପ୍ରଦାୟିକ ଭାବ ରହିଛି ସେକଥା ଅକପଟରେ ଭାବିବା ଉଚିତ୍ । କାହିଁକି ଆମ ମନରେ ଏପରି ବିଦ୍ୱେଷ ଜନ୍ମୁଛି ? ସେକଥା ଜାଣିଲେ ଆମେ ବିଦ୍ୱେଷ ଦୂର କରି ପାରିବା । ଯିଏ ନିଜର ରୋଗ ଲୁଚେଇ ଯିଏ ନିଜକୁ ସୁସ୍ଥ ବୋଲି କୁହେ, ତାକୁ କେହି ଭଲ କରି ପାରନ୍ତି ନାହିଁ । ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଶ୍ଵାସ, ମୂଲ୍ୟବୋଧ, ଆଚାର ବ୍ୟବହାରରେ ପାର୍ଥକ୍ୟ ରହୁଥିବାରୁ ସାଧାରଣତଃ ଆମେ ଆମଠାରୁ ଭିନ୍ନ ଧରଣର ଲୋକ ପ୍ରତି ଅସହିଷ୍ଣୁ ହେଉ । ଯଥା-ହିନ୍ଦୁ ଧର୍ମରେ ଗୋମାଂସ ଖାଇବା ନିଷେଧ । ମୁସଲମାନମାନେ ଗୋମାଂସ ଖାଉଥିବାହେତୁ ସେମାନଙ୍କ ପ୍ରତି ହିନ୍ଦୁମାନଙ୍କର ନୀଚ ଧାରଣା ଜନ୍ମିଛି । ଘୁସୁରୀ ବା ବାର୍‌ହା ଖାଇବା ମୁସଲମାନ୍ ଧର୍ମରେ ନିଷେଧ । ମାତ୍ର ଖ୍ରୀଷ୍ଟିଆନ୍ ଓ କେତେକ ହିନ୍ଦୁ ଘୁସୁରୀ ମାଂସ ଖାଉଥିବାରୁ ମୁସଲମାନମାନେ ସେମାନଙ୍କୁ ଖରାପ ଆଖିରେ ଦେଖୁଛନ୍ତି । ମୁସଲମାନ ଧର୍ମରେ ମୂର୍ତ୍ତିପୂଜା ନିଷେଧ । ହିନ୍ଦୁମାନଙ୍କର ମୂର୍ତ୍ତିପୂଜା ଦେଖି ସେମାନେ ହିନ୍ଦୁମାନଙ୍କୁ ଅଜ୍ଞାନୀ ଓ ମୂର୍ଖ ବୋଲି ଭାବନ୍ତି । ଏହିପରି ଯଦି ଗୋଟାଏ ଧର୍ମରେ ଯାହା ନୀତି ଅନ୍ୟ ଧର୍ମରେ ତାହା ଅନୀତି ବୋଲି ବିବେଚିତ ହେଲେ, ପରସ୍ପର ଭିତରେ ଘୃଣା ଓ ବିଦ୍ୱେଷ କମି ? କେମିତି ? ତେଣୁ ଏ ବିଷୟରେ ନୀରବ ନ ରହି ବିଭିନ୍ନ ଧର୍ମ ବିଷୟରେ ପିଲାଙ୍କୁ କହିଲେ ସେମାନେ ବିଭିନ୍ନ ଧର୍ମ ଭିତରେ ଥିବା ପ୍ରଭେଦ ଅପେକ୍ଷା ସାଦୃଶ୍ୟ ବିଷୟରେ ସଚେତନ ହେବେ । କେମିତି ଧର୍ମ ବିଶ୍ଵାସର ଉଦ୍‌ଭବ ହେଲା, ବିଭିନ୍ନ ଧର୍ମ ସମ୍ପ୍ରଦାୟର ମୂଳ ଧାରଣା କ’ଣ, ସେମାନଙ୍କର ନୀତି ନିୟମ କ’ଣ, କାହିଁକି ଏସବୁ ନୀତି ନିୟମ ଉଦ୍‍ଭବ ହେଇଥିଲା, ବର୍ତ୍ତମାନ ଯୁଗରେ ଏହାର ଯଥାର୍ଥତା କ’ଣ-ସେ ସବୁ ବିଷୟ ବିଚାର ବିଶ୍ଳେଷଣ କରି ଶିଖିଲେ ଆମେ ପରଧର୍ମ ପ୍ରତି ଧୀରେ ଧୀରେ ସହିଷ୍ଣୁ ହେବୁ । ନଚେତ୍ ନିଜଧର୍ମକୁ ଶ୍ରେଷ୍ଠ ଭାବି, ଅନ୍ୟ ଧର୍ମର ଲୋକଙ୍କୁ ଅଧାର୍ମିକ ବୋଲି ଭାବି ସେମାନଙ୍କ ପ୍ରତି ମନରେ ଘୃଣା ଓ ବିଦ୍ୱେଷ ପୋଷଣ କରିବୁ ।

 

ନିଜ ଧର୍ମ ବିଷୟରେ ମଧ୍ୟ ଆମର ମନୋଭାବ ଅଦ୍ଭୁତ । ଆମେ ଧର୍ମ ପାଇଁ ଅନ୍ୟଧର୍ମର ଲୋକ ସହିତ ବିବାଦ କରୁ । ମାଡ଼ ମରାମରିରେ ପଶୁ, ଅଥଚ ନିଜର ଦୈନନ୍ଦିନ ଜୀବନରେ ଧର୍ମ ସହିତ କୌଣସି ସମ୍ପର୍କ ନଥାଏ । ଧର୍ମ ନାଆଁରେ ଯେଉଁସବୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦେଶରେ ଚଳିଆସୁଛି ସେସବୁ ପ୍ରକୃତରେ ଧର୍ମ ନା ନିରର୍ଥକ ସାମାଜିକ ପ୍ରଥା ସେକଥା ଆମେ ଜାଣୁନାହୁଁ । ଏସବୁ ବିଷୟ ନ ଶିଖିଲାରୁ ଆମେ ଜୀବନର ପ୍ରତି ପଦରେ ବିଡ଼ମ୍ବିତ ହେଉଛୁ ଓ ପିଲାଙ୍କୁ ବିଭ୍ରାନ୍ତ କରି ବଢ଼ଉଛୁ । ହରିଜନ ପିଲା ଓ ବ୍ରାହ୍ମଣ ପିଲା ଏକାଠି ସ୍କୁଲରେ ସାଙ୍ଗ ହେଇ ପଢ଼ୁଛନ୍ତି । ହାତ ଧରାଧରି ହେଇ ଗପସପ କରି ଘରକୁ ଆସିଲେ । ବ୍ରାହ୍ମଣୀ ମାଆ ଏକଥା ଦେଖି ପୁଅକୁ ସାଙ୍ଗେ ସାଙ୍ଗେ ଗାଧୋଇ ଲୁଗା ବଦଳେଇ ଘରକୁ ଆସିବାକୁ କହିଲେ । କାହିଁକି ? ନା ତୋତେ ହରିଜନ ପିଲା ଛୁଇଁଥିବାରୁ ତୋର ଲୁଗାପଟା ଅଶୁଦ୍ଧ ହେଇଛି । ସେଥିଲାଗି ଶୁଦ୍ଧ ହେଇ ଘରକୁ ପଶିବୁ । ଯଦି ପିଲାକୁ ଧର୍ମ ବିଷୟରେ ପୂର୍ଣ୍ଣାଙ୍ଗ ଶିକ୍ଷା ଲାଭ କରିବାର ସୁଯୋଗ ନ ମିଳେ ତା’ହେଲେ ଏଇ ଅବସ୍ଥାର ସଂଶୋଧନ ହେବ କେମିତି ?

 

ନିଜର ସାଂସାରିକ ଉନ୍ନତି ଲାଗି କର୍ମଦକ୍ଷ ହେବା ଯେତିକି ପ୍ରୟୋଜନ, ସାଂସାରିକ ସୁଖଶାନ୍ତି ପାଇଁ ଜ୍ଞାନମୁଖୀ ଶିକ୍ଷାର ମଧ୍ୟ ସେତିକି ପ୍ରୟୋଜନ ରହିଛି । ଆମେ ଯଦି କେବଳ ଗୋଟାଏ ପ୍ରକାର ଶିକ୍ଷାକୁ ଆଶ୍ରୟ କରି ରହିବା ତା’ହେଲେ ଅସୁବିଧାରେ ପଡ଼ିବା । ଆଧୁନିକ ଶିକ୍ଷା-ବ୍ୟବସ୍ଥାରେ ଆମେ ଚାକିରିପ୍ରାପ୍ତିକୁ ସର୍ବାଧିକ ଗୁରୁତ୍ୱ ଦେବା ଫଳରେ ଜୀବନ-ସମ୍ବନ୍ଧୀୟ ଶିକ୍ଷା ଅବହେଳିତ ହେଉଛି । ଯାହା ଶିଖୁଛୁ ନିଜ ଜୀବର ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ସେ ଶିକ୍ଷାର ପ୍ରୟୋଗ କରିପାରୁନାହୁଁ ।

 

ଏଇ ଅବସ୍ଥାର ପ୍ରତିକାର କରିବାକୁ ହେଲେ ଜ୍ଞାନମୁଖୀ ଶିକ୍ଷାର ପ୍ରସାର ଲୋଡ଼ା । ଏଭଳି ଶିକ୍ଷା ଲାଭ କରିବାକୁ ହେଲେ କେବଳ ପରୀକ୍ଷା ପାଶ୍ କଲେ ହେବନାହିଁ । ପରୀକ୍ଷା ପାଶ୍ କଲାପରେ ମଧ୍ୟ ବିଭିନ୍ନ ବିଷୟ ପଢ଼ିବାକୁ ହେବ । ତା’ହେଲେ ଯାଇ ଚିକିତ୍ସା ଶାସ୍ତ୍ର, ବିଜ୍ଞାନ ଶାସ୍ତ୍ର, ଦେଶର ଆଇନ କାନୁନ ଇତ୍ୟାଦିରେ କଣ ନୂଆ କଥାସବୁ ଘଟୁଛି ସେକଥା ଆମେ ଜାଣିପାରିବା । ଏସବୁ ବିଷୟ ନେଇ ଅନ୍ୟମାନଙ୍କ ସହିତ ଆଲୋଚନା କଲେ ବିଷୟଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତାକରି ହୃଦୟଙ୍ଗମ କରିବାକୁ ଅସମର୍ଥ ହେବା । ପାଶ୍ଚାତ୍ୟ ଦେଶରେ ଅଧିକାଂଶ ସମ୍ୱାଦପତ୍ର ଓ ବିଭିନ୍ନ ପତ୍ରପତ୍ରିକାଗୁଡ଼ିକ ଏଭଳି ବହୁଲୋକ ଶିକ୍ଷାମୂଳକ ବିଷୟ ନେଇ ଲେଖା ଛପାନ୍ତି । ସେସବୁ ପଢ଼ି ଅର୍ଦ୍ଧଶିକ୍ଷିତ ଲୋକ ମଧ୍ୟ ନିଜ ଚେଷ୍ଟାରେ ବିଭିନ୍ନ ବିଷୟ ପଢ଼ିଶିକ୍ଷିତ ହେବାର ସୁଯୋଗ ପାଏ । ଏହି ପ୍ରକାର ଶିକ୍ଷାର ପ୍ରସାର ଫଳରେ ବହୁଲୋକ ନିଜର ସ୍ଵାସ୍ଥ୍ୟ ବିଷୟରେ ସଚେତନ ହୋଇ ଶରୀରର ଯତ୍ନ ନେବାରୁ ଉତ୍ତର ଆମେରିକାରେ ହୃଦ୍ ରୋଗଗ୍ରସ୍ତ ରୋଗୀଙ୍କ ସଂଖ୍ୟ ଶତକଡ଼ା ୧୫ ଭାଗ କମିଯିବାରୁ ଜଣାଯାଇଛି । ଯେଉଁମାନଙ୍କର ବିଭିନ୍ନ କାରଣରୁ ହୃଦ୍‍ ରୋଗ ହେବାର ସମ୍ଭାବନା ରହିଛି, ସେପରି ଲୋକ ୧-ଜଗିରଖି ଖାଦ୍ୟ ଖାଇଲେ, ୨–ଧୂମପାନ ଓ ମଦ୍ୟପାନ ପ୍ରାୟ ଛାଡ଼ିଦେଲେ ଓ ୩-ନିୟମିତ ବ୍ୟାୟାମ (ଡାକ୍ତରଙ୍କ ପରାମର୍ଶ ଅନୁସାରେ) କଲେ । ଏହା ଫଳରେ ସ୍ୱାସ୍ଥ୍ୟର ଉନ୍ନତି ଘଟିଲା ଓ ସେମାନଙ୍କଠାରେ ହୃଦ୍‍ ରୋଗ ଦେଖାଗଲା ନାହିଁ । ଆମ ଦେଶରେ ମଧ୍ୟ ଲୋକ ପରିଷ୍କାର ପରିଚ୍ଛନ୍ନ ହୋଇ ରହିବାକୁ ଶିଖିବାରୁ ବହୁ ସଂକ୍ରାମକ ରୋଗ କମିଯାଉଛି । ଶିଶୁ ରୋଗର ସଂଖ୍ୟା କେତେକ କ୍ଷେତ୍ରରେ ମଧ୍ୟ କମିଯିବାର ଦେଖାଯାଉଛି । ଏସବୁ ଦେଖି ମନେ ହେଉଛି ଯେ ଦେଶର ଲୋକ ଇଚ୍ଛା କଲେ ସହଜରେ ବର୍ତ୍ତମାନ ଶିକ୍ଷାର ଏହି ସଙ୍କଟ ଦୂର କରିପାରିବେ । ଯେତେବେଳେ ଆମେ ପରସ୍ପରକୁ ଭେଟୁଛୁ, ସେତେବେଳେ ଅନ୍ୟଲୋକର ଦୁର୍ନୀତି ବା ଦୁଶ୍ଚରିତ୍ରତା ବିଷୟ ଆଲୋଚନା ନ କରି ଯଦି ନିଜେ କ’ଣ ନୂଆ କଥା ପଢ଼ିଛୁ ବା ଶିଖୁଛୁ ସେ କଥା ଆଲୋଚନା କଲେ ତା’ହେଲେ ପରସ୍ପରର ଜ୍ଞାନ ବଢ଼ିବ ।

 

ଦେଶ କିପରି ଦିନକୁ ଦିନ ରସାତଳକୁ ଯାଉଛି ସେ ବିଷୟରେ ଗପି ଉତ୍ତକ୍ତ ନ ହୋଇ ଏ ଭଳି ଏହାର ପ୍ରତିକାର କରିହେବ ସେକଥା ବରଂ ଆଲୋଚନା କଲେ ଲାଭ ହେବ । ଜଣେ ସାଧାରଣ ବ୍ୟକ୍ତି ପକ୍ଷରେ ସମାଜ ବା ଶାସନ ବ୍ୟବସ୍ଥାର ପରିବର୍ତ୍ତନ କରିବା ସମ୍ଭବ ନୁହେଁ, ମାତ୍ର ସେ ନିଜକୁ ଓ ନିଜର ପରିବାରକୁ କୁସଂସ୍କାର ଓ ଅନ୍ଧବିଶ୍ଵାସ କବଳରୁ ମୁକ୍ତ କରି ପାରିବ । ସୁଖାଦ୍ୟ କ’ଣ ସେକଥା ଶିଖି ସୁସମ ଖାଦ୍ୟ ଖାଇ ସ୍ଵାସ୍ଥ୍ୟବାନ ହୋଇପାରିବ । ଦେହ ବା ମନରେ ବିକାର ଦେଖାଗଲେ ଚିକିତ୍ସା କରି ତାର ପ୍ରତିକାର କରି ପାରିବ । ନିଜ ମନକୁ ଶାନ୍ତ ଓ ଉତ୍‍ଫୁଲ୍ଲ ରଖିପାରିବ । ଏହିଭଳି ବହୁ ଦିଗରେ ସେ ନିଜ ବ୍ୟକ୍ତିଗତ ଜୀବନର ଉନ୍ନତି କରି ପାରିବ । ଆଖି ବୁଜି ଅନ୍ଧ ପରି ଗତାନୁଗତିକ ପଥରେ ନ ଯାଇ ସେ ଇଚ୍ଛା କଲେ ଶିକ୍ଷାଦୀପ୍ତ ଜ୍ଞନୋଜ୍ଵଳ ଜୀବନ ଯାପନ କରିବାକୁ ସମର୍ଥ ହେବ-। ମଣିଷର ଗୋଟିଏ ଜୀବନ । ବିଚାର କରି ଚିନ୍ତା କରି ଏ ଜୀବନକୁ ମଣିଷ ଉପଭୋଗ କଲେ ତା’ର ବଞ୍ଚିବାର ଦୁଃଖ ଅନେକ ପରିମାଣରେ ଲାଘବ ହେବ ।

Image